Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ପିଡିଏସ ସାମଗ୍ରୀର ଚୋରା ଚାଲାଣ ଘଟଣା: ସରପଞ୍ଚଙ୍କ ବିରୋଧରେ ବ୍ଲକ ଘେରାଉ କଲା ବିଜେଡ଼ି

ସୀତାରାମ ଅଗ୍ରୱାଲ

ବାଣପୁର: ପିଡିଏସ ସାମଗ୍ରୀର ଚୋରୀ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ବିରୋଧରେ   କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ବିଜେଡ଼ିର ଶତାଧିକ କର୍ମୀ ପ୍ରତିବାଦ କରିବା ସହ ଆଜି ବ୍ଲକ ଘେରାଉ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭେଟେଶ୍ୱର ଅଞ୍ଚଳରୁ କିଛି ଦିନ ତଳେ ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ସନ୍ଦେହରେ ଏକ ଟାଟାଏସି ଗାଡିକୁ ପୋଲିସ ଜବତ କରିଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗାଡ଼ି ଡ୍ରାଇଭରଙ୍କ ବିରୋଧରେ ବାଣପୁର ଥାନାରେ ଏତଲା ଦିଆଯାଇଥିଲା। ତଥାପି ଉକ୍ତ ଘଟଣାରେ ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ଆଜି ବିଜେଡିର ଶତାଧିକ କର୍ମୀମାନେ ବାଣପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବିଜେଡି କର୍ମୀମାନେ ବାଣପୁର କୋର୍ଟ ନିକଟରୁ ବିଭିନ୍ନ ପ୍ଲାକାର୍ଡ ଧରି, ସରପଞ୍ଚଙ୍କ ବିରୋଧରେ ନାରାବାଜି କରି ଏକ ଶୋଭାଯାତ୍ରା କରିଥିଲେ। ଉକ୍ତ ରାଲିଟି ବାଣପୁର ବ୍ଲକ ସମ୍ମୁଖରେ ସମାପ୍ତ ହେବାପରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସରପଞ୍ଚଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଉକ୍ତ ଶହ ଶହ ବିଜେଡି କାର୍ଯ୍ୟକର୍ତ୍ତା ଆନ୍ଦୋଳନରେ ବସିରହିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିଡ଼ିଏସ ସାମଗ୍ରୀର ଚୋରା ଚାଲାଣ ସନ୍ଦେହରେ ଗାଡ଼ି ଜବତ, ବାଣପୁର ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ପିଡ଼ିଏସ ସାମଗ୍ରୀର ଚୋରା ଚାଲାଣ ସନ୍ଦେହରେ ପୋଲିସ ଏକ ଟାଟା ଏସି ଗାଡ଼ିକୁ ଜବତ କରିଛି। ଉକ୍ତ ଗାଡିଟି ଭେଟେଶ୍ୱର ଆଡୁ ବାଣପୁରକୁ ଆସୁଥିବାର ପୋଲିସ ଖବର ପାଇଥିଲା। ତେଣୁ ସନ୍ଦିଗ୍ଧ ଗାଡିଟିକୁ ପୋଲିସ ଅଟକ ରଖିବା ପରେ ସେଥିରୁ ପିଡ଼ିଏସ ସାମଗ୍ରୀ ଦେଖିବାକୁ ପାଇଥିଲା। ଗାଡିଟିକୁ ଜବତ କରି ପୋଲିସ ଥାନାକୁ ନେଇ ଆସିଥିବା ବେଳେ ଏହା ଉପରେ ତଦନ୍ତ ଜାରି ରହିଛି। ଏନେଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁର: ପିଡ଼ିଏସ ସାମଗ୍ରୀ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ, ପିଇଓ ଫେରାର

ନୟାଗଡ: ଗରିବ ହିତାଧିକାରୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି।  କିନ୍ତୁ ତାହାକୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ଜନପ୍ରତିନିଧି ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଟମାରଣା କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାର ଏକାଧିକ ଉଦାହରଣ ପୂର୍ବରୁ ରହିଛି। ତେବେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କେରଣ୍ଡାଟାଙ୍ଗୀ ପଞ୍ଚାୟତରେ ସମାନ ଜିନିଷ ଦେଖିବାକୁ ମିଳିଛି।

ଉକ୍ତ ପଞ୍ଚାୟତରେ ଆସୁଥିବା ପିଡ଼ିଏସ ସାମଗ୍ରୀ ଯଥା ଗହମ, ଚାଉଳ, କେରୋସିନ ଆଦିକୁ ଚୋରି କରି ବେସରକାରୀ ଦରରେ ବିକିବା ଅଭିଯୋଗରେ ଚାନ୍ଦପୁର ପୋଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଉକ୍ତ ଦୁଇ ଅଭିଯୁକ୍ତମାନେ ହେଲେ କେରଣ୍ଡାଟାଙ୍ଗୀ ଗ୍ରାମର କେଦାର ସ୍ୱାଇଁ ଏବଂ ପୂର୍ଣଚନ୍ଦ୍ର ଦଳାଇ। ସେହିଭଳି ଉକ୍ତ ଦୁଇ ଜଣଙ୍କ ସମେତ ପଞ୍ଚାୟତ ପିଇଓ ସୁନୀଲ ବେହେରା ଏବଂ ସରପଞ୍ଚଙ୍କ ଭାଇ ଧୀରେନ୍ଦ୍ର ପ୍ରଧାନ ମଧ୍ୟ ପିଡ଼ିଏସ ସାମଗ୍ରୀ ଚୋରି ଓ ଆତ୍ମସାତରେ ସମ୍ପୃକ୍ତ ଥିବା ବେଳେ ଉକ୍ତ ଦୁଇ ଜଣ ଅଦ୍ୟାବଧି ଫେରାର ଥିବା ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ତେବେ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ଥାନାରେ ଚୋରି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ କେସ ନମ୍ବର ୭୭/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିବାର ଆଇଆଇସି କହିଛନ୍ତି।

ସୂଚନା ଥାଉକି ବିଗତ ଦିନରେ ରଣପୁର ଅଞ୍ଚଳରେ ଉକ୍ତ ପିଡ଼ିଏସ ସାମଗ୍ରୀ ଚୋରିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହାପରେ ରଣପୁର ବିଡ଼ିଓ ଚାନ୍ଦପୁର ପୋଲିସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।