Categories
ଆଜିର ଖବର ରାଜ୍ୟ ଖବର

୧୧ ଦଫା ଦାବି ନେଇ ଅଖିଳଭାରତ କିଷାନ ସଂଘର ଧାରଣା

କୁଜଙ୍ଗ: ଅଖିଳ ଭାରତ କିଷାନ ସଙ୍ଘ ପକ୍ଷରୁ ୧୧ ଦଫା ସମସ୍ୟାକୁ ନେଇ ମଙ୍ଗଳବାର ଦିନ କୁଜଙ୍ଗ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସାମ୍ୟବାଦିନେତା ବସନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣା ଓ ବିକ୍ଷୋଭ ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ବୃଦ୍ଧ ଓ ବୃଦ୍ଧାମାନେ ଯୋଗଦେଇ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ କୃଷକମାନଙ୍କ ଭତ୍ତା ମାସିକ ୬ହଜାର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୪ହଜାର ଟଙ୍କା, ସମସ୍ତ କୃଷିଋଣ ଛାଡ କରିବାସହ ବିନାଚାର୍ଜଫିକେସନରେ ୧ଲକ୍ଷ ଟଙ୍କା ପର୍ଯ୍ୟ ସୁଧମୁକ୍ତ ଋଣ ପ୍ରଦାନ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ, ତାଳଦଣ୍ଡା କେନାଲ ଯୋଗେ ଚାଷିଙ୍କୁ ତୁରନ୍ତ ଜଳଯୋଗାଣ, ଶୀତଳ ଭଣ୍ଡାର ନିର୍ମାଣ, ଜଳନିଷ୍କାସନ ପଥ ଉନ୍ମୁକ୍ତ, ଦୁଇଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇଦେବା ପ୍ରଭୃତି ୧୧ ଦଫା ଦାବି ନେଇ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟକି ତିନିଦିନ ତଳୁ ମୁଖ୍ୟ କେନାଲରେ ପାଣି ଆସିଥିବା ବେଳେ ଆଜି ଠାରୁ ଶାଖା କେନାଲରେ ପାଣି ଛଡାଯିବ ବୋଲି ଜଳ ସମ୍ପଦ ବିଭାଗ ସହକାରୀନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଅନ୍ୟପଟେ ୬ମାସ ପୂର୍ବରୁ କୁଜଙ୍ଗ ବ୍ଲକର ଜିଲ୍ଲାନାସି ପଂଚାୟତରେ ଓ ବାଲିଆ ପଂଚାୟତରେ ୧୫ଲକ୍ଷ ଟନ ବିଶିଷ୍ଟ ଦୁଇଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ନିଷ୍ପତି ନେଇ ସାରିଛନ୍ତି। ଏହାର କାଗଜାତ ପ୍ରସ୍ତୁତପରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କୁଜଙ୍ଗ ବିଡିଓ ଅଖିଳ ଭାରତ କିଷାନ ସଂଘର ପ୍ରତିନିଧି ମଣ୍ଡଳିକୁ ପ୍ରତିଶୃତି ଦେଇଥିବାର ଜଣାପଡିଛି।

ଏହି ଅବସରରେ ଅଖିଳ ଭାରତ କିଷାନ ସଂଘ ଜଗତ୍‌ସିଂହପୁର ଜିଲ୍ଲା ସଭାପତି ଶ୍ରୀନିବାସ ଜୁଝାରସିଂହ, କୁଜଙ୍ଗ ବ୍ଲକ ସଭାପତି ରବିନ୍ଦ୍ର ମହାପାତ୍ର, ସମ୍ପାଦକ ଶରତ ବଳିଆର ସିଂହ, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜିନ୍ମୟୀ ସାହାଣି, କମ୍ୟୁନିଷ୍ଠ ପାର୍ଟି ଜିଲ୍ଲାପରିଷଦ ସଭ୍ୟ ନିମାଇଁ ମହାପାତ୍ର, ଶରତ ବେହେରା, ଜମିହରା ଏକତା ମଂଚର ସଭାପତି ରବିନ୍ଦ୍ର ମାଝି, କଲ୍ୟାଣି ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭତ୍ତା ଟଙ୍କା ନଗଦ ଦେବା ପ୍ରସ୍ତାବକୁ ବିରୋଧ କଲେ ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତି ଚିନ୍ତାଜନକ। ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି। ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି। ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ। ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ। ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ।

