Categories
ଆଜିର ଖବର ଜାତୀୟ ଖବର

ତୃତୀୟ ଅଡିଟ ଦିବସ ସମାରୋହରେ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଠାରେ ଅଡିଟ ଦିବସ ସମାରୋହରେ ଯୋଗଦେଇ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ନିୟନ୍ତ୍ରକ ଓ ହିସାବ ସମୀକ୍ଷା ମହାନିର୍ଦେଶକଙ୍କ ଅଧୀନରେ ଭାରତ ସରକାରଙ୍କ ସମୀକ୍ଷା ଗୋଷ୍ଠୀ ଦେଶର ସଂହତି, ପ୍ରଶାସନ ଓ ପଦ୍ଧତିଗତ ନିର୍ମାଣରେ ଅଭୂତପୂର୍ବ ଅବଦାନ ଦେଇଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ୨୦୪୭ ସୁଦ୍ଧା ଭାରତବାସୀ ଦେଶକୁ ବିକଶିତ କରି ଗଢ଼ିତୋଳିବା ନିମନ୍ତେ ଦ୍ରୁତ ଗତିରେ ଆଗେଇଛନ୍ତି। ଦେଶର ଲେଖା ମହାନିୟନ୍ତ୍ରକଙ୍କ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକଙ୍କୁ ମଧ୍ୟ ଏଥିପାଇଁ ଅବଦାନ ଦେବାକୁ ପଡ଼ିବ। ଲେଖା ଓ ହିସାବ ମହାନିୟନ୍ତ୍ରକ ଅନେକ ଆଗୁଆ ପଦକ୍ଷେପ ଯଥା କେନ୍ଦ୍ର ତଥା ପରିଚାଳନା ଓ ବିଶ୍ଳେଷଣ ଇତ୍ୟାଦି ନେଇଥିବା ତଥା ଭବିଷ୍ୟତକୁ ଆଖି ଆଗରେ ରଖି ପଦକ୍ଷେପ ନେଉଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ।

ଦେଶର ଲେଖା ଓ ହିସାବ ମହାନିୟନ୍ତ୍ରକଙ୍କ ପୂରା ଗୋଷ୍ଠୀ ନିୟନ୍ତ୍ରକ ଓ ପରୀକ୍ଷକ ଭାବେ ଦେଶର ବିକାଶ ଯାତ୍ରାରେ ନିଜର ଅବଦାନ ରଖିବା ଆଶା କରାଯାଏ। ବିଶ୍ୱରେ ଭାରତକୁ ତୃତୀୟ ବୃହତ୍ତମ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ହିସାବ ଓ ଲେଖା ମହାନିୟନ୍ତ୍ରକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଆଜିର ବୈଶ୍ୱିକ ପ୍ରତିଯୋଗିତା ଯୁଗରେ ବଜାର ପଦ୍ଧତି ଯେଉଁ ପ୍ରକାର ହୋଇଛି ତା’ର ପ୍ରଭାବ ସମସ୍ତ ପ୍ରତିଷ୍ଠାନ ଓ ଉଦ୍ୟୋଗ ଉପରେ ପଡୁଛି । ଦେଶର କାର୍ଯ୍ୟକଳାପ ଓ ସମସ୍ତ ପ୍ରତିଷ୍ଠାନ କ୍ଷେତ୍ରରେ ନୈତିକତା ଆଧାରରେ ପ୍ରତିପାଦନ ସାମର୍ଥ୍ୟ ରହିବା ଆବଶ୍ୟକ । ଦ୍ରୁତ ଅଭିବୃଦ୍ଧି ଓ ବିକାଶର ଜାତୀୟ ଲକ୍ଷ୍ୟ ହାସଲ ନିମନ୍ତେ ଥିବା ବାଧାବିଘ୍ନଗୁଡ଼ିକୁ ହଟାଇବାକୁ ହେଲେ ମଧ୍ୟ ତାହା ଆର୍ଥିକ ଶୃଙ୍ଖଳା ଓ ଆଇନ ଅନୁମୋଦିତ ପଦ୍ଧତି ଜରିଆରେ ଲେଖା ଓ ସମୀକ୍ଷା ମହାନିୟନ୍ତ୍ରକଙ୍କ ସମେତ ପ୍ରତ୍ୟେକ ପ୍ରତିଷ୍ଠାନ କରିବା ଉଚିତ । ହିସାବ ସମୀକ୍ଷକମାନେ ଉତ୍ତମ ପ୍ରଶାସନର ମଙ୍ଗୁଆଳ ସାଜିବା ଉପରେ ସେ ଗୁରୁତ୍ୱଆରୋପ କରିବା ସହ ସେମାନେ କେବଳ ସମାଲୋଚକ ହେବା ମଧ୍ୟ ଅନୁଚିତ ବୋଲି କହିଥିଲେ । ସେମାନଙ୍କ ଯାଞ୍ଚ ଆମକୁ ସଠିକ ପଥ ଅନୁସରଣ କରିବାକୁ ପ୍ରେରିତ କରୁଥିବାରୁ ସେମାନଙ୍କୁ ପଥପ୍ରଦର୍ଶକ ହିସାବରେ ବିବେଚନା କରିବା ଦରକାର ବୋଲି ସେ କହିଥିଲେ ।

ଭାରତ ବିଶ୍ୱ ଦରବାରରେ ଅଗ୍ରଣୀ ସ୍ଥାନରେ ରହିଥିବା ହିସାବ ସମୀକ୍ଷା କ୍ଷେତ୍ରରେ ମଧ୍ୟ ବେଶ ଦୃଶ୍ୟମାନ। ସର୍ବୋଚ୍ଚ ହିସାବ ସମୀକ୍ଷା ପ୍ରତିଷ୍ଠାନ-୨୦ (ଏସଏଆଇ ୨୦) ଅଧ୍ୟକ୍ଷତା କାଳରେ ନୀଳ ଅର୍ଥନୀତି ଓ ଦାୟିତ୍ୱସମ୍ପନ୍ନ କୃତ୍ରମି ମେଧା ଉପରେ ଗୁରୁତ୍ୱ ଭବିଷ୍ୟତର ରୋଡ୍ ମ୍ୟାପ୍ ପାଇଁ ବେଶ୍ ଉପଯୋଗୀ। ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚରେ ଲେଖା ଓ ହିସାବ ସମୀକ୍ଷା ମହାନିୟନ୍ତ୍ରକ ଅଗ୍ରଣୀ ଭୂମିକା ନେଉଥିବାରୁ ସେ ଖୁସୀ ପ୍ରକଟ କରିଥିଲେ।

Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତୀୟ ଜନସଂଚାର ସଂସ୍ଥାନର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଆଇଜଲଠାରେ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ  ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିଜିଟାଲ ପାଠ୍ୟକ୍ରମ  ପ୍ରଦାନ କରାଯିବ। ଏହାବ୍ୟତୀତ ଏହି କେନ୍ଦ୍ରରୁ ମଧ୍ୟ ସ୍ପଳ୍ପ ଅବଧିର ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନର ବ୍ୟବସ୍ଥା କରାଯାଇଛି।

ଭାରତୀୟ ଜନ ସଂଚାର ସଂସ୍ଥାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନ (ଆଇଆଇଏମ୍‌ସି) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହା ଭାରତର ଏକ ପ୍ରମୁଖ ଓ ପ୍ରତିଷ୍ଠିତ ସାମ୍ବାଦିକତା ତଥା ଗଣଯୋଗାଯୋଗ ପ୍ରତିଷ୍ଠାନ। ଏହାର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଥିବାବେଳେ ଦେଶର ପାଂଚଟି ସ୍ଥାନରେ ଆଞ୍ଚଳିକ କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକ ହେଲା-ଓଡିଶାର ଢେଙ୍କାନାଳ, ମିଜୋରାମର ଆଇଜଲ, ଜାମ୍ମୁ କାଶ୍ମୀରର ଜାମ୍ମୁ, କେରଳର କୋଟ୍ଟାୟମ ଏବଂ ମହାରାଷ୍ଟ୍ରର ଅମରାବତୀ। ଦେଶର ବିଭିନ୍ନ ଭାଗ ଓ ଅଞ୍ଚଳର ଆବଶ୍ୟକତା ପୂରଣ କରିବାକୁ ଆଇଆଇଏମ୍‌ସିର ଆଞ୍ଚଳିକ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି। ଏହା ଫଳରେ ଗଣମାଧ୍ୟମ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶର ଅ।।ବଶ୍ୟକତା ପୂରଣ ହୋଇପାରୁଛି।

ଏହି କ୍ୟାମ୍ପସକୁ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, “ଆଇଜଲର ଏହି ନବ ଉଦ୍‌ଘାଟିତ କ୍ୟାମ୍ପସ ସମଗ୍ର ଉତ୍ତର ପୂର୍ବଞ୍ଚଳର ଆବଶ୍ୟକତା ପୂରଣ କରିବ। ଏହା ଦ୍ୱାରା ଏହି ଅଞ୍ଚଳରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏଭଳି ଏକ କ୍ୟାମ୍ପସ ଉଦ୍‌ଘାଟନ କରି ମୁଁ ବିଶେଷ ଆନନ୍ଦିତ।”

ସେ ଆହୁରି କହିଛନ୍ତି ଯେ ଆଇଆଇଏମ୍‌ସି ଭାରତର ଏକ ପ୍ରତିଷ୍ଠିତ ଓ ମର୍ଯ୍ୟାଦାଜନକ ଜନସଂଚାର ଓ ଗଣଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନକାରୀ ସଂସ୍ଥା। ଏହା ପ୍ରଗତିଶୀଳ ଶିକ୍ଷଣ ଏବଂ କାର୍ଯ୍ୟ କରିବାର ଉତ୍ତମ ପରିବେଶ ମାଧ୍ୟମରେ ନୂଆ ବିଚାର ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଗବେଷଣାର ସୁଯୋଗ ଯୋଗାଇ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ନୂଆ ନେତୃତ୍ୱ ଓ ନବସୃଜନକାରୀଙ୍କୁ ସୃଷ୍ଟି କରୁଛି।

ଆଇଆଇଏମ୍‌ସିର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ୍ ୨୦୧୧ରୁ ଏକ ଅସ୍ଥାୟୀ ଭବନରୁ କାମ କରିଆସୁଛି। ମିଜୋରାମ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଭବନ ଯୋଗାଇ ଦିଆଯାଇଥିଲା। ଏହାର ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା। ଏଥିପାଇଁ ମୋଟ ୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିନିମନ୍ତେ ଆଠ ଏକର ଜମି ମିଜୋରାମ ବିଶ୍ୱବିଦ୍ୟାଳୟ ଯୋଗାଇ ଦେଇଛି। ନୂଆ ସ୍ଥାୟୀ କ୍ୟାମ୍ପସରେ ଆଇଆଇଏମ୍‌ସିର ସ୍ୱତନ୍ତ୍ର ପ୍ରଶାସନିକ ଓ ଏକାଡେମିକ ବିଲ୍‌ଡିଂ ତିଆରି କରାଯାଇଛି। ଏହାଛଡା ହଷ୍ଟେଲ ଓ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ ମଧ୍ୟ ତିଆରି ହୋଇଛି।

ଆଇଜଲ ଆଇଆଇଏମ୍‌ସି ଆଞ୍ଚଳିକ କେନ୍ଦ୍ର ତାହାର ପ୍ରତିଷ୍ଠା କାଳରୁ ଇଂରାଜୀ ସାମ୍ବାଦିକତାର ପିଜି ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ କରି ଆସୁଛି। ଉତ୍ତର ପୂର୍ବାଞ୍ଚଳ ସମେତ ଦେଶର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ପାଠ ପଢିବାକୁ ଆସିଥାନ୍ତି। ଚଳିତବର୍ଷ ଏହି କେନ୍ଦ୍ରର ଜଣେ ଛାତ୍ର ଇଂରାଜୀ ସାମ୍ବାଦିକା ପାଠ୍ୟକ୍ରମରେ ସବୁ ଆଇଆଇଏମ୍‌ସି ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ପୂର୍ବରୁ ଆଉ ଜଣେ ଛାତ୍ର ଏହି କେନ୍ଦ୍ରରୁ ମଧ୍ୟ ସର୍ବଭାରତୀୟ ସ୍ତରରେ ଆଇଆଇଏମ୍‌ସିର ଇଂରାଜୀ ସାମ୍ବାଦିକତାର ଟପ୍‌ର ହୋଇଥିଲେ।

