Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ୱର ଷ୍ଟେସନରେ ତେଜସ ରେକ୍ ଯୁକ୍ତ ରାଜଧାନୀ ଏକ୍ସପ୍ରେସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ମୋଦି ସରକାରରେ ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ, ଯାତ୍ରୀ ସୁବିଧା ସହ ଆନୁଷଙ୍ଗିକ କାର୍ଯ୍ୟ ଅପେକ୍ଷା ଠାରୁ ଅଧିକ ହୋଇଛି ବୋଲି ସୋମବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଅତ୍ୟାଧୁନିକ ତେଜସ୍ ରେକ୍ ଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ମୋଦି ସରକାରରେ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଭୁବନେଶ୍ୱର ରେଳ ଷ୍ଟେସନର ନବେକଳେବର ହେଉଛି। ଓଡ଼ିଶାର କଟକ, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ କାମ ହେଉଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ କରମକମଳରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ ମୋଟ ୫୭ଟି ଷ୍ଟେସନର ନବୀକରଣ ପାଇଁ ଯୋଜନା କରାଯାଇଛି। ସବୁ ରେଳ ଲାଇନର ବିଦ୍ୟୁତକରଣ ହୋଇଛି। ରେଳବାଇ ବିଭାଗରେ ସ୍ୱଚ୍ଛତା ବଢିଛି। ମୋଦିଜୀଙ୍କ ‘ବିକଶିତ ଭାରତ’ରେ ଯାତ୍ରୀ ସୁବିଧା ମହତ୍ତ୍ୱପୂର୍ଣ୍ଣ ହୋଇଛି। ଓଡ଼ିଶା ପାଇଁ ରେଳ ଅନୁଦାନ, ନୂଆ ରେଳ ଲାଇନ ଚଳାଚଳ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଯାଇ ଲଢେଇ କରିବାକୁ ପଡୁଥିଲା। ମାତ୍ର ଆଜି ମୋଦି ସରକାରରେ ତାହା ସହଜ ହୋଇଛି।

ପ୍ରଧାନମନ୍ତ୍ରୀ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ କରିବା ଆହ୍ୱାନ କରିଛନ୍ତି। ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି ତାହା ବିକଶିତ ଭାରତରେ ଆଗକୁ ଯିବାର ଅନ୍ୟତମ ପଦକ୍ଷେପ। ଏହି ତେଜସ୍ ରେକ୍ ଲାଗିବା ପରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଚାଲିବ। ଟ୍ରେନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି।

 

ଏହାବ୍ୟତିତ ଶ୍ରୀ ପ୍ରଧାନ କହିଛନ୍ତି ଯେ ମେଟ୍ରୋ ଭାରତ ସରକାରଙ୍କ ଅର୍ବାନ ଡେଭଲପମେଣ୍ଟ ଓ ସମ୍ବନ୍ଧିତ ରାଜ୍ୟ ସରକାର ମିଶି କରୁଛନ୍ତି। ଓଡ଼ିଶାରେ ବନ୍ଦେ ମେଟ୍ରୋ ଚାଲିବା ପାଇଁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶ୍ୱସ୍ତ କରିଛନ୍ତି। ତେବେ ମେଟ୍ରୋ ଓଡ଼ିଶାକୁ ଆସୁ, କିନ୍ତୁ ଆସିବା ପାଇଁ ସଠିକ୍ ପ୍ରୟାସ ହେଉ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଷ୍ଟେସନର ଆରପିଏଫ୍ କନେଷ୍ଟବଳଙ୍କୁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଭୁବନେଶ୍ୱର ରେଳ ଷ୍ଟେସନର ଆରପିଏଫ କନଷ୍ଟେବଳ ସୁବ୍ରତ କୁମାର ମହାରଣା ୨୦୨୦ ବର୍ଷ ପାଇଁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇବାକୁ ମନୋନୀତ ହୋଇଛନ୍ତି।

ଶ୍ରୀ ମହାରଣା ୧୫ ଫେବୃଆରୀ ୨୦୨୦ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଯିଏକି ଚଳନ୍ତା ଟ୍ରେନରୁ ଖସି ପଡୁଥିଲେ ଏବଂ ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳବାଇ ଟ୍ରାକରେ ଖସିଯିବାକୁ ଯାଉଥିଲା।

ଶ୍ରୀ ମହାରଣାଙ୍କ ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ। ୧୫ ଫେବୃଆରୀ ୨୦୨୦ ରେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୦୧ ରେ ଏହି ଘଟଣା ଘଟିଥିଲା।

ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଶ୍ରୀ ମହାରଣାଙ୍କ ଜାଗ୍ରତ ନୀରିକ୍ଷଣ ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା ଯାହାକି ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

ଶ୍ରୀ ମହାରଣାଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ସମ୍ମାନଜନକ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସତର୍କତା ଓ ତ୍ୱରିତ କାର୍ଯ୍ୟ ପାଇଁ ଭୂୟଶୀ ପ୍ରଶଂସା କରିଛନ୍ତି | ଶ୍ରୀ ମହାରଣାଙ୍କୁ ଏହି ପଦକ ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ଜନସାଧାରଣଙ୍କ ହୃଦୟସ୍ପର୍ଶୀ ଅତି ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଯାହାକି ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରାଯିବ।

ଭାରତ ବର୍ଷରେ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇଦେବା ଲକ୍ଷରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପରିକଳ୍ପନା ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ସ୍ଥାନ ପାଇଛି। ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହାକୁ ମାନ୍ୟବର ମନ୍ତ୍ରୀ ଶିଘ୍ର କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଅଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।

ସେହିପରି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ। ଏହା ମଧ୍ୟ ଏହି ଅଞ୍ଚଳର ଉନ୍ନତି ସଙ୍ଗେସଙ୍ଗେ ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ।

ଏହା ବ୍ୟତୀତ, ବହୁ ପ୍ରତିକ୍ଷିତ ଓ ଜନସାଧାରଣଙ୍କ ପଡିରହିଥିବା ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ବିଶେଷ ଭାବେ ରେଳ ଯାତ୍ରୀ ମାନଙ୍କ ଆକାଂକ୍ଷା ପୂରଣ ପାଇଁ ଦୁଇଟି ନୂତନ ଟ୍ରେନ ପ୍ରଚଳନ କରାଯାଉଅଛି।

ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ ଯାହାକି ଯାତ୍ରୀ ମାନଙ୍କର ବହୁ ଦିନର ଆକାଙ୍କ୍ଷାକୁ ପୁରଣ କରିବ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ସୁବିଧା ତଥା ଆରାମଦାୟକ ଯାତ୍ରା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ସେବାର ଫଳାଫଳ। ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମାଧ୍ୟ୍ୟବର୍ତ୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ।

ଉଭୟ ନୂତନ ଟ୍ରେନ୍ ସେମାନଙ୍କର ଉଦଘାଟନୀ ଦିବସରେ ଅର୍ଥାତ୍ ୨୯ ଡିସେମ୍ବର, ୨୦୨୨ ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବେ। ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ୨୦୨୩ ଜାନୁୟାରୀ ୩ ତାରିଖରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ଦିନମାନଙ୍କରେ ସନ୍ଧ୍ୟା ୭ ଘ.୧୦ ମି.ରେ ଛାଡି ଶାଲିମାରକୁ ଯାତ୍ରା କରିବାକୁ ଥିବାବେଳେ ଏହା ୨୦୨୩ ଜାନୁୟାରୀ ୪ ତାରିଖରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତ୍ରି ୯ ଘ.୨୫ ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।

ସେହିଭଳି, ୦୮୪୧୬/୦୮୪୧୫ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ ପ୍ରତିଦିନ ଅପରାହ୍ନ ୧ ଘ.୧୫ ମି.ରେ ଛାଡି ଜଳେଶ୍ୱର ଯାତ୍ରା କରିବ ଏବଂ ୨୦୨୩ ଜାନୁୟାରୀ ପହିଲାରୁ ଜଳେଶ୍ୱର ଠାରୁ ସକାଳ ୪ ଘ. ୫୦ ମି.ରେ ଛାଡି ପୁରୀ ଫେରିବ।