Categories
ବିଶେଷ ଖବର ରାଜ୍ୟ ଖବର

ବିପଦରେ ଓଡିଶା ଗଣମାଧ୍ୟମ: ପୁଣି ବନ୍ଦ ହେଲା ଆଉ ଏକ ଓଡିଆ ଚ୍ୟାନେଲ

ଭୁବନେଶ୍ବର: ବର୍ତ୍ତମାନ କରୋନା ପରେ ଓଡିଶା ଗଣମାଧ୍ୟମ ଏକ ବଡ ବିପଦଜନକ ପରିସ୍ଥିତି ଦେଇ ଗତି କରୁଛି। କାରଣ ଗୋଟିଏ ପରେ ଗୋଟିଏ ଚ୍ୟାନେଲ ବନ୍ଦ ହେବାକୁ ଯାଉଛି। ନିକଟରେ ଭାରତର ପ୍ରତିଷ୍ଠିତ ନ୍ୟୁଜ ନେଟୱେର୍କ ଜୀ ମିଡିଆ କରପୋର୍ରେସନ, ତାହାର ଜୀ ଓଡିଶା ଚ୍ୟାନେଲ ବନ୍ଦ କଲା। ଏହି ଚ୍ୟାନେଲରେ କାମ କରୁଥିବା ପ୍ରାୟ କୋଡିଏରୁ ଉର୍ଦ୍ଧ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଗଲା।

ଏହିପରି ପରିସ୍ଥିତିରେ ଓଡିଶାରେ ଆଉ ଏକ ଚ୍ୟାନେଲ ମଧ୍ୟ ତାହାର ପ୍ରସାରଣ ବନ୍ଦ କରିଛି। ସେହି ଚ୍ୟାନେଲଟି ହେଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ‘ମଞ୍ଜରୀ’ ଟିଭି। ଏହି ଚ୍ୟାନେଲଟି କଂପାନୀର ମନୋରଂଜନ ଚ୍ୟାନେଲ ଥିଲା। ଖୁବ କମ ଦିନ ମଧ୍ୟରେ ଏହି ଚ୍ୟାନେଲଟି ଜନ୍ମଲାଭ କରି ବନ୍ଦ ହୋଇଗଲା।

କିଛି ଦିନ ତଳେ ଏହି ଚ୍ୟାନେଲର ମୁଖ୍ୟ ରତିକାନ୍ତ ଶତପଥୀ କର୍ମଚାରୀଙ୍କୁ ଡାକି ମଞ୍ଜରୀ ଟିଭିର ଆଉ କୌଣସି କାର୍ଯ୍ୟକ୍ରମ ସୁଟିଂ ହେବ ନାହିଁ ବୋଲି ଘୋଷଣା କଲେ। ଏଥିରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ କଂପାନୀର ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ।  ହେଲେ ଯେଉଁମାନେ କୌଣସି ସ୍ଥାନରେ ଉପଯୁକ୍ତ ହେବେ ନାହିଁ ସେମାନଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି ଜଣାଇ ଦେଇଛନ୍ତି। ଏହି ଘୋଷଣା ପରେ କଂପାନୀ ବର୍ତ୍ତମାନ ସମସ୍ତ ଡିଟିଏଚରୁ ‘ମଞ୍ଜରୀ ଟିଭି’ର ପ୍ରସାରଣ ସଂଯୋଗ କାଟି ଦେଇଛି।

ମୁଖ୍ୟତଃ ବର୍ତ୍ତମାନ ଓଡିଶା ମିଡିଆ ବଜାରରେ ମଞ୍ଜରୀ ପ୍ରତିଯୋଗୀତା କରିବାକୁ ସମର୍ଥ ହୋଇପାରିଲା ନାହିଁ। ହେଲେ ଇଷ୍ଟର୍ଣ୍ଣ ମିଡିଆର ନ୍ୟୁଜ ଚ୍ୟାନେଲ ‘କନକ ଟିଭି’ ଏକ ପ୍ରକାରର ଭଲ ସ୍ଥିତିରେ ରହିଛି। ବାର୍କ ରିପୋର୍ଟ ଅନୁସାରେ କନକ ଟିଭି ଓଡିଶାର ଦ୍ବିତୀୟ ନ୍ୟୁଜ ଚ୍ୟାନେଲ ଭାବେ ସ୍ଥିତି ବଜାଇ ରଖିଛି। ସେହିପରି ଏହି କଂପାନୀର ସବୁଠାରୁ ଭଲ ସ୍ଥିତିରେ ଥିବା ମିଡିଆ ହେଉଛି ‘ସମ୍ବାଦ’ ନ୍ୟୁଜ ପେପର। ଏହି ଦୁଇ ଗଣମାଧ୍ୟମ ବର୍ତ୍ତମାନ କଂପାନୀର ଭଲ ଆୟକାରୀ ସଂସ୍ଥା ଭାବେ ପରିଚିତ ହୋଇପାରିଛି।

ଓଡିଶାର ମନୋରଂଜନ ଚ୍ୟାନେଲ ବଜାରରେ ବର୍ତ୍ତମାନ ରାଜ କରୁଛନ୍ତି ‘ତରଙ୍ଗ’ ଏବଂ ‘ଜୀ ସାର୍ଥକ’। ନିକଟରେ ଜୀ ସାର୍ଥକର ମୂଳ କଂପାନୀ ‘ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜସ ଲିମିଟେଡ’ ‘ସୋନି ଟିଭି’ ସହିତ ମିଶ୍ରଣ ହୋଇଛି। ଫଳରେ ଜୀ ସାର୍ଥକ ଓଡିଶାରେ ନୂଆ ରୂପରେ ଆସିବ ବୋଲି ଜଣାପଡିଛି। ଏହି ପ୍ରତିଯୋଗୀତାରେ ନିକଟରେ ସାମିଲ ହୋଇଛି ‘ସିର୍ଦ୍ଧାର୍ଥ ଟିଭି’। ସେହିପରି ‘କଲରସ ଓଡିଆ’ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରୁ ନାହିଁ। ଏହା ‘ଭାୟାକମ18’ ପରି ବଡ କଂପାନୀର ଚ୍ୟାନେଲ ହୋଇଥିଲେ ମଧ୍ୟ ଓଡିଆ ପ୍ରତି ସେମାନଙ୍କର ନଜର ନାହିଁ।

ଦେଶର ପ୍ରତିଷ୍ଠିତ ମନୋରଂଜନ ଚ୍ୟାନେଲ କଂପାନୀ ‘ଷ୍ଟାର ନେଟୱେର୍କ’ ଖୁବ ଶିଘ୍ର ଏକ ଓଡିଆ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛି। ତାହା ହେଲା ‘ଷ୍ଟାର କିରଣ’। ଏହା ଉଭୟ SD ଏବଂ HD ଫର୍ମାଟରେ ପ୍ରସାରଣ ହେବ। ଷ୍ଟାର କିରଣ ଯେଉଁ ହାଇ ବଜେଟର କାର୍ଯ୍ୟକ୍ରମ ନେଇ ଆସୁଛି ତାହା ଅନ୍ୟ ଚ୍ୟାନେଲ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଆହୁରି ପଢନ୍ତୁ: – ଓଡିଶା ମନୋରଂଜନ ଜଗତରେ ଆସୁଛି ଏକ ବଡ ବିପ୍ଲବ, ପ୍ରସାରଣ ହେବ ଷ୍ଟାର ଟିଭି ର ଓଡିଆ ଚ୍ୟାନେଲ ‘ଷ୍ଟାର କିରଣ’

ମୁଖ୍ୟତଃ ସାରା ଭାରତରେ ମନୋରଂଜନ ଦୁନିଆରେ ରାଜ କରୁଥିବା ଏହି କଂପାନୀର ବହୁ ଉଚ୍ଚ ମାନର କଣ୍ଟେଟ ମଧ୍ୟ ରହିଛି। ସେହି ଚ୍ୟାନେଲ ପ୍ରସାରଣ ଆରମ୍ଭ କଲେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବାର ସମ୍ଭାବନା ରହିଛି। ସେହିପରି ‘ଓଡିଶା ଟେଲିଭିଜନ ଲିମିଟେଡ’ର ‘ତରଙ୍ଗ’ ଚ୍ୟାନେଲ ମଧ୍ୟ ଅନ୍ୟ ଏକ ଜାତୀୟ ମନୋରଂଜନ ଚ୍ୟାନେଲ ସହ ଅନୁବନ୍ଧିତ ହେବା ପାଇଁ କଥାବାର୍ତ୍ତା ଜାରୀ ରଖିଛି ବୋଲି ଜଣାପଡିଛି।

ଫଳରେ ଓଡିଆ ଚ୍ୟାନେଲ ବଜାରରେ ଗୋଟିଏ ପଟେ ପୁରୁଣା ହଟୁଥିବା ବେଳେ ଅନ୍ୟପଟେ ନୂଆ ଚ୍ୟାନେଲର ଆର୍ବିଭାବ ହେବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଓଡିଆ ମନୋରଂଜନ ଜଗତରେ ସୃଷ୍ଟି ହେବ ହଇଚଇ, ଷ୍ଟାର ଟିଭି ଆଣୁଛି ଦୁଇଟି ନୂଆ ଓଡିଆ ଚ୍ୟାନେଲ

ନୂଆଦିଲ୍ଲୀ, ଓଡିଶା ମନୋରଂଜନ ଜଗତରେ ଆସିଛୁ ଆଉ ଏକ ବଡ ବିପ୍ଲବ। ତାହା ହେଲା ଦେଶର ନାମଜାଦା ମନୋରଂଜନ ଧର୍ମି ଟିଭି କଂପାନୀ ‘ଷ୍ଟାର ଇଣ୍ଡିଆ’ ଓଡିଶାରେ ଖୋଲୁଛି ଦୁଇଟି ନୂଆ ଚ୍ୟାନେଲ। ତାହାର ନାମ ହେଲା ‘ଷ୍ଟାର କିରଣ’ ଏବଂ ‘ଷ୍ଟାର କିରଣ ଏଚଡି’। ଏହି ଦୁଇଟି ଚ୍ୟାନେଲକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଲାଇସେନସ ପ୍ରଦାନ କରାଯାଇଛି।

ଷ୍ଟାର ଟିଭି ବର୍ତ୍ତମାନ ବିଶ୍ବର ନାମଜାଦା ଟେଲିଭିଜନ କଂପାନୀ ଡିଜିନ୍ ଦ୍ବାରା ପରିଚାଳିତ ହେଉଛି। ଏହି କଂପାନୀକୁ ଚାରୋଟି ଚ୍ୟାନେଲ ପାଇଁ ଲାଇସେନସ ମିଳିଛି। ଓଡିଶା ପାଇଁ ଏହି ଦୁଇଟି ସହିତ ଷ୍ଟାର ସ୍ପୋର୍ଟସ ୱାନ ତେଲୁଗୁ ଏବଂ ଷ୍ଟାର ଗୋଲ୍ଡ ଫାମିଲି ଲାଇସେନସ ହାସଲ କରିଛି।

ଏହି ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ମିଳିବା ପୂର୍ବରୁ କଂପାନୀ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଏ ନେଇ କଂପାନୀର କୋଲକାତା ଏବଂ ମୁମ୍ବାଇ ଅଧିକାରୀମାନେ ଦୁଇଥର ଓଡିଶା ଆସି ଓଡିଆ ଟେଲିଭିଜନ ପ୍ରଯୋଜକଙ୍କ ସହିତ ଆଲୋଚନା କରି ସାରିଲେଣି। କଣ ଏବଂ କି ପ୍ରକାରର ନୂଆ ନୂଆ କାର୍ଯ୍ୟକ୍ରମ ଓ ଧାରାବାହିକ ହେବ ସେ ନେଇ ବୈଠକ ହୋଇ ସାରିଛି। ଫଳରେ କଂପାନୀ ଏକ ବ୍ୟବସାୟିକ ଢଙ୍ଗରେ ଚ୍ୟାନେଲ ଆରମ୍ଭ କରିବା ବୋଲି ଜଣାପଡିଛି।

ବର୍ତ୍ତମାନ ଓଡିଶାରେ ପାଞ୍ଚୋଟି ମନୋରଂଜନ ଧର୍ମି ଚ୍ୟାନେଲ ପ୍ରସାରଣ ହେଉଛି। ସେଗୁଡିକ ହେଲା ଜୀ ସାର୍ଥକ, ତରଙ୍ଗ ଟିଭି, ମଞ୍ଜରୀ ଟିଭି, କଲରସ ଓଡିଆ ଏବଂ ସିଦ୍ଧାର୍ଥ ଟିଭି। ସେଥିମଧ୍ୟରୁ କେବଳ ଜୀ ସାର୍ଥକ ଏବଂ କଲରସ ଓଡିଆ ହେଉଛି ଜାତୀୟ ସ୍ତରର ମନୋରଂଜନ ଧର୍ମି ଚ୍ୟାନେଲ। ଓଡିଶାରେ ଷ୍ଟାରର ଏହି ଦୁଇଟି ନୂଆ ଚ୍ୟାନେଲର ପ୍ରସାରଣ ଆରମ୍ଭ ହେଲେ ଏହି ସଂଖ୍ୟା ସାତ ହେବ।

