ବାଣପୁର ପିଡିଏସ ସାମଗ୍ରୀର ଚୋରା ଚାଲାଣ ଘଟଣା: ସରପଞ୍ଚଙ୍କ ବିରୋଧରେ ବ୍ଲକ ଘେରାଉ କଲା ବିଜେଡ଼ି

Published: Dec 2, 2021, 4:21 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ପିଡିଏସ ସାମଗ୍ରୀର ଚୋରୀ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବିଜେଡ଼ିର ଶତାଧିକ କର୍ମୀ ପ୍ରତିବାଦ କରିବା ସହ ଆଜି ବ୍ଲକ ଘେରାଉ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭେଟେଶ୍ୱର ଅଞ୍ଚଳରୁ କିଛି ଦିନ ତଳେ ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ସନ୍ଦେହରେ ଏକ ଟାଟାଏସି ଗାଡିକୁ ପୋଲିସ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ବାଣପୁର ଥାନାରେ ଏତଲା ଦିଆଯାଇଥିଲା। ତଥାପି ଉକ୍ତ ଘଟଣାରେ ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ଆଜି ବିଜେଡିର ଶତାଧିକ କର୍ମୀମାନେ ବାଣପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବିଜେଡି କର୍ମୀମାନେ ବାଣପୁର କୋର୍ଟ ନିକଟରୁ ବିଭିନ୍ନ ପ୍ଲାକାର୍ଡ ଧରି, ସରପଞ୍ଚଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରା କରିଥିଲେ। ଉକ୍ତ ରାଲିଟି ବାଣପୁର ବ୍ଲକ ସମ୍ମୁଖରେ ସମାପ୍ତ ହେବାପରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସରପଞ୍ଚଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଉକ୍ତ ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ବସିରହିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Related posts