Categories
ଆଜିର ଖବର ଜାତୀୟ ଖବର ସିନେମା

କପୁର ପରିବାର ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ମହାନ ରାଜ କପୁରଙ୍କ ୧୦୦ ତମ ଜୟନ୍ତୀ ଅବସରରେ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭାବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ଭାରତୀୟ ଚଳଚ୍ଚିତ୍ରରେ ରାଜ କପୁରଙ୍କ ଅଦ୍ୱିତୀୟ ଯୋଗଦାନ ଏବଂ ଏହାର ଚିରସ୍ଥାୟୀ ଐତିହ୍ୟକୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କପୁର ପରିବାର ସହ ମନଖୋଲା ଆଲୋଚନା କରିଥିଲେ।

ଆଗାମୀ ଶତାବ୍ଦୀ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନିଜର ବହୁମୂଲ୍ୟ ସମୟ କାଢ଼ି ଆଲୋଚନା ପାଇଁ ସୁଯୋଗ ଦେଇଥିବାରୁ ରାଜ କପୁରଙ୍କ କନ୍ୟା ରୀମା କପୁର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁଶ୍ରୀ କପୁର ରାଜ କପୁରଙ୍କ ଚଳଚ୍ଚିତ୍ରର ଏକ ଗୀତର କେଇ ଧାଡ଼ି ଶୁଣାଇବା ସହ କହିଥିଲେ,ସମଗ୍ର ଦେଶ କପୁର ପରିବାରକୁ ଶ୍ରୀ ମୋଦୀ ସାକ୍ଷାତ ଅବସରରେ ଦେଇଥିବା ଭଲ ପାଇବା, ସଦିଚ୍ଛା ଓ ସ୍ନେହର ସାକ୍ଷୀ ରହିବ। ରାଜ କପୁରଙ୍କ ମହାନ ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ କପୁର ପରିବାରକୁ ସ୍ୱାଗତ କରିଥିଲେ।

ଶ୍ରୀ ମୋଦୀ କହିଥିଲେ କି, ରାଜ କପୁରଙ୍କ ଶତାବ୍ଦୀ ସମାରୋହ ଉତ୍ସବ ଭାରତୀୟ ଚଳଚ୍ଚିତ୍ର ଉଦ୍ୟୋଗର ସ୍ୱର୍ଣ୍ଣିମ ଯାତ୍ରାର ଗାଥାର ପ୍ରତୀକ। ସେ କହିଥିଲେ କି ୧୯୪୭ରେ ‘ନୀଲ କମଲ’ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଆମେ ଏବେ ୨୦୪୭ ମସିହା ଦିଗକୁ ଗତି କରୁଛନ୍ତି ଏବଂ ବିଗତ ଶହେ ବର୍ଷ ମଧ୍ୟରେ ଏହି ଚଳଚ୍ଚିତ୍ରର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୂଟନୀତି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ସଫ୍ଟ ପାୱାର’ ଶବ୍ଦକୁ ଉଦାହରଣ ଭାବେ ନେଇ ଶ୍ରୀ ମୋଦୀ କହିଥିଲେ କି ରାଜ କପୁର ସେ ସମୟରେ ସଫ୍ଟ ପାୱାର ଶବ୍ଦର ସ୍ଥାପନା କରିଥିଲେ, ଯେଉଁ ସମୟରେ କି ଏହି ଶବ୍ଦ ଗଢ଼ା ହୋଇ ନଥିଲା। ସେ କହିଥିଲେ କି ଭାରତର ସେବାରେ ରାଜ କପୁରଙ୍କର ଏହା ଥିଲା ବିରାଟ ଅବଦାନ।

