ଧିରେ ଧିରେ ଭୁବନେଶ୍ବର ମହାନଗର ନିର୍ବାଚନ ପାଇଁ ବଢୁଛି ପ୍ରାର୍ଥୀ ପତ୍ର ଦାଖଲ

Published: Mar 6, 2022, 6:52 pm IST

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ  ଆଜି  ଆଉ ୯୦ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାଯ୍ୟାଳୟରେ ଦାଖଲ କରିଛନ୍ତି। ଗତକାଲି ସୁଦ୍ଧା ୪୦ ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୩୦ଜଣ ପ୍ରାର୍ଥୀ  କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଆଜି ମେୟର ପଦବୀ ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ। ଏଣୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର  ଦାଖଲ ସଂଖ୍ୟା ଆଜି ସୁଦ୍ଧା ୫ରେ ପହଁଚିଛି । ଆଜି ମେୟର ପଦବୀ ପାଇଁ  ଆଉ ୭ଟି  ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ ୩୦ ଟି ଫର୍ମ ବିକ୍ରି ହୋଇଛି

ଗତକାଲି ସୁଦ୍ଧା  ବିଭିନ୍ନ ଓ୍ୱାର୍ଡର  କର୍ପୋରେଟର ପଦବୀ ପାଇଁ ୭୧୩ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ ୭୯ଟି ଫର୍ମ  ପ୍ରାର୍ଥୀମାନେ ନେଇଛନ୍ତି। ଆଜି ସୁଦ୍ଧା ମୋଟ ୭୯୨ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି। ମେୟର ତଥା କର୍ପୋରେଟର ପାଇଁ ଆସନ୍ତାକାଲି ୭ ତାରିଖ ଶେଷ ଦିନ ହୋଇଥିବା ବେଳେ ଆଜି ମନୋନୟନ ପତ୍ର ଦାଖଲ ୫ମ ଦିନରେ କେନ୍ଦ୍ରରେ ଗହଳି ପରିଲକ୍ଷିତ ହୋଇଥିଲା।

ତେବେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ  କୁମାର ସ୍ୱାଇଁ ପ୍ରତ୍ୟକ୍ଷ କାର୍ଯ୍ୟକୁ ତଦାରଖ କରିଥିଲେ। ଏଥିସହିତ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ ପାଇଁ ଫୋର୍ସ ମୁତୟନ କରାଯାଇଥିଲା।

Related posts