Categories
ଆଞ୍ଚଳିକ

ପୁଣି ଥରେ ସଟ୍‌ଡାଉନ୍‌ ହେଲା ଭେଟେଶ୍ବର ପଞ୍ଚାୟତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ପୁଣିଥରେ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟାହ୍ନ  ଅର୍ଥାତ ୧୩.୦୭.୨୦୨୦ ସୋମବାର ଦିବା ୨ ଘଟିକାଠାରୁ ଆସନ୍ତା ୧୭  ତାରିଖ ଶୁକ୍ରବାର ସନ୍ଧ୍ୟା ୭ଘଟିକା ଯାଏଁ ଏହି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଏହି ପଞ୍ଚାୟତରୁ ଆଜି ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣର ଭୟାବହତାକୁ ରୋକିବା ନିମେନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ।

ସୂଚନାଯୋଗ୍ୟ,  ପୂର୍ବରୁ ଏହି ଗ୍ରାମଟି ସଟ୍‌ଡାଉନ୍‌ କରାଯାଇଥିଲା। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ  ସଟ୍‌ଡାଉନ୍‌ ପଦକ୍ଷେପ ଗ୍ରହଣ କରିଥିଲେ। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ  କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ସାଙ୍ଗସାଥୀ ଓ ପରିବାରଙ୍କ ସହିତ ଦୁଇଟି ଭୋଜିରେ ଯୋଗ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମ ଭିତରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ପ୍ରାୟ ୫୦ ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ  ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିବା ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ହେବା ପରେ ପ୍ରାୟ ୩୫ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ତେବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ସରପଞ୍ଚମାନେ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରି ସମ୍ପୃକ୍ତ ଲୋକଙ୍କ ସ୍ବାବ୍‌ ଟେଷ୍ଟ କରିବା ସହ ପଞ୍ଚାୟତକୁ ସାନିଟାଇଜେସନ୍‌ କରୁଛନ୍ତି।