Categories
ବିଶେଷ ଖବର

ମନ୍ଦିର ଓ ଐତିହ୍ୟ ସ୍ଥଳ ରୂପାନ୍ତର କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା ମନ୍ଦିର ସେବାୟତ ସଂଘ

ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟ ମାନେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଙ୍କୁ ନବୀନ ନିବାସରେ ଭେଟି ଥିଲେ। ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟ ସ୍ଥଳ ଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ତା ସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିର ମାନଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତ ମାନଙ୍କ ତରଫରୁ ମଧ୍ୟ କୃତଜ୍ଞତା ପ୍ରକାଶ କରା ଯାଇଥିଲା।

ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ଏବଂ ସେବାୟତ ମାନଙ୍କ ସୁବିଧା ଅସୁବିଧା ଦୂର ପାଇଁ ପଦକ୍ଷେପ ନେଇ ଥିବାରୁ ସେବାୟତ ମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ହଜାର ହଜାର ବର୍ଷ ର ପୁରୁଣା ମଠ ମନ୍ଦିର ଗୁଡିକର ବିକାଶ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଐତିହାସିକ ପଦକ୍ଷେପ ନେଇଥିବାରୁ ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଥିଲେ।

ଏହି ଅବସରରେ ୫-ଟି ଅଧ୍ୟକ୍ଷ ଆଗାମୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦଘାଟନ ଉତ୍ସବରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସମ୍ପୂର୍ଣ୍ଣ ସହଯୋଗ କାମନା ସହିତ ଏହି କାର୍ଯ୍ୟକ୍ରମକୁ କିପରି ଭବ୍ୟ କରାଯିବ ସେ ବିଷୟରେ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଭାପତି କାମେଶ୍ୱର୍ ତ୍ରିପାଠୀ (ବାରିପଦା ଜଗନ୍ନାଥ ମନ୍ଦିର), ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ (ସାକ୍ଷୀଗୋପାଳ ମନ୍ଦିର), ସଂଯୋଜକ ଦେବୀ ପାଣି (ବିରଜା ମନ୍ଦିର), ସଚେତକ ସୁବାଷ ମିଶ୍ର (ସ୍ତି ଗୋପାଳ ମନ୍ଦିର), ନିଳମଣି ସୂଆର (ଅଲାରନାଥ ମନ୍ଦିର), ଗଦା ନନା (ଆଖଣ୍ଡଳମଣି ମନ୍ଦିର), ପୁନ୍ୟସ୍ଲୋକ ନନ୍ଦ (ନିଳଗିରି ଜଗନ୍ନାଥ ମନ୍ଦିର) ରଞ୍ଜିତ ମହାପାତ୍ର (ଶିରୁଳୀ ମହାବୀର ମନ୍ଦିର) ସୂର୍ଯ୍ୟ ନାରାୟଣ ପଣ୍ଡା (କାକଟପୂର୍ ମନ୍ଦିର) ବାପୁଜୀ ରଣା (ତାରା ତାରେଣି ମନ୍ଦିର)ରଞ୍ଜନ ପଣ୍ଡା (ମଣିନାଗ ମନ୍ଦିର) ମହାରୁଦ୍ର ଝା (ରାମମନ୍ଦିର)ସାଇ ରାମ୍ ଗାନ୍ଧି (ବେନୁ ପଡା ମଠ) ପ୍ରମୁଖ ସାମିଲ୍ ହୋଇଥିଲେ।

Categories
ବିଶେଷ ଖବର

କଟକ ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ ଭି କେ ପାଣ୍ଡିଆନ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦରକୁ ସଂଯୋଗ କରିବ।

ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ।

ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ ଓ କଟକ ସହର ରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ corporation ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଟିକୁ ଚଳିତ ବର୍ଷ ଏପ୍ରିଲ୍ ପହିଲାରେ ଘୋଷଣା କରିଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵର ର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ Delhi Metro Rail Corporation ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୁଲିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଠିଆ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ଟ୍ରିଶୁଲିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର command ଓ control ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ stabling ସୁବିଧା ମଧ୍ୟ ରହିବ। ତ୍ରିଶୂଲିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ।

ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସି ମାନଙ୍କ କାମର ଅଗ୍ରଗତିରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭିତ୍ତି ଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ 2024 ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ।

ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ 5T ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏକ ଆକାଂକ୍ଷି ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ଏକ ବିଶ୍ବ ସ୍ତରୀୟ ସହରାଞ୍ଚଳ ଗମନା ଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ଯେପରି ସଫଳ ହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପ ରେ ସଦ୍ୟତମ technology ର ପ୍ରୟୋଗ ସହିତ ଅତ୍ୟାଧୁନିକ ଉପକରଣର ବ୍ୟବହାର ପାଇଁ ଶ୍ରୀ ପଣ୍ଡିଆନ ପରାମର୍ଶ ଦେଇଥିଲେ।

ଯାତ୍ରୀ ମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯିବଆସିବା କରି ପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ଯେପରି ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ, ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ କହିଁଥିଲେ।