ଦୀର୍ଘବର୍ଷ ଧରି ଓଡିଶାର ମନୋରଂଜନ ବଜାରରେ ଜୀ ସାର୍ଥକ ଏବଂ ତରଙ୍ଗ ଟିଭି ସେମାନଙ୍କ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ଅନ୍ୟ ଚ୍ୟାନେଲଗୁଡିକ ସେହିପରି ଆକର୍ଷଣୀୟ କାର୍ଯ୍ୟକ୍ରମ ଦେବାରେ ବିଫଳ ହୋଇଛନ୍ତି। କଲରସ ଓଡିଆ ଭାରତର ନାମଜାଦା ଭାୟାକମ-18 କଂପାନୀର ହୋଇଥିଲେ ମଧ୍ୟ କର୍ତ୍ତୁପକ୍ଷ ଓଡିଆ ଚ୍ୟାନେଲ ପ୍ରତି ସେମିତି ଗୁରୁତ୍ବ ପ୍ରଦାନ କରୁ ନାହଁନ୍ତି। ଫଳରେ ଓଡିଆ ଦର୍ଶକଙ୍କୁ ନୂଆନୂଆ କାର୍ଯ୍ୟକ୍ରମ ଦେବାରେ ଏହି ଚ୍ୟାନେଲଟି ମଧ୍ୟ ବିଫଳ ହୋଇଛି। ସେହିପରି ଓଡିଶା ମିଡିଆ ଜଗତର ନାମାଜାଦା ବ୍ୟକ୍ତିତ୍ବ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ମଂଜରୀ ଟିଭି ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହିଁ।

ଓଡିଶାର ମନୋରଂଜନ ଶିଳ୍ପର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ ସୀତାରାମ ଅଗ୍ରୱାଲା ମଧ୍ୟ ନୂଆ ଚ୍ୟାନେଲ ବଜାରକୁ ଆଣିଛନ୍ତି। ଯାହାର ନାମ ରହିଛି ସିଦ୍ଧାର୍ଥ ଟିଭି। ପୂର୍ବରୁ ସୀତାରାମ ସାର୍ଥକ ଟିଭି ପ୍ରତିଷ୍ଠା କରି ବେଶ୍ ଲୋକପ୍ରିୟ କରାଇ ପାରିଥିଲେ। ଯାହା ପରବର୍ତ୍ତି ସମୟରେ ଜୀ ଏଣ୍ଟରଣ୍ଟେନମେଣ୍ଟ କଂପାନୀକୁ ବିକ୍ରି କରିଦେଲେ। ବର୍ତ୍ତମାନ ଏହା ‘ଜୀ ସାର୍ଥକ’ ଭାବେ ପ୍ରସାରଣ ହେଉଛି। ତେବେ ସୀତାରାମଙ୍କ ସିଦ୍ଧାର୍ଥ ଟିଭି ନୂଆ ଭାବେ ବଜାର ପ୍ରବେଶ କରିଥିବାରୁ ଏହା ଲୋକପ୍ରିୟତା ହାସଲ କରିବା ଅପେକ୍ଷାରେ ରହିଛି।

ତେବେ ଏସବୁ ପ୍ରତିଯୋଗୀତା ଭିତରେ ଷ୍ଟାର କିରଣ ନିଶ୍ଚିତ ଭାବେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଷ୍ଟାର କିରଣ ଏଚଡି ଚ୍ୟାନେଲ ଓଡିଶା ବଜାର ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିବ। କାରଣ ବର୍ତ୍ତମାନ ଜାତୀୟ ତଥା ଅନେକ ଆଞ୍ଚଳିକ ଭାଷାରେ ଏଚଡି ବା ହାଇ ଡେଫିନେସନ ଚ୍ୟାନେଲ ରହିଥିଲେ ମଧ୍ୟ ଓଡିଶାରେ ଏହା ନାହିଁ। ଷ୍ଟାର କିରଣ ଏଚଡି ଚ୍ୟାନେଲ ନିଶ୍ଚିତ ଭାବେ ଓଡିଶା ଦର୍ଶକଙ୍କୁ ଏକ ନୂଆ ସ୍ବାଦ ପ୍ରଦାନ କରିବ।

(ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ସୋସିଆଲ ମିଡିଆରୁ ସଂଗ୍ରହ କରାଯାଇଛି। ଏହା କଂପାନୀ ଘୋଷିତ ଲୋଗୋ ନୁହେଁ)