Categories
ଆଞ୍ଚଳିକ

ବାଣପୁର: ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ ଯୋଗ ଦିବସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ସୁସ୍ଥ ସମାଜ ଗଠନ, ଶାନ୍ତ ଜୀବନ ଯାପନ ଓ ପରସ୍ପର ସହ ମିତ୍ରତା ସ୍ଥାପନ କରିବାର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ମାଧ୍ୟମରେ ମଧ୍ୟ ଅସାଧ୍ୟ ରୋଗର ଉପଚାର ହୋଇପାରୁଛି। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଆଜି ସାରା ବିଶ୍ୱ ପାଳନ କରୁଛି ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ।

ଯୋଗ ଆମ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଆମ ଭିତରେ ସଚେତନତା ସୃଷ୍ଟି କରିଥାଏ। ଯୋଗ ମାଧ୍ୟମରେ ନିଜେ ସୁସ୍ଥ ରହିବା ସହ ଏକ ସୁସ୍ଥ ସମାଜ ଗଠନ କରିବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଯାହାକି ଅସମ୍ଭବକୁ ସମ୍ଭବରେ ପରିଣତ କରିବାରେ ସହାୟକ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଆଜି ଜାତୀୟ ଆୟୁଷ ମିଶନ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ ପାଳନ କରାଯାଇଛି ନବମ ବିଶ୍ୱ ଯୋଗ ଦିବସ।

ଆଜିର ଏହି ଯୋଗ ମହୋତ୍ସବରେ ଭେଟେଶ୍ୱର ଅଞ୍ଚଳର ଏକ ଶହରୁ ଉର୍ଦ୍ଧ୍ବ ଯୋଗ ବୀର ଓ ଯୋଗ ବିରାଙ୍ଗନା ମାନେ ଅଂଶ ଗ୍ରହଣ କରି ଅତି ଉତ୍ସାହର ସହ ପାଳନ କରିଥିଲେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଉ

କ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ ଦେଇ ଯୋଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂ, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ ଏବଂ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ।

ଚିକିତ୍ସାଳୟର ଡାକ୍ତର ଡ଼. ସ୍ନିଗ୍ଧାରାଣୀ ନାୟକ ଏହାକୁ ପରିଚାଳନା କରିଥିବା ବେଳେ କର୍ମଚାରୀ ନିଲୁ ବେହେରା ଓ ରତ୍ନାକର ବାରିକ ସହଯୋଗ କରିଥିଲେ। ଯୋଗାଚାର୍ଯ୍ୟ ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଚାଳନା କରି ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ସରଳ ଭାବେ ବୁଝାଇବା ସହ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପିଡିଏସ ସାମଗ୍ରୀର ଚୋରା ଚାଲାଣ ଘଟଣା: ସରପଞ୍ଚଙ୍କ ବିରୋଧରେ ବ୍ଲକ ଘେରାଉ କଲା ବିଜେଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ପିଡିଏସ ସାମଗ୍ରୀର ଚୋରୀ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବିଜେଡ଼ିର ଶତାଧିକ କର୍ମୀ ପ୍ରତିବାଦ କରିବା ସହ ଆଜି ବ୍ଲକ ଘେରାଉ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭେଟେଶ୍ୱର ଅଞ୍ଚଳରୁ କିଛି ଦିନ ତଳେ ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ସନ୍ଦେହରେ ଏକ ଟାଟାଏସି ଗାଡିକୁ ପୋଲିସ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ବାଣପୁର ଥାନାରେ ଏତଲା ଦିଆଯାଇଥିଲା। ତଥାପି ଉକ୍ତ ଘଟଣାରେ ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ଆଜି ବିଜେଡିର ଶତାଧିକ କର୍ମୀମାନେ ବାଣପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବିଜେଡି କର୍ମୀମାନେ ବାଣପୁର କୋର୍ଟ ନିକଟରୁ ବିଭିନ୍ନ ପ୍ଲାକାର୍ଡ ଧରି, ସରପଞ୍ଚଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରା କରିଥିଲେ। ଉକ୍ତ ରାଲିଟି ବାଣପୁର ବ୍ଲକ ସମ୍ମୁଖରେ ସମାପ୍ତ ହେବାପରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସରପଞ୍ଚଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଉକ୍ତ ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ବସିରହିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ଭେଟେଶ୍ଵର ସେବା ସମବାୟ ସମିତି ଆନୁକୁଲ୍ୟରେ ଉଦଘାଟନ୍ ହେଲା ଧାନ ମଣ୍ଡି

ସୀତାରାମ ଅଗ୍ରୱାଲ

ବାଣପୁର:  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଖରିଫ ୨୦୨୦/୨୧ ଧାନ ମଣ୍ଡି ଭେଟେଶ୍ୱର ଠାରେ ଉଦଘାଟିତ ହୋଇଯାଇଅଛି।

ଉକ୍ତ ଉଦଘାଟନ୍ ଉତ୍ସବରେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ.ଶୁଭଶ୍ରୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମିତିର ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମିତିର ସମ୍ପାଦକ ଜ୍ୟୋତିରଞ୍ଜନ ରାଉତରାୟ ସମିତି ଏବଂ ଚାଷୀଙ୍କର ଧାନ କ୍ରୟ ସମ୍ପର୍କିତ ସମସ୍ତ ନୀତିନିୟମ ଏବଂ କୋଭିଡର ସମସ୍ତ ଗାଇଡଲାଇନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ।

ଏହାସହିତ ଏହି ଉତ୍ସବରେ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ, ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ ଚାଷୀମାନଙ୍କୁ ସରକାରଙ୍କ ଧାନ କ୍ରୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଯେ, ଆଜି ପ୍ରଥମ ଦିନରେ ୧୩ ଜଣ ଚାଷୀଙ୍କ ଠାରୁ ପାଖାପାଖି ୫୦୦  କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି ସବୁ ଧାନକୁ ଜୟ ଜଗନ୍ନାଥ ରାଇସ୍ ମିଲର କ୍ରୟ କରିଥିଲା।