ଶ୍ରୀ ପଣ୍ଡିଆନ ମଧ୍ୟ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେଇଥିଲେ ଓ ପରିଷ୍କାର ପରିଚ୍ଛନ୍ନତା ପରଖି ଥିଲେ। ସେ ଯାତ୍ରୀ ମାନଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ, ବସ ଅପରେଟର, ଓ ଅନ୍ୟ ଷ୍ଟାଫ ମାନଙ୍କ ସହ କଥା ବାର୍ତ୍ତା ହୋଇ ଅଧିକାରୀ ମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯାତ୍ରୀମାନେ ଆହୁରି ଆରାମ ଦାୟକ ଯାତ୍ରା କରିବା ସହିତ ଭଲ ଅନୁଭବ ନେଇ ଯିବେ ବୋଲି ସେ କହିଥିଲେ।

ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କେନାଲ କଡେ କଡେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା କଟକ ସହର ବାସିଙ୍କ ପାଇଁ ଉତ୍ତମ ମନୋରଞ୍ଜନ ବ୍ୟବସ୍ଥାର ବିକାଶ ହୋଇ ପାରିବ।

ଶ୍ରୀ ପଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲକ୍ଟ୍ରୋନିକ୍ସ ତଥା ଆଇ. ଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ, ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଙ୍କ ସ୍ୱେଚ୍ଛାକୃତ ଅବସର

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିଥିଲେ। କେନ୍ଦ୍ର ସରକାର ଏହି ଆବେଦନକୁ ମଂଜୁର କରିଛନ୍ତି।

ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି ମିଳିଛି। ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବଡି ଭୋରରୁ ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲେ ୫ ଟି ସଚିବ ଭି କେ ପାଣ୍ଡିଆନ୍

ପୁରୀ: ସିଏମ୍ (୫ ଟି) ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଶ୍ରୀ ଜଗନ୍ନାଥ ପାରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ସେ ଭୋର ୪ ଟାରୁ ସକାଳ ୭ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଥିଲେ। ସମୀକ୍ଷା ସମୟରେ ୫ଟି ସଚିବ ଜିଲ୍ଲା ଅଧିକାରୀ ଏବଂ ଏଜେନ୍ସିମାନଙ୍କୁ ଡିସେମ୍ବର -୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ସମୀକ୍ଷାରେ ଯାହା ନିଷ୍ପତି ହେଲା ସେଗୁଡିକ ହେଲା

ଯାତ୍ରୀ ଏବଂ ସେବାୟତମାନଙ୍କ ପାଇଁ ଦୁଇ ଚକିଆ ଯାନ ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ।

ବାହ୍ୟ ପ୍ରବେଶ ରାସ୍ତାକୁ ଜବରଦଖଲ ମୁକ୍ତ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ

ମଠଗୁଡିକର ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିରେ କାମ କରୁଥିବା ସଂସ୍ଥା ସହିତ ଆଲୋଚନା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହି ମଠର ଇତିହାସ ଏବଂ ଐତିହ୍ୟକୁ ସଂରକ୍ଷିତ ରଖି କାମ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ଐତିହ୍ୟ ସହିତ ବିଭିନ୍ନ ପ୍ରାକୃତିକ ଉଦ୍ଭିଦ ବ୍ୟବହାର କରି ଲ୍ୟାଣ୍ଡସ୍କେପ୍ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ।

ଏସଟିପି କାର୍ଯ୍ୟକୁ ତ୍ବରାନିତ କରାଯିବ

ଇଲେକ୍ଟ୍ରିକାଲ୍ ସବ୍-ଷ୍ଟେସନ୍ କାର୍ଯ୍ୟ ଶୀଘ୍ର ଶେଷ ହେବ

ଟାଟା ପ୍ରୋଜେକ୍ଟକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ରାତି ସମୟରେ ଅଧିକ ଲୋକ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କାର୍ଯ୍ୟ ଗୁଣବତ୍ତା ଏବଂ ଠିକ୍ ସମୟରେ ସମାପ୍ତ ହେବା ସହିତ ପ୍ରତିଦିନ ମନ୍ଦିର ପରିଦର୍ଶନ କରୁଥିବା ହଜାର ହଜାର ଭକ୍ତଙ୍କୁ ସର୍ବୋତ୍ତମ ଅନୁଭୂତି ନିଶ୍ଚିତ କରିବାକୁ ପ୍ରଧାନ ଗୁରୁତ୍ୱ ।

ଜଗନ୍ନାଥ ବଲ୍ଲଭ ପାର୍କିଂ କେନ୍ଦ୍ର ଏବଂ ଶ୍ରୀ ସେତୁରେ କାର୍ଯ୍ୟର ଅଗ୍ରଗତି ପାର୍କିଂ ସୁବିଧା ଏବଂ ଭକ୍ତମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯିବା ସଂପର୍କରେ ସମୀକ୍ଷା କରାଯାଇଥିଲା।

ଶ୍ରୀ ସେତୁ କାର୍ଯ୍ୟ ନିର୍ମାଣ କରୁଥିବା ଏଜେନ୍ସି  JBPC କୁ ଏହି ପ୍ରକଳ୍ପ ଠିକ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାଫଳରେ ପୁରୀକୁ ଆସୁଥିବା ଭକ୍ତମାନେ ନୂଆ ବର୍ଷରୁ ଭଲ ଅନୁଭବ ପାଇପାରିବେ।

ପରିଦର୍ଶନ ସମୟରେ ପ୍ରିନ୍ସିପାଲ୍-ସେକ୍ରେଟାରୀ ୱାର୍କସ୍ ଡିପାର୍ଟମେଣ୍ଟ୍, ପୁରୀ ଜିଲ୍ଲାପାଳ, ଏସପି ପୁରୀ ଏମଡି ଓବିସିସି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫ ଟି ସଚିବଙ୍କ ଗଞ୍ଜାମ ଗସ୍ତ: କଡା ସୁରକ୍ଷା ମଧ୍ୟରେ ହେଲା ଜନ ଶୁଣାଣି କାର୍ଯ୍ୟକ୍ରମ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗଞ୍ଜାମ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫ ଟି ସଚିବ ଭି କେ ପାଣ୍ଡିଆନ୍ ହେଲିକ୍ୟାପ୍ଟରରୁ ଓହ୍ଲାଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯାଉଥିବା ବେଳେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା।

ଗୁରୁବାର ଦିନ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲା ଚାଲେଞ୍ଜ ଦେଇଥିଲେ, ସେ ଯେମିତି ହେଲେ ମଧ୍ୟ ୫ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେହି ପ୍ରକାରେ ସେ ଉକ୍ତ କାର୍ଯ୍ୟକ୍ରମକୁ ଆସିବା ବେଳେ ଲାଞ୍ଜିପଲୀ ଓଭର୍ ବ୍ରଜ୍ ନିକଟରେ ବିଜେଡି କର୍ମୀ ମାନେ ତାଙ୍କୁ ଅଟକାଇ ଗାଡି ଉପରେ ବସି ହୋ ହାଲ୍ଲା କରିଥିଲେ। ଯାହା ଫଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।

ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ନାକେଦମ୍ ହୋଇ ଯାଇଥିଲେ। ଏହି ଭଳି ପରିସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଣ୍ଡିଆନ୍ ସଭା ସ୍ଥଳରେ ପହଞ୍ଚି ଉପସ୍ଥିତ ହଜାର ହଜାର ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ବିଷୟରେ ଟିପ୍ପଣୀ ଦେବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।  ହସ୍ତଗତ ହୋଇଥିବା ସମସ୍ୟା ଆଗାମୀ ଏକ ସପ୍ତାହ ମଧ୍ୟରେ ସମାଧାନ ହେବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁହଁକୁ କାଳି ଫିଙ୍ଗିଥିବା ବ୍ୟକ୍ତିଙ୍କୁ ୫-ଟି ସଚିବ ଦେଲେ ଏପରି ଉତ୍ତର, ସମଗ୍ର ଦେଶ କରୁଛି ପ୍ରଶଂସା

ଭୁବନେଶ୍ଵର: ଶନିବାର ଦିନ ଜଣେ ବ୍ୟକ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରେ କାଳି ଫିଙ୍ଗିଥିଲେ। ଯାହାକୁ ଶ୍ରୀ ପାଣ୍ଡିଆନ୍ କ୍ଷମା କରିଦେଇଥିଲେ। ଶ୍ରୀ ପାଣ୍ଡିଆନ ପୋଲିସକୁ ଗିରଫ ନକରିବାକୁ ମଧ୍ୟ କହିଥିଲେ। ସତ୍ୟବାଦୀର ଜଣେ ସାମାଜିକ କର୍ମୀ ଭାସ୍କର ସାହୁ (୩୮) ପାଣ୍ଡିଆନଙ୍କ ଉପରେ କାଳି ଫିଙ୍ଗିଥିଲେ ଯେତେବେଳେ ସେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଯାଇଥିଲେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, “ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁ ନ ଥିବାରୁ ଅଭିଯୁକ୍ତ ସାହୁଙ୍କୁ ମୁକ୍ତ କରାଯାଇଛି। ସଚିବଙ୍କ ନିର୍ଦ୍ଦେଶରେ ଭାସ୍କର ସାହୁଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ। ତେବେ ଭାସ୍କର ନିଜ ଭୁଲକୁ ହୃଦୟଙ୍ଗମ କରିଛନ୍ତି।

ତେବେ ଭାସ୍କରଙ୍କୁ କ୍ଷମା ଦେଇଥିବାରୁ ୫-ଟି ସଚିବଙ୍କୁ ସମଗ୍ର ଦେଶରେ ପ୍ରଶଂସା କରାଯାଉଛି।

Categories
ବିଶେଷ ଖବର

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର: ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି।

ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି।

ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକି କରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।

ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ।

ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ଶୌଚାଳୟ ନିର୍ମାଣ କରାଯିବ।

ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟ କରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।

Categories
ବିଶେଷ ଖବର

୫-ଟି ସଚିବଙ୍କ ଦୁଇ ଦିନିଆ ଗଜପତି ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ -୧ ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗରୁତ୍ୱ ବହନ କରେ। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ। ଗଞ୍ଜାମରେ ୪୩ କି.ମି., ଗଜପତିରେ ୪୭ କି.ମି., ରାୟଗଡାରେ ୧୫୮ କି.ମି. ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ। ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ। ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ୍‌ ଲାଗିବ ଏବଂ ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ଲାଗୁଛି। ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ ଯାହାଦ୍ୱାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ ରୁ ୩୦ କି.ମି. କମିଯିବ ଏବଂ ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ। ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ୍ କରିଡର ସୃଷ୍ଟି ହୋଇପାରିବ ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ଶ୍ରା ପାଣ୍ଡିଆନ୍ ଏହା ପରେ ଜିରାଙ୍ଗର ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଜିରାଙ୍ଗ କଲେଜ୍‌ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିରାଙ୍ଗ କଲେଜ୍‌ରେ ୬ ମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ପିଲାମାନଙ୍କ ସହ ଆଲୋଚନା କରି ସେ ନିଜ କଲେଜ୍‌ର ଉନ୍ନତି ପାଇଁ କାମ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ। ଭଲ ପାଠ ପଢି ଓଡିଶାର ବିକାଶରେ ଯୋଗଦାନ ରଖିବାକୁ କହିଥିଲେ।

ଏହା ସହିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଥିଲେ। ଜିଲ୍ଲାସ୍ତରରେ ଯାହା ସମ୍ଭବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହିତ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ।

Categories
ବିଶେଷ ଖବର

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ: ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ବାଇଶ କୋଟି

ଭୁବନେଶ୍ବର: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା।

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ସତେଇଶ ଓ ଅଠେଇଶ ତାରିଖ ଦୁଇ ଦିନ ଧରି ୫ଟି ସଚିବ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ। ଗସ୍ତର ଦ୍ଵିତୀୟ ଦିନରେ ୨୮ ତାରିଖ ଦିନ ସେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରିଥିଲେ।

ଏହି ସମୟରେ ଶ୍ରୀ ପାଣ୍ଡିଆନ୍ ବିସ୍ଥାପିତ ଲୋକମାନଙ୍କୁ ଭେଟିଥିଲେ। ସେମାନଙ୍କ ସମସ୍ୟା ବୁଝିଥିଲେ। ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମତାମତ ପଚାରି ବୁଝିଥିଲେ।

ପରେ ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ। ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ତୁରନ୍ତ ବାଇଶ କୋଟି ପଚାଶ ଲକ୍ଷ୍ ଏକସତରୀ ହାଜର ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି।

ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧ ବାଡର ସୁଦୃଢୀକରଣ ସହିତ ହିତାଧିକାରୀଙ୍କ ବାସଗୃହ, ଜୀବିକା କାର୍ଯ୍ୟକ୍ରମ। ରାସ୍ତା, ପିଇବା ପାଣି, ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ।

ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇଦିଆଯିବ।

ସେହିପରି ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସହ ସାଉଣ୍ଡ ଓ ଲାଇଟ ର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୂଖ ପର୍ଯ୍ୟଟକ ସ୍ଥାନ ଭବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ସମସ୍ତ କାମ ୫ଟି ଉପକ୍ରମରେ ତୁରନ୍ତ ହାତକୁ ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଦ୍ଵାର ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ହେବ।

Categories
ବିଶେଷ ଖବର

୫ଟି ସଚିବଙ୍କ ପୁରୀ ଗସ୍ତ: ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପ୍ଲେକ୍ସ ରେ କ୍ରିକେଟ ଷ୍ଟାଡିୟମ୍, ମଲ୍ଟି ପ୍ରପୋଜ ଇଣ୍ଡୋର ହଲ ଓ ସ୍ୱିମିଂ ପୁଲ ନିର୍ମାଣ କରା ଯାଉଛି। ମଲ୍ଟି ପ୍ରପୋଜ ଇଣ୍ଡୋର ହଲ ରେ ବକ୍ସିଂ, ରେସ୍ଲିଂ, ଜିମ୍ନା ସିଅମ୍ , ଟେବୁଲ ଟେନିସ ଆଦି କ୍ରୀଡା ର ସୁବିଧା କରାଯାଉଛି। ଏହା ସହିତ ଏକ ୧୦୦ ସିଟ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି।
୨୦୧୮ ରେ ମୂଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ୍, ସନ୍ତରଣାଗାର ଓ
ଜିମ୍ନାସିୟମ୍ ର କାମ ସମ୍ପୂର୍ଣ୍ଣ ହୋଇଛି। ଖୁବ୍ ଶିଘ୍ର ଏହି ଷ୍ଟାଡିୟମ୍ ଲୋକାର୍ପିତ ହେବ.

ପୁରୀକୁ ଏକ ବିଶ୍ବ ସ୍ତରୀୟ ଐତିହ୍ୟ ସ୍ଥଳ ରେ ରୂପାନ୍ତର କରିବା ପାଇଁ ଏହି କ୍ରୀଡା କମ୍ପ୍ଲେକ୍ସ ର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପାଣ୍ଡିଆନ କହିଚ୍ଚନ୍ତି। ଏତଦବ୍ୟତୀତ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମୁନିସିପାଲ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ।

ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ହେରିଟେଜ କରିଡର, ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ପରିଦର୍ଶନ କରି ସମିକ୍ଷା କରିଥଲେ।

ପ୍ରତି ଶନିବାର ପୁରୀ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଶ୍ରୀ ପାଣ୍ଡିଆନ୍ ଆଜି ପୁଣି ପୁରୀ ଯାଇ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି।

ଶ୍ରୀ ପଣ୍ଡିଆନଙ୍କ ସହିତ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବେଦବ୍ୟାସ ପିଠର ହେବ ନବୀକରଣ, ୫ଟି ସଚିବ ଭି କେ ପାଣ୍ଡିଆନ କଲେ ପରିଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ। ୫ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ।

ପନ୍ଦର ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ।
ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ, ନଦୀ ସମୁଖ ଭାଗର ଉନ୍ନତିକରଣ, ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧା ର ବିକାଶ, ଯାତ୍ରୀ ନିବାସ ନିର୍ମାଣ ଏବଂ ଆଲୋକ ଓ ଶଦ୍ଦ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା।

ବେଦବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ ପୀଠ କୁ ଆସିଥାନ୍ତି। ତେଣୁ ଏ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠାର ସହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ। ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ରାଉରକେଲା ମ୍ୟୁନିସିପାଲ କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୋମ୍ ରେ ମୁଖ୍ୟମନ୍ତ୍ରୀ: ବୈଜ୍ଞାନିକ ଶେଷଙ୍କର ଭାଷଣ ଶୁଣି ନବୀନଙ୍କ ଆଖିରୁ ଲୁହ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସାର୍ ଆପଣ ମୋର ପିତା। ଆପଣଙ୍କ ପାଇଁ ମୁଁ ଆଜି ଜର୍ମାନରେ ବୈଜ୍ଞାନିକ ଭାବରେ ୩ ବର୍ଷ ପିଏଚ୍ ଡି କରି ପାରିଛି। ଆପଣଙ୍କ ପାଇଁ ମୁଁ ଆଜି ଗର୍ବ ଅନୁଭବ କରେ ବୋଲି ଇଟାଲୀର ରୋମ୍ ରେ ନବୀନ୍ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶେଷ କିସାନ୍ ପ୍ରକାଶ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ୟୁରୋପ୍ ଗସ୍ତ ଅବସରରେ ଇଟାଲୀର ରୋମ୍ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ ଡାକି ଏକ ସଭା କରିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ .ପାଣ୍ଡିଆନ୍ ମଧ୍ୟ ଯୋଗ ଦେଇ ଥିଲେ।

ଏହି ସଭାରେ ଜର୍ମାନରେ ରହୁଥିବା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବବୈଜ୍ଞାନିକ ଶେଷଦେବ କିସାନ୍ ମଧ୍ୟ ଯୋଗ ଦେଇଥିଲେ। ଯୁବ ବୈଜ୍ଞାନିକ ଶେଷ ଦେବ ୨୦୧୮ ମସିହାରେ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀକୁ ଭେଟିବା ସହ ଆଇଏଏସ ମାନଙ୍କ ସାମ୍ନାରେ ବକ୍ତବ୍ୟ ରଖିଥିଲେ।

ସେଇ ସମୟରେ ଶେଷଦେବ ସ୍ଲିପର୍ ଚପଲ ହଳେ ପିନ୍ଧିଥିବା ବେଳେ ଏକ ନୋକିଆ କିପେଡ୍ ମୋବାଇଲ୍ ଧରିଥିବା ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଇଥିଲେ। ଆପଣ ଏକ ଆଇ ଫୋନ୍ ଦେଇଥିଲେ ବୋଲି ଶେଷ ଦେବ ମୋବାଇଲ୍ ଦେଖାଇ ପ୍ରକାଶ କରିଥିଲେ। ଛୋଟ ସମୟରୁ ବାପା, ମାଆକୁ ହରାଇବା ସହ ଭଉଣୀଙ୍କୁ ମଧ୍ୟ ହରାଇଥିଲି ବୋଲି ଶେଷ ଦେବ ପ୍ରକାଶ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଲୁହ ଝରିପଡ଼ିବା ଏବଂ ରୁମାଲ୍ ରେ ପୋଛୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ରୋମ୍ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀକୁ ସାକ୍ଷାତ୍ କରି କେମିତି ଲାଗିଲା ବୋଲି ଫୋନ୍ ରେ ବୈଜ୍ଞାନିକ ଶେଷଦେବଙ୍କୁ ଆମ ପ୍ରତିନିଧି ପଚାରିବାରୁ ଅତ୍ୟନ୍ତ ଖୁସି ଅନୁଭବ କଲି ବୋଲି ପ୍ରକାଶ କରିଥିଲେ। ଏପରିକି ରୋମ୍ ଗସ୍ତର କିଛି ଫଟୋ ଆମ ପ୍ରତିନିଧିଙ୍କୁ ପଠାଇଥିଲେ। ମୁଁ ସବୁଦିନେ ବିଦେଶରେ ନ ରହି ଓଡ଼ିଶା ଫେରିଯାଇ ଏକ ଫାର୍ମା ଇଣ୍ଡଷ୍ଟ୍ରି କରିବି ବୋଲି ପ୍ରକାଶ କରିଛନ୍ତି ଶେଷ କିସାନ୍। ଏପରିକି ନିଜ ଗାଁ ମାଟିରେ ଘର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ସହଯୋଗର ହାତ ବଢ଼ାଇଥିବା ପ୍ରକାଶ କରିଥିଲେ ଶେଷ କିସାନ୍।

Categories
ବିଶେଷ ଖବର ରାଜ୍ୟ ଖବର

ଗୋପାଳପୁରରେ ଉଦଘାଟିତ ହେଲା ବିଜୁ ଆଡଭେଞ୍ଚର ପାର୍କ, ନଦୀ କ୍ରସିଂ ଜିପ୍ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବିଜୁ ଆଡଭେଞ୍ଚର ପାର୍କର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପାର୍କ ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏଥିସହ ଯୁବକମାନଙ୍କୁ ଦୁଃସାହସିକ ଖେଳ ପ୍ରତି ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଏହି ପାର୍କର ନାମକରଣ କରାଯାଇଛି। ସେ ଜଣେ ଦୁଃସାହାସିକ ବ୍ୟକ୍ତିତ୍ବ ଥିଲେ।  ବିମାନ ଚାଳନା ଦକ୍ଷତା ତଥା ସାହସିକତା ସାରା ବିଶ୍ବରେ ସେ ପରିଚିତ ଅଛନ୍ତି। ସେଥିପାଇଁ ଏହି ପାର୍କଟି ସେହି ପ୍ରବାଦ ପୁରୁଷଙ୍କ ନାମରେ କରାଯାଇଛି। ଏହି ପାର୍କ ବିକଶିତ କରିବା ପାଇଁ ଅଢେଇ କୋଟି ଖର୍ଚ୍ଚ କରାଯାଇଛି।

ଏହି ପାର୍କରେ ଏକ ବିଶେଷତ୍ବ ହେଉଛି ନଦୀ କ୍ରସିଂ ଜିପ୍ ଲାଇନ୍। ଓଡିଶାରେ ପ୍ରଥମ ଥର ପାଇଁ 250 ମିଟର ଦୈର୍ଘ୍ୟର ଏକ ନଦୀ କ୍ରସିଂ ଜିପ୍ ଲାଇନ୍ ପ୍ରସ୍ତୁତ ହୋଇଛି। ଏହି ନଦୀ କ୍ରସିଂ ପର୍ଯ୍ୟଟକଙ୍କୁ ଶାନ୍ତ ଅନୁଭବ ସହ ଗୋପାଳପୁର ବେଳଭୂମିର ସୌନ୍ଦର୍ଯ୍ୟ ବିମୋହିତ କରିବ।

ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି 40 ଫୁଟ ଜଏଣ୍ଟ ସ୍ୱିଙ୍ଗ୍, ଏୟାର ବନ୍ଧୁକ ଗୁଳି ଚାଳନା, ବ୍ରୁଜି ଟ୍ରମ୍ପୋଲିନ୍, ମେକାନିକାଲ୍, ଷଣ୍ଢ ରାଇଡ୍, ନେଟଟେଡ୍ କ୍ରିକେଟ୍ , ନେଟଟେଡ୍ କ୍ରିକେଟ୍ ଏବଂ ଅଲ୍-ଟେରେନ୍-ଯାନ ଚାଳନା, ରକ୍ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର୍, ଜୋର୍ବିଙ୍ଗ୍ ଇତ୍ୟାଦି ଅନେକ ଦୁଃସାହସିକ କ୍ରୀଡା ସୁବିଧା ଯୋଗାଇ ଦିଆଯାଇଛି।

ଭିଡିଓ କନଫ୍ରେସିଂରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ସିଏମ୍ (5 ଟି) ର ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ସେହିପରି ଗୋପାଳପୁରରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଗୋପାଳପୁର ଏନଏସି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାର କାଶୀପୁରସ୍ଥିତ ଉତ୍କଳ ଆଲୁମିନା ରିଫାନାରୀ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ପଛକୁ ଫେରି ଆସୁଛି ଏବଂ ଆମେ ମୁଖ୍ୟ ସ୍ରୋତକୁ ଫେରିଛୁ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ନିବେଶକମାନେ ଓଡିଶାରେ ସେମାନଙ୍କର ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି। ମହାମାରୀ ପରଠାରୁ ଆମେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗକୁ ଆକର୍ଷିତ କରିପାରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷର ଏହି ସମୟରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି।

ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ଦ୍ୱାରା ସକରାତ୍ମକ ଭୂମିକା ଗ୍ରହଣ କରି ସିଏମ୍ କହିଛନ୍ତି ଯେ ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସମ୍ପ୍ରସାରଣ ଆଦିତ୍ୟ ବିର୍ଲା ଗୋଷ୍ଠୀ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ପ୍ରମାଣ। ବିଶେଷକରି ଓଡିଶାର ଆଦିବାସୀ ଅଞ୍ଚଳରେ ଏହି ସଂପ୍ରସାରଣ ଓଡିଶାର ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସିଏମ୍ ବିଶ୍ୱାସ ପ୍ରକାଶ କରିଛନ୍ତି।

ଉତ୍କଳ ଆଲୁମିନା 1993 ମସିହାରେ ରାୟାଗଡାଠାରେ 8 ହଜାର 600 କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇ ଥିଲା। ଏହି ସମ୍ପ୍ରସାରଣ ପାଇଁ 1500 କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ନୂତନ ୟୁନିଟ୍ ପାଇଁ 500 ରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡିଶାରେ 12,000 ରୁ ଅଧିକ ଲୋକଙ୍କୁ ନିୟୋଜିତ କରିଛି ଯାହାକି ଏହାର ବିଶ୍ବ ସ୍ତରୀୟ ଶ୍ରମିକଙ୍କ 10 ପ୍ରତିଶତରୁ ଅଧିକ ଅଟେ। ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସଟି, ମନ୍ତ୍ରୀ ଜଗନ୍ନାଥ ସାରାକା ଏବଂ ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତୀଶ ପାଇ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ।

ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଇଁ ଓଡିଶା ସର୍ବାଧିକ ପୁଞ୍ଜି ବିନିଯୋଗ ସ୍ଥାନ ଭାବରେ ଉଭା ହୋଇଛି। ସେ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତାରେ ଓଡିଶା ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ରାଜ୍ୟର ବିକାଶ କାହାଣୀରେ ଗର୍ବିତ ଅଂଶୀଦାର ଭାବରେ ତାଙ୍କର ଭୂମିକା ଉପରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ CM (5-T) ସଚିବ ଶ୍ରୀ ଭି କେ ପାଣ୍ଡିଆନ୍। ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ହିଣ୍ଡାଲକୋ ମୁଖ୍ୟ ବି.ସି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ରେ ସ୍କୁଲ ରୂପାନ୍ତରଣ, ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି। ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି। ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ। ଓଡିଶା ସରକାର ହକିକୁ ପ୍ରାୟୋଜିତ କରୁଛି। ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି। ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି

(୧) ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଞ୍ଚାୟତ
(୨) କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ
(୩) ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଞ୍ଚାୟତ
(୪) ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ
(୫) ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ
(୬) କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ
(୭) ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାଯତ
(୮) ସହିଦ୍‌ ହାଇସ୍କୁଲ, ଟକରଡା ପଞ୍ଚାୟତ
(୯) ମା କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ
(୧୦) ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣ ରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5Tର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣ କୁ ସଫଳ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ଆଗ୍ରହ ସୃଷ୍ଟି କରିଛି। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲ ମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସ ରେ ଏକ ଗୌରବ ମୟ ଅଧ୍ୟାୟ ଯୋଡ଼ି ପାରିଛି।

ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟ ,ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୫-ଟି ସଚିବ ଭି କେ ପାଣ୍ଡିଆନ୍ । ଗଞ୍ଜାମ ଜିଲ୍ଳାପାଳ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗଞ୍ଜାମ ର ଛାତ୍ରଛାତ୍ରୀ ଅଭିଭାବକ ଓ ସାଧାରଣ ଲୋକଙ୍କ ମନରେ ବିପୁଳ ଉତ୍ସାହ ସୃଷ୍ଟି କରିଛି।

ମୀରା ସ୍ବାଇଁ ତୃପ୍ତି ମୟୀ ମହାରଣା, ଶଙ୍କର ଜେନା ,ସ୍ମୃତି ମୟୀ ପ୍ରଧାନ , ରେଶମା ଦାସ, ସୁଇଟି ତ୍ରିପାଠୀ, ପାୟଲ ଗୌଡ଼ ଓ ରୁଦ୍ର ନାରାୟଣ ଶତପଥୀ ପ୍ରମୁଖ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହା ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ରେ ସହାୟକ ହେବ ବୋଲି ମତ ଦେଇ ଆନନ୍ଦ ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ପଣ୍ଡା ମନ୍ତ୍ରୀ, ରଘୁନନ୍ଦନ ଦାସ ଓ ବିଧାୟକ ମାନେ ଯୋଗ ଦେଇ ହିଞ୍ଜିଳି ବିକାଶ ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ସସ୍ମିତା ବାଗଚୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ହକି ଷ୍ଟାଡିୟମ ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ‌୍‍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ‌୍‍ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ‌୍‍ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ‌୍‍ କାଯ୍ୟ ବୁଲି ଦେଖିଛନ୍ତି।

ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ‌୍‍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ‌୍‍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ।

ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବ ନିର୍ମାଣ କାମ ମଧ୍ୟ ଶେଷ ପଯ୍ୟାୟରେ ପହଞ୍ଚିଛି । ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ‌୍‍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ‌୍‍ ଟ୍ରାକ‌୍‍ ନିର୍ମାଣ କରାଯାଉଛି।

ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି। ତେଣୁ ବିଶ୍ବକପ‌୍‍ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି”, ସେହିପରି ଏୟାରପୋର୍ଟ ଅଥରିଟି ଅଫ‌୍‍ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଏହାକୁ ଆଗାମୀ ୨୦୨୨ ମେ’ ମାସ ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଛେଣ୍ଡଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ କାର‌୍ୟ୍ୟ ଆସନ୍ତା ବର୍ଷ ଜୁନ‌୍‍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ,୫ଟି ସଚିବ ରାଉରକେଲାରେ କୋଭିଡ‌୍‍ ପରିସ୍ଥିତିର ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ବର୍ତ୍ତମାନ ରାଉରକେଲାରେ ଜେ ପି ହସ୍ପିଟାଲକୁ ସରକାରୀ କୋଭିଡ‌୍‍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି। ସେହିପରି ସୁନ୍ଦରଗଡ଼ରେ ଏନଟିପିସି କୋଭିଡ‌୍‍ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି’’।

ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର‌୍ୟ୍ୟ ବୁଲି ଦେଖିଥିଲେ। ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର‌୍ୟ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଥିଲେ।୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ‌୍‍ ଭୁବନେଶ୍ବର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ। ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ‌୍‍ ଭାବେ ପରିଚିତ କରାଇବ। ପାନପୋଷଠାରେ ବ୍ୟାଡମିଣ୍ଟନ ଏବଂ ଲନ‌୍‍ ଟେନିସ‌୍‍ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି।

ଏଠାରେ ୩ଟି ଇନଡୋର ବ୍ୟାଡ‌୍‍ମିଣ୍ଟନ କୋର୍ଟ ସହିତ ଆଉଟଡୋର ଲନ‌୍‍ ଟେନିସ‌୍‍ କୋର୍ଟ ରହିଛି। ଖେଳାଳିମାନଙ୍କ ଫିଟନେସ‌୍‍ ପାଇଁ ଅତ୍ୟାଧୁନିକ ଜିମ‌୍‍ର ବ୍ୟବସ୍ଥା କରାଯାଉଛି। ସେହିପରି ଫୁଟବଲ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି। ସଚିବସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ।

ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ବଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରତିନିଧି ଦଳ ଆଜି ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ। ଏହି ଗସ୍ତ ବେଳେ ୫ଟି ସଚିବ କହିଥିଲେ ଯେ, ଯେତେଶୀଘ୍ର ସମ୍ଭବ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବା ପାଇଁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକ ମାନ ତଦାରଖ କରିପାରିବେ।

ଏହି ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ ଛେଣ୍ଡଠାରେ ପ୍ରାୟ ୮ ଏକର ଜମିରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ସଚିବସ୍ତରୀୟ ପ୍ରତିନିଧି ଦଳ ବୁଲି ଦେଖିଥିଲେ

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ, ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଭିଡିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକ ମାନଙ୍କ ମତାମତ ଲୋଡିଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫ଟି କାଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପଯ୍ୟବେକ୍ଷଣ କରିଥିଲେ। ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଏହି ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ଏହି ସ୍ମାର୍ଟ କ୍ଲାସ ରୁମ୍ କାଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, Hygenic toilet, ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡିଆ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମକୁ ୫-ଟି ସଚିବ ପର୍ଯ୍ୟବେକ୍ଷଣ କରି ଅଗ୍ରଗତିର ସମୀକ୍ଷା କରିଥିଲେ। ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମର ବିକାଶ କରାଯାଉଛି। ଏଥିରେ ପିଲାଙ୍କ ପାଇଁ କମ୍ପୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି ।

ଏହାପରେ ୫ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ। ମନ୍ଦିରର ପ୍ରସାଦ ସେବନ ହଲ୍‌, Interpetation Complex, ଦୀପଘର, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ଆଦି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପରେ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇ.ଟି.ଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହି ଆଇ.ଟି.ଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରୀ ପାଉଥିବାରୁ ସେମାନେ ଆଇ.ଟି.ଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସୁନ୍ଦରଗଡ ଗସ୍ତ: ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍‌କ୍ରିଷ୍ଣା ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡୀ କେନ୍ଦ୍ର ଏବଂ କିଂଜିରିମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହାସହିତ ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ।

କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ଏବଂ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ICU ତଥା ଆବଶ୍ୟକୀୟ ବ୍ୟବସ୍ଥା ସଂପର୍କରେ ସୁନ୍ଦରଗଡସ୍ଥିତ NTPC କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ଏତଦ୍‌ବ୍ୟତୀତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୫୦ ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ। ସେମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟତ୍ରୀ ଏବଂ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭର୍ଚ୍ଯୁଆଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। ସ୍କୁଲର ବିଜ୍ଞାନଗାର, ଖେଳପଡିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ।

ସୁନ୍ଦରଗଡ ସଦରର ଭବାନୀପୁରରେ ବାଲା ମଡେଲରେ ନିର୍ମିତ ଆଧୁନିକ ଅଙ୍ଗନବାଡୀ କେନ୍ଦ୍ର ମଧ୍ୟ ସେମାନେ ପରିଦର୍ଶନ କରିଥିଲେ। ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ବାଲା ମଡେଲରେ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଅଙ୍ଗନବାଡୀ କେନ୍ଦ୍ର ତିଆରି କରାଯାଇଛି। ଏହାର ଆସବାପତ୍ର ଓ କାନ୍ଥବାଡ ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଛି। ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ସହିତ ନୂଆ ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡର ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।