୧୧ ଦଫା ଦାବି ନେଇ ଅଖିଳଭାରତ କିଷାନ ସଂଘର ଧାରଣା

Published: Jul 26, 2023, 11:02 am IST

କୁଜଙ୍ଗ: ଅଖିଳ ଭାରତ କିଷାନ ସଙ୍ଘ ପକ୍ଷରୁ ୧୧ ଦଫା ସମସ୍ୟାକୁ ନେଇ ମଙ୍ଗଳବାର ଦିନ କୁଜଙ୍ଗ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସାମ୍ୟବାଦିନେତା ବସନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣା ଓ ବିକ୍ଷୋଭ ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ବୃଦ୍ଧ ଓ ବୃଦ୍ଧାମାନେ ଯୋଗଦେଇ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ କୃଷକମାନଙ୍କ ଭତ୍ତା ମାସିକ ୬ହଜାର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୪ହଜାର ଟଙ୍କା, ସମସ୍ତ କୃଷିଋଣ ଛାଡ କରିବାସହ ବିନାଚାର୍ଜଫିକେସନରେ ୧ଲକ୍ଷ ଟଙ୍କା ପର୍ଯ୍ୟ ସୁଧମୁକ୍ତ ଋଣ ପ୍ରଦାନ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ, ତାଳଦଣ୍ଡା କେନାଲ ଯୋଗେ ଚାଷିଙ୍କୁ ତୁରନ୍ତ ଜଳଯୋଗାଣ, ଶୀତଳ ଭଣ୍ଡାର ନିର୍ମାଣ, ଜଳନିଷ୍କାସନ ପଥ ଉନ୍ମୁକ୍ତ, ଦୁଇଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇଦେବା ପ୍ରଭୃତି ୧୧ ଦଫା ଦାବି ନେଇ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟକି ତିନିଦିନ ତଳୁ ମୁଖ୍ୟ କେନାଲରେ ପାଣି ଆସିଥିବା ବେଳେ ଆଜି ଠାରୁ ଶାଖା କେନାଲରେ ପାଣି ଛଡାଯିବ ବୋଲି ଜଳ ସମ୍ପଦ ବିଭାଗ ସହକାରୀନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଅନ୍ୟପଟେ ୬ମାସ ପୂର୍ବରୁ କୁଜଙ୍ଗ ବ୍ଲକର ଜିଲ୍ଲାନାସି ପଂଚାୟତରେ ଓ ବାଲିଆ ପଂଚାୟତରେ ୧୫ଲକ୍ଷ ଟନ ବିଶିଷ୍ଟ ଦୁଇଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ନିଷ୍ପତି ନେଇ ସାରିଛନ୍ତି। ଏହାର କାଗଜାତ ପ୍ରସ୍ତୁତପରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କୁଜଙ୍ଗ ବିଡିଓ ଅଖିଳ ଭାରତ କିଷାନ ସଂଘର ପ୍ରତିନିଧି ମଣ୍ଡଳିକୁ ପ୍ରତିଶୃତି ଦେଇଥିବାର ଜଣାପଡିଛି।

ଏହି ଅବସରରେ ଅଖିଳ ଭାରତ କିଷାନ ସଂଘ ଜଗତ୍‌ସିଂହପୁର ଜିଲ୍ଲା ସଭାପତି ଶ୍ରୀନିବାସ ଜୁଝାରସିଂହ, କୁଜଙ୍ଗ ବ୍ଲକ ସଭାପତି ରବିନ୍ଦ୍ର ମହାପାତ୍ର, ସମ୍ପାଦକ ଶରତ ବଳିଆର ସିଂହ, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜିନ୍ମୟୀ ସାହାଣି, କମ୍ୟୁନିଷ୍ଠ ପାର୍ଟି ଜିଲ୍ଲାପରିଷଦ ସଭ୍ୟ ନିମାଇଁ ମହାପାତ୍ର, ଶରତ ବେହେରା, ଜମିହରା ଏକତା ମଂଚର ସଭାପତି ରବିନ୍ଦ୍ର ମାଝି, କଲ୍ୟାଣି ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Related posts