ଓଡ଼ିଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରୁଛନ୍ତି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି। ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୁତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି। ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି। ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି।

ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି।

ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କ ବଡ ନିର୍ବାଚନ ପ୍ରତିଶୃତି: ବେକାରୀଙ୍କୁ ମିଳିବ ୫ ହଜାର ଟଙ୍କା ଭତ୍ତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ହଲଦ୍ଵାନି ଗସ୍ତ ସମୟରେ ଆଜି ଏକ ବଡ଼ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ଆମ୍ ଆଦମୀ ପାର୍ଟି ଉତ୍ତରାଖଣ୍ଡ ପାଇଁ ନିଯୁକ୍ତି ପ୍ରତିଶୃତି ଦେଇଛି। ପ୍ରତିଶ୍ରୁତି ଅନୁସାରେ ପ୍ରତ୍ୟେକ ପରିବାରକୁ ରୋଜଗାର ମିଳିବ। ସରକାର ଗଠନର ୬ ମାସ ଭିତରେ ୧ ଲକ୍ଷ ସରକାରୀ ଚାକିରି ଦିଆଯିବ। ରୋଜଗାର ନ ମିଳିବା ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦୦ ଟଙ୍କା ଭତ୍ତା ଦିଆଯିବ। ଚାକିରିରେ ଉତ୍ତରାଖଣ୍ଡବାସୀ ୮୦ % ସଂରକ୍ଷଣ ପାଇବେ।

ହାଲଦ୍ଵାନିରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଉତ୍ତରାଖଣ୍ଡ ୨୧ ବର୍ଷ ପୂରଣ କରିଛି। ୨୧ ବର୍ଷ ଧରି, ଏହି ଦଳଗୁଡିକ ଉତ୍ତରାଖଣ୍ଡର କୌଣସି ବିକାଶ କରି ନାହାଁନ୍ତି। ୨୧ ବର୍ଷରେ ଯେଉଁ ପର୍ବତ, ଜଙ୍ଗଲ ଲୁଟ୍ ହୋଇଛି, ତାହା ୨୧ ମାସରେସୁଧାରିବାକୁ ଯୋଜନା କରୁଛୁ।

ସେ କହିଛନ୍ତି ଯେ ଏହି ଯୋଜନା ଉତ୍ତରାଖଣ୍ଡର ଲୋକଙ୍କ ସହଯୋଗରେ କରାଯାଇଛି। ଯୋଜନାର ପ୍ରଥମ ବିନ୍ଦୁ ବିଦ୍ୟୁତ୍ ବିଷୟରେ ନିକଟରେ ଆପଣଙ୍କ ସାମ୍ନାରେ ରଖାଯାଇଥିଲା। ଯେପରି ଆମେ ଦିଲ୍ଲୀରେ ପ୍ରାୟ ୭୩% ଲୋକ ମାଗଣା ବିଦ୍ୟୁତ୍ ପାଇଛନ୍ତି, ସେହିଭଳି ସରକାର ଗଠନ ହେଲେ ୨୪ ଘଣ୍ଟା ବିଜୁଳି ସହ ଉତ୍ତରାଖଣ୍ଡରେ ୩୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ଦିଆଯିବ।

କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ଦେବଭୋମୀକୁ ଆସି ଯୁବକମାନଙ୍କ ଯନ୍ତ୍ରଣା ବିଷୟରେ କହିବାକୁ ଆସିଛି। ଯେତେବେଳେ ବି ଉତ୍ତରାଖଣ୍ଡର ଯୁବକମାନେ ସୁଯୋଗ ପାଆନ୍ତି, ସେମାନେ ଏକ ଚମତ୍କାର କାର୍ଯ୍ୟ କରିଥାନ୍ତି। କିନ୍ତୁ ଗତ ୨୧ ବର୍ଷ ମଧ୍ୟରେ ଯୁବକଙ୍କ ପାଇଁ ଦୁଃଖ ଦୁର୍ଦ୍ଦଶା ଏହି ଦଳଗୁଡିକ ଆଣିଦେଇଛନ୍ତି। ଆଜି ଉତ୍ତରାଖଣ୍ଡର ସବୁଠାରୁ ବଡ ସମସ୍ୟା ହେଉଛି ଯୁବକମାନଙ୍କ ସ୍ଥାନାନ୍ତରଣ।

