Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ବ୍ଲକ ଘେରାଉ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତରଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା।

ଏଥିରେ ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସମସ୍ତ ୩୧୪ ଗୋଟି ବ୍ଲକରେ ଏହି ଘେରାଉ କରାଯାଇଥିଲା। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

୯ ଦଫା ଦାବି ନେଇ ଚିଲିକା ଓ ବାଣପୁର ବ୍ଲକ ଘେରାଉ କଲା କଂଗ୍ରେସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା କମ୍ପାନୀର ବିଦ୍ୟୁତ ବିତରଣରେ ଖାଉଟି ମାରଣା ନୀତି ବନ୍ଦ କରିବା ସହ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହ୍ରାସ, ସରକାରୀ ଯୋଜନାରେ ଯୋଗ୍ୟ ବିବେଚିତ ଚୟନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପିଡିଏସ ସାମଗ୍ରୀର ଚୋରା ଚାଲାଣ ଘଟଣା: ସରପଞ୍ଚଙ୍କ ବିରୋଧରେ ବ୍ଲକ ଘେରାଉ କଲା ବିଜେଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ପିଡିଏସ ସାମଗ୍ରୀର ଚୋରୀ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବିଜେଡ଼ିର ଶତାଧିକ କର୍ମୀ ପ୍ରତିବାଦ କରିବା ସହ ଆଜି ବ୍ଲକ ଘେରାଉ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭେଟେଶ୍ୱର ଅଞ୍ଚଳରୁ କିଛି ଦିନ ତଳେ ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ସନ୍ଦେହରେ ଏକ ଟାଟାଏସି ଗାଡିକୁ ପୋଲିସ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ବାଣପୁର ଥାନାରେ ଏତଲା ଦିଆଯାଇଥିଲା। ତଥାପି ଉକ୍ତ ଘଟଣାରେ ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ଆଜି ବିଜେଡିର ଶତାଧିକ କର୍ମୀମାନେ ବାଣପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବିଜେଡି କର୍ମୀମାନେ ବାଣପୁର କୋର୍ଟ ନିକଟରୁ ବିଭିନ୍ନ ପ୍ଲାକାର୍ଡ ଧରି, ସରପଞ୍ଚଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରା କରିଥିଲେ। ଉକ୍ତ ରାଲିଟି ବାଣପୁର ବ୍ଲକ ସମ୍ମୁଖରେ ସମାପ୍ତ ହେବାପରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସରପଞ୍ଚଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଉକ୍ତ ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ବସିରହିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ବ୍ଲକ ଘେରାଉ କଲେ ସ୍ବୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍‌ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି।

ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି କି ଆୟବ୍ୟୟର ସୂଚନା ଦେଉନାହାନ୍ତି। ଏ ସମ୍ପର୍କରେ ଅକ୍ଟୋବର ୬ ତାରିଖରେ ଓଡଗାଁର ଏକ ମନ୍ଦିରଠାରେ ମହିଳାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ବୈଠକ ଡାକିଥିଲେ। ଯେଉଁଥିରେ ସିଆରପିମାନେ ଏମ୍‌ବିକେ ଯୋଗଦେଇନଥିବା ସ୍ଥଳେ ମହାସଂଘର ସମ୍ପାଦିକା ଲିଲି ସାମନ୍ତରାୟ ସେମାନଙ୍କୁ ଦୁର୍ବ୍ୟବହାର କରି ବୈଠକରୁ ଉଠି ପଳାଇଥିଲେ।

ଏହାପରେ ଗତ ଅକ୍ଟୋବର ୧୯ ତାରିଖରେ ସମସ୍ତ ମହିଳାମାନେ ବାଣପୁର ବିଡିଓଙ୍କ ଦ୍ବାରସ୍ଥ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଦାବିପତ୍ର ଦେଇଥିଲେ। କିନ୍ତୁ ନଭେମ୍ବର ୨ ତାରିଖ ସୁଦ୍ଧା ବାଣପୁର ବ୍ଲକର ଓଏଲଏମ ବିଭାଗ କିମ୍ବା ବିଡିଓଙ୍କ ଦ୍ବାରା ପ୍ରତିଶୃତି ମୁତାବକ କୌଣସି ସମସ୍ୟାର ସମାଧାନ ନ କରାଯିବାରୁ ଆଜି ନ୍ୟାୟ ଦାବିରେ ଶତାଧିକ ମହିଳାମାନେ ବ୍ଲକ ଘେରାଉ କରି ଧାରଣାରେ ବସିଛନ୍ତି।

ଖବର ଲେଖା ହେବା ପର୍ଯ୍ୟନ୍ତ ଦିନ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିଡିଓ ଆସିନଥିବାବେଳେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ବାଣପୁର ପୋଲିସ୍‌ ଉପସ୍ଥିତ ରହିଛନ୍ତି। ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ସହିତ ଗୋଟିଏ ପ୍ଲାଟୁନ୍‌ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।