Categories
ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ ପାରା ଗେମ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ଦଳକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଭାରତର ଏସୀୟ ପାରା ଗେମ୍ସ ଦଳ ସହ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଛନ୍ତି । ଏସୀୟ ପାରା ଗେମ୍ସ ୨୦୨୨ରେ ଉଲ୍ଲେଖନୀୟ ସଫଳତା ପାଇଁ ଆଥଲେଟ୍ ମାନଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଏବଂ ଭବିଷ୍ୟତ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବା ଏବଂ ସେମାନଙ୍କର ଅନୁଭୂତି ଶୁଣିବା ପାଇଁ ବହୁତ ଆଗ୍ରହୀ । ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନେ ଯେତେବେଳେ ବି ଏଠାକୁ ଆସନ୍ତି, ନୂଆ ଆଶା ଏବଂ ନୂତନ ଉତ୍ସାହ ସାଙ୍ଗରେ ନେଇ ଆସିଥାନ୍ତି । ସେ କହିଥିଲେ ଯେ, ସେ କେବଳ ଗୋଟିଏ କଥା ପାଇଁ ଏଠାକୁ ଆସିଛନ୍ତି ଏବଂ ତାହା ହେଉଛି ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା । ପାରା ଏସିଆନ୍ ଗେମ୍ସରେ ଘଟୁଥିବା ଘଟଣାକୁ ସେ କେବଳ ଅତି ନିକଟରୁ ଅନୁଧ୍ୟାନ କରୁନଥିଲେ,  ବରଂ ଏହା ମାଧ୍ୟମରେ ମଧ୍ୟ ବଞ୍ଚୁଥିଲେ ବୋଲି ସେ କହିଥିଲେ । ସେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରଶିକ୍ଷକ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

କ୍ରୀଡ଼ାର ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରକୃତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କ୍ରୀଡାବିତ୍ ମାନଙ୍କର ଆଭ୍ୟନ୍ତରୀଣ ପ୍ରତିଯୋଗିତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ ଖେଳାଳି ମାନଙ୍କର ସର୍ବୋଚ୍ଚ ସ୍ତରର ଅଭ୍ୟାସ ଏବଂ ସମର୍ପଣକୁ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନେ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି, ଆପଣ ମାନଙ୍କ ମଧ୍ୟରୁ କିଛି ବିଜୟୀ ହୋଇଥିଲେ, କିଛି ବୁଦ୍ଧିମାନ ହୋଇଥିଲେ, କେହି  କିନ୍ତୁ ପରାଜିତ ହୋଇ ଫେରି ନଥିଲେ ।

“କ୍ରୀଡ଼ାରେ କୌଣସି ପରାଜୟ ନାହିଁ, କେବଳ ଜିତିବା କିମ୍ବା ଶିଖିବା ଅଛି” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସହ ଜଡ଼ିତ ଶିକ୍ଷଣ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ଚୟନ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ସେ ଉଲ୍ଲେଖ କରିଛନ୍ତି । ମୋଟ ପଦକ ସଂଖ୍ୟା ୧୧୧ ହେବା ସହିତ ରେକର୍ଡ ଭାଙ୍ଗିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, “ଆପଣଙ୍କ ସଫଳତା ସମଗ୍ର ଦେଶକୁ ପ୍ରେରଣା ଯୋଗାଇଛି ଏବଂ ନାଗରିକ ମାନଙ୍କ ମଧ୍ୟରେ ଗର୍ବର ଭାବନା ମଧ୍ୟ ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ମାନଙ୍କ ରେକର୍ଡଭଙ୍ଗା ପ୍ରଦର୍ଶନ ପାଇଁ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଗୁଜରାଟରୁ ଲୋକସଭାରେ ରେକର୍ଡ ନିର୍ବାଚନୀ ପ୍ରଦର୍ଶନ ପାଇଁ ଶ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଅଭିନନ୍ଦନ ଜଣାଇବା ସମୟର ଅନୁଭବକୁ ସେ ମନେ ପକାଇଥିଲେ । ଏହି ୧୧୧ ପଦକ କେବଳ ସଂଖ୍ୟା ନୁହେଁ  ବରଂ ୧୪୦ କୋଟି ଲୋକମାନଙ୍କ ସ୍ୱପ୍ନ ବୋଲି ସେ କହିଛନ୍ତି । ଏହି ସଂଖ୍ୟା ୨୦୧୪ରେ ଜିତିଥିବା ପଦକ ସଂଖ୍ୟା ଠାରୁ ତିନି ଗୁଣ ଅଧିକ ଥିବା ବେଳେ ସ୍ୱର୍ଣ୍ଣ ପଦକ ସଂଖ୍ୟା ଦଶ ଗୁଣ ଅଧିକ ଏବଂ ଭାରତ ପଦକ ତାଲିକାରେ ୧୫ତମ ସ୍ଥାନରୁ ଶୀର୍ଷ ୫ରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି ।

ଗତ କିଛି ମାସ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତର ସାମ୍ପ୍ରତିକ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପାରା ଏସୀୟ କ୍ରୀଡ଼ାରେ ଆପଣ ମାନଙ୍କର ସଫଳତା କେକ୍ ଉପରେ ଆଇସିଂ” କରିବା ଭଳି ଅର୍ଥାତ୍ ବହୁତ ଆକର୍ଷଣୀୟ । ଅଗଷ୍ଟରେ ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ପୁରୁଷ ଦଳର ପ୍ରଥମ ସ୍ୱର୍ଣ୍ଣ ପଦକ, ଟେବୁଲ ଟେନିସରେ ମହିଳା ଯୋଡିର ପ୍ରଥମ ପଦକ, ପୁରୁଷ ବ୍ୟାଡମିଣ୍ଟନ ଦଳ ଦ୍ୱାରା ଥୋମାସ କପ୍ ବିଜୟ, ଏସୀୟ କ୍ରୀଡ଼ାରେ ୨୮ ସ୍ୱର୍ଣ୍ଣ ପଦକ ସମେତ ରେକର୍ଡ ୧୦୭ ପଦକ ଏବଂ ଏସୀୟ ପାରା ଗେମ୍ସରେ ସର୍ବାଧିକ ସଫଳ ପଦକ ତାଲିକା ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପାରା ଗେମ୍ସର ସ୍ୱତନ୍ତ୍ର ପ୍ରକୃତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ ଦିବ୍ୟାଙ୍ଗଙ୍କ କ୍ରୀଡ଼ାରେ ବିଜୟ କେବଳ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣାର ବିଷୟ ନୁହେଁ , ବରଂ ଏହା ଜୀବନରେ ହିଁ ପ୍ରେରଣାର ବିଷୟ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣ ମାନଙ୍କର ପ୍ରଦର୍ଶନ ଯେ କୌଣସି ବ୍ୟକ୍ତିଙ୍କୁ ନିରାଶାର କବଳ ଭିତରେ ପୁଣି ଥରେ ଉତ୍ସାହିତ କରିପାରେ । ପ୍ରଧାନମନ୍ତ୍ରୀ ଏକ କ୍ରୀଡ଼ା ସମାଜ ଭାବରେ ଭାରତର ପ୍ରଗତି ଏବଂ ଏହାର କ୍ରୀଡ଼ା ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଆମେ ୨୦୩୦ ଯୁବ ଅଲିମ୍ପିକ୍ସ ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାରେ କୌଣସି ଗଳାବାଟ ନାହିଁ ଏବଂ ଖେଳାଳିମାନେ ନିଜ ସାମର୍ଥ୍ୟ ଉପରେ ନିର୍ଭର କରନ୍ତି କିନ୍ତୁ ଏଥିରେ ସାମାନ୍ୟ ସାହାଯ୍ୟର ବହୁତ ପ୍ରଭାବ ପଡିଥାଏ । ପରିବାର, ସମାଜ, ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସହାୟକ ପାରିବେଶିକ ବ୍ୟବସ୍ଥାର ସାମୂହିକ ସମର୍ଥନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପରିବାରରେ କ୍ରୀଡ଼ା ପ୍ରତି ଦୃଷ୍ଟିକୋଣ ବଦଳାଇବା କଥା ସେ ଉଲ୍ଲେଖ କରିଥିଲେ ।

“ପୂର୍ବ ସମୟ ପରିବର୍ତ୍ତିତ ହୋଇଛି , ସମାଜ କ୍ରୀଡ଼ାକୁ ଏକ ବୃତ୍ତି ଭାବରେ ସ୍ୱୀକୃତି ଦେବା ଆରମ୍ଭ କରିଛି ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ‘ସରକାରଙ୍କ ପାଇଁ କ୍ରୀଡାବିତ୍‌’ ରୁ ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟରେ ହୋଇଥିବା ପରିବର୍ତ୍ତନ ‘କ୍ରୀଡାବିତ୍ ମାନଙ୍କ ପାଇଁ ସରକାର’ ଉପରେ ଆଲୋକପାତ କରିଥିଲେ ଏବଂ କ୍ରୀଡାବିତ୍ ମାନଙ୍କ ସଫଳତା ପ୍ରତି ସରକାରଙ୍କ ସମ୍ବେଦନଶୀଳତାକୁ ଶ୍ରେୟ ଦେଇଥିଲେ । “ଯେତେବେଳେ ସରକାର କ୍ରୀଡ଼ାବିତ୍ ମାନଙ୍କ ସ୍ୱପ୍ନ ଏବଂ ସଂଘର୍ଷକୁ ସ୍ୱୀକୃତି ଦେଇଥାନ୍ତି, ସେତେବେଳେ ଏହାର ପ୍ରଭାବ ତାଙ୍କ ନୀତି, ଆଭିମୁଖ୍ୟ ଏବଂ ଚିନ୍ତାଧାରା ଗୁଡିକରେ ଦେଖିବାକୁ ମିଳିଥାଏ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କ୍ରୀଡାବିତ୍ ମାନଙ୍କ ପାଇଁ ପୂର୍ବ ସରକାର ମାନଙ୍କର ନୀତି, ଭିତ୍ତିଭୂମି, ପ୍ରଶିକ୍ଷଣ ସୁବିଧା ଏବଂ ଆର୍ôଥକ ସହାୟତାର ଅଭାବକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏହା କ୍ରୀଡାବିତ୍ ମାନଙ୍କର ସଫଳତା ପାଇବାରେ ଏକ ବଡ଼ ବାଧକ ସାଜିଛି ବୋଲି କହିଥିଲେ । ବିଗତ ୯ ବର୍ଷ ମଧ୍ୟରେ ଦେଶ ପୁରୁଣା ବ୍ୟବସ୍ଥା ଓ ଆଭିମୁଖ୍ୟରୁ ବିକଶିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ଆଜି ବିଭିନ୍ନ କ୍ରୀଡାବିତ୍ ମାନଙ୍କ ପାଇଁ ୪ – ୫ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । “ସରକାରଙ୍କ ଆଜିର ଆଭିମୁଖ୍ୟ କ୍ରୀଡାବିତ୍  – କେନ୍ଦ୍ରିତ”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଏହା ପ୍ରତିବନ୍ଧକ ଦୂର କରୁଛି ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି । “ସମ୍ଭାବ୍ୟ ଯୁକ୍ତ ମଂଚ ପ୍ରଦର୍ଶନ ସହିତ ସମାନ ଅଟେ । ଯେତେବେଳେ ସମ୍ଭାବ୍ୟତା ଆବଶ୍ୟକ ମଂଚ ପାଇଥାଏ ସେତେବେଳେ ପ୍ରଦର୍ଶନକୁ ପ୍ରୋତ୍ସାହନ ମିଳିଥାଏ”, ବୋଲି ସେ ମନ୍ତବ୍ୟ ଦେଇଥିଲେ ଏବଂ ଖେଲୋ ଇଣ୍ଡିଆ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ , ଯାହା କ୍ରୀଡାବିତ୍ ମାନଙ୍କୁ ତୃଣମୂଳ ସ୍ତରରେ ଚିହ୍ନଟ କରି ଏବଂ ସେମାନଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରି ସଫଳତା ହାସଲ କରିଥିଲା । ସେ ଟପ୍ସ ଇନିସିଏଟିଭ୍ ଏବଂ ଏକ ଭିନ୍ନକ୍ଷମ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅସୁବିଧା ଗୁଡିକର ମୁକାବିଲା କରିବା କ୍ଷେତ୍ରରେ କ୍ରୀଡ଼ାବିତ୍ ମାନଙ୍କର ଦୃଢ଼ତା ଦେଶ ପାଇଁ ସେମାନଙ୍କର ସର୍ବଶ୍ରେଷ୍ଠ ଅବଦାନ । ସେ କହିଥିଲେ ଯେ ଆପଣ ଅସମ୍ଭବ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଏହି ପ୍ରେରଣା ସବୁସ୍ଥାନରେ ସ୍ୱୀକୃତି ପାଇଛି ବୋଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ପ୍ରଶଂସା ବିଷୟରେ ଉଲ୍ଲେଖ କରିଥିଲେ । ସମାଜର ପ୍ରତ୍ୟେକ ବର୍ଗ ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କ ଠାରୁ ପ୍ରେରଣା ନେଉଛନ୍ତି । ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଆପଣଙ୍କ ଅଂଶଗ୍ରହଣ ମାନବ ସ୍ୱପ୍ନର ବିଜୟ । ଏହା ଆପଣ ମାନଙ୍କର ସବୁଠାରୁ ବଡ ଐତିହ୍ୟ । ଆଉ ସେଥିପାଇଁ ମୋର ବିଶ୍ୱାସ ଯେ ଆପଣମାନେ ଏଭଳି କଠିନ ପରିଶ୍ରମ କରିବେ ଏବଂ ଦେଶକୁ ଗର୍ବିତ କରିବା ଜାରି ରଖିବେ । ଆମ ସରକାର ଆପଣଙ୍କ ସହିତ ଅଛି, ଦେଶ ଆପଣଙ୍କ ସହିତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସଂକଳ୍ପର ଶକ୍ତିକୁ ଦୋହରାଇବା ସହିତ ପ୍ରଧାନମନ୍ତ୍ରୀ  ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ସେ କହିଥିଲେ ଯେ ଏକ ରାଷ୍ଟ୍ର ଭାବରେ ଆମେ କୌଣସି ମାଇଲଖୁଣ୍ଟରେ ଅଟକି ନାହୁଁ ଏବଂ ଆମର ଗୌରବକୁ ଅହୁରି ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ । “ଆମେ ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ପହଞ୍ଚିଛୁ, ମୁଁ ଦୃଢ଼ତାର ସହ କହୁଛି ଯେ ଆମେ ଏହି ଦଶନ୍ଧି ମଧ୍ୟରେ ଶ୍ରେଷ୍ଠ ୩ଟି ଅର୍ଥନୀତି ମଧ୍ୟରେ ରହିବୁ ଏବଂ ୨୦୪୭ରେ ଏହି ଦେଶ ବିକଶିତ ଭାରତରେ ପରିଣତ ହେବ” ।

ଏହି ଅବସରରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଭାରତୀୟ ପାରାଲିମ୍ପିକ୍ସ କମିଟିର ସଭାପତି ଶ୍ରୀମତୀ ଦୀପା ମଲ୍ଲିକ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଏବଂ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରାମାଣିକ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

୨୦୨୨ ଏସୀୟ ପାରା ଗେମ୍ସରେ ଭାରତ ୨୯ ସ୍ୱର୍ଣ୍ଣ ପଦକ ସହ ମୋଟ ୧୧୧ ପଦକ ଜିତିଛି । ଏସୀୟ ପାରା ଗେମ୍ସ ୨୦୨୨ରେ ସମୁଦାୟ ପଦକ ସଂଖ୍ୟା ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ (୨୦୧୮) ତୁଳନାରେ ୫୪% ବୃଦ୍ଧି ପାଇଛି ଏବଂ ୨୯ ଟି ସ୍ୱର୍ଣ୍ଣ ପଦକ ଜିତିଥିବା ପଦକ ସଂଖ୍ୟା  ୨୦୧୮ ର ବିଜୟ ତୁଳନାରେ ପ୍ରାୟ ଦୁଇଗୁଣ ଥିଲା ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ପାରାଲିମ୍ପିକ୍ କମିଟି ଓ ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଏସୀୟ ଦିବ୍ୟାଙ୍ଗ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍‌ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏସୀୟ ପାରା ଗେମ୍‌ସ୍ -୨୦୨୨ରେ ଭାରତ ୨୯ଟି ସ୍ୱର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି ।  ପୂର୍ବ ଏସୀୟ ପାରା ଗେମ୍‌ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି  ଓ ୨୦୧୮ରେ ଜିତିଥିବା ସ୍ୱର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ ।

କାର୍ଯ୍ୟକ୍ରମରେ କ୍ରୀଡାବିତ, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ପାରା ଅଲିମ୍ପିକ କମିଟି, ଭାରତୀୟ ଅଲିମ୍ପିକ ସଂଘର କର୍ମକର୍ତ୍ତା, ଜାତୀୟ କ୍ରୀଡା ମହାସଂଘର ପ୍ରତିନିଧିଗଣ ଏବଂ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅଧିକାର ବୃନ୍ଦ ଯୋଗଦେବେ ।

Categories
ଆଜିର ଖବର ଖେଳ ଜାତୀୟ ଖବର

‘‘ଭାରତର ଝିଅମାନେ ୧ ନମ୍ବର ସ୍ଥାନ ଠାରୁ କମରେ ସନ୍ତୁଷ୍ଟ ହେବାକୁ ପ୍ରସ୍ତୁତ ନାହାନ୍ତି’’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କ୍ରୀଡ଼ାବିତ୍‌ଙ୍କ ସହ ମତ ବିନିମୟ କରିଥିଲେ। ଭାରତ ଚଳିତ ବର୍ଷ ଏସୀୟ କ୍ରୀଡ଼ା ୨୦୨୨ରେ ୧୦୭ଟି ପଦକ ଜିତିଛି ଯେଉଁଥିରେ ୨୮ଟି ସ୍ୱର୍ଣ୍ଣ ପଦକ ସାମିଲ ରହିଛି। ଏହା ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ସର୍ବାଧିକ ପଦକ ବିଜୟ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଖେଳାଳୀଙ୍କୁ ଦେଶର ପ୍ରତ୍ୟେକ ନାଗରିକଙ୍କ ତରଫରୁ ସ୍ୱାଗତ କରିଥିଲେ ଏବଂ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ଏସୀୟ କ୍ରୀଡ଼ାର ଉଦଘାଟନୀ ସଂସ୍କରଣ ୧୯୫୧ ମସିହାର ଏହି ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା ଯାହାକି ଏକ ସଂଯୋଗର ବିଷୟ। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, କ୍ରୀଡ଼ାବିତ୍‌ଙ୍କ ସାହସ ଓ ପ୍ରତିବଦ୍ଧତା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚିବା ସହିତ ସବୁ ଦେଶବାସୀଙ୍କୁ ଆନନ୍ଦରେ ଅଧୀର କରି ଦେଇଛି।

୧୦୦ରୁ ଅଧିକ ପଦକ ଲକ୍ଷ୍ୟ ହାସଲ ପଛରେ ରହିଥିବା ପରିଶ୍ରମ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶ ଏଥିରେ ଗୌରବାନ୍ୱିତ ହୋଇପଡ଼ିଛି। ସେ ମଧ୍ୟ ପ୍ରଶିକ୍ଷକ ଓ ତାଲିମଦାତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶାରୀରିକ ପ୍ରଶିକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ସବୁ କ୍ରୀଡ଼ାବିତଙ୍କ ମାତାପିତାଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ପରିବାରର ଅବଦାନ ଓ ବଳିଦାନକୁ ଉଲ୍ଲେଖ କରିଥିଲେ। ପ୍ରଶିକ୍ଷଣ କ୍ଷେତ୍ର ଠାରୁ ଆରମ୍ଭ କରି ପୋଡିୟମ ପର୍ଯ୍ୟନ୍ତ, ମାତାପିତାଙ୍କ ସହାୟତା ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଆପଣମାନେ ଇତିହାସ ସୃଷ୍ଟି କରିଛନ୍ତି। ଚଳିତ ଏସୀୟ କ୍ରୀଡ଼ାର ପଦକ ଓ ଉପଲବ୍ଧି ଭାରତର ସଫଳତାର ପ୍ରମାଣ ଦେଉଛି। ବର୍ତ୍ତମାନ ସୁଦ୍ଧା ଏହା ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଆମେ ସଠିକ ମାର୍ଗରେ ଅଗ୍ରସର ହେବା ଏହା ଏକ ଆତ୍ମସନ୍ତୋଷର ବିଷୟ। ପୂର୍ବରୁ କରୋନା ଟିକାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରାଯାଉଥିଲା। କିନ୍ତୁ ଆମେ ଏଥିରେ ସଫଳ ହେବା ସହିତ ଲୋକଙ୍କ ଜୀବନ ବଞ୍ଚାଇବା ସହିତ ୧୫୦ରୁ ଅଧିକ ଦେଶକୁ ସହାୟତା କରିଛୁ। ସଠିକ୍‌ ମାର୍ଗରେ ଗତି କରିବାର ସମାନ ଅନୁଭବ ସେହି ସମୟରେ ହୋଇଥିଲା।

ସର୍ବାଧିକ ପଦକ ତାଲିକା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ବନ୍ଧୁକ ଚାଳନା, ସ୍କ୍ୱାଶ, ରୋଇଂ, ମହିଳା ବକ୍ସିଂ ଏବଂ ମହିଳା ଓ ପୁରୁଷ କ୍ରିକେଟ୍‌ ଓ ସ୍କ୍ୱାଶ ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣ ପଦକ ବିଷୟରେ କହିଥିଲେ। ସେ ମଧ୍ୟ ଆହୁରି କହିଥିଲେ, ଆମକୁ କେତେକ ପ୍ରତିଯୋଗିତାରେ ଦୀର୍ଘ ବର୍ଷ ପରେ ପଦକ ମିଳିଛି। ମହିଳା ସଟପୁଟ୍‌ରେ ୭୨ ବର୍ଷ ପରେ, ଚାରି ଗୁଣା ୧୦୦ ମିଟରରେ ୬୧ ବର୍ଷ ପରେ, ଅଶ୍ୱଚାଳନାରେ ୪୧ ବର୍ଷ ପରେ ଏବଂ ପୁରୁଷ ବ୍ୟାଡମିଣ୍ଟନରେ ୪୦ ବର୍ଷ ପରେ ପଦକ ମିଳିଛି। ଆପଣମାନଙ୍କ ପ୍ରୟାସ ଯୋଗୁ ଏତେ ବର୍ଷର ପ୍ରତୀକ୍ଷାର ଅନ୍ତ ବୋଲି ବୋଲି ପ୍ରଧାନମନ୍ତ୍ରୀ ଖେଳାଳୀମାନଙ୍କୁ କହିଥିଲେ।

ଭାରତ ଅଂଶଗ୍ରହଣ କରିଥିବା ପ୍ରାୟ ସବୁ ଖେଳରେ ପଦକ ଜିତିଥିବାରୁ ଏହି ସଫଳତାକୁ ଆହୁରି ବିସ୍ତାରିତ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅତିକମରେ ୨୦ଟି ଖେଳରେ ଭାରତ ପୂର୍ବରୁ କେବେ ପଦକ ଜିତିପାରିନଥିଲା। ଆପଣମାନେ କେବଳ ଏଥିରେ ଖାତା ଖୋଲିନାହାନ୍ତି ବରଂ ଯୁବପିଢ଼ିଙ୍କୁ ମଧ୍ୟ ଅନୁପ୍ରାଣିତ କରିଛନ୍ତି ବୋଲି ସେ କହିଥିଲେ। ଏହା ଏସୀୟ କ୍ରୀଡ଼ା ଠାରୁ ଆହୁରି ଆଗକୁ ଯିବ ଏବଂ ଆମର ଅଲିମ୍ପିକ୍ସ ଯାତ୍ରାକୁ ଏକ ନୂଆ ଆତ୍ମବିଶ୍ୱାସ ଦେବ ବୋଲି ସେ ଉଲ୍ଲେଖ କରିଥିଲେ।

ମହିଳା ଖେଳାଳୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ନେଇ ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରୁଥିବା କହିଥିଲେ। ଏହା ଭାରତର ଝିଅମାନଙ୍କ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି ବୋଲି ସେ କହିଥିଲେ। ସେ ସୂଚନା ଦେଇ କହିଥିଲେ ଯେ ଭାରତ ହାସଲ କରିଥିବା ସବୁ ପଦକ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ମହିଳା ଖେଳାଳୀମାନେ ଜିତିଛନ୍ତି ଏବଂ ମହିଳା କ୍ରିକେ୍‌ ଦଳ ହିଁ ପ୍ରଥମେ ଏହି ସଫଳତାର ପର୍ଯ୍ୟାୟ ଆରମ୍ଭ କରିଥିଲା। ସେ ମହିଳା ଦୌଡ଼କୁଦ ଦଳକୁ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ସେ କହିଥିଲେ, ଦୌଡ଼କୁଦ ଖେଳାରେ ଭାରତର ଝିଅମାନେ ୧ ନମ୍ବର ସ୍ଥାନ ଠାରୁ କିଛି କମରେ ସନ୍ତୁଷ୍ଟ ହେଉନାହାନ୍ତି। ଏହା ନୂତନ ଭାରତର ଉତ୍ସାହ ଓ ସାମର୍ଥ୍ୟକୁ ପ୍ରମାଣିତ କରୁଛି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଚୂଡ଼ାନ୍ତ ହ୍ୱିସିଲ୍‌ ନବାଜିବା ଏବଂ ବିଜେତା ଘୋଷଣା ନହେବା ପର୍ଯ୍ୟନ୍ତ ଭାରତ କେବେ ଅଟକି ନାହିଁ। ନୂତନ ଭାରତ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ପ୍ରୟାସ କରିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କେବେ ବି ପ୍ରତିଭାର ଅଭାବ ନଥିଲା ଏବଂ କ୍ରୀଡ଼ାବିତ୍‌ମାନେ ଅତୀତରେ ଭଲ ପ୍ରଦର୍ଶନ କରୁଥିଲେ। ତେବେ ବିଭିନ୍ନ ସମସ୍ୟା କାରଣରୁ ଆମେ ପଦକ ଠାରୁ ପଛରେ ପଡ଼ିଯାଇଥିଲୁ। ୨୦୧୪ ପରେ ହୋଇଥିବା ଆଧୁନିକୀକରଣ ଏବଂ ରୂପାନ୍ତରଣକାରୀ ପ୍ରୟାସ ବିଷୟରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭାରତ ନିଜର କ୍ରୀଡ଼ାବିତମାନଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷଣ ସୁବିଧା ଦେବା ଲାଗି ପ୍ରୟାସ ଜାରି ରଖିଛି। ସେହିପରି ଖେଳାଳୀମାନଙ୍କୁ ସର୍ବାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସୁଯୋଗ ଦିଆଯାଉଛି। ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସହିତ ଗ୍ରାମାଞ୍ଚଳର ପ୍ରତିମାନଙ୍କୁ ସର୍ବାଧିକ ସୁଯୋଗ ଦେବାକୁ ଚେଷ୍ଟା କରାଯାଉଛି। ୯ବର୍ଷ ପୂର୍ବର ସମୟ ତୁଳନାରେ କ୍ରୀଡ଼ା ବଜେଟ୍‌ ପରିମାଣ ତିନି ଗୁଣା ବୃଦ୍ଧି ପାଇଛି। ଆମର ଟପ୍ସ ଓ ଖେଲୋ ଇଣ୍ଡିଆ ଯୋଜନା ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ସେ ଖେଲୋ ଗୁଜରାଟ କିଭଳି ରାଜ୍ୟରେ ଖେଳର ସଂସ୍କୃତିକୁ ବଦଳାଇ ଦେଇଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଏସୀୟ କ୍ରୀଡ଼ାର ପ୍ରାୟ ୧୨୫ ଜଣ କ୍ରୀଡ଼ାବିତ୍‌ ଖେଲୋ ଇଣ୍ଡିଆ ଅଭିଯାନରୁ ଆସିଛନ୍ତି ଏମାନଙ୍କ ମଧ୍ୟରୁ ୪୦ ଜଣ ପଦକ ଜିତିଛନ୍ତି। ‘‘ଏତେ ସଂଖ୍ୟକ ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସଫଳତା ଏହି ଅଭିଯାନ ସଠିକ୍‌ ମାର୍ଗରେ ଯାଉଛି ବୋଲି ପ୍ରମାଣିତ କରୁଛି,’’ ସେ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ, ୩ହଜାର କ୍ରୀଡ଼ାବିତାଙ୍କୁ ଖେଲୋ ଇଣ୍ଡିଆ ଅଧୀନରେ ତାଲିମ ଦିଆଯାଉଛି।

ଏହି ଖେଳାଳୀମାନଙ୍କୁ ପ୍ରତି ବର୍ଷ ୬ ଲକ୍ଷ ଟଙ୍କାରୁ ଅଧିକ ବୃତ୍ତି ମିଳୁଛି। ଏହି ଯୋଜନା ଅଧୀନରେ, ୨୫ଶହ କୋଟି ଟଙ୍କାରୁ ଅଧିକ ସହାୟତା ଖେଳାଳୀମାନଙ୍କୁ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ଅର୍ଥାଭାବ କେବେ ଆପଣଙ୍କ ପ୍ରୟାସରେ ବାଧକ ସାଜିବ ନାହିଁ ବୋଲି ମୁଁ ଆଶ୍ୱାସନା ଦେଉଛି। ସରକାର ଆସନ୍ତ ପାଞ୍ଚ ବର୍ଷ ମଧ୍ୟରେ ଖେଳାଳୀ ଓ ଖେଳ ଉପରେ ଆଉ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଖେଳାଳୀମାନଙ୍କ ପାଇଁ ଦେଶର ପ୍ରତି କୋଣଅନୁକୋଣରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ।

ପଦକ ବିଜେତାଙ୍କ ମଧ୍ୟରେ ଅଧିକ ଯୁବ କ୍ରୀଡ଼ାବିତ୍‌ ରହିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଏହା ଏକ କ୍ରୀଡ଼ା ରାଷ୍ଟ୍ରର ପ୍ରତୀକ। ଏହି ଯୁବ ବିଜେତାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶ ପାଇଁ ଚମତ୍କାର ପ୍ରଦର୍ଶନ ଜାରି ରଖିବେ। ଯୁବ ଭାରତ ଭିତରେ ଏକ ନୂଆ ଚିନ୍ତାଧାରା ସୃଷ୍ଟି ହୋଇଛି ଏବଂ ଏହା କେବଳ ଭଲ ପ୍ରଦର୍ଶନରେ ସନ୍ତୁଷ୍ଟ ନୁହେଁ, ବରଂ ଏହା ପଦକ ଓ ବିଜୟ ଚାହୁଁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଯୁବପିଢ଼ିମାନେ ଏବେ ଗୋଟିଏ କଥା କହୁଛନ୍ତି – ‘‘ଦେଶ ପାଇଁ, ଆପଣମାନେ ହେଉଛନ୍ତି ଜିଓଏଟି- ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’’ (ସର୍ବକାଳୀନ ଶ୍ରେଷ୍ଠ)। ସେ କହିଥିଲେ ଯେ, କ୍ରୀଡ଼ାବିତମାନଙ୍କର ଉତ୍ସାହ, ସମର୍ପଣ ଏବଂ ପିଲାଦିନର କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଯୁବପିଢ଼ିଙ୍କ ଉପରେ ଖେଳାଳୀଙ୍କ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସକାରାତ୍ମକ ଶକ୍ତିକୁ ନେଇ ଅଧିକରୁ ଅଧିକ ମାତ୍ରାରେ ଯୁବପିଢ଼ିଙ୍କ ସହିତ ଅଧିକ ଯୋଡ଼ି ହେବାର ଆବଶ୍ୟକତା ରହିଛି। ପୂର୍ବରୁ ଖେଳାଳୀମାନଙ୍କୁ ସ୍କୁଲ ଯାଇ ପିଲାମାନଙ୍କ ସହିତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅନୁରୂପ ଭାବେ ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟର ବିପଦ ଏବଂ ଏହା ସେମାନଙ୍କ ଜୀବନକୁ କିଭଳି ବରବାଦ୍‌ କରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସେ ଖେଳାଳୀମାନଙ୍କ ଆହ୍ୱାନ କରିଥିଲେ। ସେ କହିଥିଲେ, ଦେଶ ଏବେ ନିଶାଦ୍ରବ୍ୟ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ୁଛି। ଖେଳାଳୀମାନେ ଯେତେବେଳେ ସୁଯୋଗ ମିଳୁଛି ସେହି ସମୟରେ ନିଶାଦ୍ରବ୍ୟର ବିପଦ ଏବଂ କ୍ଷତିକାରକ ଔଷଧ ସେବନ ସମ୍ପର୍କରେ ଖୋଲାଖୋଲି କହିବା ତଥା ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଖେଳାଳୀମାନେ ନିଶାଦ୍ରବ୍ୟ ବିରୋଧୀ ଲଢ଼େଇକୁ ଦୃଢ଼ କରିବା ଏବଂ ନିଶାମୁକ୍ତ ଭାରତ ନିର୍ମାଣ ପାଇଁ ଆଗକୁ ଆସିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

ଫିଟନେସ ପାଇଁ ସୁପରଫୁଡ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରି କ୍ରୀଡ଼ାବିତମାନଙ୍କୁ ଦେଶର ପିଲାମାନଙ୍କ ମଧ୍ୟରେ ପୋଷଣକୁ ପ୍ରାଥମିକତା ଦେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ଖେଳାଳୀମାନେ ପିଲାଙ୍କ ସହିତ ଯୋଡ଼ି ହେବା ସହିତ ସଠିକ୍‌ ଖାଇବା ଅଭ୍ୟାସ ସମ୍ପର୍କରେ ସେମାନଙ୍କ ସହିତ କଥା ହେବା ଉଚିତ୍‌। ମିଲେଟ୍‌ ବା ଶ୍ରୀଅନ୍ନ ଆନ୍ଦୋଳନ ଏବଂ ପୋଷଣ ମିଶନକୁ ସଫଳ କରାଇବାରେ ଖେଳାଳୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କ୍ରୀଡ଼ା କ୍ଷେତ୍ରରେ ଏହି ସଫଳତାକୁ ଜାତୀୟ ସଫଳତା ଭାବେ ପ୍ରଧାନମନ୍ତ୍ରୀ ଅଭିହିତ କରିଥିଲେ। ସେ କହିଥିଲେ, ଆଜି, ଭାରତ ଯେତେବେଳେ ବିଶ୍ୱସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରୁଛି, ଆପଣମାନେ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ସେଭଳି ପ୍ରଦର୍ଶନ କରିଛନ୍ତି। ଆଜି, ଭାରତ ଯେତେବେଳେ ବିଶ୍ୱର ଶୀର୍ଷ ୩ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି, ଆମର ଯୁବକମାନେ ଏଥିରୁ ସିଧାସଳଖ ଲାଭ ପାଉଛନ୍ତି। ମହାକାଶ, ଷ୍ଟାର୍ଟଅପ୍‌ ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଉଦ୍ୟମିତା କ୍ଷେତ୍ରରେ ମଧ୍ୟ ଅନୁରୂପ ସଫଳତା ମିଳୁଛି। ଭାରତର ଯୁବ ସମ୍ଭାବନା ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଖେଳାଳୀଙ୍କ ଉପରେ ଦେଶର ଯଥେଷ୍ଟ ବିଶ୍ୱାସ ରହିଛି। ଚଳିତ ବର୍ଷ ଏସୀୟ କ୍ରୀଡ଼ାରେ ଆମ ଯୁବପିଢ଼ିଙ୍କ ବିଶ୍ୱାସ ‘୧୦୦ ପାର୍’ ବାର୍ତ୍ତା ଉପରେ ଆଧାରିତ ଥିଲା, ଆପଣମାନେ ଏହି ବିଶ୍ୱାସକୁ ସାକାର କରିଛନ୍ତି। ଆସନ୍ତା ସଂସ୍କରଣରେ ଏହି ରେକର୍ଡ ଆହୁରି ଆଗକୁ ଯିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଖେଇ ଆସୁଥିବାରୁ ଭଲ ଭାବେ ପ୍ରସ୍ତୁତି କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥର ସଫଳତା ପାଇନଥିବା ଖେଳାଳୀମାନଙ୍କୁ ଶାନ୍ତ୍ୱନା ଜଣାଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିଜ ଭୁଲରୁ ଶିକ୍ଷାଲାଭ କରି ନୂତନ ପ୍ରୟାସ କରିବାକୁ କହିଥିଲେ। ୨୨ ଅକ୍ଟୋବରରୁ ଆରମ୍ଭ ହେଉଥିବା ପାରା ଏସୀୟ କ୍ରୀଡ଼ା ପାଇଁ ପ୍ରଧାନମନ୍ତ୍ରୀ ସବୁ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଏସୀୟ କ୍ରୀଡ଼ା ୨୦୨୨ରେ ଅସାଧାରଣ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତର ପ୍ରତିଯୋଗିତା ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଚଳିତ ଏସୀୟ କ୍ରୀଡ଼ାରେ ଭାରତ ୨୦ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ୍‌ ୧୦୭ଟି ପଦକ ହାସଲ କରିଛି। ମୋଟ୍‌ ପଦକ ସଂଖ୍ୟା ଦୃଷ୍ଟିରୁ ଏହା ଭାରତର ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ଏସୀୟ କ୍ରୀଡ଼ା ପ୍ରଦର୍ଶନ।

ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଖେଳାଳୀ, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ ସଂଘର ପଦାଧିକାରୀ, ଜାତୀୟ କ୍ରୀଡ଼ା ସଂଘଗୁଡ଼ିକର ପ୍ରତିନିଧି, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ଗଣ ଉପସ୍ଥିତ ଥିଲେ।