Categories
ଆଜିର ଖବର ରାଜ୍ୟ ଖବର

ସଫେଇ ଅଭିଯାନରେ ସାମିଲ ହେଲେ ଓଡ଼ିଶା ରାଜ୍ୟପାଳ ଏବଂ ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ୨ ଅକ୍ଟୋବର ୨୦୨୩ରେ ପରିପ୍ରେକ୍ଷୀରେ ସ୍ଵଚ୍ଛତା ହିଁ ସେବା ଉପଲକ୍ଷରେ ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏକ ବୃହତ ସଫେଇ ଅଭିଯାନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ତଥା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଭୁବନେଶ୍ୱର ମଣ୍ଡଳ ତରଫରୁ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଳାଙ୍ଗେ, ଆଇଏଏସ ଯୋଗଦାନ କରିଥିଲେ।

ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ, ଭୁବନେଶ୍ୱର ମହାନଗର ନିଗମ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀ ଏବଂ କର୍ମଚାରୀ ଏହି ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏତଦ ବ୍ୟତୀତ ଖଣ୍ଡଗିରି ବିହାର ଉନ୍ନୟନ ସମିତି, ଖଣ୍ଡଗିରି ବୟସ୍କ ନାଗରିକ ମଞ୍ଚ, ଯୂଥ ଫର ସେବା, ଜୟଦେବ ପଥଚାରୀ କ୍ଲବ ଆଦି ଅନେକ ସାମାଜିକ ସଂଗଠନ ଏହି ସଫେଇ ଅଭିଯାନରେ ସାମିଲ ହେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଏନସିସି  ଏବଂ ଭାରତ ସ୍କାଉଟ ଏବଂ ଗାଇଡ ସଦସ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆନ୍ତରିକତା ସହ ଭାଗ ନେଇ ସାମିଲ ହେଇଥିଲେ ଆଉ ଏକ ଘଣ୍ଟା ଶ୍ରମଦାନ କରିଥିଲେ।

ଏକ ତାରିଖ – ଏକ ଘଣ୍ଟା – ଏକା ସଙ୍ଗେ ବିଷୟ ବସ୍ତୁ ଉପରେ ଆଧାରିତ ଏହି ବୃହତ ସଫେଇ କାର୍ଯ୍ୟକ୍ରମରେ ୬୦୦ ରୁ ଅଧିକ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ବୃହତ ସଫେଇ ଅଭିଯାନକୁ ସ୍ଥାନୀୟ ବାସିନ୍ଦା ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଲିକା ଗସ୍ତ: ଦୁଇ ବ୍ଲକରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କଲେ କ୍ଷୋଭ ପ୍ରକାଶ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭୁବନେଶ୍ୱର ସାଂସଦ ତଥା ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀ ଚିଲିକା ନିର୍ବାଚନମଣ୍ଡଳୀରେ ଦିନିକିଆ ଗସ୍ତରେ ଆସିଥିଲେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅନୁରୋଧ କ୍ରମେ ସେ ଏହି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଗସ୍ତରେ ଶ୍ରୀମତୀ ଷଡ଼ଙ୍ଗୀ ଉଭୟ ଚିଲିକା ଏବଂ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିଭିନ୍ନ ଜନମଙ୍ଗଳ କାରି ଯୋଜନାର ରୂପାୟନ ଉପରେ ସମୀକ୍ଷା କରିଥିଲେ। ହେଲେ ଉଭୟ ବ୍ଲକରେ ବି.ଡି.ଓ ତଥା ବିଭାଗୀୟ ଅଧିକାରୀ ଅନୁପସ୍ଥିତି ରହିଥିବାରୁ ଏକ ପ୍ରେସ ମିଟ ଜରିଆରେ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ।

ଜନଶୁଣାଣୀ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ରାସନ କାର୍ଡ, ଗୃହ ନିର୍ମାଣ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବାରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୋର ବିଭ୍ରାଟ ହୋଇଛି ବୋଲି ଜାଣିବାକୁ ପାଇଥିଲେ ସାଂସଦ। ଏଥିପାଇଁ ସେ ସିଧାସଳଖ ସ୍ଥାନୀୟ ପ୍ରଶାସନ ଓ ସରକାର ନଶ୍ଚିତ ଭାବେ ଦାୟୀ ବୋଲି ପ୍ରେସ ମିଟରେ ପରିପ୍ରକାଶ କରିଥିଲେ।

ପରବର୍ତ୍ତୀ ସମୟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବାଣପୁର ପଲଟନ ପଡ଼ିଆଠାରେ ଖୋର୍ଦ୍ଧା ଜିଲ୍ଲା ଗଢା ଶ୍ରମିକ ସଂଗଠନର ବାର୍ଷିକ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳା ଶ୍ରମିକମାନେ ଉପସ୍ଥିତ ଥିଲେ।

ସାଂସଦ ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଦର୍ଶନ କରିଥିଲେ। ଏବଂ ପରିଶେଷରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟନାରାୟଣ ସେନାପତିଙ୍କ ବାଲୁଗାଁ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ଉକ୍ତ ଗସ୍ତରେ ସାଂସଦଙ୍କ ସହ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ଅନ୍ୟାନ୍ୟ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

ସାଂସଦଙ୍କ ଗସ୍ତ ସମୟରେ ଜିଲ୍ଲା ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ: ବାଇ ଲ’ ପ୍ରସଙ୍ଗରେ ରଖିଲେ ଏଭଳି ପ୍ରତିକ୍ରିୟା

ଭୁବନେଶ୍ୱର: ଭୁବନେଶ୍ବର ଫେରିବା ପରେ ସାଂସଦ ଅପରାଜିତା ଷଡଙ୍ଗୀ ବାଇ ଲ’ ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି ଯେ, ମୁଁ ମନ୍ତ୍ରାଳୟ ସହ ବାଇ ଲ’ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛି। ଆରୋପ ପ୍ରତ୍ୟାରୋପରେ ବିକାଶ ସମ୍ଭବ ନୁହେଁ। ସମସ୍ତେ ଓଡ଼ିଶାର ବିକାଶ ଚାହୁଁଛନ୍ତି। ବିକାଶର କୌଣସି ଦଳ ନଥାଏ।

ସେ କହିଛନ୍ତି ଯେ, ଆମ ଦେଶରେ ୩୬୯୩ଟି କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ଅଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ରହିଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କ ଅନୁମତି ନେଇ ୨ଶହ ମିଟର ମଧ୍ୟରେ କାମ କରାଯାଇ ପାରିବ। ସଂସ୍କୃତି ନିର୍ଦ୍ଦେଶକ ଏନଏମଏକୁ ପଠାଇବେ, ଏନଏମଏ କହିଲେ କାମ ହୋଇପାରିବ। ଆମେ ଯଦି କାମ କରିବାକୁ ଅନୁମତି ମାଗିବା, କେନ୍ଦ୍ର ବାଧା ଦେବନି ବୋଲି ସେ କହିଥିଲେ।

ଏହାସହିତ ଅପରାଜିତା କହଛନ୍ତି ଯେ, ଯେଉଁ ୫ଟି ହେରିଟେଜ୍‌କୁ ନେଇ ବାଇ-ଲ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା। ହେଲେ ସେଥିରେ ଲିଙ୍ଗରାଜ ମନ୍ଦିର ନଥିଲା। ଯାହା ଏନଏମଏ ୱେବସାଇଟ୍‌ରେ ଉଲ୍ଲେଖ ଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ ଡ୍ରାଫ୍ଟକୁ ପ୍ରତ୍ୟାହାର କରାଯାଇଛି। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିରର ବାଇ-ଲ ଡ୍ରାଫ୍ଟ ତିଆରି ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି। ଲିଙ୍ଗରାଜ ପ୍ରସଙ୍ଗରେ ଯେଉଁମାନେ ଉଠାଉଛନ୍ତି ସେମାନେ ଜାଣି ନାହାନ୍ତି ବୋଲି ଅପରାଜିତା କହିଛନ୍ତି। ତେବେ ଯାହା ସବୁ ଘଟିଲା ଏହା ଅଜ୍ଞାନତାର ପରିଚୟ। ତେବେ ବାଇ-ଲ ଲାଗୁ ହେଲେ ସବୁକିଛି ଆହୁରି ବ୍ୟବସ୍ଥିତ ହୋଇଯିବ।

ଏହାସହିତ ନିର୍ମାଣ କାର୍ଯ୍ୟ ପାଇଥିବା ସଂସ୍ଥା ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଲିଙ୍ଗରାଜ ଏବଂ ଶ୍ରୀମନ୍ଦିର କାମ କରୁଥିବା ସଂସ୍ଥା ଐତିହ୍ୟ ନିର୍ମାଣ ବା ବିକାଶ ଦିଗରେ କୌଣସି ପୂର୍ବ ଅଭିଜ୍ଞତା ନାହିଁ। ଆର୍କ ହୋମ୍ ଆର୍କିଟେକ୍ଚରାଲ ଫାର୍ମ ନଏଡା ନାମକ ସଂସ୍ଥା ଲିଙ୍ଗରାଜ କାମ କରୁଥିବା ବେଳେ ଶ୍ରୀମନ୍ଦିର କାମ ଭୂମିପୁତ୍ର ଆର୍କିଟେକ୍ଚରାଲ ଫାର୍ମ ବେଙ୍ଗଲୁରୁ ପାଇଛି। ଉଭୟ ସଂସ୍ଥାର ଐତିହ୍ୟ ନିର୍ମାଣ ଦିଗରେ କୌଣସି ପୂର୍ବ ଅଭିଜ୍ଞତା ନାହିଁ ବୋଲି ସେ ଅଭିଯୋଗ କରିଥିଲେ।