Categories
ଆଜିର ଖବର ରାଜ୍ୟ ଖବର

ମା’ ସରସ୍ୱତୀଙ୍କ ପୂଜା କଲେ ଧାରଣାରେ ବସିଥିବା ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଧାରଣାର ଷଷ୍ଠ ଦିନ। ଷଷ୍ଠ ଦିନରେ ମା’ ସରସ୍ଵତୀଙ୍କ ପୂଜା ଥିବାରୁ ବିଦ୍ୟା ଦାୟିନୀ ମା’ ସରସ୍ଵତୀଙ୍କ ପୂଜା ଧାରଣା ସ୍ଥଳରେ ହୋଇଛି।

ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD Act 2016, RTE Act 2009 ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌କୁ ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ନିଯୁକ୍ତି ବାହାର କରୁନାହାଁନ୍ତି, ବୋଲି ମିଳିତ ମଞ୍ଚ ପ୍ରଶ୍ନ କରିଛି।

ଏହି ପୂଜା ଅବସରରେ ମିଳିତ ମଞ୍ଚ ରାଜ୍ୟ ସରକାର‌ଙ୍କୁ ନିବେଦନ କରିଛି। ଆପଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ବିଷୟକୁ ସହୃଦୟତାର ସହ ନେଇ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାର କରନ୍ତୁ ବୋଲି ମିଳିତ ମଞ୍ଚ ଦାବି କରିଛି।

Categories
ଆଜିର ଖବର ରାଜ୍ୟ ଖବର

୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ଏଥିରେ ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ ନିଜ ନିଜ ଜିଲ୍ଲାର ପଦାଧିକାରୀମାନଙ୍କ ସହ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଥାଉକି, ବିଭିନ୍ନ ସମସ୍ୟା ନେଇ ସବୁବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘ ଦିନ ହେବ ସରକାରଙ୍କୁ ନିଜର ଦାବି ଜଣାଇ ଆସୁଛନ୍ତି। ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ସମଗ୍ର ତିରିଶଟି ଜିଲ୍ଲାରେ ସବୁବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଶାଳ ପଟୁଆରରେ ଆସି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିରହିଥିଲେ। ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା।

ଏଥିରେ ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀବୃନ୍ଦ ନିଜ ନିଜ ଜିଲ୍ଲାରେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରାଯାଇଛି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ଏବଂ ଚାକିରୀ ସର୍ତ୍ତାବଳୀ ପ୍ରଦାନ, ୨୯୯ ଓ ୩୨୬ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୬୧୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ୧୧୦ ବାଳିକା ବିଦ୍ୟାଳୟକୁ ସରକାରୀ କରଣ,  ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ,  ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାର୍ପଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି. ମାନ୍ୟତା ପ୍ରଦାନ କରିବା ଓ ଉଚ୍ଚନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା, ଆଲେଜେଡ଼୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଇତ୍ୟାଦି ଦାବି ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟର କାର୍ଯ୍ୟକାରୀ କମିଟି ଓ ପଦାଧିକାରୀ ଓ ଅନ୍ୟ ନେତୃତ୍ୱକାରୀ ସାଥୀମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଯଦି ସରକାର ଏହି ବିଷୟରେ ଆସନ୍ତା ୬ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ଆଗମୀ ଫେବୃୟାରୀ ୭ ତାରିଖରେ ରାଜଧାନୀର ରାଜରାସ୍ତାରେ ଓଷ୍ଟାର ଅହୋରାତ୍ର ଧାରଣା ଜାରି ରହିବ ଓ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବନ୍ଦ ବିଦ୍ୟାଳୟ ପୁନଃ ଖୋଲିବାକୁ ଦାବି: ଧାରଣାରେ ବସିବାକୁ ଚେତାବନୀ ଦେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ କେଉଁଠି ଶିକ୍ଷକ ନାହିଁ ତ କେଉଁଠି କୋଠାଘର ନାହିଁ। ଏପରିକି ବିଦ୍ୟାଳୟ ମାନଙ୍କରେ କମ୍ ପିଲା ପଢୁଥିବାରୁ ବିଦ୍ୟାଳୟକୁ ବନ୍ଦ କରି ଦେଉଛନ୍ତି।  ଯା ଫଳରେ ଗ୍ରାମାଞ୍ଚଳର ପିଲାମାନେ ପାଠପଢାରେ ଡୋରି ବାନ୍ଧି ଦେଉଛନ୍ତି।

ସେମିତି ଏକ ବିଦ୍ୟାଳୟକୁ ସରକାର ବନ୍ଦ କରିବାରୁ ଗ୍ରାମର ସ୍ବେଚ୍ଛାସେବୀ କେତେଜଣ ମାଗଣାରେ ପାଠପଢାଉଥିବା ଜଣାପଡିଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ସାହେବି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ପଞ୍ଚୁ ଗ୍ରାମରେ ଥିବା ପ୍ରାଇମେରୀ ବିଦ୍ୟାଳୟଟି ଆଜକୁ ୩ ବର୍ଷ ହେଲା ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲ ଟି ସରକାର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସ୍କୁଲ ଟି କୁ ବନ୍ଦ କରିଦେଇଛନ୍ତି। ଫଳରେ ଏହି ସ୍କୁଲ ରେ ପାଠ ପଢୁଥିବା ରେଙ୍ଗାଲିପଞ୍ଚୁ, ପାଟୁଳିଢିପ ଆଦି ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ସାହେବି ପ୍ରଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିବା ଜଣା ପଡିଛି।

ବିଦ୍ୟାଳୟଟିକୁ ପୁନଃ ଖୋଲିବା ପାଇଁ ଗ୍ରାମ ବାସୀ ପୂର୍ବରୁ ନାକଟିଦେଉଳ ବିଇଓ , ବିଡ଼ିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ୍ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ଫଳ ମିଳିପାରି ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି।

ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏହି ରେଙ୍ଗାଲି ପଞ୍ଚୁ ପ୍ରାଥମିକ ବିଦ୍ୟାଳୟଟି ୧୯୭୧ ମସିହାରେ ସ୍ଥାପନ ହୋଇଥିଲା। ବିଦ୍ୟାଳୟ ବନ୍ଦ ହେବା ଦିନ ଠାରୁ ଗ୍ରାମବାସୀ ମାନେ ଶିକ୍ଷା ବିଭାଗଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରି ଆସିଥିଲେ ମଧ୍ୟ ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି। ଗ୍ରାମରେ ଥିବା ପିଲାଙ୍କ ପାଠପଢା ବ୍ୟାହତ ହେଉଥିବାରୁ ଗ୍ରାମର ଦୁଇଜଣ ଶିକ୍ଷିତ ଯୁବକ ପାଖାପାଖି ୪୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି।

ଗୁରୁବାର ଗ୍ରାମବାସୀ ପୁଣିଥରେ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗାମୀ ୧୦ଦିନ ମଧ୍ୟରେ ସ୍କୁଲ ଟି ପୁନଃ କାର୍ଯ୍ୟକ୍ଷମ ନହେଲେ ବିଇଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୧ ଦଫା ଦାବି ନେଇ ଅଖିଳଭାରତ କିଷାନ ସଂଘର ଧାରଣା

କୁଜଙ୍ଗ: ଅଖିଳ ଭାରତ କିଷାନ ସଙ୍ଘ ପକ୍ଷରୁ ୧୧ ଦଫା ସମସ୍ୟାକୁ ନେଇ ମଙ୍ଗଳବାର ଦିନ କୁଜଙ୍ଗ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ ସାମ୍ୟବାଦିନେତା ବସନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣା ଓ ବିକ୍ଷୋଭ ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକ, କୃଷକ, ବୃଦ୍ଧ ଓ ବୃଦ୍ଧାମାନେ ଯୋଗଦେଇ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ କୃଷକମାନଙ୍କ ଭତ୍ତା ମାସିକ ୬ହଜାର, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୪ହଜାର ଟଙ୍କା, ସମସ୍ତ କୃଷିଋଣ ଛାଡ କରିବାସହ ବିନାଚାର୍ଜଫିକେସନରେ ୧ଲକ୍ଷ ଟଙ୍କା ପର୍ଯ୍ୟ ସୁଧମୁକ୍ତ ଋଣ ପ୍ରଦାନ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ନିୟନ୍ତ୍ରଣ, ତାଳଦଣ୍ଡା କେନାଲ ଯୋଗେ ଚାଷିଙ୍କୁ ତୁରନ୍ତ ଜଳଯୋଗାଣ, ଶୀତଳ ଭଣ୍ଡାର ନିର୍ମାଣ, ଜଳନିଷ୍କାସନ ପଥ ଉନ୍ମୁକ୍ତ, ଦୁଇଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇଦେବା ପ୍ରଭୃତି ୧୧ ଦଫା ଦାବି ନେଇ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟକି ତିନିଦିନ ତଳୁ ମୁଖ୍ୟ କେନାଲରେ ପାଣି ଆସିଥିବା ବେଳେ ଆଜି ଠାରୁ ଶାଖା କେନାଲରେ ପାଣି ଛଡାଯିବ ବୋଲି ଜଳ ସମ୍ପଦ ବିଭାଗ ସହକାରୀନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଅନ୍ୟପଟେ ୬ମାସ ପୂର୍ବରୁ କୁଜଙ୍ଗ ବ୍ଲକର ଜିଲ୍ଲାନାସି ପଂଚାୟତରେ ଓ ବାଲିଆ ପଂଚାୟତରେ ୧୫ଲକ୍ଷ ଟନ ବିଶିଷ୍ଟ ଦୁଇଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ନିଷ୍ପତି ନେଇ ସାରିଛନ୍ତି। ଏହାର କାଗଜାତ ପ୍ରସ୍ତୁତପରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କୁଜଙ୍ଗ ବିଡିଓ ଅଖିଳ ଭାରତ କିଷାନ ସଂଘର ପ୍ରତିନିଧି ମଣ୍ଡଳିକୁ ପ୍ରତିଶୃତି ଦେଇଥିବାର ଜଣାପଡିଛି।

ଏହି ଅବସରରେ ଅଖିଳ ଭାରତ କିଷାନ ସଂଘ ଜଗତ୍‌ସିଂହପୁର ଜିଲ୍ଲା ସଭାପତି ଶ୍ରୀନିବାସ ଜୁଝାରସିଂହ, କୁଜଙ୍ଗ ବ୍ଲକ ସଭାପତି ରବିନ୍ଦ୍ର ମହାପାତ୍ର, ସମ୍ପାଦକ ଶରତ ବଳିଆର ସିଂହ, ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଜିନ୍ମୟୀ ସାହାଣି, କମ୍ୟୁନିଷ୍ଠ ପାର୍ଟି ଜିଲ୍ଲାପରିଷଦ ସଭ୍ୟ ନିମାଇଁ ମହାପାତ୍ର, ଶରତ ବେହେରା, ଜମିହରା ଏକତା ମଂଚର ସଭାପତି ରବିନ୍ଦ୍ର ମାଝି, କଲ୍ୟାଣି ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶତାଧିକ କର୍ମଚାରୀ ଧାରଣା ଦେଇଛନ୍ତି।ପ୍ରମୁଖ ଦାବି ମଧ୍ୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି ମିଳିପାରିନାହିଁ, ଯାହାକି ଏସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରିବା ଫଳରେ ଟିପିସିଓଡିଏଲ ପକ୍ଷରୁ ପ୍ରକ୍ରିୟାକରଣ ହୋଇଥିବା ସୂଚନା ଦେଉଥିବା ବେଳେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇପାରିନାହିଁ।

ସ୍ଥାୟୀ କର୍ମଚାରୀ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଠିକା କର୍ମଚାରୀ ମଧ୍ୟ ସେହି କାର୍ଯ୍ୟ କରୁଥିଲେ ସୁଦ୍ଧା ପ୍ରାପ୍ୟ ଠିକରେ ମିଳୁନଥିବାରୁ ସମାନ କାର୍ଯ୍ୟକୁ ସମାନ ଦରମା ଦେବା ପାଇଁ ଦାବି ହେଉଛି।ଏଥିସହିତ ଟିପିସିଓଡିଏଲ ପକ୍ଷରୁ ସମସ୍ତ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାସହ ଗ୍ରୁପ ହେଲଥ ଓ ଗ୍ରୁପ ଟିମ ବୀମା ପରିସରଭୁକ୍ତ କରିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି।

ସୁତରାଂ ଗତକାଲି ୯ଟି ଜିଲ୍ଲାରୁ ୨୦ ଡିଭିଜନର ହଜାର ହଜାର ଠିକା କର୍ମଚାରୀ ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିବା ବେଳେ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ପ୍ରତି ସବଡିଭିଜନରେ ଜାରି ରହିବା ନେଇ ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଭାରତୀୟ ଜୀବନ ବୀମା ଅଭିକର୍ତ୍ତାଙ୍କ ବିଭିନ୍ନ ଦାବି ନେଇ ଧାରଣା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଭାରତୀୟ ଜୀବନ ବୀମା ଅଭିକର୍ତ୍ତା ସଙ୍ଘ ତରଫରୁ ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଶାଖା କାର୍ଯ୍ୟାଳୟ ପରିସରରେ ଶତାଧିକ ଏଜେଣ୍ଟ, ବୀମାଧାରୀ ଧାରଣା ଦେଇଛନ୍ତି। ବୀମାଧାରକ ଓ ବୀମା ଅଭିକର୍ତ୍ତାଙ୍କ ଅନେକ ସମସ୍ୟା ନେଇ ସେପ୍ଟେମ୍ବର ୧ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣାକୁ ଓହ୍ଲାଇ ଥିବା ବୀମା ଏଜେଣ୍ଟମାନେ ଆଜି ବାଲୁଗାଁ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଯାହାକି ଏହି ଧାରଣା ଦେଶର ସମସ୍ତ ୨୦୪୮ ଶାଖା ସହିତ ସମସ୍ତ ସାଟେଲାଇଟ ଶାଖା ମାନଙ୍କରେ ମଧ୍ୟ କରାଯାଉଛି।

ବୀମାଧାରକଙ୍କୁ ଦିଆଯାଉଥିବା ପଲିସି ଲୋନ ଉପରେ ସୁଧ ହ୍ରାସ,ପ୍ରତ୍ୟେକ ଶାଖା ସମ୍ମୁଖରେ ସିଟିଜେନ ଚାର୍ଟ ଲଗାଇବା,ପ୍ରତ୍ୟେକ ବୀମା ପଲିସିରେ ବୋନସ ବୃଦ୍ଧି କରିବା,ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ବନ୍ଦ ପଲିସିକୁ ରିଭାଇବାଲ କ୍ଷେତ୍ରରେ ସୁବିଧା,ବୀମା ଧାରକଙ୍କୁ ଉତ୍ତମ ସେବା ପ୍ରଦାନ,ଅଭିକର୍ତ୍ତାଙ୍କ ଗ୍ରାଚ୍ୟୁଇଟି,ଜିଏସଟି ଉଚ୍ଛେଦ,ଏଜେଣ୍ଟ କମିଶନ ବୃଦ୍ଧି,ବୀମା ଓ ସ୍ୱାସ୍ଥ୍ୟ ବୀମା ବୃଦ୍ଧି କରିବାସହ ଅଭିକର୍ତ୍ତାଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ଓ ଲୋନର ସୁବିଧା ଯୋଗାଇବା,ଗ୍ରୁପ ଇନ୍ସୁରାନ୍ସ ପରିମାଣ ବଢାଇବା ପରି ଅନେକ ଦାବି ନେଇ ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ।ଚଳିତ ବୀମା ସପ୍ତାହରେ ଏହିପରି ଧାରଣା ସହ ସ୍ଲୋଗାନ ଜାରି ରହିବ ବୋଲି ଧାରଣାରତ ବ୍ୟକ୍ତିମାନେ କହିଛନ୍ତି।ଏଥିସହିତ ଆଗାମୀ ଦିନରେ ସରକାର ଅନ ଲାଇନରେ ବୀମା ବିକ୍ରି କରିବା ଯୋଜନା ବିରୋଧରେ ଦେଶର ସମସ୍ତ ବୀମା ଏଜେଣ୍ଟ ସର୍ବ ଭାରତୀୟ ସ୍ତରରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିବା ନେଇ ସୂଚିତ କରିଛନ୍ତି।ଏଥିସହିତ ଉକ୍ତ ଧାରଣା ନେଇ ଶାଖାର ପଲିସି ସେବା ପାଇଁ ବୀମା ଧାରକଙ୍କର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ସ୍ପଷ୍ଟକ୍ତି କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଅଭିକର୍ତ୍ତା ସଙ୍ଘ ଉପଦେଷ୍ଟା ଗୋପାଳ କୃଷ୍ଣ ରାଉତରାୟ, ବାଙ୍କନିଦ୍ଧି ନାୟକ, ସଭାପତି ଅଶୋକ ଦାସ, ଉପସଭାପତି ବିନୋଦ ଚନ୍ଦ୍ର ରାଉତରାୟ, ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ଅଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଶୋକ ପାତ୍ର ଓ ରଞ୍ଜନ ସେନାପତିଙ୍କ ସମେତ ଅଭିମନ୍ୟୁ ନାୟକ, ରତିକାନ୍ତ ସାହୁ, ଦିଲ୍ଲୀପ କୁମାର ନାୟକ ଏବଂ ବୀମାଧାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା: କଂଗ୍ରେସ ସାଂସଦମାନେ କରୁଛନ୍ତି ବିରୋଧ, ଧାରଣାରେ ବସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ସୋନିଆ ଗାନ୍ଧୀଙ୍କ ଉପରେ ଇଡିର ଜେରା ଜାରି ରହିଛି। ସେପଟେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। କଂଗ୍ରେସ ସାଂସଦମାନେ ବିଜୟ ଚୌକରେ ବିରୋଧ କରୁଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ସେହି ସାଂସଦମାନଙ୍କ ସହ ବସି ବିରୋଧ କରିଛନ୍ତି। ସାଂସଦମାନଙ୍କୁ ରାଷ୍ଟ୍ରିୟ ଭବନ ଆଡକୁ ଯିବା ପାଇଁ ବନ୍ଦ କରାଯାଇଛି।

ନ୍ୟାସନାଲ ହେରାଲ୍ଡ ମାମଲା ସୋନିଆ ଗାନ୍ଧୀଙ୍କୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଇଡି ପଚରାଉଚରା କରିପାରେ। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଇଡି ପ୍ରସ୍ତୁତି ଚଳାଇଛି। କୁହାଯାଉଛି ଯେ, ଏହି ସମୟ ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଔଷଧ ସହିତ ଉପସ୍ଥିତ ରହିବେ। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଇଡି ପ୍ରାୟ ତିନି ଡଜନ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛି। ସୋନିଆଙ୍କୁ ଇଡି ଏହି ମାମଲା ସହ ଜଡିତ ସିଧାସଳଖ ପ୍ରଶ୍ନ ପଚାରିବ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଶ୍ନ ଚାଲିବ। କୁହାଯାଉଛି ଯେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଇଡି ମୁଖ୍ୟାଳୟ ଅତ୍ୟନ୍ତ ସତର୍କ ଏବଂ ଅଧିକାରୀମାନେ ମାସ୍କ ପିନ୍ଧି ପ୍ରଶ୍ନ କରିବେ।

ଗୋଟିଏ ପଟେ ସୋନିଆ ଗାନ୍ଧୀଙ୍କ ଇଡି ପଚରାଉଚରା ଦ୍ୱିତୀୟ ଦିନରେ ଚାଲିଥିବା ବେଳେ ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ଟାର୍ଗେଟ କରିଛନ୍ତି। ଗେହଲୋଟ୍ କହିଛନ୍ତି ଯେ, ଇଡି ଦେଶରେ ଆତଙ୍କ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଇଡିରେ ବହୁତ ଶକ୍ତି ଅଛି। ଇଡି ନିଜକୁ ଅଲଗା ବୋଲି ବିଚାର କରୁଛି। ପୂର୍ବରୁ ରାହୁଲଙ୍କୁ ପାଞ୍ଚ ଥର ଡକାଯାଇଥିଲା ଏବଂ ବର୍ତ୍ତମାନ ସୋନିଆ ଜୀଙ୍କୁ ବାରମ୍ବାର ଡକାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ମଧ୍ୟାହ୍ନରେ ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭା (ଅ.ଆଇ.କେ.ଏମ.କେ.ଏସ) ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତର ଆଞ୍ଚଳିକ କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ମାନେ ପଦଯାତ୍ରା କରି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଲା କି, ଗତ କିଛି ମାସ ହେଲା ଉକ୍ତ ଦୁଇ ପଞ୍ଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଉପରେ ବରବରା ଫରେଷ୍ଟ ବିଟର ବନ କର୍ମଚାରୀମାନେ ଜୋର ଜୁଲମ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଲଙ୍ଗଳ, ଜୁଆଳି, କାତି, କୁରାଢ଼ୀ ଏବଂ ମୋବାଇଲ ଆଦି ଛଡାଇ ନେଇଯାଉଛନ୍ତି ଏବଂ ଏହାର ପ୍ରତିବାଦ କଲେ ବନ କର୍ମଚାରୀମାନେ ଗିରଫର ଭୟ ଦେଖାଇ ମୋଟା ଅଙ୍କର ଟଙ୍କା ନେଉଛନ୍ତି।

