Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭାଇବୋହୁ ଆକ୍ରମଣରେ ଦେଢଶୁରର ଫାଟିଲା ମୁଣ୍ଡ: ଅଭିଯୋଗର ୩ଦିନ ପରେ ମଧ୍ୟ ଖୋଲା ବୁଲୁଛନ୍ତି ଅଭିଯୁକ୍ତ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ସ୍ଥିତ ମଣିଜଙ୍ଗା ଗ୍ରାମରେ ଭାଇବୋହୁର ଆକ୍ରମଣରେ ଦେଢଶୁରର ମୁଣ୍ଡ ଫାଟିବା ଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁଯାୟୀ ମଣିଜଙ୍ଗା ଗ୍ରାମର ଶୁଶାନ୍ତ ଦାସଙ୍କ ସହିତ ନିଜ ସ୍ତ୍ରୀ ଓ ପୁଅ ଝଗଡ଼ା କରୁଥିବା ଖବର ପାଇ ଶୁଶାନ୍ତଙ୍କ ବଡଭାଇ ରବିନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ। ଏଥିରେ ଉତ୍ତେଜିତ ହୋଇ ଭାଇବୋହୁ ନିରୁପମା ଦାସ ଓ ପୁତୁରା ଶଶିକାନ୍ତ ହଠାତ୍ ଏକ କାଠଫାଳିଆ ଆଣି ରବିନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରବିନ୍ଦ୍ରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଯଥାଶୀଘ୍ର ତାଙ୍କୁ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଏନେଇ ବୁଧବାର ଦିନ ରବିନ୍ଦ୍ର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ।

ଥାନାରେ ଅଭିଯୋଗ ହେବାର ତିନିଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ଅପରପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଣିଜଙ୍ଗା ଏମ୍.ସି.ଆଇ.ଆଇ ବିଭାଗର ମହାଦୁର୍ନୀତି: ଜିଲ୍ଲାପାଳ ଓ ଫାଇବ୍ ଟିର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରମେଶ ମହାନ୍ତି
ଜଗତସିଂହପୁର: ଗ୍ରାମାଞ୍ଚଳରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ଜଳସେଚନର ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି। ହେଲେ କିଛି ଅସାଧୁ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଅର୍ଥ ଚଳୁ କରାଯାଉଥିବା ବେଳେ ବିକାଶ କେବଳ କାଗଜପତ୍ରରେ ଚାଲିଛି ବୋଲି କୁହାଯାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ।

ମଣିଜଙ୍ଗା ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ (ଏମ୍.ସି.ଆଇ.ଆଇ) ବିଭାଗର ମଣିଜଙ୍ଗା ସ୍ଥିତ କାର୍ଯ୍ୟାଳୟ ଅଧିନରେ ଚାଲୁଥିବା କୋଟି କୋଟି ଟଙ୍କାର କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରଭାବଶାଳୀ ଠିକାଦାର ଜଣକ କିଛି ଅସାଧୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କରାୟତ କରି କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ୍ କରିବାକୁ ଯୋରଦାର ଉଦ୍ୟମ ଚଲାଇଥିବା କୁହାଯାଉଥିବା ବେଳେ ଏନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ଓ ଫାଇବ୍ ଟି କୁ ଅଭିଯୋଗ କରାଯାଇଛି।

ଏମିତିକି ଉକ୍ତ କାର୍ଯ୍ୟ ସମ୍ପର୍କରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ସଂପୃକ୍ତ ଠିକାଦାର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ଧମକ ଚମକ ଦେଉଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବ ନା ପ୍ରଭାବଶାଳୀ ଠିକାଦାରର ଚାପରେ ଅଭିଯୋଗକୁ ଫାଇଲ୍ ତଳେ ଚାପି ଦିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଠାରୁ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ବିଳାସପୁର ଛକଦେଇ ଯାଇଥିବା ୧୦.ଡି ମାଇନର କେନାଲ କାର୍ଯ୍ୟ କରୁଥିବା ଠିକାଦାର ଯେନତେନ ପ୍ରକାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଏହି କେନାଲ କାର୍ଯ୍ୟ ନିମନ୍ତେ ୩କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ବରାଦ ହୋଇଥିବା କୁହାଯାଉଥିବା ବେଳେ ବିଭାଗୀୟ ଏମ୍.ସି.ଆଇ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ସମ୍ପୃକ୍ତ ଠିକାଦାର ଉକ୍ତ କୋଟି କୋଟି ଟଙ୍କାର ଅର୍ଥ ହଡ଼ପ କରିବାକୁ ଯୋରଦାର ଭିତିରି ଉଦ୍ୟମ ଚଲାଇଛି ବୋଲି କୁହାଯାଉଛି।

