Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର ଏବଂ କଟକ ରେଲୱେ ଷ୍ଟେସନ୍ ପୁନର୍ବିକାଶର ପ୍ରଗତି ସମୀକ୍ଷା

ଭୁବନେଶ୍ୱର: ରେଳ, ଯୋଗାଯୋଗ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭଦ୍ରକ-ଭୁବନେଶ୍ୱର ରେଳ ସେକ୍ସନ ନିରୀକ୍ଷଣ କରି ନିରାପତ୍ତା, ଟ୍ରାଫିକ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ନିରୀକ୍ଷଣ ସମୟରେ ସେ ରେଳ ଅଧିକାରୀଙ୍କୁ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଯାତ୍ରୀଙ୍କ ସୁବିଧା କାର୍ଯ୍ୟ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

ପରେ, ଶ୍ରୀ ବୈଷ୍ଣବ କଟକ ଏବଂ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ବିଶ୍ୱ ସ୍ତରୀୟ ଷ୍ଟେସନ ଭାବରେ ଏହି ଷ୍ଟେସନଗୁଡିକର ପୁନର୍ବିକାଶ ସମ୍ବନ୍ଧୀୟ ନିର୍ମାଣ ପାଇଁ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ବୈଷ୍ଣବ ଖୁସି ବ୍ୟକ୍ତ କରିଛନ୍ତି।

ମାଣିଆବନ୍ଧ ହସ୍ତଶିଳ୍ପ:

ଶ୍ରୀ ବୈଷ୍ଣବ କଟକ ରେଳ ଷ୍ଟେସନ ଗସ୍ତ ସମୟରେ ମାଣିଆବନ୍ଧ ହସ୍ତାଶିଳ୍ପ ସାମଗ୍ରୀ ଷ୍ଟଲ୍ ପରିଦର୍ଶନ କରିଥିଲେ। କଟକ ରେଳ ଷ୍ଟେସନରେ ଥିବା ଏକ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ କଟକ ଜିଲ୍ଲାର ମାଣିଆବନ୍ଧ ଗ୍ରାମର ହ୍ୟାଣ୍ଡଲୁମ୍ ଉତ୍ପାଦ ସହିତ ପ୍ରଦର୍ଶିତ ଓ ବିକ୍ରି ପ୍ରାରମ୍ଭ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନିକଟରେ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ସ୍ଥାନୀୟ ବୁଣାକାରମାନଙ୍କୁ “ୱାନ ଷ୍ଟେସନ ୱାନ ପ୍ରଡକ୍ଟ” ପଦକ୍ଷେପ ଅନ୍ତର୍ଗତ କଟକ ଷ୍ଟେସନରେ ମାଣିଆବନ୍ଧ ଷ୍ଟଲ ଖୋଲିବାକୁ ଆଶ୍ୱାସନା ଦେଇଥିଲେ।

ମାଣିଆବନ୍ଧ ଗ୍ରାମ ପରିଦର୍ଶନ ସମୟରେ ଏହାରୀ ବୈଷ୍ଣବ ହୃଦୟଙ୍ଗମ କରିଥିଲେ ଯେ 10 ଟି ପରିବାର ଯିଏକି ଲୁଗାବୁଣା କାର୍ଯ୍ୟରେ ସୁତା କାଟିବା, ରଙ୍ଗଦେବା ଓ ବୁଣିବା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଲୁଗାବୁଣି ସ୍ୱଳ୍ପ ପଇସାରେ ମଧ୍ୟମ ବ୍ୟକ୍ତି ମାଧ୍ୟମରେ ବିକ୍ରି କରୁଥିଲେ ଯାହାକି ପରିଶ୍ରମର ସିଂହଭାଗ ମଧ୍ୟମ ବ୍ୟକ୍ତି ନେଉଥିବାବେଳେ ଏମାନଙ୍କୁ ସ୍ୱଳ୍ପ ଅର୍ଥରାଶି ମିଳୁଥିଲା। ସେଥିପାଇଁ ଶ୍ରୀ ବୈଷ୍ଣବ ଏହି 10ଟି ପରିବାରର ସାମଗ୍ରୀ ବିକ୍ରିପାଇଁ କଟକ ଷ୍ଟେସନ ଠାରେ ଗୋଟିଏ ଷ୍ଟେସନ ଗୋଟିଏ ଦ୍ରବ୍ୟ / ପ୍ରଡକ୍ଟ ସ୍ଟଲ ଯୋଗାଇ ଦେବାପାଇଁ ମାଣିଆବନ୍ଧ ଗ୍ରାମର ଏହି ବୁଣାକାର ମାନଙ୍କୁ ଗତ ସପ୍ତାହରେ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ଦେଇଥିବା ପ୍ରତିଶୃତିକୁ ମାତ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରାଯାଇଅଛି। ଏବେ ଏହି ବୁଣାକାର ମାନେ ସିଧାସଳଖ ଭାବେ ସେମାନଙ୍କର ସାମଗ୍ରୀ ବିକ୍ରିକରି ନିଜ ପରିଶ୍ରମର ଉଚିତ ପାଉଣା ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ସଂଜୟ ଏବଂ ପ୍ରତାପଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡି ଆଜି ଦଳର ଦୁଇଜଣ ବରିଷ୍ଠ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ ସଂଜୟ ଦାସବର୍ମା ଏବଂ ପ୍ରତାପ ଜେନା। ଉଭୟ ନେତା ପୂର୍ବରୁ ବିବାଦୀୟ ହୋଇ ରହିଛନ୍ତି। ପ୍ରତାପ କୋର୍ଟ ମାମଲାରେ ଛନ୍ଦି ହୋଇଥିବା ବେଳେ ସଂଜୟ ଦୀର୍ଘ ଦିନ ଧରି ଦଳର ସକ୍ରିୟ ରହୁ ନାହାଁନ୍ତି।

ତେବେ ଉଭୟଙ୍କୁ ଦଳ ଆଜି ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଛି। ପ୍ରତାପ ଜେନାଙ୍କୁ ଦଳ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହି ପରି ସଂଜୟ ଦାସବର୍ମାଙ୍କୁ ଦଳ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଛି। ଏ ନେଇ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଆୟୋଜିତ

ଭୁବନେଶ୍ୱର: ଆନ୍ତର୍ଜାତିକ ବିପର୍ଯ୍ୟୟ ଆପଦ ପ୍ରଶମନ ଦିବସରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌‍ ଅନ୍ତର୍ଗତ କସିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଠାରେ ରିଲାଏନ୍ସ ଫାଉଣ୍ଡେସନ୍‌‍ ପକ୍ଷରୁ ଏକ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୁଣ୍ଡଳିସ୍ଥିତ ଏନ୍‌‍ଡିଆରଏଫ୍‌‍ ୩ୟ ବାଟାଲିଅନ୍‌‍ ର ବୈଷୟିକ ମାର୍ଗଦର୍ଶନ ଏବଂ ବାସୁଦେବପୁରର ଲାଇଫ ଲାଇନ୍‌‍ ଏନ୍‌‍ଜିଓର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିପର୍ଯ୍ୟୟ ଆପଦ ହ୍ରାସ ନିମନ୍ତେ ସଚେତନତା ସୃଷ୍ଟି ଏବଂ ଗୋଷ୍ଠୀ ସ୍ତରରେ ପ୍ରସ୍ତୁତିରେ ବୃଦ୍ଧି ଘଟାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୂଲ୍ୟବାନ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବାରେ ଗୋଷ୍ଠୀସ୍ତରରେ ସଚେତନତା ଏବଂ ପ୍ରସ୍ତୁତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ପ୍ରାୟ ୬୦ ଜଣ ଗୋଷ୍ଠୀ ସ୍ୱେଚ୍ଛାସେବୀ ଏବଂ ଆପଦ ମିତ୍ରଙ୍କ ସମେତ ସାନକୃଷ୍ଣପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସଦସ୍ୟବୃନ୍ଦ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାନକୃଷ୍ଣପୁର ଗ୍ରାମ ଅନେକ ସମୟରେ ଶକ୍ତିଶାଳୀ ଝଡବାତ୍ୟାର ସମ୍ମୁଖୀନ ହେଉଛି ଏବଂ ଏହା ସମୁଦ୍ର ଉପକୂଳ ଅଞ୍ଚଳରେ ଅବସ୍ଥିତ ଥିବାରୁ ସୁନାମି ଜନିତ ଆପଦ ଏହାପ୍ରତି ଅତ୍ୟଧିକ ରହୁଛି।

କସିଆ ବାତ୍ୟ ଆଶ୍ରୟ ସ୍ଥଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି ପକ୍ଷରୁ ଏହି ଗୋଷ୍ଠୀ ସଚେତନତା ଏବଂ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ପ୍ରୟାସକୁ ପ୍ରଶଂସା କରାଯାଇଛି। ଗୋଷ୍ଠୀ ସଦସ୍ୟମାନେ ଆଦ୍ୟ ସତର୍କ ପରାମର୍ଶଗୁଡିକ ଏକତ୍ର କରିବା, ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ଧାର କୌଶଳ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସ୍ଥାନାନ୍ତର କରିବାର ମାର୍ଗ / ମାନଚିତ୍ର ପ୍ରସ୍ତୁତ କରି ନିରାପଦରେ କିଭଳି ଆଶ୍ରୟସ୍ଥଳରେ ପହଞ୍ଚାଯାଇପାରିବ ତାହା ଦେଖାଇଥିଲେ।

ଏହି ପ୍ରସ୍ତୁତି ଅଭ୍ୟାସ ତଥା କର୍ମଶାଳାରେ ସ୍ଥାନ ପାଇଥିବା ବିଭିନ୍ନ ଦିଗ ମଧ୍ୟରେ ସୁନାମି / ବାତ୍ୟା ଏବଂ ତାହାର ଭୟାବହତାକୁ ଚିହ୍ନଟ କରିବା, ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ନିମନ୍ତେ ପ୍ରସ୍ତୁତି ଅଭ୍ୟାସର ଉଦ୍ଦେଶ୍ୟ ସଚେତନତା, ଆଦ୍ୟ ସତର୍କ ସୂଚନା ଏକତ୍ର କରିବା, ଜରୁରୀ ପରିସ୍ଥିତିରେ ସ୍ୱେଚ୍ଛାସେବୀ ଏବଂ ପ୍ରଥମ ପଦକ୍ଷେପ ଗ୍ରହଣକାରୀଙ୍କ ଭୂମିକା, ବାତ୍ୟା ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ୍‌‍, ସାପ କାମୁଡା ଭଳି ଘଟଣାକୁ ରୋକିବା ଏବଂ ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ, ଜରୁରୀକାଳୀନ ଖୋଜାଖୋଜି ଏବଂ ଦଉଡି ଓ ନଟ୍‌‍ ସହାୟତାରେ ଉଦ୍ଧାର କୌଶଳ, ଜରୁରୀକାଳୀନ ପରିବହନ ପଦ୍ଧତି- ମୃତ୍ୟୁ ଘଟଣା, ଆଦି ଅନ୍ତର୍ଭୁକ୍ତ ଥିଲା।

ଏହି କାର୍ଯ୍ୟକ୍ରମକୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରି ମୁଣ୍ଡଳିସ୍ଥିତ ଏନ୍‌‍ଡିଆରଏଫ ୩ୟ ବାଟାଲିଅନ୍‌‍ର ଇନ୍ସପେକ୍ଟର ଏକ୍‌‍ଜିକ୍ୟୁଟିଭ ଉଦିତ କୁମାର ଦୀକ୍ଷିତ ଏବଂ କନେଷ୍ଟବଳ ଟି ପି ମଣ୍ଡଳ ଓ ଏସ ଏମ୍‌‍ ସ୍ୱାମୀ ଏଥିରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୫ଟି ଅତ୍ୟାଧୁନିକ ହସପିଟାଲ ପାଇଁ ହେବ ଚୁକ୍ତି ସ୍ବାକ୍ଷରିତ, ଜାଣନ୍ତୁ କେଉଁଠି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ ହସପିଟାଲ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ। ଏହି ହସପିଟାଲ ଗୁଡିକ ପିପିପି ମୋଡରେ କରାଯିବ। ସେହି ସ୍ଥାନଗୁଡିକ ହେଲା ଝାରସୁଗୁଡ଼ା, ଅନୁଗୋଳ, ବଡ଼ବିଲ ଓ ଭଦ୍ରକ। ସେଠାରେ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପି.ପି.ପି. ମାଧ୍ୟମରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଉପସ୍ଥିତିରେ ଚୁକ୍ତି କରାଯିବ।

ଖବର ଅନୁସାରେ ଝାରସୁଗୁଡାରେ ୧୨୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଟି ହସପିଟାଲ ଏବଂ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ ହସପିଟାଲ, ଅନୁଗୋଳରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟି ସ୍ପେସାଲିଟି ହସପିଟାଲ, ବଡବିଲରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସିଆଲିଟ୍ ନିର୍ମାଣ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଚାନ୍ଦବାଲି ଅଞ୍ଚଳର ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର/ଭଦ୍ରକ:  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ବାରସର ପଂଚାୟତର ବଙ୍ଗାଳୀଦପା, ତାଳଦପା, ନୁଅବନ୍ଧ ଓ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର, କୁଆଁର ଚତା, ହଂସପାଟ ଗାଁ ଏବଂ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି।

ବନ୍ୟା ଘେରରେ ଥିବା ଜଳବନ୍ଦୀଙ୍କୁ ତୁରନ୍ତ ରିଲିଫ୍ ଯୋଗାଇ ଦିଆଯିବାର ନିୟମ ଥିବା ସତ୍ୱେ ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପୀଡିତଙ୍କ ପାଖରେ ରିଲିଫ୍ ପହଁଚାଇ ନାହାଁନ୍ତି। ସମୁଦ୍ରକୁ ଶଙ୍ଖେ ଭଳି କାଁ ଭାଁ ରିଲିଫ୍ ଲୋକଙ୍କୁ ମିଳିଛି ବୋଲି ସାମଲ ଅଭିଯୋଗ କରିଛନ୍ତି।

ବନ୍ୟା କାରଣରୁ ଯେଉଁ ରାସ୍ତାଘାଟ ନଷ୍ଟ ହୋଇଛି ତାକୁ ତୁରନ୍ତ ମରାମତି କରାଯାଉ। ସେହିପରି ବନ୍ୟାଜଳ କାରଣରୁ ନଷ୍ଟ ହୋଇଯାଇଥିବା ଫସଲ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୁରଣ ଦିଆଯିବା ସହିତ ନୂତନ ଫସଲ ପାଇଁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଅନ୍ତୁ୍‌ୁ ରାଜ୍ୟ ସରକାର ବୋଲି ସାମଲ ଦାବୀ କରିଛନ୍ତି।

ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ। ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ। ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିବାର ଏଥିରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭଦ୍ରକରେ ଚାଷୀଙ୍କୁ ବଣ୍ଟା ଗଲା ଆଳୁ ବିହନ

ଭୁବନେଶ୍ୱର: ରାଜ୍ୟ ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ରିହାତି ଦରରେ ଯୋଗାଇ ଦେଉଥିବା ପରିପ୍ରେକ୍ଷୀରେ ଆଜି ଚଳିତ ବର୍ଷର ରବି ଋତୁରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଭଦ୍ରକ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ ରାଜ୍ୟରେ ଆଳୁ ଚାଷର ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି । ଭଦ୍ରକସ୍ଥିତ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ଆଳୁଚାଷୀମାନଙ୍କୁ ଆଳୁ ବିହନ ରିହାତି ଦରରେ ବଣ୍ଟନ କରାଯାଇଥିଲା । ବଣ୍ଟନ ନିମନ୍ତେ ଆସିଥିବା କୁଫି୍ରଜ୍ୟୋତି କିସମର ଆଳୁ ବିହନକୁ ସର୍ବପ୍ରଥମେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଅରବିନ୍ଦ ଦାସ ଓ କୃଷି ବୈଜ୍ଞାନିକ ଶ୍ରୀମତୀ ଜ୍ୟୋତ୍ସାରାଣୀ ମହାରଣାଙ୍କ ଉପସ୍ଥିିତିରେ ମାନ ନିରୁପଣ କରାଯିବା ପରେ ଏହାକୁ ଚାଷୀମାନଙ୍କୁ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ୫୦ ଜଣ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଥିଲା । ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ପ୍ରାୟ ୨୯୨୫ କ୍ୱିଣ୍ଟାଲ ଉନ୍ନତ ମାନର ଆଳୁ ବିହନ ଚାଷୀମାନଙ୍କୁ ଯୋଗାଇଦେବାର ଲକ୍ଷ୍ୟ ରଖାଯାଯାଇଛି । ଏଥି ସହିତ ଚଳିତ ରବି ଋତୁରେ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ । ଆଜିର କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ବ୍ଲକର ବିଭାଗୀୟ କର୍ମଚାରୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍

ଭୁବନେଶ୍ଵର: ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ। ୨୨୩୦୬ ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ ୦୬ ଘ.୩୦ ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ମାର୍ଗରେ ୨୨୩୦୫ ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗ୍ପୁର, ବାଲେଶ୍ୱର, ନେଲୋର, ପେରମ୍ବୁର, କାଟପାଡି ଏବଂ ଜୋଲାରପେଟାଇ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହି ଟ୍ରେନ ଗଠନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଚାରିଟି ଏସି-୨ ଟାୟାର, ୧୦ ଟି ଏସି -୩ ଟାୟାର, ଦୁଇଟି ସ୍ଲିପର କ୍ଲାସ, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ପ୍ୟାଣ୍ଟ୍ରି କାର ଏବଂ ଦୁଇଟି ଗାର୍ଡ, ଲଗେଜ୍ ତଥା ଜେନେରେଟର କାର ଉପଲବ୍ଧ ଅଛି।