ପ୍ରଧାନମନ୍ତ୍ରୀ କପୁର ପରିବାରଙ୍କୁ ରାଜ କପୁରଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ଯାହାକି ବିଶେଷ କରି ମଧ୍ୟ-ଏସିଆ ଉପରେ କେନ୍ଦ୍ରିତ ହୋଇଥିବ। ଯାହାକି ଏତେ ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ସେ କହିଥିଲେ କି ତାଙ୍କ ଜୀବନ ଉପରେ ରାଜ କପୁରଙ୍କ ପ୍ରଭାବ ପଡ଼ିଥିଲା। ଶ୍ରୀ ମୋଦୀ ପରିବାରକୁ କହିଥିଲେ କି, ମଧ୍ୟ-ଏସିଆରେ ଭାରତୀୟ ଚଳଚ୍ଚିତ୍ର ପାଇଁ ବହୁତ ସମ୍ଭାବନା ରହିଛି ଏବଂ ଏହାର ଫାଇଦା ନେବା ଦିଗରେ କାମ କରିବା ଆବଶ୍ୟକ। ସେ କହିଥିଲେ କି ମଧ୍ୟ-ଏସିଆର ନୂତନ ପିଢ଼ିଙ୍କ ନିକଟରେ ଏହାକୁ ପହଞ୍ଚାଇବାକୁ ପ୍ରଚେଷ୍ଟା କରିବା ଉଚିତ ଏବଂ ପରିବାରକୁ ଏପରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ, ଯାହାକି ସମ୍ପର୍କର ସେତୁ ଭଳି କାମ କରିବ।

ବିଶ୍ୱବ୍ୟାପୀ ମିଳିଥିବା ଭଲ ପାଇବା ଓ ପ୍ରସିଦ୍ଧିକୁ ସ୍ୱୀକାର କରି ରୀମା କପୁର କହିଥିଲେ, ଶ୍ରୀ ରାଜ କପୁରଙ୍କ ‘ସାଂସ୍କୃତିକ ରାଜଦୂତ’ କୁହାଯାଇପାରେ। ପ୍ରଧାନମନ୍ତ୍ରୀ ‘ବୈଶ୍ୱିକ ରାଜଦୂତ’ ହୋଇପାରିଥିବାରୁ ସେ ତାହାକୁ ପ୍ରଶଂସା କରି କହିଥିଲେ, କପୁର ପରିବାର ପ୍ରଧାନମନ୍ତ୍ରୀଙ୍କ ଏହି ପରିଚିତି ପାଇଁ ଗର୍ବ ଅନୁଭବ କରୁଛନ୍ତି। ଶ୍ରୀ ମୋଦୀ ଜୋର୍ ଦେଇ କହିଥିଲେ କି ଆଜି ଦେଶର ସମ୍ମାନ ଆଜି ଶୀର୍ଷରେ ପହଞ୍ଚିପାରିଛି। ବିଶ୍ୱବ୍ୟାପୀ ଆଲୋଚନା ହେଉଥିବା ଯୋଗକୁ ଏହାର ଉଦାହରଣ ଭାବେ ସେ ବର୍ଣ୍ଣନା କରିଥିଲେ। ସେ ଏହା ମଧ୍ୟ କହିଥିଲେ କି ବିଶ୍ୱ ନେତୃତ୍ୱଙ୍କୁ ସାକ୍ଷାତ କରିବା ଅବସରରେ ସେ ଯୋଗ ଏବଂ ଏହାର ଗୁରୁତ୍ୱ ବାବଦରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ କି ଗବେଷଣା ଏକ ମଜାଦାର ପ୍ରକ୍ରିୟା ଏବଂ ଏହା ଶିକ୍ଷା କରିବାର ପ୍ରକ୍ରିୟାରୁ ଆନନ୍ଦ ପାଇବାର ସୁବିଧା ମିଳିଥାଏ। ରାଜ କପୁରଙ୍କ ଉପରେ ଗବେଷଣା କରିବା ପରେ ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିବାରୁ ସେ ରାଜ କପୁରଙ୍କ ଅଣନାତି ଅର୍ମନ ଜୈନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାଦ୍ୱାରା ତାଙ୍କୁ ତାଙ୍କ ବୁଢ଼ା ବାପାଙ୍କ ଜୀବନଯାତ୍ରାରେ ବଂଚିବାର ସୁଯୋଗ ମିଳିପାରିଛି ବୋଲି ସେ କହିଥିଲେ।