ଏହି ପରିପ୍ରେକ୍ଷୀରେ ପଞ୍ଚାୟତବାସି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ହେଲା ବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଗ୍ରାମ ସଭା ଜରିଆରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ପୁର୍ବରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନକାରୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ କରିବା ଏବଂ ପଡ଼ା ଗ୍ରାମ ଗୁଡିକୁ ଅବିଳମ୍ବେ ରାଜସ୍ୱ ଗ୍ରାମ ଘୋଷଣା କରିବା।

ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ବନ କର୍ମଚାରୀଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଯଦି ତାହା ପ୍ରମାଣିତ ହୁଏ ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଭାବେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ମୁତାବକ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ଜଙ୍ଗଲ ପଟ୍ଟା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀର ସାଧାରଣତଦନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ନପାଇବା ପ୍ରତିବାଦରେ ଶୋଭାଯାତ୍ର୍ରା

ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ନ ପାଇବା ପ୍ରତିବାଦରେ ଆଜି ଓଡ଼ିଶା ପାଇକ ଏକାଡ଼େମୀ, ସମରକଳା ଏକାଡ଼େମୀ ଆଦି ବହୁ ଅନୁଷ୍ଠାନ ପକ୍ଷରୁ ରାଜଭବନ ସମ୍ମୁଖରେ ଏକ ପ୍ରତିବାଦ ଧାରଣା, ଶୋଭାଯାତ୍ରା, ସଭା ଓ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପାଇକ ଆଖଡ଼ା ଦଳମାନେ ସେମାନଙ୍କର ସମରକଳା ପ୍ରଦର୍ଶନ କରି ପ୍ରଜ୍ଞାପନ ମେଢକୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ସ୍ଥାନ ଦେବାକୁ କହିଥିଲେ।

ଏହି ଅବସରରେ ଓଡ଼ିଶା ପାଇକ ଏକାଡ଼େମୀର ସଭାପତି ତାଙ୍କର ପ୍ରତିକ୍ରିୟାରେ କହିଥିଲେ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ସାମାରିକ ପରମ୍ପରା ସମଗ୍ର ଭାରତ କେବଳ ନୁହେଁ ବିଶ୍ୱରେ ପରିଚିତ। ତେଣୁ ଦିଲ୍ଲୀର ସାଧାରଣତନ୍ତ୍ର ମେଢରେ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ଦେଖିବାକୁ ଦେଶ ବିଦେଶରେ ଥିବା ଓଡ଼ିଆଭାଇମାନେ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି। ଚଳିତବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ପାଳନ କରାଯାଉଥିବାରୁ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ପ୍ରଜ୍ଞାପନ ମେଢ ପଠାଇବା ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ନିମନ୍ତ୍ରଣ କରାଯାଇଥିଲା।

ସେହି ଅନୁସାରେ ଓଡ଼ିଶାରୁ ଅନ୍ୟାନ୍ୟ ଚାରୋଟି ପ୍ରଜ୍ଞାପନ ମେଢର ଚିତ୍ର ସହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହର ବୃତ୍ତଚିତ୍ର ପ୍ରଦାନ କରାଯାଇଥିଲା ଏବଂ ଏହାକୁ ଦିଲ୍ଲୀର ଚୟନ କମିଟି ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ନେଇ ଏହା ଆକର୍ଷଣୀୟ ବୋଲି ମତାମତ ଦେଇଥିବା ବେଳେ ହଠାତ୍ ଏହାକୁ ବାଦ୍ ଦିଆଗଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ। ଏହା ରାଜ୍ୟର ସ୍ୱାଭିମାନ ଓ ଅସ୍ମିତା ପ୍ରତି କୁଠାରଘାତ କରିଛି। ତେଣୁ ଓଡ଼ିଶାର ଏହି ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ସରକାର ସ୍ଥାନ ଦେବା ପାଇଁ ପୁର୍ନବିଚାର ନକଲେ ଏହାର ଦୃଢ ପ୍ରତିବାଦ ଓଡ଼ିଶାର କୋଣ ଅନୁକୋଣରେ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଏ ସମ୍ପର୍କରେ ଲେଖିବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ସମାଜସେବୀ ଗଣେଶ ସାମନ୍ତ ଏବଂ ପ୍ରଧ୍ୟାପକ ନିରୋଦ ଖୁଣ୍ଟିଆ, ଅବନୀ ଜେନା, ଅଜୟ ଗୁମାନସିଂ ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହି ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ଉତ୍ତେଜନା: ଟୀକାକାରଣ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ନାଗରିକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି।ଟୀକାକାରଣକୁ ନେଇ ଶତାଧିକ ନାଗରିକ ଧାରଣାରେ ବସିଛନ୍ତି।

ଗତକଲିଠାରୁ ଆରମ୍ଭ ହୋଇଥିବା ଉକ୍ତ କେନ୍ଦ୍ରରେ ପୋଲିସ ପ୍ରଶାସନ ସହଯୋଗରେ ଟୀକାକାରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା। ରାତି ୨ ଟା ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରିଥିବାବେଳେ ସକାଳ ୫ ଟାରେ ଟୀକା ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିଛି। ଫଳରେ ଲୋକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି।

ଲୋକଙ୍କ ଅଭିଯୋଗ ହେଲାକି ଟୀକା ଯଦି ନାହିଁ ତାହାଲେ କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ କାହିଁକି ମରାଯାଇନାହିଁ। ପ୍ରଚାର ପ୍ରସାର କଣ ପାଇଁ କରାଯାଇନାହିଁ। କଣ ପାଇଁ ଶହ ଶହ ଲୋକ ରାତି ୨ ରୁ ଅପେକ୍ଷା କରିକି ଫେରିକି ଯିବେ।

ବହୁ ସମୟ ଧରି ଧାରଣରେ ଜନସାଧାରଣମାନେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଯାହାଫଳରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟୀକା ନାହିଁ ବୋଲି ସୂଚନା ଫଳକ ଫାଟକରେ ମରାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ।

ତେବେ ଗତକାଲି ଟୀକାକାରଣ ବ୍ୟବସ୍ଥାର ସୁଚାରୁରୂପେ ପରିଚାଳନାକୁ ନେଇ ସ୍ଥାନୀୟ ପ୍ରଶାସନ ବାଃ ବାଃ ନେଇଥିବା ବେଳେ ଆଜି ଟୀକା ଅଭାବର ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିବାନଥିବାରୁ ମେଡିକାଲ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ନିର୍ବାଚନ କମିଶନରଙ୍କ ବ୍ୟାନକୁ ବିରୋଧ କରି ଧାରଣାରେ ବସିଲେ ମମତା ବାନାର୍ଜୀ

କଲିକତା: ପଶ୍ଚିମବଙ୍ଗର ନିର୍ବାଚନ ଯୁଦ୍ଧରେ ପ୍ରଚଣ୍ଡ ଲଢେଇ ଜାରି ରହିଛି। ମମତା ବାନାର୍ଜୀଙ୍କ ବିବାଦିତ ବୟାନକୁ ନେଇ ନିର୍ବାଚନ କମିଶନର ତାଙ୍କୁ ୨୪ ଘଣ୍ଟା ପାଇଁ ପ୍ରଚାର ଉପରେ କଟକଣା ଲଗାଇଥିଲେ।

ତେବେ ଏହି ବ୍ୟାନକୁ ବିରୋଧ କରି ମମତା ଆଜି ଧାରଣାରେ ବସିଛନ୍ତି। ହୁଇଲ ଚେୟାରରେ ମମତା ବାନାର୍ଜୀ ଧାରଣସ୍ଥଳରେ ପହଞ୍ଚି କଲିକତାର ଗାନ୍ଧୀ ମୂର୍ତ୍ତି ପାଖରେ ନିର୍ବାଚନ କମିଶନ ବିରୋଧରେ ଧାରଣାରେ ବସିଛନ୍ତି। ମମତା ଧାରଣସ୍ଥଳରେ ଏକ ପେଣ୍ଟିଂ କରିଛନ୍ତି। ପରେ ମମତା ଏହି ପେଣ୍ଟିଂକୁ ଲୋକମାନଙ୍କୁ ଦେଖାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ହିନ୍ଦୁ-ମୁସଲିମ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନଙ୍କ ଉପରେ ବିଦ୍ରୋହ କରିବାକୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଥିଲା। ଯାହାଫଳରେ ମମତାଙ୍କୁ ୨୪ ଘଣ୍ଟିଆ ପ୍ରଚାର ପାଇଁ ନିର୍ବାଚନ କମିଶନର ବ୍ୟାନ ଲଗାଇଥିଲେ। ସେ ଆଜି ସନ୍ଧ୍ୟା ୮ ଟା ଯାଏଁ ପ୍ରଚାର କରିପାରିବେ ନାହିଁ। କିନ୍ତୁ ମମତା ଆଜି ୮ ଟା ପରେ ଗୋଟିଏ ରାଲିକୁ ସମ୍ବୋଧିତ କରିବେ ବୋଲି ଜଣା ପଡିଛି। ନିର୍ବାଚନ କମିଶନର ଏହି ବ୍ୟାନ ପରେ ତୃଣମୂଳ କଂଗ୍ରେସ ଏହାକୁ ଗଣତନ୍ତ୍ରର କଳା ଦିନ ବୋଲି କହିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଂପାନୀ ବିରୋଧରେ ଲଢ଼ୁଥିବା ନେତା ଏବଂ ଗ୍ରାମବାସୀଙ୍କୁ ତୁରନ୍ତ ଖଲାସ ଦାବି ନେଇ ଧାରଣା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସ୍ପର୍ଶକାତର ଘଟଣା କ୍ରମେ ମନୋଜାଇଟ୍ କଂପାନୀ ବିରୋଧରେ ଲଢ଼ୁଥିବା ନେତା ବଡ଼ପୁଟି ଗ୍ରାମର ଗୁରୁଦେବ ବେହେରାଙ୍କ ସହ ଏହି ଅଂଚଳରେ ଥିବା ୨୭ ଗ୍ରାମବାସୀଙ୍କ ଚମାଖଣ୍ଡି ପୋଲିସ୍ ଗିରଫ କରିବା ପ୍ରତିବାଦରେ ଆଜି ବହୁ ଗ୍ରାମବାସୀ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଖବର ଲେଖା ହେବା ସୁଦ୍ଧା ଏସ୍‌ପିଙ୍କ ସହ ଆଲୋଚନା ହୋଇନଥିବା ଏବଂ ଆନ୍ଦୋଳନ ଜାରି ରହିଥିବା ଜଣାପଡ଼ିଛି। ସେମାନଙ୍କ କହିବା କଥା ଆଇଆର୍‌ଇଏଲ୍ କପାନୀ ବଳପୂର୍ବକ ଦଳିତ ଗ୍ରାମବାସୀଙ୍କ ଜମିକୁ ଜବରଦଖଲ କରି ନେଇଯାଇଛି।