ଉଦ୍ଘାଟନୀ ଯାତ୍ରାରେ ଏହି ଟ୍ରେନ ଏକ ବିଶେଷ ଟ୍ରେନ ଭାବେ ଜସିଡ଼ିହ ଠାରୁ ୨୩.୦୯.୨୦୨୨ ଅପରାହ୍ନ ୩ ଘ. ୩୦ମି.ରେ ଯାତ୍ରା ଶୁଭାରମ୍ଭ କରି ଏସଏମଭିଟି ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ବାଲେଶ୍ବର, ଭଦ୍ରକ ଜିଲ୍ଲାବାସୀ ମଧ୍ୟ ପାଇବେ ସ୍ମାର୍ଟ କାର୍ଡର ସୁବିଧା, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୧ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଡିଶାର ଭାଷା ଓ ସାହିତ୍ୟର ଗୌରବ ବୃଦ୍ଧି କ୍ଷେତ୍ରରେ ଏହି ଦୁଇ ମହାରଥୀଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ସ୍ବତନ୍ତ୍ର ଅବଦାନ ବିଷୟରେ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାଲେଶ୍ବର ଜିଲ୍ଲା କୃଷି, ଶିଳ୍ପ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଆଗୁଆ ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ ।

ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ଏବଂ ରାଜ୍ୟର ୭୭ ପ୍ରତିଶତ ଲୋକ ଚିକିତ୍ସାର ବୋଝରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ବରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବାଲେଶ୍ବର ବିଧାୟକ ଶ୍ରୀ ସ୍ବରୂପ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଭଦ୍ରକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ, ଦୂରଦୃଷ୍ଟି ଓ ଗରିବ ଲୋକଙ୍କ ପାଇଁ ତାଙ୍କର ପ୍ରତିବଦ୍ଧତା ଓଡିଶାରେ ଗରିବ ଲୋକମାନଙ୍କୁ ସୁରକ୍ଷିତ କରିବା ସହିତ ସାରା ଦେଶର କଲ୍ୟାଣ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିପାରିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଗରିବ ଲୋକଙ୍କ ଦୁଃଖ ଦୂର କରିବା କ୍ଷେତ୍ରରେ ଏକ ମୁଖ୍ୟ ସାହାରା ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Categories
ଆଜିର ଖବର

ଓଡିଶା ପ୍ରଶାସନିକ ସ୍ତରରେ ଅଦଳବଦଳ, ବଦଳିଲେ ଦୁଇଟି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିବା ସହିତ ୫ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁମାନଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ତାହା ହେଲା..

୧- ଜ୍ଞାନରଂଜନ ଦାସ- ନିର୍ଦ୍ଦେଶକ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ

୨- ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଷ ବିଭାଗ

୩- ଭୂମେଶ ଚନ୍ଦ୍ର ବେହେରା- ନିର୍ଦ୍ଦେଶକ, ଆୟୁଶ ନିର୍ଦ୍ଦେଶାଳୟ

୪- ସରୋଜ କୁମାର ସେଠୀ- ଜିଲ୍ଲାପାଳ, ଢେଙ୍କାନାଳ

୫- ତ୍ରିଲୋଚନ ମାଝି- ଜିଲ୍ଲାପାଳ, ଭଦ୍ରକ

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା କ୍ଷତିଗସ୍ତ ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ, ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ’ ଟାସ୍କ ଫୋର୍ସ କମିଟି ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ଗସ୍ତକରି ଏହି ଉପଲକ୍ଷେ ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

ଏଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ୟାସ ବାତ୍ୟାର ପୂର୍ବାନୁମାନ ପ୍ରାୟ ମେ ମାସ ୨୦ ତାରିଖ ରୁ ଜଣା ପଡ଼ିଥିଲା। ହେଲ ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଓ ପ୍ରାକ୍ ପ୍ରସ୍ତୁତିରେ ବ୍ୟାପକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆଜି ଗୁରୁତର ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମହାଶୟ ଆକାଶମାର୍ଗରୁ ୟାସ କ୍ଷତିଗ୍ରସ୍ତ ଜିଲ୍ଲା ପରିଦର୍ଶନ କରିଥିଲେ ବି କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସରକାର ପଂହଚି ନ ପାରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ।

ସରକାରୀ କର୍ମଚାରୀମାନେ ଶାସକ ଦଳର କର୍ମୀ ଓ ଜନପ୍ରତିନିଧିଙ୍କ ହାତବାରିସି ସାଜି ରିଲିଫ ସାମଗ୍ରୀ ଦଳୟୀ ପ୍ରିୟାପ୍ରତି ଆଧାରରେ ବଂଟନ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ଦୁଇ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଲୁଣାପାଣି ପ୍ରବେଶ କରି ଲୋକମାନଙ୍କର ମୀନ, ପାନ ଓ ଧାନକ୍ଷେତକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୧୫୧ ହେକ୍ଟର ଲୁଣା ପାଣିରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝୀ କ୍ଷୋଭ ପକାଶ କରିଛନ୍ତି ।

ପ୍ରାୟ ୫୦୦ ରୁ ୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷୀମାନେ କ୍ଷତିଗସ୍ତ ହୋଇଥିବା ବେଳେ ଧାନ, ପନିପରିବା ଓ ପାନଚାଷୀଙ୍କର ପ୍ରାୟ ୧୦୦ କୋଟି ଟଙ୍କା ପ୍ରାୟ କ୍ଷତି ହୋଇଥିବା ରାଜ୍ୟ କଂଗ୍ରେସ ଟାସ୍କଫୋର୍ସ କମିଟି ଆକଳନ କରିଛି । କ୍ଷତିଗ୍ରସ୍ତ ଚିଙ୍ଗୁଡି ଚାଷୀ, ପାନଚାଷୀ, ପନିପରିବା ଚାଷୀ, ଧାନଚାଷୀଙ୍କ ଲାଗି ରାଜ୍ୟ ସରକାର ଅବିଳମ୍ବେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଜୀବନର ସୁରକ୍ଷା ଲାଗି ଲୋକେ ନିଜେ ନିଜେ ବାତ୍ୟା ଆଶ୍ରୟସ୍ଥଳୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୋଠଘରେ ଆଶ୍ରୟ ନେଇଥିବା ବେଳେ ସରକାର କିପରି ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ମିଥ୍ୟା ଡିଣ୍ଡିମ ପିଟି ଓ ଏ ବାବଦରେ ଅର୍ଥ ହଡ଼ପ କରିବାର ଅପୂର୍ବ ସୁଯୋଗରେ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଲିପ୍ତ ରହିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମାଝି ଦର୍ଶାଇଛନ୍ତି ।

୧୨୮ଟି ଗ୍ରାମ ପାଣି ଘେରରେ ରହିଥିବାର ସରକାର ତଥ୍ୟ ଦର୍ଶାଇଥିବା ବେଳେ ଉକ୍ତ ଅଂଚଳରେ ଲୋକମାନେ ପାନୀୟ ଜଳ, ଶୁଖିଲା ଖାଦ୍ୟ, ପଲିଥିନ, ରନ୍ଧାଖାଦ୍ୟ ଓ ବିଦ୍ୟୁତ ସେବା ପାଇବାରେ ବହୁ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ୭ଦିନର ରିଲଫ ଘୋଷଣାକୁ ଅନ୍ୟୁନ ୧୫ ଦିନ ଲାଗି ବୃଦ୍ଧି କରିବାକୁ ମାଝୀ ଦୃଢ଼ ଦାବୀ କରିଛନ୍ତି ।

୬ଲକ୍ଷ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଶ୍ରୟ ନେବା ଘଟଣାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାୟୀ ବାସଗୃହ ଯୋଗାଇବାରେ କେତେ ସକ୍ଷମ ଏହା ସ୍ପଷ୍ଟ ଅନୁମେୟ କରାଯାଇପାରେ ? କଂଗ୍ରେସ ସରକାର ଅମଳରେ ସୃଷ୍ଟ ହେନ୍ତାଳ ବନକୁ ସୁରକ୍ଷିତ ରଖିବାରେ ଓ ନୂତନ ହେନ୍ତାଳ ବନ ସୃଷ୍ଟି କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଭୋଗରାଇର ଉଦୟପୁର ଠାରୁ ଦହମୁଣ୍ଡା, କିର୍ତନିଆ ଠାରୁ ଭୁଷଣ୍ଡେଶ୍ୱରର ଗଣ୍ଡାମୁହଁ (କୁମ୍ଭୀରଗଡ଼ି), ବାଲିଆପାଳର କଙ୍କଡାପାଳଠାରୁ ଚଉମୁଖ ପର୍ଯ୍ୟନ୍ତ, ବାହାନଗା ବ୍ଲକ ତାଳପଦା ମୁହାଣରୁ ଖରାସାହାପୁର, ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ମାଝୀ ଛକରୁ ବାହାବଳପୁର ମୁହାଣ ପର୍ଯ୍ୟନ୍ତ ଉନ୍ନତ ମାନର ପଥର ବନ୍ଧ ନିର୍ମାଣ କରିବାକୁ କଂଗ୍ରେସ ଦଳ ଦୃଢ଼ ଦାବୀ ଉପସ୍ଥାପନ କରୁଅଛି । ସରକାର ଅବିଳମ୍ବେ ଉକ୍ତ ଅଂଚଳରେ ବୈଷୟିକ କମିଟି ପଠାଇ ଏହାର ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭାବେ ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ପିସିସି କାର୍ଯ୍ୟକାରୀ ସଭାପତି ମାଝୀ ଦୃଢ଼ ଦାବୀ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ: ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:

୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।

କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ

୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ

୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।

୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଶବକୁ ଘରେ ଛାଡ଼ି ପରିବାର ଲୋକେ ଫେରାର୍

ଭଦ୍ରକ: ବିବାହର ୩ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ଏସମ୍ପର୍କରେ ମୃତକଙ୍କ ଭାଇ ଏହି ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ କାଶିମପୁର ଗ୍ରାମର ପ୍ରମୋଦ ନାୟକଙ୍କ ପୁତ୍ର ନିହାର କୁମାର ନାୟକ ଭଦ୍ରକ  ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ ମସିହା ଜୁନ ମାସ ୭ତାରିଖ ଭଦ୍ରକ ବ୍ଳକ ରାହାଞ୍ଜ ଜହ୍ନିଆ ଗ୍ରାମର ବିଦ୍ୟାଧର ନାୟକଙ୍କ ସହିତ ତାଙ୍କ ସାନ ଭଉଣୀ ନିହାରିକାଙ୍କ ସହ ବୈଦିକ ରିତୀରେ ବିବାହ ସ୍ଥାନୀୟ ଭାଗବତ କଲ୍ୟାଣମଣ୍ଡପରେ ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବରଘରର ଦାବି ମୁତାବକ ନଗଦ ୨ଲକ୍ଷ ୫୦ ହଜାର ଟଙ୍କା, ୧୦ ଭରି ସୁନା, ୨୦ ଭରି ରୂପା ଅଳଙ୍କାର ସହ ଗଡରେଜ ଆଲମିରା, ଫ୍ରିଜ, ଟିଭି ସମେତ ସମସ୍ତ ଆସବାବପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ବିବାହର ୬ମାସ ପରେ ଅଧିକ ୧ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୂ ଜୟନ୍ତୀ ନାୟକ ଓ ମଉସା ଶ୍ୱଶୂର କମ୍ବୁ ତାଙ୍କୁ ନିୟମିତ ଭାବେ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।

ତେବେ ତାଙ୍କ ଭଉଣୀ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଓ ଯୌତୁକ ପାଇଁ ନିୟମିତ ନିର୍ଯ୍ୟାତନା ଦିଆଯାଉଥିବା ଏପରିକି ତା’ ଜୀବନ ବିପଦାପନ୍ନ ବୋଲି ସେ ପୂର୍ବରୁ ବାପାଙ୍କୁ ଜଣାଇ ଆସୁଥିଲେ ବୋଲି ଶ୍ରୀ ନାୟକ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ତାଙ୍କ ଭଉଣୀ ନିହାରିକାଙ୍କ ମୃତଦେହ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିବା ଖବର ପାଇ ସେ ସେଠାରେ ପହଞ୍ଚିଥିଲେ।

ତେବେ ଉକ୍ତ ଗ୍ରାମର ଯେଉଁ ବ୍ୟକ୍ତି ମୃତ ଦେହ ଧରି ଜିଲ୍ଲା ଚିକିତ୍ସାଳୟକୁ ଆସିଥିଲେ, ତାଙ୍କୁ ପଚରାଉଚୁରା କରିବାରୁ, ନିହାରିକାଙ୍କ ଶ୍ୱଶୁର ଘରେ କେହି ନଥିବା ଓ ସ୍ୱାମୀ ସମେତ ଶାଶୂ ଓ ମଉସା ଫେରାର ଥିବା ସେ କହିଥିଲେ। ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକାଙ୍କ ପଞ୍ଚନାମା କରିବା ସହ ଶବକୁ ମେଡିକାଲକୁ ଆଣିଥିବା ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ୨୬୫ ଗ୍ରାମର ବ୍ରାଉନ୍‌ସୁଗାର ଜବତ: ୩ କୋର୍ଟ ଚାଲାଣ

ଭଦ୍ରକ: ଭଦ୍ରକରେ ଧଳା ଜହର (ବ୍ରାଉନସୁଗାର) ଏବେ ସହରରୁ ଧୀରେ ଧୀରେ ଗ୍ରାମା ମୁହାଁ ହୋଇଛି। କାହିଁକି ନା ଗ୍ରାମାଞ୍ଚଳରେ ଥିବା ବହୁ ବେକାର ଯୁବକ ଏବେ ଖୁବ୍ କମ୍ ପରିଶ୍ରମରେ ବିନା ପୁଂଜି ଖଟାଇ ଏହି ନିଶା କାରବାରକୁ ବିପୁଳ ଅର୍ଥାଗମର ମାଧ୍ୟମ କରିଛନ୍ତି। ଯାହାର ପ୍ରମାଣ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍‌ର ମିଳିତ ଚଢାଉରୁ ପ୍ରମାଣିତ ହୋଇଛି।

କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ତିହିଡି ଅଂଚଳରୁ ଜଣେ ଯୁବକକୁ ୨୩ ଲକ୍ଷ ଟଙ୍କାର ୨୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବାର ଦୁଇଦିନ ନଯାଉଣୁ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୨୦ ରେ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକରୁ ଏକ ସ୍କୁଟିରେ ଧୁଷୁରୀ ଆସୁଥିବା ୩ ଜଣ ଯୁବକଙ୍କୁ ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ସହ ଅସୁରାଳି ଇଲେକ୍ଟ୍ରି ଷ୍ଟ୍ରକଚର ନିକଟରେ ଗିରଫ କରିଛନ୍ତି।

ଏହି ତିନିଜଣଙ୍କ ମଧ୍ୟରୁ ଧୁଷୁରୀ ଥାନା ଖପରପଦା ଗ୍ରାମନିବାସୀ କୈଳାସ ଚନ୍ଦ୍ର ସାହୁଙ୍କ ପୁତ୍ର ମଣି ଓରଫ ମଣିଭଦ୍ର (୪୬) ଠାରୁ ଏକ ପଲିଥିନରେ ଥିବା ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ଉଦ୍ଧାର ହୋଇଥିଲା। ମଣିଭଦ୍ର ସହ ଥିବା ଅନ୍ୟ ଦୁଇଜଣ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନାର  ଜଗା ଓରଫ ନିରାକାର (୩୪) ଏବଂ ବାବୁଲି ଓରଫ ତ୍ରିଲୋଚନ (୪୨)।

ଏହି ତିନିଜଣଙ୍କ ଠାରୁ ପୁଲିସ୍ ଏକ କଳା ପଲିଥିନରେ ଥିବା ବ୍ରାଉନସୁଗାର ସହ ୧୨ ଟି ମୋବାଇଲ୍‌, ନଗଦ ୩୧ ହଜାର ୮ ଶହ ଟଙ୍କା, ୨୪୭ଟି କଟିଂ ପେପର, ୫୦ଟି ରବର ବ୍ୟାଣ୍ଡ, ତିନୋଟି କଇଁଚି, ଗୋଟିଏ ବ୍ଲେଡ୍ ସହ ସେମାନେ ବ୍ୟବହାର କରୁଥିବା ଓଡି-୨୨ଆର-୬୨୫୩ ନମ୍ବରର ସ୍କୁଟିଟିକୁ ଜବତ କରିଛନ୍ତି।

ଏହି ଚଢାଉରେ ଭଦ୍ରକ ଜିଲ୍ଲା ପୁଲିସ୍ ପ୍ରଶାସନର କେତେକ ଅଧିକାରୀଙ୍କ ସମେତ ଧୁଷୁରୀ ଥାନାଧିକାରୀ ପି.କେ. ସିଂ ସାମିଲ ଥିଲେ। ଏଡି ଘଟଣା ସଂପର୍କରେ  ସହରାଞ୍ଚଳ ଥାନାରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଧୁଷୁରୀ ଥାନା କେଶ୍ ନଂ ୩୭/୨୧, ଦଫା ୨୧ (ଗ) / ୨୯ ଏନ୍‌ଡିପିଏସ୍ ଆକ୍ଟର ମୂଳେ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ହୋଇଛି ।

ବାଲେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 47 ଓ 62 ବର୍ଷ । ସେହିପରି ଢେଙ୍କାନାଳରେ ତିନି ମୃତକଙ୍କ ବୟସ ଯଥାକ୍ରମେ 36, 65, 61 ବର୍ଷ । ଖୋର୍ଦ୍ଧାରଦୁଇ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀ୍ର ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 85 ବର୍ଷୀୟ ପୁରୁଷ । ଜଗତସିଂହପୁରରୁ ଦୁଇ ମୃତକଙ୍କ ମଧ୍ୟରେ ଜଣେ 62 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 49 ବର୍ଷୀୟ ପୁରୁଷ ।

ସେହିପରି ଭଦ୍ରକରୁ 56 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 54 ବର୍ଷୀୟ ପୁରୁଷ, ଯାଜପୁରରୁ 57 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 56 ବର୍ଷୀୟ ପୁରୁଷ ଓ ନୟାଗଡରୁ 53 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଚାଲିଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ରାଜ୍ୟରେ 6ଟି ସ୍ବତନ୍ତ୍ର ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି । ଭୁବନେଶ୍ବରରୁ 5ଟି ସ୍ଥାନକୁ ଚାଲୁଛି ଏହି ସ୍ବତନ୍ତ୍ର ଟ୍ରେନ୍‌ । ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲା ଆଦି ପାଞ୍ଚୋଟି ସ୍ଥାନକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ତେବେ ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍‌ ମଧ୍ୟରେ ଚାଲୁଛି ଅନ୍ୟ ସ୍ବତନ୍ତ୍ର ଟ୍ରେନ୍‌ ।

