ଭୁବନେଶ୍ଵର: ଭୁବନେଶ୍ବର ଏମ୍ସର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜଣେ ମହିଳାଙ୍କ ଶରୀରରୁ ସଫଳତାର ସହ ଏକ ବଡ଼ ପ୍ଲେକ୍ସିଫର୍ମ ନ୍ୟୁରୋଫାଇଭରୋମା ଟ୍ୟୁମରକୁ ବାହାର କରାଯାଇଛି। ଟ୍ୟୁମରଟିର ଓଜନ ୭ କିଲୋଗ୍ରାମ। ବିଭାଗର ଡାକ୍ତରମାନେ ଜଣେ ୪୭ବର୍ଷ ବୟସ୍କା ମହିଳାଙ୍କ ବାମ ହାତରେ ଥିବା ଏହି ବିଶାଳ ଟ୍ୟୁମରଟିକୁ ଦୁଇଟି ପର୍ଯ୍ୟାୟର ଅସ୍ତ୍ରୋପଚାର ମାଧ୍ୟମରେ କାଢିଛନ୍ତି। ୬ ମାସ ତଳେ ଟ୍ୟୁମରଟିର କିଛି ଅଂଶ ଅପସାରଣ କରାଯାଇଥିବାବେଳେ ଏବେ ଅବଶିଷ୍ଟ ଅଂଶକୁ ସଂପୂର୍ଣ୍ଣରୂପେ ବାହାର କରି ଦିଆଯାଇଛି।
ପ୍ରାୟ ତିନି ଦଶନ୍ଧି ଧରି ଏହି ଟ୍ୟୁମର ପୀଡ଼ିତାଙ୍କ ଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ପ୍ରାୟ ୩୦ବର୍ଷ ତଳେ ତାଙ୍କ ବାମ ହାତରେ ଏହି ଟ୍ୟୁମରଟି ହୋଇଥିଲା ଓ କ୍ରମାଗତଭାବେ ତାହା ବଢି ଚାଲିବା ଫଳରେ ତାହାର ଓଜନ ସମ୍ଭାଳିବା ମହିଳାଙ୍କ ପକ୍ଷରେ ଖୁବ୍ କଷ୍ଟକର ଥିଲା। ଅସ୍ତ୍ରୋପଚାରକୁ ସଫଳ ଓ ପ୍ରଭାବଶାଳୀ କରିବା ପାଇଁ ଉନ୍ନତ ବାହ୍ୟ ସିଲିଂ ପ୍ରଯୁକ୍ତି ବିଦ୍ୟା ଲିଗାସିୟୋର ବ୍ୟବହାର କରାଯାଇଥିଲା।
ଏହି ଅସ୍ତ୍ରୋପଚାରରେ ଡାକ୍ତର ସଞ୍ଜୟ କୁମାର ଗିରି, ଡାକ୍ତର ଶ୍ୟାମସୁନ୍ଦର ବେହେରା, ଡାକ୍ତର ଆହାନା ବନ୍ଦୋପାଧ୍ୟାୟଙ୍କ ସମେତ ୭ଜଣ ଡାକ୍ତର ଓ ଦୁଇଜଣ ଆନାସ୍ଥେସିଆ ଡାକ୍ତର ସାମିଲ ଥିଲେ। ଏହି ଚିକିତ୍ସା ସଫଳତା ପାଇଁ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ବାସ ସଂପୃକ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


