Categories
ଜାତୀୟ ଖବର ବିଶେଷ ଖବର

କୃଷି ଆଇନ ପ୍ରତ୍ୟାହାର ଉଦବୋଧନ ସମୟରେ ଆହୁରି ଅନେକ କଥା କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଉଦବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି। ଦେଢ଼ ବର୍ଷର ବ୍ୟବଧାନ ପରେ କରତାରପୁର ସାହିବ କରିଡର ପୁଣିଥରେ ଖୋଲିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ପାଞ୍ଚ ଦଶନ୍ଧିର ସାର୍ବଜନୀନ ଜୀବନରେ ମୁଁ ଚାଷୀମାନେ ସମ୍ମୁଖିନ ହେଉଥିବା ସମସ୍ୟାଗୁଡ଼ିକୁ ଅତି ନିକଟରୁ ଦେଖିଛି। ଏହି କାରଣରୁ ୨୦୧୪ରେ ମୋତେ ଯେତେବେଳେ ଦେଶରେ ପ୍ରଧାନସେବକ ଭାବେ ଦେଶସେବା କରିବାର ସୁଯୋଗ ମିଳିଲା, ଆମେ କୃଷି ବିକାଶ ଏବଂ କୃଷକଙ୍କ କଲ୍ୟାଣ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲୁ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ଲାଗି, ଆମେ ବିହନ, ବୀମା, ବଜାର ଓ ସଞ୍ଚୟ, ଏସବୁ ଉପରେ ଚତୁର୍ଦ୍ଦିଗରୁ ପ୍ରୟାସ କଲୁ। ସରକାର ଉନ୍ନତ କିସମର ବିହନ ସହିତ ଚାଷୀମାନଙ୍କୁ ନିମ୍ବ ମିଶ୍ରିତ ୟୁରିୟା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କ୍ଷୁଦ୍ର ଜଳସେଚନ ଭଳି ସୁବିଧା ସହ ଯୋଡ଼ିଲେ।

ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମ ବଳରେ ଉତ୍ପାଦନ କରିଥିବା ଫସଲର ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ଅନେକଗୁଡ଼ିଏ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶ ନିଜର ଗ୍ରାମୀଣ ବଜାର ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ସେ କହିଥିଲେ। “ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି,” ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, କୃଷକମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ମହାଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଲକ୍ଷ୍ୟ ଥିଲା ଯେ ଦେଶର କୃଷକମାନଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କୁ, ଆହୁରି ଶକ୍ତି ମିଳୁ, ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି କରିବା ଲାଗି ଅଧିକରୁ ଅଧିକ ବିକଳ୍ପ ମିଳିପାରୁ।

ମୋଦୀ କହିଥିଲେ, ଦୀର୍ଘ ବର୍ଷ ଧରି ଦେଶର ଚାଷୀ, ଦେଶର କୃଷି ବିଶେଷଜ୍ଞ, ଦେଶର ଚାଷୀ ସଂଗଠନ ଲଗାତାର ଏହି ଦାବି କରି ଆସୁଥିଲେ। ପୂର୍ବରୁ ଅନ୍ୟ ସରକାରମାନେ ଏ ସମ୍ପର୍କରେ ମାନସମନ୍ଥନ କରିଥିଲେ। ଏଥର ମଧ୍ୟ ସଂସଦରେ ଆଲୋଚନା ହେଲା, ମାନସମନ୍ଥନ ହେଲା ଏବଂ ଏହି ଆଇନ ଆସିଲା। ଦେଶର କୋଣ ଅନୁକୋଣରେ କୋଟି କୋଟି ଚାଷୀ, ଅନେକ ଚାଷୀ ସଂଗଠନ, ଏହାକୁ ସ୍ୱାଗତ କଲେ, ସମର୍ଥନ କରିଥିଲେ। ଆଇନକୁ ସମର୍ଥନ କରିଥିବା ସଂଗଠନ, ଚାଷୀ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ କଲ୍ୟାଣ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଲାଭ, କୃଷି କ୍ଷେତ୍ରର ହିତ, ‘ଗାଁ-ଗରିବ’ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲକ୍ଷ୍ୟ ନେଇ, ସମ୍ପୂର୍ଣ୍ଣ ସଚ୍ଚୋଟ, ସ୍ପଷ୍ଟ ଉଦ୍ଦେଶ୍ୟରେ ଏବଂ ଚାଷୀମାନଙ୍କ ପ୍ରତି ସମର୍ପିତ ଏହି ତିନୋଟି କୃଷି ଆଇନ ସରକାର ଆଣିଥିଲେ। ସେ ଆହୁରି କହିଥିଲେ ଯେ, କିନ୍ତୁ ଏତେ ପବିତ୍ର କଥା, ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ଚାଷୀଙ୍କ ହିତର କଥାକୁ, ଆମେ ଅନେକ ପ୍ରୟାସ ସତ୍ତ୍ୱେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ ଚାଷୀମାନେ ମଧ୍ୟ ସେମାନଙ୍କୁ କୃଷି ଆଇନର ଗୁରୁତ୍ୱ ବୁଝାଇବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ, ଏକଥା କହିବାକୁ ଆସିଛି ଯେ ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି ଚାଷୀ ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଦେବୁ।

ପବିତ୍ର ଗୁରୁପରବର ଭାବନା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମେ ପରସ୍ପରକୁ ଦୋଷ ଦେବାରେ ଲିପ୍ତ ନରହି ଚାଷୀଙ୍କ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବା ଉଚିତ୍। କୃଷି କ୍ଷେତ୍ରରେ ପାଇଁ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଶୂନ୍ୟ ବଜେଟ୍ ଆଧାରିତ କୃଷି, ଦେଶର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ଫସଲର ପଦ୍ଧତିକୁ ବଦଳାଇବା, ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ଲାଗି ଏକ କମିଟି ଗଠନ କରିବା ନିମନ୍ତେ ସେ ଘୋଷଣା କରିଥିଲେ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ମାନେ ସାମିଲ ରହିବେ।

Categories
ଜାତୀୟ ଖବର ବିଶେଷ ଖବର

‘ସିଡନୀ ଡାଏଲଗ୍’: ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସିଡନୀ ଡାଏଲଗ’ର ଉଦଘାଟନୀ ଅଧିବେଶନରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଭାରତର ପ୍ରଯୁକ୍ତି ବିକାଶ ଓ ବିପ୍ଳବ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏବଂ ଉଦୀୟମାନ ଡିଜିଟାଲ ଦୁନିଆରେ ଭାରତର କେନ୍ଦ୍ରୀୟ ଭୂମିକାକୁ ମାନ୍ୟତା ପ୍ରଦାନ କରାଯାଇଛି। ଡିଜିଟାଲ ଯୁଗର ଲାଭକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ସାମୁଦ୍ରିକ କ୍ଷେତ୍ର ଠାରୁ ଆରମ୍ଭ କରି ସାଇବର ଏବଂ ମହାକାଶ ପର୍ଯ୍ୟନ୍ତ, ବିଶ୍ୱ ନୂଆ ପ୍ରକାରର ସଂଘର୍ଷ ଓ ବିପତ୍ତିର ସମ୍ମୁଖିନ ହେଉଛି। ସେ କହିଥିଲେ, “ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଖୋଲାପଣ। ତେବେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହାର ଦୂରୁପଯୋଗ କରିବାକୁ ଦେବା ଲାଗି ଆମେ ଅନୁମତି ଦେବା ଉଚିତ୍ ନୁହେଁ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ର ଏବଂ ଡିଜିଟାଲ କ୍ଷେତ୍ରରେ ନେତୃତ୍ୱ ନେଉଥିବାରୁ ସହଭାଗୀ ସମୃଦ୍ଧି ଏବଂ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ରହିଛି। ଭାରତର ଡିଜିଟାଲ ବିପ୍ଳବର ମୂଳଦୁଆ ଆମ ଗଣତନ୍ତ୍ର, ଆମ ଜନସାଂଖ୍ୟିକ ବିବିଧତା ଏବଂ ଆମ ଅର୍ଥବ୍ୟବସ୍ଥାର ବ୍ୟାପକତାରେ ରହିଛି। ଆମ ଯୁବପିଢ଼ିଙ୍କ ଉଦ୍ୟମିତା ଏବଂ ନବୋନ୍ମେଷ ଦ୍ୱାରା ଏହା ଆହୁରି ସଶକ୍ତ ହୋଇଛି। ଆମେ ଅତୀତର ଆହ୍ୱାନଗୁଡ଼ିକୁ ଅବସରରେ ପରିଣତ କରି ଭବିଷ୍ୟତରେ ପଦାର୍ପଣ କରିବା ଲାଗି ପ୍ରସ୍ତୁତ ହେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଭାରତରେ ହେଉଥିବା ପାଞ୍ଚଟି ପରିବର୍ତ୍ତନର ତାଲିକା ଦେଇଥିଲେ।

ପ୍ରଥମତଃ ବିଶ୍ୱର ସବୁଠୁ ବ୍ୟାପକ ଜନସୂଚନା ଭିତ୍ତିଭୂମି ଭାରତରେ ନିର୍ମାଣ କରାଯାଉଛି। ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ପାଖରେ ବିଶିଷ୍ଟ ଡିଜିଟାଲ ପରିଚୟପତ୍ର ରହିଛି, ଛଅ ଲକ୍ଷ ଗ୍ରାମକୁ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ସହ ଯୋଡ଼ି ଦିଆଯିବ ଏବଂ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଅର୍ଥ ପଇଠ ଭିତ୍ତିଭୂମି, ୟୁପିଆଇ ଭାରତ ନିକଟରେ ରହିଛି।

ଦ୍ୱିତୀୟତଃ, ସୁଶାସନ, ସମାବେଶନ, ସଶକ୍ତିକରଣ, ଯୋଗାଯୋଗ, ଲାଭ ହସ୍ତାନ୍ତର ଏବଂ ଜନକଲ୍ୟାଣ ଲାଗି ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରାଯାଉଛି।

ତୃତୀୟତଃ, ଭାରତ ନିକଟରେ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ସବୁଠୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ରହିଛି।

ଚତୁର୍ଥତଃ, ଭାରତର ଉଦ୍ୟୋଗ ଏବଂ ସେବା କ୍ଷେତ୍ର, ଏପରିକି କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଡିଜିଟାଲ ପରିବର୍ତ୍ତନ ଜାରି ରହିଛି।

ପଞ୍ଚମତଃ, ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି। ସେ କହିଥିଲେ ଯେ, “ଆମେ ୫ଜି ଏବଂ ୬ଜି ଭଳି ଦୂରସଞ୍ଚାର ପ୍ରଯୁକ୍ତିରେ ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଲାଗି ନିବେଶ କରୁଛୁ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଙ୍ଗ, ବିଶେଷ କରି ମାନବକୈନ୍ଦ୍ରିକ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ଉପଯୋଗ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି। ଆମେ କ୍ଲାଉଡ୍ ପ୍ଲାଟଫର୍ମ ଏବଂ କ୍ଲାଉଡ୍ କମ୍ପ୍ୟୁଟିଙ୍ଗରେ ମଜବୁତ କ୍ଷମତା ବିକଶିତ କରୁଛୁ।”

ଭାରତର ନମନୀୟ ଏବଂ ଡିଜିଟାଲ ସାର୍ବଭୌମତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ହାର୍ଡୱେର ପ୍ରତି ଧ୍ୟାନ ଦେଉଛୁ। ସେମି କଣ୍ଡକ୍ଟରର ମୁଖ୍ୟ ନିର୍ମାତା ହେବା ଲାଗି ଆମେ ପ୍ରୋତ୍ସାହନ ପ୍ୟାକେଜ୍ ପ୍ରସ୍ତୁତ କରୁଛୁ। ଇଲେକ୍ଟ୍ରୋନିକ୍ସ ଏବଂ ଦୂରସଞ୍ଚାର କ୍ଷେତ୍ରରେ ଆମର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ସ୍ଥାନୀୟ ଏବଂ ବିଶ୍ୱ ନିର୍ମାତାମାନଙ୍କୁ ଭାରତରେ ସେମାନଙ୍କର ଆଧାର ପ୍ରତିଷ୍ଠା କରିବା ଲାଗି ଆକର୍ଷିତ କରୁଛି। ସେ ଡାଟା ସୁରକ୍ଷା, ଗୋପନୀୟତା ଏବଂ ନିରାପତ୍ତା ଲାଗି ଭାରତର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଜୋର ଦେଇଥିଲେ। “ଏଥିସହିତ ଆମେ ଜନସାଧାରଣଙ୍କ ସଶକ୍ତିକରଣର ଉତ୍ସ ଭାବେ ଡାଟାକୁ ବ୍ୟବହାର କରୁଛୁ। ବ୍ୟକ୍ତିଗତ ଅଧିକାରର ଦୃଢ଼ ସୁନିଶ୍ଚିତତା ସହିତ ଏକ ଗଣତାନ୍ତ୍ରିକ ଢାଞ୍ଚାରେ ଏହାର କରିବାର ଅତୁଳନୀୟ ଅଭିଜ୍ଞତା ଭାରତ ପାଖରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୱାଇଟୁକେ ସମସ୍ୟାର ମୁକାବିଲା କରିବା କ୍ଷେତ୍ରରେ ଭାରତର ସହଯୋଗ ଏବଂ ଏକ ଓପନସୋର୍ସ ସଫ୍ଟୱେର ଭାବେ ନିଜର କୋୱିନ୍ ପ୍ଲାଟଫର୍ମ ବ୍ୟବହାର କରିବା ଲାଗି ବିଶ୍ୱକୁ ପ୍ରସ୍ତାବ ଦେବା ଭାରତର ମୂଲ୍ୟବୋଧ ଏବଂ ଏହାର ମହତ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି। “ଭାରତର ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ; ଏହାର ଆଧୁନିକ ସଂସ୍ଥା ବେଶ୍ ସୁଦୃଢ଼। ଆହୁରି, ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିଥାଉ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଜନକଲ୍ୟାଣ, ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଲାଗି ପ୍ରଯୁକ୍ତି ଏବଂ ନୀତିଗୁଡ଼ିକର ଉପଯୋଗ କରିବା କ୍ଷେତ୍ରରେ ଭାରତର ବ୍ୟାପକ ଅଭିଜ୍ଞତା ରହିଛି, ଯାହା ବିକାଶଶୀଳ ଦେଶମାନଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ। ସେ କହିଥିଲେ, “ଆମେ ଦେଶଗୁଡ଼ିକୁ ଏବଂ ସେଠାକାର ଲୋକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିପାରିବା ତଥା ସେମାନଙ୍କୁ ଏହି ଶତାବ୍ଦୀର ସୁଯୋଗଗୁଡ଼ିକ ପାଇଁ ପ୍ରସ୍ତୁତ କରିପାରିବା”।

ଗଣତନ୍ତ୍ରଗୁଡ଼ିକୁ ମିଳିତ ଭାବେ କାମ କରିବା ଲାଗି ଏକ ରୋଡମ୍ୟାପର ପ୍ରସ୍ତାବ ଦେଇଥିଲେ ଶ୍ରୀ ମୋଦୀ। ଭବିଷ୍ୟତ ପ୍ରଯୁକ୍ତିରେ ଗବେଷଣା ଓ ବିକାଶ; ଭରସାଯୋଗ୍ୟ ଉତ୍ପାଦନ ଆଧାର ଏବଂ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳା; ସାଇବର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ଉପରେ ଗୁଇନ୍ଦା ଓ ପରିଚାଳନା ସହଯୋଗକୁ ନିବିଡ଼ କରିବା; ଜନମତକୁ ପ୍ରଭାବିତ ହେବାକୁ ନଦେବା; ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁକୂଳ ବୈଷୟିକ ତଥା ପ୍ରଶାସନିକ ମାନକ ଓ ନିୟମାବଳୀ ବିକଶିତ କରିବା ଏବଂ ଡାଟା ପ୍ରଶାସନ ଓ ସୀମାପାର ସ୍ଥାନାନ୍ତର ହେଉଥିବା ଡାଟାର ସୁରକ୍ଷା ଓ ନିରାପତ୍ତା ଲାଗି ସହଯୋଗ ନିମନ୍ତେ ସେ ଆହ୍ୱାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ସେ କ୍ରିପ୍ଟୋ-କରେନ୍ସିର ଉଦାହରଣ ଦେଇଥିଲେ ଓ କହିଥିଲେ, “ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରିପ୍ଟୋ-କରେନ୍ସି ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖରାପ ଲୋକଙ୍କ ହାତରେ ପଡ଼ି ଆମ ଯୁବପିଢ଼ିଙ୍କୁ ନଷ୍ଟ କରିଦେବା ଉଚିତ୍ ନୁହେଁ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତି(ଏମ୍‌ଜିଏନଏଫ୍‌) ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରବୃତ୍ତିଧାରୀ ତଥା ଯୁବପିଢିଙ୍କୁ ଦକ୍ଷତା ବିକାଶର ପ୍ରୟାସରେ ତୃଣମୂଳ ସ୍ତରରେ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ହେବାକୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତି ହେଉଛି ଏକ ୨ ବର୍ଷୀୟା ଛାତ୍ରବୃତ୍ତି। ଏହି ବୃତ୍ତିର ଉଦ୍ଦେଶ୍ୟ ହେଉଛି ଜିଲ୍ଲା ସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା। ଏଥିପାଇଁ ପୂର୍ବରୁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ୍‌ (ଆଇଆଇଏମ) ସହ ପାଇଲଟ ଭିତିରେ ଆରମ୍ଭ ହୋଇଥିଲା।