ଆଜି ଉତ୍ତରାଖଣ୍ଡର ଯୁବକମାନେ ଅତ୍ୟନ୍ତ ଦୁଃଖରେ ଅଛନ୍ତି। ପ୍ରତ୍ୟେକ ଯୁବକ ରୋଜଗାର ଆବଶ୍ୟକ କରନ୍ତି। ସେମାନେ ଭିକ ମାଗୁନାହାଁନ୍ତି, ଏହା ତାଙ୍କର ଅଧିକାର। ଉତ୍ତମ ଉଦ୍ଦେଶ୍ୟ ଥିବା ସରକାର ଥିଲେ ଏହା ହୋଇପାରେ। ବିଜେପି ଉପରେ ଆକ୍ରମଣ କରି କେଜ୍ରିୱାଲ କହିଛନ୍ତି ଯେ, ଯଦି ଆପଣ ବିଜେପିକୁ ଭୋଟ୍ ଦିଅନ୍ତି, ତେବେ ଆପଣ ପ୍ରତି ମାସରେ ଜଣେ ମୁଖ୍ୟମନ୍ତ୍ରୀ ପାଇବେ ଏବଂ ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦିଅନ୍ତି, ତେବେ ଆପଣ ୫ ବର୍ଷ ପାଇଁ ସ୍ଥାୟୀ ମୁଖ୍ୟମନ୍ତ୍ରୀ ପାଇବେ, ଯିଏ ଆପଣଙ୍କ ପିଲାମାନଙ୍କୁ ଚାକିରୀ ଦେବେ।

ରୋଜଗାର ଯୋଗାଇବା ପାଇଁ କେଜ୍ରିୱାଲଙ୍କ ୬ ଟି ଘୋଷଣା:

୧- ଯଦି ଆପ ସରକାର ଗଠନ ହୁଏ ତେବେ ପ୍ରତ୍ୟେକ ବେକାରୀଙ୍କୁ ନିଯୁକ୍ତି।

୨- ରୋଜଗାର ଉପଲବ୍ଧ ନହେବା ପର୍ଯ୍ୟନ୍ତ ମାସିକ ୫,୦୦୦ ଟଙ୍କା ଭତ୍ତା ଉପଲବ୍ଧ ହେବ।

୩- ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଉତ୍ତରାଖଣ୍ଡର ଲୋକଙ୍କ ପାଇଁ୮୦% ଚାକିରୀ ସଂରକ୍ଷିତ ହେବ।

୪- ସରକାର ଗଠନ ହେବାର ୬ ମାସ ମଧ୍ୟରେ ଏକ ଲକ୍ଷ ୧ ଲକ୍ଷ ଚାକିରି ପ୍ରସ୍ତୁତ ହୋଇଯିବ।

୫- ଦିଲ୍ଲୀରେ ଏକ ଚାକିରି ପୋର୍ଟାଲ ସୃଷ୍ଟି ହେବା ପରି ଉତ୍ତରାଖଣ୍ଡରେ ଏକ ଚାକିରି ପୋର୍ଟାଲ ସୃଷ୍ଟି ହେବ।

୬- ରୋଜଗାର ଏବଂ ସ୍ଥାନାନ୍ତରଣ ମନ୍ତ୍ରଣାଳୟ ଗଠନ କରାଯିବ। ଏହାର କାର୍ଯ୍ୟ ହେବ ରୋଜଗାର ସୃଷ୍ଟି କରିବା। ଯେଉଁମାନେ ସ୍ଥାନାନ୍ତର କରୁଛନ୍ତି ସେମାନଙ୍କୁ ଅଟକାଇବା ଏବଂ ଯେଉଁମାନେ ସ୍ଥାନାନ୍ତରିତ ହୋଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା।