Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ମିଳିତ ପ୍ରୟାସରେ ସୋମବାର ଦିନ ସ୍ଥାନୀୟ ଟାଉନ୍ ହଲ ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଓ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ବିଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ରାଇକା ଯୋଗ ଦେଇଥିଲେ।

ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତା ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ମୁଖ୍ୟ ଅତିଥି ଭୂପିନ୍ଦର ସିଂ ନିଜ ବକ୍ତବ୍ୟରେ ଦେଶ ଓ ରାଜ୍ୟର ସାମଗ୍ରିକ ବିକାଶ ଓ ନିର୍ମାଣ ରେ ଶ୍ରମିକମାନଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ଶ୍ରମିକ ସହାୟତା ଯୋଜନାର ସୁଯୋଗ ନେବାକୁ ଏବଂ ନିଜକୁ ପଞ୍ଜୀକୃତ କରିବାକୁ ଅନୁରୋଧ କରିଥିଲେ।ଅନ୍ୟ ଅତିଥିଗଣ ସମସ୍ତଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇ ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ଯେଭଳି ସହାୟତା ପହଞ୍ଚିପାରିବ ତା ଉପରେ ଅଧିକାରୀ ଧ୍ୟାନ ଦେଲେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ପୂର୍ଣ୍ଣ ହେବ ବୋଲି କହିଥିଲେ।କଳାହାଣ୍ଡି ଜିଲ୍ଲା ରେ ଶ୍ରମିକ ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ମୃତ୍ୟୁ, ଅନ୍ତେଷ୍ଟିକ୍ରୀୟା, ବିବାହ, ମାତୃତ୍ଵ, ଶିକ୍ଷା ସହାୟତା ବାବଦକୁ ମୋଟ ୩,୦୨,୮୯୬୦୦/- ଟଙ୍କା ବିତରଣ କରାଯାଇଛି।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ନକଟିଗୁଡ଼ା ନିବାସୀ ମୃତ୍ୟୁ ସହାୟତାରେ ମୃତ କାର୍ତ୍ତିକ ସରାଫଙ୍କ ପତ୍ନୀ ଗୀତାଞ୍ଜଳି ସରାଫଙ୍କୁ ୨ ଲକ୍ଷ ଟଂକା , ଅନ୍ତେଷ୍ଟିକ୍ରିୟା ସହାୟତାରେ ଜୁନାଗଡ ବ୍ରାହ୍ମଣୀଗୁଡ଼ାର ସାରଦା ବାଗଙ୍କୁ ୫୦୦୦ ଟଙ୍କା, ସଂବୁନଗରପଡ଼ାର ରଶ୍ମିତା ସାସମଲଙ୍କୁ ୧ ଲକ୍ଷ ଟଂକା,ଶିକ୍ଷା ସହାୟତା ରେ କେସିଙ୍ଗାର ଲଟକାବାହାଲି ଗ୍ରାମର ଲଲିତା ମାଝୀଙ୍କୁ ୫୦୦୦ ଟଙ୍କା, ଚୂଡ଼ାମଣି ସାହୁଙ୍କୁ ବିବାହ ସହାୟତା ପାଇଁ ୫୦୦୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସଭାରେ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ଵ ଶ୍ରମିକ ଭାଇ ଭଉଣୀ, ଶ୍ରମିକ ସଂଗଠନ କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।