Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳ ଓ କମିଶନର ନାମରେ ମାମଲା ରୁଜୁ କରିବା ନେଇ ଭାରତୀୟ ବିକାଶ ପରିଷଦ ଥାନାର ଦ୍ୱାରସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମହାମାରୀ ଆଇନ ଏବଂ ସନାତନ ହିନ୍ଦୁ ଧର୍ମ ଶହଶହ ବର୍ଷର ଧାର୍ମିକ ଭାବନା ଓ ପ୍ରଥାକୁ ଅବଜ୍ଞା କରିବା ଅଭିଯୋଗରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ନାମରେ ମାମଲା ରୁଜୁ କରିବାକୁ ଭାରତୀୟ ବିକାଶ ପରିଷଦ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛି।

ପରିଷଦ ଅଭିଯୋଗ କରିଛି ଯେ, ଗଂଜାମ ଜିଲ୍ଲାରେ ବହୁ ବର୍ଷରୁ ପ୍ରଚଳିତ ଦଣ୍ଡନାଟ, ମା’ ଠାକୁରାଣୀ ଯାତ୍ରା, ଶିବରାତ୍ରୀ ଆଦିକୁ ବନ୍ଦ କରିବାକୁ ହୀନ ପ୍ରୟାସ କରି ନିକଟରେ ରାମଲିଙ୍ଗଶ୍ୱେର ମହୋତ୍ସବ, ଜଉଗଡ଼ ମହୋତ୍ସବ ଏବଂ ଅନ୍ୟାନ୍ୟ ମହୋତ୍ସବ ପ୍ରଶାସନର ଇଙ୍ଗିତରେ ଅନୁଷ୍ଠିତ ହେଉଛି। କିନ୍ତୁ କରୋନା କଟକଣାକୁ ଦ୍ୱାହି ଦେଇ ହିନ୍ଦୁଧର୍ମର ଧାର୍ମିକ ପରମ୍ପରା ଏବଂ ରୀତିନୀତିକୁ ପାଦ ତଳେ ଚାପି ଦିଆଯାଉଛି।

ଗତ ଶିବରାତ୍ରି ଦିନ ହଜାର ହଜାର ଲୋକଙ୍କ ଗହଳି ଚହଳି ମଧ୍ୟରେ ରାମଲିଙ୍ଗେଶ୍ୱର ମହୋତ୍ସବ ଆୟୋଜିତ ହୋଇଛି। ଯାହାଫଳରେ ଗତକାଲି ବ୍ରହ୍ମପୁର ସହରରେ ପୁଣିଥରେ କରୋନାର ଲେଟଟାଣି ହୋଇ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇ ଅଫିସର ଗଂଜାମ ଜିଲ୍ଲାର ଶତ୍ରୁ ରୂପେ ପରିଚିତ ଓ ନିଜ ସ୍ୱାର୍ଥ ପାଇଁ ଜିଲ୍ଲାର ସାମୂହିକ ସ୍ୱାର୍ଥର ପରିପନ୍ଥି ବୋଲି ପରିଷଦ ଅଭିଯୋଗ କରିଛି।

ତେଣୁ ଜିଲ୍ଲାପାଳ ଏବଂ କମିଶନର ମହାମାରୀ ଆଇନର ଅବଜ୍ଞା, ହିନ୍ଦୁଧର୍ମର ଦେବାଦେବୀ ପରମ୍ପରା ପ୍ରତି କୁଠାରାଘାତ, ସାମ୍ବିଧାନିକ ପଦର ଅପବ୍ୟବହାର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦେଶକୁ ଅବମାନନା, ଜିଲ୍ଲାର କରୋନାର ପ୍ରସାର ପାଇଁ ତୁରନ୍ତ ଏଫ୍‌ଆଇଆର୍ ରୁଜୁ କରି ଗିରଫ କରିବା ପାଇଁ ପରିଷଦ ଦାବି କରିଛି।

ଯଦି ତିନିଦିନ ମଧ୍ୟରେ ଏପ୍‌ଆଇଆର୍ ରୁଜୁ କରି ଗିରଫ କରାନଯାଏ, ତେବେ ପରିଷଦ ବ୍ରହ୍ମପୁର ଡ଼ିଆଇଜି ଅଫିସ୍ ଘେରାଉ କରିବା ସହ କୋର୍ଟର ଦ୍ୱାରସ୍ଥ ହେବ ବୋଲି ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି।

ଅଭିଯୋଗ ପତ୍ର ପ୍ରଦାନ ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ସହ ସାଧାରଣ ସଂପାଦକ ରଶ୍ମିରଂଜନ, ବୃନ୍ଦାବନ ବେହେରା, କିଶୋର ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ଦଳବେହେରା, ହୃଷିକେଶ ପାତ୍ର, ସୁମତି ପଲେଇ, କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ବିଲ୍ ସଂଶୋଧିତ ନ ହେଲେ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ: ଭାରତୀୟ ବିକାଶ ପରିଷଦ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାର ପାରିତ କରିଥିବା ତିନୋଟି କୃଷି ବିଲ୍ ସାରା ଦେଶ ତଥା ଓଡ଼ିଶା କୃଷକଙ୍କ ପାଇଁ ବଂଚିବାର ଅଧିକାର ଛଡ଼ାଇ ନେବା ସହ ଜୀବିକା ମାରଣ ନୀତି ବୋଲି ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ଆଜି ବହୁ କୃଷକଙ୍କ ସହ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ପୂର୍ବସୂଚୀ ଅନୁଯାୟୀ ଆର୍‌ଡ଼ିସିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ୧୯୫୫ ଆଇନରେ ଅନ୍ତର୍ଭୁକ୍ତ କରିବା, ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ପ୍ରତ୍ୟାହାର କରିବା, କର୍ପୋରେଟ ହାଉସ୍ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସୀମା ଧାର୍ଯ୍ୟ କରିବା, ପ୍ରଚଳିତ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ରାଜସ୍ୱ ଗ୍ରାମର ଶତକଡ଼ା ୭୦ ଭାଗ ଜମି କୃଷି କର୍ମଣ ପାଇଁ ସଂରକ୍ଷିତ ରଖିବା, କୃଷି ନୀତିରେ ସଂଶୋଧନ କରିବା, କଂପାନୀ ନେଇଥିବା ଜମିଗୁଡ଼ିକ ଫେରାଇ ଦେବା, ଡ଼ିଜିଟାଲ୍ କୋର-ଇ-ଭୁଲେଖ ବ୍ୟବସ୍ଥା ପ୍ରଚଳନ କରିବା, କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ୱାମିନାଥନ କମିଟି ରିପୋର୍ଟ ତୁରନ୍ତ ଲାଗୁ କରିବା ଆଦି ଦାବି ରହିଛି। ତିନୋଟି କୃଷି ଆଇନ ସ୍ୱାଗତ ଯୋଗ୍ୟ କିନ୍ତୁ ଏଥିରେ ସଂଶୋଧନ କରିବା ବି ଜରୁରୀ ନଚେତ୍ ଏହା କୃଷକ ମାରଣ ନୀତିରେ ପରିଗଣିତ ହେବ।

ଏଥିରେ କୃଷକ ନେତା ରମେଶ କର, ଉମାକାନ୍ତ, ସୁଦର୍ଶନ ପାତ୍ର, ବିପ୍ରଚରଣ ବେହେରା, ବିଜୟ କୁମାର ଜେନା ଓ ଅନ୍ୟାନ୍ୟ ଉପସ୍ଥିତ ଥିବାବେଳେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଉପସଭାପତି କିଶୋର ପାତ୍ର, ସଂପାଦକ ରଶ୍ମୀରଂଜନ, ଗୁରୁ ପାତ୍ର, ଇ. ପ୍ରଭାବତୀ, ଗୌରୀ ମହାନ୍ତି, ରାଜେନ୍ଦ୍ର ଦଳବେହେରା, ବୃନ୍ଦାବନ ବେହେରା, ପ୍ରମୋଦ ସାହୁ, ଯୋହରା ବିବି, ନଶନା ବିବି, ସବିରା ବିବି, ଶେଖ ସାଲାମ୍‌, ରହତୁନ ବିବି, ଆବିଦ ଖାନ, ଅବଦୁଲ ଜାମାଲ୍ ଖାନ ଆଦି ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ବିଲ୍ ସଂଶୋଧନ କରିବାକୁ ଦାବି କଲା ଭାରତୀୟ ବିକାଶ ପରିଷଦ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ତିନୋଟି କୃଷକ ବିଲ୍ ଦେଶ ତଥା ଓଡ଼ିଶାର କୃଷକଙ୍କ ବଂଚିବା ଅଧିକାର ଓ ଜୀବିକାକୁ ନଷ୍ଟ କରୁଛି। ଏନେଇ ଆଜି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ନବ ନିର୍ମାଣ କୃଷକ ସଂଘ, ଋଷିକୂଲ୍ୟା ରୟତ ମହାସଂଘ, ବଳଦେବ ଜୀଉ ସ୍ୱାମୀ କୃଷକ ସଂଘ, ଅନାନ କୃଷକ ସଂଘର ନେତୃବନ୍ଦ ଏକତ୍ରିତ ହୋଇ ଏକ ବିଲ୍‌କୁ ସଂଶୋଧନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ। ଦାବିଗୁଡ଼ିକ ଯଦି ପୂରଣ ନହୁଏ ତେବେ ଆଗାମୀ ୧୮ ତାରିଖରେ ଜିଲ୍ଲାର ସମସ୍ତ ଚାଷୀ ଆର୍‌ଡ଼ିସି କାର୍ଯ୍ୟାଳୟ ଘେରାଉ କରିବା ସଂଗେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ।

ଉପରୋକ୍ତ ସଂଘଗୁଡ଼ିକ ଦାବିଗୁଡ଼ିକ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ତୁରନ୍ତ ନାକଚ କରିବା, କର୍ପୋରେଟ ସେକ୍ଟରରେ ନିତ୍ୟ ବିବ୍ୟହାର୍ଯ୍ୟ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସର୍ବାଧିକ ସୀମା ନିର୍ଦ୍ଧାରଣ କରିବା, ସ୍ଥାବର ସଂପତ୍ତିକୁ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ଚାଷୀ ସଂଘଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିଜେ ନିର୍ଦ୍ଧାରଣ କରିବା, ରାଜସ୍ୱ ଗ୍ରାମର ୭୦ ପ୍ରତିଶତ କୃଷି କର୍ମଣ ପାଇଁ ସଂରକ୍ଷଣ ରଖିବା ନେଇ ଆଇନ, ସେଜ୍ ଆକ୍ଟ ୨୦୦୫ ଅନୁଯାୟୀ ସ୍ପେସାଲ୍ ଇକୋନମିକ୍ ଜୋନ୍ ନାମରେ କଂପାନୀମାନେ ନେଇଥିବା ଚାଷଜମିକୁ ତୁରନ୍ତ ଫେରାଇବା, ଚାଷୀଙ୍କ ସାମଗ୍ରୀ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କରିବା, ଡ଼ିଜିଟାଲ୍ “କୋର ଇ-ଭୁଲେଖ” ବ୍ୟବସ୍ଥା ପ୍ରଚଳନ କରିବା, କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ୱାମିନାଥନ କମିଟି ରିପୋର୍ଟକୁ ଲାଗୁ କରିବା ପ୍ରଭୃତି ରହିଛି। ଦାବିଗୁଡ଼ିକୁ ଚାଷୀକୁଳର ସ୍ୱାର୍ଥକୁ ନଜରରେ ରଖି କେନ୍ଦ୍ର ସରକାର ଆଇନଗୁଡ଼ିକୁ ସଂଶୋଧନ କରିବାକୁ ପଡ଼ିବ ନତୁବା ଏହା କୃଷକ ମାରଣ ନୀତି ରୂପେ ପରିଗଣଇତ ହେବ ବୋଲି ସଂଘର ମୁଖ୍ୟମାନେ ମତ ରଖିଥିଲେ।

ଏଥିରେ ଭାରତୀୟ ବିକାଶ ପରିଷଦର ଉପସଭାପତି କିଶୋର ପାତ୍ର, ସଂପାଦକ ରଶ୍ମିରଜନ, ମହନ୍ତ ଚିନ୍ମୟାନନ୍ଦ, ଗୁରୁ ପାତ୍ର, ଲଲିତ ମୋହନ ପାଢ଼ୀ, ଇ. ରାଜେନ୍ଦ୍ର ପ୍ରସାଦ, ବାଳକୃଷ୍ଣ ସାମନ୍ତରାୟ, ଗୌରୀ ମହାନ୍ତି, ରାଜେନ୍ଦ୍ର ଦଳବେହେରା, ବିରେନ୍ ପଟ୍ଟନାୟକ, ମନୋଜ ବିଷୋୟୀ, ଅଲ୍ଲୀ ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।