Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦ୍ରାବତୀରୁ ଭୁବନେଶ୍ବରକୁ ବସ ସେବା ଆରମ୍ଭ

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ ଇନ୍ଦ୍ରାବତୀରୁ ଭୁବନେଶ୍ୱରକୁ ଓଡ଼ିଶା ରାଜ୍ୟ ପରିବହନ ପକ୍ଷରୁ ବସ ସେବା ସେବା ଆରମ୍ଭ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଏଆରଟିଓ ଅବିନାଶ ରୋଜ, ଆଞ୍ଚଳିକ ପରିବହନ ଅଧିକାରୀ ଜୟପୁର ସନ୍ତୋଷ କୁମାର ନାୟକଙ୍କ ଉପସ୍ଥିତି ରେ ବସ କୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଥିଲା।

ଇନ୍ଦ୍ରାବତୀରୁ ଭୁବନେଶ୍ୱରକୁ ସରକାରୀ ବସ ଚଳାଇବାକୁ ବାରମ୍ବାର ଦାବି ହୋଇ ଆସୁଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ – ସମୂହର ଛାତ୍ର ସମ୍ମେଳନ ଉଦଯାପିତ

ଭୁବନେଶ୍ବର: ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଆୟୋଜିତ ପଞ୍ଚଦିବସୀୟ ସର୍ବଭାରତୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଛାତ୍ର ସମ୍ମେଳନ ଆଜି ଉଦଯାପିତ ହୋଇଯାଇଛି। ଭୁବନେଶ୍ବର ସମେତ ଆଜମେର, ଭୋପାଳ, ମୈସୁର ଓ ସିଲଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏଥିରେ ବିଭିନ୍ନ ସାହିତ୍ଯ ଓ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।

ଉଦଯାପନୀ ସମାରୋହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଜନଜାତି – ପଛୁଆବର୍ଗ, ସଂଖ୍ୟାଲଘୁ ବିକାଶ, ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶ୍ରୀ ଗଣ୍ଡ କହିଥିଲେ, ବହୁ ଭାଷା ଓ ସାଂସ୍କୃତିକ ବିବିଧତାର ପରିଚୟ ବହନ କରୁଥିବା ଭାରତ ବର୍ଷ ବସୁଧୈବ କୁଟୁମ୍ବକମ ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧ। ଆମ ପ୍ରତିଭା ଆମକୁ ପରିଚୟ ପ୍ରଦାନ କରେ ଏବଂ ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ଏକାଗ୍ରତା ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ଓ ରାଞ୍ଚି ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଦ୍ଵିତୀୟ ଥର ପାଇଁ ପ୍ରତିଷ୍ଠାନ ପରିସରରେ ଆୟୋଜିତ ହେବା ଗୌରବର କଥା ବୋଲି ମତ ଦେଇ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ସହ ବିବିଧତାରେ ଏକତା ସମ୍ମେଳନ ଆଯୋଜନର ପ୍ରମୁଖ ଆଭିମୁଖ୍ୟ ବୋଲି କହିଥିଲେ।

ବିଭିନ୍ନ ଭାଷା, ଅଞ୍ଚଳ ଓ ସଂସ୍କୃତି ପୃଷ୍ଠଭୂମିରୁ, ଛାତ୍ର ଛାତ୍ରୀଙ୍କୁ ଏକାଠି କରି ଭବିଷ୍ୟତର ଶିକ୍ଷକ ମାନଙ୍କ ମଧ୍ୟରେ ସାମଗ୍ରିକ ଶିକ୍ଷା, ସାଂସ୍କୃତିକ ବୁଝାମଣା ଓ ନେତୃତ୍ଵ ନେବାର ଦକ୍ଷତାକୁ ପ୍ରୋତ୍ସାହିତ କରୁଥିବା ଏହି ସମ୍ମେଳନରେ ବିତର୍କ, ଚିତ୍ରାଙ୍କନ, ସାଧାରଣଜ୍ଞାନ, ଫୁଟବଲ, ଭଳିବଲ, ବ୍ୟାଡମିଣ୍ଟନ ସମେତ ବିଭିନ୍ନ ବିଭାଗର ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରିଶେଷରେ ପ୍ରଫେସର ରୀତାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ (ସାଇକେଲ ଚାଳନା ଟ୍ରାକ୍)ର ଉଦଘାଟନ କରିଛନ୍ତି କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ। ସାଇକେଲ ଚାଳନାରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ରଙ୍କ ସମ୍ମାନରେ ଏହି ଭେଲୋଡ୍ରୋମକୁ ନାମିତ କରାଯାଇଛି।

ଭେଲୋଡ୍ରୋମର ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଏହାର ମହତ୍ତ୍ବ ବିଶ୍ବରେ ଆଲୋକପାତ କରିଥିଲେ। ସେ କହିଥିଲେ, “ଆଜି ମୋ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ, ଆଜି ମୁଁ ଯାହା ଦେଖିଲି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ସହ ମେଳ ଖାଉଛି- ଏପରି ଏକ ଦେଶ ଯେଉଁଠାରେ ଶିକ୍ଷା ଓ କ୍ରୀଡ଼ା ଏକାଠି ଆଗକୁ ବଢିଥାନ୍ତି।”

Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ଵର: ରାଜ୍ୟ ସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ପ୍ରଥମ ଓଡ଼ିଶା ଆନ୍ତଃ ତୃଣମୂଳ ସ୍ତରୀୟ (୧୪ ବର୍ଷରୁ କମ୍) ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗୀତା ଓଡ଼ିଶା ଭାରଉତ୍ତୋଳନ ସଂଘ ଏବଂ ” ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ା ବହୁମୁଖ ଭବନ (ଏମ୍.ପି.ଆଇ.ଏସ୍.) କ୍ରୀଡା (ଇ.ଏସ୍. ) ତରଫରୁ ପ୍ରତିଯୋଗୀତା ଭାରୋତ୍ତୋଳନ ପ୍ରଶିକ୍ଷିକ ଶ୍ରୀମତୀ ସୂର୍ଯ୍ୟପ୍ରଭା ମହାରିଙ୍କ। ତତ୍ତ୍ୱାବଧାନରେ ୨ଜଣ ଛାତ୍ର ଓ ୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ବର୍ଷରୁ କମ୍ ବାଳିକା (୪୯ (୯ କେ.ଜି.) ବର୍ଗରେ କୁମାରୀ ଇସାସିହ୍ନା। -୩ୟ ସ୍ଥାନ ଏବଂ ୧୪ ବର୍ଷରୁ କମ୍ ବାଳିକା (୫୫କେଜି ବର୍ଗରେ ଅର୍ପିତା। ମଧୁଶ୍ରୀ ସାହୁ ମଧ୍ୟ ଥିବା ୩ୟ ସ୍ଥାନ ଅଧିକାରକାରୀ କାଂସ୍ୟ ପଦକ ଆସ୍ଥା ପାଇଥିଲେ। କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା କୃତି ପ୍ରତିଯୋଗୀମାନଙ୍କୁ ମାନପ‌ତ୍ର ଓ ପଦକ ପ୍ରଦାନ କରିଥିଲେ। ମହାରଣା, ଆୟନ ଜେନା ଏବଂ କୀର୍ତି କୁମାର ସାହୁ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।

ଛାତ୍ରୀମାନଙ୍କର ଏହି କୃତିତ୍ବ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ନିଲୁ ମହାପାତ୍ର ଏବଂ ଜିଲ୍ଲା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପାଣିଗ୍ରାହୀ ଜଣାଇଛନ୍ତି।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଯୁବ ଖେଳାଳୀମାନଙ୍କ ପାଇଁ ଯୁଗାନ୍ତକାରୀ ସୁଯୋଗ: ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଭୁବନେଶ୍ବରର କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଭାରତ ଗୋପୀଚନ୍ଦ ଓଡିଶା ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଡଃ ହିମନ୍ତ ବିଶ୍ବଶର୍ମା ଏବଂ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପୁଲେଲା ଗୋପୀଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ,  ୭୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ଏହି ଇଣ୍ଡୋର ହାଇ ପରଫରମାନ୍‌ସ ସେଣ୍ଟରରେ ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା ସହିତ ୮ଟି ଶୀତତାପ ନିୟନ୍ତ୍ରିତ ବ୍ୟାଡମିଣ୍ଟନ କୋର୍ଟ ରହିଛି। ଏଥିରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ସୁବିଧା କରାଯାଇଛି। ଏଥିସହିତ ଏହି ସେଣ୍ଟରରେ ୩୬ ଜଣ ଖେଳାଳୀ ରହିଲା ଭଳି ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ବିକଶିତ କରାଯାଇଛି। ୨୦୦ ସିଟ୍‌ ବିଶିଷ୍ଟ ଏକ ଆମ୍ଫିଥିଏଟର ସହିତ ଏହି ସେଣ୍ଟରଟିକୁ ବ୍ୟାଡମିଣ୍ଟନ ସଟଲକକ୍ ସଦୃଶ୍ୟ  ନିର୍ମାଣ କରାଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ପୁଲେଲା ଗୋପୀଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଏବଂ ଡାଲମିଆ ଭାରତ ଗ୍ରୁପର ସହଯୋଗରେ ଭୁବନେଶ୍ବରରେ  ଏହି ସେଣ୍ଟର ପ୍ରତିଷ୍ଠା ଦ୍ବାରା ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସୁଯୋଗ ସୃଷ୍ଟି ହେଲା। ଆମ ଦେଶର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନେ ସେମାନଙ୍କର ଅଦମ୍ୟ ପ୍ରଚେଷ୍ଟା ବଳରେ କ୍ରୀଡା କ୍ଷେତ୍ରରେ ବିଶ୍ବ ମଞ୍ଚରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦେଶକୁ ଗୌରବାନ୍ବିତ କରିଛନ୍ତି।

ଆଜି ଉଦ୍‌ଘାଟିତ ହୋଇଥିବା ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟରରେ ଉତ୍ତମ ପ୍ରଶିକ୍ଷଣ ସହ ଖେଳାଳୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି। ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ଏହି ସେଣ୍ଟର ଜରିଆରେ ପରିଚିତ ହେବ ବୋଲି ସେ କହିଥିଲେ।

ଏହି ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ପଦ୍ମଭୂଷଣ ପୁଲେଲା ଗୋପୀଚନ୍ଦ ଏବଂ ଡାଲମିଆ ଭାରତ ଗ୍ରୁପର ସିଇଓ ଶ୍ରୀ ପି.ୱାଇ ଡାଲମିଆ  ଓ ଏମ୍‌.ଡି ଶ୍ରୀ ଗୌତମ ଡାଲମିଆଙ୍କ ସହଯୋଗ ଓ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆସାମର ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଡଃ ହିମନ୍ତ ବିଶ୍ବଶର୍ମା କହିଥିଲେ ଯେ ଏହି ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର କେବଳ ଭାରତବର୍ଷ ପାଇଁ ନୁହେଁ, ବିଶ୍ବ କ୍ରୀଡା ଜଗତ ପାଇଁ ଏକ ଉଲ୍ଲେଖନୀୟ ମାଇଲ ଷ୍ଟୋନ।

ଏହି ସେଣ୍ଟର ଭାରତରେ ବ୍ୟାଡମିଣ୍ଟନ ଖେଳକୁ ନୂଆ ଶିଖରକୁ ନେବ। ଏହି ସେଣ୍ଟର ପ୍ରତିଷ୍ଠାରେ ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ସେ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଓ ଦିଗ୍‌ଦର୍ଶନରେ ଭାରତ ବର୍ତ୍ତମାନ କ୍ରୀଡାର ପାୱାର ହାଉସ୍‌ରେ ପରିଣତ ହୋଇଛି। କ୍ରୀଡାକୁ ନେଇ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ଏହି ସେଣ୍ଟର ଆଗାମୀ ଦିନରେ ତାହା ପୂରଣ କରିବାରେ ସହାୟକ ହେବା ସହିତ ଓଡିଶାରେ ବ୍ୟାଡମିଣ୍ଟନ ଖେଳର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆମ ଦେଶରେ ଉଭୟ ସରକାର ଓ ଜନସାଧାରଣଙ୍କ ମିଳିତ ସହଯୋଗରେ କ୍ରୀଡାର ବିକାଶ ହେଉଛି ବୋଲି ସେ କହିଥିଲେ।

ଏହି ସେଣ୍ଟର ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଇ ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳୀ ଶ୍ରୀ ପୁଲେଲା ଗୋପୀଚନ୍ଦ ଓଡିଶାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କର ପ୍ରଗତିଶୀଳ ଚିନ୍ତାଧାରାର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ଏହି କେନ୍ଦ୍ରରୁ ଅନେକ ପ୍ରତିଭାବାନ୍‌ ଖେଳାଳୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ କରିବେ।

କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଓ ଯୁବସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ବାଗତ ଭାଷଣ ଦେଇଥିଲେ।

ଡାଲମିଆ ଭାରତ ଗ୍ରୁପର ସିଇଓ ଶ୍ରୀ ପି.ୱାଇ ଡାଲମିଆ ମଧ୍ୟ ତାଙ୍କ ଅଭିଭାଷଣରେ ଓଡିଶାରେ କ୍ରୀଡାର ବିକାଶ ପାଇଁ ତାଙ୍କ ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଭାରତ ଡାଲମିଆ ଗ୍ରୁପର ଏମ୍‌ଡି ଶ୍ରୀ  ଗୌତମ ଡାଲମିଆ ଏବଂ ଓଡିଶା ରାଜ୍ୟ  ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ, ଓଡ଼ିଶା ପକ୍ଷରୁ ବାର୍ଷିକୋତ୍ସବ

ଭୁବନେଶ୍ବର: ବିଏସଏନଏଲ ମହିଳା କଲ୍ୟାଣ ସଂଗଠନ (ଟିଡବ୍ଲୁଡବ୍ଲୁଓ), ଓଡ଼ିଶା ପକ୍ଷରୁ ଗତ ୭ ଡିସେମ୍ବର ୨୦୨୪ ଅପରାହ୍ନ ୫ଟା ସମୟରେ ନିଜର ବାର୍ଷିକୋତ୍ସବ ଭୁବନେଶ୍ବରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ‘ସ୍ବାଭିମାନ’ର ପ୍ରତିଷ୍ଠାତା ତଥା ସିଇଓ ଡ.ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥିଭାବେ ଓ ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଡ.ଶ୍ରୁତି ମହାପାତ୍ର ମହିଳା ସଶକ୍ତିକରଣ ଓ ଦିବ୍ୟାଙ୍ଗ ଲୋକମାନଙ୍କ ସେବା ସଂପର୍କର ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ସମାରୋହରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଏସଏନଏଲ ଓ ଦୂରସଂଚାର ବିଭାଗ କର୍ମଚାରୀଙ୍କ ପରିବାର ବର୍ଗ ଯୋଗଦେଇଥିଲେ।

ଏହି ଅବସରରେ ଟିଡବ୍ଲୁଡବ୍ଲୁଓ ସଦସ୍ୟ ଓ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମାରୋହରେ ନିଟ୍, ଜେଇଇ ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟିଡବ୍ଲୁଡବ୍ଲୁଓ ଓଡ଼ିଶାର ସଭାପତି ରାଜଲକ୍ଷ୍ମୀ ପଲାଇ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ନିର୍ମାଣ ହେବ ବହୁ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ

ଭୁବନେଶ୍ବର: ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।

ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ରଖା ଯାଇଥିଲା ।

ଏହି ଉପସ୍ଥାପନାରେ ଭୁବନେଶ୍ବରର ଜୟଦେବ ବିହାର-ନନ୍ଦନକାନନ ନୂତନ ରାସ୍ତା, ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକ ଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗରୋଡ, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, ପିତାପଲ୍ଲୀ-ତ୍ରିଶୂଳିଆ ରାସ୍ତାର ଇନ୍‌ଷ୍ଟିଚ୍ୟୁଟ ଅଫ ମାଥମେଟିକ୍‌ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା, କଳ୍ପନା ଛକ-ମ୍ୟୁଜିଅମ-ରବି ଟକିଜ ନୂତନ ଫ୍ଲାଇ ଓଭର, ଶିଶୁଭବନ-ମାଉସୀମା ମଧ୍ୟରେ ଆଉ ଏକ ROB, ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର ପକ୍ଷରୁ ପ୍ରସ୍ତାବିତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ଇକୋନୋମିକ୍‌ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ବର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଥିଲା ।

ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡା, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ସମୀକ୍ଷାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି। ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଉପରେ ଅତ୍ୟନ୍ତ ଗୁରୁତ୍ବ ଆରୋପ କରୁଛନ୍ତି। ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରି ସମଗ୍ର ବିଶ୍ବ ଦରବାରରେ ଓଡିଶାର ଭାବମୂର୍ତ୍ତୀକୁ ଉଜ୍ଜଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ବିଶେଷକରି ସହରର ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ଭୁବନେଶ୍ବରର ସ୍ବଚ୍ଛତା ଅନ୍ତର୍ଜାତୀୟ ସ୍ତରର ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର ସ୍ବଚ୍ଛତା ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହିତ ଏହି ଉତ୍ସବ ସହିତ ସ୍ଥାନୀୟ ଲୋକଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ମଧ୍ୟ ସେ କହିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha – the Land of Opportunities’ ଆଦି ବିଷୟ ଉପରେ Plenary Session ଅନୁଷ୍ଠିତ ହେବ। ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଂଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ।

ଏହି ସମୟରେ ଭୁବନେଶ୍ବରରେ ପ୍ରାୟ ୧୦ଟି ମହୋତ୍ସବ ଆୟୋଜିତ ହେବ। ଏହିସବୁ ଉତ୍ସବ ଗୁଡିକ ହେଉଛି – ରାଜାରାଣୀ ମ୍ୟୁଜିକ ଫେଷ୍ଟିଭାଲ ( ଜାନୁଆରୀ ୭-୧୧), ମୁକ୍ତେଶ୍ବର ଡ୍ୟାନ୍‌ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଇଣ୍ଟରନ୍ୟାସନାଲ ଓଡିଶୀ ଡ୍ୟାନ୍‌ସ ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ନୃତ୍ୟ ଓ ଲୋକକଳା ଫେଷ୍ଟିଭାଲ (ଜାନୁଆରୀ ୭-୧୧), ଆଦିବାସୀ ମେଳା (ଜାନୁଆରୀ ୫-୧୫), ଚିଲିକା ବାର୍ଡ ଫେଷ୍ଟିଭାଲ (ଜାନୁଆରୀ ୬-୧୨), ଫ୍ଲାୱାର ସୋ (ଜାନୁଆରୀ ୭-୧୧), ଫୁଡ୍‌ ଫେଷ୍ଟ (ଜାନୁଆରୀ ୮-୧୦) ଓ ନାଇଟ୍‌ ଫ୍ଲି ମାର୍କେଟ (ଜାନୁଆରୀ ୮-୧୦)।

ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରର ସମସ୍ତ ରାସ୍ତାଘାଟର ନବୀକରଣ, ଆଲୋକୀକରଣ, ଆକର୍ଷଣୀୟ ସାଜସଜ୍ଜା ସହିତ ଅତିଥି ମାନଙ୍କ ପାଇଁ ହୋଟେଲ ବୁକିଂ ଆଦି ଜାରି ରହିଛି । ପର୍ଯ୍ୟଟନ ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଉଛି। ଭୁବନେଶ୍ବର, ପୁରୀ, କୋଣାର୍କ, ଯାଜପୁର ଆଦି ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟ ୭୫୦୦ ଡେଲିଗେଟ୍‌ ଯୋଗ ଦେବାର ସମ୍ଭାବନା ରହିଛି। ଅତିଥି ମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ୍‌ ବୁକିଂ କରାଯାଇଥିବା ବେଳେ, କେତେକ ସ୍ଥାନରେ ହୋମ୍‌ ଷ୍ଟେ ର ବ୍ୟବସ୍ଥା ମଧ୍ୟ କରାଯାଇଛି।

କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ବରାନ୍ବିତ କରୁଛନ୍ତି।

ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା, ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଲଚିକି ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଭୁବନେଶ୍ବର ନିଳାଦ୍ରୀ ବିହାରଠାରେ ଅଲଚିକି ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଆଦିମ ଓୱାର ଜର୍ପା ଜାହେଦର ଆଦିବାସୀ ଦେବସ୍ଥଳଠାରେ ପୂଜାର୍ଚ୍ଚନା କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରିଯାପନ କରିବା ପରେ ସେ ଆସନ୍ତାକାଲି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ପୁରୀର ବ୍ଲୁ ଫ୍ଲାଗ ବିଚରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସର ପରାକ୍ରମ ପ୍ରଦର୍ଶନ ଉତ୍ସବରେ ଯୋଗଦେବେ।

ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବରରେ ଓଡିଶା ବୈଷୟିକ ଓ କୃଷି ବିଶ୍ବବିଦ୍ୟାଳୟର ୪୦ ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ସହ ନ୍ୟାୟିକ କମ୍ପ୍ଲ୍ସେକୁ ଉଦଘାଟନ କରିବେ। ମୟୁରଭଞ୍ଜର ରାଇରଙ୍ଗପୁର ଗସ୍ତ କରି ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ। ୭ ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଅଭିଯୋଗ ଶୁଣିଲେ, ସମାଧାନର ଆଶ୍ବାସନା ଦେଲେ

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୋହନ ଚରଣ ମାଝୀ ଯେଉଁଠି କି ଯାଆନ୍ତୁ ନା କାହିଁକି, ଯେଉଁଠି ବି ଥାଆନ୍ତୁ, ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବାକୁ ଓ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି।

ଆଜି ସକାଳେ ତାଙ୍କ ବାସଭବନକୁ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ। ଆଜି ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଏହି ଅବସରରେ ଦିବ୍ୟାଙ୍ଗମାନେ ତାଙ୍କ ଘରକୁ ଆସିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ।

ସେମାନଙ୍କ ମଧ୍ୟରେ ଥିଲେ କଟକ ବାଉଁଶଗଳିର ଦିବ୍ୟାଙ୍ଗ ଶେଖ୍ ରେହେମାନ। ସେ ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ତିନି-ଚକିଆ ସାଇକେଲରେ ଯାତ୍ରା ଆରମ୍ଭ କରୁଛନ୍ତି। ସେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶୁଭେଚ୍ଛା ପାଇ ତାଙ୍କର ଯାତ୍ରା ଆରମ୍ଭ କରିବାକୁ। ମୁଖ୍ୟମନ୍ତ୍ରୀ ତାଙ୍କର ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ସଂପର୍କରେ ଆଲୋଚନାଚକ୍ର

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କୃଷି ଭବନ ପ୍ରେକ୍ଷାଳୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବିଜ୍ଞାନ ଭିତ୍ତିକ ଧାନ ଗବେଷଣା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫିଲିପାଇନ୍ସର ମାନିଲାସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନର ମହାନିର୍ଦ୍ଦେଶିକା ଡକ୍ଟର ୟୋଭାନ ପିଣ୍ଟୋ ଯୋଗଦେଇ ଧାନ ଗବେଷଣାର ନୂତନ ଦିଗ ଉପରେ ଆଲୋଚନା କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ଆଲୋଚନାଚକ୍ରର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ଧାନଚାଷର ଉତ୍ପତ୍ତି ଓ ସଂସ୍କୃତି ସଂପର୍କରେ ଆଲୋଚନା କରିଥିଲେ। କୋରାପୁଟ ଅଞ୍ଚଳରେ ଧାନର ବିଭିନ୍ନ ପାରମ୍ପରିକ ପ୍ରଜାତି କିପରି ବିଶ୍ବ ଧାନଚାଷ ମାନଚିତ୍ରରେ ଓଡ଼ିଶାକୁ ଗର୍ବିତ କରୁଛି ସେ ସଂପର୍କରେ ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଆନ୍ତର୍ଜାତିକ ଧାନ ଗବେଷଣା ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ଏକ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ ଦେବେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

Categories
ଆଞ୍ଚଳିକ

ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଆଗମନ ଅବସରରେ ସ୍ବାଗତ ପାଇଁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀରେ ପ୍ରସ୍ତୁତି ବୈଠକ‌

ଚ଼ିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ୱର ଆଗମନ ଅବସରରେ ସ୍ୱାଗତ କରିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ଏକ ପ୍ରସ୍ତୁତି ବୈଠକ‌ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନଙ୍କ ନାଚୁଣୀ ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଜିଲ୍ଲା ଭାଜପା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା ଓ ଜିଲ୍ଲା ଉପସଭାପତି ବିଜୟ ବିଶ୍ବାଳଙ୍କ ସମେତ ବହୁ ତୁଙ୍ଗ ନେତୃତ୍ବ ମାନେ ଯୋଗଦେଇ ବିସ୍ତୃତ ଆଲୋଚ଼ନା କରିବା ସହ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀରୁ ଅଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା‌ ମାନେ ଯୋଗ ଦେଇ ସ୍ବାଗତ କରିବା ପାଇଁ ସ୍ଥିରୀକୃତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି। ତେଣୁ, ବିପର୍ଯ୍ୟୟ ପ୍ରତିରୋଧୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ। ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡିଶାର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ।

କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ଶ୍ରୀ ରାଏ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇଡକଲ ଅଡିଟୋରିୟମଠାରେ ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଚର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ବାସଗୃହ ବଣ୍ଟନପତ୍ର ପ୍ରଦାନ କରିଥିଲେ।

ଚନ୍ଦ୍ରଶେଖରପୁରର ୪୭ଜଣ, ନିଳମାଧବ ବସ୍ତିରୁ ୩୬ଜଣ ଏବଂ ସୁବୁଧିପୁର ବସ୍ତିରୁ ୨୮ଜଣଙ୍କୁ ବଣ୍ଟନପତ୍ର ପ୍ରଦାନ କରାଯାଇଥିଲା।

ଆୟୋଜିତ ସମାବେଶରେ ଉଦବୋଧନ ଦେଇ ମନ୍ତ୍ରୀ ଡକ୍ଚର ମହାପାତ୍ର କହିଛନ୍ତି, ବସ୍ତିବାସିନ୍ଦାମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜଧାନୀରେ ନିଜର ଗୋଟିଏ ବାସଗୃହ ହାସଲ କରିବା ଅନେକଙ୍କ ପାଇଁ ସ୍ବପ୍ନ। ବିଡିଏର ସୁଲଭ ଗୃହ ନିର୍ମାଣ ଯୋଜନା ଜରିଆରେ ସହରାଞ୍ଚଳ ଗରିବ ଲୋକଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦେବାପାଇଁ ସରକାର ଲକ୍ଷ ରଖିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଡିଏର ଉପାଧ୍ୟକ୍ଷ ଡକ୍ଚର ଏନ. ତିରୁମାଲା ନାଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରି ସମାଜକୁ ସଶକ୍ତ କରିବା ଲାଗି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବର ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି, ଗଣମାଧ୍ୟମ ଯେତେ ନିରପେକ୍ଷ ହେବ ରାଷ୍ଟ୍ର ସେତିକି ଶକ୍ତିଶାଳୀ ହେବା ସହ ପ୍ରଗତି କ୍ଷେତ୍ରରେ ଆଗକୁ ବଢି ଚାଲିବ।

ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ରାଜନେତା ସୌମ୍ୟରଂଜନ ପଟ୍ଟନାୟକ ସାମ୍ବାଦିକତାର ସାଂପ୍ରତିକ ଅଗ୍ରଗତି ଓ ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି, ବିଭୂତି ଭୂଷଣ କର, ସୁଧୀର ପଣ୍ଡା, ସନ୍ଦୀପ ସାହୁ, ରମେଶ ମହାନ୍ତି, କଲ୍ୟାଣ ବୋର୍ଡର ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଦୁଇଦିନିଆ ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ସିଏସଆଇଆର ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପରିସରରେ ଦୁଇଦିନିଆ ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ ହୋଇଛି। ଭାରତ ସରକାରଙ୍କ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗ ପକ୍ଷରୁ ଏକକ ଗବେଷଣା ଓ ପ୍ରଯୁକ୍ତି ବିକାଶ କେନ୍ଦ୍ରଗୁଡ଼ିକ ଜରିଆରେ ଏମଏସଏମଇ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଭିତ୍ତିଭୂମି ସୁବିଧା, ବୈଷୟିକ ସହଯୋଗ ଏବଂ ସ୍ବତନ୍ତ୍ର ସେବା ଯୋଗାଇ ଦିଆଯାଉଛି। ଏହାକୁ ପ୍ରଦର୍ଶିତ କରିବା ଲାଗି ସିଆରଟିଡିଏଚ୍ ସମ୍ମିଳନୀ ଆରମ୍ଭ ହୋଇଛି।

ସାରା ଦେଶରେ ବର୍ତ୍ତମାନ ୧୮ଟି ଏକକ ଗବେଷଣା ଓ ପ୍ରଯୁକ୍ତି ବିକାଶ କେନ୍ଦ୍ର ରହିଛି। ଏସବୁ ଭାରତକୁ ବିଶ୍ବସ୍ତରୀୟ ଶିଳ୍ପ ଓ ନବଉନ୍ମେଷ କେନ୍ଦ୍ରରେ ପରିଣତ କରିବା ଲାଗି ଏମଏସଏମଇ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି। ଏ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସମ୍ମିଳନୀ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥାନୀୟ ଉତ୍ପାଦ କିଣିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ: ଏକ ନମ୍ବର ହାଟ ଫୁଟପାଥରୁ କିଣିଲେ ପୂଜା ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ରାଜ ରାସ୍ତାର ଫୁଟ ପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ବହୁ ପରିମାଣରେ ପୂଜା ସାମଗ୍ରୀ ମଧ୍ୟ ବିକ୍ରି ହୁଏ।

କିନ୍ତୁ, ଆଜି ସେହି ଦୋକାନୀ ମାନଙ୍କ ପାଇଁ ଥିଲା ଏକ ଅଭୂତପୂର୍ବ ଆନନ୍ଦର ଦିନ। ଆଜି ଥିଲା ଦିପାବଳି। ଲୋକଙ୍କ ଗହଣରେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚି ଗଲେ ମୁଖ୍ୟମନ୍ତ୍ରୀ ନିଜେ। ଦୀପାବଳି ସାମଗ୍ରୀ ବିକ୍ରି କରୁଥିବା ମାଉସୀ ତ୍ରିବେଣୀ ସାହୁ ହୋଇ ଯାଇଥିଲେ ଆଶ୍ଚର୍ଯ୍ୟ ଚକିତ।

ମୁଖ୍ୟମନ୍ତ୍ରୀ ସପତ୍ନିକ ଯାଇଥିଲେ। ଦିପ, ସଲିତା, ତେଲ, ନଡ଼ିଆ, ମାଟିର ଦୀପ ଦାନି ଆଦି ଅନେକ ଜିନିଷ ଦେଖିଲେ। ପଚାରିଲେ ଦୀପ ସବୁ ଆମ ଓଡ଼ିଶାରେ ତିଆରି ହୋଇଛି ନା ନାହିଁ। ସେମାନେ କହିଲେ, ହଁ, ସବୁ ଆମ ଓଡ଼ିଶାର କାରିଗର ତିଆରି କରିଛନ୍ତି। ତା ପରେ, ମୁଖ୍ୟମନ୍ତ୍ରୀ ସବୁ ଜିନିଷ କିଣିଲେ। ଆଉ କିଛି ଦୋକାନୀ ରଘୁନାଥ ବାରିକ, ମନୋରଞ୍ଜନ ରାଉତଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜା ସାମଗ୍ରୀ କିଣିଥିଲେ।

ମୁଖ୍ୟମନ୍ତ୍ରୀ ଏହା ପରେ ସେଠାରେ ପହଞ୍ଚିଥିବା ଗଣ ମାଧ୍ୟମକୁ ବକ୍ତବ୍ୟ ଦେଇ କହିଲେ ଯେ ଆଗରୁ ବିଧାୟକ ଥିବା ବେଳେ ମୁଁ ଏହି ପାଖରେ ରହୁଥିଲି। ଏହି ବ୍ୟବସାୟୀ ମାଉସୀ ଓ ମଉସା ମାନଙ୍କ ଠାରୁ ଜିନିଷ କିଣୁ ଥିଲି। ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇ ନାହିଁ।

ଆମର ଏହି ଓଡ଼ିଆ ମା ମାଉସୀ ମାନେ ଛୋଟ ଦୋକାନୀ। ସ୍ଥାନୀୟ ଉତ୍ପାଦ ବିକ୍ରି କରୁଛନ୍ତି। ତେଣୁ, ସେମାନଙ୍କ ଠାରୁ ଜିନିଷ କିଣିଲେ ସ୍ଥାନୀୟ କାରିଗର ଓ ବ୍ୟବସାୟୀ ମାନଙ୍କର ବ୍ୟବସାୟ ଚାଲିବ ଓ ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହା ଆମ ଓଡ଼ିଆ ଅସ୍ମିତାକୁ ଆଗକୁ ନେବ। ଓଡ଼ିଆ ଭାବରେ ଏହା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ସେ କହିଥିଲେ।

ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ସେଠାରୁ କେନ୍ଦୁଝର ଗସ୍ତରେ ବାହାରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ: ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଡିଜିପି

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ସପ୍ତମ ଓଏସଏପି ବାଟାଲିୟନ, ଭୁବନେଶ୍ବରଠାରେ ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ଅନୁଷ୍ଠିତ ହୋଇଛି।  ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହାସହ ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାପାଇଁ ଡିଜିପି ଶ୍ରୀ ଖୁରାନିଆ ଉପସ୍ଥିତ ପୋଲିସ ଅଧିକାରୀ, କର୍ମଚାରୀ ଏବଂ ଯବାନଙ୍କୁ ଶପଥ ପାଠ କରାଇଥିଲେ।

ଏତଦବ୍ୟତୀତ ଶ୍ରୀ ଖୁରାନିଆ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର୍ଯ୍ୟlବଳୀ, କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଵାଧୀନତା ପରେ ଶହ ଶହ ଛୋଟ ଛୋଟ ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା। ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି ବୋଲି ମତବ୍ୟକ୍ତ କରିଥିଲେ।

ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତା ହୋଇ ଚାଲିବା ସହ ସମସ୍ତଙ୍କ ମନରେ ଦେଶପ୍ରେମ ରହିବା ଉଚିତ ବୋଲି ଶ୍ରୀ ଖୁରାନିଆ କହିଥିଲେ। ଏକତାର ମନୋଭାବ ନେଇ କାର୍ଯ୍ୟ କରିବା ସହ ଭାରତର ଇତିହାସ ପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ। ଏହା ସହ ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅପରାଧ ଓ ନକ୍ସଲ ସମସ୍ଯା ଦମନ କରିବାକୁ ଶ୍ରୀ ଖୁରାନିଆ ଗୁରୁତ୍ଵାରୋପ କରିଥିଲେ। ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ପ୍ୟାରେଡରେ ଏସଏସବିଏନ (ଭୁବନେଶ୍ବର), ଏନଡିଆରଏଫ (ମୁଣ୍ଡଳୀ), ୭ମ ଓଏସଏପି ବାଟାଲିୟନ (ଭୁବନେଶ୍ବର), ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ଓଡ୍ରାଫ (କଟକ), ଟ୍ରାଫିକ (ଭୁବନେଶ୍ବର), ପୋଲିସ କଲର ପାର୍ଟି (କଟକ), ବ୍ରାସବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ। ତାପସ ରଞ୍ଜନ ଦାସ (Commandant) ପ୍ୟାରେଡର ନେତୃତ୍ଵ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଆର. ପି. କୋଚେ, ନିର୍ଦ୍ଦେଶକ ଏବଂ ତାଲିମ (ବିପିଏସପିଏ) ସଞ୍ଜୀବ ପଣ୍ଡା, ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (ଭୁବନେଶ୍ବର-କଟକ) ଏସ. ଦେବଦତ୍ତ ସିଂ, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ.ଏ.ପି) ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଭାରତରେ ଆନିମେ ଏବଂ ମାଙ୍ଗା ସଂସ୍କୃତି ଓ ସ୍ରଷ୍ଟା ଅର୍ଥବ୍ୟବସ୍ଥାକୁ ବଡ଼ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଭାରତରେ ଆନିମେ (ଜାପାନୀ ଆନିମେସନ୍‌) ଏବଂ ମାଙ୍ଗା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ) ସହଯୋଗରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (ୱାମ୍‌!)ର ଶୁଭାରମ୍ଭ କରିଛି। ଏହି ଅଭିନବ ପ୍ରତିଯୋଗିତା “କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ” ର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଜାପାନୀ ମାଙ୍ଗା ଏବଂ ଆନିମେ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହକୁ ଉପଯୋଗ କରିବା।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୨ ଅଗଷ୍ଟ, ୨୦୨୪ରେ ନୂଆଦିଲ୍ଲୀରେ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ପ୍ରଥମ ସିଜନ୍ ର ଶୁଭାରମ୍ଭ କରିଥିଲେ। ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‘ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’’ ଦୃଷ୍ଟିକୋଣ ଅନୁରୂପ ଏହି ଆହ୍ୱାନ ଆଗାମୀ ୱେଭସ୍ ସମ୍ମିଳନୀର ଅଗ୍ରଦୂତ ଭାବରେ କାର୍ଯ୍ୟ କରେ।

ୱାମ୍ସମ୍ପର୍କରେ

ୱାମ୍‌ ଭାରତୀୟ ସ୍ରଷ୍ଟା ବା କ୍ରିଏଟର୍‌ ମାନଙ୍କୁ ଏକ ଅଭିନବ ସୁଯୋଗ ପ୍ରଦାନ କରିବ ଯେଉଁମାନେ ଲୋକପ୍ରିୟ ଜାପାନୀ କଳା ଶୈଳୀ ସୃଷ୍ଟି କରିପାରିବେ ଯାହାକି ଉଭୟ ଘରୋଇ ଅନ୍ତର୍ଜାତୀୟ ଦର୍ଶକଙ୍କ ଆବଶ୍ୟକତା ପୂରଣ କରିପାରିବ। ବିଶ୍ବ ମାନ୍ୟତା ପାଇଁ ଉପଯୁକ୍ତ ବିପଣନ ସହଯୋଗ ଓ ସୁଯୋଗ ଯୋଗାଇ ଦେବା ଜରିଆରେ, ଏହି ପ୍ରତିଯୋଗିତା ମାଙ୍ଗା ଓ ଆନିମେ କ୍ଷେତ୍ରରେ ଏକ ଦୃଢ଼ ମଞ୍ଚ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।

ୱାମ୍‌ରେ ତିନୋଟି ବର୍ଗ ରହିଛି ଏବଂ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ପ୍ରତ୍ୟେକ ବର୍ଗ ଏକ ଅଭିନବ ମଞ୍ଚ ଯୋଗାଇ ଦେଇଥାଏ।

ଅଂଶଗ୍ରହଣକାରୀଭର୍ଟିକାଲ୍

ମାଙ୍ଗା(ଜାପାନୀ ଶୈଳୀ କମିକ୍ସ) – ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ବ୍ୟକ୍ତିଗତ ଅଂଶଗ୍ରହଣ

ୱେବଟୁନ୍‌ (ଡିଜିଟାଲମାଧ୍ୟମ ପାଇଁ ଭର୍ଟିକାଲ କମିକ୍ସ) – ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ବ୍ୟକ୍ତିଗତ ଅଂଶଗ୍ରହଣ

ଆନିମେ(ଜାପାନୀ ଶୈଳୀ କମିକ୍ସ) – ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ଦଳଗତ (୪ ଜଣ ପର୍ଯ୍ୟନ୍ତ ଲୋକ) ଅଂଶଗ୍ରହଣ

ଫର୍ମାଟ୍ଡେଲିଭରୀ – ପ୍ରତିଯୋଗିତା ସ୍ଥଳରେ ସ୍କ୍ରିପ୍ଟ ମିଳିବ । ଅଂଶଗ୍ରହଣକାରୀ ଡିଜାଇନ କରିବେ

ମାଙ୍ଗା(ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ) : ଅତିକମରେ ୪ଟି ପ୍ୟାନେଲ ସହିତ ୨ଟି ପୃଷ୍ଠା, କାଳୀ ଓ ରଙ୍ଗ (ଭୌତିକ/ଡିଜିଟାଲ)

ମାଙ୍ଗା(ପେସାଦାର, ବ୍ୟକ୍ତିବିଶେଷ): ଅତିକମରେ ୪ଟି ପ୍ୟାନେଲ ସହିତ ୨ଟି ପୃଷ୍ଠା, କାଳୀ ଓ ରଙ୍ଗ (ଭୌତିକ/ଡିଜିଟାଲ)

ୱେବ୍ଟୁନ୍‌ (ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ): କାଳୀଓ ରଙ୍ଗ ସହିତ ୭ ପ୍ୟାନେଲ୍‌

ୱେବଟୁନ୍‌ (ପେସାଦାର, ବ୍ୟକ୍ତିବିଶେଷ): କାଳୀଓ ରଙ୍ଗ ସହିତ ୧୦ ପ୍ୟାନେଲ୍‌

ଆନିମେ(ଛାତ୍ରଛାତ୍ରୀ, ଦଳଗତ):  ସ୍କ୍ରିପ୍ଟ ଅନୁଯାୟୀ ୧୦ ସେକେଣ୍ଡର ଆନିମେ

ଆନିମେ(ପେସାଦାର, ଦଳଗତ) – ସ୍କ୍ରିପ୍ଟ ଅନୁଯାୟୀ ୧୫ ସେକେଣ୍ଡର ଆନିମେ

ପ୍ରତିଯୋଗିତାର ଢାଞ୍ଚା ଏବଂ କାର୍ଯ୍ୟସୂଚୀ

ଅଂଶଗ୍ରହଣକାରୀମାନେ ଛାତ୍ରଛାତ୍ରୀ ଓ ପେସାଦାରଙ୍କ ପାଇଁ ଭିନ୍ନ ଭିନ୍ନ ବର୍ଗରେ ବ୍ୟକ୍ତିଗତ ଭାବେ କିମ୍ବା ଦଳଗତ (୪ ଜଣ ପର୍ଯ୍ୟନ୍ତ) ଭାବେ ଅଂଶଗ୍ରହଣ କରିବେ । ଦୁଇଟି ସ୍ତରରେ କାର୍ଯ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ କରାଯାଇଛି : ୧୧ଟି ସହରରେ ରାଜ୍ୟ ସ୍ତରୀର ଏବଂ ଜାତୀୟ ସ୍ତରର ଫାଇନାଲ।

ପ୍ରତ୍ୟେକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସକାଳ ୯ଟାରେ ପଞ୍ଜୀକରଣ ସହିତ ଆରମ୍ଭ ହେବ, ତା ‘ପରେ ସକାଳ ୯ଟା ୩୦ରେ ଏକ ସ୍ୱାଗତ ଏବଂ ସଂକ୍ଷିପ୍ତ ଅଧିବେଶନ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ସକାଳ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥାଏ, ଯେଉଁଥିରେ ଏକ ବ୍ୟସ୍ତବହୁଳ ପ୍ରଦର୍ଶନୀ ଏବଂ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥାଏ, ଯାହା ଅଂଶଗ୍ରହଣକାରୀମାନଙ୍କୁ ଶିଳ୍ପ ସୁଯୋଗ ସହିତ ଯୋଡ଼ିଥାଏ। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏକ ସମାପନ ଏବଂ ଉତ୍ସବ ସହିତ ଦିନଟି ସମାପ୍ତ ହୁଏ, ଯେଉଁଥିରେ କସପ୍ଲେ ପ୍ରତିଯୋଗିତା, ସଙ୍ଗୀତ ପ୍ରଦର୍ଶନ, କଣ୍ଠ ଅଭିନୟ ଅଧିବେଶନ ଏବଂ ରୋମାଞ୍ଚକର ଗିଭଆୱେଜ୍‌ ଭଳି କାର୍ଯ୍ୟକଳାପ ରହିଛି।

ୱାମ୍ପାଇଁ ଗୁରୁତ୍ବପୂର୍ଣ୍ଣ ତାରିଖ  ସ୍ଥାନ

ୱାମ୍‌! ବାଙ୍ଗାଲୋର: ଅକ୍ଟୋବର ୨୭, ୨୦୨୪

ୱାମ୍‌! ଚେନ୍ନାଇ: ନଭେମ୍ବର ୧୦, ୨୦୨୪

ୱାମ୍‌! କୋହିମା: ନଭେମ୍ବର ୨୨, ୨୦୨୪

ୱାମ୍‌! କୋଲକାତା : ନଭେମ୍ବର ୨୪, ୨୦୨୪

ୱାମ୍‌! ଭୁବନେଶ୍ବର: ନଭେମ୍ବର ୨୬, ୨୦୨୪

ୱାମ୍‌! ବାରଣାସୀ: ନଭେମ୍ବର ୨୮, ୨୦୨୪

ୱାମ୍‌! ଦିଲ୍ଲୀ: ନଭେମ୍ବର ୩୦, ୨୦୨୪

ୱାମ୍‌! ମୁମ୍ବାଇ: ଡିସେମ୍ବର ୧୫, ୨୦୨୪

ୱାମ୍‌! ଅହମ୍ମଦାବାଦ: ଡିସେମ୍ବର ୧୭, ୨୦୨୪

ୱାମ୍‌!ନାଗପୁର: ଡିସେମ୍ବର ୧୯, ୨୦୨୪

ୱାମ୍‌! ହାଇଦ୍ରାବାଦ: ଡିସେମ୍ବର ୨୧, ୨୦୨୪

ଇଚ୍ଛୁକ ଅଂଶ୍ରହଣକାରୀମାନେ www.meai.in/wam ୱେବସାଇଟ୍‌ରେ ସବୁ ବର୍ଗରେ ପଞ୍ଜୀକରଣ କରିପାରିବେ । ବର୍ତ୍ତମାନ ପଞ୍ଜୀକରଣ ଖୋଲା ରହିଛି ।

୨୦୨୫ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ୱେଭ୍ସ ଶିଖର ସମ୍ମିଳନୀର ଅନୁଷ୍ଠିତ ହେବ ଏବଂ ଏହାର ଅଂଶବିଶେଷ ସ୍ୱରୂପ ୱାମ୍‌ ଫାଇନାଲ୍ ଆୟୋଜିତ ହେବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସମର୍ଥନରେ ଆନିମେ ଜାପାନ ଏବଂ ଅନୁରୂପ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବିଜେତାମାନଙ୍କୁ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯିବ ।

ୱେବ୍ଟୁନ୍ସ, ଆନିମେ ଏବଂ ମାଙ୍ଗା

ଭାରତ ଏବଂ ବିଶ୍ୱରେ ୱେବଟୁନ୍, ଆନିମେ ଏବଂ ମାଙ୍ଗାର ଅସୀମ ସମ୍ଭାବନା ବିଷୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି, ‘‘ଦେଶର ସମୃଦ୍ଧ କାହାଣୀ, ସୃଜନଶୀଳ ଶୈଳୀ ଏବଂ ଜୀବନ୍ତ କଳାକୃତି ସହିତ ‘ୱାମ୍’ ଭାରତୀୟ ପ୍ରତିଭାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ସାମର୍ଥ୍ୟ ରଖିଛି। ନୂଆ ପିଢ଼ିକୁ ସାହସିକତାର ସହ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେବା ସହ ସୃଜନଶୀଳତାକୁ ବୈଶ୍ୱିକ ସ୍ତର ସହିତ ଗଭୀର ଭାବରେ ଯୋଡ଼ି ହେବାର ସାମର୍ଥ୍ୟ ଏଥିରେ ରହିଛି । ଏପରି ସୃଜନଶୀଳ ଭାବରେ ବୁଣା ଯାଇଥିବା କାହାଣୀ ପାଇଁ ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ରହିଥିବା ଉଚ୍ଚ ଚାହିଦା ପୂରଣ କରିବା, ଆମର ସୃଜନଶୀଳ ଦୃଶ୍ୟପଟକୁ ସମୃଦ୍ଧ କରିବାରେ ମଧ୍ୟ ଏହାର ସମ୍ଭାବନା ରହିଛି । ୱାମ୍ ବିଷୟରେ ଶ୍ରୀ ଜାଜୁ ଆହୁରି କହିଛନ୍ତି, ୧୦ଟି ରାଜ୍ୟରେ ପ୍ରତିଯୋଗିତା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀ ଓ ପେସାଦାରମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବ ଏବଂ ନବୋନ୍ମେଷ ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ଲାଟଫର୍ମ ପ୍ରଦାନ କରି ଆମେ ଉତ୍କର୍ଷତାକୁ ପ୍ରେରଣା ଦେଇପାରିବା ଏବଂ ଶିଳ୍ପ ମଧ୍ୟରେ ଉଦୀୟମାନ ପ୍ରତିଭାମାନଙ୍କୁ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିପାରିବା।

ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ)ର ସମ୍ପାଦକ ଶ୍ରୀ ଅଙ୍କୁର ଭାସିନ୍ ଆହୁରି କହିଛନ୍ତି, ‘ୱାମର ଶୁଭାରମ୍ଭ ହୋଇଛି! ଭାରତରେ ଆନିମେ ଏବଂ ମଙ୍ଗାର ଜୀବନ୍ତ ସଂସ୍କୃତିକୁ ସାମ୍ନାକୁ ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରତିଭାସମ୍ପନ୍ନ ନିର୍ମାତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଆମେ କେବଳ ସୃଜନଶୀଳତାକୁ ପ୍ରୋତ୍ସାହିତ କରୁନାହୁଁ ବରଂ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣକୁ ମଧ୍ୟ ସୁଦୃଢ଼ କରୁଛୁ। ଏହି ପଦକ୍ଷେପ ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏଭିଜିସି-ଏକ୍ସଆର୍ ଓ ଗଣମାଧ୍ୟମ କ୍ଷେତ୍ର ପାଇଁ ଏକ ସମୃଦ୍ଧ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Categories
ଆଜିର ଖବର ରାଜ୍ୟ ଖବର

ସିବିସି ପକ୍ଷରୁ ବୋଲଗଡ଼ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଭୁବନେଶ୍ୱରକେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ବର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡଠାରେ ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଦେଶ ବିଭାଜନରେ କଷ୍ଟଯନ୍ତ୍ରଣା ସହିଥିବା ଅଗଣିତ ଲୋକଙ୍କ ବଳିଦାନକୁ ମନେ ପକାଇଥିଲେ । ବାଚସ୍ପତି କହିଥିଲେ, ଭବିଷ୍ୟତରେ ଆଗକୁ ବଢ଼ିବାକୁ ହେଲେ ଅତୀତର ଦୁଃଖଦାୟକ ଓ ପ୍ରେରଣାଦାୟୀ ସ୍ମୃତିକୁ ସାଥୀରେ ନେଇ ଚାଲିବାକୁ ହେବ। ଆଜିର ଯୁବପିଢ଼ି ଅଖଣ୍ଡ ଭାରତର ବିଭାଜନ କାହାଣୀକୁ ମନେ ପକାଇ ଆଗକୁ ବଢ଼ିବ। ବିଭାଜନ ପାଇଁ କେଉଁମାନେ ଦାୟୀ ତାହା ବର୍ତ୍ତମାନର ପିଢ଼ି ଜାଣିବା ଆବଶ୍ୟକ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଅନ୍ୟ ଅତିଥିମାନେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ସ୍ଥାନୀୟ ଜନସାଧାରଣ ଦେଶପ୍ରେମର ବାର୍ତ୍ତା ଦେଇଥିଲେ ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ, କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପୁଣି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କାହିଁକି ପଶିଲେ ଶ୍ରୀମୟୀ ମିଶ୍ର, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ଭୁବନେଶ୍ବର: ପ୍ରାୟ ଦୁଇମାସ ନିରବତା ପରେ ଏବେ ଭୁବନେଶ୍ବର ସଂସଦୀୟ ଅଞ୍ଚଳରେ ପ୍ରବେଶ କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଚଳିତ ନିର୍ବାଚନରେ ଶ୍ରୀମୟୀଙ୍କୁ ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚା ଚାଲିଥିଲା। କାରଣ ତାଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ କରିବ ବୋଲି ବିଜେଡି ନିର୍ବାଚନର ବହୁ ପୂର୍ବରୁ ମଇଦାନକୁ ଛାଡିଥିଲା।

ଶ୍ରୀମୟୀ ମଧ୍ୟ ଜାନ୍ ଲଗାଇ ଭୁବନେଶ୍ବରର ସଂସଦୀୟ କ୍ଷେତ୍ରର ସାତୋଟି ନିର୍ବାଚନ ମଣ୍ଡଳିର ଗଳିକନ୍ଦି ବୁଲିସାରିଥିଲେ। ହେଲେ ଭାଗ୍ୟର ବିଡମ୍ବନା ତାଙ୍କୁ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ କରାଯାଇ ମନ୍ମଥ ରାଉତରାୟଙ୍କୁ ଟିକେଟ ଦିଆଯାଇଥିଲା। ଏହାପରେ ପରେ ଶ୍ରୀମୟୀ ପୁରା ମଇଦାନରୁ ଉଭାନ ହୋଇଯାଇଥିଲେ। ଏତେ ବଡ ନିର୍ବାଚନ ଶେଷ ହେଲା ସିନା ଶ୍ରୀମୟୀ ପୁରା ରାଜନୀତିରୁ ଆଉଟ ହୋଇଗଲେ।

ତେବେ ସବୁ କାମ ଶେଷ ହେବା ପରେ ଏହି ଶ୍ରୀମୟୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପୁଣି ବୁଲାବୁଲି ଆରମ୍ଭ କରିଛନ୍ତି। ସେ ପୁରୁଣା ଭୁବନେଶ୍ବର ଖୋର୍ଦ୍ଧାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ନିକଟରେ ପୁରୁଣାଭୁବନେଶ୍ବରରେ ଶୀତଳ ଷଷ୍ଠୀ ଉପଲକ୍ଷେ ଗୁଆଝରରେ ଏକାମ୍ର ଚନ୍ଦନ ଉତ୍ସବରେ ଯୋଗ ଦେଇଥିଲେ। ସେହିପରି ଖୋର୍ଦ୍ଧାରେ ଆୟୋଜିତ ରଜ ମହୋତ୍ସବରେ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହିତ ସାମିଲ ହୋଇଥିଲେ।

ତେବେ ବର୍ତ୍ତମାନ ନିର୍ବାଚନ ନ ଥିବା ବେଳେ ଏବଂ ବିଜେଡି ବଡ ବିପର୍ଯ୍ୟୟ ପରେ ଶ୍ରୀମୟୀ କାହିଁକି ପୁଣି ଥରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।