Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜିଠୁ ଦିଲ୍ଲୀରୁ ‘ଶ୍ରୀ ଜଗନ୍ନାଥ ଯାତ୍ରା’ କରିବ ଭାରତ ଗୌରବ ଟୁରିଷ୍ଟ ଟ୍ରେନ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ ଉଦ୍ୟୋଗ ଆଇଆର୍‌ସିଟିସି ଲିଃ ପକ୍ଷରୁ ଶ୍ରୀ ଜଗନ୍ନାଥ ଯାତ୍ରା ପାଇଁ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରିଛି, ଯାହାକି ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଏବଂ ଐତିହ୍ୟସ୍ଥଳୀକୁ ଯାତ୍ରା କରିବ। ଏହି ଟ୍ରେନ ୮ ଦିନିଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ପର୍ଯ୍ୟଟକମାନେ ଭାରତର ଚାରିଧାମ ଅର୍ଥାତ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିପାରିବେ। ଏହାବ୍ୟତୀତ ବାରାଣାସୀ, ବୈଦ୍ୟନାଥ ଧାମ ଏବଂ ଗୟା ଗସ୍ତ ମଧ୍ୟ ପର୍ଯ୍ୟଟନରେ ଆକର୍ଷଣୀୟ ହେବ।

ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଯାତ୍ରାର ପ୍ରଥମ ରହଣୀ ପ୍ରାଚୀନ ପବିତ୍ର ବାରାଣାସୀ ସହର, ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତୀସ୍ଥଳ ଆଦି ପରିଦର୍ଶନ କରିପାରିବେ। ବାରାଣାସୀ ପରେ ଟ୍ରେନ ଝାରଖଣ୍ଡର ଯଶିଡିହି ରେଳଷ୍ଟେସନକୁ ଯାତ୍ରା ଆରମ୍ଭ କରିବ ଏବଂ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋର୍ତିଲିଙ୍ଗ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ। ଏହା ପରେ ପରେ ଟ୍ରେନ ଯଶିଡିହି ରେଳଷ୍ଟେସନ ରୁ ଓଡ଼ିଶାର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ୨ ରାତି ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବାର ସୁଯୋଗ ପାଇପାରିବେ। ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ ଯେଉଁଠି ବିଷ୍ଣୁପାଦ ମନ୍ଦିରରେ ଯାତ୍ରାର ସମାପନ ଘଟିବ। ୮ ଦିନିଆ ଯାତ୍ରା ଶେଷ କରି ଟ୍ରେନ ଫେବୃୟାରୀ ୧ ତାରିଖରେ ଦିଲ୍ଲୀରେ ପହଞ୍ଚିବ।

ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରକ ରେକ୍ ବିଶିଷ୍ଟ ଏହି ଟୁରିଷ୍ଟ ଟ୍ରେନରେ ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଏଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ବୋର୍ଡ/ ଡି-ବୋର୍ଡର ସୁବିଧା ମଧ୍ୟ ରହିବ।

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟୁରିଷ୍ଟ ଟ୍ରେନରେ ୧୧ ଟି ତୃତୀୟ ଶ୍ରେଣୀ ଏସି କୋଚ, ଗୋଟିଏ ପାଣ୍ଟ୍ରି କାର ଏବଂ ଦୁଇଟି ଏସ୍‌ଏଲ୍‌ଆର୍ ରହିବ। ସଦ୍ୟ ରନ୍ଧା ଶାକାହାରୀ ଖାଦ୍ୟ ଆଧୁନିକ ପାଣ୍ଟ୍ରିରୁ ନିଜ ନିଜ ସ୍ଥାନରେ ପରିବେଷଣ କରାଯିବ। ଟ୍ରେନରେ ଯାତ୍ରୀମାନଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି। ପରିଷ୍କାର ଶୌଚାଳୟଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ କୋଚରେ ସିକ୍ୟୁରିଟୀ ଗାର୍ଡର ବ୍ୟବସ୍ଥା ରହିଛି।

ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ପ୍ରତି ପର୍ଯ୍ୟଟକ ପିଛା ୧୭,୬୫୫/- ଟଙ୍କା ଠାରୁ ଆରମ୍ଭ କରି, ଆଇଆର୍‌ସିଟିସି ଟୁରିଷ୍ଟ ଟ୍ରେନ ହେଉଛି ଏକ ସର୍ବଭାରତୀୟ ଟୁର ପ୍ୟାକେଜ, ତୃତୀୟ ଶ୍ରେଣୀ ଏସି ଟ୍ରେନ ଯାତ୍ରା, ହୋଟେଲରେ ରାତ୍ରି ଯାପନ, ସମସ୍ତ ଭୋଜନ (ଶାକାହାରୀ), ଦର୍ଶନ ଓ ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ସମସ୍ତ ପ୍ରକାର ଆବଶ୍ୟକୀୟ ସ୍ୱାସ୍ଥ୍ୟ ସଚେତନତା ପଦକ୍ଷେପ ଗ୍ରହଣ କରାଯିବ ଏବଂ ଅତିଥିମାନଙ୍କୁ ଏକ ନିରାପଦ ତଥା ସ୍ୱରଣୀୟ ଅନୁଭୂତି ପ୍ରଦାନ କରିବାକୁ ଆଇଆର୍‌ସିଟିସି ପ୍ରୟାସ କରିବ।