ତୃଣମୂଳ ସ୍ତରରେ ଦକ୍ଷତା ବିକାଶକୁ ସହଯୋଗ କରିବା ପାଇଁ ବ୍ୟକ୍ତିବିଶେଷ ଓ ଯୁବବର୍ଗଙ୍କୁ ୨ ବର୍ଷ ପାଇଁ ଏହି ବୃତି ସୁଯୋଗ ପ୍ରଦାନ କରିବ। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟର ୬୯ଟି ଜିଲ୍ଲାରେ ୬୯ଟି ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାରେ ଅଧିକ ୬୬୧ ବୃତିଧାରୀ ଅର୍ଥାତ୍ ମୋଟ ୭୩୦ ମହାତ୍ମା ଗାନ୍ଧୀ ଜାତୀୟ ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଆଇଆଇଏମ, ବାଙ୍ଗାଲୋର ସହଯୋଗରେ କାର୍ଯ୍ୟକ୍ରମରେ ଯୋଡାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୮ଟି ଆଇଆଇଏମକୁ ଯୋଡ଼ାଯାଇଛି। ଜୀବନଜୀବିକା ପ୍ରୋତ୍ସାହନଭିତିକ କାର୍ଯାକ୍ରମ ସଙ୍କଳ୍ପ ଅଧୀନରେ ମହାତ୍ମା ଗାନ୍ଧୀ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରେ ଶାସନ ବ୍ୟବସ୍ଥା ଏବଂ ନୀତି ସହ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃତିଧାରୀ ବ୍ୟକ୍ତିବିଶେଷଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ। ବିଭିନ୍ନ କ୍ଷେତ୍ରରେ ହେଉଥିବା ଅଦ୍ଭୂତପୂର୍ବ ପରିବର୍ତ୍ତନ ଅଧିକ କୁଶଳୀ ବୃତ୍ତିଗତଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ଏବଂ ଜିଲ୍ଲା ସ୍ତରରେ ଦକ୍ଷତା ମ୍ୟାପିଂ ଏବଂ ସେହି ଅନୁସାରେ ଦକ୍ଷତା ବିକାଶ ପ୍ରୟାସକୁ ଦିଶାନିର୍ଦ୍ଦେଶ ଦେବ। ଏକବିଂଶ ଶତାବ୍ଦୀର ଆବଶ୍ୟକତା ଏବଂ ସ୍ଥାନୀୟ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଛାତ୍ରବୃତ୍ତି ପାଉଥିବା ବ୍ୟକ୍ତିବିଶେଷଙ୍କୁ ବୈଶ୍ୱିକ ଚିନ୍ତାଧାରା ଏବଂ ସ୍ଥାନୀୟ ଆଭିମୁଖ୍ୟ ସହିତ ଦକ୍ଷତା ବିକାଶର ପ୍ରୟାସରେ ଆଂଚଳିକ ଭାଷାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି

ଏହି ବୃତ୍ତି ମାଧ୍ୟମରେ ଜିଲ୍ଲା ସ୍ତରରେ ଏବଂ ଆଇଆଇଏମ ସମାଜରେ ପରିବର୍ତନ ଏବଂ ସଫଳତାର କାହାଣୀ ତିଆରି କରିବାରେ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଇଆଇଏମକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜଳ ଜୀବନ ମିଶନ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ ଜୀବନ ମିଶନ କେ ଦୋ ବର୍ଷ’ ର ଇ-ପୁସ୍ତିକା, ଜଳ ଜୀବନ କୋଶ ଏବଂ ଜଳ ଜୀବନ ମିଶନ ମୋବାଇଲ୍ ଆପ୍ ର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନାମ ନ ଦେଇ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ରମଣ କରିଥିଲେ। ଦେଶରେ ଦୀର୍ଘ ସମୟ ଧରି କ୍ଷମତାରେ ଥିବା ବ୍ୟକ୍ତିମାନେ ଜଳର ଅଭାବ ଅନୁଭବ କରିନଥିଲେ, କାରଣ ସେମାନଙ୍କ ଘରେ ସୁଇମିଂ ପୁଲରେ ପାଣି ରହିଥିଲା ବୋଲି ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବାପୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ହୃଦୟରେ ଭାରତର ଗାଁ ବାସ କରୁଥିଲା। ମୁଁ ଖୁସି ଯେ ଏହି ଦିନ ଦେଶର ଲକ୍ଷ ଲକ୍ଷ ଗାଁର ଲୋକମାନେ ଗ୍ରାମ ସଭା ଆକାରରେ ଜଳ ଜୀବନ ସଂଳାପ କରୁଛନ୍ତି। ଏହି ଉତ୍ସାହ, ଶକ୍ତି ସହିତ ଏହିପରି ଏକ ଅଦୃଶ୍ୟ ତଥା ଦେଶବ୍ୟାପୀ ମିଶନ୍ ସଫଳ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଳ ଜୀବନ ମିଶନର ଲକ୍ଷ୍ୟ କେବଳ ଲୋକଙ୍କ ପାଖରେ ପାଣି ପହଞ୍ଚାଇବା ନୁହେଁ, ଏହାର ମୁଖ୍ୟ ଆଧାର ହେଉଛି ଜନ ଆନ୍ଦୋଳନ ଏବଂ ଜନସାଧାରଣଙ୍କ ଭାଗୀଦାରୀ। ଜଳ ଜୀବନ ମିଶନକୁ ଅଧିକ ଶକ୍ତିଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଆଜି ଆହୁରି ଅନେକ ପଦକ୍ଷେପ ନିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଅଭିଯାନ ସହ ଜଡିତ ସମସ୍ତ ସୂଚନା ଜଳ ଜୀବନ ମିଶନ ଆପରେ ଉପଲବ୍ଧ ହେବ। ଗାଁର ଲୋକମାନେ ମଧ୍ୟ ଏଠାରେ ଥିବା ଜଳର ଶୁଦ୍ଧତା ଉପରେ ତୀକ୍ଷ୍ଣ ନଜର ରଖିବେ। ଆମ ସମସ୍ତଙ୍କର ଏକ ସୁଖଦ ଅନୁଭବ ଅଛି ଯେ, ଦେଶବାସୀ କଠିନ ପରିଶ୍ରମ କରିଛନ୍ତି ଏବଂ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେମାନଙ୍କର ସମର୍ଥନ ଦେଇଛନ୍ତି। ଆଜି ଦେଶର ସହର ଏବଂ ଗ୍ରାମଗୁଡିକ ଖୋଲା ନିଷ୍କାସନରୁ ମୁକ୍ତ ବୋଲି ଘୋଷଣା କରିଛନ୍ତି। ପ୍ରାୟ ୨ ଲକ୍ଷ ଗାଁ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ଆରମ୍ଭ କରିଛନ୍ତି। ୪୦ ହଜାର ଗ୍ରାମରୁ ଅଧିକ ପଞ୍ଚାୟତ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖଦିର ବିକ୍ରି ମଧ୍ୟ ବହୁଗୁଣିତ ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଉ ୪ ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି (ସିଆଇପିଇଟି) ର ଉଦଘାଟନ କରିଛନ୍ତି। ଏହା ସହିତ ସେ ରାଜସ୍ଥାନର ୪ ଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କୋଭିଡ ମହାମାରୀରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେଇଛି। ରାଜସ୍ଥାନରେ ୪ ଟି ମେଡିକାଲ୍ କଲେଜ ନିର୍ମାଣ ଏବଂ ପେଟ୍ରୋକେମିକାଲ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟର ଉଦଘାଟନ ପାଇଁ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨୦୧୪ ମସିହାରୁ ରାଜସ୍ଥାନର ୨୩ ଟି ନୂତନ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିମଧ୍ୟରୁ ୭ ଟି ମେଡିକାଲ କଲେଜ ଆରମ୍ଭ ହୋଇଛି। ଆଜି ବାଂଶୱାଡା, ସିରୋହି, ହନୁମାନଗଡ ଏବଂ ଦୌସା ଠାରେ ନୂତନ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତ ୬-୭ ବର୍ଷ ଭିତରେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଁ ଯେଉଁ ତ୍ରୁଟି ଦେଖୁଛି, ସେଗୁଡିକୁ ହଟାଇବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ୬-୭ ବର୍ଷ ମଧ୍ୟରେ ୧୭୦ ରୁ ଅଧିକ ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ୧୦୦ ରୁ ଅଧିକ ନୂତନ ମେଡିକାଲ କଲେଜରେ କାର୍ଯ୍ୟ ଚାଲିଛି। ୨୦୧୪ ମସିହାରେ, ଦେଶରେ ମେଡିକାଲ୍ ସ୍ନାତକ ଏବଂ ସ୍ନାତକୋତ୍ତର ର ମୋଟ ସିଟ୍ ପାଖାପାଖି ୮୨ ହଜାର ଥିଲା, ଆଜି ତାହାର ସଂଖ୍ୟା ୧ ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରିବା ଅଭିଯାନ ଆଜିଠାରୁ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଆଜି ଏକ ମିଶନ ଆରମ୍ଭ ହେଉଛି, ଯାହାର ଭାରତର ସ୍ୱାସ୍ଥ୍ୟ ସୁବିଧାକୁ କ୍ରାନ୍ତିକାରୀ ପରିବର୍ତ୍ତନ କରିବାର ଶକ୍ତି ଅଛି।

ତେବେ ଏହି ଯୋଜନାରେ ସମସ୍ତଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ ମିଳିବ। ସମସ୍ତ ନାଗରିକଙ୍କ ପାଇଁ ହେଲ୍ଥ ଆଇଡି ପ୍ରସ୍ତୁତ କରାଯିବ। ଏହି ଆଇଡିରେ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ। ପ୍ରଥମେ କେତୋଟି ରାଜ୍ୟରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସ୍କ୍ରାପ୍ ପଲିସିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ନୂଆ ଗାଡି କିଣିଲେ ପଞ୍ଜୀକରଣ ପାଇଁ ଦେବାକୁ ପଡିବ ନାହିଁ କୌଣସି ଅର୍ଥ

ନୂଆଦିଲ୍ଲୀ: ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ। ପିଏମ ମୋଦୀ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତି ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ନୀତି ନୂଆ ଭାରତର ଅଟୋ ସେକ୍ଟରକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି। ବୈଜ୍ଞାନିକ ଢଙ୍ଗରେ ଦେଶରେ ଅନୁପଯୁକ୍ତ ଯାନଗୁଡିକ ହଟାଇବାରେ ଏହି ନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନୀତି ସାଧାରଣ ପରିବାରକୁ ସବୁ ଉପାୟରେ ଉପକୃତ କରିବ, ପ୍ରଥମ ଲାଭ ହେଉଛି ପୁରୁଣା କାରକୁ ସ୍କ୍ରାପ୍ କରିବା ପାଇଁ ଏକ ସାର୍ଟିଫିକେଟ୍ ଦିଆଯିବ। ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ସାର୍ଟିଫିକେଟ୍ ରହିବ, ତାଙ୍କୁ ଏକ ନୂତନ ଗାଡି କିଣିବାରେ ପଞ୍ଜୀକରଣ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଏହା ସହିତ ତାଙ୍କୁ ସଡକ ଟ୍ୟାକ୍ସରେ ମଧ୍ୟ କିଛି ରିହାତି ଦିଆଯିବ। ଦ୍ୱିତୀୟ ସୁବିଧା ହେବ ଯେ ରକ୍ଷଣାବେକ୍ଷଣ ମୂଲ୍ୟ, ମରାମତି ମୂଲ୍ୟ, ପୁରୁଣା ଯାନର ଇନ୍ଧନ ମଧ୍ୟ ସଞ୍ଚୟ ହେବ। ତୃତୀୟ ସୁବିଧା ସିଧାସଳଖ ଜୀବନ ସହିତ ଜଡିତ। ପୁରୁଣା ଯାନ, ପୁରୁଣା ଟେକ୍ନୋଲୋଜି ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବହୁତ ଅଧିକ, ଯାହା ଏଥିରୁ ମୁକ୍ତି ମିଳିବ। ଚତୁର୍ଥ, ପ୍ରଦୂଷଣ ହେତୁ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ମଧ୍ୟ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବର୍ଜ୍ୟବସ୍ତୁରୁ ବର୍ଜ୍ୟବସ୍ତୁ ଅଭିଯାନର ବୃତ୍ତିଗତ ଅର୍ଥନୀତିରେ ନୂତନ ସ୍କ୍ରାପିଂ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଅଟେ। ସହରଗୁଡିକରୁ ପ୍ରଦୂଷଣ ହ୍ରାସ କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନୀତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ନୀତି ଧାତୁ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ମଧ୍ୟ ନୂତନ ଶକ୍ତି ଦେବ। ଏହି ନୀତି ଦେଶରେ ୧୦ ହଜାର କୋଟିରୁ ଅଧିକ ନୂଆ ପୁଞ୍ଜି ବିନିଯୋଗ ଆଣିବ ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ।

ସ୍କ୍ରାପ୍ ପଲିସି କ’ଣ?

୧୫ ଏବଂ ୨୦ ବର୍ଷ ପୁରୁଣା ଯାନଗୁଡିକକୁ ସ୍କ୍ରାପ୍ କରାଯିବ। ବାଣିଜ୍ୟିକ ଯାନ ପାଇଁ ୧୫ ବର୍ଷ ଏବଂ ଘରୋଇ ଯାନ ପାଇଁ ୨୦ ବର୍ଷରେ କଟକଣା ଲାଗିବ। ନିର୍ଦ୍ଧାରିତ ସମୟ ପରେ ଯାନଗୁଡ଼ିକୁ ସ୍ୱୟଂଚାଳିତ ଫିଟନେସ୍ ସେଣ୍ଟରକୁ ନେବାକୁ ପଡିବ। ଘରୋଇ କମ୍ପାନୀଗୁଡିକ ସ୍ୱୟଂଚାଳିତ ଫିଟନେସ୍ ସେଣ୍ଟର ପରିଚାଳନା କରିବେ ଏବଂ ଏହା ନିବେଶକମାନଙ୍କୁ ଆକ୍ରୁଷ୍ଟ କରିବା ଏହି ଶିଖର ସମ୍ମିଳନୀର ଏକ ବଡ଼ ଏଜେଣ୍ଡା ଅଟେ।

ଜାଣନ୍ତୁ ଏହି ସ୍କ୍ରାପ୍ ପଲିସିର କ’ଣ ଲାଭ ହେବ:

ଗାଡି ମାଲିକଙ୍କ ପାଇଁ କମ୍ ଆର୍ଥିକ କ୍ଷତି ହେବ, ଏହା ସହିତ ସଡ଼କ ଦୁର୍ଘଟଣା କମ୍ ହେବ ଏବଂ ଜୀବନ ସୁରକ୍ଷିତ ରହିବ। ଏହା ଦ୍ଵାରା ପ୍ରଦୂଷଣ ମଧ୍ୟ ହ୍ରାସ ହେବ। ବଜେଟରେ ମଧ୍ୟ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନୂତନ ସ୍କ୍ରାପ୍ ନୀତି ବିଷୟରେ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଆଗାମୀ ୫ ବର୍ଷରେ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ ବସିବ। ସନ୍ଧ୍ୟା ୫ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ବସିବ। ତେବେ ୪ ଦିନ ପୂର୍ବେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିବାବେଳେ ଆଜି ପୁଣି ବୈଠକ ବସୁଥିବାରୁ କିଛି ବଡ ଘୋଷଣା  ହୋଇପାରେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।