ରୋମ୍ ରେ ମୁଖ୍ୟମନ୍ତ୍ରୀ: ବୈଜ୍ଞାନିକ ଶେଷଙ୍କର ଭାଷଣ ଶୁଣି ନବୀନଙ୍କ ଆଖିରୁ ଲୁହ

Published: Jun 25, 2022, 3:35 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସାର୍ ଆପଣ ମୋର ପିତା। ଆପଣଙ୍କ ପାଇଁ ମୁଁ ଆଜି ଜର୍ମାନରେ ବୈଜ୍ଞାନିକ ଭାବରେ ୩ ବର୍ଷ ପିଏଚ୍ ଡି କରି ପାରିଛି। ଆପଣଙ୍କ ପାଇଁ ମୁଁ ଆଜି ଗର୍ବ ଅନୁଭବ କରେ ବୋଲି ଇଟାଲୀର ରୋମ୍ ରେ ନବୀନ୍ ପଟ୍ଟନାୟକ ଏକ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶେଷ କିସାନ୍ ପ୍ରକାଶ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ୟୁରୋପ୍ ଗସ୍ତ ଅବସରରେ ଇଟାଲୀର ରୋମ୍ ରେ ପ୍ରବାସୀ ଓଡ଼ିଆ ମାନଙ୍କୁ ଡାକି ଏକ ସଭା କରିଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ .ପାଣ୍ଡିଆନ୍ ମଧ୍ୟ ଯୋଗ ଦେଇ ଥିଲେ।

ଏହି ସଭାରେ ଜର୍ମାନରେ ରହୁଥିବା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବବୈଜ୍ଞାନିକ ଶେଷଦେବ କିସାନ୍ ମଧ୍ୟ ଯୋଗ ଦେଇଥିଲେ। ଯୁବ ବୈଜ୍ଞାନିକ ଶେଷ ଦେବ ୨୦୧୮ ମସିହାରେ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀକୁ ଭେଟିବା ସହ ଆଇଏଏସ ମାନଙ୍କ ସାମ୍ନାରେ ବକ୍ତବ୍ୟ ରଖିଥିଲେ।

ସେଇ ସମୟରେ ଶେଷଦେବ ସ୍ଲିପର୍ ଚପଲ ହଳେ ପିନ୍ଧିଥିବା ବେଳେ ଏକ ନୋକିଆ କିପେଡ୍ ମୋବାଇଲ୍ ଧରିଥିବା ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଇଥିଲେ। ଆପଣ ଏକ ଆଇ ଫୋନ୍ ଦେଇଥିଲେ ବୋଲି ଶେଷ ଦେବ ମୋବାଇଲ୍ ଦେଖାଇ ପ୍ରକାଶ କରିଥିଲେ। ଛୋଟ ସମୟରୁ ବାପା, ମାଆକୁ ହରାଇବା ସହ ଭଉଣୀଙ୍କୁ ମଧ୍ୟ ହରାଇଥିଲି ବୋଲି ଶେଷ ଦେବ ପ୍ରକାଶ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଲୁହ ଝରିପଡ଼ିବା ଏବଂ ରୁମାଲ୍ ରେ ପୋଛୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

ରୋମ୍ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀକୁ ସାକ୍ଷାତ୍ କରି କେମିତି ଲାଗିଲା ବୋଲି ଫୋନ୍ ରେ ବୈଜ୍ଞାନିକ ଶେଷଦେବଙ୍କୁ ଆମ ପ୍ରତିନିଧି ପଚାରିବାରୁ ଅତ୍ୟନ୍ତ ଖୁସି ଅନୁଭବ କଲି ବୋଲି ପ୍ରକାଶ କରିଥିଲେ। ଏପରିକି ରୋମ୍ ଗସ୍ତର କିଛି ଫଟୋ ଆମ ପ୍ରତିନିଧିଙ୍କୁ ପଠାଇଥିଲେ। ମୁଁ ସବୁଦିନେ ବିଦେଶରେ ନ ରହି ଓଡ଼ିଶା ଫେରିଯାଇ ଏକ ଫାର୍ମା ଇଣ୍ଡଷ୍ଟ୍ରି କରିବି ବୋଲି ପ୍ରକାଶ କରିଛନ୍ତି ଶେଷ କିସାନ୍। ଏପରିକି ନିଜ ଗାଁ ମାଟିରେ ଘର ତିଆରି ପାଇଁ ମୁଖ୍ୟମନ୍ତ୍ରୀ ସହଯୋଗର ହାତ ବଢ଼ାଇଥିବା ପ୍ରକାଶ କରିଥିଲେ ଶେଷ କିସାନ୍।

Related posts