Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ମଧ୍ୟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ରାଜନେତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୯୮ତମ ଜନ୍ମବାର୍ଷିକୀ ଅବସରରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଗତକାଲି ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ ଏମ୍ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

ଏନେଇ ଗତକାଲି ଏମ୍ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍ସ ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଶ୍ରୀ ବାଜପେୟୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଶ୍ରୀ ବାଜପେୟୀଙ୍କ ମହାନ ଜୀବନୀ ବାବଦରେ ମତ ରଖିବା ସହିତ ସଚେତନତା, ପ୍ରତିବଦ୍ଧତା, କର୍ତ୍ତବ୍ୟବୋଧତା, ସ୍ବଚ୍ଛତା ଏବଂ ସାଧୁତା ହିଁ ସୁଶାସନ ଦିବସ ପାଳନର ମୌଳିକ ଆଧାର ବୋଲି ଗୁରୁତ୍ୱାରୋପ କରିଥିଲେ।

ଅତିରିକ୍ତ ପ୍ରଫେସର (ଆନାଟୋମି) ଡ. ପ୍ରଭାସ ରଂଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିନ ଡ. ପି ଆର୍ ମହାପାତ୍ର, ମେଡିକାଲ୍ ଅଧିକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ, କୁଳସଚିବ ବି ବି ମିଶ୍ର ପ୍ରମୁଖଙ୍କ ସମେତ ଅତିଥି, ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ସମାଜର ବିଭିନ୍ନ ବର୍ଗରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍ସ ଭୁବନେଶ୍ବର ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଥିବା ମତପ୍ରକାଶ ପାଇଥିଲା। ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହା ଦେଶର ଦ୍ୱିତୀୟ ଏବଂ ଏକମାତ୍ର ଏମ୍ସ ଯାହାର ଭିତ୍ତିପ୍ରସ୍ଥର ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଉଲ୍ଲେଖଯୋଗ୍ୟଯେ ଏମ୍ସ ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହେବା ସହିତ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି।

Categories
ଆଞ୍ଚଳିକ

ଭାରତରତ୍ନ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ବର: ସାମାଜିକ ନ୍ୟାୟ, ସାମ୍ୟବାଦ ପ୍ରତିଷ୍ଠା, ସମତାଭିତ୍ତିକ ସମାଜ ଗଠନରେ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ ଥିଲା। ତାଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ଆଜି କୋଟି କୋଟି ଭାରତୀୟଙ୍କ ଜୀବନଧାରାରେ ମାର୍ଗଦର୍ଶିକା ହୋଇଛି। ଛାତ୍ରଛାତ୍ରୀମାନେ ତାଙ୍କ ସମ୍ପର୍କରେ ଅଧିକରୁ ଅଧିକ ପୁସ୍ତକ ପଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଜି ଅପରାହ୍ଣରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଇ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି।

କାର‌୍ୟ୍ୟକ୍ରମକୁ ରାଜ୍ୟ ଜଳ ସଂପଦ ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଉଦ୍ ଘାଟନ କରି ସାମାଜିକନ୍ୟାୟ, ସାମ୍ୟବାଦ ପ୍ରତିଷ୍ଠା, ସମତାଭିତ୍ତିକ ସମାଜ ଗଠନରେ ଆମ୍ବେଦକରଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ କୁସଂସ୍କାରମୁକ୍ତ ସମାଜ ଗଠନର ସଂକଳ୍ପନେଇ ଭାରତ ବର୍ଷରେ ନୂଆ ଯୁଗର ନାଗରିକ ହୋଇ ଆଗକୁ ବଢିବାକୁ ସେ ଆହ୍ୱାନ ଦେଇଥିଲେ। କାର‌୍ୟ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ କହିଥିଲେ ଯେ, ଡଃ ବାବା ସାହେବ ଆମ୍ବେଦକର ନିଜର ସାଧନା ଓ ନିଷ୍ଠା ବଳରେ କେବଳ ଭାରତରେ ନୁହେଁ, ବିଦେଶରେ ଆମ ଦେଶର ଗୌରବକୁ ପ୍ରତିଷ୍ଠିତ କରିପାରିଥିଲେ।

ଦେଶ ସ୍ୱାଧୀନ ହେବା ପରେ ଭାରତର ସମ୍ବିଧାନ ପ୍ରଣୟନଠାରୁ ଆରମ୍ଭ କରି ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ତାଙ୍କର କାର‌୍ୟ୍ୟାବଳୀ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ। ସେ ଥିଲେ ଗଣତନ୍ତ୍ର ଓ ସମାଜ ବାଦର ଜଣେ ଦୃଢ ପ୍ରବକ୍ତା ଓ ବହୁମୁଖୀ ପ୍ରତିଭାର ଅଧିକାରୀ। ଜାତିପ୍ରଥା ଭଳି ମାରାତ୍ମକ ସାମାଜିକ ବ୍ୟାଧିରୁ ମୁକ୍ତ ହୋଇ ଏକ ସୁସ୍ଥ ସମାଜ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଲୋଚକ ପ୍ରାଧ୍ୟାପକ ଧନେଶ୍ୱର ସାହୁ ଡଃ ଆମ୍ବେଦକରଙ୍କ ଛାତ୍ର ଜୀବନ, ତାଙ୍କ ଜୀବନର ବହୁ ନିର୍ଣ୍ଣାୟକ ତଥ୍ୟ ଉପରେ ଆଲୋକପାତ କରିବା ସହିତ ସାମାଜିକ କୁସଂସ୍କାରର ବିଲୋପ, ମାନବିକତାମୂଲ୍ୟବୋଧରେ ଉନ୍ନତି ଓ ବୁଦ୍ଧିଦୀପ୍ତ ସମାଜ ଗଠନରେ ବାବା ସାହେବଙ୍କ ଆଦର୍ଶ ଓ ଆହ୍ୱାନ ସର୍ବଦା ଅନୁକରଣୀୟ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସମ୍ପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଉଦ୍ଦୀପନା ଆଣିବାକୁ ହେଲେ ବାବା ସାହେବ ଆମ୍ବେଦକରଙ୍କ ରାସ୍ତାକୁ ଆପଣେଇବା ଆବଶ୍ୟକ ବୋଲି କହିଥିଲେ । ସୂଚନା ଓ ଲୋକ ସଂପର୍କ ବଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ସଚ୍ଚିଦାନନ୍ଦ ବେହେରା ଜୟନ୍ତୀ ଉତ୍ସବର ସଂଯୋଜନା କରିଥିଲେ।

ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ବିଭିନ୍ନ ବିଦ୍ୟାଳୟର ସାଂସ୍କୃତିକ ଦଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍-୮, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ୟୁନିଟ-୪, ଡିଏଭି ପବ୍ଲିକ ସ୍କୁଲ,କଳିଙ୍ଗ ନଗର, କ୍ୟାପିଟାଲ ହାଇସ୍କୁଲ-ୟୁନିଟ୍-୩, ସେଣ୍ଟ ଜୋସେଫ ହାଇସ୍କୁଲ, ୟନିଟ୍-୩, ବିଜେବି ଇଂରାଜୀ ମାଧ୍ୟମ ସ୍କୁଲ, ବିଜେବି ନଗରର ସାଂସ୍କୃତିକ କାର‌୍ୟ୍ୟକ୍ରମ ଦଳ ଏଠାରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜି ସକାଳେବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏଜି ଛକସ୍ଥିତ ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।