Categories
ଆଜିର ଖବର ରାଜ୍ୟ ଖବର

ଜେଲରେ ଅସୁସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଜେଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇଛନ୍ତି। ରାତାରାତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ ବିଧାୟକ ଜଗଦ୍ଦେବ ଗତକାଲି ମଧ୍ୟରାତ୍ରିରେ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ବାଣପୁର ମେଡିକାଲ ଅଧିକାରୀ ସବଜେଲ ଯାଇ ବିଧାୟକଙ୍କ ଚିକିତ୍ସା କରିବାରୁ ତାଙ୍କର ଏକାଧିକ ରୋଗ ଥିବାର ଜାଣିବାକୁ ପାଇଥିଲେ। ବିଧାୟକଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଣ୍ଡ ବୁଲାଇ ହେବା, ଛାତି ଯନ୍ତ୍ରଣା ଆଦି ଥିବାର ମେଡିକାଲ ଅଧିକାରୀ ସମସ୍ତ ଯାଞ୍ଚ ପରେ ଜାଣିବାକୁ ପାଇଥିଲେ। ଏବଂ ମେଡିକାଲ ଅଧିକାରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା।

ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ପ୍ରହରାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଖୋର୍ଦ୍ଧା ଏସପି କହିଛନ୍ତି। ଅନୁରୂପ ଭାବେ ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ସବଜେଲ ଆସିବେ ବୋଲି କହିଛନ୍ତି ଏସପି।

ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତକାଲି ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ମଧ୍ୟ ସଂନ୍ଧ୍ୟାରେ ବାଣପୁର ସବ ଜେଲକୁ ପଠାଇଦିଆଯାଇଥିଲା। ତେଣୁ ଜେଲ ଭିତରେ ଉଭୟ ବିଧାୟକ ଓ ଆକ୍ରମଣକାରି ମୁହାଁମୁହିଁ ହେବା ଆଶଙ୍କାରେ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏପରି ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ମେଘାମ୍ବରୀ କେନାଲ ରୋଡ଼ରେ ଓଲଟିଲା ଯାତ୍ରୀବାହି ଅଟୋ, ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଯାତ୍ରୀ ବାହି ଅଟୋ ଲେଉଟି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଣପୁର ଥାନା ଅନ୍ତର୍ଗତ ଆୟତପୁର ଅଞ୍ଚଳରୁ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀ ବାହି ଅଟୋ ବାଲୁଗାଁ ଅଭିମୁଖେ ଯାଉଥିଲା। ତେବେ ମେଘାମ୍ବରୀ ମନ୍ଦିର ପଛ ଭାଗ କେନାଲ ରୋଡ଼ରେ କୌଣସି କାରଣ ବଶତଃ ଅଟୋଟି ଲେଉଟିପଡିଥିଲା। ଫଳରେ ଡ୍ରାଇଭର ସମେତ ଅଟୋରେ ଥିବା ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତନ୍ମଧରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି ଏବଂ ଜଣେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଗୁରୁତର ଆହତ ଦ୍ୱୟ ହେଲେ ବେଲେଡିହ ଗ୍ରାମର ସୁକାନ୍ତି ନାୟକ ଏବଂ ବୁଟୁ ପ୍ରଧାନ। ବୁଟୁ ପ୍ରଧାନଙ୍କ ମୁଣ୍ଡ ଏବଂ ନାକରୁ ରକ୍ତସ୍ରାବ ଜାରି ରହିଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଗଛକୁ ପିଟିଲା ଏସୟୁଭି କାର, ଦୁଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଗଛକୁ ଏସୟୁଭି କାର ପିଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବରଡ଼ି ଛକ ନିକଟରେ।

ସୂଚନା ମୁତାବକ ବାଣପୁର ବ୍ଲକ ଓଡଗାଁ ଗ୍ରାମର ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ପବିତ୍ର ପ୍ରଧାନ (୨୭) ଆଜି ପୂର୍ବାହ୍ନରେ ନିଜ ମହିନ୍ଦ୍ରା ଏସୟୁଭି-୫୦୦ ରେ ବାଲୁଗାଁରୁ ଓଡଗାଁ ଫେରୁଥିଲେ। ଉକ୍ତ ଗାଡ଼ିରେ ପବିତ୍ରଙ୍କ ସହଯୋଗୀ ତଥା ଓଡଗାଁ ଗ୍ରାମର ବିଦ୍ୟାଧର ସାହୁ (୫୦) ମଧ୍ୟ ଉପସ୍ଥିତ ଥିଲେ। ତେବେ ଅସାବଧାନତା ବଶତଃ ପବିତ୍ର ବରଡ଼ି ଛକ ନିକଟରେ ଏକ ଗଛକୁ ନିଜ ଗାଡିକୁ ପିଟିଦେଇଥିଲେ। ଯାହାଦ୍ୱାରା ଗାଡ଼ିରେ ଉପସ୍ଥିତ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଗାଡିର ସମ୍ମୁଖ ପାର୍ଶ୍ଵ ସମ୍ପୂର୍ଣ ନଷ୍ଟ ହୋଇଯାଇଛି।

ତେବେ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବାରବର୍ଗ ସଙ୍ଗେସଙ୍ଗେ ଖବର ପାଇ ଉଭୟଙ୍କୁ ବାଣପୁର ଡାକ୍ତରଖାନା ନେଇଥିବାବେଳେ ଉଭୟଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବାର ଅନୁମାନ କରାଯାଉଛି। ଅନୁରୂପ ଭାବେ ଉଭୟଙ୍କ ଶରୀରରେ ଏକାଧିକ କ୍ଷତ ହୋଇଥିବାର ଜଣାପଡ଼ିଛି। ଡାକ୍ତର ଦୁଇ ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଠାଇଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସମ୍ପର୍କୀୟଙ୍କ ସଙ୍ଘବଦ୍ଧ ଆକ୍ରମଣରେ ମହିଳା ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ପାରିବାରିକ କଳି ହେଲା କାଳ। ସାମାନ୍ୟ କଥା କଟାକଟିରୁ ଝଗଡା ଏବଂ ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମରେ। ଉକ୍ତ ଗ୍ରାମର ଉମାକାନ୍ତ ଭୋଳଙ୍କ ପତ୍ନୀ ସୁକୁମାରୀ ଭୋଳଙ୍କୁ ତାଙ୍କରି ସାନ ଜାଆ, ଦିଅର ଏବଂ ପୁତୁରା ସଙ୍ଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସୁକୁମାରୀଙ୍କ ଜୀବନ ବର୍ତ୍ତମାନ ସଂକଟାପନ୍ନ ଅଛି। ଏ ନେଇ ସୁକୁମାରୀଙ୍କ ଝିଅ ମିତାଞ୍ଜଳି ଭୋଳ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଆଜି ସନ୍ଧ୍ୟା ୭ ଘଟିକାରେ କୌଣସି କାରଣକୁ ନେଇ ସୁକୁମାରୀଙ୍କ ସହ ତାଙ୍କ ପଡିଶା ଘରେ ରହୁଥିବା ତାଙ୍କ ସାନ ଜାଆ ମମତା ଭୋଳଙ୍କ ସହ ପାଟିତୁଣ୍ଡ ହୋଇଥିଲା। ତେବେ ଦେଖୁ ଦେଖୁ ଝଗଡା ଉଗ୍ରରୁପ ନେଲା ଏବଂ ହଠାତ ସୁକୁମାରୀଙ୍କ ମସ୍ତିଷ୍କକୁ ସାନ ଜାଆ ମମତା, ଦିଅର ଯାମିନୀ ଏବଂ ପୁତୁରା ମାନସ ଖଣତି ଏବଂ ଠେଙ୍ଗା ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଦ୍ୱାରା ତାଙ୍କ ମସ୍ତିଷ୍କରେ ଏକାଧିକ ଗଭୀର କ୍ଷତ ହେଵା ସହ ପ୍ରଚୁର ରକ୍ତସ୍ରାବ ହୋଇ ସଜ୍ଞାହୀନ ହୋଇ ସେ ତଳେ ପଡିଯାଇଥିଲେ।

ସଙ୍ଗେ ସଙ୍ଗେ କୁମୁଦୁନିଙ୍କୁ ପରିବାର ବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିବାବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଅଛି। ସୁକୁମାରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ମାନଙ୍କୁ ବାଣପୁର ପୋଲିସ ବର୍ତ୍ତମାନ ଖୋଜିବାରେ ଲାଗିଛି।