Categories
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ଡ଼ା କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା

ବାଣପୁର (ସୀତାରାମ ଅଗ୍ରୱାଲ): ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ଟ୍ରଷ୍ଟବୋର୍ଡ଼ର ପୂର୍ବତନ ସଭାପତି, ବିଶିଷ୍ଠ ଜନପ୍ରିୟ ହୋମିଓପ୍ୟାଥି ଡାକ୍ତର, ସମାଜ ସେବୀ କାଶିନାଥ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା ଜନ୍ମମାଟି ଭୀମପୁରସ୍ଥ ସାମନ୍ତରାପୁରର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ଶିକ୍ଷାବିତ୍ ବିଭୂତି ଭୂଷଣ ନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଶିକ୍ଷାବିତ୍‌ ବାଳମୁକୁନ୍ଦ ଦାସ,ରାଜେନ୍ଦ୍ର ପ୍ରସାଦ ରଥ, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ନାରାୟଣ ମହାନ୍ତି, ରବୀନ୍ଦ୍ରକୁ ମାର ସାହୁ,ରାସବିହାରୀ ସାହୁ, ବୈରାଗୀ ଚରଣ ବେହେରା, ନନ୍ଦ କିଶୋର ବାରିକ, ଅଶୋକ ରାଉତ, ଅଶୋକ ନନ୍ଦ, ରାଜକିଶୋର ନନ୍ଦ, ପ୍ରଦୀପ ନନ୍ଦ ପ୍ରମୁଖ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ନାମରେ ଭୀମପୁର ଠାରୁ ଐତିହାସିକ ପଲଟଣ ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାଟିକୁ କାଶିନାଥ ମିଶ୍ର ମାର୍ଗନାମରେ ନାମକରଣ କରିବାକୁ ସ୍ଥିର କରାଗଲା। ପୁତ୍ର ଜୟନ୍ତ ମିଶ୍ର ସହଯୋଗ କରିଥିବାବେଳେ ସୂର୍ଯ୍ୟପ୍ରସାଦ ମିଶ୍ର ଧନ୍ୟବାଦାର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସ୍ପଷ୍ଟ ଦିବାଲୋକରେ ମାରଣାସ୍ତ୍ରରେ ଆକ୍ରମଣ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ରାଜେଶ ପ୍ରଧାନ ଏବଂ ରାଜେନ୍ଦ୍ର ସାହୁଙ୍କୁ ଦୁର୍ବୁତ୍ତମାନେ ସ୍ପଷ୍ଟ ଦିବାଲୋକରେ ପଲଟନ ପଡିଆଠାରେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇ ବାଣପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ତେବେ ଖବର ଲେଖା ହେଲା ବେଳକୁ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ତେବେ ସ୍ପଷ୍ଟ ଦିବାଲୋକରେ ବାଣପୁର ବଜାରରେ ଏପରି କାଣ୍ଡ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର

ବାଣପୁରରେ ଏକ ଜଘନ୍ୟ ହତ୍ୟାକାଣ୍ଡ, ଦୁଇ ଭାଇଙ୍କୁ କାତିରେ ହାଣିଲା ମାତାଲ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ଘର ଭିତରକୁ ପଶି ଆସିଥିଲେ।

ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଞ୍ଚିବାରୁ ରବୀନ୍ଦ୍ରଙ୍କର ବେକକୁ ଲକ୍ଷକରି କାତିରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।

ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାତ ହେଉଛନ୍ତି କ୍ଷ ପ୍ରକାଶ ଥାଉକି ମୃତକ ରବି ନାୟକ ଆଇପିଓ ଭାବରେ ବାଣପୁର ବ୍ଲକରେ ବହୁଦିନ ଧରି କାର‌୍ୟ୍ୟରତ ଥାଇ ଅବସର ଗ୍ରହଣ କରିଥିଲେ।

ମଦ ପାଇଁ ଜଣଙ୍କର ହତ୍ୟା ହୋଇଥିବାରୁ ବାଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି କରିଛି।

Categories
ଆଞ୍ଚଳିକ

ବାଣପୁର: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ୍ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭୀମପୁର ସ୍ଥିତ ବାନାମ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ପାତ୍ରଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି, ସ୍ଵୟଂସହାୟକ ଗୋଷ୍ଠୀ, ଆଲୁମନି କମିଟି , ଗ୍ରାମବାସୀଙ୍କ ସହିତ ଓଷ୍ଟା ପକ୍ଷରୁ ସମ୍ମିଳିତ ଭାବରେ ଅବସରକାଳିନ ସମ୍ବର୍ଦ୍ଧନା ଯଥୋଚିତ ଭାବରେ ଆଜି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ପ୍ରାକ୍ତନ ପ୍ରଧାନଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ଲକ୍ଷ୍ମୀଧର ସାହୁ, ବୈରାଗୀ ଚରଣ ବେହେରା, ବିଭୂତି ଭୂଷଣ ନନ୍ଦ, ଗଣେଶ୍ଵର ମୁଦୁଲି, ଶିଶିର କୁମାର ଦାସ, ରମେଶ ଚନ୍ଦ୍ର ବେହେରା, ଗୋବିନ୍ଦ ଘଡ଼ାଇ,ବିରଞ୍ଚି ଘଡାଇ ଏବଂ ଅଶୋକ ନନ୍ଦ ପ୍ରମୁଖ ଶ୍ରୀମତୀ ପାତ୍ରଙ୍କ ବହୁମୁଖି ପ୍ରତିଭାର ଗୁଣ ଗାନ କରି ତାଙ୍କ ଅବସର ସମୟ ସୁଖମୟ ଶାନ୍ତିମୟ ଓ ନିରାମୟ ନିମନ୍ତେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି ମାନପତ୍ର ସହ ଉପଢୌକନ ପ୍ରଦାନ କରିଥିଲେ ।

ଇତ୍ୟବସରରେ ଭୀମପୁର ଗ୍ରାମ ର ଅନନ୍ୟ ପ୍ରତିଭା, ମେଧାବୀ ଛାତ୍ରୀ, ବାଣପୁରର ଗୌରବ, ରାଉରକେଲା ନିଟ କଲେଜର ସ୍ନାତକୋତ୍ତର ବାୟୋଟେକ୍ନୋଲୋଜିରେ ସ୍ବର୍ଣ୍ଣ ପଦକ ପ୍ରାପ୍ତ ଶତାବ୍ଦୀ କଳ୍ପିତା ନନ୍ଦଙ୍କୁ ମଧ୍ୟ ଉକ୍ତ ସମାରୋହରେ ଭୀମପୁର ଗ୍ରାମବାସୀ ଓ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଭବ୍ୟ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଉଭୟେ ନିଜ ନିଜର ବ୍ୟକ୍ତବ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷାୟତ୍ରୀଙ୍କୁ ଧୈଯ୍ୟ ର ସହିତ ଆତ୍ମ ବିଶ୍ୱାସ ରଖି କଠିନ ପରିଶ୍ରମ କଲେ ନିଶ୍ଚିତ ଭାବରେ ନିଜର ଲକ୍ଷ ପଥରେ ପହଞ୍ଚିପାରିବ ବୋଲି କହିଥିଲେ । ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ କଳ୍ପଲତା ମହାପାତ୍ର ମାନପତ୍ର ପାଠ କରିଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷା କର୍ମଚାରୀ ଏହି ସମାରୋହକୁ ପରିଚାଳନା କରିଥିଲେ । ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଙ୍କର ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏନ୍‌.ସି.ସି. କ୍ୟାଡେଟ୍ ମାନଙ୍କ ତରଫରୁ ଡ୍ରମ ବାଦ୍ୟର ତାଳେ ତାଳେ ପୁଷ୍ପ ବୃଷ୍ଟି ସହ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ରଙ୍କୁ ପଟୁଆରରେ ନେଇ ବିଦ୍ୟାଳୟ ଫାଟକ ପାଖରେ ଅପେକ୍ଷାରେ ଥିବା କାରରେ ବସାଇ ଅଶ୍ରୁଳ ବିଦାୟ ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମମାଟିରେ ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ୟ ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର ଆମ ଗାଁ ଆମ ସାହିତ୍ୟ ଓ କୃଷ୍ଣଚନ୍ଦ୍ରପାଠାଗାରଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ସଭାପତିତ୍ଵ କରିଥିବାବେଳେ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରଫେସର ଡଃ. ନିଳାଦ୍ରୀଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି, ସୁସାହିତ୍ୟକ ପୂର୍ବତନ ମନ୍ତ୍ରୀ ଡ଼ାଦେବେନ୍ଦ୍ର ନାଥ ମାନସିଂ, ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ଅଧ୍ୟାପକ ଡଃ ଚାନ୍ଦ କିଶୋର ତ୍ରିପାଠୀ, ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, ପ୍ରଫେସର ଡଃ ନୃସିଂହ ପ୍ରଧାନ, ଆଡ଼ଭୋକେଟ ମଳୟ ରଞ୍ଜନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି, ଗାଳ୍ପିକ ଶିବ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବି ତ୍ରିପାଠୀଙ୍କ ସାରସ୍ଵତ ସୃଷ୍ଟିରେ ସରଳ ଗ୍ରାମ୍ୟ ଜୀବନର ଦୁଃଖ ଯନ୍ତ୍ରଣା ପ୍ରପୀଡ଼ିତ ମଣିଷର ନିଛକ ଚିତ୍ର ଚିତ୍ରଣ ସହିତ ମାନବିକ ମୂଲ୍ୟ ବୋଧର ଉଦବେଳନ କିପରି ତାଙ୍କ କବିତାକୁ ରସାଣିତ କରିଛି ବର୍ଣ୍ଣନା କରିବା ସହିତ ବୀର ପାଇକ ଜାତିର ଜାତୀୟତା ବୋଧ, ଦେଶାତ୍ମଭାବନା ପରାଧୀନ ଭାରତ ବର୍ଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଦେଶ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସୃଷ୍ଟି କରିବାରେ କିପରି ପ୍ରେରଣା ଯୋଗାଇଛି ଏବଂ ତାହା ସହିତ ତାଙ୍କ ସାମଗ୍ରିକ କାବ୍ୟ ସମ୍ଭାର ଓଡ଼ିଆ ଭାଷା ଭଣ୍ଡାରକୁ ରୁଦ୍ଧିମନ୍ତ କରି ତାଙ୍କୁ କାବ୍ୟ ଜଗତରେ ଅତିବଡ଼ି ସମ୍ମାନରେ ସମ୍ମାନିତ କରିଛି ତାହା ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଭାରମ୍ଭରେ ପଣ୍ଡିତ ପ୍ରସନ୍ନ ବିଗ୍ରହ ବେଦ ପାଠ କରିଥିବାବେଳେ କବି ଦେବାଶୀଷ ପଟ୍ଟନାୟକ ପାଇକ କବିଙ୍କ ସ୍ଵରଚିତ ଏହି ଯେ, ଦିଶୁଛି ଲାଲମାଟିର ଖୋର୍ଦ୍ଧା ଗଡ଼ ଆବୃତି କରିଥିଲେ। ଡଃ ନିଳାଦ୍ରୀଭୂଷଣ ହରିଚନ୍ଦନଙ୍କୁ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ବିଭୂତି ଭୂଷଣ ନନ୍ଦ, ଅଶୋକ ନନ୍ଦ, ଆନନ୍ଦ ଚନ୍ଦ୍ର ସେନାପତି, ଜ୍ୟୋତିର୍ମୟ ତ୍ରିପାଠୀ, ଅବନୀ ନନ୍ଦ ଏହାକୁ ପରିଚାଳନା କରିଥିବାବେଳେ ସଂପାଦକ ମଧୁସୂଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଞ୍ଚଳିକ

ଭୀମପୁର ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚୋରୀ, ଜଣଙ୍କୁ ଅଟକ ରଖିଛି ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଜୋରସୋରରେ ଜାରି ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ବୁତ୍ତମାନେ ଲୁହା କବାଟ ଲୁଟିନେଇଛନ୍ତି।

ସୂଚନା ଥାଉକି ୫-ଟି ଅନ୍ତର୍ଗତ ରୂପାନ୍ତର ଯୋଜନାରେ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି। ତେଣୁ ବର୍ତ୍ତମାନ ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଚାରି ଗୋଟି ପୁରୁଣା କବାଟକୁ ବଦଳାଇ ନୂଆ କବାଟ ବସିଛି। ତେବେ ଉକ୍ତ ପୁରୁଣା କବାଟଗୁଡିକୁ ବିଦ୍ୟାଳୟ ପରିସରରେ ରଖାଯାଇଥିବା ବେଳେ ଗତକାଲି ତାହା ଚୋରି ହୋଇଥିବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।  ବିଦ୍ୟାଳୟରେ ରାତ୍ର ଜଗୁଆଳି ନଥିବାରୁ ଏହାର ଫାଇଦା ନେଇ ଦୁର୍ବୁତ୍ତମାନେ ନିକଟ ରାତିରେ ଲୁହା କବାଟ ଲୁଟି ନେଇଛନ୍ତି।

ଏ ନେଇ ବିଦ୍ୟାଳୟ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ସଦ୍ୟ ତଥ୍ୟ ଅନୁଯାୟୀ ଉକ୍ତ ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି।

Categories
ଆଞ୍ଚଳିକ

ବାଣପୁର: ବୋରିଗାଁ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୀମପୁରକୁ ହରାଇ ଚମ୍ପିୟାନ ହେଲା ଗଙ୍ଗାଧପୁର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଏକ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମାପନ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚରେ ଗଙ୍ଗାଧରପୁର କ୍ରିକେଟ୍ ଟିମ୍ ଚମ୍ପିୟାନ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ବାବା ନୀଳକଣ୍ଠେଶ୍ୱର କ୍ରିକେଟ୍ ଟିମ୍ ବିଜୟ ହାସଲ କରି ଆୟୋଜକ ଦଳ ଠାରୁ ୯ ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି।

ଗଙ୍ଗାଧରପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ମାତ୍ର ୪୭ ରନ କରି ଭୀମପୁର ଦଳକୁ ୪୮ ରନର ଲକ୍ଷ୍ୟ ଦେଇଥିଲା। ଜବାବରେ ଭୀମପୁର ଦଳ ସମସ୍ତ ୱିକେଟ ହରାଇ ମାତ୍ର ୨୩ ରନ କରିବାକୁ ସକ୍ଷମ ହୋଇପାରିଥିଲା। ପ୍ରଦୀପ କୁମାର ପାତ୍ରଙ୍କ ଅଧିୟକତ୍ଵରେ ଦଳ ଚମ୍ପିୟାନ ହୋଇପାରିଥିଲା। ସମସ୍ତ ଖେଳାଳିଙ୍କ ଉଦ୍ୟମରେ ଏତେ ବଡ ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇପାରିଲୁ ବୋଲି ଅଧିନାୟକ ପ୍ରଦୀପ କହିଥିଲେ। ଭୀମପୁର ଭଳି ଦଳକୁ ପରାଜିତ କରିବା ଏକ ବଡ ସଫଳତା ବୋଲି ପ୍ରଦୀପ କହିଥିଲେ।

ସେହିଭଳି ଆୟୋଜକ ଇଲେଭେନ ଷ୍ଟାର କ୍ଲବ, ବୋରିଗାଁକୁ ଫାଇନାଲରେ ଖେଳିଥିବା ଦୁଇ ଦଳ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ

ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଭୀମପୁର କ୍ରୀଡା ସଂଘ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁରର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଭୀମପୁର କ୍ରୀଡା ସଂଘ(ବିଏସ୍‌ଏ)। ଅଗ୍ନି ବିପନ୍ନ ପରିବାରକୁ ଭୀମପୁର କ୍ରୀଡା ସଂଘ ପକ୍ଷରୁ ସହାୟତାର ହାତ ବଢାଯାଇଥିବା ବେଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର, ବାସନ ସାମଗ୍ରୀ, ପନିପରିବା, କପଡା ଏବଂ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ୧୩ ତାରିଖରେ ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୁର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିଲା। କ୍ରୀଡା ସଂଘର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

Categories
ଆଜିର ଖବର

ବାଣପୁର ବ୍ଲକ ଭୀମପୁର ଗ୍ରାମର ‘ବୃନ୍ଦାବନ ଚନ୍ଦ୍ର ଦେବ’ ମନ୍ଦିରରୁ ଚୋରି: ଜଣେ ଯୁବକ ଗିରଫ

ସମୀକ୍ଷାବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି।

ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ସେ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଏଚ.ଡି.ଏଫ.ସି ବ୍ୟାଙ୍କ ଏ.ଟି.ଏମରୁ ଚୋରି କରିବାକୁ ପ୍ରଚେଷ୍ଟା କରିଥିଲା। ହେଲେ ସେଠାରୁ ସେ ବିଫଳ ହେବା ପରେ ମନ୍ଦିରରୁ ବିଭିନ୍ନ ମୁଲ୍ୟବାନ ମୂର୍ତ୍ତି ଓ ନଗଦ ଟଙ୍କା ଚୋରି କରିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ତାହାର ସମସ୍ତ ଯୋଜନା ବିଫଳ ହୋଇଛି। ସମ୍ପୃକ୍ତ ଆସାମୀ ଜଣଙ୍କ ଓଡି-୦୨ ଏ.ଟି ୫୩୧୬ ନମ୍ବରର ଏକ କଳା ରଙ୍ଗର ମୋଟର ସାଇକେଲ ବ୍ୟବହାର କରୁଥିବାର ପୋଲିସ ପ୍ରକାଶ କରିଛି। ଏବଂ  ପୋଲିସ ତାକୁ ଗିରଫ କରି ତାହା ବିରୋଧରେ ମାମଲା ରୁଜୁ କରିଛି।