କୃଷକ ବିଲ୍ ସଂଶୋଧନ କରିବାକୁ ଦାବି କଲା ଭାରତୀୟ ବିକାଶ ପରିଷଦ

Published: Nov 6, 2020, 9:47 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ତିନୋଟି କୃଷକ ବିଲ୍ ଦେଶ ତଥା ଓଡ଼ିଶାର କୃଷକଙ୍କ ବଂଚିବା ଅଧିକାର ଓ ଜୀବିକାକୁ ନଷ୍ଟ କରୁଛି। ଏନେଇ ଆଜି ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ନବ ନିର୍ମାଣ କୃଷକ ସଂଘ, ଋଷିକୂଲ୍ୟା ରୟତ ମହାସଂଘ, ବଳଦେବ ଜୀଉ ସ୍ୱାମୀ କୃଷକ ସଂଘ, ଅନାନ କୃଷକ ସଂଘର ନେତୃବନ୍ଦ ଏକତ୍ରିତ ହୋଇ ଏକ ବିଲ୍‌କୁ ସଂଶୋଧନ କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ। ଦାବିଗୁଡ଼ିକ ଯଦି ପୂରଣ ନହୁଏ ତେବେ ଆଗାମୀ ୧୮ ତାରିଖରେ ଜିଲ୍ଲାର ସମସ୍ତ ଚାଷୀ ଆର୍‌ଡ଼ିସି କାର୍ଯ୍ୟାଳୟ ଘେରାଉ କରିବା ସଂଗେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ।

ଉପରୋକ୍ତ ସଂଘଗୁଡ଼ିକ ଦାବିଗୁଡ଼ିକ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆକ୍ଟ ୨୦୨୦କୁ ତୁରନ୍ତ ନାକଚ କରିବା, କର୍ପୋରେଟ ସେକ୍ଟରରେ ନିତ୍ୟ ବିବ୍ୟହାର୍ଯ୍ୟ ସାମଗ୍ରୀ କିଣିବା ଓ ଗଚ୍ଛିତ ରଖିବାର ସର୍ବାଧିକ ସୀମା ନିର୍ଦ୍ଧାରଣ କରିବା, ସ୍ଥାବର ସଂପତ୍ତିକୁ ଲିମିଟେସନ ଆକ୍ଟ ୧୯୬୩ରୁ ବାଦ୍ ଦେବା, ଚାଷୀ ସଂଘଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିଜେ ନିର୍ଦ୍ଧାରଣ କରିବା, ରାଜସ୍ୱ ଗ୍ରାମର ୭୦ ପ୍ରତିଶତ କୃଷି କର୍ମଣ ପାଇଁ ସଂରକ୍ଷଣ ରଖିବା ନେଇ ଆଇନ, ସେଜ୍ ଆକ୍ଟ ୨୦୦୫ ଅନୁଯାୟୀ ସ୍ପେସାଲ୍ ଇକୋନମିକ୍ ଜୋନ୍ ନାମରେ କଂପାନୀମାନେ ନେଇଥିବା ଚାଷଜମିକୁ ତୁରନ୍ତ ଫେରାଇବା, ଚାଷୀଙ୍କ ସାମଗ୍ରୀ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କରିବା, ଡ଼ିଜିଟାଲ୍ “କୋର ଇ-ଭୁଲେଖ” ବ୍ୟବସ୍ଥା ପ୍ରଚଳନ କରିବା, କୃଷି ଉତ୍ପାଦର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ୱାମିନାଥନ କମିଟି ରିପୋର୍ଟକୁ ଲାଗୁ କରିବା ପ୍ରଭୃତି ରହିଛି। ଦାବିଗୁଡ଼ିକୁ ଚାଷୀକୁଳର ସ୍ୱାର୍ଥକୁ ନଜରରେ ରଖି କେନ୍ଦ୍ର ସରକାର ଆଇନଗୁଡ଼ିକୁ ସଂଶୋଧନ କରିବାକୁ ପଡ଼ିବ ନତୁବା ଏହା କୃଷକ ମାରଣ ନୀତି ରୂପେ ପରିଗଣଇତ ହେବ ବୋଲି ସଂଘର ମୁଖ୍ୟମାନେ ମତ ରଖିଥିଲେ।

ଏଥିରେ ଭାରତୀୟ ବିକାଶ ପରିଷଦର ଉପସଭାପତି କିଶୋର ପାତ୍ର, ସଂପାଦକ ରଶ୍ମିରଜନ, ମହନ୍ତ ଚିନ୍ମୟାନନ୍ଦ, ଗୁରୁ ପାତ୍ର, ଲଲିତ ମୋହନ ପାଢ଼ୀ, ଇ. ରାଜେନ୍ଦ୍ର ପ୍ରସାଦ, ବାଳକୃଷ୍ଣ ସାମନ୍ତରାୟ, ଗୌରୀ ମହାନ୍ତି, ରାଜେନ୍ଦ୍ର ଦଳବେହେରା, ବିରେନ୍ ପଟ୍ଟନାୟକ, ମନୋଜ ବିଷୋୟୀ, ଅଲ୍ଲୀ ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Related posts