ସକାଳ 6ଟାରେ ସମ୍ବଲପୁରରୁ ଖୋର୍ଦ୍ଧା  ଅଭିମୁଖେ ବାହାରିଛି ଏହି ଟ୍ରେନ୍‌ଟି । ସେହିପରି ରାଉରକେଲାରୁ ସକାଳ 5ଟା 10ରେ ଭୁବନେଶ୍ବର ପାଇଁ ଟ୍ରେନ୍‌ ଛାଡିଛି । ଭୁବନେଶ୍ବରରୁ ଭଦ୍ରକ ପାଇଁ ସନ୍ଧ୍ୟା 6ଟାରେ ଟ୍ରେନ୍‌ ଛାଡିବ । ବ୍ରହ୍ମପୁର ପାଇଁ 5ଟା 30ରେ ଭୁବନେଶ୍ବର ଛାଡିବ । ଟ୍ରେନ୍‌ଗୁଡିକ ଶନିବାର ଓ ରବିବାରକୁ ଛାଡି ଅନ୍ୟ 5 ଦିନଚାଲିବ ବୋଲି ସୂଚନା ରହିଛି । କୋରାପୁଟ ଯିବାକୁ ଥିବା ଟ୍ରେନ୍‌ ସନ୍ଧ୍ୟା 6ଟା 30ରେ ଭୁବନେଶ୍ବର ଛାଡିବ । ଭୁବେନଶ୍ବର କୋରାପୁଟ ଟ୍ରେନ୍‌ ସପ୍ତାହକୁ ତିନି ଦିନ ଚାଲିବ । ସେହିପରି ରିଜର୍ଭେସନ୍‌ କାଉଣ୍ଟର ଓ ଆଇଆରଟିସି ଓ୍ବେବସାଇଟ୍‌ରୁ ଟିକେଟ ମିଳିବ ବୋଲି ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଗଲା

ଭଦ୍ରକ : ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ଆମ୍ବ ତୋଳିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଜଙ୍ଗଲୀ ହାତୀ ଅଚାନକ ଆସି ଆକ୍ରମଣ କରିଥିଲା । ସମ୍ପୃକ୍ତ ଅଞ୍ଚଳକୁ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଛନ୍ତି ।

ସୂଚନାଯୋଗ୍ୟ,  ଗତକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଂଚଳରେ ହାତୀ ଜଣେ ମହିଳାଙ୍କର ଜୀବନ ନେଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଛନ୍ତି । ହାତୀପଲ ଘରେ ପଶି ଧାନ ଓ ଚାଉଳ ଖାଇବା ସହ ଅନ୍ୟାନ୍ୟ ଜିନିଷ ନଷ୍ଟ କରିଛନ୍ତି । କୋଇଡା ରେଞ୍ଜ ଅନ୍ତର୍ଗତ ବଣୁଆ ନିକଟ ଗିରେଇ ଗାଁରେ ହାତୀମାନେ ଏଭଳି ଉତ୍ପାତ କରିଛନ୍ତି । ରାଜ୍ୟରେ ହାତୀ ଉପଦ୍ରମ କମ ହେଉନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ଜିଲ୍ଲା ପ୍ରଶାସନ

ଭଦ୍ରକ : ଆଜି ରାଜ୍ୟରେ 103 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଭଦ୍ରକରୁ ଚିହ୍ନଟ ହୋଇଥିବା 8 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ  ଚାରି ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଥିବାବେଳେ ଗୁଜୁରାଟ ଫେରନ୍ତା ଦୁଇଜଣ, ତେଲେଙ୍ଗାନା ଓ ଆନ୍ଧ୍ରରୁ ଜଣେ ଲେଖାଏଁ ଫେରିଥିବାର ସୂଚନା ରହିଛି । ସମସ୍ତଙ୍କଠାରେ ଲକ୍ଷଣ ଥିଲା, ସମେସ୍ତ  ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଦିନ 2.50ରେ ଭୁବନେଶ୍ବରରେ ପହଞ୍ଚିବେ

ଭୁବନେଶ୍ବର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟା ଆମ୍ଫାନ୍‌ ଦ୍ବାରା ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ ମୋଦି । ପ୍ରଥମେ କୋଲକାତାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଏହା ପରେ ଓଡ଼ିଶା ଆସିବେ ମୋଦି । କୋଲକାତା ଏୟାରପୋର୍ଟରୁ ଅପରାହ୍ନ 1ଟା 45ରେ ବାହାରିବେ।  ଦିନ 2ଟା 50ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2ଟା 55ରୁ ଏମ୍‌ଆଇ 17 ହେଲିକପ୍ଟରରେ ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ଚାରୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ପରିଦର୍ଶନ ସାରି 4.55ରେ ଭୁବନେଶ୍ବର ଫେରିବେ । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପରେ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ ବିପନ୍ନଙ୍କ ଥଇଥାନ ନେଇ ସମୀକ୍ଷା ବୈଠକ କରିବେ ମୋଦି। ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଏହି ସମୀକ୍ଷା ବୈଠକରେ ଯୋଗ ଦେବେ । ସମୀକ୍ଷା ବୈଠକ ସାରି ସନ୍ଧ୍ୟା 6ଟା 15ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଦୁଇ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 102 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବାବେଳେ 30 ଜଣ ସୁସ୍ଥ ହୋଇ ରାଜ୍ୟ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଆଜି ରାଜ୍ୟରେ  30 ଜଣ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସୁସ୍ଥ ହୋଇଥିବା 30 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 20 ଜଣ  ରହିଥିବାବେଳେ କେନ୍ଦ୍ରାପଡାରୁ ପାଞ୍ଚଜଣ, ନୟାଗଡରୁ ଜଣେ  ଏବଂ ବାଲେଶ୍ବର ଓ ଭଦ୍ରକରୁ ଦୁଇ ଜଣ ଲେଖାଏଁ ରହିଛନ୍ତି ।  ସୂଚନାଯୋଗ୍ୟ ଗଞ୍ଜାମରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 300 ଟପିଥିବାବେଳେ ଗତ 24 ଘଣ୍ଟାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନଥିବାସ୍ଥଳେ ଆଜି 20 ଜଣ ସୁସ୍ଥ ହୋଇ ଜିଲ୍ଲା ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛି । ଏବେ ରାଜ୍ୟର ମୋଟ ସୁସ୍ଥଙ୍କ ସଂଖ୍ୟା 303କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978 ଜଣ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 8 କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର :  ଆଜି ରାଜ୍ୟରେ ଆଉ 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ଚାରି ଜଣ, ଭଦ୍ରକରୁ ଦୁଇ ଜଣ ଓ ବାଲେଶ୍ବର ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ 8 ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା 166ରେ ପହଞ୍ଚିଛି।

