Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋନାଲ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ଜନ ଭାଗିଦାରୀ’ ପାଇଁ ପ୍ରୟାସ କରାଯିବ। ଏହି ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନା ଏବଂ ମାର୍ଗଦର୍ଶନରେ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ନିର୍ଦ୍ଧାରିତ ହୋଇଥିବା ବିଷୟବସ୍ତୁ ଉପରେ ଚର୍ଚ୍ଚା ସହ ଦେଶର ଯୁବବର୍ଗଙ୍କ ନିକଟରେ ଏ ସବୁକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି ସ୍କିଲିଂ ଏବଂ ଅପ ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟ କଳ୍ପନା ରହିଛି।

ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସୁବାଷ ସରକାର ଉଦଘାଟନ କରିବେ। ଏହି ଅଧିକାରୀସ୍ତରୀୟ ବୈଠକରେ ପ୍ରାଥମିକ ସ୍ୱାକ୍ଷରତା ଓ ପରିସଂଖ୍ୟାନ, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷାଦାନ, ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ଗବେଷଣା ସହଭାଗିତା ଭଳି ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହି ବୈଠକର ପୂର୍ବ ଦିନ ଏପ୍ରିଲ ୨୬ରେ ଭୁବନେଶ୍ୱର ସ୍ଥିତ ଆଇଏମଏମଟି ଠାରେ ଜି -୨୦ର ପ୍ରତିନିଧି ମଣ୍ଡଳୀ ଭବିଷ୍ୟତର କାର୍ଯ୍ୟପନ୍ଥା ପରେ ଏକ ସେମିନାର ଏବଂ ପ୍ରଦର୍ଶନୀରେ ଯୋଗଦେବେ। ଏହି ପ୍ରତିନିଧି ମଣ୍ଡଳୀ ଏପ୍ରିଲ ୨୮ରେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ପ୍ରତିନିଧି ମଣ୍ଡଳୀଙ୍କୁ ଓଡ଼ିଶାର ଉତ୍କର୍ଷ କଳା, ସଂସ୍କୃତି, ହସ୍ତତନ୍ତ, ହସ୍ତଶିଳ୍ପ ଉପହାର ସ୍ୱରୂପ ପ୍ରଦାନ କରାଯିବ। ରାଜ୍ୟର ଅସ୍ମିତା ସହ ଯୋଡିବା ପାଇଁ ସମସ୍ତଙ୍କୁ ପାରମ୍ପରିକ ବ୍ୟଞ୍ଜନ ପରାଷାଯିବ।

ଏହାବ୍ୟତିତ ଏପ୍ରିଲ ୨୩ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଜି-୨୦କୁ ନେଇ ପୃଥକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଜି-୨୦ ଦେଶ ସମୂହ, ଶିଳ୍ପ, ସରକାରୀ ସଂସ୍ଥା , ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭଳି ୭୫ଟି ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ସମୂହଙ୍କୁ ଯୋଡିବା ମୁଖ୍ୟ ଉଦ୍ଦେଶ୍ୟ ରହିବ ଓ ଷ୍ଟାଟ ଅପ୍ ତଥା ଯୁବ ଉଦ୍ୟୋଗୀଙ୍କୁ ବିଶେଷ ଭାବରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପକୁ ଭବିଷ୍ୟତର କୃଷି ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିବେ।

ଏହି କାର୍ଯ୍ୟକ୍ରମ ସମୟରେ ଏପ୍ରିଲ ୨୩ରୁ ଏପ୍ରିଲ ୨୫ ମଧ୍ୟରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଆଇଏମଏମଟି ଭୁବନେଶ୍ୱର, ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ, ହାଇଦ୍ରାବାଦ, ଡେଲୋଏଟ୍, ସିଆଇଆଇ, ୟୁଏସଆଇବିସି ଭଳି ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ଓଡ଼ିଶାର ୩୫ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଆୟୋଜନ କରାଯିବ। ଏହାସହ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ରଚନା, ବକ୍ତୃତା, ମକ୍ ଜି-୨୦ ଏବଂ ଯୁବ ସମ୍ବାଦ ଭଳି ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ୱ ଯୁବ ଏବଂ ମହିଳାଙ୍କୁ ଦିଆଯିବ । ଜି ୨୦ର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଓଡ଼ିଶାର ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶିତ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ। ୨୦୨୩କୁ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଥିବାରୁ ଜି-୨୦ର ପ୍ରତିନିଧି ମଣ୍ଡଳୀଙ୍କୁ ଭାରତୀୟ ପାରମ୍ପରିକ ଖାଦ୍ୟ ସହ ମାଣ୍ଡିଆ ଯୁକ୍ତ ଖାଦ୍ୟ ମଧ୍ୟ ପରଷାଯିବ। ଜି -୨୦ ପାଇଁ ରାଜ୍ୟ ସରକାର ମଧ୍ୟ ସହଯୋଗ ଯୋଗାଇଦେବା ନେଇ ଆଲୋଚନା ହୋଇଥିବା ଯୁଗ୍ମ ସଚିବ ନିତା ପ୍ରସାଦ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଯକ୍ଷ୍ମା ରୋଗୀ ଚିହ୍ନଟ

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିହ୍ନଟ ହୋଇଥିବା ୫୨୧ ଜଣ ଯକ୍ଷ୍ମା ରୋଗୀଙ୍କ ତୁଳନାରେ ୧୫୩ ଅଧିକ। ସେହିପରି ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଟିବି ରୋଗୀ ଚିହ୍ନଟ ହେଉଥିବା ପ୍ରକାଶ। ଗତକାଲି ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ ବିଶେଷଜ୍ଞମଣ୍ଡଳୀ।

ଏହି କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଯୋଗଦେବା ସହିତ ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଯକ୍ଷ୍ମାର ମାରାତ୍ମକତାକୁ ହ୍ରାସ କରିପାରିବ ବୋଲି ମତଦେଇଥିଲେ। ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି। ସେହିପରି ନି-କ୍ଷୟ ପୋଷଣ ଯୋଜନାରେ ପ୍ରତି ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ମାସିକ ୫ଶହ ଟଙ୍କା ପ୍ରଦାନ କରାଯାଉଛି। ଯକ୍ଷ୍ମା ନିରାକରଣ ସଂଗ୍ରାମରେ ଏମ୍‌ଡିଆର ଟିବି ଏକ ଆହ୍ବାନ ଭାବେ ଉଭାହୋଇଛି। ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଦ୍ବାରା ପ୍ରକାଶିତ ରିପୋର୍ଟରେ ଟିବି ଏବଂ ଡ୍ରଗ୍ ପ୍ରତିରୋଧକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଉଲ୍ଲେଖ ରହିଥିବା ପ୍ରକାଶ କରିଥିଲେ ଡ. ବିଶ୍ବାସ। ଫୁସଫୁସ୍‌ ଯକ୍ଷ୍ମାକୁ ବାଦ୍‌ ଦେଇ ହେଉଥିବା ଟିବି ଏହି ରୋଗ ପରିଚାଳନା ଏବଂ ନିୟନ୍ତ୍ରଣରେ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ ପାଲଟିଥିବା ଡ. ବିଶ୍ବାସ କହିଥିଲେ।

ଏହି ଅବସରରେ ପଲ୍‌ମୋନାରୀ ମେଡିସିନ୍‌ ବିଭାଗ ମୁଖ୍ୟ ତଥା ଡିନ୍‌ ଡ. ପି ଆର ମହାପାତ୍ର ଯୋଗଦେଇ ସମଗ୍ର ବିଶ୍ବରେ ଯକ୍ଷ୍ମା ସର୍ବୋଚ୍ଚ ସଂକ୍ରାମକ ରୋଗ ଭାବେ ଅପଖ୍ୟାତି ଅର୍ଜନ କରିଥିବା ସୂଚନା ଦେଇଥିଲେ। ଏହି ମାରାତ୍ମକ ରୋଗ କାରଣରୁ ବର୍ଷକୁ ପ୍ରାୟ ୧.୬ ନିୟୁତ ଲୋକ ମୃତ୍ୟୁବରଣ କରିବା ସହିତ ଆହୁରି ଅନେକଙ୍କୁ ସଂକ୍ରମିତ କରିଥାଏ। ଯାହାକି ପରିବାର ଏବଂ ଗୋଷ୍ଠୀ ଉପରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପ୍ରଭାବ ପକାଇଥାଏ। କୋଭିଡ୍‌ ମହାମାରୀ ସହିତ ଯୁଦ୍ଧ ବିବାଦ, ଖାଦ୍ୟ ନିରାପତ୍ତା, ଜଳବାୟୁ ପରିବର୍ତ୍ତନ, ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଭଳି ସଙ୍କଟ ଯକ୍ଷ୍ମା ବିରୋଧରେ ଚାଲିଥିବା ଲଢ଼େଇକୁ ପଶ୍ଚାତଗାମୀ କରିଥିବା ଡ. ମହାପାତ୍ର ସୂଚନା ଦେଇଥିଲେ।

ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ବୈଜୟନ୍ତୀମାଳା ମିଶ୍ର ଏମ୍‌ସରେ ଟିବି ଚିହ୍ନଟ ପାଇଁ ମାଗଣାରେ ସିବିନାଟ୍‌ ଏବଂ ଟ୍ରୁନାଟ୍‌ ପରୀକ୍ଷା କରାଯାଉଥିବା ବିଷୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ବି ବି ମିଶ୍ର, ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏମ୍‌ସ ଡଟ୍‌ସ କେନ୍ଦ୍ର ମେଡିକାଲ୍ ଅଫିସର୍‌ ଡ. ସାରଦା ପ୍ରସନ୍ନ ମିଶ୍ର, ଅର୍ପଣ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏଥିସହିତ ଏମ୍‌ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ମଧ୍ୟ ଯକ୍ଷ୍ମା ଦୂରୀକରଣ ପାଇଁ ରାଜଧାନୀର ନୟାପଲ୍ଲୀ ବେହେରା ବସ୍ତି (ୱାର୍ଡ ନଂ-୨୫) ରେ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଡ. ବିନୋଦ କୁମାର ବେହେରା ଏବଂ ଡ. ପ୍ରଜ୍ଞା ପାରମିତା ଗିରି ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗର ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଏବଂ ଆଶା କର୍ମୀ ରଶ୍ମିତା ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମା ମଙ୍ଗଳା ଏବଂ ଓମ୍ ଶାନ୍ତି ମହିଳା ଆରୋଗ୍ୟ ସମିତିର ସଦସ୍ୟାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। ଟିବି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଟିବି ଚାମ୍ପିଅନ୍ ପ୍ରମୋଦ ନାୟକ ନିଜର ଜୀବନ କାହାଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯକ୍ଷ୍ମାରେ ପିଡ଼ୀତ ହେବା ପରେ ସେ କିପରି        ବିଭିନ୍ନ ସାମାଜିକ ତାଡ଼ନାର ଶିକାର ହୋଇଥିଲେ ସେସମ୍ପର୍କରେ ବର୍ଣ୍ଣନା କରିଥିଲେ ପ୍ରମୋଦ। ତେବେ ଉପଯୁକ୍ତ ଚିକିତ୍ସା ପରେ ଯକ୍ଷ୍ମାରୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହିତ ଏକ ସାଧାରଣ ଜୀବନ ଅତିବାହିତ କରୁଥିବା ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚ ୧୩ ତାରିଖରୁ ଆରମ୍ଭ ହୋଇଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜୁରାଟ, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ସମେତ ଓଡ଼ିଶାରୁ ଜନଜାତି କଳାବସ୍ତୁ କାରିଗରମାନେ ସେମାନଙ୍କ ପାରମ୍ପରିକ କଳାବସ୍ତୁ ପ୍ରଦର୍ଶନ କରି ବିିକି୍ରବଟା କରିଥିଲେ।

ଏହି ପ୍ରଦର୍ଶନୀ ସର୍ବଭାରତୀୟ ସ୍ତରର ଜନଜାତି ସମୂହଙ୍କର କଳାବସ୍ତୁକୁ କେବଳ ବିକ୍ରୟ କରିବା ପାଇଁ ଉଦ୍ଦିଷ୍ଟ ନଥିଲା ପରନ୍ତୁ ବିଭିନ୍ନ ଜନଜାତିଙ୍କ କଳାକୁଶଳତାକୁ ଚିହ୍ନିବା, ସେମାନଙ୍କୁ ଗୋଟିଏ ମଞ୍ଚରେ ଯୋଡ଼ିବା ତଥା କଳାକୌଶଳର ଭାବଗତ ଓ କୌଶଳଗତ ଜ୍ଞାନର ଆଦାନପ୍ରଦାନ କରିବା ମଧ୍ୟ ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଜନଜାତି କାରିଗରମାନେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାବସ୍ତୁକୁ ବିକ୍ରୟ କରିବା ସହ ପରସ୍ପର ମଧ୍ୟରେ ଜ୍ଞାନକୌଶଳ ଆଧାରିତ ଆଲୋଚନା କରିଥିଲେ। ପରିବେଶ ଅନୁକୂଳ କାଠ, ବାଉଁଶ, ପତ୍ର ଆଧାରିତ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ କଳାବସ୍ତୁ ଉପରେ ସେମାନେ ମତ ରଖିଥିଲେ, ଯେପରିକି ଶୀତପ୍ରଧାନ ଅଞ୍ଚଳରେ କାଠ, ବାଉଁଶର ନମନୀୟତା ଓ ମସୃଣତା ଥିବାରୁ ଚିMଣ ସୁଦୃଶ୍ୟ କଳାବସ୍ତୁ ନିର୍ମାଣ ହେଉଥିବାବେଳେ ଗ୍ରୀଷ୍ମ ପ୍ରଭାବିତ ଅଞ୍ଚଳର କାଠ, ବାଉଁଶର ତନ୍ତୁ ପ୍ରଧାନ ଥିବାରୁ ଭାରି ବସ୍ତୁର ପ୍ରସ୍ତୁତି ସମ୍ଭବ ହେଉଥିବାର ସେମାନେ ମତ ପ୍ରଦାନ କରିଥିଲେ। ପୁଣି ଶୀତପ୍ରଧାନ ଅଞ୍ଚଳରେ ଉଲ୍‌ ନିର୍ମିତ ବସ୍ତ୍ରାଦିରେ ଗାଢ଼ ରଙ୍ଗର ପ୍ରଭାବ ଅଧିକ ରହୁଥିବାବେଳେ ଗ୍ରୀଷ୍ମପ୍ରଧାନ ପରିବେଶରେ କାର୍ପାସ ବସ୍ତ୍ରରେ ହାଲୁକା ରଙ୍ଗର ପ୍ରଭାବ ରହୁଥିବା ସେମାନଙ୍କ ମତ ଥିଲା। ବାସ୍ତବରେ ଏହି ଜନଜାତି କଳାବସ୍ତୁ କେବଳ ପ୍ରଦର୍ଶନୀ ହିସାବରେ ନୁହେଁ ବରଂ ସାଂସ୍କୃତିକ ସହାବସ୍ଥାନର ବାର୍ତ୍ତା ଦେଇଥିଲା।

ଉଦ୍‌ଯାପନୀ ସନ୍ଧ୍ୟାରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ପ୍ରାୟୋଜିତ ଦୁରୁଆମାନଙ୍କ ବିର୍‌ଲି, ଓମାନାତ୍ୟମାନଙ୍କ ଡାଣ୍ଡା ହୁଲିଆ, ପରଜାମାନଙ୍କର ରିଞ୍ଜୋଡ଼ି ତଥା ଗଦବାମାନଙ୍କର ଢେମ୍‌ସା ନାଚ ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଇଥିଲା। ଏହି ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ ଛଅଗୋଟି ନୃତ୍ୟଦଳ ଏବଂ କଳାବସ୍ତୁ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଓଡ଼ିଶା ତଥା ଅନ୍ୟ ରାଜ୍ୟର ସମସ୍ତ କାରିଗରଙ୍କୁ ସାର୍ଟିଫିକେଟ୍‌ ଓ ମେମେଣ୍ଟୋ ପ୍ରଦାନ କରିଥିଲେ। ପରେ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀ ଓ ନୃତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଥିବା ଘୋଷଣା କରିବା ସହ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସରୁଛି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ

ଭୁବନେଶ୍ୱର; ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଗତକାଲି ଥିଲା ଷଷ୍ଠ ଦିବସ। ଆଜି ଏହା ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏକବିଂଶ ଶତାବ୍ଦୀର ମଣିଷ ବୈଷୟିକ ଜ୍ଞାନସଂପନ୍ନ ହୋଇଛି। ବିଜ୍ଞାନରେ ବିପ୍ଳବ ସୃଷ୍ଟି କରୁଛି। ତଥାପି ପରମ୍ପରା ପ୍ରତି ତା’ର ଆଦର କିପରି ରହିଛି ତାହାର ଏକ ନିଚ୍ଛକ ଝଲକ ଦେଖିବାକୁ ମିଳୁଛି ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପ୍ରାଙ୍ଗଣରେ।

ଜନଜାତିଙ୍କ ଛୋଟ ଛୋଟ ପରମ୍ପରା ମିଶି ମହାଭାରତୀୟ ବୃହତ୍‌ ପରମ୍ପରାକୁ କେବଳ ସମୃଦ୍ଧ କରିନାହାନ୍ତି, ଅପରନ୍ତୁ ଏକ ନୂତନ ସମୃଦ୍ଧ ଭାରତ ବର୍ଷ ନିର୍ମାଣ କରିଛନ୍ତି, ଯେଉଁଠି ପାରମ୍ପରିକ ଜ୍ଞାନକୌଶଳ ନିରନ୍ତର ଭାବେ ଜନମାନସରେ ଆଦୃତ ହୋଇଛି। ପ୍ରଯୁକ୍ତି ବିଦ୍ୟାରେ ଅନେକ ଚମତ୍କାର କଳାବସ୍ତୁ ନିର୍ମାଣ ହୋଇପାରେ, ମାତ୍ର ଜନଜାତିମାନଙ୍କ ହାତତିଆରି କଳାବସ୍ତୁ କୌଣସି ଚମତ୍କାର ତୁଳନାରେ ଯେ କମ୍‌ ନୁହେଁ, ଏହା ସାରା ଭାରତରୁ ପ୍ରତିନିଧିତ୍ୱ କରୁଥିବା ଜନଜାତିଙ୍କ କଳାବସ୍ତୁ ପ୍ରଦର୍ଶନୀରୁ ପ୍ରମାଣ ମିଳିଛି। ଉଦାହରଣ ସ୍ୱରୂପ ଅରୁଣାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଗାରୋ ଜନଜାତିଙ୍କ ବାଉଁଶ, ବେତରୁ ନିର୍ମିତ କାନ ବଳା, ମଗ୍‌, ପର୍ସ, ଫୁଲଦାନୀ, ପାନିଆ, ଚୂଡ଼ି, ବସ୍ତ୍ର, କଲମ, ହାର, ପେନ୍‌ଷ୍ଟାଣ୍ଡ, ରାଜସ୍ଥାନର ଭିଲ୍‌ମାନଙ୍କ ଖଜୁରି ପତ୍ରରେ ଚିତ୍ର ଅନନ୍ୟ ଆକର୍ଷଣୀୟ ବସ୍ତୁ ଏହି ପ୍ରଦର୍ଶନୀରେ ରହିଛି।

ପ୍ରଦର୍ଶନୀ ଶେଷ ହୋଇ ଆସୁଥିବାବେଳେ ବିଭିନ୍ନ ରାଜ୍ୟର ଜନଜାତି କାରିଗରଙ୍କ ଓଡ଼ିଶା ଅନୁଭୂତି ଖୁବ୍‌ ସୁଖଦ ଏବଂ ଏଠାକାର ଜନଜାତି ଶିଳ୍ପୀ କାରିଗରଙ୍କ ସହ ଅନ୍ତରଙ୍ଗ ଆଳାପ ଓ ସେମାନଙ୍କ ଜ୍ଞାନକୌଶଳ ଶିକ୍ଷଣୀୟ ବୋଲି ମନ୍ତବ୍ୟ ଦେଉଛନ୍ତି।

ଆଜିର ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରାୟୋଜିତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର ଜନଜାତି ନୃତ୍ୟଶିଳ୍ପୀମାନେ ସେମାନଙ୍କ ଅଞ୍ଚଳର ବର୍ଣ୍ଣାଢ଼୍ୟ ନୃତ୍ୟ ପ୍ରଦର୍ଶନପୂର୍ବକ ଦର୍ଶକଙ୍କ ମନ ଜିଣିଥିଲେ। ପ୍ରଦର୍ଶନୀ ସରି ଆସୁଥିବାରୁ ଆଜି ବହୁଲୋକଙ୍କ ସମାଗମ ହୋଇଥିଲା ଏବଂ କଳାବସ୍ତୁ କ୍ରୟ କରିବାରେ ଦର୍ଶକମାନେ ଭରପୂର ଆଗ୍ରହ ଦେଖାଉଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ୧୪ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧୪ କେଜି ବ୍ରାଉନ ସୁଗାର ଏବଂ ଚାରି ଗୋଟି ମାମଲାରେ ଜବତ ହୋଇଥିବା ୫୦୪ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି।

ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୦ କେଜି ୮୧୫ ଗ୍ରାମ ବ୍ରାଉନ ସୁଗାର ଏବଂ ୧୩୨ କୁଇଣ୍ଟାଲ ୭୯ କେଜି ଗଞ୍ଜେଇ ନଷ୍ଟ କରିଥିବା ଜଣାପଡିଛି। ଅନୁରୂପ ଭାବେ ଆଜି ସୁଦ୍ଧା ଓଡିଶା ପୋଲିସ ୬୦ କେଜିରୁ ଉର୍ଦ୍ଧ ବ୍ରାଉନ ସୁଗାର ଏବଂ ୧୪୫୦ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ନଷ୍ଟ କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

19 ତମ ସର୍ବ ଭାରତୀୟ ପୁରୁଷ ଓ ମହିଳା BSNL ଟେବୁଲ ଟେନିସ ପ୍ରତିଯୋଗିତା

ଭୁବନେଶ୍ୱରେ: ଓଡିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ଦ୍ୱାରା 15 ମାର୍ଚ୍ଚ ରୁ 18 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଶହୀଦ ନଗର ସ୍ଥିତ ଇନଡୋର ସ୍ପୋର୍ଟ୍ କମ୍ପ୍ଲେସ ରେ 19 ତମ ସର୍ବ ଭାରତୀୟ  BSNL ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଯେଉଁଥିରେ ମୋଟ 21 ଗୋଟି ରାଜ୍ୟ BSNL ସର୍କଲରୁ ଉଭୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ ଦଳ ଏଥିରେ ଅଂଶଗ୍ରହଣ କରିବେ।

ଓଡିଶା ଦୂରସଂଚାର ପରିମଣ୍ଡଳ, ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା LSA ମୁଖ୍ୟ ତଥା ଟେଲିକମ୍ ମହାନିର୍ଦେଶକ, ବିଜୟ କୁମାର ନାୟକ, ମୂଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବେ। ଦୂରସଂଚାର ବିଭାଗ କମୁନିକେସନ ଆକାଉଣ୍ଟସ, କନ୍ଟ୍ରୋଲର ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଭାବେ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ ବୋଲି ନିଜର ସହମତି ପ୍ରଦାନ କରିଛନ୍ତି। ସତ୍ୟ ହରି ବାବୁ, ମୂଖ୍ୟ ରେଫରୀ ଓ ସହାୟକ ରେଫରି ଭାବେ ୟସର ପସା ଘୋରି (ମଧ୍ୟ ପ୍ରଦେଶ) ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେବେ।

15 ମାର୍ଚ୍ଚ ଦିନ ପ୍ରାୟ 09.00 ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ 18.3.2023 ଅପରାହ୍ନରେ ଉଦଯାପିତ ହେବ ଓ କୃତି ପ୍ରତିଯୋଗିମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ଉଦଯାପନ ସମାରୋହରେ ପୁରସ୍କୃତ କରାଯିବ। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦାନ, ହରିୟାନା, ଜାମ୍ମୁ ଓ କାଶ୍ମୀର, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ନର୍ଥ ଇଷ୍ଟ-1 ଓ2, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲେଙ୍ଗାନା, ତାମିଲ ନାଡୁ, ପଶ୍ଚିମ ବଙ୍ଗ, ଉତ୍ତରାଞ୍ଚଳ, ସିଏନ-ଟିଏକ୍ସ (ଉତ୍ତର) ଏବଂ ଓଡିଶା ର ଉଭୟ ପୁରୁଷ ଓ ମହିଳା ଟେବୁଲ ଟେନିସ ଦଳ ଏହି ସର୍ବଭାରତୀୟ  ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବେ।

ଏହି କାର୍ଯ୍ୟକ୍ରମକୁ ସଫଳ ଓ ସୁନ୍ଦର କରିବାକୁ ଆୟୋଜକ ଓଡିଶା ଦୂରସଂଚାର ପରିମଣ୍ଡଳର ସମସ୍ତ କର୍ମକର୍ତ୍ତା, ଓଡିଶା BSNL କ୍ରୀଡା ସଂସ୍କୃତି ପରିଷଦ, ଟୁର୍ଣ୍ଣାମେଣ୍ଟ ସମିତିର ସମସ୍ତ ସଭ୍ୟ ସଭ୍ୟା ଓ ଓଡିଶା ଦୂରସଂଚାର ପ୍ରଶାସନ ତରଫରୁ ବରିଷ୍ଠ ମହାପ୍ରବନ୍ଧକ, ପ୍ରଶାନ୍ତ କୁମାର ମହାପାତ୍ର ତଥା କ୍ରୀଡା ସଂସ୍କୃତି ପରିଷଦର ଶଚିବ ଉପମହାପ୍ରବନ୍ଧକ ଦେବେନ୍ଦ୍ର ଚନ୍ଦ୍ର ପ୍ରଧାନ ଏହି ଟୁର୍ଣ୍ଣାମେଣ୍ଟ କୁ ଆମନ୍ତ୍ରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡି ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଆଜି  ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପାଳିତ  ହୋଇଯାଇଛି। ଏହି ଅବସରରେ ସଭାକାର୍ଯ୍ୟ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପକ ଡଃ ଚନ୍ଦ୍ରଶେଖର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦାନ କରି ଓଡ଼ିଆ ଶାସ୍ତ୍ରୀୟତା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡଃ ବୈରାଗୀ ଚରଣ ପଟ୍ଟନାୟକ ଓଡ଼ିଆ ଭାଷା ଓ ସାହିତ୍ୟକୁ ପାରଳାଖେମୁଣ୍ଡିର ଅବଦାନ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଫେସର ଫଣୀନ୍ଦ୍ର ଭୂଷଣ ନନ୍ଦ ପାରଳାଖେମୁଣ୍ଡିର ସାହିତ୍ୟିକ ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଡଃ ବିଘ୍ନେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବରେ ଓଡିଆ ନାଟକ “ବୋତଲ ଭୂତ”

ଭୁବନେଶ୍ଵର: ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଆସାମର ଗୁଆହାଟୀଠାରେ କଳାକ୍ଷେତ୍ରରେ ଥିବା ଶଙ୍କର ଦେବ ଆନ୍ତର୍ଜାତିକ ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ଏକ୍ସପ୍ରେସନ୍ସ”।

ଲେଖକ ତଥା ନିର୍ଦ୍ଦେଶକ ଦେବାନନ୍ଦ ନାୟକ ସୋନୀଙ୍କ ନାଟକ “ବୋତଲ ଭୂତ” ମଞ୍ଚସ୍ଥ ହୋଇ ଆସାମ ତଥା ଭାରତର ଅନ୍ୟ ରାଜ୍ୟ ଏବଂ ବିଦେଶୀ ନାଟକ ଦର୍ଶକ ମାନଙ୍କର ପ୍ରଶଂସା ଭାଜନ ହୋଇପାରିଛି। ବିଶେଷ ଭାବରେ ଭାରତର ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବ ଦୁଲାଲ ରାୟ, ଅରୂପ ହଜାରିକା, ସୀମା ବିଶ୍ବାସ, ଗୁଣାକାର ଗୋସ୍ବାମୀ ଇତ୍ୟାଦି ନାଟକଟିର ଶୈଳୀ ଏବଂ ପ୍ରଦର୍ଶନ ଢଙ୍ଗର ଭୂୟସୀ ପ୍ରଶଂସା କରିଥିଲେ।

ନାଟକ ଟିର ବିଷୟବସ୍ତୁ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମାଜିକ ସମସ୍ୟା ଏବଂ ତାର ମୂଳ କାରଣକୁ ନେଇ ପର୍ଯ୍ୟବେଶିତ ଥିଲା। ଅନେକ ଦିନର ବ୍ୟବଧାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଏହି ଭାରତ ରଙ୍ଗ ମହୋତ୍ସବରେ ଏକ ବଳିଷ୍ଠ ଓଡିଆ ନାଟକ ଦେଖିବାକୁ ମିଳିଲା ବୋଲି ବେଶ୍ କିଛି ଅଣଓଡିଆ ନାଟ୍ୟକର୍ମୀ ମତ ବ୍ୟକ୍ତ କରି ନାଟ୍ୟ ଦଳର କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ତଥା ଲେଖକ ନିର୍ଦ୍ଦେଶକ ଦେବାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”

ଭୁବନେଶ୍ବର: କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍, ଭୁବନେଶ୍ୱର ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”। ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି ଏଲ୍ ମୀନାଙ୍କ ନେତୃତ୍ୱରେ ଚଳିତ ବର୍ଷ ଫେବୃଆରୀ ୨୪ ରେ ଆରମ୍ଭ ହୋଇ ୨୫ ରେ ସରିବ।  ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲ୍ଡର୍ ଏବଂ ଯାନବାହାନ ଡିଲରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦଗୁଡିକ ପ୍ରଦର୍ଶନ କରିବେ ଓ କ୍ରୟ ବିକ୍ରୟ ପାଇଁ କାନାରା ବ୍ୟାଙ୍କ ଦ୍ୱାରା ସହଜରେ ପ୍ରଦାନ କରାଯିବ।

ପ୍ରକାଶ ଯେ, କାନାରା ବ୍ୟାଙ୍କ ତାର ହାଉସିଂ, ଗାଡି ମୋଟର, ଶିକ୍ଷା ଓ ବନ୍ଧକ ଲୋନ ଉପରେ ସମସ୍ତ ଶୁଳ୍କ ଛାଡ଼ କରିଛି। ହେଲେ ଏହି ଅଫର କେବଳ ସୀମିତ ସମୟ ପର୍ଯ୍ୟନ୍ତ ବୈଧ ଅଟେ। କାନାରା ବ୍ୟାଙ୍କ, ଏହାର ମୁଖ୍ୟ ହିତାଧିକାରୀ ଓ ଗ୍ରାହକ ମାନଙ୍କ ପାଇଁ ସର୍ବାଧିକ ଲାଭର ସୁଯୋଗ ଆଣିଛି। ଆଶା କରାଯାଉଛି କି ଏହି ଏକ୍ସପୋରେ ଗ୍ରାହକମାନଙ୍କରେ ବିପୁଳ ସଂଖ୍ୟାରେ ଯୋଗଦାନ ରହିବ ଓ ଗ୍ରାହକମାନେ ନିଶ୍ଚିତ ଭାବରେ କାନାରା ବ୍ୟାଙ୍କର ଏହି ‘ରିଟେଲ୍ ଉତ୍ସବ ଅଫର୍’ ର ସଂପୂର୍ଣ୍ଣ ଫାଇଦା ନେବେ ବୋଲି କାନାଡା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଉଦ୍‌ଘାଟନୀ ଦିବସରେ, ଅର୍ଥାତ୍ ଫେବୃଆରୀ ୨୪ ରେ, କାନାରା ବ୍ୟାଙ୍କ ତାର ୮୦ ଜଣ ହିତାଧିକାରୀଙ୍କୁ ତାର ହାଉସିଂ, ଗାଡି ମୋଟର ଓ ଶିକ୍ଷା ଆଦି ପାଇଁ ଲୋନ ମଞ୍ଜୁରି କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩: ମେଳାରେ କଳାବସ୍ତୁ ପ୍ରଭାଗ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଛି।

ଆଦିବାସୀ ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି। ଧରଣୀପେନୁ ଢୋକରା କାରିଗରୀ ସମିତି, ବାଲିଗୁଡ଼ା, କନ୍ଧମାଳ ପକ୍ଷରୁ ଢୋକରା ସାମଗ୍ରୀ ଯଥା: କଇଁଛ, ମାଣ, ଘଣ୍ଟି, ଫରୁଆ, ପିତ୍ତଳ କବାଟ ହ୍ୟାଣ୍ଡେଲ, ମୂର୍ତ୍ତି ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି। ୧୫୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଏହି ଢୋକରା ଷ୍ଟଲରେ ମିଳୁଛି।

ଢୋକରା ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ପ୍ରଥମେ ସାମଗ୍ରୀର ଏକ ମାଟିର ଛାଞ୍ଚ କରାଯାଏ। ଛାଞ୍ଚ ଶୁଖିବା ପରେ ପଲିସ କରାଯାଇ ତା’ଉପରେ ପତଳା ଧଳାମାଟି ପଲିସ୍‌ କରାଯାଇଥାଏ। ତା’ଉପରେ ଶିମ୍ବପତ୍ର ଘସାଯାଏ। ପୁଣି ତା’ଉପରେ ମାଟି ପଲିସ କରାଯାଇଥାଏ। ମହୁମାଛିର ଅଠାକୁ ମହମ ଭଳି କରି ଏହାକୁ ତାର ତିଆରି କରାଯାଇ ତା’ଉପରେ ଗୁଡ଼ାଯାଏ। ତାର ବାହାର କରି ଡିଜାଇନ୍‌ ପ୍ରସ୍ତୁତ କରାଯାଏ। ଉପରେ ସରୁ ମାଟି ଦିଆଯାଏ। ମୋଟା ମାଟି ଦିଆଯାଇ ଶୁଖାଯାଏ। ଚ୍ୟାନେଲ କରାଯାଇ ତା’ଉପରେ ଭଙ୍ଗା ପିତ୍ତଳ ଦିଆଯାଇ ମାଟିରେ ବନ୍ଦ କରାଯାଏ। ତାକୁ କୋଇଲାଚୁଲିରେ ପୋଡାଯାଏ। ପରେ ତାକୁ ବାହାର କରାଯାଇ ଥଣ୍ଡା କରାଯାଏ। ପୋଡାମାଟିକୁ ଭାଙ୍ଗି ତା’ଭିତରୁ ଢୋକରା ସାମଗ୍ରୀକୁ ବାହାର କରାଯାଇ ବ୍ରସ ଦ୍ୱାରା ସଫା କରାଯାଏ। ଏହି ପ୍ରକ୍ରିୟାକୁ ଲଷ୍ଟୱାକ୍ସ ପ୍ରୋସେସ୍‌ କୁହାଯାଏ ବୋଲି ସମିତିର ସଦସ୍ୟା ପ୍ରକାଶ କରିଛନ୍ତି। ଜନଜାତି ଅଳଙ୍କାର ଷ୍ଟଲରେ ଦର୍ଶକମାନେ ଭିଡ଼ ଜମାଇଛନ୍ତି।

ସେହିଭଳି ଅନ୍ୟ ଏକ ଷ୍ଟଲରେ ସବାଇ ଘାସର ସପ, ଫୁଲଝୁଡ଼ି, ଟେବୁଲ ମ୍ୟାଟ୍‌, ବ୍ୟାଗ୍‌, ଡାଇନିଙ୍ଗ୍‌ ମ୍ୟାଟ୍‌, ଆଦି ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କ ଜମିରେ ସବାଇଘାସ ଚାଷ କରିଥାନ୍ତି। ଘାସ ପାକଳ ହେଲାପରେ ବିଲରୁ କାଢ଼ି ଖରାରେ ଶୁଖାଇ ପଲିସ୍‌ କରି ସବାଇଘାସ ଜିନିଷ ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ରଙ୍ଗୀନ ସୂତା ଦ୍ୱାରା ଏହାକୁ ଆକର୍ଷଣୀୟ କରାଯାଇଥାଏ।

ଆଇଟିଡିଏ କରଞ୍ଜିଆର ଷ୍ଟଲରେ ପଥର ନିର୍ମିତ ଆକର୍ଷଣୀୟ କଳା ମୁଗୁନି ପଥରକୁ କାଟି ପଲିସ୍‌ କରି ବିଭିନ୍ନ ପ୍ରକାରର ସାମଗ୍ରୀ ଯଥା ଗଣେଶ, କୁଟୁଣୀ, ଦୀପ, ବାଟି, ଶିଳ ଆଦି ଘରୋଇ ବ୍ୟବହୃତ ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ ନିମନ୍ତେ ରଖାଯାଇଛି। ଏହି କଳାବସ୍ତୁ ସେକଫରରେ ଗୋଣ୍ଡ ଓ ସଉରା ଚିତ୍ରକଳା ସହିତ ଜୁଆଙ୍ଗ ଓ କନ୍ଧ ଚିତ୍ରକଳା ଦର୍ଶକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରହିଛି। ଏକ ଷ୍ଟଲରେ ସମ୍ବଲପୁରୀ ପୋଷାକ ଇତ୍ୟାଦି, ଟେରାକୋଟା ସାମଗ୍ରୀ ସହିତ ଲାଖ ତିଆରି ଚୁଡ଼ି, କେ„ଇ, ହାର ଆଦି ମିଳୁଛି। ସେହିଭଳି କାଠଶିଳ୍ପର ଗଣେଶ, ବଳଦଗାଡ଼ି, ହାତୀ ଆଦି ଶାଗୁଆନ୍‌ କାଠକୁ ପଲିସ୍‌ କରି ଅତ୍ୟନ୍ତ ନିଖୁଣ ଭାବେ ତିଆରି କରାଯାଇଛି। ଶିଆଳି ଲତାରୁ ବିଭିନ୍ନ ପ୍ରକାର ବ୍ୟାଗ, ଘରୋଇ ଶିକା, ସୂତା ଆଦି ମଧ୍ୟ ବିକ୍ରୟ ହେଉଛି।

ଆଦିବାସୀ ମେଳା ୨୦୨୩ରେ ଧାନ୍ୟଶିଳ୍ପର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ପ୍ରଦର୍ଶନ କରାଯାଉଛି। ଧାନ୍ୟରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଣାଳୀ ସଂପର୍କରେ ଦେଖଣାହାରୀମାନେ ଜାଣି ପାରୁଛନ୍ତି।

ଆଜି ସନ୍ଧ୍ୟାରେ ଓଡ଼ିଶାର ସାନ୍ତାଳ ଜନଜାତିଙ୍କର ଡଙ୍ଗନୃତ୍ୟ, ସଉରା ଜନଜାତିଙ୍କ ‘ମିରିଆ’, ସାନ୍ତାଳ ଜନଜାତିଙ୍କ ଦଂଠା, ଦିଦାୟୀ ଜନଜାତିଙ୍କ ଚଇତି ନୃତ୍ୟ, ସାନ୍ତାଳ ଜନଜାତିଙ୍କ ଛଉ ନୃତ୍ୟ, ଲୋଧା ଜନଜାତିଙ୍କର ଝୁମର ନୃତ୍ୟ ଓ ଶେଷରେ ପରଜା ଜନଜାତିଙ୍କର ରିନ୍‌ଯୋଡ଼ି ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

ଆଦିାବସୀ ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକାଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି। ଆଦିବାସୀ ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଜେଟ୍ -୨୦୨୩ ଉପରେ ଗଣମାଧ୍ୟମ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଏମଜିଏନଆରଇଜିଏ ପାଇଁ ପାଣ୍ଠି ଆବଣ୍ଟନ ହ୍ରାସ  ହୋଇନାହିଁ। ଭୁବନେଶ୍ୱର ଠାରେ ଗଣମାଧ୍ୟମ ସହିତ ବଜେଟ୍ ପରବର୍ତ୍ତୀ ଆଲୋଚନା ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଆଜି କହିଛନ୍ତି ଯେ ଏମଜିଏନଆରଇଜିଏ ଏକ ଚାହିଦାଭିତ୍ତିକ ଯୋଜନା ହୋଇଥିବାରୁ ସରକାର ସେହି ଅନୁଯାୟୀ ବ୍ୟବସ୍ଥା ଜାରି ରଖିବେ। ସେ କହିଛନ୍ତି ଯେ ସରକାରଙ୍କ ଧ୍ୟାନ କେବଳ ପାଣ୍ଠି ଆବଣ୍ଟନ କରିବା ନୁହେଁ ବରଂ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା। ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟ ଶସ୍ୟର ପରିମାଣ ଗତ ଆଠ ବର୍ଷ ମଧ୍ୟରେ ବଢିଛି ଏବଂ ଏଥିସହିତ ପ୍ରଦାନ କରାଯାଇଥିବା ଏମଏସପି ପରିମାଣ ମଧ୍ୟ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ସମୁଦାୟ ପରିମାଣର ଏମଏସପି ଚାଷୀଙ୍କ ଆକାଉଣ୍ଟକୁ ଯିବ ଏବଂ ଏହାଦ୍ୱାରା ଯେକୌଣସି ଚୋରା କାରବାର ଏବଂ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ଦୂର ହୋଇପାରିବ। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‍ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଉପରେ ନିଷ୍ପତ୍ତି ନେବା ଜିଏସଟି ପରିଷଦର ଡୋମେନରେ ରହିଛି। ନୂତନ ବ୍ୟବସ୍ଥାରେ ଆୟକର ହାରକୁ ହ୍ରାସ କରାଯାଇଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ପୁରୁଣା ବ୍ୟବସ୍ଥା ଅଧୀନରେ ପୂର୍ବପରି ୮୦ ସି ଏବଂ ୮୦ ଡି ଭଳି ସେକ୍ସନ ଅଧୀନରେ ଥିବା ସୁବିଧା ଉପଲବ୍ଧ ରହିବ। ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅର୍ଥ କମିଶନ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି।

ଉଜ୍ୱଳା ଯୋଜନାକୁ ଏକ ଭଲ ଯୋଜନା ଭାବରେ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଶେଷ କରି ଗରିବ ଲୋକ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଗରିବଙ୍କ ଉପରେ ଆର୍ନ୍ତଜାତୀୟ ମୂଲ୍ୟ ବୃଦ୍ଧିର ବୋଝ ନଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି ଯାହା ଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରି ପାରିବେ। ସେ କହିଛନ୍ତି ଯେ ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି।

ବଜେଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‍-ବିକାଶ) ଯୋଜନା ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଓଡ଼ିଶାର କାରିଗର ବିଶେଷକରି ଯେଉଁମାନେ ପଟ୍ଟଚିତ୍ର ଏବଂ ପଥର କାମ ଇତ୍ୟାଦି କରୁଛନ୍ତି ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ।

ଏହା ପୂର୍ବରୁ ଭୁବନେଶ୍ୱର ଠାରେ ହିତାଧିକାରୀଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିର ଅଭିବୃଦ୍ଧି ବଜାୟ ରଖିବା ପାଇଁ ବଜେଟ୍ କେବଳ ପୁଞ୍ଜି ବ୍ୟୟ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିନାହାନ୍ତି ବରଂ ସେମାନଙ୍କର ମୂଳ ପୁଞ୍ଜି ଗଠନ ପାଇଁ ରାଜ୍ୟଗୁଡିକ ଲାଗି ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି। ବଜେଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିକାଶ ଯାତ୍ରାରେ ପଛୁଆ ତଥା ଆଦିମ ଲୋକମାନଙ୍କ ପରି ବଞ୍ଚିତ ଜନସଂଖ୍ୟାର ବିଭିନ୍ନ ବିଭାଗକୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ‘ସଂତୃପ୍ତି’ ପ୍ରମୁଖ ଶବ୍ଦ ବୋଲି ଦର୍ଶାଇ ସେ କହିଥଲେ ଯେ ବିକାଶର ମୌଳିକ ଲାଭ ପହଞ୍ଚିବା ପରିପ୍ରେକ୍ଷୀରେ ସଂତୃପ୍ତି ହାସଲ କରାଯିବା ଆବଶ୍ୟକ। ଏହାକୁ ଆଧାର କରି ସରକାର ବର୍ତ୍ତମାନର ୧୧୪ ଟି ଆକାଂକ୍ଷୀ ଜିଲ୍ଲା ବ୍ୟତୀତ ଦେଶରେ ଆଉ ୫୦୦ ଟି ଆକାଂକ୍ଷୀ ବ୍ଲକ ଚିହ୍ନଟ କରିବାକୁ ଚିନ୍ତା କରିଛନ୍ତି। ଅର୍ଥମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସୂଚନା ଦେଇଛନ୍ତି ଯେପରିକି ଏମଏସଏମଇର, ଯୁବକ ଏବଂ ଶ୍ରମିକଙ୍କ ଦକ୍ଷତା ଏବଂ ଭବିଷ୍ୟତକୁ ପ୍ରସ୍ତୁତ କରିବା ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେବା।

କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୩-୨୪ ନିଶ୍ଚିତ କରିଛି ଯେ ଅର୍ଥନୀତି ପୂର୍ବରୁ ହାସଲ କରିଥିବା ଅଭିବୃଦ୍ଧି ହ୍ରାସ ପାଇବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିଏମ ଶ୍ରୀ ଯୋଜନାରେ ଓଡ଼ିଶାକୁ ଆସିବ ୮୦୦ଟି ସ୍କୁଲ ଏବଂ ମିଳିବ ୧୬୦୦ କୋଟି: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ଆୟୋଜିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ସହ ରାଜ୍ୟ ସରକାର ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧି ମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଦେଶରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ପାଞ୍ଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡିକ ମଜଭୂତ୍ କରିବା ପାଇଁ ଏହି ଅର୍ଥ ଦିଆଯାଉଛି। କିନ୍ତୁ ରାଜ୍ୟ ସରକାର କନଭରଜେନ୍ସ ନାଁରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି। ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଆସିବ ଏବଂ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି। ତେଣୁ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

ତୃତୀୟତଃ ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତଥ୍ୟରୁ ଜଣାପଡିଛି । ଏନଏଫଏଚଏସ ସର୍ଭେ ଅନୁଯାୟୀ, ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ  ୩୧% ଶିଶୁ ପୁଷ୍ଟିହୀନର ଶୀକାର ଅଛନ୍ତି। ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ। ୧୩ ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଓ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ନଦେଲେ ଓଡିଶା ସମୃଦ୍ଧଶାଳୀ ହେବ ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ୍ କ୍ରିୟାନ୍ୱୟନର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାବ୍ୟତିତ ଜିଲ୍ଲା ସ୍ତରରେ ସ୍କିଲ୍ ମ୍ୟାପିଂ କରିବାରେ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ଦେଶ ସ୍ୱାଧୀନତା ପର ଠାରୁ ଏବେ ୮୦ ପ୍ରତିଶତ ସାକ୍ଷର ଓ ୨୦ ପ୍ରତିଶତ ନିରକ୍ଷଣ ଅଛନ୍ତି। ଏହି ସମୟରେ ରାଜ୍ୟର ପଞ୍ଚାୟତ ସ୍ତରରେ ଥିବା ନିରକ୍ଷରଙ୍କୁ ସାକ୍ଷରତା କରିବା ପାଇଁ ପଡିବ। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ପୂରଣ ହୋଇପାରିବ। ଓଡ଼ିଶାରେ ସ୍କୁଲରେ ପଢୁଥିବା ପିଲା ମାନଙ୍କ ସଂଖ୍ୟା ଶତପ୍ରତିଶତ। ମାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଛାତ୍ରଛାତ୍ରୀଙ୍କ ନାମଲେଖା ବଢାଇବା ତଥା ଡ୍ରପ ଆଉଟ କମାଇବା ପାଇଁ ଦାୟିତ୍ୱ ନେବାକୁ ହେବ। ଅନୁରୂପ ଭାବରେ ଛାତ୍ରଛାତ୍ରୀମାନେ କେବଳ ସ୍କୁଲ ଗଲେ ହେବ ନାହିଁ ବରଂ ପଞ୍ଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ଦେଖିବା ଦିଗରେ ପଞ୍ଚାୟତ ସ୍ତରର ନେତୃତ୍ୱମାନେ ଅନୁଧ୍ୟାନ କରିବା ପାଇଁ ଅଭିଭାବକର ଦାୟିତ୍ୱ ନେବା ଦରକାର। ଚଳିତ କେନ୍ଦ୍ର ବଜେଟରେ ମିଶନ ଶକ୍ତିର ଭଉଣୀଙ୍କ ପାଇଁ କ୍ଲଷ୍ଟର ଯୋଜନା ହୋଇଛି। ରାଜ୍ୟ ସରକାର ଏଥିରେ ସହଯୋଗୀ ହେବା ତଥା ସେମାନଙ୍କୁ ଇ-ବଜାର ସହ ଯୋଡିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ମହିଳା ଓ ଶିଶୁଙ୍କ ସହ ଜଡିତ ଯୋଜନାରେ ମୋଦି ସରକାର ୧ ଲକ୍ଷ ୮୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୪୧, ୫୪୭ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫, ୪୩୩ କୋଟି, ସ୍ୱଚ୍ଛ ଭାରତ ଯୋଜନାରେ ୯,୨୬୨ କୋଟି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୪୮ କୋଟି, ମୁଦ୍ରା ଲୋନ ପାଇଁ ୩୧, ୦୦୦ କୋଟି, ଜନଧନ ଆକାଉଣ୍ଟର ହିତାଧିକାରୀଙ୍କୁ ୧,୨୫୮ କୋଟି, ପୋଷଣ ବା ଆଇସିଡିଏସ ଯୋଜନାରେ ୧୨,୯୨୦ କୋଟି, ଏନଆରଏଲଏମରେ ୧୩, ୪୦୦ କୋଟି, ପିଏମ ପୋଷଣରେ ୩,୯୯୫ କୋଟି, ବେଟି ବଚାଓ, ବେଟି ପଢାଓ ପାଇଁ ୩୭୫ କୋଟି, ସକ୍ଷମ ଅଙ୍ଗନବାଡିରେ ୭୫୪.୩୬ କୋଟି ସମେତ ଅନେକ ଯୋଜନାରେ ମୋଦି ସରକାରରେ ଲାଭାର୍ଥୀ ଶିଶୁ ଓ ମହିଳା ଅଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଭୂମି ପଞ୍ଚାୟତିରାଜ ସହ ଯୋଡି ହୋଇଅଛି। ଭାରତ ଗଣତନ୍ତ୍ରର ଜନନୀ। ମାତ୍ର ଏହି ଭୂମିରେ ହଜାର ବର୍ଷ ପୂର୍ବେ କଳିଙ୍ଗ ଯୁଦ୍ଧ ହୋଇଥିଲା। ସେ ସମୟରେ ଓଡ଼ିଆ ଲୋକଙ୍କର କେହି ରାଜା ନଥିଲେ ଅର୍ଥାତ୍ କଳିଙ୍ଗ ଯୁଦ୍ଧ ସମୟରୁ ହିଁ ଓଡ଼ିଶାରେ ଗଣତନ୍ତ୍ର ଓ ପଞ୍ଚାୟତିରାଜ ବ୍ୟବସ୍ଥା ବିଦ୍ୟମାନ। ଏହାବ୍ୟତିତ ମହିଳା ନେତୃତ୍ୱ ରାଜ୍ୟରେ ସ୍ୱଳ୍ପ ସମୟର ନୁହେଁ ବରଂ ଆମ ଓଡିଆ ପରମ୍ପରାରେ ପୂଜିତ ମା’ ମହାଲକ୍ଷ୍ମୀ ଏବଂ ସୁଭଦ୍ରା ଓଡ଼ିଆ ସଂସ୍କୃତି ଓ ନାରୀ ସଶକ୍ତିକରଣର ଉଦାହରଣ। ମାଆ ମହାଲକ୍ଷ୍ମୀ ସମାଜରେ ଛୁଆଁ ଅଛୁଆଁ ଭେଦଭାବକୁ ପରିସମାପ୍ତ କରିବାର ବାର୍ତ୍ତା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀବଳଭଦ୍ରଙ୍କ ସହ ଭଉଣୀ ମାଆ ସୁଭଦ୍ରା ବି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ, ନନ୍ଦିନୀ ଶତପଥୀ ଏବଂ କୁନ୍ତଳା କୁମାରୀ ସାବତଙ୍କ ଅବଦାନ ବି ଅତୁଳନୀୟ।

ଗ୍ରାମାଞ୍ଚଳରେ ୭୦% ରୁ ଅଧିକ ଭାଗ ଲୋକ ବାସ କରୁଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ। ଗାଁରେ ରାସ୍ତା, ପାନୀୟ ଜଳ, ଘର, ବ୍ୟାଙ୍କ ଖାତା, ରୋଜଗାର ସମେତ ମୌଳିକ ବ୍ୟବସ୍ଥା ସୁଦୃଢ଼ ହେଲେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ସଶକ୍ତ ହେବ। ଚଳିତ ବଜେଟରେ ମହିଳାଙ୍କୁ ଉଦ୍ୟମୀ କରିବା ପାଇଁ ଅନେକ ଯୋଜନା କରାଯାଇଛି। ଯେ ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିଲ୍ଲୀରେ ହେଉଥିବା ଯୋଜନା ନବୁଝିବ ସେ କେବଳ ଯୋଜନାରେ ସୀମିତ ରହିବ। ମହିଳା ଓ ଶିଶୁଙ୍କ ବିକାଶ ତେବେ ସମ୍ଭବ ଯେବେ ଗ୍ରାମର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଏହି ଅବସରରେ ପଞ୍ଚାୟତିରାଜ ଓ ମହିଳା ଏବଂ ଶିଶୁ ବିକାଶ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପୁସ୍ତକର ଉନ୍ମୋଚନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱରରେ ଉଦଘାଟିତ ହେବ ପଞ୍ଚାୟତରେ ଲୋକାଲାଇଜେସନ୍ ଉପରେ ଜାତୀୟ କର୍ମଶାଳା 

ଭୁବନେଶ୍ବର: ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାର, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ (ଏସଆରଆରଡି ଏବଂ ପିଆର), ଓଡ଼ିଶାର ସହଯୋଗରେ ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ର ବିଷୟଗତ ନୀତି ଗ୍ରହଣ କରି ଗ୍ରାମ ପଞ୍ଚାୟତରେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲର ଲୋକାଲାଇଜେସନ ଉପରେ ଜାତୀୟ କର୍ମଶାଳାକୁ ଭୁବନେଶ୍ବର ଠାରେ 17-19 ଫେବୃୟାରୀ 2023 ମଧ୍ୟରେ ଆୟୋଜନ କରୁଛନ୍ତି। ଏହି ତିନି ଦିନିଆ କର୍ମଶାଳାର ଉଦଘାଟନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ ଯୋଗଦେବେ। ପଞ୍ଚାୟତ ରାଜ ଓ ପାନୀୟ ଜଳ, ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଡ଼ିଶା ସରକାର ଏବଂ ବାସନ୍ତୀ ହେମ୍ବ୍ରମ୍, ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟୀତ୍ବ), ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଏହି ଜାତୀୟ କର୍ମଶାଳାକୁ ସୁନୀଲ କୁମାର, ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଡା. ଚନ୍ଦ୍ର ଶେଖର କୁମାର, ଅତିରିକ୍ତ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଆଲୋକ ପ୍ରେମ ନାଗର, ଯୁଗ୍ମ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ସୁଶୀଲ କୁମାର ଲୋହାନୀ, ପ୍ରମୁଖ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଶୁଭ ଶର୍ମା, କମିଶନର-ତଥା-ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା, ଅଶ୍ବଥୀ ଏସ୍, କମିଶନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା, ଗୁହା ପୁନମ୍ ତାପସ କୁମାର, ସିଇଓ, ଓରମାସ, ସୁରେନ୍ଦ୍ର କୁମାର ମୀନା, ନିର୍ଦ୍ଦେଶକ, ଏସଆରଆରଡି ଏବଂ ପିଆର, ଓଡିଶା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସ୍ଥାନୀୟ ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯିବ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘ / ଆନ୍ତର୍ଜାତୀୟ ଏଜେନ୍ସିର ପ୍ରତିନିଧୀ ତଥା ପଞ୍ଚାୟତ ରାଜ ଅନୁଷ୍ଠାନର ପ୍ରାୟ 1400 ନିର୍ବାଚିତ ପ୍ରତିନିଧୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

‘ପଞ୍ଚାୟତରେ ଏସଡିଜି ଲୋକାଲାଇଜେସନ୍ ଉପରେ ଓଡ଼ିଶା ରାଜ୍ୟ ରୋଡମ୍ୟାପ୍’ – ଜାତୀୟ କର୍ମଶାଳାର ଉଦଘାଟନୀ ଅଧିବେଶନରେ ଓଡିଶା ରାଜ୍ୟ ଦ୍ୱାରା ଏଲଏସଡିଜି ଉପରେ ରାଜ୍ୟ ରୋଡମ୍ୟାପ୍ ପ୍ରକାଶ ପାଇବ। “ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତିକରଣ: ପଞ୍ଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ସୁଯୋଗ ସୃଷ୍ଟି” ଉପରେ ଏକ କଫି ଟେବୁଲ୍ ପୁସ୍ତକ ବ୍ୟତୀତ ଥିମ୍ 3 ଏବଂ ଥିମ୍ 9 (ଶିଶୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ) ଉପରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରକାଶ ପାଇବ। ପିଆରଆଇ ର ନିର୍ବାଚିତ ପ୍ରତିନିଧୀଙ୍କ ପାଇଁ ସ୍ଥାୟୀ ଆଇଡି କାର୍ଡ ମଧ୍ୟ ଡିଜିଟାଲ୍ ଭାବରେ ପ୍ରକାଶ ପାଇବ।

ଦେଶ ତଥା ଓଡିଶା ରାଜ୍ୟରୁ ପଞ୍ଚାୟତିରାଜ ଅନୁଷ୍ଠାନର ମନୋନୀତ ପ୍ରତିନିଧୀ ତଥା କର୍ମକର୍ତ୍ତାମାନେ ଜାତୀୟ କର୍ମଶାଳାରେ ଯୋଗଦେବେ। ବିଷୟବସ୍ତୁ କ୍ଷେତ୍ରରେ ପଦକ୍ଷେପ ନେଇଥିବା ପଞ୍ଚାୟତକୁ କର୍ମଶାଳାରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି। ଜାତୀୟ କର୍ମଶାଳାରେ ପ୍ରାୟ 1400 ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି।

ଅଂଶଗ୍ରହଣକାରୀମାନେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତା, ପ୍ରମୁଖ ହିତାଧିକାରୀ, ଡୋମେନ୍ ବିଶେଷଜ୍ଞ ଏବଂ ଏଜେନ୍ସିମାନଙ୍କୁ ନେଇ ମହିଳା ଏବଂ ଶିଶୁଙ୍କ ସଶକ୍ତିକରଣ ତଥା ସୁରକ୍ଷା ପାଇଁ ଆଦର୍ଶ କାର୍ଯ୍ୟ କରୁଥିବା ଏବଂ ସେମାନଙ୍କର ଉତ୍ତମ ବିକାଶ ନିଶ୍ଚିତ କରିବେ। ଏହି ଆଲୋଚନାଚକ୍ରରେ ସମସ୍ତ ରାଜ୍ୟ/ୟୁଟି ର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ଅନ୍ୟାନ୍ୟ ଲାଇନ ବିଭାଗ, ଏନଆଇଆରଡି ଆଣ୍ଡ ପିଆର,  ଏସଆଇଆରଡି ଆଣ୍ଡ ପିଆର, ପଞ୍ଚାୟତିରାଜ ତାଲିମ ପ୍ରତିଷ୍ଠାନ, ୟୁଏନ ଏଜେନ୍ସି, ଏନଜିଓ, ଏସଏସଜି ପ୍ରତିନିଧୀମାନେ ମଧ୍ୟ ଅଂଶଗ୍ରହଣ କରିବେ। ବିଭିନ୍ନ ରାଜ୍ୟ/ୟୁଟି ରୁ ମନୋନୀତ ଗ୍ରାମ ପଞ୍ଚାୟତ ଏବଂ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ବୈଷୟିକ ଅଧିବେଶନ / ପ୍ୟାନେଲ ଆଲୋଚନା ସମୟରେ 3 ରୁ 4 ମିନିଟର ଭିଡିଓ ଚଳଚ୍ଚିତ୍ର ଉପସ୍ଥାପନା ମାଧ୍ୟମରେ ପ୍ରାସଙ୍ଗିକ ବିଷୟବସ୍ତୁ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ପ୍ରଦାନ କରିବେ।

34 ଟି ରାଜ୍ୟ / ୟୁଟି ଏହି ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରୁଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନର ମନୋନୀତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତା, ବିଡିଏ, ଲାଇନ ବିଭାଗର ରାଜ୍ୟ ଅଧିକାରୀ, ଜାତିସଂଘ ଏଜେନ୍ସିମାନେ ମଧ୍ୟ ଏଥିରେ ଯୋଗଦେବେ। ଗ୍ରାମ ପଞ୍ଚାୟତଗୁଡିକ, ଯେଉଁମାନେ ବିଭିନ୍ନ ସମ୍ମିଳିତ କାର୍ଯ୍ୟ ମାଧ୍ୟମରେ ଶିଶୁ ଅନୁକୁଳ ଏବଂ ମହିଳା ଅନୁକୁଳ ଗ୍ରାମ ହାସଲ କରିବାରେ ଉଳ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନଙ୍କ ଅଭିଜ୍ଞତା ଏବଂ ଅଭିନବ ମଡେଲ, କୌଶଳ, ଆଭିମୁଖ୍ୟ ଇତ୍ୟାଦିକୁ ଉପସ୍ଥାପିତ କରିବେ।

ଥିମ୍ 3 ଏବଂ 9 ରେ ସଙ୍କଳ୍ପ ଚୟନ କରିଥିବା ଗ୍ରାମ ପଞ୍ଚାୟତଗୁଡିକ ଥିମର ସମ୍ପୃକ୍ତ ଦିଗ ଉପରେ ସେମାନଙ୍କର କାହାଣୀ ବିଷୟରେ ଉପସ୍ଥାପନ କରିବା ପାଇଁ କର୍ମଶାଳାରେ ଅଂଶଗ୍ରହଣ କରିବେ। ପଞ୍ଚାୟତର ପ୍ରତିନିଧୀମାନେ ଅନ୍ୟ ଗ୍ରାମପଞ୍ଚାୟତ ଦ୍ବାରା ଗ୍ରହଣ କରାଯାଇଥିବା ତଥା କାର୍ଯ୍ୟକାରୀ ହୋଇଥିବା ଉତ୍ତମ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବାକୁ ପାଇବେ।  ଶିକ୍ଷାର ଆଦାନପ୍ରଦାନ ପାଇଁ ଏକ ସୁଯୋଗ ଯୋଗାଇବା ପାଇଁ କର୍ମଶାଳା/ ପ୍ରୋଗ୍ରାମର 3ୟ ଦିନରେ କ୍ଷେତ୍ର ପରିଦର୍ଶନ ଆୟୋଜିତ ହେବ।

କର୍ମଶାଳାର ମୂଳ ଉଦ୍ଦେଶ୍ୟ ହେଉଛି ଦକ୍ଷତା ବିକାଶ ଏବଂ ତାଲିମ ପ୍ରସଙ୍ଗରେ ଆଦର୍ଶ କୌଶଳ, ଆଭିମୁଖ୍ୟ, ସମ୍ମିଳିତ କାର୍ଯ୍ୟ ଏବଂ ଅଭିନବ ମଡେଲଗୁଡିକ ପ୍ରଦର୍ଶିତ କରିବା; ଏହା ସହିତ ସର୍ବୋତ୍ତମ ଅଭ୍ୟାସ; ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ଏସଡିଜି ଗୁଡ଼ିକର ଥିମଗୁଡିକର ମନିଟରିଂ ଢାଞ୍ଚା, ପ୍ରୋତ୍ସାହନ ଏବଂ ପ୍ରତିଫଳନ ଆଦିର ସର୍ବୋତ୍ତମ ଅଭ୍ୟାସକୁ ଉପସ୍ଥାପିତ କରାଯିବ।

ତୃଣମୂଳ ସ୍ତରରେ ଲେନ୍ସ ଥିମେଟିକ୍ ଆଭିମୁଖ୍ୟ ମାଧ୍ୟମରେ ଏଲଏସଡିଜି ଗୁଡ଼ିକର ପ୍ରକ୍ରିୟାକୁ ଅନୁଷ୍ଠାନିକ କରିବା ପାଇଁ ଭୁବନେଶ୍ୱର କର୍ମଶାଳା ବିଭିନ୍ନ ମଡେଲରେ ପଞ୍ଚାୟତର ସାଥୀ ଶିକ୍ଷା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

ତିନି ଦିନ ମଧ୍ୟରେ ନିମ୍ନଲିଖିତ ଲକ୍ଷ୍ୟ ହାସଲ କରିବାକୁ ଜାତୀୟ କର୍ମଶାଳା ଚେଷ୍ଟା କରିବ :

ଅନ୍ୟ ରାଜ୍ୟମାନଙ୍କ ସହିତ ଭାବ ବିନିମୟ ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରି ଗ୍ରାମ ପଞ୍ଚାୟତ ପାଇଁ ପିୟର-ଲର୍ଣ୍ଣିଂ ପାଇଁ ଏକ ସ୍ଥାନ ସୃଷ୍ଟି କରିବା

ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀ ତଥା ନୀତି ନିର୍ମାତା, ସିଭିଲ୍ ସୋସାଇଟି ସଂଗଠନ, ଏନଜିଓ, ଡୋମେନ୍ ଏକ୍ସପର୍ଟଙ୍କ ମଧ୍ୟରେ କଥାବାର୍ତ୍ତାକୁ ସୁଗମ କରିବା

ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ଉପରେ କାର୍ଯ୍ୟକାରୀ କୌଶଳକୁ ମଜବୁତ କରିବା

ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ଉପରେ ଅଭିନବ ଚିନ୍ତାଧାରାର ପ୍ରସାର ଏବଂ ବିଚାର ବିମର୍ଶ

ଜାତୀୟ କର୍ମଶାଳା ଗ୍ରାମପଞ୍ଚାୟତ ପାଇଁ ସୁଚିନ୍ତିତ କାର୍ଯ୍ୟ ଏବଂ ଅଭିଜ୍ଞତାମୂଳକ ଶିକ୍ଷା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହା ଅଂଶଗ୍ରହଣକାରୀ ଏବଂ ଅନୁସନ୍ଧାନକାରୀ ହେବ ଯାହା ତିନି ଥାକିଆ ପ୍ରକ୍ରିୟା ଗ୍ରହଣ କରିବ:

୧- ଭିଡିଓ ଉପସ୍ଥାପନା: ପଞ୍ଚାୟତ ଏବଂ ଡୋମେନ୍ ବିଶେଷଜ୍ଞମାନେ ଗତ କିଛି ବର୍ଷ ଧରି କରିଆସୁଥିବା ଆଦର୍ଶ କାର୍ଯ୍ୟରେ ପ୍ରସ୍ତୁତ ଭିଡିଓ ଦେଖାଇ ଉପସ୍ଥାପନା କରିବେ। ସେମାନେ ଗ୍ରହଣ କରିଥିବା ପ୍ରକ୍ରିୟା, ଏବଂ ସେମାନଙ୍କର ନିଜସ୍ୱ ଗ୍ରାମ ପଞ୍ଚାୟତ କିମ୍ବା ହସ୍ତକ୍ଷେପ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପ୍ରଭାବ ପ୍ରଦର୍ଶନ କରିବେ।

୨- ଗୋଷ୍ଠୀ / ପ୍ୟାନେଲ୍ ଆଲୋଚନା: ପଞ୍ଚାୟତ ପ୍ରତିନିଧୀ, ଡୋମେନ୍ ବିଶେଷଜ୍ଞ, ଏନଜିଓ ସହିତ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ପ୍ୟାନେଲ୍ ଗଠନ କରାଯାଇଛି ଯାହାକି ଭାରତ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ ଉପସ୍ଥାପନାକୁ ଆଧାର କରି ପ୍ୟାନେଲରେ ବରିଷ୍ଠ ଅଧିକାରୀଙ୍କ ସୁବିଧା ପାଇଁ ଭିଡିଓରେ ଦେଖାଯାଇଥିବା ବିଷୟ ଉପରେ ଆଲୋଚନା କରାଯିବ। ଅଂଶଗ୍ରହଣକାରୀଙ୍କ ପ୍ରତିନିଧୀ ପ୍ରଶ୍ନଗୁଡିକ ଗ୍ରାମ ପଞ୍ଚାୟତ ଏବଂ ବିଶେଷଜ୍ଞମାନଙ୍କ ଦ୍ବାରା ନିଆଯିବ ଏବଂ ସମାଧାନ କରାଯିବ।

୩- କ୍ଷେତ୍ର ପରିଦର୍ଶନ: କର୍ମଶାଳା ସ୍ଥଳର ଚାରୋଟି ବିଷୟରେ କେବଳ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବ ନାହିଁ ବରଂ ଏହା ଅନ୍ୟ ରାଜ୍ୟରୁ ଅଂଶଗ୍ରହଣକାରୀଙ୍କୁ ଓଡ଼ିଶାର ଗ୍ରାମ ପଞ୍ଚାୟତକୁ ନେଇ ଓଡିଶାରେ ଗ୍ରାମ ପଞ୍ଚାୟତ ଦ୍ବାରା କରାଯାଇଥିବା କାର୍ଯ୍ୟ ପ୍ରଦର୍ଶନ କରାଯିବ। ରାଜ୍ୟ ପ୍ରତିନିଧୀମାନେ ନିର୍ଦ୍ଧାରିତ ଗ୍ରାମ ପଞ୍ଚାୟତକୁ ଯାତ୍ରା କରିବେ ଏବଂ କରାଯାଇଥିବା କାର୍ଯ୍ୟ ଏବଂ ଏହାର ପ୍ରଭାବ ଉପରେ ସେମାନଙ୍କର ଅଭିଜ୍ଞତା ହାସଲ କରିବେ। ଏହା ଅଂଶଗ୍ରହଣକାରୀମାନଙ୍କୁ ଓଡିଶାରେ ଗ୍ରହଣ କରାଯାଇଥିବା ଗ୍ରାମ ପଞ୍ଚାୟତ ପ୍ରକ୍ରିୟା ବୁଝିବାରେ ସାହାଯ୍ୟ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡିଶା ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ତଥା ରାଜ୍ୟ ପଞ୍ଚାୟତିରାଜ (ଏସଆଇଆରଡି ଏବଂ ପିଆର), ଓଡିଶା, ଭାରତ ସରକାରଙ୍କ ସହିତ କ୍ଷେତ୍ର ପରିଦର୍ଶନକୁ ସମନ୍ୱିତ ତଥା ସୁବିଧା କରାଯିବ।

ପୃଷ୍ଠଭୂମି:

ମିଳିତ ଜାତିସଂଘ ଦ୍ବାରା ଗ୍ରହଣ କରାଯାଇଥିବା ସ୍ଥାୟୀ ବିକାଶ ଲକ୍ଷ୍ୟ ଜାନୁୟାରୀ 1, 2016 ଠାରୁ ଲାଗୁ ହୋଇଛି। ପଞ୍ଚାୟତ ରାଜ ମନ୍ତ୍ରଣାଳୟ, ଭାରତ ସରକାର ଏସଡିଜି ଗୁଡ଼ିକ ଉପରେ ଥିମେଟିକ୍ ଆଭିମୁଖ୍ୟ ଗ୍ରହଣ କରିଛନ୍ତି – ‘ବିଶ୍ୱ ଯୋଜନା’ହାସଲ କରିବା ପାଇଁ ‘ସ୍ଥାନୀୟ କାର୍ଯ୍ୟ’ ଉପରେ ଗୁରୁତ୍ବ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହି ପଦ୍ଧତିଟି ପିଆରଆଇ ମାଧ୍ୟମରେ ଗ୍ରାମାଞ୍ଚଳରେ ଏଡିଜି ଗୁଡ଼ିକୁ ଲୋକାଲାଇଜ୍ କରିବାକୁ ଲକ୍ଷ୍ୟ ରଖିଛି, ବିଶେଷକରି ଗ୍ରାମ ପଞ୍ଚାୟତଗୁଡିକ 17 ଟି ଲକ୍ଷ୍ୟକୁ ‘9 ଥିମ୍’ ରେ ଏକତ୍ରିତ କରିଛି। ଉପଯୁକ୍ତ ନୀତିଗତ ନିଷ୍ପତ୍ତି ଏବଂ ସଂଶୋଧନ ପରେ ରାଷ୍ଟ୍ରିୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଗାଇଡଲାଇନର ନବୀକରଣ ହୋଇଛି ଯାହା ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି) ର ଲୋକାଲାଇଜେସନ୍ ପ୍ରକ୍ରିୟାକୁ ସୁଗମ କରିଥାଏ।

ପଞ୍ଚାୟତରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କାର୍ଯ୍ୟସୂଚୀ ଅନୁଯାୟୀ, ପଞ୍ଚାୟତ ରାଜ ମନ୍ତ୍ରଣାଳୟ, ଭାରତ ସରକାର ପଞ୍ଚାୟତରେ ପରିପୂର୍ଣ୍ଣ ହେବାକୁ ଥିବା ନଅଟି ଥିମ୍ ଉପରେ ଆଧାର କରି ସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି) ର ଲୋକାଲାଇଜେସନ୍ ଉପରେ ଏକ ଥିମେଟିକ୍ କର୍ମଶାଳା / ସମ୍ମିଳନୀ ଆୟୋଜନ କରୁଛନ୍ତି। ବିଭିନ୍ନ ସ୍ଥାନରେ ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆରଆଇ) ରାଜ୍ୟ/ ୟୁଟି ପଞ୍ଚାୟତି ରାଜ ବିଭାଗ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତିରାଜ (ଏସଆଇଆରଡି ଆଣ୍ଡ ପିଆର), ଲାଇନ୍ ମନ୍ତ୍ରଣାଳୟ/ ବିଭାଗ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ର ମିଳିତ ସହଯୋଗରେ ଏହାକୁ କରାଯିବ। ଏଲଏସଡିଜିର ସଫଳ କାର୍ଯ୍ୟକାରୀ ସେତେବେଳେ କରାଯାଇପାରିବ ଯେତେବେଳେ ଏହି ବିଷୟକୁ ଉପଯୁକ୍ତ ଭାବରେ ବୁଝା ଯାଇଥିବ ଓ ଏଥିରେ ତ୍ରିସ୍ତରୀୟ ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆରଆଇ) ଦ୍ବାରା କାର୍ଯ୍ୟକାରୀ କରାଯିବ।

ଏଲଏସଡିଜି ଥିମ୍ 3 ର ଲକ୍ଷ୍ୟ – ଶିଶୁ ଅନୁକୂଳ ଗ୍ରାମ ହେଉଛି ସମସ୍ତ ଶିଶୁ ବଞ୍ଚିବା, ବିକାଶ, ଅଂଶଗ୍ରହଣ ଏବଂ ସୁରକ୍ଷା ପାଇଁ ସେମାନଙ୍କର ଅଧିକାର ଉପଭୋଗ କରିବାକୁ ସକ୍ଷମ ହେବା ନିଶ୍ଚିତ କରିବା। ଗ୍ରାମ ପଞ୍ଚାୟତଗୁଡିକ ସମସ୍ତ ଶିଶୁଙ୍କୁ ନିରାପଦ, ସୁରକ୍ଷିତ ଏବଂ ସ୍ବଚ୍ଛ ପରିବେଶ ଯୋଗାଇବା ଆବଶ୍ୟକ କରନ୍ତି ଯେଉଁଠାରେ ପ୍ରତ୍ୟେକ ଶିଶୁ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ତଥା ସୁରକ୍ଷିତ ପରିବେଶ ଦୃଷ୍ଟିରୁ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରି ପ୍ରତ୍ୟେକ ଶିଶୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ବିକାଶ କରିପାରିବେ।

ଏଲଏସଡିଜି ଥିମ୍ 9 ର ଲକ୍ଷ୍ୟ – ମହିଳା ଅନୁକୂଳ ଗ୍ରାମ ହେଉଛି ଲିଙ୍ଗଗତ ସମାନତା ହାସଲ କରିବା, ସମାନ ସୁଯୋଗ, ସମାନ ଅଧିକାର, ସଶକ୍ତିକରଣ ସୁଯୋଗ ଏବଂ ମହିଳାଙ୍କ କଲ୍ୟାଣ ପାଇଁ ସୁରକ୍ଷିତ ତଥା ନିରାପଦ ପରିବେଶ। ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ଏହି ଉପଯୁକ୍ତ ସୁବିଧା ବ୍ୟତୀତ, ଏହା ଅପରାଧକୁ ହ୍ରାସ କରିବା, ନିରାପଦ ଜନସାଧାରଣ ତଥା ବେସରକାରୀ କ୍ଷେତ୍ରକୁ ସୁନିଶ୍ଚିତ କରିବା, ନିରନ୍ତର ବିକାଶ ପାଇଁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ମହିଳାମାନଙ୍କ ପାଇଁ ସମାନ ଦରମା ଇତ୍ୟାଦି ପ୍ରଦାନ ଉପରେ ଲକ୍ଷ୍ୟ ରଖିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୬ରେ ଭୁବନେଶ୍ୱର ଠାରେ ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ ଷ୍ଟାର୍ସର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା

ଭୁବନେଶ୍ୱର: ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଆସନ୍ତା ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଠାରେ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)  କାର୍ଯ୍ୟକ୍ରମର ଏକ ଦୁଇଦିନିଆ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବମାନେ ଏହି ବୈଠକରେ ଯୋଗଦେବେ। ଏହାସହ କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ରାଜ୍ୟ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଓ ଏନସିଇଆରଟିର ଅଧିକାରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ମୋଟ ଦୁଇ ଦିନିଆ ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟର ସ୍କୁଲ ଶିକ୍ଷାର ଅଗ୍ରଗତି ଉପରେ ଚର୍ଚ୍ଚା ଆଲୋଚନା ହେବ। ସ୍କୁଲ ଶିକ୍ଷା ନେଇ ଥିବା ରାଜ୍ୟ ଗୁଡିକର ବାର୍ଷିକ ଯୋଜନା, ବଜେଟ୍, ସମଗ୍ର ଶିକ୍ଷା ଉପରେ ଚର୍ଚ୍ଚା ସହ ରାଜ୍ୟ ଗୁଡିକ ଠାରୁ ବିଭିନ୍ନ ପରାମର୍ଶ ନିଆଯିବ। ଭୁବନେଶ୍ୱରରେ ଏଭଳି ବୈଠକ ପ୍ରଥମ ଥର ପାଇଁ ହେବାକୁ ଯାଉଛି, ଯାହା ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି।

ଉଲ୍ଲେଖନୀୟ ଯେ, ଷ୍ଟାର୍ସ ପ୍ରକଳ୍ପକୁ କ୍ରିୟାନ୍ୱୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୦୨୦ରେ କ୍ୟାବନେଟରେ ଅନୁମୋଦନ ଦେଇଥିଲେ। ଏହି ପ୍ରକଳ୍ପ ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଉତ୍ତମ ଉନ୍ନତ ଶିକ୍ଷା ପରିଣାମ ଓ ସ୍କୁଲ ଦ୍ୱାରା ପ୍ରସ୍ତୁତ ରଣନୀତି ସହ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକ୍ରମ ବିକଶିତ କରିବା ସହ ତାହାକୁ ଲାଗୁ କରିବା, ଆକଳନ କରିବା ଓ ସଂସ୍କାର ଆଣିବା ପାଇଁ ରାଜ୍ୟ ଗୁଡିକୁ ସହାୟତା କରିବ। ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ହାସଲ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଯୋଜନା ଗୁଡିକ ଯୋଡ଼ି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମଧ୍ୟରେ ପିଆରଏସ ଡାଟା ଆଧାର ଭୁବନେଶ୍ୱରରୁ କାର୍ଯ୍ୟାରମ୍ଭ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ (ECoR) ର ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) ଡାଟା ବେସ୍ ଆଜି (8 ଫେବୃଆରୀ 2023) ଠାରୁ ଭୁବନେଶ୍ୱରରୁ କାର୍ଯ୍ୟ ଆରମ୍ଭ କରିଛି। ପୂର୍ବ ତଟ ରେଳପଥ ବର୍ତ୍ତମାନ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ୍ ଗୁଡିକ ପାଇଁ ସମସ୍ତ ପ୍ରକାର ଯାତ୍ରୀ ସଂରକ୍ଷଣ କାର୍ଯ୍ୟକଳାପ ପରିଚାଳନା ପାଇଁ ଆତ୍ମ ନିର୍ଭରଶୀଳ ଏବଂ ଅନ୍ୟ ରେଳ/କେନ୍ଦ୍ର ଗୁଡିକ ଉପରେ ନିର୍ଭର କରିବ ନାହିଁ।

ଏହା ମଧ୍ୟ ପୂର୍ବ ତଟ ରେଳପଥକୁ ଆତ୍ମନିର୍ଭରଶୀଳ କରିବ ଏବଂ ଟ୍ରେନର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେଉ କିମ୍ବା ନୂତନ ଟ୍ରେନର ପ୍ରାରମ୍ଭିକ ଚଳାଚଳ ପାଇଁ ସଂରକ୍ଷଣ କ୍ଷେତ୍ରରେ ପରିଚାଳନାଗତ କାର୍ଯ୍ୟକଳାପକୁ ନିଜେ ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ ଏବଂ ପୂର୍ବର ଯୋଗାଯୋଗ ଜନିତ ସମସ୍ୟା ଗୁଡିକ ଠାରୁ ଭ୍ରାନ୍ତି ପାଇବ।

ଭୁବନେଶ୍ୱରରେ 1 ଏପ୍ରିଲ 2003 ଠାରୁ ମୁଖ୍ୟାଳୟ ସହିତ ପୂର୍ବ ତଟ ରେଳପଥ ଗଠନ ହେବା ପରଠାରୁ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ସମସ୍ତ ଟ୍ରେନର ତଥ୍ୟ ସଂରଚନା କାର୍ଯ୍ୟକଳାପ କୋଲକାତାରେ ପୂର୍ବ ରେଳପଥ ଡାଟାବେସ୍ ସହିତ କାର୍ଯ୍ୟକାରୀ କରୁଥିଲା।

ପୂର୍ବ ରେଳପଥରୁ ପୂର୍ବ ତଟ ରେଳପଥକୁ ଡାଟାବେସର ବିକେନ୍ଦ୍ରୀକରଣର ଶକ୍ତି ପ୍ରଥମେ ରେଳ ବୋର୍ଡ ଦ୍ୱାରା 2014 ମସିହାରେ ପ୍ରଦାନ କରାଯାଇଥିଲା କିନ୍ତୁ ବୈଷୟିକ ସମସ୍ୟା ହେତୁ ଏହା ରୂପ ନେଇ ପାରିନଥିଲା। ପରେ ପୂର୍ବ ରେଳପଥରୁ ପିଆରଏସ ଡାଟାବେସର ବିକେନ୍ଦ୍ରୀକରଣ ପାଇଁ ରେଳ ବୋର୍ଡ ନୂତନ ଅନୁମୋଦନ ପ୍ରଦାନ କରିଛି।

ସେହି ଅନୁଯାୟୀ, ସମସ୍ତ ଟ୍ରେନ୍ ଗୁଡିକର ତଥ୍ୟ ସଂରଚନା କାର୍ଯ୍ୟକଳାପ ପରିଚାଳନା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହ ଭୁବନେଶ୍ୱରର ରେଳ ସଦନ ଠାରେ ଥିବା ମୁଖ୍ୟାଳୟରେ ପୂର୍ବତଟ ରେଳପଥ ନିଜର ଡାଟାବେସ୍ ସେଣ୍ଟର ଆରମ୍ଭ କରିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭୁବନେଶ୍ୱର ଠାରେ ପିଆରଏସ ଡାଟାବେସ କାର୍ଯ୍ୟକାରୀ କରାଇବାରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯାତ୍ରୀ ସୁବିଧା ଏବଂ ଟ୍ରେନ୍ ଚଳାଚଳ ସହିତ ସେ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସହଭାଗୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ଓ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।

ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।

ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରର ପାହଳରେ ଆରମ୍ଭ ହେଲା ‘ଖୁସି କ୍ୟାପେଲା’ ଆପାର୍ଟମେଣ୍ଟର ବୁକିଂ

ଭୁବନେଶ୍ୱର: ଭୁବନେଶ୍ୱରର ପାହାଳ ନିକଟରେ ତିଆରି ଚାଲିଛି ନୂତନ ଭାବରେ ପରିକଳ୍ପିତ ଏବଂ ଅତି ସୁନ୍ଦର ଭାବରେ ନିର୍ମିତ ଚମତ୍କାର ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ‘ଖୁସି କ୍ୟାପେଲା’। ଆସନ୍ତା ୩ ଫେବୃଆରୀ ଠାରୁ ସାଧାରଣ ଜନତାଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଖୁସି କ୍ୟାପେଲା’ର ବୁକିଂ ଆରମ୍ଭ ହେବାକୁ ଯାଉଛି। ଗୁଣାତ୍ମକ ଓ ସମସ୍ତ ଆଧୁନିକ ସୁବିଧା ସହିତ ସହର ଅତିନିକଟରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ଖୁସି କ୍ୟାପେଲା’ ଚାହିଦା ବଜାରରେ ବହୁତ ରହିଛି। ଏହି ଅବସରରେ ଖୁସି କାପେଲାର ଆଧୁନିକ ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟନ ହୋଇଥିଲା। ଏଥିସହ ଭରଚୁଆଲ ଓ୍ବାକଥୃ ଓ ମିନିଏଚର ପ୍ରୋଜେକ୍ଟ ମଡେଲସ ଓ ଥ୍ରିଡି ଇନଷ୍ଟଲେସନ ମଧ୍ୟ ଲୋକାର୍ପଣ ହୋଇଥିଲା।

‘ଖୁସି କ୍ୟାପେଲା’ର ବିଶେଷ୍ୟତ:

– ୨ ଟାୱାର ରେ ୨୪୨ ଆପାର୍ଟମେଣ୍ଟ (60638.67 ବର୍ଗ ମିଟର)

– ବାସ୍ତୁ ଉପଯୋଗୀ ସବୁଠାରୁ ଉତ୍ତମ ଆପାର୍ଟମେଣ୍ଟ

– ୨୪୨ ପରିବାର ପାଇଁ ୩୦ରୁ ଅଧିକ ଅତ୍ୟାଧୁନିକ ସୁବିଧା

– IGBC ଗୋଲ୍ଡ ଗ୍ରୀନ ସାର୍ଟିଫିକେଟ୍ ସହ

– ୬୦% ନିର୍ମାଣ ବିହୀନ ସ୍ଥାନ

– ସର୍ବନିମ୍ନ ଦୁଇ ପାର୍ଶ୍ୱ ଖୋଲା ଆପାର୍ଟମେଣ୍ଟ

– ଅତ୍ୟାଧୁନିକ ସଜ୍ଜିତ ଭୋଜି ହଲ୍, ଆଧୁନିକ ଜିମ୍, ଅତ୍ୟାଧୁନିକ ସୁଇମିଂ ପୁଲ୍

– ପିଲାମାନଙ୍କ ପାଇଁ ଇନଡୋର ଏବଂ ଆଉଟଡୋର ପ୍ଲେ ଏରିଆ, ସୁଇମିଂ ପୁଲ୍

– ସମସ୍ତ ଟାୱାର ପାଇଁ ଉତ୍ସର୍ଗୀକୃତ ଆଗମନ ଲବି

– ହାଇ ଲାଇଫ୍ ଷ୍ଟାଇଲ୍ କ୍ଲବ୍, ଲ୍ୟାଣ୍ଡସ୍କେପ୍ ବଗିଚା

– ସମସ୍ତ ବୟସ ବର୍ଗଙ୍କ ପାଇଁ ତିଆରି ଏହି ପ୍ରକଳ୍ପ

ଆପାର୍ଟମେଣ୍ଟର ନିକଟରେ ଅଛି ଓଡ଼ିଶା ବହୁ ସୁନାମଧନ୍ୟ ବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ ଓ ମଲ୍। ବୟୋଜେଷ୍ଠ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରକଳ୍ପକୁ ଅତ୍ୟନ୍ତ ଯତ୍ନର ସହ ତିଆରି କରାଯାଇଛି, ଯେପରି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଖୁସି କ୍ୟାପେଲା’ର ପ୍ରମୁଖ ବିଶେଷ୍ୟତ ଏହିକିଯେ ଏହାର ଏକ୍ସପିରିଏନ୍ସ ସେଣ୍ଟର୍ ଭୁନେଶ୍ବରର ସବୁଠାରୁ ଅତ୍ୟାଧୁନିକ ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ମଧ୍ୟରେ ଏକମାତ୍ର ପ୍ରକଳ୍ପ। ସମସ୍ତ ବିଳାସପୂର୍ଣ୍ଣ ଓ ଅତ୍ୟାଧୁନିକ ସେବା ସହ ଏହି ଏକ୍ସପିରିଏନ୍ସେ ସେଣ୍ଟର୍ ଆପଣଙ୍କ ପାଇଁ ଏକ ବିଶ୍ୱସନୀୟ ସ୍ବପ୍ନର ଘର ସହ ମିଳିବ ଯାହା କେବଳ ଖୁସି ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଆପଣମାନଙ୍କ ପାଇଁ ତିଆରି କରିଛି।

ଖୁସି ରିଅଲକନ୍ ର ନିର୍ଦ୍ଦେଶକ ଗୌରବ ଅଗ୍ରୱାଲ, କହିଛନ୍ତି ଯେ ଆମର ଏହି ସମ୍ମାନଜନକ ପ୍ରକଳ୍ପ ପାଇଁ ବୁକିଂ ଆରମ୍ଭ ହେବାକୁ ଯାଉଥିବାରୁ ଆମେମାନେ ବହୁତ ଉତ୍ସାହିତ। ଉତ୍କୃଷ୍ଟ ସୁବିଧା ସୁଯୋଗ, ୟୁନିଟ୍ ଲେଆଉଟ୍, ସ୍ବିମିଂ ପୁଲ୍‌, ସ୍ପା, ଜିମ୍ ଓ କାଫେଟାରିଆ ଆଦି ସୁବିଧା ସହ ସମସ୍ତ ଘରକୁ ଉତ୍ତମ ସୂର୍ଯାଲୋକ, ପବନ ଓ ପ୍ରକଳ୍ପର ଉପସ୍ଥିତି ‘ଖୁସି କ୍ୟାପେଲା’ର ପ୍ରମୁଖ ବିଶେଷ୍ୟତ। ୨୪୨ ପରିବାର ପାଇଁ ଏହି ପ୍ରକଳ୍ପ ବହୁତ ଭଲ କାରଣ ଏହା ଅତ୍ୟନ୍ତ ଛୋଟ କି ଅତ୍ୟନ୍ତ ବଡ଼ ନୁହେଁ।

ଖୁସି ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଏହାର ଗ୍ରାହକମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଗତ ଦଶନ୍ଧି ର ସମସ୍ତ ଶିଳ୍ପ-ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ପୁରସ୍କୃତ। ଗୌରବ ଅଗ୍ରୱାଲ, ସଞ୍ଜୟ ବନସାଲ୍ ଏବଂ ପ୍ରଦୀପ ଠକର ହେଉଛନ୍ତି ଖୁସୀ ରିଅଲକନ୍ ର ମୂଳ ପ୍ରତିଷ୍ଠତା ଯାହାର ଲୁହା ଏବଂ ଇସ୍ପାତ, ନିର୍ମାଣ ଏବଂ ଖଣି ଶିଳ୍ପରେ ପୃଷ୍ଠଭୂମି ରହିଛି। ଖୁସି ରିଅଲକନ୍ ନିରନ୍ତର ଭାବରେ ତାର ଗ୍ରାହକମାନଙ୍କୁ ଉତ୍ତମ ସେବା ସହ ଉନ୍ନତ ମନର ଘର ଯୋଗାଇଆସିଛି ଏବଂ ଆଗକୁ ମଧ୍ୟ ଜାରିରଖିବ ବୋଲି ଏହାର ପ୍ରତିନିଧି ମାନେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ଭୁବନେଶ୍ୱର ସ୍ଥିତ ଦୂରଦର୍ଶନ କେନ୍ଦ୍ର, ନେସନାଲ ଏକାଡେମୀ ଅଫ୍‍ ବ୍ରଡକାଷ୍ଟିଂ ଆଣ୍ଡ ମଲ୍ଟିମିଡିଆ, ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ କମ୍ୟୁନିକେସନ୍  ପରିଦର୍ଶନ କରିବା ସହିତ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

ଏହା ପରେ ସଚିବ କଟକ ସ୍ଥିତ ଆକାଶବାଣୀ କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ଦୂରଦର୍ଶନ, ଏନଏବିଏମ୍‍ ଏବଂ ଆକାଶବାଣୀ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ସ୍ୱାଧୀନତା ସଂଗ୍ରାମ ସମୟର ଯୁବବର୍ଗଙ୍କ ଭଳି ସୈନିକ ଭାବରେ କାମ କରନ୍ତୁ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବିତରଣ କରିବା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି। ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ବିକଶିତ କରିବା ପାଇଁ ଆହ୍ୱାନ କରିଛନ୍ତି। ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ହୋଇଥିବା ଯୁବକ ଯୁବତୀମାନେ ଅମୃତ କାଳରେ ସୈନିକ ଭାବରେ କାମ କରନ୍ତୁ। ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ସେ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ ଆଜିର ନବନିଯୁକ୍ତ ଯୁବପିଢିଙ୍କ କାନ୍ଧରେ ନ୍ୟସ୍ତ ରହିଛି। ଯେତେବେଳେ ଆମେ ନିଜର ଦାୟିତ୍ୱ ନେବା ସେତେବେଳେ ତା’ର ଗୁରୁତ୍ୱ ଓ ଭୂମିକା ବୁଝିପାରିବା। କେବଳ ଚାକିରି କରିବା ମନବୃତ୍ତିରେ ନ ରହି ଯୁବପିଢିମାନେ ଉଦ୍ୟମୀ ହୁଅନ୍ତୁ। ସମାଜରେ ଓ୍ୱଲେଥ୍ କ୍ରିଏସନ କରିବା ପାଇଁ ହେବ। ଏଥିପାଇଁ ମହତ୍ୱକାଂକ୍ଷା ବଡ ହେଉ, ମହତ ଉଦ୍ଦେଶ୍ୟରେ ହେଉ। ସମାଜରେ ସମ୍ପନ୍ନ ଆଣିବା ପାଇଁ ଆମକୁ କାଟାଲିଷ୍ଟ ହେବାକୁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢିଙ୍କ ରୋଜଗାର, ସ୍ୱରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି। ପ୍ରଥମେ ସ୍ୱଦେଶୀ ୫ଜି ପରେ ଏବେ ଆଇଆଇଟି ମାଡ୍ରାସ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ‘BharOS’ ପ୍ରସ୍ତୁତ କରିଛି। ଏହା ହେଉଛି ଆମ ଯୁବକ ମାନଙ୍କର ନବସୃଜନର ପରାକାଷ୍ଠା। ଆଗାମୀ ଦିନରେ ବିଶ୍ୱ ବଜାରରେ ଆମର ଉତ୍ପାଦକୁ ବିକ୍ରି କରିବାର ଦିନ ଆଉ ବେଶୀ ଦୂର ନୁହେଁ। ଆଜି ଭାରତ ସରକାର ପିଏଲଆଇ ମାଧ୍ୟମରେ ଯୁବପିଢିଙ୍କ ରୋଜଗାର ଓ ସ୍ୱରୋଜଗାର କ୍ଷେତ୍ରକୁ ସଶକ୍ତ କରୁଛନ୍ତି। ଏକବିଂଶ ଶତାବ୍ଦୀକୁ ଦୃଷ୍ଟିରେ ରଖି ଢାଞ୍ଚା ତିଆରି ହେଉଛି। ଓଡ଼ିଶାର କୃଷି ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚାଇବାର ଯୋଜନା ହେଉଛି। ଓଡ଼ିଶା ଭଳି ରାଜ୍ୟରେ ବିମାନସେବା ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି। ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୦୦ କିମିରୁ ଉର୍ଦ୍ଧ୍ୱ ୮ ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ୍ ତିଆରି କରାଯାଉଛି। ଓଡ଼ିଆ ଯୁବକଙ୍କର ବୌଦ୍ଧିକ କ୍ଷମତା କାରଣରୁ ବୈଶ୍ୱିକ କମ୍ପାନୀ ଗୁଡିକ ଓଡ଼ିଶା ମୁହାଁ ହେଉଛନ୍ତି।

ବିକଶିତ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଅନେକ ପ୍ରତିକୂଳ ସ୍ଥିତିରେ ଥାଇ ସତ୍ତ୍ୱେ ଭାରତର ଅଭିବୃଦ୍ଧି ୬ ରୁ ୭ ପ୍ରତିଶତରେ  ପହଞ୍ଚିଛି। ଟିକସରେ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି। ଭାରତର ଲୋକମାନେ ଟ୍ୟାକ୍ସ ଦେବା ପାଇଁ ଉତ୍ସାହିତ ଅଛନ୍ତି। ଭାରତ ଯୁବଶକ୍ତିଙ୍କ କାନ୍ଧରେ ଭରସା ରଖି ଅଗ୍ରସର ହେଉଛି। ପୂର୍ବରୁ ଆମେ କଲ୍ ସେଣ୍ଟରର କଳ୍ପନାକୁ ବୁଝିପାରୁଥିଲେ। ମାତ୍ର ଏବେ ଭାରତରେ ରହି ଆମ ଯୁବକ ମାନେ ଇଣ୍ଟରନେଟ୍ ମାଧ୍ୟମରେ ଆମେରିକାରେ ହୋଟେଲ ଶିଳ୍ପର କାମ କରିପାରିବାର ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ଚଳିତବର୍ଷ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛନ୍ତି। ଆଜି ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ରୋଜଗାର ମେଳା ମାଧ୍ୟମରେ ରେଳ ବିଭାଗ ସହ ଆସାମ ରିଫାଇଲ୍ସ, ଇନକମ ଟ୍ୟାକ୍ସ, ଷ୍ଟାଟିଟିକ୍ସ, ଆଇଆଇଟି ଭୁବନେଶ୍ୱର, ଇପିଏଫଓ, ଭାରତୀୟ ଡାକ, ନାଲକୋ, ଇଏସଆଇସି,ବିଏସଏଫ, ସେଲ୍, ଏସଏଲବିସି, ଏବଂ ଜିଏସଟି ଓ ଇନଡାରେକ୍ଟ ଟାକ୍ସ ବିଭାଗରେ ୧୨୮ ଜଣ ନିଯୁକ୍ତି ପାଇଛନ୍ତି। ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରୋଜଗାର ମେଳା: ନିଯୁକ୍ତିପତ୍ର ବାଣ୍ଟିବେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି। ଆସନ୍ତାକାଲି, ୨୦ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିବେ। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡରେ କାମ କରୁଛନ୍ତି।