Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ: ଦିଲ୍ଲୀ ଚଲୋ ଅଭିଯାନ ଡ଼ାକରା

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ପାଇକ ରେଜିମେଣ୍ଟ ଗଠନ ଆଦି ଦାବି ନେଇ ଭୁବନେଶ୍ୱରରେ ବିଶାଳ ପାଇକ ଆଖଡ଼ା ଜନଗଜର୍ନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଇକ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି, ରଣ କୁହାଟ ଦେଇ ରାମ ମନ୍ଦିର ଛକ ଅତିକ୍ରମ କରି ପ୍ରଦର୍ଶନୀ ପଡ଼ିଆରେ ପହଞ୍ôଚଥିଲା। ସେଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏହି ସମାବେଶରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧା ମାଟିରୁ । ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ।

ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶରେ ଆସି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ନିଜର ମନ୍ତବ୍ୟ ରଖିଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ ଅସ୍ୱୀକାର କରାଯିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାଭିମାନ ପ୍ରତି ଏହା ଏକ ବିଶେଷ କୁଠାରଘାତ।

ସେମାନେ ଦାବି କରିଛନ୍ତି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ ଓ ଆସାମ ରେଜିମେଣ୍ଟ ପରି ଯଥାଶୀଘ୍ର ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ କରାଯାଉ। ଯାହାଦ୍ୱାରା ଓଡ଼ିଶା ଯୁବକମାନଙ୍କର ବେକାରୀ ସମସ୍ୟାର ସମାଧାନ ହେବା ସହ ସେମାନେ ଦେଶମାତୃକାର ସେବା ପାଇଁ ସୈନ୍ୟବାହିନୀରେ ଯୋଗ ଦେଇପାରିବେ,ଏହା ଆମର ହକ୍ ଦାବି। ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି, ପର୍ଯ୍ୟାୟକ୍ରମେ ଏହିଭଳି ଆନ୍ଦୋଳନ ଆଗାମୀ ଦିନରେ ଭୟଙ୍କର ଭାବେ କରାଯିବ ବୋଲି ସେମାନେ ଦୃଢ ଚେତାବନୀ ଦେଇଛନ୍ତି। ପ୍ରୟୋଜନ ହେଲେ ଏହି ଦାବି ପୂରଣ ପାଇଁ ଦିଲ୍ଲୀର ରାମଲୀଳା ମୈଦାନ, ଲାଲକିଲ୍ଲା ଆଦିରେ ହଜାର ହଜାର ପାଇକ ଯାଇ ବିପ୍ଲବ କରିବା ସହିତ ସମସ୍ତ ଐତିହାସିକ ତଥ୍ୟ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

ଏଥିରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ, ଏହିସବୁ ଦାବି ସହ ରାଜ୍ୟ ସରକାର ଯଥାଶୀଘ୍ର ବରୁଣେଇ ଠାରେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦିଅନ୍ତୁ। ଯାହାଦ୍ୱାରା ଯଥାଶୀଘ୍ର ପାଇକ ସ୍ମୃତି ସ୍କାରକୀ ନିର୍ମାଣ ହୋଇପାରିବ।

ଏହି ସମାବେଶ ପାଇଁ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଆସିଥିଲେ ବିଶିଷ୍ଟ ସଂଗଠକ ଓ ଗୀତିକାର ବଦ୍ରୀନାରାୟଣ ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସଂଯୋଜକ ଡଃ ଅଶୋକ ସୁନ୍ଦରାୟ, ଗଣେଶ ସାମନ୍ତ, ରାମାକାନ୍ତ ମହାପାତ୍ର, ବିଶ୍ୱଭୂଷଣ ଛୋଟରାୟ, ଅବନିକାନ୍ତ ଜେନା, ପଦ୍ମଚରଣ ରାୟ ତଥା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ବହୁ ଦଳବେହେରା, ଦଳେଇ, ପାଇକ ଆଖଡ଼ା ଗୁରୁ ଓ ହଜାର ହଜାର ପାଇକ ଆଖଡ଼ା ଦଳ ଯୋଗଦାନ କରି ଏହିସବୁ ଦାବି ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ।

ପ୍ରାରମ୍ଭରେ ଏହି ସମାବେଶ ପାଇଁ ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ପୂଜାର୍ଚ୍ଚନା ପରେ ବାହାରିଥିବା ବେଳେ ଖୋର୍ଦ୍ଧା ନାଗରିକ ମଞ୍ଚର ଶହ ଶହ ମହିଳା ଏଥିରେ ଯୋଗଦାନ କରି ଏହି ସମାବେଶ ପ୍ରତି ନିଜର ସମର୍ଥନ ମଧ୍ୟ ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

ଭୁବନେଶ୍ୱର: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଓଡ଼ିଶାର ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ କରିଥିଲେ। ସେହି ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ସିକ୍ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ଖୋର୍ଦ୍ଧାର ପାଇକମାନଙ୍କର ଆରାଧ୍ୟ ଦେବୀ ବରୁଣେଇଠାରୁ ଏକ ବିରାଟ ପାଇକ ଆଖଡ଼ା ଜନଗର୍ଜନ ଶୋଭାଯାତ୍ରା ବାହାରି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦିବା ୧୦ ଘଟିକା ସମୟରେ ପହଞ୍ଚିବ।

ଏହି ସମାବେଶରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ପାଇକ ଆଖଡ଼ା ଦଳ, ବୁଦ୍ଧିଜୀବୀ, ଐତିହାସିକ ଓ ସ୍ୱାଭିମାନୀ ଓଡ଼ିଶାବାସୀ ଯୋଗଦାନ କରିବେ। ଏହି ଜନଗର୍ଜନ ସମାବେଶ ଦିବା ୧୦ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବ ଓ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ କେଶରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ଓ ଡଃ ଅଶୋକ ସୁନ୍ଦରାୟ ଉପସ୍ଥିତ ଥିଲେ। ଏହି ସମାବେଶରେ ଓଡ଼ିଶାର ସ୍ୱାଭିମାନ ଓ ବୀରତ୍ୱପୂର୍ଣ୍ଣ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ଏଥି ସହିତ ଯେଉଁ ପାଇକ ଆଖଡ଼ା ଦଳ ଓ ସ୍ୱାଭିମାନୀ ଓଡ଼ିଶାର ଭାଇଭଉଣୀମାନେ ଯୋଗଦାନ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଫୋନ୍ ନମ୍ବର ୬୩୭୧୫୦୧୧୨୬ ସହ ଯୋଗାଯୋଗ କଲେ ପାଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ର ଦୁଇଦିନିଆ ଜିଲ୍ଲା ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ ଜିଲ୍ଲାର ଜିଲ୍ଲା ସମ୍ମିଳନୀ ହୋଟେଲ ଏକ୍ସଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ଯାହାକି ପୃଥିବୀର ବୃହତମ ଏନ.ଜି.ଓ. ଭାବରେ ମାନ୍ୟତା ପାଇଛି, ତାହା ସାରା ପୃଥିବୀରେ ୨୧୦ ଦେଶରେ ୧୫ ଲକ୍ଷ ସଦସ୍ୟ ଅଛନ୍ତି। ଭାରତବର୍ଷରେ ଲାୟନ୍ସ କ୍ଲବରେ ସବୁଠାରୁ ଅଧିକ ସଦସ୍ୟ ଓ କ୍ଲବ ରହିଛନ୍ତି। ଓଡ଼ିଶାରେ ଲାୟନ୍ସ କ୍ଲବର ୩ଟି ଲାୟନ୍ସ ଜିଲ୍ଲା ଅଛି। ତାହା ମଧ୍ୟରୁ ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା) ଓ ଦକ୍ଷିଣର ୯ଟି ଜିଲ୍ଲା ନେଇ ୩୨୨ ସି୪ ଜିଲ୍ଲାର ଦୁଇଦିନିଆ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ମଣିପୁରମ ଗୋଲ୍‌ଡ଼ର ମୁଖ୍ୟ ଲାୟନ ଭି.ପି. ନନ୍ଦକୁମାର ଯିଏକି ଭାରତବର୍ଷରୁ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଅଛନ୍ତି, ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଓ ଏମ୍‌ସ ଭୁବନେଶ୍ୱର ର ପୂର୍ବତନ ନିର୍ଦ୍ଦେଶକ ଡ଼କ୍ଟର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ମୁଖ୍ୟ ହେଉଛନ୍ତି ଜିଲ୍ଲା ୩୨୨ସି୪ର ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ।

ଏହି ସମ୍ମିଳନୀରେ ଭୁବନେଶ୍ୱର, ବ୍ରହ୍ମପୁର ଭଳି ବଡ଼ ବଡ଼ ସହରର ୪୫ କ୍ଲବର ସଦସ୍ୟମାନେ ଭାଗ ନେଇଛନ୍ତି। ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଓଡ଼ିଶାରେ ଓ ଭାରତବର୍ଷରେ ଲାୟନ୍ସ କ୍ଲବ ମାନଙ୍କ ଉତ୍ତୋରତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ଆଲୋଚନା ହେବ ଓ ଲାୟନ୍ସ କ୍ଲବରେ ବିଭିନ୍ନ ବିଭାଗରେ ଭଲ କାମ କରୁଥିବା ସଦସ୍ୟମାନଙ୍କୁ ପୁରସ୍କୃତ କରାଯିବ।

ଏହି ସମ୍ମିଳନୀରେ କ୍ୟାବିନେଟ ସମ୍ପାଦକ ଲାୟନ ବିଜୟ କୁମାର ସାହୁ, ଅତିଥି କମିଟିର ଚେୟାରମ୍ୟାନ ଡ଼କ୍ଟର ସୁରେଶ ସାହୁ ତଥା ଅନ୍ୟ ଲାୟନ୍ସ କ୍ଲବର ନେତୃବର୍ଗ ଉପସ୍ଥିତ ଥିଲେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଏମ୍ସରେ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ, ଶ୍ରବଣ ଶକ୍ତି ଫେରିପାଇବା ନେଇ ତାଲିମ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଇଏନଟିରେ ଅନୁବୁତି ଚାରିଟେବୁଲ ଟ୍ରଷ୍ଟ ଫାଉଣ୍ଡେସନ ଏବଂ କୋକ୍ଲିୟର କ୍ରୁଜ୍ ସହଯୋଗରେ ଷଷ୍ଠ ଆନ୍ତର୍ଜାତୀୟ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଭାରତ ତଥା ବିଦେଶର ଡାକ୍ତରମାନଙ୍କୁ କୋକ୍ଲିୟର ପ୍ରତିରୋପଣ ସର୍ଜରୀର ତାଲିମ ଦିଆଯାଇଛି। ଏହି ସର୍ଜରୀ ଦ୍ୱାରା ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଯେଉଁମାନେ ଶ୍ରବଣ ଶକ୍ତି ହରାଇଛନ୍ତି ସେମାନେ ପୁନର୍ବାର ସେମାନଙ୍କର ଶ୍ରବଣଶକ୍ତି ଫେରିପାଆନ୍ତି। ଭୁବନେଶ୍ୱର ଏମ୍ସର ଇଏନଟି ବିଭାଗ ଏହି କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଛି ଓ ଅନେକ କୁନିପିଲା ଓ ବୟସ୍କଙ୍କୁ ଶ୍ରବଣଶକ୍ତି ଉପହାର ଦେଇଛି।

ଏହି ଅବସରରେ ‘ନୀରବତାର ଶବ୍ଦ: ବଧିରତା ବିରୋଧରେ ଲଢ଼ନ୍ତୁ’ ଶୀର୍ଷକରେ ମେ ଫେୟାର ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାସହ କୋକ୍ଲିୟର ପ୍ରତ୍ୟାରୋପଣ ସମ୍ପର୍କିତ ଏକ ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଥିଲା।

ତେବେ ଏହି କୋକ୍ଲିୟର ଚିକିତ୍ସା ଦ୍ୱାରା ଶ୍ରବଣଶକ୍ତି ଫେରି ପାଇଥିବା ଶିଶୁମାନେ ଏବେ ସାଧାରଣ ଶିଶୁମାନଙ୍କ ଭଳି ବିଦ୍ୟାଳୟକୁ ଯାଉଛନ୍ତି ଏବଂ ଗୀତ, ବକ୍ତୃତା ଆଦି ପ୍ରଦାନ କରି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେହପରି ସ୍ୱାସ୍ଥ୍ୟସେବାରେ ଉତ୍କୃଷ୍ଟତା ଦେଖାଇଥିବା ଦେଶ ବିଦେଶର ଡାକ୍ତରମାନେ ମଧ୍ୟ ସମ୍ମାନିତ ହୋଇଥିଲେ। ଏହି ଅବସରରେ ଗରୀବ ଓ ଅଭାବୀ ରୋଗୀଙ୍କୁ ମାଗଣା ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଭିନେତା ତଥା ସମାଜସେବୀ ସବ୍ୟସାଚ୍ଚୀ ମିଶ୍ର ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ।

ଭୁବନେଶ୍ୱର ପାଠ୍ୟକ୍ରମ ସଂଯୋଜକ ଡ. ସି ପ୍ରିତମ, ଜୟପୁରର ଡ. ମୋହନିଶ ଗ୍ରୋଭର ଏବଂ ବିକାନିରର ଡ. ଗୌରବ ଗୁପ୍ତା ପ୍ରମୁଖ ଏହି ଚିକତ୍ସା ଉପରେ ଆଲୋକପାତ କରିଥିବା ବେଳେ ଭାରତରେ ଶ୍ରବଣଶକ୍ତି ହ୍ରାସ ପାଇବା ପ୍ରାୟ ୬.୩ ପ୍ରତିଶତ ବୋଲି କହିଥିଲେ। ତେବେ ଜନ୍ମ ହୋଇଥିବା ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ମାତ୍ର ୪ ଜଣ କୋକ୍ଲିୟର ପ୍ରତ୍ୟାରୋପଣ ଆବଶ୍ୟକ କରନ୍ତି ବୋଲି ବରିଷ୍ଠ ଚିକିତ୍ସକମାନେ ମତ ପ୍ରକାଶ କରିଥିଲେ। ତେବେ ଓଡିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ପାଠ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକା ଗସ୍ତ କଲେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି: ଦେଖିଲେ ନୌସେନାର ସମରାଭ୍ୟାସ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ଗସ୍ତରେ ଆସି ଭୁବନେଶ୍ୱର ଫେରି ଯାଇଛନ୍ତି ଓଡ଼ିଶାର ବହୁ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି। ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ସକାଳୁ ବିଧାନସଭାରୁ ସମସ୍ତେ ଚିଲିକା ଅଭିମୁଖେ ବାହାରିଥିଲେ। ପୂର୍ବାହ୍ନରେ ବଡ଼କୁଳ ପାନ୍ଥନିବାସ ପହଞ୍ଚିବା କ୍ଷଣି ସେଠାରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଓ ଆଇଏନଏସ ଚିଲିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହାପରେ ଆଇଏନଏସ ଚିଲିକାର ସ୍ୱତନ୍ତ୍ର ବୋଟରେ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାଇଥିଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ। ଦର୍ଶନ ସାରି ଆଇଏନଏସ ଚିଲିକା ବେସ କ୍ୟାମ୍ପରେ ପହଞ୍ଚିଥିଲେ ସମସ୍ତେ। ନୌସେନା ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୌସେନାରେ ତାଲିମରତ ପ୍ରଶିକ୍ଷାର୍ଥୀଙ୍କ ସହ ସାକ୍ଷାତ କରିଥିଲେ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି। ପ୍ରଶିକ୍ଷାର୍ଥୀଙ୍କ ସମରାଭ୍ୟାସ ଦେଖିବା ପରେ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ଅତିଥିଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ବିଦାୟ ଦିଆଯାଇଥିଲା।

ସନ୍ଧ୍ୟାରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି ଭୁବନେଶ୍ୱର ଫେରିଯାଇଛନ୍ତି। ତେବେ ସେମାନଙ୍କ ଗସ୍ତ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସପି ସୁରେଶ କୁମାର ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ବହୁ ସରକାରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୧୦ଟି ଜଳଛତ୍ର ଉଦ୍‌ଘାଟିତ

ଭୁବନେଶ୍ୱର: ସମ୍ପ୍ରତି କ୍ରମାଗତଭାବେ ବୃକ୍ଷଛେଦନ ଫଳରେ ରାଜ୍ୟରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପ୍ରବଳ ରୁଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ପାଣି ମୁନ୍ଦିଏ ପିଇବା ପାଇଁ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ରାଜଧାନୀ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ବଜରଙ୍ଗ ଭେଣ୍ଡିଂଜୋନ, ମୈତ୍ରୀବିହାରସ୍ଥିତ ନୀଳକଣ୍ଠେଶ୍ୱର ବଜାର କମିଟି, ୟୁନିଟ୍‌-୩ସ୍ଥିତ ମା’ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ, ସହିଦ ନଗରସ୍ଥିତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘ, ସତ୍‌ସଙ୍ଗ ବିହାରସ୍ଥିତ ସ୍ୱସ୍ତିକ ସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ, ସିଆରପିଏଫ୍‌ଛକସ୍ଥିତ ଶ୍ରୀ ଲୋକନାଥ ଭେଣ୍ଡିଂଜୋନ ସମେତ ୧୦ଟି ସ୍ଥାନରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି।

ବରିଷ୍ଠ କର୍ପୋରେଟର ଅମରେଶ ଜେନା ଓ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଫିତା କାଟି ଜଳଛତ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୬ ନମ୍ବର ୱାର୍ଡ଼ର କର୍ପୋରେଟର ଅଚ୍ୟୁତାନନ୍ଦ ସ୍ୱାଇଁ, ୪୦ ନମ୍ବର ୱାର୍ଡ଼ର କର୍ପୋରେଟର ଆସିଆ ବେଗମ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ବିପିନ ବିହାରୀ ଜେନା, ନିରଞ୍ଜନ ପାଣ୍ଡେ, ଗୀତା ବିଶ୍ୱାସ, ସୁରେଶ ପଟ୍ଟନାୟକ, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ପଣା, ଲେମ୍ବ ସରବତ, ଓଆରଏସ୍‌, ଗ୍ଲୁକୋନ-ଡ଼ି ବଣ୍ଟନ କରିବା ସହିତ ଲୋକମାନଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ  ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ପୂର୍ବାଞ୍ଚଳ କ୍ଷେତ୍ରର ୫ଟି ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀ ଅବସରରେ କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ଭାଇ କହିଥିଲେ ଯେ, ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ମାନବ ଓ ସାମାଜିକ ପୁଞ୍ଜି ନିର୍ମାଣ କରିବାର ଆବଶ୍ୟକତା ରହିଛି ଯାହାକି ଉନ୍ନତ ପୋଷଣ, ଲିଙ୍ଗଗତ ସମାନତା, ଉପଯୁକ୍ତ ଶିକ୍ଷା ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଅଧିକାରର ସ୍ତମ୍ଭ ଉପରେ ଆଧାରିତ ହେବା ଉଚିତ୍‌। ସେ କହିଥିଲେ ଯେ, ଦେଶର ଜନସଂଖ୍ୟାର ୬୯% ହେଉଛନ୍ତି ମହିଳା ଓ ଶିଶୁ। ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସରକାର ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ତିନୋଟି ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି – ମିଶନ ପୋଷଣ ଟୁ ପଏଣ୍ଟ ଜିରୋ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କର ପୁଷ୍ଟିସାଧନ ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଇଛି। ଦ୍ବିତୀୟତଃ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣ କରାଯାଉଛି ଏବଂ ତୃତୀୟରେ ମିଶନ ବାତ୍ସଲ୍ୟ ମାଧ୍ୟମରେ ଶିଶୁମାନଙ୍କର କଲ୍ୟାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ମହିଳା ଓ ଶିଶୁମାନଙ୍କ ପୋଷଣରେ ସୁଧାର ଆଣିବା ପାଇଁ ସବୁପିଢ଼ି ମଧ୍ୟରେ ସମୟୋଚିତ ହସ୍ତକ୍ଷେପର ଆବଶ୍ୟକତା ରହିଛି। ଡକ୍ଟର ମୁଞ୍ଜପାରା କହିଥିଲେ ଯେ ପୋଷଣ ଟୁ ପଏଣ୍ଟ ଜିରୋ ମାଧ୍ୟମରେ ଦୀର୍ଘସ୍ଥାୟୀ ସୁସ୍ଥତା, କଲ୍ୟାଣ ଏବଂ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ପୁଷ୍ଟିସାଧନ ସଚେତନତା ଏବଂ ଉତ୍ତମ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ସହଭାଗିତା ଏବଂ ଉତ୍ତରଦାୟିତ୍ୱ ଜରିଆରେ ଅଭ୍ୟାସଗତ ପରିବର୍ତ୍ତନ ଆଣିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ୧୧.୯୪ ଲକ୍ଷ ଅଭିବୃଦ୍ଧି ନିରୀକ୍ଷଣ ଉପକରଣ ବିତରଣ କରିଛୁ ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ୧୧ ଲକ୍ଷ ତିନି ହଜାର ସ୍ମାର୍ଟ ଫୋନ୍‌ ଯୋଗାଇ ଦିଆଯାଇଛି। ପ୍ରଶାସନିକ ସୁଧାର ଏବଂ ଅପପୁଷ୍ଟିର ଶିକାର ଶିଶୁଙ୍କୁ ଚିହ୍ନଟ ଓ ଚିକିତ୍ସା କରିବା ଲାଗି ଆମେ ପୋଷଣ ଟ୍ରାକର୍‌ କାର୍ଯ୍ୟକାରୀ କରିଛୁ। କେନ୍ଦ୍ର ମନ୍ତ୍ରୀ ଅନ୍ୟ ଦୁଇଟି ଯୋଜନା ବିଷୟରେ ସୂଚନା ଦେଇ କହିଥିଲେ ଯେ, ବର୍ତ୍ତମାନର ବୈଧାନିକ ସଂସ୍ଥାକୁ ସୁଦୃଢ଼ କରିବା ଏବଂ ଜରୁରିକାଳୀନ ପ୍ରସାର ସେବା ବିତରଣ ଜରିଆରେ ଅସହାୟ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମିଶନ ବାତ୍ସଲ୍ୟ ଯୋଜନା କାର୍ଯ୍ୟକାରୀ କରୁଛୁ। ମିଶନ ଶକ୍ତି ଅଧୀନରେ ମହିଳା-କୈନ୍ଦ୍ରିକ ବିକାଶ ପାଇଁ ସରକାରଙ୍କ ସଂକଳ୍ପକୁ ସାକାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, କୋଭିଡ ସଂକ୍ରାନ୍ତ ସବୁ କଟକଣା ଉଚ୍ଛେଦ କରାଯାଇଛି। ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ସମୟ ଆସିଛି। ଆଗାମୀ ଆର୍ଥିକ ବର୍ଷଗୁଡ଼ିକରେ ରାଜ୍ୟମାନେ କାର୍ଯ୍ୟକାରୀ ସଂସ୍ଥା ଭାବେ ଏସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ। ତେଣୁ ସେମାନଙ୍କୁ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରିବା ଲାଗି ଏହି ଜୋନ୍‌ସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି।

ଏହି ସମ୍ମିଳନୀରେ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ପଶ୍ଚିମବଙ୍ଗର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଡକ୍ଟର ଶଶି ପଞ୍ଜା ଅଂଶଗ୍ରହଣ କରିଥିଲେ। ମହିଳା ଓ ଶିଶୁମାନଙ୍କର କଲ୍ୟାଣ ପାଇଁ ଉଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ହସ୍ତକ୍ଷେପ ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ। କେନ୍ଦ୍ର ସରକାରଙ୍କ ତିନୋଟି ମିଶନର ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବା ନିମନ୍ତେ ଉଭୟ ଆଶ୍ବାସନା ଦେଇଥିଲେ।

ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଇନ୍ଦିବର ପାଣ୍ଡେ ଏହି ତିନୋଟି ନୂଆ ମିଶନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ବିବରଣୀ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅଧୀନରେ କେତେକ ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଛି। ଏହି ତିନୋଟି ମିଶନ ଜରିଆରେ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରାଯାଇ ପାରିବ ଏବଂ ରାଜ୍ୟଗୁଡ଼ିକ ଏଥିରେ ସକ୍ରିୟ ଭାଗିଦାର ରହିବେ।

ଏହି ଜୋନ୍‌ସ୍ତରୀୟ ସମ୍ମିଳନୀରେ ୫ଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଜରିଆରେ ମହିଳା ଓ ଶିଶୁମାନଙ୍କର ବିକାଶ ଓ ସଶକ୍ତିକରଣ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଫେଡେରେସନ୍‍ କପରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ଏଚ୍‍ପିସିର ଆଥଲେଟଙ୍କୁ ଏକାଧିକ ପଦକ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍‍ଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚ୍‍ପିସି)ର ଆଥଲେଟମାନେ ଗତ ସପ୍ତାହରେ କେରଳର କାଲିକଟଠାରେ ଅନୁଷ୍ଠିତ ଫେଡେରେସନ୍‍ କପ୍‍ରେ ସେମାନଙ୍କର ଅନନ୍ୟ ପ୍ରଗତିର ପ୍ରମାଣ ପୁନଃ ପ୍ରଦର୍ଶିତ କରିଛନ୍ତି। ଏଚ୍‍ପିସିର ତିନିଜଣ ଆଥଲେଟ- ଅମ୍ଲାନ ବୋରଗୋହେନ୍‍, ଜ୍ୟୋତି ୟାରାଜୀ ଏବଂ ସିଦ୍ଧାନ୍ତ ଥିଙ୍ଗାଲୟା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଅନ୍ୟଜଣେ ଆଥଲେଟ ମୌମିତା ମଣ୍ଡଳ ଏକ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି। ଏଚ୍‍ପିସିର ଅନ୍ୟ ବହୁ ଆଥ୍‍ଲେଟ ସେମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ପ୍ରଦର୍ଶନ କରିଥିବାବେଳେ ଆଉ କିଛି ଅଳ୍ପକେ ପଦକ ହାସଲରୁ ବଂଚିତ ହୋଇଛନ୍ତି, ଯାହା ହେଡ୍‍ କୋଚ୍‍ ଜେମ୍ସ ହିଲିଅର୍‍ଙ୍କୁ ତାଙ୍କର ଶିଷ୍ୟମାନଙ୍କୁ ନେଇ ଗର୍ବ ଅନୁଭବ କରିବାର ଯଥେଷ୍ଟ କାରଣ ଯୋଗାଇ ଦେଇଛି ଏବଂ ତାହାସହିତ ସେ ହାତଛଡା ହୋଇଥିବା ସୁଯୋଗକୁ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

“ମୁଁ ସନ୍ତୁଷ୍ଟ ବୋଲି କହିବା କଷ୍ଟକର, କାରଣ କୋଚ୍‍ ଭାବରେ ଜଣେ ଅଧିକ ଆଶା କରନ୍ତି,” ବୋଲି ହିଲିଅର୍‍ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, “ପ୍ରତିଯୋଗିତାରେ ଆମ ଆଥଲେଟମାନେ କେତେକ ଅନନ୍ୟ ବ୍ୟକ୍ତିଗତ ପ୍ରଦର୍ଶନ କରିଥିଲେ କିନ୍ତୁ ମୋଟାମୋଟି ଭାବରେ ଆମେ କେତେକ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିଦେଲୁ।”

ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ବୋରଗୋହେନ୍‍ ସ୍ପ୍ରିଣ୍ଟ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ୨୦.୬୩ ସେକେଣ୍ଡକୁ ଭାଙ୍ଗିବା ସହିତ ୨୦୦ ମିଟରକୁ ୨୦.୫୨ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ। ବୋର୍‍ଗୋହେନ୍‍ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବାବେଳେ ୟାରାଜୀ ୧୦୦ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସତ୍ତ୍ୱେ କାନ୍ଦି ପକାଇଥିଲେ। ତାଙ୍କର ସମୟ ୧୩.୦୯ ସେକେଣ୍ଡ ସମ୍ପ୍ରତି ରହିଥିବା ୧୩.୩୮ସେକେଣ୍ଡର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ ମଧ୍ୟ ତାଙ୍କୁ ଏହି ସମୟ ପ୍ରଦାନ ପାଇଁ ମନା କରାଯାଇଥିଲା, କାରଣ ପବନର ବେଗ (ଟେଲ୍‍ ୱିଣ୍ଡ୍‍) ଅନୁମୋଦିତ ସୀମାଠାରୁ ସାମାନ୍ୟ ଅଧିକ ରହିଥିଲା । ଅବଶ୍ୟ ଏହି ଧକ୍କା ସେହିସମୟରେ କିଛି ପରିମାଣରେ ଅବଦମିତ ହୋଇଥିଲା, ଯେତେବେଳେ ୟାରାଜୀଙ୍କ ତାଲିମ ସହଯୋଗୀ ମଣ୍ଡଳ ୧୩.୭୮ ସେକେଣ୍ଡ ସହିତ ରୌପ୍ୟ ପଦକ ହାସଲ କଲେ ଏବଂ ଏହା ଏଚ୍‍ପିସି ଆଥ୍‍ଲେଟମାନଙ୍କ ପାଇଁ ଉଲ୍ଲେଖନୀୟ ୧-୨ ସଫଳତା ଆଣିଦେଇଥିଲା।

“ଏହା ବାସ୍ତବିକ ଏକ ପ୍ରଭାବଶାଳୀ ପ୍ରଦର୍ଶନ ଥିଲା ଏବଂ କିଛି ସମୟରେ ଜ୍ୟୋତି ଆନୁଷ୍ଠାନିକ ଭାବରେ ଏହି ରେକର୍ଡକୁ ପୁନର୍ବାର ଭାଙ୍ଗିପାରିବେ,” ବୋଲି ହିଲିଅର୍‍ କହିଛନ୍ତି। ସେ କହିଛନ୍ତି ଯେ, “ଜ୍ୟୋତି ଆମମାନଙ୍କ ନିକଟକୁ ଗତବର୍ଷ ଜୁଲାଇରେ ଆସିଥିଲେ ଏବଂ ତାଙ୍କ ଭିତରେ ଆତ୍ମବିଶ୍ୱାସ ଖୁବ୍‍ ନିମ୍ନରେ ଥିଲା, ତାଙ୍କ ଶରୀରରେ ଆଘାତ ଲାଗିଥିଲା ଏବଂ ସେ ଅନ୍‍ଫିଟ୍‍ ସ୍ଥିତିରେ ଥିଲେ। କ୍ରମଶଃ ମୁଁ ତାଙ୍କ ଭିତରେ ଆତ୍ମବିଶ୍ୱାସ ଭରିଦେବା ଏବଂ ତାଙ୍କର ବେଗ, ସାମର୍ଥ୍ୟ ଏବଂ ତାଲିମରେ ନିରନ୍ତରତା ବଜାୟ ରଖିବା ପ୍ରୟାସ କରିଥିଲି ।”
୩୧ ବର୍ଷ ବୟସ୍କ ଥିଙ୍ଗାଲୟା ଜାତୀୟ ସର୍କିଟରେ ଅନ୍ୟତମ ଭେଟେରାନ୍‍ ହୋଇଥିବାବେଳେ ଅଢେଇ ବର୍ଷ ପରେ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରି ୧୧୦ ମିଟର ହର୍ଡଲ୍ସକୁ ୧୪.୦୮ ସେକେଣ୍ଡରେ ଅତିକ୍ରମ କରି ବିଜୟୀ ହୋଇଥିଲେ। ସେହି ବିଭାଗରେ ଗ୍ରେସିସନ୍‍ ଜୀଭା ବ୍ୟକ୍ତିଗତ ଶ୍ରେଷ୍ଠ ୧୪.୬୭ ସେକେଣ୍ଡ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। ମାତ୍ର ୧୯ ବର୍ଷ ବୟସ ହୋଇଥିବା ଗ୍ରେସିସନ୍‍ଙ୍କୁ ହିଲିଅର୍‍ ଭବିଷ୍ୟତର ଜଣେ ଉଜ୍ଜ୍ୱଳ ସମ୍ଭାବନା ଭାବରେ ଚିହ୍ନଟ କରିଛନ୍ତି।

ହାଇ ଜମ୍ପର୍‍ ସ୍ୱାଧୀନ ମାଝୀ ଗୋଇଠିରେ କ୍ଷତ କାରଣରୁ ଗତ ମାସରେ ତାଲିମକୁ ସୀମିତ କରିଥିବା ସତ୍ତ୍ୱେ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୦ ମିଟର ପ୍ରଦର୍ଶନ ସହିତ ପଞ୍ଚମ ସ୍ଥାନରେ ରହିଥିଲେ। ଏଚପିସିରେ ନୂଆକରି ଯୋଗଦେଇଥିବା ୩୦୦୦ ମିଟର ଷ୍ଟିପଲଚେଜର୍‍ ସୁସ୍ମିତା ଟିଗା ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧୧.୨୩.୧୦ ସହିତ ଚତୁର୍ଥ ସ୍ଥାନରେ ରହିଥିଲେ। କାଂସ୍ୟ ପଦକ ହାସଲ ଅଳ୍ପକେ ହାତଛଡା କରିଥିବା ଅନ୍ୟଜଣେ ଆଥଲେଟ ହେଉଛନ୍ତି ୪୦୦ ମିଡର ହର୍ଡଲ୍ସରେ ପ୍ରଜ୍ଞା ସାହୁ। ଲଙ୍ଗ ଜମ୍ପର୍‍ ସବିତା ଟପ୍ପୋ ଏବଂ ମନୀଷା ମେରେଲ ପଦକ ତାଲିକା ବାହାରେ ରହିଯାଇଥିଲେ, କାରଣ ଏହି ପ୍ରତଯୋଗିତା ସେମାନଙ୍କ ପାଇଁ ଶୀର୍ଷ ସ୍ତରରେ ଅନୁଭୂତି ଏବଂ ପ୍ରଦର୍ଶନ ସୁଯୋଗ ଯୋଗାଇବାକୁ ଉଦ୍ଦିଷ୍ଟ ଥିଲା।

“ଆମର ସମସ୍ତ ଚମତ୍କାର ପ୍ରଦର୍ଶନ ମଧ୍ୟରେ କୌଣସିଟି ସହଜ ସଫଳତା ଥିବା ମୁଁ ଲକ୍ଷ୍ୟ କରିନାହିଁ,” ବୋଲି ହିଲିଅର୍‍ କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ, “ପ୍ରତ୍ୟେକଟି ବିଷୟରେ ତାଲିମ ଦିଆଯାଇଥିଲା ଏବଂ ଅତ୍ୟନ୍ତ ନିଖୁଣ ଭାବରେ ଯୋଜନା କରାଯାଇଥିଲା। ଆମେ ବାସ୍ତବରେ ସମ୍ମିଳିତ ଭାବରେ ଏକ ମହାନ୍‍ ପ୍ରଦର୍ଶନକାରୀ ଟିମ୍‍ ସୃଷ୍ଟି କରିପାରିଛୁ। ମୋର କାମକୁ ସେମାନେ ସମସ୍ତେ ମୂଲ୍ୟଯୁକ୍ତ କରୁଛନ୍ତି ଏବଂ ସେମାନଙ୍କ ବ୍ୟତୀତ, ସେମାନଙ୍କର ବିଦ୍ୱତା ଏବଂ ସେମାନଙ୍କର ଶକ୍ତି ବ୍ୟତୀତ ମୁଁ ନିଶ୍ଚିତ ଯେ ଆମେ ଏଭଳି ସଫଳ ହୋଇପାରିନଥାନ୍ତୁ।”

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ରହଣି କରିବ ଚାରିଟି ଟ୍ରେନ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ନିୟମିତ ଟ୍ରେନ୍ ଗୁଡିକର ପୁନଚଳାଚଳ କରିବା ପରେ କେତେ ଗୁଡିଏ ଟ୍ରେନ ପାଇଁ ନିମ୍ନଲିଖିତ ଷ୍ଟେସନଗୁଡିକ ଠାରେ ଅତିରିକ୍ତ ରହଣି ପାଇଁ ସ୍ଥିର କରାଯାଇଅଛି।

କୋଭିଡ ୧୯ ମହାମାରୀ ସମୟରେ, ଏହି ଟ୍ରେନ୍ ଗୁଡିକର ଚଳାଚଳ କୋଭିଡ ନିୟମ ଆଧାରରେ ସୀମିତ ଷ୍ଟପେଜ୍ ସହିତ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରୁଥିଲା। ଅତିରିକ୍ତ ରହଣି ଯୋଗାଇବା ପାଇଁ ଟ୍ରେନ୍ ଗୁଡିକ ହେଉଛି ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ, ପୁରୀ-ଯୋଗ ନାଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ଧନବାଦ୍-ଆଲାପୁଜା-ଧନବାଦ୍ ଏକ୍ସପ୍ରେସ, ହାଓଡ଼ା-ଟିଟିଲାଗଡ-ହାଓଡ଼ା ଇସ୍ପାତ ଏକ୍ସପ୍ରେସ। ଏହା ବ୍ୟତୀତ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାରୋଟି ଟ୍ରେନ ରହଣି ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ, ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର।

ରେଙ୍ଗାଲୀ ଏବଂ ବାଗଡିହି ଷ୍ଟେସନ ଠାରେ ତପସ୍ୱିନୀ ଏକ୍ସପ୍ରେସ:

୧୮୪୫୧/୧୮୪୫୨ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ରେଙ୍ଗାଲି ଷ୍ଟେସନରେ ୭ ଏପ୍ରିଲ, ୨୦୨୨ ଠାରୁ ପରୀକ୍ଷାମୂଳକ ଭିତ୍ତିରେ ଛଅ ମାସ ପାଇଁ ରହଣି କରିବ। ହଟିଆରୁ ଏହି ଟ୍ରେନ୍ ରେଙ୍ଗାଲିରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚି ରାତ୍ରି ୯ଘ.୪୨ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ପୁରୀରୁ ଏହି ଟ୍ରେନ୍ ରେଙ୍ଗାଲିରେ ଭୋର ୦୪ଘ.୪୦ମି.ରେ ଘଣ୍ଟାରେ ପହଞ୍ଚି ୦୪ଘ.୪୨ମି.ହଟିଆ ଅଭିମୁଖେ ଯାତ୍ରା କରିବ।

ସେହିଭଳି, ହଟିଆ ଠାରୁ ଏହି ଟ୍ରେନ୍ ବାଗଡିହିରେ ରାତ୍ରି ୮ଘ.୨୯ମି.ରେ ପହଞ୍ଚି ରାତ୍ରି ୮ଘ.୩୦ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀ ଠାରୁ ରୁ ଏହି ଟ୍ରେନ୍ ବାଗଡିହରେ ଭୋର ୫ଘ.୪୬ମି.ରେ ପହଞ୍ଚି ଏବଂ ଭୋର ୫ଘ.୪୭ମି.ରେ ହଟିଆ ଅଭିମୁଖେ ଯାତ୍ରା କରିବ। ଏପ୍ରିଲ୍ ମାସ ୨ ତାରିଖ ଠାରୁ ଏହି ଟ୍ରେନ ପରୀକ୍ଷାମୂଳକ ଭାବେ ତିନି ମାସ ପାଇଁ ରହଣି କରିବ।

କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାମରା ଠାରେ:

୧୮୪୭୭/୧୮୪୭୮ ପୁରୀ-ଯୋଗ ନାଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାମରା ଷ୍ଟେସନରେ ୪ ଏପ୍ରିଲ, ୨୦୨୨ ଠାରୁ ଛଅ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ରହଣି କରିବ। ପୁରୀରୁ ଏହି ଟ୍ରେନ୍ ବାମରା ଠାରେ ପୂର୍ବାହ୍ନ ୦୯ଘ.୫୮ମି.ରେ ପହଞ୍ଚି ପୂର୍ବାହ୍ନ ୧୦ ଘଟିକାରେ ରୀଷିକେଶ ଅଭିମୁଖେ ଯାତ୍ରା କରିବ। ସେହିଭଳି ରୀଷିକେଶରୁ ଏହି ଟ୍ରେନ୍ ବାମରା ଠାରେ ଅପରାହ୍ନ ୧ଘ.୫୦ମି.ରେ ପହଞ୍ଚିବ ଅପରାହ୍ନ ୧ଘ.୫୨ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଇସ୍ପାତ ଏକ୍ସପ୍ରେସ ରେଙ୍ଗାଲୀରେ:

୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ୭ ଏପ୍ରିଲ, ୨୦୨୨ ଠାରୁ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗଲି ଷ୍ଟେସନ ଠାରେ ଛଅ ମାସ ପାଇଁ ରହଣି କରିବ। ହାଓଡ଼ା ରୁ ଏହି ଟ୍ରେନ୍ ରେଙ୍ଗାଲିରେ ଅପରାହ୍ନ ୩ଘ.୨୦ମି.ରେ ପହଞ୍ଚି ଅପରାହ୍ନ ୩ଘ.୨୨ମି.ରେ ଟିଟିଲାଗଡ ଅଭିମୁଖେ ଯାତ୍ରା କରିବ। ଟିଟିଲାଗଡରୁ ଏହି ଟ୍ରେନ୍ ରେଙ୍ଗାଲିରେ ପୂର୍ବାହ୍ନ ୦୮ଘ.୪୦ମି.ରେ ପହଞ୍ଚିବ ପୂର୍ବାହ୍ନ ୦୮ଘ.୪୨ ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ।

ଧନବାଦ୍-ଆଲାପୁଜା ଏକ୍ସପ୍ରେସ୍:

୧୩୩୫୧/୧୩୩୫୨ ଧନବାଦ୍-ଆଲାପୁଜା-ଧନବାଦ୍ ଏକ୍ସପ୍ରେସ ୭ ଏପ୍ରିଲ, ୨୦୨୨ ଠାରୁ ଛଅ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲିରେ ରହଣି କରିବ। ଧନବାଦ୍ ରୁ ଏହି ଟ୍ରେନ୍ ରେଙ୍ଗାଲିରେ ରାତ୍ରି ୧୦ଘ.୦୩ମି.ରେ ପହଞ୍ଚି ରାତ୍ରି ୧୦ଘ.୦୫ମି.ରେ ଆଲାପୁଜା ଯାତ୍ରା କରିବ। ଆଲାପୁଜା ଠାରୁ ଏହି ଟ୍ରେନ୍ ରେଙ୍ଗIଲିରେ ରାତ୍ରି ୧୧ଘ.୩୩ମି.ରେ ପହଞ୍ଚିବ ରାତ୍ରି ୧୧ଘ.୩୫ମି.ରେ ଧନବାଦ୍ ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱରରେ ନୂତନ ଷ୍ଟେସନ ଠାରେ ଟ୍ରେନ ରହଣି:

ପୁରୀ-କଟକ-ପୁରୀ ମେମୁ, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱରମେମୁ, ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ୧୦ ଏପ୍ରିଲ, ୨୦୨୨ ଠାରୁ ରହଣି କରିବ।

ପୁରୀ-କଟକ-ପୁରୀ ମେମୁ:

ପୁରୀରୁ ୬୮୪୧୬/୬୮୪୧୫ ପୁରୀ-କଟକ-ପୁରୀ ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୦୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୦୬ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚି ଏବଂ ଅପରାହ୍ନ ୫ଘ.୨୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ:

୬୮୪୨୬/୬୮୪୨୫ ଭୁବନେଶ୍ୱରରୁ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୫୪ମି.ରେ ପହଞ୍ଚି ଅପରାହ୍ନ ୪ଘ.୫୫ମି.ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଠାରେ ପୂର୍ବାହ୍ନ ୧୦ଘ.୧୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ପାଲାସା-କଟକ-ପାଲାସା ପାସେଞ୍ଜର:

୫୮୫୩୪/୫୮୫୩୩ ପଲାସା ଠାରୁ ପଲାସା-କଟକ-ପାଲାସା ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୦୯ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୦୯ଘ.୫୫ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୩୮ମି.ରେ ପହଞ୍ଚି ଅପରାହ୍ନ ୪ଘ.୩୯ମି.ରେ ପଲାସା ଅଭିମୁଖେ ଯାତ୍ରା କରିବ।

ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର:

ଖଡ଼ଗ୍ପୁର ଠାରୁ ୫୮୦୦୫/୫୮୦୦୬ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ। ଖୋର୍ଦ୍ଧା ରୋଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୫ଘ.୨୯ମି.ରେ ପହଞ୍ଚି ଅପରାହ୍ନ ୫ଘ.୨୯ମି.ରେ ଖଡ଼ଗ୍ପୁର ଅଭିମୁଖେ ଯାତ୍ରା କରିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ୱରରେ ଏକ ଦିବସୀୟ ଧମ୍ମ ସମ୍ମିଳନୀ

ଭୁବନେଶ୍ୱର: ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଇଡ଼କଲ ଅଡ଼ିଟୋରିୟମଠାରେ ଆଗାମୀ ଏପ୍ରିଲ୍ ୩୦ ଏବଂ ମେ ୧ ତାରିଖରେ ସାଞ୍ôଚଠାରେ ହେବାକୁ ଥିବା ଆନ୍ତର୍ଜାତିକ ବିଶାଳ ଧମ୍ମ ସଂଗତି ସମାରୋହକୁ ସଫଳ କରିବା ଉଦ୍ଦେଶ୍ୟରେ ଏକଦିବସୀୟ ଧମ୍ମ ଶିବିର ବିପୁଳ ଜନସମାଗମରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଅତିଥିମାନଙ୍କ ଦ୍ୱାରା ତଥାଗତ ଗୌତମ ବୁଦ୍ଧ ଏବଂ ବୋଧିସତ୍ତ୍ୱ ଡଃ ବାବାସାହେବ ଆମ୍ବେଦକରଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ଅର୍ପଣ କରିବା ସହିତ ସାମୁହିକ ଭାବରେ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ସଂସ୍ଥାପକ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଧର୍ମପ୍ରକାଶ ଭାରତୀୟ ଯୋଗାଦାନ କରି ସାମ୍ପ୍ରତିକ ପରିସ୍ଥିତିରେ ଧମ୍ମର ଆବଶ୍ୟକତା ଓ ପ୍ରାସଙ୍ଗିକତା ଉପରେ ବିସ୍ତାର ପୂର୍ବକ ସାରଗର୍ଭକ ଭାଷଣ ଉପସ୍ଥାପନ କରିଥିଲେ। ତତ୍‌ସଙ୍ଗେ ସଙ୍ଗେ ୟୁନିଭରସାଲ ବୁଦ୍ଧ ଫାଉଣ୍ଡେସନର ଓଡ଼ିଶା ଅଧ୍ୟକ୍ଷ ଭଜମନ ବେହେରା ମୁଖ୍ୟବକ୍ତା ରୂପେ ଯୋଗଦାନ କରି ଡଃ ବାବାସାହେବ ଆମ୍ବେଦକରଙ୍କ ବିଶ୍ୱବୌଦ୍ଧ ସମ୍ମିଳନୀ ମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ତତ୍‌ପଶ୍ଚାତ ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଧମ୍ମପ୍ରିୟ ଏମ୍‌.ଆର. ପ୍ରଶାନ୍ତ ପଞ୍ଚଶୀଳ ରଙ୍ଗର ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ।

ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମହାସଚିବ ମହେଶ୍ୱର ଷଣ୍ଢ, ୟୁବିଏଫ୍‌ର ଉପାଧ୍ୟକ୍ଷ ଅମୀୟ ଭୂଷଣ ସେଠୀ, ଗୋବିନ୍ଦ ଚନ୍ଦ୍ର ସେଠୀ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଓଡ଼ିଶାରେ ବୌଦ୍ଧଧମ୍ମର ପ୍ରଚାର ଓ ପ୍ରସାର କିପରି ହେବ ତା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ରାଷ୍ଟ୍ରୀୟ ବୌଦ୍ଧମହାସଭାର ରାଜ୍ୟ ସଂଯୋଜକ ନେପାଳେଶ୍ୱର ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧମ୍ମ ଶିବିରରେ ଦୈତାରୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ବୌଦ୍ଧଭୀକ୍ଷୁ ଧମ୍ମ ଗବେଷକଙ୍କ ଧମ୍ମଦେଶନା ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା। ସୈନିକ ପୋଷାକଧାରୀ ସମତା ସୈନିକ ଦଳର ଭୀମ ସୈନିକମାନେ ଯୋଗଦାନ କରି ସଭାଟିକୁ ଆହୁରି ଚିତ୍ତାକର୍ଷକ କରିଥିଲେ।

ଶେଷରେ ସବ୍‌ବେ ସତ୍ତା ସୁଖୀ ହୋନ୍ତୁ ଗାଥା ଶିବିରର ପରିବେଶକୁ ରୁଦ୍ଧିମନ୍ତ କରିଥିଲା। ଓଡ଼ିଶାର କୋଣ ଅୁନକୋଣରୁ ଶତାଧିକ ଉପାସକ ଓ ଉପାସିକା ଏହି ଶିବିରରେ ଯୋଗଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ତଥା ଓଡ଼ିଆଙ୍କ ପ୍ରାଣ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍  ହୋଟେଲ୍ ମ୍ୟାନେଜମେଂଟ ଠାରେ ଏପ୍ରିଲ୍ ୧ ତାରିଖ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୬ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବକୁ ସୋଆର ଉପସଭାପତି
ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହାକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି। ଉତ୍କଳ ଦିବସ ଅବସରରେ ଏହି ଉତ୍ସବର ଶୁଭାରମ୍ଭ କରି ଶ୍ରୀମତି ଦାସ ଏହାକୁ ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି।

ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ ଗ୍ରାମାଂଚଳର ଛାପ ସୃଷ୍ଟି କରାଯିବା ସହ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ଏହାକୁ ଶ୍ରୀମତି ଦାସ ପ୍ରଶଂସା କରିଛନ୍ତି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ଓଡ଼ିଆଙ୍କ ପ୍ରାଣ ହେଉଛି ପଖାଳ କଂସା। ପଖାଳ ଦ୍ୱାରା ଅଂଶୁଘାତ ଓ ଚର୍ମ ରୋଗ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଗରିବ ହୁଅନ୍ତୁ କି ଧନୀ ସବୁ ଓଡ଼ିଆଙ୍କର ପ୍ରିୟ ହେଉଛି ପଖାଳ। ୭ ବର୍ଷ ଧରି ପଖାଳ ଉତ୍ସବ ଏସ୍‌ଏଚ୍‌ଏମ୍‌ରେ ପାଳନ ହୋଇଆସୁଥିବା ବେଳେ ଗତ ୨ ବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଗକୁ ଏହି ଉତ୍ସବ ମହୋତ୍ସବର ରୂପ ନେବ ବୋଲି ପ୍ରଫେସର ମିଶ୍ର ଆଶା ବ୍ୟକ୍ତ କରିଛନ୍ତି

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ପୋଡା ଟମାଟ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲିଠୁ ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ “ପଖାଳ ଉତ୍ସବ” 

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ “ପଖାଳ” ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ବେଶ ଆଦୃତ ଓ ପ୍ରିୟ ଖାଦ୍ୟ। ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି।

ଏହି ଖାଦ୍ୟକୁ ଅଧିକ ମାତ୍ରାରେ ପ୍ରସାରିତ ଓ ଆଦୃତ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଶିକ୍ଷା ଅନୁଷ୍ଠାନରେ ଏପ୍ରିଲ୍ ୧ ରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି “ପଖାଳ ଉତ୍ସବ”ର ଆୟୋଜନ କରାଯାଇଛି।

ଏହି ଉତ୍ସବରେ ଅତିଥିମାନଙ୍କୁ ପଖାଳ ସହିତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରିବେଷଣ କରାଯିବ। ଓଡିଶାର ଗ୍ରାମୀଣ ସଂସ୍କୃତି, ପରମ୍ପରା, ଖାଦ୍ୟରୁଚି, ଜୀବନଚର୍ଯ୍ୟା ତଥା କଳା କୌଶଳର ଏକ ଜୀବନ୍ତ ରୁଚିର ଉପସ୍ଥାପନା ଏହି ପଖାଳ ଉତ୍ସବରେ ଦେଖିବାକୁ ମିଳିବ।

ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ଆଡଭାଇଜର ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କ ତତ୍ୱାବଧାନ ଓ ସମସ୍ତ ଫାକଲ୍ଟି ମେମ୍ବର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ଏହି ପଖାଳ ଉତ୍ସବ ପାଳନ ହୋଇଆସୁଥିବା ବେଳେ ଗତ ୨ବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଥିଲା।

ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଓଡିଆଙ୍କ ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ହେଉଛି ଏହି ପଖାଳ ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍ ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ। ଏହାର ମୂଲ୍ୟ ୨୦୦ ଟଙ୍କା ରଖାଯାଇଛି।

ଏହି ପଖାଳ ଉତ୍ସବରେ ପାରମ୍ପରିକ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଲେମ୍ବୁ ପଖାଳ, ଆମ୍ବ ପଖାଳ ସହିତ ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ର-ପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା ଓ ବଡି ଚୁରା ପରିବେଷଣ କରାଯିବ।

ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ପରିବେଷଣର ବ୍ୟବସ୍ଥା ମଧ୍ୟ ରହିବ।

Categories
ଆଜିର ଖବର ବ୍ୟବସାୟ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ହୋଟେଲ ହିନ୍ଦୁସ୍ଥାନର ନୂଆ ରେଷ୍ଟୁରାଣ୍ଟ କଳସ 

ଭୁବନେଶ୍ୱର: ଭୁବନେଶ୍ୱର ର କେନ୍ଦ୍ରସ୍ଥଳରେ ଅତ୍ୟାଧୁନିକ ସେବା ସହ ରେସ୍ତୋରାଁରେ ଖାଇବା ପାଇଁ ଆଉ ଏକ ଡେଷ୍ଟିନେସନ୍ ଏଚ୍ଏଚ୍ଆଇ ର କଳସ ରେଷ୍ଟୁରାଣ୍ଟ। କୋରୋନା ତଥା ବିଭିନ୍ନ କାରଣ ପାଇଁ ବନ୍ଦ ଥିବା ଏହି ରେଷ୍ଟୁରାଣ୍ଟର ରୁପାନ୍ତରିକରଣ ହୋଇ ଏକ ଅପୂର୍ବ ଅନୁଭବ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି।

ବୁଧବାର ଖାରବେଳ ନଗର ସ୍ଥିତ ଭୁବନେଶ୍ଵରର ପ୍ରଥମ ବୁଟିକ୍ ହୋଟେଲ୍‌ ଏଚ୍ଏଚ୍ଆଇର ଏକ ସ୍ବତନ୍ତ୍ର ୱିଙ୍ଗ୍ ତଥା କଳସ ରେଷ୍ଟୁରାଣ୍ଟର ଶୁଭାରମ୍ଭ ମାର୍ଚ୍ଚ ୨୫ ରୁ ହେବ ବୋଲି ଏଚ ଏଚ ଆଇ ର ମହାପ୍ରବନ୍ଧକ ଅନିର୍ବାଣ ସାନିୟାଲ୍ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ସୁସ୍ୱାଦୁ ଖାଦ୍ୟ ସହ ସୁନ୍ଦର ସାଜସଜ୍ଜା ଓ ମନୋରଞ୍ଜନ ପାଇଁ ରହିଛି ଲାଇଭ୍ ଗଜଲ କାର୍ଯ୍ୟକ୍ରମ। ରେଷ୍ଟୁରାଣ୍ଟ କଳସରେ ଗ୍ରାହକ ପାଇପାରିବେ ଉଭୟ ଭେଜ୍ ଓ ନନ୍-ଭେଜ୍ ଭୋଜନ। ଦେଶୀର ସବୁ ପ୍ରକାରର ଗରମା ଗରମ ଖାଦ୍ୟ ଏଠାରେ ଉପଲବ୍ଧ ହେଉଛି । ଶୀଘ୍ର ଖାଇବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଉଚିତ୍ ଦାମ ସହ ରହିଛି ସ୍ପତନ୍ତ୍ର ଥାଳି।

ସାମ୍ବାଦିକ ସମ୍ମିଳନୀରେ ଏଚ୍ ଏଚ୍ ଆଇ ହୋଟେଲ ର ପରିଚାଳନା ନିର୍ଦ୍ଦେଶକ (Operation Manager) ହରି ପ୍ରସନ୍ନ ମଜୁମଦାର ଓ ମାଷ୍ଟର ସେଫ୍ ଗଣେଶ ବେହେରା, ରେଷ୍ଟୁରାଣ୍ଟ ମ୍ୟାନେଜର ବିଶ୍ବଜିତ ହରିଚନ୍ଦନ, ଏଚ ଆର ମ୍ୟାନେଜର ଦିଗବିଜୟ ସେନ୍,ସେଲ୍ସ ମ୍ୟାନେଜର ରବିନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ଫଟୋଚିତ୍ର ଉଦ୍ଘାଟିତ

ଭୁବନେଶ୍ଵର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପରିସରରେ “ଆଜାଦୀ କା ଅମୃତ ମହୋତ୍ସବ” ଶୀର୍ଷକ ମିନି ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଫଟୋ ଗାଲ୍ଲେରୀ ପତ୍ର ସୂଚନା କାର୍ଯ୍ୟାଳୟ, ପୂର୍ବ ଜୋନର ମହାନିର୍ଦ୍ଦେଶକ ଭୁପେନ୍ଦ୍ର କେନ୍ଥୋଲାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।

ଏହି ଅବସରରେ ଶ୍ରୀ କେନ୍ଥୋଲା ଭାରତର ସ୍ଵାଧିନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ଓଡିଶାର ମହାନ ମହିଳା ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।  ଓଡିଶାର ମହାନ କଳା ସଂସ୍କୃତି ତାଙ୍କୁ ସବୁ ବେଳେ ଅନୁପ୍ରାଣିତ କରିଛି ଏବଂ ଓଡିଶା ତାଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ଶ୍ରୀ କେନ୍ଥୋଲା ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭାଗୀୟ କଳାକାରମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଂଗୀତ ଏବଂ ନୃତ୍ୟ ମଧ୍ୟ ପରିବେଷଣ କରଯାଇଥିଲା।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱରରେ ହେବ ଭାରୋତ୍ତୋଳନ ଚାମ୍ପଅନସିପ୍‌: ଟାଇଟଲ୍‌ ବଜାୟ ରଖିବା ଲାଗି ପ୍ରୟାସ କରିବ ରେଳବାଇ

ଭୁବନେଶ୍ୱର: ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା  ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତୀୟ ରେଳବାଇ ପକ୍ଷରୁ ଦୃଢ଼ ଦାବିଦାରମାନେ ଅଂଶଗ୍ରହଣ କରିବେ। ଭାରତୀୟ ରେଳବାଇର କ୍ରୀଡ଼ା ବିଭାଗ ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ (ଆରଏସପିବି)ର ଦକ୍ଷ ଖେଳାଳୀମାନେ ଏହି ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ରେଳବାଇର ପୁରୁଷ ଦଳ ଲଗାତାର ୪ ବର୍ଷ ଧରି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛି। ଅନ୍ୟପକ୍ଷରେ ଭାରତୀୟ ରେଳବାଇର ମହିଳା ଦଳ ଲଗାତାର ଦୁଇଟି ଜାତୀୟ ଚାମ୍ପିଅନସିପରେ ଟାଇଟଲ୍‌ ହାସଲ କରିଛି।

ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂସ୍ଥା ଭାବେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଯୁକ୍ତି ଦେଇ ଆସୁଛି। ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ ନିଜର କ୍ରୀଡ଼ା ପ୍ରୋତ୍ସାହନ ଗତିବିଧି ଏବଂ ‘‘ଜାହାଁ ଖେଲ୍‌ ୱାହାଁ ରେଲ୍‌’’ (ଯେଉଁଠି ଖେଳ ସେଇଠି ରେଳ) ଲକ୍ଷ୍ୟ ନେଇ କ୍ରୀଡ଼ା ଭିତ୍ତିଭୂମି ବିକାଶ କରୁଛି। ଏହି ସଂଗଠନ କେବଳ ଭାରତୀୟ ରେଳବାଇ ନୁହେଁ ବରଂ ଦେଶର ଅନ୍ୟ କ୍ରୀଡ଼ା ପ୍ରତିଭାମାନଙ୍କୁ କ୍ରୀଡ଼ା କୌଶଳ ଶିକ୍ଷା ଦେବା ଏବଂ ସେମାନଙ୍କ ପ୍ରତିଭା ବିକଶିତ କରିବା ଲାଗି ଆବଶ୍ୟକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇ ଦେଉଛି। ରେଳବାଇର ପ୍ରାୟ ୧୦ ହଜାର କ୍ରୀଡ଼ା କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର କର୍ମଚାରୀ କ୍ରୀଡ଼ା ଗତିବିଧିରେ ସକ୍ରିୟ ରହିଛନ୍ତି। ଦେଶରେ ଭାରତୀୟ ରେଳବାଇ ସର୍ବାଧିକ ସଂଖ୍ୟକ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ନିଯୁକ୍ତି ଦେଇଛି।

ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରେଳବାଇ ଏ କ୍ଷେତ୍ରରେ ଏକ ରେକର୍ଡ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା କିମ୍ବା ଅଲିମ୍ପିକ୍ସ, ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଭାରତର ପ୍ରଦର୍ଶନରେ ବ୍ୟାପକ ଯୋଗଦାନ ଦେଇଥାନ୍ତି।

ଭାରତୀୟ ରେଳବାଇ ସୃଷ୍ଟି କରିଥିବା ତାରକା ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରେ ରହିଛନ୍ତି ଏସ. ମୀରାବାଇ ଚାନୁ, ଯିଏକି ଟୋକିଓ ଅଲିମ୍ପିକ୍ସ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ। ସେ ଅଲିମ୍ପିକ୍ସରେ ରୌପ୍ୟ ଜିତିବାରେ ଥିଲେ ଭାରତର ପ୍ରଥମ ମହିଳା ଭାରୋତ୍ତୋଳନକାରୀ। ଅର୍ଜ୍ଜୁନ ପୁରସ୍କାର ବିଜେତା ସତୀଶ ଶିବଲିଙ୍ଗ, ରେଣୁ ବାଳା, ସୁଶ୍ରୀ ସଞ୍ଜିତା ଚାନୁ ପ୍ରମୁଖ ରେଳବାଇ ଠାରୁ ପ୍ରୋତ୍ସାହନ ପାଇ ଭାରୋତ୍ତୋଳନ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ୱରର ଉତ୍କଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିିତ ହୋଇଯାଇଛି। ସମାଜରେ ଦିନକୁ ଦିନ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁର୍ନୀତିର ପ୍ରାଦୁର୍ଭାକୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ଏହି ସମ୍ମିଳନୀ କରାଯାଇଛି।

ସର୍ବଭାରତୀୟ ସାଧାରଣ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର, ଉପସଭାପତି ଡ. ସୁକାନ୍ତି ମିଶ୍ର ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ସଭାପତି ଭାବେ ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ରାଜ୍ୟ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ସମ୍ପାଦକ ଇଂ ବିପିନ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମସ୍ତ କର୍ମକର୍ତ୍ତା ସାଧୁତା ଓ ନିର୍ଭିକତା ଭାବରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

ଏହି ସମ୍ମିଳନୀରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର କାର୍ଯ୍ୟକ୍ରମ ସଂଯୋଜକ ବାଳକୃଷ୍ଣ ରାଉତ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ ଚୌଧୁରୀ, ସମ୍ପାଦକ ମାନସ ଦାସ, ରାଜ୍ୟ ଉପସଭାପତି ଡ. ଶିବ ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଧୀରମୋହନ ରାୟ, ସମ୍ପାଦକ ଆଶୁତୋଷ ଦାସ, ପୁରୀ ଜିଲ୍ଲା ସଭାପତି ଦୀନମଣି ଦେବୀ, ବ୍ରହ୍ମପୁର ଜିଲ୍ଲା ସଭାପତି ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଭୁବନେଶ୍ୱର ସ୍ଥିତ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର, ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ନିଯୁକ୍ତି ମେଳା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ପାଇଁ  ରାଜ୍ୟର ବିଭିନ୍ନ ସ୍ଥାନରୁ ସମସ୍ତ ପ୍ରାର୍ଥୀ ମାନେ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଏହି ମେଳାରେ ଭାଗ ନେଇଥିଲେ। ଏଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ପଦବୀ ଥିଲା।

ଏହି କାର୍ଯ୍ୟକ୍ରମରେ ଜିତାମିତ୍ରା ଶତପଥୀ , ପ୍ରିନ୍ସିପାଲ, ସରକାରୀ ଆଇ.ଟି.ଆଇ ମୁଖ୍ୟ ଅତିଥି, ଏବଂ ତପନ କୁମାର ରାଉଳ, ଉପ କ୍ଷେତ୍ରୀୟ ରୋଜଗାର ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ସୁଜିତ କୁମାର ସାହୁ , ସହ ନିର୍ଦ୍ଦେଶକ, ଏନସିସିସିଡିଏ, ଭୁବନେଶ୍ୱର, ସୋନାଲିକା ସୁମନ ଏବଂ ମୀନତି ପଟ୍ଟନାୟକ ଦ୍ୱାରା ସମର୍ଥିତ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଫାଇନାନ୍ସ,, ଳୋଜିଷ୍ଟିକ, ନର୍ସିଂ, ମାର୍କେଟିଙ୍ଗ, ଅଟୋ ମୋବାଇଲ, ଇ କମର୍ସ, ଆକାଉନ୍ଟସ, ଟ୍ରାଭେଲ୍ସ,, ଆ.ଇ.ଟି ଆଦି ପ୍ରାୟ ୭୫୦ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି। ସେଥି ମଧ୍ୟରେ Quess Corp, Randstad India, Sky Automobiles, Trupti group, Quantum Wire Technical services pvt Ltd, Team Success World Wide Youth Icon, L&T Finance, Deevine Nursing, Tatwa Technology, Garg logistics, ଆଦି ୨୬ କମ୍ପାନି ମାନେ ଯୋଗ ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ଵ ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ବେକାରୀ ଥିବା ପିଲାମାନେ କେମିତି ନିଜ ଜୀବନ ସ୍ରୋତରେ ନିଯୁକ୍ତି ପାଇବେ ଏବଂ ଏହି ନିଯୁକ୍ତି ମେଳା ତାଙ୍କମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀମତି ଜିତାମିତ୍ରା କହିଛନ୍ତି। “ଆଜାଦୀ କା ଅମୃତ ମହୋତ୍ସବ ଏକ ବହୁତ ସୁନ୍ଦର ପଦକ୍ଷେପ ଏବଂ ଏହି ନିଯୁକ୍ତି ମେଳା ଦ୍ଵାରା ବହୁତ ପିଲା ମାନେ ନିଜର ସଠିକ ଦିଗ ପାଇ ପାରିବେ” ଶ୍ରୀ ରାଉଳ କହିଛନ୍ତି।

“ପିଲାମାନଙ୍କୁ  ଏବଂ କମ୍ପାନି ମାନଙ୍କୁ ଗୋଟିଏ ଜାଗାରେ ସାକ୍ଷାତ  କରିବା ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ନିଯୁକ୍ତି ଦାତା ମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ କମ କରିବା ଏହି ନିଯୁକ୍ତି ମେଳାର ମୁଖ୍ୟ ଉଦେଶ୍ୟ” ଶ୍ରୀ ସାହୁ କହିଛନ୍ତି।

ଶ୍ରୀ ସାହୁ ସମସ୍ତ ଏମ୍ପ୍ଲୋୟର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମସ୍ତ ଚାକିରି ଆଶାୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଞ୍ଚଳିକ

ୱାର୍ଡ଼ ନଂ ୨୮ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପ୍ରଭାତୀ ସାହୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନଂ୨୮ରୁ କର୍ପୋରେଟର ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ସମାଜସେବୀ ପ୍ରଭାତୀ ସାହୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀର୍ଘବର୍ଷ ଧରି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଏବଂ ୱାର୍ଡ଼ ନଂ-୨୮ରେ ଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ପ୍ରଭାତୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ଜଣେ ସମାଜସେବୀ ହିସାବରେ ଲୋକଙ୍କୁ ସେବା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ। ବାତ୍ୟା, ବନ୍ୟା, ମହାମାରୀ କରୋନା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଁ ଲୋକଙ୍କୁ ସେବା ଯୋଗାଇ ଆସୁଛି। ରାଜଧାନୀ ଭୁବନେଶ୍ୱରକୁ ଏକ ନମ୍ବର ସହରରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ।

ଏଥିସହିତ ରାଜଧାନୀରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କ ପାଇଁ ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା, ଡ୍ରେନେଜ ସମସ୍ୟାକୁ ଦୂର କରିବା ସହିତ ରାଜଧାନୀରେ ବଢି ଚାଲିଥିବା ଚୋରି, ଡ଼କାୟତି, ଚୋରା ମଦ, ଗଞ୍ଜେଇ ଓ ଧଳା ଜହର କାରବାରକୁ ବନ୍ଦ କରିବା ଏବଂ ରାଜଧାନୀର ଗରିବ, ଅସହାୟ ଓ ନିଷ୍ପେସିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଁ ଆଜି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ମୋର ସମାଜସେବା ଓ ତ୍ୟାଗ ପାଇଁ ୱାର୍ଡ଼ ନଂ-୨୮ ସାଧାରଣ ଜନତା ମୋତେ ବିଜୟୀ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।

ପ୍ରଭାତୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜସେବୀ ବିବେକାନନ୍ଦ ବାରିକ, ଅମ୍ଲେଶ ଦାସ, ରଞ୍ଜନ ମହାନ୍ତି, ଅନୁଜା ଦାସ, ଅମୂଲ୍ୟ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଶିବିର କୁମାର ପରିଡ଼ା, ଧରଣୀଧର ସାହୁ, ସରୋଜ ସାହୁ, ଆଶୁତୋଷ ଦତ୍ତ, ଶାନ୍ତିଲତା ପ୍ରଧାନ, ମଣ୍ଟୁଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏନସିଏସସିଡିଏ ପକ୍ଷରୁ ଆସନ୍ତା ୧୧ ତାରିଖରେ ଆୟୋଜିତ ହେବ ମାଗଣା ନିଯୁକ୍ତି ମେଳା

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର ପକ୍ଷରୁ ଆସନ୍ତା ୧୧ ତାରିଖରେ ଏକ ମାଗଣା ନିଯୁକ୍ତି ମେଳା ଆୟୋଜନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି (ଏସସି ଓ ଏସଟି)ଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ରର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନସିଏସସିଡିଏର ଭୁବନେଶ୍ୱର ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ସମସ୍ତ ନିଯୁକ୍ତି ଆଶାୟୀମାନେ ଅଂଶଗ୍ରହଣ କରିପାରିବେ। ନିଯୁକ୍ତି ମେଳା ୧୧ ମାର୍ଚ୍ଚ, ୨୦୨୨ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏଥିରେ ଦଶମ କିମ୍ବା ତଦୁର୍ଦ୍ଧ୍ବ ଶିକ୍ଷାଗତ ଯୋଗ୍ୟତା ସହ ଆଇଟିଆଇ ଓ ଡିପ୍ଲୋମା ଶିକ୍ଷା ଲାଭ କରିଥିବା ପ୍ରାର୍ଥୀମାନେ ମ୍ୟାଟେରିଆଲ ହ୍ୟାଣ୍ଡଲିଂ, ଷ୍ଟୋର ପ୍ରମୋଟର, ପ୍ରୋସେସ ଆସୋସିଏଟ, ସେଲ୍ସ ଏକ୍‌ଜିକ୍ୟୁଟିଭ, ରିଲେସନସିପ ଅଫିସର, ଆକାଉଣ୍ଟାଣ୍ଟ, କନ୍ସଲଟାଣ୍ଟ, ଫିଲ୍ଡ କ୍ରେଡିଟ୍‌ ଅଫିସର ଆଦି ୭୦୦ରୁ ଅଧିକ ଭିନ୍ନ ଭିନ୍ନ ପଦବୀ ପାଇଁ ୧୦ରୁ ଅଧିକ କମ୍ପାନୀ/ଫାର୍ମ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପାଇଁ ଚୟନ କରିବେ।

ଏହି ନିଯୁକ୍ତି ମେଳାରେ ଶିକ୍ଷାଗତ ଯୋଗ୍ୟତା, ଆଧାର କାର୍ଡର ଫଟୋ କପି, ବାୟୋଡାଟା ଏବଂ ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ ସହିତ ସମସ୍ତ ଆଶାୟୀ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱତନ୍ତ୍ର ନିଯୁକ୍ତି ମେଳା: ବିଭିନ୍ନ ସଂସ୍ଥାର ୧୪୫ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱର ଠାରେ ଆୟୋଜିତ ହୋଇଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱରସ୍ଥିତ ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା।

ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ଏନସିଏସସିଡିଏର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ରିଲାଏନ୍ସ ସିକ୍ୟୁରିଟିଜ୍ ଲିମିଟେଡ, ଲେମନ୍ ଟ୍ରି ହୋଟେଲ୍ସ, ବିପିଓ କନଭର୍ଜେନ୍ସ, ପାରାମିଟର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ୍, ତତ୍ତ୍ବ ଟେକ୍ନୋଲୋଜି ଲିମିଟେଡ୍ ଆଦି ୧୩ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ। ନିଯୁକ୍ତି ମେଳାରେ ବାକ୍ଶକ୍ତି ଓ ଶ୍ରବଣଶକ୍ତି ବାଧିତ, ଚାଲିବାକୁ ଅକ୍ଷମ ଦିବ୍ୟାଙ୍ଗମାନେ ସାକ୍ଷାତକାର ଦେଇଥିଲେ। ଶିବିରରେ ୧୮ରୁ ୩୫ ବର୍ଷ ବୟସ୍କ ମୋଟ୍୧୬୮ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୪୫ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା।

ଏହି ନିଯୁକ୍ତି ମେଳାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏପରି ନିଯୁକ୍ତି ମେଳା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଶିବିର ଆୟୋଜନ କରାଯିବା ଉଚିତ୍।

ଭୁବନେଶ୍ୱର ଏନସିଏସସିଡିଏର ଅତିରିକ୍ତ ନିର୍ଦ୍ଦେଶକ (ନିଯୁକ୍ତି) ସୁଜିତ କୁମାର ସାହୁ, ମନସ୍ତତ୍ତ୍ବବିତ୍ ଶ୍ରୀମତୀ ସୋନାଲିକା ସୁମନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ୱରସ୍ଥିତ ଡକ୍ଟର ରେଡିଜ୍ ଫାଉଣ୍ଡେସନର ଅମିତ କୁମାର ଦାଶ, ଖୋର୍ଦ୍ଧା ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାରଙ୍କ ସମେତ ସ୍ଵେଚ୍ଛାସେବୀମାନେ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ।

ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସାହୁ ଶିବିରରେ ଯୋଗ ଦେଇଥିବା ସମସ୍ତ ନିଯୁକ୍ତିଦାତାମାନଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ ଏବଂ ଶିବିରରେ ଅଂଶଗ୍ରହଣ କରିବା ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଏହି ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା: କୁଆପଥର ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୬ ତାରିଖରୁ ବର୍ଷା ହେବା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୧୬ ତାରିଖରୁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି।

ତେବ ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ କିଛି କିଛି ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ସେହିଭଳି ଆସନ୍ତାକାଲି ଠାରୁ ରାତ୍ରିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।