ସୂଚନାଯୋଗ୍ୟ ରାଜ୍ୟରେ ଏ ଯାବତ୍‌ 672 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 166। ଆଜି ରାଜ୍ୟରେ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ ଭଦ୍ରକରୁ 6 ଜଣ, ନୟାଗଡରୁ ତିନି,ଯାଜପୁରରୁ ଦୁଇ, କଟକ, ସୁନ୍ଦରଗଡ, ଦେବଗଡରୁ ଜଣେ ଲେଖାଏଁ ରହିଛନ୍ତି।

ତେବେ ଆଜି 8 ଜଣ ସୁସ୍ଥ ହେବା ପରେ ଯାଜପୁରରେ ଏବେ ସୁସ୍ଥଙ୍କ ସଂଖ୍ୟା 52ରେ ପହଞ୍ଚିଥିବାବେଳେ ଭଦ୍ରକରେ ସୁସ୍ଥଙ୍କ ସଂଖ୍ୟା 21ରେ ପହଞ୍ଚିଛି। ସେହିପରି ବାଲେଶ୍ବରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 21 ଓ କେନ୍ଦୁଝରରେ 2 ଜଣ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

ଭୁବନେଶ୍ବର :  ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‌। ଆଜି ରାଜ୍ୟରେ 73 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 611କୁ ବୃଦ୍ଧି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 42 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୩ ଆକ୍ରାନ୍ତ, ଯାଜପୁର ଜିଲ୍ଲାରେ ପୁଣି ୧୭ ଜଣ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଭଦ୍ରକରୁ ୯ ଜଣ ଓ ସୁନ୍ଦରଗଡ଼ରୁ ଆଜି ପୁଣି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନ୍ତି ।

ରାଜ୍ୟର ମୋଟ୍‌ 21ଟି ଜିଲ୍ଲାକୁ କରୋନା ବ୍ୟାପିଥିବାବେଳେ ଆସନ୍ତୁ ନଜର ପକାଇବା ଜିଲ୍ଲାର ଆକ୍ରାନ୍ତଙ୍କ ଉପରେ :-

  • ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା  53କୁ ବୃଦ୍ଧି ହୋଇଥିବାବେଳେ 45 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 6ଟି ମାମଲା ଆକ୍ଟିଭ୍‌ ରହିଥିବାବେଳେ ଦୁଇଜଣକର ମୃତ୍ୟୁ ଘଟିଛି ।
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 252 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ 249ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି।
  • ବାଲେଶ୍ବର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ 90 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 20 ଜଣ ସୁସ୍ଥ ହୋଇଛନ୍ତି। 70 ଜଣ ଏବେ ଆକ୍ଟିଭ୍‌ ରହିଛନ୍ତି।
  • ଯାଜପୁରରେ ସର୍ବମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 88 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 33 ଜଣ। ଏବେ ଜିଲ୍ଲାରେ ଆଉ 55ଟି ଆକ୍ଟିଭ୍‌ କେସ୍‌ ରହିଛି।
  • ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଞ୍ଚିଥିବାବେଳେ ଏଠାରେ 19 ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ 21ଟି ଆକ୍ଟିଭ୍‌ କେସ୍‌ ରହିଛି।
  • ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 25ରେ ପହଞ୍ଚିଥିବାବେଳେ 12 ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ଆକ୍ଟିଭ୍‌ କେସ ରହିଛି 13ଟି।
  • ଅନୁଗୁଳରେ 15ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 12 ଜଣ ସୁସ୍ଥ ହୋଇଛନ୍ତି । ଏବେ 13ଟି ଆକ୍ଟିଭ୍‌ କେସ ରହିଛି।
  • କେନ୍ଦ୍ରାପଡାରୁ 9ଜଣ ଆକ୍ରାନ୍ତ ରହିଥିବାବେଳେ 2 ଜଣ ସୁସ୍ଥ ହୋଇଛନ୍ତି। ଆଉ 7 ଟି ଆକ୍ଟିଭ କେସ ରହିଛି ।
  • ମୟୂରଭଞ୍ଜରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି । ସେହିପରି ଜଗତସିଂପୁରରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ କେହି ସୁସ୍ଥ ହୋଇନାହାନ୍ତି ।
  • ବୌଦ୍ଧରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେହି ସୁସ୍ଥ ହୋଇନାହାନ୍ତି । କେଉଁଝର, ପୁରୀରୁ ମଧ୍ୟ ଚାରି ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହି ଦୁଇ ଜିଲ୍ଲାରେ ଏବେ 3ଟି ଲେଖାଏଁ ଆକ୍ଟିଭ୍‌ କେସ୍‌ ରହିଛି ।
  • କଟକରୁ ତିନି ଜଣ ଚିହ୍ନଟ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । କଟକରେ ଏବେ 2 ଟି ଆକ୍ଟିଭ କେସ ରହିଛି ।
  • ବଲାଙ୍ଗିର, ଝାରସୁଗୁଡା, କଳାହାଣ୍ଡିରୁ 2ଟି ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥଳେ ଝାରସୁଗୁଡା ଓ କଳାହାଣ୍ଡିର ଚାରି ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେବଳ ବଲାଙ୍ଗିରରେ କେହି ସୁସ୍ଥ ହୋଇନାହାନ୍ତି ।
  • ସେହିପରି ଦେବଗଡ, ଢେଙ୍କାନାଳ, କୋରାପୁଟ, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ କେବଳ ନୟାଗଡ ଆକ୍ରାନ୍ତଙ୍କୁ ଛାଡି ଅନ୍ୟ ତିନୋଟି ଜିଲ୍ଲାର ଆକ୍ରାନ୍ତ ମାନେ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 611 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 143 ଜଣ । ସେହିପରି ଏବେ ରାଜ୍ୟରେ 465ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି ।