Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର ରବିବାର ଭୁବନେଶ୍ବର ଏମ୍ସ ପରିଦର୍ଶନ କରି ସ୍ବାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏମ୍ସ ପରିସରରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଡାକ୍ତର ପୱାର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ସମସ୍ତଙ୍କୁ ଶସ୍ତା ଓ ସୁଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସଂକଳ୍ପବଦ୍ଧ।

କେନ୍ଦ୍ର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏମ୍ସର ପରିଚାଳନା କାର୍ଯ୍ୟ ସମୀକ୍ଷା କରିଥିଲେ। ଏମ୍ସ ଅଧିକାରୀମାନଙ୍କ ସହିତ ମତବିନିମୟ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନାଗରିକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଇ-ସଞ୍ଜିବନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଗରିବ ଓ ବଞ୍ଚିତ ବର୍ଗର ନାଗରିକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବା ଲାଗି ଏମ୍ସ ଅଧିକାରୀମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଆହ୍ବାନ କରିଥିଲେ। ସେ ମଧ୍ୟ ଟେଲିମେଡ଼ିସିନ ସେବାକୁ ସୁଦୃଢ଼ କରିବା ଏବଂ ଅଧିକ ସମୟ ଧରି ଚିକିତ୍ସା ପାଇଁ ଅପେକ୍ଷା କରୁଥିବା ରୋଗୀଙ୍କ ସମସ୍ୟା ଦୂର କରିବା ଲାଗି ପରାମର୍ଶ ଦେଇଥିଲେ। ଏହାଦ୍ବାରା ଅଧିକ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ସେବା ମିଳିପାରିବ ବୋଲି ସେ କହିଥିଲେ।

ଏହି ଅବସରରେ ଏମ୍ସ ପରିସରରେ ଏକ ବହୁମୁଖି ଅଟ୍ଟାଳିକାକୁ କେନ୍ଦ୍ର ମନ୍ତ୍ରୀ ଉଦଘାଟନ କରିଥିଲେ ଏବଂ କ୍ୟାମ୍ପସରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଣପୁରରେ ଅଗ୍ନିକାଣ୍ଡ: ୬ ଗୁରୁତରଙ୍କୁ ଏମ୍ସ ଆଉ କଟକ ବଡ ମେଡିକାଲକୁ କରାଗଲା ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ସକାଳ ୮.୩୦ ଘଟିକା ସମୟରେ ଗମ୍ଭାରୀମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ଘରକୁ କବଳିତ କରିଦେଇଥିଲା। ଏହା ଦେଖି ସାହି ପଡିଶା ଲୋକ ଘର ଭିତରକୁ ପ୍ରବେଶ କରିବା ସମୟରେ ଏକ ବଡ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଗୁରୁତର ଭାବେ ୬ ଜଣ ଆହତ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ  ହୋଇଛନ୍ତି।

ତେବେ ଗୁରୁତର ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଏମ୍ସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବେ ବେଳେ ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଅଗ୍ନିକୁ ଆୟତ୍ତ କରିବାରେ ଲାଗି ପଡ଼ିଥିବାବେଳେ, ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ରଂଜିତ ନାୟକ ଏବଂ ସରପଞ୍ଚ ଅଜୟ କୁମାର ମହାରଥା ଆଦି ଉପସ୍ଥିତ ଅଛନ୍ତି।

ତେବେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଠାକୁର ଘର ଦୀପ ଦ୍ୱାରା ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏବଂ ଯାହା ବିସ୍ଫୋରଣ ହୋଇଥିଲା ତାହା ଏକାଧିକ କବାଟ ଭାଙ୍ଗିବାରୁ ହୋଇଥିବାର କୁହାଯାଉଛି। ତେବେ ଗ୍ୟାସ ଟାଙ୍କି ଫାଟିନଥିବାର ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ। ଘରେ ଥିବା ସମସ୍ତ ୩ ଟି ଗ୍ୟାସ ଟାଙ୍କି ସୁରକ୍ଷିତ ଅଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ମୃତ୍ୟୁର ମାତ୍ର ୧୧ ଦିନ ପରେ କରୋନାରେ ପ୍ରାଣ ହରାଇଲେ ପୁଅ ପ୍ରଶାନ୍ତ

ଭୁବନେଶ୍ବର: ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ବାପାଙ୍କ ମୃତ୍ୟୁର ୧୧ ଦିନ ପରେ ପ୍ରଶାନ୍ତଙ୍କ ପ୍ରାଣହାନୀ ଘଟିଛି। ଗତ ୯ ତାରିଖରେ ରଘୁନାଥ ମହାପାତ୍ରଙ୍କ ନିଧନ ହୋଇଥିବା ବେଳେ ଆଜି ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପ୍ରଶାନ୍ତଙ୍କର ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୪୭ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନଦ ମହାନ୍ତି ସୂଚନା ଦେଇଛନ୍ତି।

ଓଡିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସେ ସୁନାମ ଅର୍ଜନ କରିଥିଲେ। ଓଡିଶା ରଣଜୀ ଦଳରେ ପ୍ରଶାନ୍ତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡଙ୍ଗୀ: ଭୁବନେଶ୍ବର ଏମ୍ସରେ ଡାକ୍ତରଙ୍କ ଅଭାବ ଦର୍ଶାଇଲେ

ନୂଆଦିଲ୍ଲୀ/ ଭୁବନେଶ୍ବର: ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଏମ୍ସ ପାଇଁ ସ୍ଵତନ୍ତ୍ର ପାଣ୍ଠି ଦେବାକୁ ଶ୍ରୀ ଷଡଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏମ୍ସର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହା ସହ ଏମ୍ସରେ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଯୋଗୁଁ ଓପିଡି ବନ୍ଦ ରହୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ବିଭିନ୍ନ ବିଭାଗ ପାଇଁ ସୁପର ସ୍ପେଶିଆଲିଟି ଡାକ୍ତରଙ୍କ ଅଭାବ ମଧ୍ୟ ଦର୍ଶାଇଛନ୍ତି। ତେଣୁ ଲୋକେ ଏମ୍ସ ଠାରୁ ଉପଯୁକ୍ତ ସୁବିଧା ପାଇପାରୁନାହାନ୍ତି। ଯାହାଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏତଦବ୍ୟତିତ ବାଲେଶ୍ଵର ସାଟେଲାଇଟ୍ କେନ୍ଦ୍ରର ଭିତ୍ତିଭୂମି ସୁଦୃଢ କରିବା ପାଇଁ ଅନୁରୋଧ କରିଛନ୍ତି।