ଭବାନୀପାଟଣା: ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍ଓ ସୂଚନା ଦେଇଛନ୍ତି। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ତେଲେଙ୍ଗାନାରୁ ଫେରିଥିବା ଜଣେ ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ 7ଦିନ କ୍ୱାରେଣ୍ଟିନ୍ରେ ରହିବା ପରେ ଘରେ ଆଉ 7ଦିନ ହୋମ୍ କ୍ୱାରେଣ୍ଟିନ୍ରେ ରହିଥିଲେ। ହୋମ୍ କ୍ୱାରେଣ୍ଟିନ୍ରେ ଥିବା ସମୟରେ ପ୍ରବାସୀ ଜଣକ ପ୍ରୋଟୋକଲ୍ ଭାଙ୍ଗି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ। ସେଠାରେ ଦୁଇ ମହିଳା ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କରୋନା ଟେଷ୍ଟ୍ କରାଯିବା ପରେ ସମ୍ପୃକ୍ତ ପ୍ରବାସୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କର ଚିକତ୍ସା କରିଥିବା ଦୁଇ ମହିଳା ଡାକ୍ତରଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଦୁଇ ଡାକ୍ତରଙ୍କୁ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଅପରପକ୍ଷେ, ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜ୍ କରାଯିବା ସହ ଏହାକୁ ଅସ୍ଥାୟୀ ଭାବେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି।