Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାର ଆୟକର ଚଢ଼ାଉ: ଜବତ ହେବ ଭାରତର ସର୍ବାଧିକ ଟଙ୍କା

ନୂଆଦିଲ୍ଲୀ: ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା ଫେରାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଆୟକର ବିଭାଗ ଶନିବାର ଓଡ଼ିଶାର ମଦ ବ୍ୟବସାୟୀ ଗ୍ରୁପ୍ ଏବଂ ଏହାର ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ବୌଦ୍ଧ ଡିଷ୍ଟିଲରୀ ପ୍ରାଇଭେଟ ଲିମିଟେଡ୍ ଓ ଅନ୍ୟମାନଙ୍କ ବିରୋଧରେ ଚଢ଼ାଉ ପରେ ‘ବେହିସାବ’ ନଗଦ ଟଙ୍କା ଜବତ ୨୯୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ବୁଧବାରଠାରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଚଢ଼ାଉ ଆରମ୍ଭ ହୋଇଛି। ଏହି କମ୍ପାନି ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ଜଡ଼ିତ ବୋଲି ଆୟକର ଅଧିକାରୀମାନେ କହିଛନ୍ତି। ଧୀରଜଙ୍କ ପୁଅ ରିତେଶ ସାହୁ ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ପ୍ରସାଦ ଏକ୍ସଟ୍ରା ନ୍ୟୁଟ୍ରାଲ ଓ୍ୱାଇନ ଉତ୍ପାଦନ କରୁଥିବା କମ୍ପାନୀର ଅଧ୍ୟକ୍ଷ ଅଛନ୍ତି।

ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ ଲିମିଟେଡ୍ ମଧ୍ୟ ବଳଦେବ ସାହୁ ଆଣ୍ଡ ଗ୍ରୁପ୍ ଅଫ୍ କମ୍ପାନି (ବୌଦ୍ଧରେ ଅବସ୍ଥିତ)ର ଏକ ଭାଗିଦାରୀ ସଂସ୍ଥା, ଯାହା ଉପରେ ଟିକସ ଠକେଇ ଅଭିଯୋଗ ରହିଛି ଏବଂ ଆୟକର ବିଭାଗର କର୍ମଚାରୀମାନେ ମଧ୍ୟ ଚଢ଼ାଉ କରିଥିଲେ।

ଓଡ଼ିଶା ନଗଦ ରାଶି ଜବତ ସମ୍ପର୍କରେ ଟପ୍ ଅପଡେଟ୍

ଶୁକ୍ରବାର ସୁଦ୍ଧା ପ୍ରାୟ ୨୨୫ କୋଟି ଟଙ୍କା ଜବତ କରିବା ପରେ ବଲାଙ୍ଗୀର ଜିଲ୍ଲା ସୁଦାପଡ଼ା ଅଞ୍ଚଳର ଜଣେ ଦେଶୀ ମଦ ନିର୍ମାତାଙ୍କ ଘରୁ ଆୟକର ବିଭାଗ ଶନିବାର ଆଉ ୨୦ ବସ୍ତା ନଗଦ ଟଙ୍କା ଜବତ କରିଛି।

ବର୍ତ୍ତମାନ ସୁଦ୍ଧା ୨୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି ଏବଂ ଓଡ଼ିଶାର ସରକାରୀ ବ୍ୟାଙ୍କ ଶାଖାଗୁଡ଼ିକରେ କ୍ରମାଗତଭାବେ ନଗଦ ଟଙ୍କା ଜମା କରାଯାଉଛି। ଏହି ନୋଟଗୁଡ଼ିକ ମୁଖ୍ୟତଃ ୫୦୦ ଟଙ୍କିଆ ନୋଟ।

ସୁଦାପଡ଼ାରୁ ଆଦାୟ ହୋଇଥିବା ଟଙ୍କା ହିସାବ କରାଯାଉଥିବାବେଳେ ଏହାର ପରିମାଣ ୫୦ କୋଟିରୁ ଅଧିକ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଆୟକର ବିଭାଗ ଅଧିକାରୀମାନେ ୧୫୬ଟି ନଗଦ ବୋଝେଇ ବ୍ୟାଗ୍ ଗଣତି ପାଇଁ ବଲାଙ୍ଗୀର ସ୍ଥିତ ଏସବିଆଇ ମୁଖ୍ୟ ଶାଖାକୁ ନେଇଥିଲେ।

ଗତ ୩ ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଥିବା ଆୟକର ମହାନିର୍ଦ୍ଦେଶକ ସଞ୍ଜୟ ବାହାଦୁର ଚଢ଼ାଉ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।

ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ୍ ଓ ଅନ୍ୟମାନଙ୍କ ବିରୋଧରେ ଚଢ଼ଉ ପରେ ଡିସେମ୍ବର ୬ତାରିଖରୁ ଆରମ୍ଭ ହୋଇଥିବା ଗଣତି ପ୍ରକ୍ରିୟା ଶେଷ କରିବା ପାଇଁ ଆୟକର ବିଭାଗ ପ୍ରାୟ ୪୦ଟି ଛୋଟ ବଡ଼ ମେସିନ୍ ନିୟୋଜିତ କରିବା ସହ ନୋଟ ଗଣନା ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକ ବିଭାଗୀୟ କର୍ମଚାରୀ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଆଣିଛି।

ଜବତ ଟଙ୍କାକୁ ରାଜ୍ୟର ସରକାରୀ ବ୍ୟାଙ୍କକୁ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଅଧିକ ଗାଡ଼ି ମଗାଯାଇଛି।

ଆୟକର ବିଭାଗ ଅଧିକାରୀମାନେ ବର୍ତ୍ତମାନ କମ୍ପାନୀର ବିଭିନ୍ନ ଅଧିକାରୀ ଏବଂ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବୟାନ ରେକର୍ଡ କରୁଛନ୍ତି।

ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଏକ ବିବୃତିରେ ଟିକସ ଚଢ଼ାଉକୁ ସ୍ୱାଗତ କରିଛି। ଝାଡ଼ଖଣ୍ଡ ବିଜେପି ନେତାମାନେ କହୁଛନ୍ତି ଯେ ଜବତ ଟଙ୍କା କଂଗ୍ରେସ ନେତାଙ୍କର।

ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ଏହାକୁ ବିଜେପି ନେତାଙ୍କ ବୋଲି କହୁଛନ୍ତି। ଦୁହେଁ ପରସ୍ପରକୁ ଦୋଷ ଦେଉଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ନେତା ଏହି ବ୍ୟବସାୟୀଙ୍କ ପାଖରେ ଟଙ୍କା ଲୁଚାଇ ରଖିଥିବା ଜଣାପଡ଼ିଛି।

ରାଞ୍ଚିରେ ଥିବା ଧୀରଜ ସାହୁଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବାବେଳେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଉଭୟ ବୌଦ୍ଧ ଡିଷ୍ଟିଲରୀ ପ୍ରାଇଭେଟ ଲିମିଟେଡ୍ ଓ ବଳଦେବ ସାହୁ ଆଣ୍ଡ ଗ୍ରୁପ୍ ଅଫ୍ କମ୍ପାନି ଏ ପର୍ଯ୍ୟନ୍ତ ଏ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି।