Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରେ ହେବ ୫୨୪ ଟି ପିଙ୍କ୍ ବୁଥ, ଜିଲ୍ଲାପାଳ ନେଲେ ସମୀକ୍ଷା ବୈଠକ

ଖୋର୍ଦ୍ଧା: ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଗତକାଲିଠାରୁ ଘୋଷଣା କରିବା ପରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଣା କହିଲେ ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା।

ଜିଲ୍ଲାରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଏବଂ ପୁରୀ ଲୋକସଭା ଆସନ ଅନ୍ତର୍ଗତ ଚିଲିକା ବିଧାନସଭାରେ ମତଦାନ ହେବ। ଷଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଆସନ୍ତା ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ଜାରି ହେବ ଏବଂ ମଇ ୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ସେହିଭଳି ମଇ ୭ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏଥିସହ ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ଜୁନ୍‌ ୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ।

ଚଳିତ ନିର୍ବାଚନ ନିମନ୍ତେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୬୫ ହଜାର ୪୫୫ ଜଣ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରେ ୯ ଲକ୍ଷ ୭୧ ହଜାର ୫୫୪ ଜଣ ପୁରୁଷ, ୮ ଲକ୍ଷ ୯୩ ହଜାର ୩୪୧ ଜଣ ମହିଳା, ୫୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୩୫ ହଜାର ୩୦୮ ଜଣ ଯୁବ ଭୋଟର ରହିଛନ୍ତି ।

ଜିଲ୍ଲାରେ ୮ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୦୭ଟି ଭୋଟଦାନ କେନ୍ଦ୍ର ରହିଛି। ସେଥି ମଧ୍ୟରୁ ୫୨୪ଟି ମହିଳାମାନଙ୍କ ଦ୍ୱାରା ପରିଚାଳିତ ପିଙ୍କ୍‌ ବୁଥ୍‌ ତଥା ସଖୀ ବୁଥ୍‌, ୧୪୯ଟି ବୁଥ୍‌ରେ ମତଦାନ ପରିଚାଳନା ନିମନ୍ତେ ମହିଳାମାନେ ପ୍ରମୁଖ ଦାୟିତ୍ୱ ତୁଲାଇବା ସହ ୩୦ ବର୍ଷରୁ କମ୍‌ ଯୁବ ଅଧିକାରୀମାନେ ୩୦ଟି ବୁଥ୍‌ରେ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିଭଳି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ବୁଥ୍‌ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ହେବ । ଅନ୍ୟପକ୍ଷରେ ଭୁବନେଶ୍ୱର (ମଧ୍ୟ)ର ସମସ୍ତ ୧୯୯ଟି ବୁଥ୍‌ ସଖୀ ମତଦାନକେନ୍ଦ୍ର ଭାବେ ପରିଚାଳିତ ହେବ। ଏହି ସମସ୍ତ ମତଦାନ କେନ୍ଦ୍ର ମଧ୍ୟରୁ ୨୦ ପ୍ରତିଶତ ଆଦର୍ଶ ବୁଥ୍‌ ଏବଂ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହି ନିର୍ବାଚନ ପ୍ରକ୍ରିୟାରେ ଜିଲ୍ଲାରେ ପ୍ରାୟ ୧୪ ହଜାର ପୁଲିଂ ଅଧିକାରୀ ନିଯୁକ୍ତ ହେବେ। ପୁଲିଂ ଅଧିକାରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ ପ୍ରକ୍ରିୟା ଜାରି ରହିଛି।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥ୍‌ରେ ଅସ୍ଥାୟୀ ପ୍ରତୀକ୍ଷାକକ୍ଷ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯିବ। ଜୟଦେବ, ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର, ଜଟଣୀ ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ପାଇଁ ଜିଲ୍ଲା ପଣ୍ୟାଗାର ଏବଂ ଚିଲିକା ବିଧାନସଭା ନିମନ୍ତେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପୁଲିଂ ପାର୍ଟିମାନେ ବୁଥ୍‌ ଅଭିମୁଖେ ଯାତ୍ରା କରିବା ସହ ମତଦାନ ପରେ ଇଭିଏମ୍‌ ଦାଖଲ ଏବଂ ଭୋଟଗଣନା କେନ୍ଦ୍ର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିଭଳି ୮୫ ବର୍ଷ ବୟସରୁ ଊଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ନିଜେ ଘରେ ରହି ମତଦାନ କରିବା ନିମନ୍ତେ ବ୍ୟବସ୍ଥା କରାଯିବ। ନିର୍ବାଚନୀ ସଂକ୍ରାନ୍ତୀୟ ଅଭିଯୋଗ ନିମନ୍ତେ ସି-ଭିଜିଲ୍‌ ଆପ୍‌ କିମ୍ବା ଜିଲ୍ଲା ନିୟନ୍ତ୍ରଣ କକ୍ଷ ୦୬୭୫୫-୨୨୦୯୩୭ ଏବଂ ୧୯୫୦କୁ ଫୋନ୍‌ କରି ଅଭିଯୋଗ ଦାଖଲ କରିହେବ। ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ମିଡ଼ିଆ ସାର୍ଟିଫିକେସନ୍‌ ଏବଂ ମନିଟରିଂ କମିଟି ସେଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସେହିଭଳି ନିର୍ବାଚନକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ସହ ଅର୍ଥ, ଉପହାର କିମ୍ବା ମାଦକ ଦ୍ରବ୍ୟ ଭଳି ପ୍ରଲୋଭନ ରୋକିବା ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ କ୍ଷେତ୍ର ପାଇଁ ବିଭିନ୍ନ ଟିମ୍‌ମାନ ଗଠନ କରାଯାଇଥିବା ଶ୍ରୀ ରାଣା କହିଥିଲେ। ପୂର୍ବରୁ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ସହ ନିର୍ବାଚନ ସଂପର୍କରେ ଆଲୋଚନା କରିବା ସହ ଏହାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ସହଯୋଗ ଲୋଡ଼ିଥିଲେ।

ସେହିଭଳି ସରକାରଙ୍କର ପ୍ରଚାର ଓ ପ୍ରସାର ନିମନ୍ତେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ହୋଡିଂ, ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ତୁରନ୍ତ ହଟାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜିଲ୍ଲାପାଳ ଦେଇଛନ୍ତି। ଜିଲ୍ଲାରେ ଥିବା ସରକାରଙ୍କ ବିଭିନ୍ନ ୱେବ୍‌ସାଇଟ୍‌, ବିଭିନ୍ନ କାର୍ଯ୍ୟାଳୟ ପରିଚାଳିତ ସାମାଜିକ ଗଣମାଧ୍ୟମରୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫଟୋ ହଟାଯାଇଛି। ସେହିଭଳି ସରକାରଙ୍କ ବିଭିନ୍ନ ଗେଷ୍ଟହାଉସ୍‌ରେ କୌଣସି ରାଜନୈତିକ କାର୍ଯ୍ୟକାଳପ ନିମନ୍ତେ କିମ୍ବା ରାଜନେତାଙ୍କ ରହଣି ନିମନ୍ତେ ବ୍ୟବହାର ନକରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ନିର୍ବାଚନ ଡେପୁଟି କଲେକ୍‌ଟର ଶ୍ରୀ ମନୋଜ କୁମାର ସେନାପତି, ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ମୁର୍ମୁ, ଅତିରିକ୍ତ ଡିସିପି ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲ ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ତିନି ବିଧାନସଭା ଆସନରୁ ଗୋଟିଏରେ ମହିଳା ପ୍ରାର୍ଥୀ ଦେବ ବିଜେଡି, ଜାଣନ୍ତୁ କେଉଁ ଆସନ ?

ଭୁବନେଶ୍ବର: ବିଜେଡି ଏଥର ଭୁବନେଶ୍ବରରେ ଥିବା ତିନି ଆସନରେ ଏକ ନୂଆ ସମୀକରଣ କରିବ। ତାହା ହେଲା ଏହି ତିନି ଆସନରୁ ଗୋଟିଏରେ ଦଳ ମହିଳା ପ୍ରାର୍ଥୀ ଦେବ ବୋଲି ନିଷ୍ପତି କରିଛି। ବର୍ତ୍ତମାନ ଭୁବନେଶ୍ବର ମେୟର ମହିଳା ରହିଛନ୍ତି। ସେହିପରି ଏହି ତିନି ଆସନରେ ଦଳ ଏ ପର୍ଯ୍ୟନ୍ତ ମହିଳା ପ୍ରାର୍ଥୀ  ଛିଡା କରାଇ ନାହିଁ। ତେଣୁ ଏଥର ଜଣେ ମହିଳାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

ତେବେ ଅନ୍ୟ ଏକ କାରଣରେ କୁହାଯାଇଛି ଯେ, ଭୁବନେଶ୍ବରରେ ତିନି ବିଧାୟକଙ୍କର ବିରୋଧୀଙ୍କ ଆର୍ବିଭାବ ଦେଖିବାକୁ ମିଳିଛି। ତେବେ ସବୁଠାରୁ ତୀବ୍ର ପ୍ରତିଦ୍ବନ୍ଦିତା ଭୁବନେଶ୍ବର ଉତ୍ତର ଏବଂ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ହେଉଛି। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିର ବିଧାୟକ ଥିବା ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଭାବେ ଅମରେଶ ଜେନା ସମାନ୍ତରାଳ ସଂଗଠନ କରିବାରେ ଲାଗିଛନ୍ତି। ବନ୍ଧୁ ମିଳନଠାରୁ ଆରମ୍ଭ କରି କର୍ମମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି।

ଫଳରେ ବିଜେଡିରୁ ଉଭୟ ବିଧାୟକ ଅନନ୍ତ ଜେନା ଏବଂ କରପୋରେଟର ଅମରେଶ ଜେନା ମଧ୍ୟରେ ଟିକେଟ ଲଢେଇ ଲାଗିରହିଛି। ଉଭୟ ନବୀନ ନିବାସ ଆସି କାର୍ତ୍ତିକ ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକଙ୍କୁ ଭେଟି ଯାଉଛନ୍ତି। ଫଳରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳିରେ ବର୍ତ୍ତମାନ ବିଜେଡି ଭିତରେ ଏପରି ଦ୍ବନ୍ଦ ଲାଗି ରହିିଥିବାରୁ କାହାକୁ ଟିକେଟ ମିଳିବ ତାହାକୁ ନେଇ ସନ୍ଦେହ ରହିଛି।

ସେହିପରି ଅନୁରୂପ ଅବସ୍ଥା ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳିରେ ମଧ୍ୟ ଲାଗି ରହିଛି। ସେଠାରେ ବର୍ତ୍ତମାନର ବିଧାୟକ ସୁଶାନ୍ତ ରାଉତ ଏବଂ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ମଧ୍ୟରେ ଲଢେଇ ଲାଗି ରହିଛି। ଉଭୟ ଭିନ୍ନ ଭିନ୍ନ ସ୍ଥାନରେ ନିଜ କର୍ମିଙ୍କୁ ନେଇ ସଂଗଠନ କରିବାରେ ଲାଗିଛନ୍ତି। ଉଭୟ ମଧ୍ୟ ନବୀନ ନିବାସରେ ନିଜ ସମର୍ଥକଙ୍କୁ ଧରି ସମସ୍ତଙ୍କୁ ଭେଟୁଛନ୍ତି।

ତେଣୁ ଏହି ଲଢେଇ ମଧ୍ୟରେ ଦଳ କାହାକୁ ଟିକେଟ ଦେବ ସେ ନେଇ ଦ୍ବନ୍ଦରେ ରହିଛି। ପ୍ରକୃତରେ ଦେଖିବାକୁ ଗଲେ ଉଭୟଙ୍କର ସେହି ନିର୍ବାଚନ ମଣ୍ଡଳିରେ ସଂଗଠନ ରହିଛି ଏବଂ ଲୋକ ସଂପର୍କ ମଧ୍ୟ ରହିଛି। ତେବେ ଏକ୍ରାମ ଭୁବନେଶ୍ବରେ ବିରୋଧ ରହିଥିଲେ ମଧ୍ୟ ତାହା ତୀବ୍ର ହୋଇପାରି ନାହିଁ। କିନ୍ତୁ ଆଗାମୀ ଦିନରେ ସେଠାକାର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମଧ୍ୟ ବିରୋଧ ନ କରିବେ ତାହା କହି ହେବ ନାହିଁ।

ଏସବୁ ପରିସ୍ଥିତିକୁ ନଜରରେ ରଖି ବିଜେଡି ଏଥର ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ଟିକେଟ ଦେବ ବୋଲି ନିଷ୍ପତି କରିଛି। ବିଶେଷ କରି ଭୁବନେଶ୍ବର ଉତ୍ତରରେ ଜଣେ ପ୍ରତିଷ୍ଠିତ ମହିଳା ଟିକେଟ ପାଇବା ପାଇଁ ଲବି କରିଥିବାର ମଧ୍ୟ ଜଣାପଡିଛି। ଯଦି ତାହା ନ ହୁଏ ତେବେ ଭୁବନେଶ୍ବର ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ଦେବ ବୋଲି ଦଳ ଚିନ୍ତା କରୁଛି।

Categories
Municipal Election ବିଶେଷ ଖବର ରାଜ୍ୟ ଖବର

ଧିରେ ଧିରେ ଭୁବନେଶ୍ବର ମହାନଗର ନିର୍ବାଚନ ପାଇଁ ବଢୁଛି ପ୍ରାର୍ଥୀ ପତ୍ର ଦାଖଲ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ  ଆଜି  ଆଉ ୯୦ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାଯ୍ୟାଳୟରେ ଦାଖଲ କରିଛନ୍ତି। ଗତକାଲି ସୁଦ୍ଧା ୪୦ ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୩୦ଜଣ ପ୍ରାର୍ଥୀ  କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ମେୟର ପଦବୀ ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ଏଣୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର  ଦାଖଲ ସଂଖ୍ୟା ଆଜି ସୁଦ୍ଧା ୫ରେ ପହଁଚିଛି । ଆଜି ମେୟର ପଦବୀ ପାଇଁ  ଆଉ ୭ଟି  ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ ୩୦ ଟି ଫର୍ମ ବିକ୍ରି ହୋଇଛି

ଗତକାଲି ସୁଦ୍ଧା  ବିଭିନ୍ନ ଓ୍ୱାର୍ଡର  କର୍ପୋରେଟର ପଦବୀ ପାଇଁ ୭୧୩ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ ୭୯ଟି ଫର୍ମ  ପ୍ରାର୍ଥୀମାନେ ନେଇଛନ୍ତି। ଆଜି ସୁଦ୍ଧା ମୋଟ ୭୯୨ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି। ମେୟର ତଥା କର୍ପୋରେଟର ପାଇଁ ଆସନ୍ତାକାଲି ୭ ତାରିଖ ଶେଷ ଦିନ ହୋଇଥିବା ବେଳେ ଆଜି ମନୋନୟନ ପତ୍ର ଦାଖଲ ୫ମ ଦିନରେ କେନ୍ଦ୍ରରେ ଗହଳି ପରିଲକ୍ଷିତ ହୋଇଥିଲା।

ତେବେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ  କୁମାର ସ୍ୱାଇଁ ପ୍ରତ୍ୟକ୍ଷ କାର୍ଯ୍ୟକୁ ତଦାରଖ କରିଥିଲେ। ଏଥିସହିତ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ ପାଇଁ ଫୋର୍ସ ମୁତୟନ କରାଯାଇଥିଲା।