ଚଳଚ୍ଚିତ୍ରର ଶକ୍ତିକୁ ମନେ ପକାଇବାକୁ ଯାଇ ଶ୍ରୀ ମୋଦୀ ତତ୍କାଳୀନ ଜନସଂଘ ପାର୍ଟି ଦିଲ୍ଲୀରେ ଏକ ନିର୍ବାଚନ ହାରିଥିବାର ଘଟଣାକୁ ଅବତାରଣା କରିଥିଲେ। ସେତେବେଳେ ନେତାମାନେ ରାଜ କପୁରଙ୍କ ଏକ ଚଳଚ୍ଚିତ୍ର ‘ଫିର୍ ସୁବହ ହୋଗୀ’ ଦେଖିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ କି ଦଳ ଏବେ ପୁନର୍ବାର ସୁବହ (ସକାଳ) ଦେଖିଛି। ଶ୍ରୀ ମୋଦୀ ଆଉ ଏକ ଘଟଣା ମନେ ପକାଇ କହିଥିଲେ କି ଯେତେବେଳେ ସେ ଚୀନ୍‌ରେ ବାଜୁଥିବା ଏକ ରେକର୍ଡିଂ ସେ ଣୁଷି କପୁରଙ୍କୁ ପଠାଇଥିଲେ ଏବଂ ସେ ବହୁତ ଖୁସି ହୋଇଥିଲେ।

କପୁର ପରିବାର ୨୦୨୪ ଡିସେମ୍ବର ୧୩, ୧୪ ଓ ୧୫ ତାରିଖରେ ରାଜ କପୁରଙ୍କ ଉପରେ ଏକ ରେଟ୍ରୋସ୍ପେକ୍ଟିଭ୍ ସୋ (ପୂର୍ବପ୍ରଭାବୀ) ଆୟୋଜନ କରୁଥିବା ଶ୍ରୀ ରଣବୀର କପୁର ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ସେ ଭାରତ ସରକାର, ଏନଏଫଡିସି ଏବଂ ଏନଏଫଏଆଇକୁ ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି କି, ପରିବାର ପକ୍ଷରୁ ୧୦ଟି ଚଳଚ୍ଚିତ୍ର ଦିଆଯାଇଛି ଏବଂ ସେଗୁଡ଼ିକର ଅଡ଼ିଓ ଓ ଭିଜୁଆଲକୁ ପୁନଃସ୍ଥାପିତ କରାଯାଇଛି। ଏଗୁଡ଼ିକୁ ସମଗ୍ର ଦେଶରେ ୪୦ଟି ସହରରେ ପ୍ରାୟ ୧୬୦ଟି ସିନେମା ହଲରେ ପ୍ରଦର୍ଶନ କରାଯିବ। ସେ କହିଛନ୍ତି କି ଏହାର ପ୍ରିମିୟର ସୋ ଡିସେମ୍ବର ୧୩ ତାରିଖରେ ମୁମ୍ବାଇରେ ଆୟୋଜନ କରାଯିବ ଏବଂ ଏଥିପାଇଁ ସମଗ୍ର ଚଳଚ୍ଚିତ୍ର ଉଦ୍ୟୋଗକୁ ନିମନ୍ତ୍ରଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ: ଏକତାର ପ୍ରତୀକ ଭାରତୀୟ ଚଳଚ୍ଚିତ୍ର

ଅଶ୍ୱିନୀ ବୈଷ୍ଣବ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍‌ ରାୟଙ୍କ ଉକ୍ତିରେ, ‘‘ଚଳଚ୍ଚିତ୍ର ଏକ ସାର୍ବଜନୀନ ଭାଷା କହିଥାଏ’’। ଏକତା ବଜାୟ ରଖିବାରେ ଚଳଚ୍ଚିତ୍ରର ଅଭିନବ ଶକ୍ତିକୁ ଚିହ୍ନି ସେ ଏହି ମତବ୍ୟକ୍ତ କରିଥିଲେ।  ଭାରତୀୟ ଚଳଚ୍ଚିତ୍ର ଜଗତ ନିଜର ଭାଷାଗତ ଓ ସାଂସ୍କୃତିକ ବିବିଧତା ବଳରେ ଦେଶର କୋଣ ଅନୁକୋଣରୁ ଲୋକମାନଙ୍କୁ ଏକାଠି କରିଥାଏ, ସେମାନଙ୍କର ଭାବନା ଓ ଅନୁଭୂତିକୁ ବାଣ୍ଟିବା ଲାଗି ଗୋଟିଏ ମଞ୍ଚ ପ୍ରଦାନ କରିଥାଏ। ତାମିଲ ଡ୍ରାମା ହେଉ କିମ୍ବା ହିନ୍ଦୀ ବ୍ଲକବଷ୍ଟର, ଅଥବା ମରାଠୀ ଇଣ୍ଡି ଫିଲ୍ମ, ଚଳଚ୍ଚିତ୍ର ସବୁବେଳେ ଏକ ଗଭୀର ଆତ୍ମୀୟତା ଭାବନାକୁ ପ୍ରୋତ୍ସାହିତ କରିଥାଏ, ବିଭାଜନ ଦୂର କରେ ଏବଂ ଭିନ୍ନତା ସତ୍ତ୍ୱେ ଆମେ ସମସ୍ତେ ଏକ ବୋଲି ଆମକୁ ମନେ ପକାଇ ଦେଇଥାଏ।

ଆଞ୍ଚଳିକ ଏବଂ ଭାଷାଗତ ସୀମା ଅତିକ୍ରମ କରିବାର କ୍ଷମତା ହିଁ ଭାରତୀୟ ଚଳଚ୍ଚିତ୍ରକୁ ସାର୍ବଜନୀନ କରିଥାଏ, ଏହାକୁ ରାଷ୍ଟ୍ରୀୟ ଏକତା ପାଇଁ ଏକ ପ୍ରଭାବଶାଳୀ ଶକ୍ତିରେ ପରିଣତ କରିଥାଏ। ସବୁ ଭାରତୀୟ ଭାଷାରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିବା ରାଜ କପୁରଙ୍କ ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ଶ୍ରୀ ୪୨୦ ହେଉ କିମ୍ବା ଦେଶବ୍ୟାପୀ ପ୍ରଶଂସିତ ହୋଇଥିବା ମଣି ରତ୍ନମଙ୍କ ରୋଜା, ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଏପରି ଭାବଗତ ଭାଷା କହିଥା’ନ୍ତି ଯାହାକୁ ସମସ୍ତେ ବୁଝିପାରିବେ। ଏମ.ଏସ. ସତ୍ୟୁଙ୍କ ଗରମ୍ହୱା ଏବଂ ବିମଳ ରାୟଙ୍କ ଦୋ ବିଘା ଜମିନ୍ଭଳି ଚଳଚ୍ଚିତ୍ର ଆମକୁ ସଂଘର୍ଷ, ପ୍ରେମ ଓ ବିଜୟର କାହାଣୀଗୁଡ଼ିକୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ କରାଯାଇପାରିବ ନାହିଁ ବୋଲି ସ୍ମରଣ କରାଇ ଦେଇଥା’ନ୍ତି। ବାସ୍ତବରେ ଭାରତକୁ ଏକଜୁଟ କରିବାର ସାମର୍ଥ୍ୟ ଚଳଚ୍ଚିତ୍ରରେ ରହିଛି ବୋଲି ଏଥିରୁ ପ୍ରମାଣ ମିଳେ।

ପ୍ରତିବର୍ଷ ଦେଶର ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ କଳାକାରମାନଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯିବା ସମୟରେ ଚଳଚ୍ଚିତ୍ରର ଏହି ସାର୍ବଜନୀନତାକୁ  ସମ୍ମାନ ପ୍ରଦର୍ଶନ କରାଯାଏ। ଏହା କେବଳ ଏକ ଆଖିଦୃଶିଆ, ଚର୍ଚ୍ଚିତ କାର୍ଯ୍ୟକ୍ରମ ନୁହେଁ, ଯାହା ପ୍ରାୟତଃ ଏଭଳି କାର୍ଯ୍ୟକ୍ରମରେ ଦେଖିବାକୁ ମିଳେ। ଏଥିରେ ନିର୍ମାତା, କାହାଣୀକାର ଓ ଅଭିନେତାଙ୍କ ମଧ୍ୟରେ ଥିବା ପ୍ରକୃତ ପ୍ରତିଭାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ। ଏହା ମାଧ୍ୟମରେ ଭାରତର ଭାଷା ଓ କଥିତ ଭାଷାଗୁଡ଼ିକର ବିବିଧତା ଓ ନାନା ରଙ୍ଗରେ ପରିପୂର୍ଣ୍ଣ ସ୍ୱତନ୍ତ୍ରତାକୁ ସମ୍ମାନ ବ୍ୟକ୍ତ କରାଯାଏ। ଏସବୁ ମିଶି ଏହି ମହାନ ରାଷ୍ଟ୍ରର ଯାଦୁକରୀ ଏକତାକୁ ସୁନ୍ଦର ଢଙ୍ଗରେ ପ୍ରଦର୍ଶିତ କରିଥା’ନ୍ତି। ଏହା ମଧ୍ୟ ଶତାଧିକ ଭାଷା କହୁଥିବା ପ୍ରାୟ ଦେଢ଼ ଶହ କୋଟି ଲୋକ ଏବଂ ସେମାନଙ୍କ କଥିତ ଭାଷାକୁ ଏକୀକୃତ କରିଥାଏ।

ତିୱା ଭାଷାରେ ନିର୍ମିତ ଏକ ଚଳଚ୍ଚିତ୍ର ‘ସିକାଇସାଲ୍‌’ (ଯଦି କେବଳ ଗଛମାନେ କଥା କହିପାରନ୍ତେ) ଶ୍ରେଷ୍ଠ ଚଳଚ୍ଚିତ୍ର ବିଜେତାମାନଙ୍କ ମଧ୍ୟରେ ସ୍ଥାନ ପାଇବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ସ୍ୱତନ୍ତ୍ରତାକୁ ପ୍ରମାଣିତ କରିଥାଏ। ଏହା ହେଉଛି ତିୱା ଲୋକମାନଙ୍କର ଭାଷା। ଏମାନେ ହେଉଛନ୍ତି ଉତ୍ତର-ପୂର୍ବ ଭାରତ, ବାଂଲାଦେଶ ଏବଂ ମ୍ୟାଁମାରରେ ବସବାସ କରୁଥିବା ଏକ ତିବ୍ବତୀୟ-ବ୍ରହ୍ମଦେଶୀୟ ଆଦିବାସୀ ସମ୍ପ୍ରଦାୟ। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ସରକାରଙ୍କୁ ଫିଚର୍‌ ଫିଲ୍ମ ବର୍ଗରେ ୩୨ଟି ଭିନ୍ନ ଭିନ୍ନ ଭାଷାରେ ୩୦୯ଟି ଚଳଚ୍ଚିତ୍ର ପାଇଁ ଆବେଦନ ମିଳିଥିବା ବେଳେ ଅଣ-ଫିଚର ଫିଲ୍ମ ବର୍ଗରେ ୧୭ଟି ଭାଷାରେ ୧୨୮ଟି ଚଳଚ୍ଚିତ୍ରର ନାମାଙ୍କନ ମିଳିଥିଲା। ଫିଚର ଫିଲ୍ମ ବର୍ଗରେ ୪ଟି ଭାରତୀୟ ଭାଷାର ଫିଲ୍ମ ସ୍ୱର୍ଣ୍ଣ କମଳ ପୁରସ୍କାର ଜିତିଥିଲା, ସେଥିମଧ୍ୟରୁ ଗୋଟିଏ ହରିୟାଣୀ ଭାଷାରେ ଥିଲା।

ଏହି ବର୍ଗରେ ହିନ୍ଦୀ ଓ ତାମିଲ ଭାଷାର ୫ଟି ଲେଖାଏଁ ଚଳଚ୍ଚିତ୍ର ରଜତ କମଳ ପୁରସ୍କାର ଜିତିଥିବା ବେଳେ ମାଲାୟାଲମ୍, ଗୁଜରାଟୀ, କନ୍ନଡ, ହରିୟାଣୀ ଏବଂ ବଙ୍ଗଳା ଭାଷାର ଚଳଚ୍ଚିତ୍ର ମଧ୍ୟ ପୁରସ୍କୃତ ହୋଇଥିଲେ। ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ଭାଷା ଗୁଡ଼ିକରେ ୧୦ଟି ଚଳଚ୍ଚିତ୍ରକୁ ରଜତ କମଳ ପୁରସ୍କାର ପ୍ରଦାନ କରାଯାଇଥିଲା। ହିନ୍ଦୀ ଏବଂ ଉର୍ଦ୍ଦୁରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ର ଶ୍ରେଷ୍ଠ ଅଣ-ଫିଚର ଚଳଚ୍ଚିତ୍ର ପାଇଁ ସ୍ୱର୍ଣ୍ଣ କମଳ ପୁରସ୍କାର ଜିତିଥିଲା।

ଭାଷାଗତ ରାଜନୀତିର ନାସ୍ତିକମାନେ ଯେତେ ଯୁକ୍ତି ବାଢ଼ନ୍ତୁ ପଛେ, ଭାଷାଗତ ରାଜ୍ୟଗୁଡ଼ିକୁ ନେଇ ଭାରତୀୟ ଗଣତନ୍ତ୍ର ଗଠନ ହେବାର ପ୍ରାୟ ୭୫ ବର୍ଷ ପରେ, ଅତୀତର ବାଧାଗୁଡ଼ିକୁ ବିଗତ ଏକ ଦଶନ୍ଧି ମଧ୍ୟରେ ଅନେକାଂଶରେ ସମାପ୍ତ ହୋଇଯାଇଛି। ଏକଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ବଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ ହିନ୍ଦୀକୁ ବ୍ୟାପକ ଭାବେ ଗ୍ରହଣୀୟ କରିଛନ୍ତି। କିନ୍ତୁ ଭାରତୀୟ ସମାଜର ବିବିଧ ଧାରା ଉପରେ ଏହା ହିଁ ଚଳଚ୍ଚିତ୍ରର ଏକମାତ୍ର ବଡ଼ ପ୍ରଭାବ। ଦ୍ୱିତୀୟ ବଡ଼ ପ୍ରଭାବ ହେଉଛି ‘ଅନ୍ୟ’ ଭାଷାଗତ ଗୋଷ୍ଠୀ ଓ ପରିଚୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ନେଇ ବିବିଧତାରେ ଏକତାର ଗଭୀର ଓ ଦୀର୍ଘସ୍ଥାୟୀ ଭାବନାକୁ ପ୍ରୋତ୍ସାହିତ କରିବା।

ଭାରତୀୟ ଚଳଚ୍ଚିତ୍ର ଜଗତ କଥା କହିଲେ ଏହା କେବଳ ଗୋଟିଏ ସ୍ଲୋଗାନ୍‌ ଠାରୁ ଊର୍ଦ୍ଧ୍ୱକୁ ଯାଇ ସୃଜନଶୀଳ ସ୍ରଷ୍ଟାମାନଙ୍କର ଏକ ଅକଳ୍ପନୀୟ ରୂପେ ବିଶାଳ ସମୁଦାୟକୁ ଏକତ୍ରିତ କରିଥାଏ। ଏହି ସ୍ରଷ୍ଟାମାନେ ରାଜନୀତି, ସମାଜ, ସଂସ୍କୃତି ଏବଂ ଆମେ ଯାହାକୁ ନୀତି ଓ ନୈତିକ ମୂଲ୍ୟବୋଧ ବୋଲି କହିଥାଉ, ସେହି ଅସଂଖ୍ୟ ବିଷୟ ଉପରେ ଆଧାରିତ ଯାଦୁକରୀ ମନୋରଞ୍ଜନ ଭେଟି ଦେବା ପାଇଁ ନିଜ ପ୍ରତିଭାକୁ ଏକତ୍ର ବିନିଯୋଗ କରିଥା’ନ୍ତି। ସେମାନଙ୍କର ଏହି ପ୍ରୟାସ ବ୍ୟକ୍ତିଗତ ଭାବେ ଆମକୁ ଏବଂ ଦେଶର ସବୁ ଲୋକଙ୍କୁ ନେଇ ଏକ ରାଷ୍ଟ୍ର ରୂପେ ବାନ୍ଧି ରଖିଥାଏ। ଦେଖିବାକୁ ଗଲେ ନୀତି, ନୈତିକତା ଓ ନୈତିକ ମୂଲ୍ୟବୋଧକୁ ଦର୍ଶାଉଥିବା ଏହି ସାର୍ବଜନୀନ ଉପାଦାନ ବିନା କୌଣସି ଭାରତୀୟ କାହାଣୀ କୁହାଯାଇନାହିଁ ଏବଂ ଏହାକୁ କେବଳ ଚଳଚ୍ଚିତ୍ର ନିର୍ମାତା ଏବଂ ଦର୍ଶକଙ୍କ ଅନ୍ତର୍ଦୃଷ୍ଟି ହିଁ ଅନୁଭବ କରିପାରିବ। ବର୍ତ୍ତମାନ ସୁଦ୍ଧା ଦୁଇଟି ଶ୍ରେଷ୍ଠ କାହାଣୀ ରୂପେ ମାନ୍ୟତା ପାଇଥିବା ରାମାୟଣ ଓ ମହାଭାରତ ଏହି କଥାକୁ ପ୍ରମାଣିତ କରିବାରେ ସହାୟକ ହୋଇଥାଏ।

ଆମ ସିନେମାର ଅନ୍ୟ ଏକ ସାଧାରଣ ଧାରା ହେଉଛି ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ବିଭାଜନର ମୂଳରେ ଥିବା ବିଭାଜନକାରୀ ପ୍ରତୀକଗୁଡ଼ିକୁ ଆମ ଚଳଚ୍ଚିତ୍ର ନିର୍ମାତାମାନେ ସହଜରେ ହଟାଇ ଦିଅନ୍ତି। ଏହା ମଧ୍ୟ ଭାରତରେ କାହାଣୀ କହିବାର କଳାର ଅନନ୍ୟ ଶକ୍ତି: କଳା ଚଳଚ୍ଚିତ୍ର ହେଉ, ଲୋକପ୍ରିୟ ଚଳଚ୍ଚିତ୍ର ହେଉ, ବ୍ୟବସାୟିକ ଚଳଚ୍ଚିତ୍ର ହେଉ କିମ୍ବା ଆଧୁନିକ ସମୟର ଆହ୍ୱାନ ଉପରେ ଆଧାରିତ ଚଳଚ୍ଚିତ୍ର ଅଥବା ଓଟିଟି ଚଳଚ୍ଚିତ୍ର ହେଉ, ଏସବୁ ଦେଖି ଆମେ ଏକାଠି ଉତ୍ସାହିତ ହୋଇଥାଉ, ଏକାଠି ପ୍ରଶଂସା କରିଥାଉ ଏବଂ ଏକାଠି ଉତ୍ସବ ପାଳନ କରିଥାଉ। ଓସ୍କାର ଓ ଗୋଲ୍ଡେନ୍ ଗ୍ଲୋବ୍ ଜିତିଥିବା ତେଲୁଗୁ ମ୍ୟୁଜିକାଲ୍ ‘ଆରଆରଆର୍’ର ଗୀତ ‘ନାଟୁନାଟୁ’ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଭାଷା, ଜାତି ଓ ଜାତୀୟତା ନିର୍ବିଶେଷରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା।

ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ଉନ୍ନତ କରିବା ପାଇଁ ସରକାର ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ଧ୍ୟାନ ଦେଉଛନ୍ତି: ଏକ ଦୃଢ଼ ପ୍ରତିଭା ପାଇପ୍ ଲାଇନ୍ ବିକଶିତ କରିବା, ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଭିତ୍ତିଭୂମି ବୃଦ୍ଧି କରିବା ଏବଂ କାହାଣୀକାରମାନଙ୍କୁ ସଶକ୍ତ କରିବା ପାଇଁ ପ୍ରକ୍ରିୟାକୁ ସରଳ କରିବା। ସରକାର ନିକଟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି, ଯାହା ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏଥିସହିତ ଚଳଚ୍ଚିତ୍ର ନିର୍ମାଣ, ଇମର୍ସିଭ୍ ଏକ୍ସପିରିଏନ୍ସ (ଭୌତିକ ଜଗତ ଠାରୁ ଭିନ୍ନ ଅନୁଭୂତି ଯଥା: ଭର୍ଚୁଆଲ ରିଅଲିଟି, ଅଗମେଣ୍ଟ ରିଅଲିଟି ଆଦି) ଏବଂ ଇଣ୍ଟରଆକ୍ଟିଭ୍ (ପାରସ୍ପରିକ ଯୋଗାଯୋଗ)  ମନୋରଞ୍ଜନର ଅତ୍ୟାଧୁନିକ ଜ୍ଞାନକୌଶଳ ଗ୍ରହଣ କରି ଭାରତୀୟ ସିନେମା ଉଭୟ ଜାତୀୟ ଏକତା ପାଇଁ ଏବଂ ବିଶ୍ୱ ମନୋରଞ୍ଜନ ନିମନ୍ତେ ଏକ ପ୍ରଭାବଶାଳୀ ଶକ୍ତି ଭାବେ ନିଜର ସ୍ଥିତି ସୁଦୃଢ଼ କରିଛି।

ଭବିଷ୍ୟତକୁ ଦେଖିଲେ ଏକ ଭାରତ ଶ୍ରେଷ୍ଠ ଭାରତରେ ସିନେମାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଦ୍ରୁତ ବିକଶିତ ଦୁନିଆରେ ଭାରତୀୟ ସିନେମା ନିଜର ଦିଗନ୍ତକୁ ଅଭିନବ ଢଙ୍ଗରେ ବିସ୍ତାର କରିବା ଜାରି ରଖିଛି। ଏହା ଏପରି କାହାଣୀ କହୁଛି ଯାହା କେବଳ ଆମର ବିବିଧତାକୁ ପ୍ରତିଫଳିତ କରେ ନାହିଁ ବରଂ ଏକ ସହଭାଗୀ ଭବିଷ୍ୟତର କଳ୍ପନା ମଧ୍ୟ କରେ। ପ୍ରତ୍ୟେକ ଫ୍ରେମ ସହିତ, ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀର ସୀମାକୁ ଆଗକୁ ବଢ଼ାଉଛନ୍ତି। ପରସ୍ପର ସହ ଯୋଡ଼ି ହୋଇ ରହିଥିବା ଏବଂ ଆଗକୁ ବଢ଼ୁଥିବା ଭାରତର ଏକତା ଓ ପ୍ରଗତି ପାଇଁ ଚଳଚ୍ଚିତ୍ର ଯେପରି ଏକ ପ୍ରଭାବଶାଳୀ ଶକ୍ତି ହୋଇପାରିବ ତାହା ନିର୍ମାତାମାନେ ସୁନିଶ୍ଚିତ କରୁଛନ୍ତି।

କେନ୍ଦ୍ର ସୂଚନା ପ୍ରସାରଣ, ରେଳ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