୯ ଦଫା ଦାବି ନେଇ ଚିଲିକା ଓ ବାଣପୁର ବ୍ଲକ ଘେରାଉ କଲା କଂଗ୍ରେସ

Published: Aug 18, 2023, 7:16 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା କମ୍ପାନୀର ବିଦ୍ୟୁତ ବିତରଣରେ ଖାଉଟି ମାରଣା ନୀତି ବନ୍ଦ କରିବା ସହ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହ୍ରାସ, ସରକାରୀ ଯୋଜନାରେ ଯୋଗ୍ୟ ବିବେଚିତ ଚୟନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି।

Related posts