ବାଣପୁର: ସମ୍ପର୍କୀୟଙ୍କ ସଙ୍ଘବଦ୍ଧ ଆକ୍ରମଣରେ ମହିଳା ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ

Published: Oct 1, 2021, 9:53 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପାରିବାରିକ କଳି ହେଲା କାଳ। ସାମାନ୍ୟ କଥା କଟାକଟିରୁ ଝଗଡା ଏବଂ ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମରେ। ଉକ୍ତ ଗ୍ରାମର ଉମାକାନ୍ତ ଭୋଳଙ୍କ ପତ୍ନୀ ସୁକୁମାରୀ ଭୋଳଙ୍କୁ ତାଙ୍କରି ସାନ ଜାଆ, ଦିଅର ଏବଂ ପୁତୁରା ସଙ୍ଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସୁକୁମାରୀଙ୍କ ଜୀବନ ବର୍ତ୍ତମାନ ସଂକଟାପନ୍ନ ଅଛି। ଏ ନେଇ ସୁକୁମାରୀଙ୍କ ଝିଅ ମିତାଞ୍ଜଳି ଭୋଳ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଆଜି ସନ୍ଧ୍ୟା ୭ ଘଟିକାରେ କୌଣସି କାରଣକୁ ନେଇ ସୁକୁମାରୀଙ୍କ ସହ ତାଙ୍କ ପଡିଶା ଘରେ ରହୁଥିବା ତାଙ୍କ ସାନ ଜାଆ ମମତା ଭୋଳଙ୍କ ସହ ପାଟିତୁଣ୍ଡ ହୋଇଥିଲା। ତେବେ ଦେଖୁ ଦେଖୁ ଝଗଡା ଉଗ୍ରରୁପ ନେଲା ଏବଂ ହଠାତ ସୁକୁମାରୀଙ୍କ ମସ୍ତିଷ୍କକୁ ସାନ ଜାଆ ମମତା, ଦିଅର ଯାମିନୀ ଏବଂ ପୁତୁରା ମାନସ ଖଣତି ଏବଂ ଠେଙ୍ଗା ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଦ୍ୱାରା ତାଙ୍କ ମସ୍ତିଷ୍କରେ ଏକାଧିକ ଗଭୀର କ୍ଷତ ହେଵା ସହ ପ୍ରଚୁର ରକ୍ତସ୍ରାବ ହୋଇ ସଜ୍ଞାହୀନ ହୋଇ ସେ ତଳେ ପଡିଯାଇଥିଲେ।

ସଙ୍ଗେ ସଙ୍ଗେ କୁମୁଦୁନିଙ୍କୁ ପରିବାର ବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିବାବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଅଛି। ସୁକୁମାରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ମାନଙ୍କୁ ବାଣପୁର ପୋଲିସ ବର୍ତ୍ତମାନ ଖୋଜିବାରେ ଲାଗିଛି।

Related posts