ଏହା ସହ ମନୋଜାଇଟ୍ ପ୍ଲାଣ୍ଟ ଦ୍ୱାରା ନିକଟସ୍ଥ କାଳିପଲ୍ଲୀ, କଣମଣା ପଞ୍ଚାୟତ ସମେତ ୩୦ କିମି ପରିଧି ଅଂଚଳରେ ବହୁ ଗ୍ରାମବାସୀ କିଡ଼୍‌ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେଣି। ତେଣୁ ଏହି ଦାବି ନେଇ ଲଢ଼ୁଥିବା ନେତା ଗୁରୁଦେବ ବେହେରା ଏବଂ ଅନ୍ୟ ୨୭ ଜଣକୁ ଚମାଖଣ୍ଡି ପୋଲିସ୍ ବେଆଇନ ଭାବେ ଗିରଫ କରିଛି। ଜମି ଓ ଭିଟାମାଟି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଚମାଖଣ୍ଡି ଥାନାଧିକାରୀ ଆଇଆର୍‌ଇଏଲ୍ କଂପାନୀର ହାତବାରିସି ହୋଇ ନିରୀହ ଗ୍ରାମବାସୀଙ୍କୁ ମିଥ୍ୟା କେସରେ ଭୟଭୀତ କରି ଜନଆନ୍ଦୋଳନକୁ ଦବାଇବା ପାଇଁ ହୀନ ଷଡ଼ଯନ୍ତ୍ର କରୁଛନ୍ତି।

ତେଜସ୍କ୍ରିୟ ବିକିରଣ ଯୋଗୁଁ ସ୍ଥାନୀୟ ଅଂଚଳରେ କିଡ଼୍‌ନୀ ସମସ୍ୟା ହେଉଥିବାରୁ ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କରିବା, ସିଏଓ୍‌ଆର୍ ନିୟମ ଅନୁଯାୟୀ ସ୍ଥାନୀୟ ଅଂଚଳରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ସ୍ୱାସ୍ଥ୍ୟ ଚିକିତ୍ସା ଓ ଶିକ୍ଷା ବ୍ୟବସ୍ଥା ଆଦି ଦାବି କରୁଥିବା ଲୋକଙ୍କୁ ପୋଲିସ୍ ଭୟଭୀତ କରି ଗିରଫ କରୁଛି। ତେଣୁ ତୁରନ୍ତ ଗିରଫ ସମସ୍ତଙ୍କୁ ନିସର୍ତ୍ତ ଖଲାସ, ଚମାଖଣ୍ଡି ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସିପିଆଇ(ଏମ୍‌ଏଲ୍‌) ରେଡ଼ଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ସାହୁ, କଣମଣା ପଞ୍ଚାୟତ ସଭାପତି ଉଦୟ ପ୍ରଧାନ, ଭଗବାନ ପ୍ରଧାନ, ଦଣ୍ଡପାଣି ପ୍ରଧାନ, ମହିଳା ନେତ୍ରୀ ସରସ୍ୱତୀ ପ୍ରଧାନ, ମହନୀ ପ୍ରଧାନ, ଝୁନୁ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଗଂଜାମ ଏସ୍‌ପି କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ।ଯଦି ରାତି ସୁଦ୍ଧା ଏସ୍‌ପି ଆଲୋଚନା ନ କରନ୍ତି ତେବେ ଆସନ୍ତା କାଲି ଦକ୍ଷିଣାଞ୍ଚଳ ଡ଼ିଆଇଜି କାର୍ଯ୍ୟାଳୟ ଘେରାଉ କରିବେ।

Categories
ଆଜିର ଖବର ଆଞ୍ଚଳିକ

ମହିଳାଙ୍କୁ ଫରେଷ୍ଟଗାର୍ଡଙ୍କ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ଜନୈକା ମହିଳାଙ୍କୁ ଜଣେ ଫରେଷ୍ଟଗାର୍ଡ ଅସଦାଚରଣ ଅଭିଯୋଗରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓ ଙ୍କ କାର୍ଯ୍ୟାଳୟରେ ପରିବାର ତରଫରୁ ଆଜି ଧାରଣାରେ ବସିଥିଲେ।

