ବାଣପୁରରେ ଉତ୍ତେଜନା: ଟୀକାକାରଣ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ନାଗରିକ

Published: May 4, 2021, 6:52 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି।ଟୀକାକାରଣକୁ ନେଇ ଶତାଧିକ ନାଗରିକ ଧାରଣାରେ ବସିଛନ୍ତି।

ଗତକଲିଠାରୁ ଆରମ୍ଭ ହୋଇଥିବା ଉକ୍ତ କେନ୍ଦ୍ରରେ ପୋଲିସ ପ୍ରଶାସନ ସହଯୋଗରେ ଟୀକାକାରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା। ରାତି ୨ ଟା ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରିଥିବାବେଳେ ସକାଳ ୫ ଟାରେ ଟୀକା ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିଛି। ଫଳରେ ଲୋକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି।

ଲୋକଙ୍କ ଅଭିଯୋଗ ହେଲାକି ଟୀକା ଯଦି ନାହିଁ ତାହାଲେ କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ କାହିଁକି ମରାଯାଇନାହିଁ। ପ୍ରଚାର ପ୍ରସାର କଣ ପାଇଁ କରାଯାଇନାହିଁ। କଣ ପାଇଁ ଶହ ଶହ ଲୋକ ରାତି ୨ ରୁ ଅପେକ୍ଷା କରିକି ଫେରିକି ଯିବେ।

ବହୁ ସମୟ ଧରି ଧାରଣରେ ଜନସାଧାରଣମାନେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଯାହାଫଳରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟୀକା ନାହିଁ ବୋଲି ସୂଚନା ଫଳକ ଫାଟକରେ ମରାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ।

ତେବେ ଗତକାଲି ଟୀକାକାରଣ ବ୍ୟବସ୍ଥାର ସୁଚାରୁରୂପେ ପରିଚାଳନାକୁ ନେଇ ସ୍ଥାନୀୟ ପ୍ରଶାସନ ବାଃ ବାଃ ନେଇଥିବା ବେଳେ ଆଜି ଟୀକା ଅଭାବର ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିବାନଥିବାରୁ ମେଡିକାଲ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Related posts