ଆଇଆଇଏମ୍‌ସିର ଆଇଜଲ କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କୁ ପାଠ ଶେଷ ପରେ ନିଯୁକ୍ତି ଦେବାର କ୍ୟାମ୍ପସ୍ ପ୍ଲେସମେଣ୍ଟ ବ୍ୟବସ୍ଥା ରହିଛି। ପ୍ରତିବର୍ଷ ଦୂରଦର୍ଶନ, ଆକାଶବାଣୀ, ପିଟିଆଇ ସମେତ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ଗଣମାଧ୍ୟମରେ ସେମାନେ ନିଯୁକ୍ତି ପାଉଛନ୍ତି।

ନୂଆଦିଲ୍ଲୀର ଭାରତୀୟ ଜନସଂଚାର ସଂସ୍ଥାନ ୧୯୬୫ରେ ଉଦ୍‌ଘାଟିତ ହୋଇଥିଲା। ଦେଶ ଓ ବିଦେଶର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ  ତାଲିମ ଏବଂ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବାକୁ ଏହା ପ୍ରତିଷ୍ଠା କରାଯାଇଥିଲା। ଏହା ମଧ୍ୟ ଭାରତୀୟ ସୂଚନା ସେବାର ଅଧିକାରୀମାନଙ୍କର ଏକ ତାଲିମ ପ୍ରତିଷ୍ଠାନ ଭାବେ ସେବେଠାରୁ କାର୍ଯ୍ୟ କରିଆସୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭାବେ ବିଧିବଧ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟରେ ଯୋଗଦେଇ ନିଜର ପ୍ରଥମ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କୁ ବହୁ ବିଶିଷ୍ଠ ବ୍ୟକ୍ତି ସାକ୍ଷାତ କରିବାକୁ ଆସିଛନ୍ତି। ସେମାନଙ୍କୁ ମଧ୍ୟ ସମୟ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ତେବେ ଆଜିର ଅତିଥି ମଧ୍ୟରେ ଥିଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲ। ସେ ଆଜି ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ପ୍ରତିଭା ତାଙ୍କ ଝିଅ ଜ୍ୟୋତି ରାଠୋର ମଧ୍ୟ ସାକ୍ଷାତ କରିଛନ୍ତି। ଉଭୟ ବେଶ୍ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ। ପ୍ରତିଭା ଦେବୀସିଂ ପାଟିଲ 2007 ମସିହାରୁ 2012 ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ମତାମତ ରାଜ୍ୟ ଖବର

ଭୀମଭୋଇଙ୍କ ପଦ୍ୟକୁ ନେଇ ଚର୍ଚ୍ଚାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ତାଙ୍କ ଭାଷଣର ଅବିକଳ ଓଡିଆ ଅନୁବାଦ

ନୂଆଦିଲ୍ଲୀ:  ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେଉଁ ଅଭିଭାଷଣ ଦେଇଥିଲେ ତାହାର ଅବିକଳ ଓଡିଆ ଅନୁବାଦ ହେଲା..

ଜୁହାର!
ନମସ୍କାର !

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି। ଏହି ପବିତ୍ର ସଂସଦରୁ ମୁଁ ବିନମ୍ରତାର ସହିତ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ଏହି ସଂସଦ ଆଶା, ଆକାଂକ୍ଷା ଓ ଭାରତର ନାଗରିକମାନଙ୍କ ଅଧିକାରର ପ୍ରତୀକ।

ଆପଣମାନଙ୍କ ସ୍ନେହ, ଆସ୍ଥା ଓ ସମର୍ଥନ ମୋର କାର‌୍ୟ୍ୟ ଓ ଦାୟୀତ୍ୱ ନିର୍ବାହ କାଳରେ ବିରାଟ ଶକ୍ତି ଭାବେ କାର୍ଯ୍ୟ କରିବ। ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ତଥା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ମତେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି ।

ଆଜିଠାରୁ ଆଉ ଅଳ୍ପଦିନ ମଧ୍ୟରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ। ଏହା ଏକ ଅପୂର୍ବ ସଂଯୋଗ ଯେ ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିଲା ସେତେବେଳେ ମୋର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ଆଉ ଆଜି ସ୍ୱାଧୀନତାର ୭୫ ବର୍ଷରେ ମୋତେ ନୂତନ ଦାୟୀତ୍ୱ ନିର୍ବାହ କରିବାକୁ ସୁଯୋଗ ମିଳିଛି । ମୋର ସୌଭାଗ୍ୟ ଯେ ଏପରି ଏକ ଐତିହାସିକ କ୍ଷଣ ଯେତେବେଳେ ଭାରତ ଆଗାମୀ ୨୫ ବର୍ଷରେ ଏହାର ଲକ୍ଷ୍ୟ ସାଧନ ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛି, ସେତେବେଳେ ମତେ ଏହି ଦାୟୀତ୍ୱ ମିଳିଛି ।

ମୁଁ ମଧ୍ୟ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି। ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଅମୃତ କାଳରେ ଆମକୁ ସ୍ୱାଧୀନ ଭାରତର ନାଗରିକ ଭାବେ ଖୁବ ଦୃତଗତିରେ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ। ଏହି ୨୫ ବର୍ଷ ମଧ୍ୟରେ ଅମୃତ କାଳର ଲକ୍ଷ୍ୟ ପୂରଣ ଦୁଇଟି ବାଟରେ କରିବାକୁ ହେବ – ତାହା ହେଲା “ସବକା ପ୍ରୟାସ  ଔର ସବକା କର୍ତ୍ତବ୍ୟ” (ପ୍ରତ୍ୟେକଙ୍କ ଉଦ୍ୟମ ଓ ପ୍ରତ୍ୟେକଙ୍କ କର୍ତ୍ତବ୍ୟ) । ଭାରତର ଉଜ୍ଜଳ ଭବିଷ୍ୟତ ନିମନ୍ତେ ନୂତନ ବିକାଶ ମାର୍ଗରେ କର୍ତ୍ତବ୍ୟ ପଥ ଅନୁସରଣ କରି ସମ୍ମିଳିତ ଉଦ୍ୟମ କରିବାକୁ ପଡିବ।

ଆସନ୍ତା କାଲି ଅର୍ଥାତ ଜୁଲାଇ ୨୬ ତାରିଖ ଦିନ ଆମେ କାରଗୀଲ ବିଜୟ ଦିବସ ପାଳନ କରିବୁ। ଏହା ଭାରତୀୟ ସଶସ୍ତ୍ର ସେନାର ଉଭୟ ଶୌର‌୍ୟ୍ୟ ଓ ସଂଯମର ପ୍ରତୀକ। ଆଜି ମୁଁ ମୋର ଆଗୁଆ ଶୁଭେଚ୍ଛା ଦେଶର ସଶସ୍ତ୍ର ସେନା ଓ ସମସ୍ତ ନାଗରିକମାନଙ୍କୁ ଜଣାଉଛି।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଦେଶର ପୂର୍ବଭାଗ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୁଁ ମୋ ଜୀବନ ଯାତ୍ରା ଆରମ୍ଭ କରିଥିଲି। ଯେଉଁ ପୃଷ୍ଠଭୂମିରୁ ମୁଁ ଆସିଛି ସେଠାରେ ପ୍ରାଥମିକ ଶିକ୍ଷାଲାଭ କରିବା ଏକ ସ୍ୱପ୍ନଭଳି। ମାତ୍ର ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମୋ ସଂକଳ୍ପ ଦୃଢ଼ ଥିଲା ଓ ମୁଁ ଆମ ଗ୍ରାମର ପ୍ରଥମ ଝିଅ ଭାବେ କଲେଜରେ ପ୍ରବେଶ କଲି। ମୁଁ ଏକ ଆଦିବାସୀ ସମାଜରୁ ଆସିଛି । ମୁଁ ଜଣେ ୱାର୍ଡ କାଉନସିଲରରୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛି । ଗଣତନ୍ତ୍ରର ଜନନୀ ଭାରତ ବର୍ଷର ଏହାହିଁ ହେଉଛି ମହାନତା । ଆମ ଗଣତନ୍ତ୍ରର ଶକ୍ତି ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି ଯେ ଗରୀବ ଘରେ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଜଣେ ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିପାରିଛି।

ମୁଁ ରାଷ୍ଟ୍ରପତି ପଦରେ ଆସୀନ ହେବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବ ବ୍ୟକ୍ତିର ସଫଳତା। ମୋର ନିର୍ବାଚିତ ହେବା ଏକ ବାସ୍ତବିକ ପ୍ରମାଣ ଯେ ଜଣେ ଗରୀବ ବ୍ୟକ୍ତି ମଧ୍ୟ ତାର ସ୍ୱପ୍ନକୁ ସାକାର କରିପାରିବ। ମୋ ପାଇଁ ଏକ ପରମ ସନ୍ତୋଷର ବିଷୟ ଏହି ଯେ ଯେଉଁମାନେ ଶହ ଶହ ବର୍ଷ ଧରି ବଞ୍ଚିତ ଓ ଯେଉଁମାନେ ବିକାଶର ସୁଫଳ ପାଇନାହାନ୍ତି ସେହି ଗରୀବ, ଦଳିତ, ଅନଗ୍ରସର ଓ ଆଦିବାସୀମାନେ ମୋ ମଧ୍ୟରେ ସେମାନଙ୍କ ପ୍ରତିଛବି ଦେଖିପାରୁ ଥିବେ।

ମୋର ଏହି ନିର୍ବାଚନ ପଛରେ ଦେଶର ଗରୀବମାନଙ୍କ ଆଶୀର୍ବାଦ ରହିଛି । ଦେଶର କୋଟି କୋଟି ମହିଳା ଓ ଝିଅମାନଙ୍କ ସ୍ୱପ୍ନ ଓ ସାମର୍ଥ୍ୟରେ ଏହା ପ୍ରତିଫଳିତ ହୋଇପାରିଛି। ମୋର ଏହି ନିର୍ବାଚନ ଆଜିର  ଭାରତୀୟ ଯୁବ ସମାଜ ମନରେ ସାହସ ସଞ୍ଚାର କରିଛି, ଯେ କି ନୂତନ ରାସ୍ତାରେ ଚାଲିବାକୁ ଓ ଘାତପ୍ରତିଘାତକୁ ଭ୍ରୁକ୍ଷେପ ନକରିବାକୁ ପ୍ରସ୍ତୁତ। ଆଜି ମୁଁ ଏପରି ଏକ ପ୍ରଗତିଶୀଳ ଭାରତକୁ ନେତୃତ୍ୱ ଦେବାରେ ଗର୍ବ ଅନୁଭବ କରୁଛି। ଆଜି ମୁଁ ମୋର ଦେଶର ନାଗରିକ  ବିଶେଷ କରି ଯୁବସମାଜ ଓ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ମୋର ଏହି ପଦବୀରେ କାର‌୍ୟ୍ୟ କଲାବେଳେ ସେମାନଙ୍କ ଇଚ୍ଛାଶକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ହେବ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ମୋ ଆଗରେ ଭାରତର ରାଷ୍ଟ୍ରପତିତ୍ୱର ଏପରି ଏକ ମହାନ ପ୍ରତିଷ୍ଠା ରହିଛି ଯାହା ନିରବିଚ୍ଛିନ୍ନ ଭାବେ ବିଶ୍ୱରେ ଭାରତୀୟ ଗଣତନ୍ତ୍ରର ମର‌୍ୟ୍ୟାଦା ବୃଦ୍ଧି କରିବାରେ ଲାଗିଛି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଶ୍ରୀ ରାମନାଥ କୋବିନ୍ଦଜୀଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିମାନେ ଏହି ପଦରେ ଆସୀନ ହୋଇଛନ୍ତି । ଏହି ପଦବୀ ସହ ଦେଶର ପରମ୍ପରାର ମଧ୍ୟ ପ୍ରତିନିଧିତ୍ୱ କରିବା ପାଇଁ ମତେ ଦାୟୀତ୍ୱ ମିଳିଛି । ସମ୍ବିଧାନ ଅନୁସାରେ ମୁଁ ସର୍ବୋଚ୍ଚ କର୍ମନିଷ୍ଠା ସହ ମୋର ଦାୟୀତ୍ୱ ନିର୍ବାହ କରିବି । ମୋ ପାଇଁ ଭାରତର ଗଣତାନ୍ତ୍ରିକ, ସାଂସ୍କୃତିକ ଆଦର୍ଶ ଓ ସମସ୍ତ ନାଗରିକ ଶକ୍ତିର ଉତ୍ସ ହୋଇ ରହିବେ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଆମ ଦେଶର ନୂତନ ଯାତ୍ରାପଥର  ମାନଚିତ୍ର ଆମ ସ୍ୱାଧୀନତା ସଂଗ୍ରାମ ପ୍ରସ୍ତୁତ କରିଅଛି । ଆମ ସ୍ୱାଧୀନତା ସଂଗ୍ରାମ ଥିଲା ଅନେକ ସଂଗ୍ରାମ ଓ ତ୍ୟାଗର ଧାରା ଯାହା ସ୍ୱାଧୀନ ଭାରତ ନିମନ୍ତେ ଅନେକ ଆଦର୍ଶ ଓ ସମ୍ଭାବନା ଦ୍ୱାରା ସମୃଦ୍ଧ ହୋଇପାରିଛି । ଭାରତୀୟ ସାଂସ୍କୃତିକ ଆଦର୍ଶକୁ ବୁଝିବା ପାଇଁ ପୂଜ୍ୟ ବାପୁ ସ୍ୱରାଜ, ସ୍ୱଦେଶୀ, ସ୍ୱଚ୍ଛତା ଓ ସତ୍ୟାଗ୍ରହ ଜରିଆରେ ପଥ ପ୍ରଦର୍ଶନ କରିଯାଇଛନ୍ତି । ଦେଶର ଗର୍ବକୁ ସବୁଠାରେ ଆଗରେ ରଖିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେହରୁଜୀ, ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର, ଭଗତ ସିଂ, ସୁଖଦେବ, ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଅସଂଖ୍ୟ ବ୍ୟକ୍ତିତ୍ୱ ଆମକୁ ଶିକ୍ଷା ଦେଇଯାଇଛନ୍ତି ।

ରାଣୀ ଲକ୍ଷୀବାଈ, ରାଣୀ ଭେଲୁ ନାଚିୟାର, ରାଣୀ ଗାଇଦିନଲ୍ୟୁ ଓ ରାଣୀ ଚେନ୍ନାମ୍ମାଙ୍କ ଭଳି ଅନେକ ସାହସୀ ମହିଳା ଦେଶର ସୁରକ୍ଷା ଓ ଗଠନ ଦିଗରେ ଅସାଧାରଣ ଶୌର‌୍ୟ୍ୟ ଓ ତ୍ୟାଗ ପ୍ରଦର୍ଶନ କରିଛନ୍ତି । ସାନ୍ତାଳ ବିପ୍ଳବଠାରୁ ଆରମ୍ଭ କରି, ପାଇକ ବିପ୍ଳବ, କୋଲ ବିପ୍ଳବ ଓ ଭିଲ ବିପ୍ଳବ ଭଳି ପ୍ରତ୍ୟେକ ବିପ୍ଳବ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ଓ ପରାକ୍ରମର ପରିଚୟ ପ୍ରଦାନ କରିଥାଏ । ସାମାଜିକ ଉତଥାନ ଓ ଦେଶପ୍ରେମର ଉତ୍ସାହ ଆମେ ଧରଣୀ ଆବବା ଭଗବାନ ବିର୍ସାମୁଣ୍ଡାଜୀଙ୍କ ତ୍ୟାଗରୁ ପାଇଛୁ । ମୁଁ ଖୁସୀ ଯେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସର୍ଗୀକୃତ ଅନେକ ଆଦିବାସୀ ଗୋଷ୍ଠୀର ବୀରମାନଙ୍କ ସଂଗ୍ରହାଳୟମାନ ସ୍ଥାପିତ ହେଉଛି ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

୭୫ବର୍ଷର ସଂସଦୀୟ ଗଣତନ୍ତ୍ର ଭାବେ ଭାରତ ବିକାଶର ସଂକଳ୍ପକୁ ଭାଗିଦାରୀତା ଓ ସହମତି ଭିତ୍ତିରେ ଆଗେଇ ନେଇଛି । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଓ ଜୀବନଶୈଳୀ ଏବଂ ପ୍ରଥା ଇତ୍ୟାଦିକୁ ଗ୍ରହଣ କରି ଏକ ଭାରତ, ଶ୍ରେଷ୍ଠ ଭାରତ ନିର୍ମାଣରେ ଲାଗି ପଡିଛୁ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଉପନୀତ ଏକ ଅମୃତକାଳ ଭାରତର ନୂତନ ସଂକଳ୍ପ ପାଇଁ ଉଦ୍ଦିଷ୍ଟ । ନୂତନ ଭାବନା ସହ ମୋ ଦେଶ ଆଜି ନୂଆ ଯୁଗକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ, ଆଜି ତାହା ମୁଁ ବେଶ ଦେଖିପାରୁଛି ।

ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଅଧ୍ୟାୟ ଯୋଡୁଛି । କରୋନା ମହାମାରୀ ଭଳି ବୈଶ୍ୱିକ ସ୍ଥିତିର ମୁକାବିଲା ଦିଗରେ ଭାରତ ଯେଉଁ ସାମର୍ଥ୍ୟ ପ୍ରଦର୍ଶନ କରିଛି ତାହା ଭାରତର ସୁଖ୍ୟାତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିଛି । ଭାରତୀୟ ଭାବେ ଆମେ କେବଳ ଏହି ବୈଶ୍ୱିକ ଆହ୍ୱାନର ସାମ୍ନା କରିନାହୁଁ ବରଂ ଆମ ଉଦ୍ୟମ ଦ୍ୱାରା ଆମେ ବିଶ୍ୱରେ ଏକ ମାନକ ପ୍ରତିଷ୍ଠା କରିଛୁ । ଏଇମାତ୍ର କିଛି ଦିନ ଆଗରୁ ଭାରତ ୨୦୦ କୋଟି କରୋନା ଟୀକା ପ୍ରଦାନ କରି ଏକ ରେକର୍ଡ ସ୍ଥାପନ କରିଛି ।

ଯେଉଁ ଧୈର୍ଯ୍ୟ, ସାହସ ଓ ସହଯୋଗ ଭାରତବାସୀ ଏହି ସମୂହ ସଂଗ୍ରାମରେ ପ୍ରଦର୍ଶନ କରିଛନ୍ତି ତାହା ଆମର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ସମ୍ବେଦନଶୀଳ ସମାଜର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ । ଏଭଳି କଠିନ ପରିସ୍ଥିତିରେ ଭାରତ କେବଳ ନିଜର ଯତ୍ନ ନେଇନାହିଁ ବରଂ ବିଶ୍ୱକୁ ସାହାଯ୍ୟ କରିଛି । କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ଯେଉଁଭଳି ବାତାବରଣ ସୃଷ୍ଟି ହେଲା, ଆଜି ବିଶ୍ୱ ଭାରତକୁ ନୂତନ ଆତ୍ମବିଶ୍ୱାସର ସହ ଦେଖୁଛି ।

ବୈଶ୍ୱିକ ଆର୍ଥିକ ସ୍ଥିରତା, ଯୋଗାଣ ବ୍ୟବସ୍ଥା ସୁପରିଚାଳନା ଓ ଶାନ୍ତି ନିମନ୍ତେ ଆଜି ଆନ୍ତର୍ଜାତିକ ସମୁଦାୟର ଭାରତ ଉପରେ ଉଚ୍ଚ ଆଶା ରହିଛି। ଭାରତ ନିଜର ଅଧ୍ୟକ୍ଷତାରେ ଆଗାମୀ ମାସରେ ଜି-୨୦ ଗ୍ରୁପ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଭାରତ ଅଧ୍ୟକ୍ଷତାରେ ଏଥିରେ ଥିବା ବିଶ୍ୱର ୨୦ଟି ଦେଶ ବୈଶ୍ୱିକ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିବେ ।

ଭାରତରେ ଏହି ଆଲୋଚନା ଯୋଗୁଁ ଯେଉଁ ଉପସଂହାରରେ ସେମାନେ ଉପନୀତ ହେବେ ତାହା ଆଗାମୀ ଦଶନ୍ଧି ନିମନ୍ତେ ବିଭିନ୍ନ ସମସ୍ୟାର ଦିଗ ନିର୍ଦ୍ଧାରଣ କରିବ । ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ ଏକ ଦଶନ୍ଧି ଆଗରୁ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମତେ ଜଣେ ଶିକ୍ଷକ ହିସାବରେ କାର‌୍ୟ୍ୟ କରିବାର ସୁଯୋଗ ମିଳିଥିଲା । ଅଳ୍ପକିଛି ଦିନ ପରେ ଆମେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରିବା । ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମତେ ଉତ୍ସାହିତ କରିଛି । ଶିକ୍ଷା ଅନୁଷ୍ଠାନ ଗୁଡିକ ସହ ମୋର ସକ୍ରିୟ ସହଯୋଗ ରହିଛି । ବିଭିନ୍ନ ପଦପଦବୀରେ ଜନ ପ୍ରତିନିଧି ଭାବେ ଓ ପରେ ରାଜ୍ୟପାଳ ଭାବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରିଛି ।

ମୁଁ ଦେଶର ଯୁବଶକ୍ତିର ଉତ୍ସାହ ଓ  ଆତ୍ମବିଶ୍ୱାସକୁ ଅତି ନିକଟରୁ ଅନୁଭବ କରିଛି । ଆମର ଆଦରଣୀୟ ଅଟଳଜୀ କହିଥିଲେ ଯେତେବେଳେ ଦେଶର ଯୁବଶକ୍ତି ଉନ୍ନତି କରେ ସେମାନେ କେବଳ ନିଜର ଭାଗ୍ୟ  ନିର୍ମାଣ କରିନ୍ତି ନାହିଁ ବରଂ ଦେଶର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥାନ୍ତି । ଆଜି ଏହା ସତ ହେଉଥିବା ଆମେ ଲକ୍ଷ୍ୟ କରୁଛୁ ।

ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହିଛି । “ଭୋକାଲ ଫର ଲୋକାଲ ଠାରୁ ଡିଜିଟାଲ ଇଣ୍ଡିଆ” ପର‌୍ୟ୍ୟନ୍ତ ଆଜିର ଭାରତ ବିଶ୍ୱସହ ପାଦ ମିଳାଇ ଚାଲୁଛି ଓ ଶିଳ୍ପବିପ୍ଳବ ଫୋର ପଏଣ୍ଟ ଜିରୋ ସହ ସମକକ୍ଷ ହେବାକୁ ଯାଉଛି । ଭାରତୀୟ ଯୁବସମାଜ ରେକର୍ଡ ସଂଖ୍ୟକ ଷ୍ଟାର୍ଟଅପ୍ସ ସହ ଅନେକ ନବୋନ୍ମୋଷ ଓ ଦୂରଦୂରାନ୍ତରେ ଡିଜିଟାଲ ବୈଷୟିକ ଜ୍ଞାନ ପ୍ରସାରରେ ରେକର୍ଡ ସୃଷ୍ଟି କରୁଛନ୍ତି । ମହିଳା ସଶକ୍ତିକରଣ ଦିଗରେ ପ୍ରଣୀତ ନୀତି ଓ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଏକ ନୂତନ ଶକ୍ତିର ସଞ୍ଚାର ହୋଇଛି ।

ମୁଁ ଚାହେଁ ଆମର ସମସ୍ତ ଭଉଣୀ ଓ  ଝିଅମାନେ ଅଧିକରୁ ଅଧିକ ସଶକ୍ତ ହେଲେ ସେମାନେ ଦେଶ ଗଠନର ସବୁ କ୍ଷେତ୍ରରେ ଅବଦାନ ଦେଇପାରିବେ । ମୁଁ ଆମ ଦେଶର ଯୁବପୀଢ଼ିକୁ କହିବାକୁ ଚାହେଁ ଯେ ତୁମେମାନେ କେବଳ ନିଜର ଭବିଷ୍ୟତ ଗଠନ କରୁନାହଁ, ବରଂ ଦେଶ ଭବିଷ୍ୟତ ଗଠନର ମୂଳଦୂଆ ସ୍ଥାପନ କରୁଛି । ଦେଶର ରାଷ୍ଟ୍ରପତି ଭାବେ ମୁଁ ସଦାସର୍ବଦା ଆପଣମାନଙ୍କୁ ସହଯୋଗ କରିବି ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଅଭିବୃଦ୍ଧି ଓ ଅଗ୍ରଗତି ଅର୍ଥ ହେଲା ସବୁବେଳେ  ଆଗକୁ ଆଗକୁ ଯିବା। ମାତ୍ର ଅତୀତ ସମ୍ପର୍କରେ ସଚେତନତା ସବୁବେଳେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଆଜି ଯେତେବେଳେ ବିଶ୍ୱ ଦୀର୍ଘସ୍ଥାୟୀ ଓ ନିରନ୍ତର ପୃଥିବୀ ଉପରେ କହୁଛି ସେତେବେଳେ ଭାରତୀୟ ପ୍ରାଚୀନ ପରମ୍ପରା ଓ ଜୀବନଚର୍ଯ୍ୟା ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି।

ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି। ଆମେ ଦରକାରୀ ସମ୍ବଳ ପ୍ରକୃତିରୁ ନେଉ ଓ ସମ ପରିମାଣରେ ପ୍ରକୃତି ଉପାସନା କରୁ। ଏହି ସମ୍ବେଦନଶୀଳତା ଆଜି ବିଶ୍ୱ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି। ମୁଁ ଖୁସୀ ଯେ ଭାରତ ବିଶ୍ୱକୁ ପରିବେଶ ସୁରକ୍ଷା ଉପରେ ମାର୍ଗଦର୍ଶନ ଦେଉଛି।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ

ଆଜି ପର‌୍ୟ୍ୟନ୍ତ ମୁଁ ମୋ ଜୀବନରେ ଜୀବନକୁ ଜନସେବା ମାଧ୍ୟମରେ ଜାଣିଛି । ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ପ୍ରସିଦ୍ଧ କବି ଭୀମଭୋଇଙ୍କ ଏକ କବିତା ଅଛି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।” ନିଜ ସ୍ୱାର୍ଥଠାରୁ ଜଗତ କଲ୍ୟାଣ କାହିଁ କେତେ ଗୁଣରେ ମହାନ। ବିଶ୍ୱ କଲ୍ୟାଣର ଏହି ଉତ୍ସାହ ସହ ମୁଁ ଆପଣମାନଙ୍କ ଆସ୍ଥା ଭାଜନ ହୋଇ ସମ୍ପୂର୍ଣ୍ଣ ଉତ୍ସାହୀ ଓ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବି। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ପଥରେ ଆଗେଇ ଏକ ଗୌରବମୟ ଓ ଆତ୍ମନିର୍ଭର ଭାରତ ଗଠନ କରିବା।
ଧନ୍ୟବାଦ
ଜୟହିନ୍ଦ !

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି 10ଟା 15 ମିନିଟରେ ଦେଶର 15 ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ। ସଂସଦର କେନ୍ଦ୍ରୀୟ ହଲରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନା। ମଞ୍ଚ ଉପରେ ମୁଖ୍ୟ ବିଚାରପତି ରମନା ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ, ମଝିରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ତାଙ୍କ ପାଖରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ଶେଷରେ ବାଚସ୍ପତି ଓମ ବିର୍ଲା ବସିଥିଲେ।

ଶପଥପାଠ ପରେ ମଝିରେ ବସିଥିବା ରାଷ୍ଟ୍ରପତି ରାମାନଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସେହି ଆସନ ଛାଡି ଦେଇଥିଲେ। ଆସନ ଅଦଳବଦଳ ପରେ ଦ୍ରୌପଦୀ ମୁର୍ମୁ ମଝିରେ ବସିଥିଲେ। ଏହାପରେ ତାଙ୍କୁ ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସେ ମଧ୍ୟ ଓଡିଶାରୁ ହୋଇଥିଲେ ରାଷ୍ଟ୍ରପତି, ରଚିଥିଲେ ଐତିହାସିକ ପଦକ୍ଷେପ, ହେଲେ ଭୁଲିଗଲା ଓଡିଶା

ଭୁବନେଶ୍ବର:  ଆଜି ଦ୍ରୌପଦୀ ମୁର୍ମୁ ଓଡିଶାରୁ ରାଷ୍ଟ୍ରପତି ହେଉଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ଚାରିଆଡେ ଖୁସିର ବାତାବରଣ। ହେଲେ ତାଙ୍କ ପୂର୍ବରୁ ଓଡିଶାର ଆଉ ଜଣେ ବ୍ୟକ୍ତି ମଧ୍ୟ ହୋଇଥିଲେ ରାଷ୍ଟ୍ରପତି। ସେ ହେଉଛନ୍ତି ଭି.ଭି ଗିରି ବା ଭାରାହାଗିରି ଭେଙ୍କଟା ଗିରି। ସେ ୧୦ ଅଗଷ୍ଟ ୧୮୯୪ ମସିହାରେ ଓଡିଶାର ବ୍ରହ୍ମପୁରର ଏକ ତେଲୁଗୁ ଭାଷାଭାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେହିଠାରେ ସେ ସ୍କୁଲ ଶିକ୍ଷା ସହିତ ଖଲିକୋଟ କଲେଜରୁ ଗ୍ରାଜୁଏସନ କରିଥିଲେ।

ତାଙ୍କର ପିତା ଭି.ଭି ଜୋଗାୟାପାଣ୍ଟୁଲୁ ବ୍ରହ୍ମପୁରର ଜଣେ ବିଶିଷ୍ଟ ଆଇନଜୀବୀ ହୋଇଥିବା ବେଳେ ମାତା ସୁଭଦ୍ରାମା ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଫଳରେ ଭି ଭି ଗିରିଙ୍କୁ ଖୁବ୍ କମ୍ ବୟସରେ ରାଜନୀତି କରିବାର ସୁଯୋଗ ମିଳିଥିଲା। କେବଳ ସେ ନୁହଁନ୍ତି ତାଙ୍କ ସାନ ଭଉଣୀ ଆଦ୍ରୁତି ଲକ୍ଷ୍ମୀବାଇ ମଧ୍ୟ ରାଜନୀତିରେ ପ୍ରବେଶ କରି ୧୯୪୬ ରୁ ୧୯୫୨ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ପ୍ରଥମ ମହିଳା ଉପବାଚସ୍ପତି ହୋଇଥିଲେ।

  ପତ୍ନୀ ସରସ୍ବତୀ ବାଇଙ୍କ ସହିତ ରାଷ୍ଟ୍ରପତି ଭି ଭି ଗିରି (ଫଟୋ- ରାଷ୍ଟ୍ରପତି ଭବନ ଅଭିଲେଖାଗାର)

ସେ ଗ୍ରଜୁଏସନ ପରେ ଓକିଲାତି ପଢିବା ପାଇଁ ଆୟାରଲ୍ୟାଣ୍ଡ ଗସ୍ତ କରିଥିଲେ। ସେଠାରୁ  ଫେରିବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଅଳ୍ପ ଦିନ ମଧ୍ୟରେ ସେ ସେତେବେଳେ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ପରିଚିତ ହୋଇ ପାରିଥିଲେ। କଂଗ୍ରେସରେ ଯୋଗ ଦେବା ସହିତ ସେ ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ଝାସ ଦେଇଥିଲେ। ସେ ସେତେବେଳେ ମଦ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରଧା ଥିଲେ। ଭାରତ ସ୍ବାଧୀନ ପରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ତାଙ୍କୁ ପ୍ରଥମେ ଶ୍ରୀଲଙ୍କାରେ ଭାରତର ପ୍ରଥମ ଉଚ୍ଚ କମିଶନର ଭାବେ ନିଯୁକ୍ତ ଦିଆଯାଇଥିଲା। ଏହାପରେ ୧୯୫୧ ସାଧାରଣ ନିର୍ବାଚନରେ ସେ ମାଡ୍ରାସ ରାଜ୍ୟର ଏକ ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ସେତେବେଳେ ସେ ମାଡ୍ରାସର ଶ୍ରମ ମନ୍ତ୍ରୀ ଭାବରେ ନିଯୁକ୍ତି ମିଳିଥିଲା। ତାଙ୍କ ସମୟରେ ଶ୍ରମିକମାନଙ୍କ ଉନ୍ନତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ। ଯାହାକୁ ‘ଗିରି ଆପ୍ରୋଚ୍’ ବୋଲି କୁହାଯାଉଥିଲା। ସେ ପ୍ରଥମ ଥର ପାଇଁ ଶ୍ରମିକମାନଙ୍କୁ ସଂଗଠିତ କରିଥିଲେ।

          ରାଷ୍ଟ୍ରପତି ଭାବେ ଭି ଭି ଗିରି ନେଉଛନ୍ତି ଶପଥ ( ଫଟୋ- ରାଷ୍ଟ୍ରପତି ଭବନ ଅଭିଲେଖାଗାର)

ଏହାପରେ ସେ ତିନୋଟି ରାଜ୍ୟର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେହି ରାଜ୍ୟଗୁଡିକ ହେଲା ଉତ୍ତରପ୍ରଦେଶ (୧୯୫୭ -୧୯୬୦), କେରଳ (୧୯୬୦-୧୯୬୫) ଏବଂ କର୍ଣ୍ଣାଟକ (୧୯୬୫–୧୯୬୭)।  ସେ ୧୯୬୭ ମସିହାରେ ଭାରତର ଉପରାଷ୍ଟ୍ରପତି ହୋଇ ୧୯୬୯ ପର‌୍ୟ୍ୟନ୍ତ କାର‌୍ୟ୍ୟ କରିଥିଲେ। ଏହି ସମୟରେ ଭାରତର ତତକାଳିନ ରାଷ୍ଟ୍ରପତି ଜାକିର ହୁସେନଙ୍କ ଦେହାନ୍ତ ପରେ ଭି ଭି ଗିରି ରାଷ୍ଟ୍ରପତି ଭାବେ ଅସ୍ଥାୟୀ ଦାୟିତ୍ବରେ ରହିଥିଲେ। ଏହାପରେ ସେ ରାଷ୍ଟ୍ରପତି ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ସେହି ପଦରୁ ଇସ୍ତଫା ଦେଇଥିଲେ।

ସେତେବେଳେ କଂଗ୍ରେସର ଆଭ୍ୟନ୍ତର କନ୍ଦଳ ପାଇଁ ଭି ଭି ଗିରି ଦଳୀୟ ପ୍ରାର୍ଥୀ ନ ହୋଇ ସ୍ବାଧୀନ ଭାବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ଜିତିଥିଲେ। ଭି ଭି ଗିରିଙ୍କୁ ଛାଡିଦେଲେ ଆଜି ପର‌୍ୟ୍ୟନ୍ତ କେହେ ବି ସ୍ବାଧୀନ ପ୍ରାର୍ଥୀ ରାଷ୍ଟ୍ରପତି ହୋଇପାରି ନାହାଁନ୍ତି। ଗିରି ୨୪ ଅଗଷ୍ଟ ୧୯୬୯ ରେ ଭାରତର ୪ର୍ଥ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ସେ ୧୯୭୪ ପର‌୍ୟ୍ୟନ୍ତ ପୂର୍ଣ୍ଣକାଳ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତରତ୍ନ ପ୍ରଦାନ କରାଯାଇଥିଲା।

 ରାଷ୍ଟ୍ରପତି ଭାବେ ନିଯୁକ୍ତି ହେଲେ ବୋଲି ଭି ଭି ଗିରି କରୁଛନ୍ତି ଦସ୍ତଖତ ( ଫଟୋ- ରାଷ୍ଟ୍ରପତି ଭବନ ଅଭିଲେଖାଗାର)

ଗିରି  ୨୮ ଜୁନ ୧୯୮୦ ମସିହାରେ ପରଲୋକ ଗମନ କରିଥିଲେ। ହେଲେ ସେ ଓଡିଶା ତଥା ଭାରତ ଇତିହାସରେ ଜଣେ ବିରଳ ବ୍ୟକ୍ତିତ୍ବ ଭାବେ ପରିଗଣିତ ହୋଇ ଆସୁଛନ୍ତି। ତାଙ୍କର ଜନ୍ମସ୍ଥାନ ବ୍ରହ୍ମପୁରରେ ତାଙ୍କର ବାସସ୍ଥାନ ରହିଛି। ହେଲେ ତାହାକୁ ତାଙ୍କ ପରିବାର ସ୍କୁଲକୁ ଦାନ କରିଦେଇଥିଲେ।

ଯାହା ବର୍ତ୍ତମାନ ବ୍ରହ୍ମପୁରରେ ‘ଗିରିରୋଡ ବାଳିକା ସ୍କୁଲ’ ଭାବେ ପରିଚାଳିତ। ସେହିପରି ତାଙ୍କ ନାମରେ ଏକ ବଜାର ମଧ୍ୟ ରହିଛି ଯାହା ଗିରି ମାର୍କେଟ ଭାବେ ପରିଚିତ। ହେଲେ ଦୁଃଖର କଥା ତାଙ୍କର ପ୍ରତିମୂର୍ତ୍ତିଟିଏ ତାଙ୍କ ଜନ୍ମସ୍ଥାନ କିମ୍ବା ରାଜଧାନୀରେ ମଧ୍ୟ ନାହିଁ। ଏପରିକି ତାଙ୍କର ଜୟନ୍ତି ମଧ୍ୟ କେହି କେବେ କେହି ପାଳନ କରୁ ନାହିଁ। ତାଙ୍କର ଓଡିଶାରେ ଜନ୍ମ, ଓଡିଶାରେ ପାଠପଢା, ଓଡିଶାର ଘର ହୋଇଥିଲେ ମଧ୍ୟ ତାଙ୍କୁ ଓଡିଶାର କହିବାକୁ ଅନେକ କୁଣ୍ଠାବୋଧ ମଧ୍ୟ କରୁଛନ୍ତି। ( ଫଟୋ ସୌଜନ୍ୟ- ରାଷ୍ଟ୍ରପତି ଭବନ ଅଭିଲେଖାଗାର )