ଏମିତିକି ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ମଗାଯିବାର ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ତଥ୍ୟ ଦେଉନାହାଁନ୍ତି କାହିଁକି ? ସମ୍ପୃକ୍ତ ଠିକାଦାରକୁ ବିଭାଗୀୟ ଅଧିକାରୀମାନେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାଁନ୍ତି ତ, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରର କିଭଳି ମଧୁଚନ୍ଦ୍ରିକା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କୁହାଯାଉଛି। କିଛି ଅସାଧୁ ବିଭାଗୀୟ ଅଧିକାରୀଙ୍କ ଏଭଳି ଠିକାଦାର ପ୍ରୀତି ଯୋଗୁଁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଉନ୍ନତିକରଣ ନିମନ୍ତେ ଆସୁଥିବା କୋଟି କୋଟି ଟଙ୍କାର ଅର୍ଥ ସଠିକ୍ କାର୍ଯ୍ୟରେ ଲାଗିବା ପରିବର୍ତ୍ତେ ଠିକାଦାର ଚଳୁ କରିଦେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପକ୍ଷରେ ସୂଚନାନୁଯାୟୀ ନିକଟସ୍ଥ ଚାଷୀଙ୍କ ସୁବିଧା ପାଇଁ ଚାଷଜମି ଗୁଡିକୁ ପାଣି ଯୋଗାଇବା ନିମନ୍ତେ ନିର୍ମାଣ କରାଯାଉଥିବା ଉକ୍ତ କେନାଲଟି କେତେକ ଚାଷୀଙ୍କ ବ୍ୟକ୍ତିଗତ ଚାଷଜମି ଭିତରକୁ ମାଡି କରାଯାଇଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଉକ୍ତ କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ଲ୍ୟାଣ୍ଡମାର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ମାପ ପୂର୍ବରୁ କେତେକ ଚାଷୀଙ୍କୁ ସେଠାରେ ଉପସ୍ଥିତ ରହିବା ପାଇଁ ନୋଟିସ୍ କରାଯାଇ ନଥିବା ବେଳେ ଉକ୍ତ ଚାଷୀ ମାନଙ୍କର ବ୍ୟକ୍ତିଗତ ଜମିକୁ ଜବରଦଖଲ କରି ଉକ୍ତ କେନାଲ୍ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି।

ଏଥିସହିତ ସାମନ୍ତରାପୁର ପଞ୍ଚାୟତର କେତେକ ସ୍ଥାନରେ ଅନାବାଦି ଓ ଗ୍ରାମ୍ୟ ସଂରକ୍ଷିତ ଗୋଜର ଯାଗା ଉପରକୁ ମାଡି ଉକ୍ତ କେନାଲଟି ନିର୍ମାଣ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରୁ ଏପରି ଅଭିଯୋଗ ଶୁଣିବାକୁ ମିଳୁଛି। ଉକ୍ତ କେନାଲ କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମୋ ସରକାର (ଫାଇବ୍ ଟି) ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣଦୁଷ୍କର୍ମ ଓ ଚୋରି ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ମଣିଜଙ୍ଗା-ଏରସମା ରାସ୍ତା ଅବରୋଧ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ବୋଧେଇ ପଞ୍ଚାୟତ ଜୋକେଇ ଗ୍ରାମରେ ଗତ ୧୬ ତାରିଖ ରାତିରେ ହୋଇଥିବା ଗଣଦୁଷ୍କର୍ମ ଓ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି।‌ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଓ ଅଭିଯୁକ୍ତଙ୍କ‌ ଗିରଫ ଦାବୀରେ ଶନିବାର ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଏମାନେ ମଣିଜଙ୍ଗା-ଏରସମା ରାସ୍ତାର ପୁରୀଜେନା ଛକ ଠାରେ ରାସ୍ତା ଅବରୋଧ ସହ ପ୍ରତିବାଦ କରିଥିଲେ। ସକାଳ ୯ଟା ଠାରୁ ଦିର୍ଘ ୫ଘଣ୍ଟା ଧରି ଶତାଧିକ ମହିଳା ରାସ୍ତା ଉପରେ ବସି ରହିବା ସହ ଘଟଣାରେ ପୋଲିସର ନିସ୍କ୍ରିୟତା ବିରୋଧରେ ସ୍ଳୋଗନ ସହ ଅଭିଯୁକ୍ତଙ୍କ ଗିରଫ ଦାବୀ କରିଥିଲେ। ତିର୍ତ୍ତୋଲ ଆଇଆଇସି ଭାବଗ୍ରାହୀ ରାଉତଙ୍କ ସହ ଅନ୍ୟ ପୋଲିସ ଦିର୍ଘ ୪ଘଣ୍ଟା ପରେ ଘଟଣା ସ୍ଥଳରେ‌ ପହଞ୍ଚି ମହିଳା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଜିଲ୍ଲାପାଳ କିମ୍ବା ଏସପି ନଆସିଲେ ସେମାନେ ରାସ୍ତାରୁ ଉଠିବେ ନାହିଁ ବୋଲି ରୋକଠୋକ ପୋଲିସ ଆଗରେ କହିଥିଲେ।

ପରେ ତିର୍ତ୍ତୋଲ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଦିପକ ରଞ୍ଜନ ଜେନା ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ହଟିଥିଲା। ଏଥିପାଇଁ ଦିର୍ଘ ୫ଘଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିବା ଫଳରେ ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଏଥିରେ ମହିଳା ନେତ୍ରୀ ସ°ଘମିତ୍ରା ଦାସଙ୍କ ସହ ପିଡିତା, ପିଡିତାଙ୍କ ନଣନ୍ଦ ମମତା ସାହୁ (ଅଭିଯୁକ୍ତଙ୍କ ଆକ୍ରମଣରେ ଆହତ), ସରପଞ୍ଚ ସନ୍ତୋଷ ସେଠୀ, ପୂର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଅନିଲ କାନୁନଗୋ, ସମିର ବିଶ୍ବାଳ, ରମାକାନ୍ତ ମଲ୍ଲିକ, କେଦାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଞ୍ଚଳିକ

ମଣିଜଙ୍ଗା ନୋଡାଲ୍ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡାଲ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକତା କରିଆସୁଥିବା ଦୁଇ କୃତି ଶିକ୍ଷକଙ୍କୁ ଅବସରକାଳିନ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି।ମଣିଜଙ୍ଗା ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାରଦା ପ୍ରସନ୍ନ ଜେନା ଓ ସହକାରୀ ଶିକ୍ଷକ ଶ୍ରୀନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କରୋନା କଟକଣାକୁ ପାଳନ ପୂର୍ବକ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଆଲୋକ ମହାପାତ୍ର ସଭା ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ତିର୍ତ୍ତୋଲ ବ୍ଲକ ଏବିଓ ଅନନ୍ତ କିଶୋର ଭୂୟାଁ,ପ୍ରସନ୍ନ କୁମାର କର,ତିର୍ତ୍ତୋଲ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ,ଶିକ୍ଷକସଂଘ ଓଷ୍ଟାର ଜଗତସିଂହପୁର ଜିଲ୍ଲା ସମ୍ପାଦକ ନାରାୟଣ ବାରିକ ସମେତ ବସନ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ, ସୁଶୀଲ କୂଅଁର ,ଅନିଲ ଜେନା ପ୍ରମୁଖ ଓଷ୍ଟାର କର୍ମକର୍ତ୍ତା ଯୋଗଦେଇଥିଲେ।

ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଫକୀର ଚରଣ ସ୍ୱାଇଁ,କୋଷାଧ୍ୟକ୍ଷ ବିଷ୍ଣୁ ସ୍ୱାଇଁ, କୁଳମଣି ସାହୁ ପ୍ରମୁଖ କର୍ମକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ଯୋଗଦେଇ ଦୁଇ କୃତି ଶିକ୍ଷକଙ୍କର ଗୁଣଗାନ କରିବା ସହ ଉପଢୌକନ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବିଦୁଲତା ସ୍ୱାଇଁ, ସଂଧ୍ୟା ଦାସ,କନକଲତା ସାହୁ,ସବିତା ମାଣିକ, ରଞ୍ଜନ ସାହୁ,ବିଜୟଲକ୍ଷ୍ମୀ ସ୍ୱାଇଁ, ଯୋଗମାୟା ବର୍ଦ୍ଧନ,ତୃପ୍ତିମୟୀ ସାହୁ,ଝାଟୁ ବାରିକ ଓ ପୁରସ୍ତମ ଦାସ ପ୍ରମୁଖ ଦୁଇ ବିଦାୟୀ ଶିକ୍ଷକଙ୍କୁ ବିଦାୟୀ ସଂଗୀତ ଗାନ କରି ଉପଢୌକନ,ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଉଭୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ସଂଘର ନେତାମାନେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କର ଉଚ୍ଚ ପ୍ରଶଂସା କରିଥିଲେ।