ପ୍ରକାଶ ଯେ, ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗ୍ରାମର ଜନୈକା ମହିଳାଙ୍କୁ ସେଇ ଗ୍ରାମର ବରୁଣ ନାଏକ ନାମକ ଫରେଷ୍ଟ ଗାର୍ଡ ଗତ ତା ୧୫ ନଭେମ୍ବର ରାତିରେ ଶାଢିକୁ ଟଣାଓଟରା କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ

ହୋଇଛି। ଏନେଇ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଫରେଷ୍ଟ ଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରିବା ଦାବୀରେ ପରିବାର ତରଫରୁ ଧାରଣାରେ ବସିଥିଲେ। ମହିଳାଙ୍କ ଅଭିଯୋଗ ଯେ, ଫରେଷ୍ଟଗାର୍ଡ ଆଗରୁ ବହୁବାର ସେଇ ଗାଁ ରେ ଝିଅବୋହୂମାନଙ୍କୁ ଖରାପ କଥା କହିବା ଅଭିଯୋଗରେ ଗାଁରେ ସମାଧାନ ହୋଇଥିଲା। ଏହା ସତ୍ତ୍ୱେ ସେ ପୁନର୍ବାର ଗ୍ରାମର ଜନୈକା ମହିଳାଙ୍କୁ ଅସଦାଚରଣ କରିବାରୁ ସଂପୃକ୍ତ ମହିଳାଙ୍କ ପରିବାର ଅତିଷ୍ଠ ହୋଇ ଥାନାର ଦ୍ୱାରସ୍ଥ ହେବା ସହ ବହିଷ୍କାର ଦାବୀରେ ରେଢାଖୋଲ କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ଡିଏଫ୍‌ଓ ସାତ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ଧାରଣାରେ ବସିଥିବା ପୀଡିତ ପରିବାର ଧାରଣାକୁ ସ୍ଥଗିତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାଡିଦର ସ୍କୁଲ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି। ହେଲେ ସରକାର ଯେଉଁ ବିଦ୍ୟାଳୟରେ୨୦ ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି ତାହା ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇବା ଅଭିଯାନ ଏବେ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଂଶାଜାଲ ପଂଚାୟତର ଭାଡିଦର ବିଦ୍ୟାଳୟକୁ ସରକାର ବନ୍ଦ କରିଦେଉଥିବାରୁ ଏହାର ପ୍ରତିବାଦରେ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀମାନେ। ଏହା ସହିତ ଅଭିଭାବକ ଓ ଗ୍ରାମବାସୀ ମାନେ ମଧ୍ୟ ଏହି ଧାରଣାରେ ବସି ଥିଲେ।  ସରକାର ୨୦ ରୁ କମ୍ ଥିବା ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଭାଡିଦରରେ ୨୪ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ କେମିତି ତାହା ବନ୍ଦ କରାଯାଇଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭାଡିଦର ଗ୍ରାମ ପାଖରେ ଜଙ୍ଗଲ ରହିଛି, ଯା ଫଳରେ ଛୋଟ ପିଲାମାନେ ଏଠାରୁ ଅନ୍ୟସ୍କୁଲକୁ ପାଠ ପଢି ଯିବାକୁ ଅସୁବିଧା ପାଇବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଉପଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ। ସରକାର ଆମକଥା ନ ଶୁଣିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଗ୍ରାମବାସୀ, ଅଭିଭାବକ ମାନେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଘେରାଉ କଲେ ସ୍ବୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍‌ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି।

ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି କି ଆୟବ୍ୟୟର ସୂଚନା ଦେଉନାହାନ୍ତି। ଏ ସମ୍ପର୍କରେ ଅକ୍ଟୋବର ୬ ତାରିଖରେ ଓଡଗାଁର ଏକ ମନ୍ଦିରଠାରେ ମହିଳାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିଲେ। ଯେଉଁଥିରେ ସିଆରପିମାନେ ଏମ୍‌ବିକେ ଯୋଗଦେଇନଥିବା ସ୍ଥଳେ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ସେମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ଉଠି ପଳାଇଥିଲେ।

ଏହାପରେ ଗତ ଅକ୍ଟୋବର ୧୯ ତାରିଖରେ ସମସ୍ତ ମହିଳାମାନେ ବାଣପୁର ବିଡିଓଙ୍କ ଦ୍ବାରସ୍ଥ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ନଭେମ୍ବର ୨ ତାରିଖ ସୁଦ୍ଧା ବାଣପୁର ବ୍ଲକର ଓଏଲଏମ ବିଭାଗ କିମ୍ବା ବିଡିଓଙ୍କ ଦ୍ବାରା ପ୍ରତିଶୃତି ମୁତାବକ କୌଣସି ସମସ୍ୟାର ସମାଧାନ ନ କରାଯିବାରୁ ଆଜି ନ୍ୟାୟ ଦାବିରେ ଶତାଧିକ ମହିଳାମାନେ ବ୍ଲକ ଘେରାଉ କରି ଧାରଣାରେ ବସିଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ ଦିନ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିଡିଓ ଆସିନଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍‌ ଉପସ୍ଥିତ ରହିଛନ୍ତି। ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ସହିତ ଗୋଟିଏ ପ୍ଲାଟୁନ୍‌ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।