Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ମତ୍ସ୍ୟ ଚାଷର ବିକାଶ

ଭୁବନେଶ୍ଵର: ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟ ବିଭାଗ (ଡିଓଏଫ) ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମ୍ଏମ୍ଏସୱାଇ) କାର୍ଯ୍ୟକାରୀ କରୁଛି। ପିଏମଏମଏସୱାଇ ଅଧୀନରେ ଭାରତ ସରକାରଙ୍କ ଡିଓଏଫ, ଏମଓଏଫ୍ଏଏଚ ଆଣ୍ଡ ଡି ଗତ ଚାରି ବର୍ଷ ଏବଂ ଚଳିତ ଆର୍ଥିକ ବର୍ଷରେ ୫୧୦.୯୪ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ସହିତ ୧୨୬୪.୨୩ କୋଟିର ଓଡ଼ିଶା ସରକାରଙ୍କଠାରୁ ପ୍ରାପ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିମଧ୍ୟରୁ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଉପଯୋଗ ରିପୋର୍ଟ ଆଧାରରେ ଓଡ଼ିଶା ସରକାରଙ୍କୁ ଏପର୍ଯ୍ୟନ୍ତ ୨୭୧.୧୭ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶ ପ୍ରଦାନ କରାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ବିଜ୍ଞପିତ ‘ଜାତୀୟ ସାମୁଦ୍ରିକ ମତ୍ସ୍ୟ ନୀତି, ୨୦୧୭’ରେ ସ୍ଥାୟୀତ୍ବ ସୁନିଶ୍ଚିତ କରିବା ପାଇଁ ମତ୍ସ୍ୟ ସମ୍ପଦର ସଂରକ୍ଷଣ ଏବଂ ସର୍ବୋତ୍ତମ ଉପଯୋଗର ମାର୍ଗଦର୍ଶକ ନୀତି ପ୍ରଦାନ କରାଯାଇଛି। ବାଣିଜ୍ୟିକ ମାଛ ପ୍ରଜାତିର ପ୍ରମୁଖ ପ୍ରଜନନ ଋତୁରେ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳରେ ଭାରତର ଇଇଜେଡ୍ ରେ ମାଛ ଧରା ନିଷେଧ ମତ୍ସ୍ୟ ବିଭାଗ କାର୍ଯ୍ୟକାରୀ କରୁଛି। ଭାରତ ସରକାର ମତ୍ସ୍ୟଚାଷକୁ ବଜାୟ ରଖିବା ପାଇଁ ସଫଳ ପ୍ରଜନନ ଏବଂ ଦୃଢ଼ ନିଯୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଉପକୂଳ ସମେତ ପୂର୍ବ ଉପକୂଳରେ ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଥାଏ। ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟନ୍ତ୍ରଣ ଆଇନ, ୧୯୮୧ ଜରିଆରେ ଓଡ଼ିଶା ସରକାର ଓଡ଼ିଶା ଉପକୂଳରେ ମତ୍ସ୍ୟଚାଷର ସ୍ଥାୟୀ ପରିଚାଳନା ପାଇଁ ରାଜ୍ୟର ଜଳସୀମାରେ ମାଛଧରା କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାନ୍ତି। ଏହାବ୍ୟତୀତ ଭାରତ ସରକାର କ୍ଷତିକାରକ ମାଛ ଧରା ପଦ୍ଧତି ଯଥା ପେୟାର କିମ୍ବା ବୁଲ୍‌ ଟ୍ରୋଲିଂ ଏବଂ ଇଇଜେଡ୍ ମଧ୍ୟରେ ମାଛ ଧରିବା ପାଇଁ ଏଲ୍ଇଡି କିମ୍ବା କୃତ୍ରିମ ଲାଇଟ୍ ବ୍ୟବହାର କୁ ନିଷିଦ୍ଧ କରିଛନ୍ତି।

ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ୩୮ ୟୁନିଟ୍ ଶୀତଳ ଭଣ୍ଡାର ଓ ଆଇସ୍ ପ୍ଲାଣ୍ଟ, ମାଛ କିଓସ୍କ, ଜୀବନ୍ତ ମାଛ ଭେଣ୍ଡିଂ ସେଣ୍ଟର, ଇନସୁଲେଟେଡ୍ ଗାଡି, ରେଫ୍ରିଜେରେଟେଡ ଗାଡି, ଆଇସ ବକ୍ସ ସହ ତିନି ଚକିଆ ଯାନ ଏବଂ ଆଇସ୍ ବକ୍ସ ସହିତ ମୋଟର ସାଇକେଲ ସମେତ ୧୧୨୫ ୟୁନିଟ୍ ମାଛ ମାର୍କେଟିଂ ସୁବିଧାକୁ ଅନୁମୋଦନ କରିଛି। ଓଡ଼ିଶାର ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରକ୍ରିୟାକରଣ ସୁବିଧା ଥିବା ଦୁଇଟି ଅତ୍ୟାଧୁନିକ ହୋଲସେଲ ମାଛ ମାର୍କେଟକୁ ମଧ୍ୟ ମଞ୍ଜୁରୀ ମିଳିଛି।

ଓଡ଼ିଶାରୁ ମାଛ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ପାଇଁ ପିଏମଏମଏସୱାଇ ଅଧୀନରେ ଲୁଣି ପାଣି ଓ ମଧୁର ଜଳ ମାଛ ଚାଷ ପାଇଁ ନୂତନ ପୋଖରୀ ନିର୍ମାଣ, ରିସର୍କୁଲାଟୋରି ଆକ୍ବାକଲଚର ସିଷ୍ଟମ (ଆରଏଏସ), ବାୟୋଫ୍ଲୋକ୍ ଏବଂ ଜଳଭଣ୍ଡାର କେଜ୍ କଲ୍‌ଚର ଭଳି କାର୍ଯ୍ୟକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଚିଙ୍ଗୁଡ଼ି ଉତ୍ପାଦନ ଓ ପ୍ରକ୍ରିୟାକରଣ କ୍ଲଷ୍ଟର ବିକାଶ ପାଇଁ ମତ୍ସ୍ୟ ବିଭାଗ, ଭାରତ ସରକାର ନିକଟରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ପିଏମଏମଏସୱାଇ ଅଧୀନରେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ୧୭୯.୯୦ କୋଟି ଟଙ୍କା ବ୍ୟୟରେ ପୁରୀର ଅସ୍ତରଙ୍ଗଠାରେ ମାଛଧରା ବନ୍ଦର ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାବ୍ୟତୀତ ୧୦୮.୯୧ କୋଟି ଟଙ୍କା ବ୍ୟୟରେ ପାରାଦୀପ ମାଛଧରା ବନ୍ଦରର ଆଧୁନିକୀକରଣ ଓ ଉନ୍ନତିକରଣ ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟର ପ୍ରସ୍ତାବକୁ ପିଏମଏମଏସୱାଇ ଅଧୀନରେ ଶତ ପ୍ରତିଶତ କେନ୍ଦ୍ରୀୟ ଅଂଶ ସହିତ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ମଞ୍ଜୁର କରିଛି।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ୧୯ ମାର୍ଚ୍ଚ, ୨୦୨୫ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ମତ୍ସ୍ୟ ସମ୍ବନ୍ଧୀୟ ୪୫୮ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୮୫ ଜଣ ମହିଳା ମତ୍ସ୍ୟ ଚାଷୀଙ୍କୁ ଆଧୁନିକ ମତ୍ସ୍ୟ କୌଶଳରେ ତାଲିମ ଦିଆଯାଇଛି ବୋଲି ଓଡ଼ିଶା ସରକାର ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମତ୍ସ୍ୟ ବିଭାଗ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ‘ପ୍ରଶିକ୍ଷଣ, ସଚେତନତା, ପ୍ରଦର୍ଶନ ଏବଂ ଦକ୍ଷତା ବିକାଶ’ ନାମକ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା କାର୍ଯ୍ୟକାରୀ କରୁଛି। ପିଏମଏମଏସୱାଇ ଅଧୀନରେ ୧୦୦% କେନ୍ଦ୍ରୀୟ ସହାୟତା ରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ଏନଏଫଡିବି)କୁ ନୋଡାଲ ସଂଗଠନ ଭାବରେ ମନୋନୀତ କରାଯାଇଛି। ୩୪୬୦ ଜଣ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀଙ୍କୁ ତାଲିମ ଦେବା ପାଇଁ ପିଏମଏମଏସୱାଇ ଅଧୀନରେ ଓଡ଼ିଶାର ମତ୍ସ୍ୟ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ସଂସ୍ଥାକୁ ୬୫ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁମୋଦନ କରାଯାଇଛି।

ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଏହି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅହମ୍ମଦାବାଦରେ ସଫଳତାର ସହ ଶେଷ ହେଲା ବୈଶ୍ୱିକ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ 2023

ଅହମ୍ମଦାବାଦ: ଦେଶରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକରୁ ଅଧିକ ପ୍ରଯୁକ୍ତି ଜ୍ଞାନକୌଶଳ ଓ ନବସୃଜନକୁ ଗ୍ରହଣ କରିବାର ଆହ୍ୱାନ ଦେଇ ବୁଧବାର ଅହମ୍ମଦାବାଦରେ ବୈଶ୍ବିକ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ 2023 ସଫଳତାର ସହ ଶେଷ ହୋଇଛି।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଗଣମାଧ୍ୟମକୁ କହିଛନ୍ତି ଯେ ଅହମ୍ମଦାବାଦରେ ଏହି କାର୍ଯ୍ୟକ୍ରମକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବାରେ ସହାୟତା କରିଥିବାରୁ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ସେ ମତ୍ସ୍ୟଜୀବୀ ସମୁଦାୟ ଏବଂ ଅନ୍ୟ ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି, ଯେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ପ୍ରଥମ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ, ଅନ୍ତର୍ଜାତୀୟ ସଂଗଠନ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଏକ ବୈଶ୍ୱିକ ମତ୍ସ୍ୟ ସମ୍ମିଳନୀ ଆୟୋଜନ କରିଛି।

ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ 14,000ରୁ ଅଧିକ ପ୍ରତ୍ୟେକ୍ଷ ଏବଂ ଭର୍ଚୁଆଲ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ପାଳନ ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୈତିକ ପ୍ରତିନିଧି ଦଳ, ବିଶ୍ୱର ବିଭିନ୍ନ ମତ୍ସ୍ୟ ବୈଜ୍ଞାନିକ, ନୀତି ନିର୍ମାତା, ମତ୍ସ୍ୟଜୀବୀ ସମୁଦାୟ ଏବଂ ନିବେଶକାରୀ ବ୍ୟାଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ଅଂଶୀଦାରମାନଙ୍କୁ ଏକାଠି କରିବାରେ ଏହି ସମ୍ମିଳନୀ ସଫଳ ହୋଇଛି ।

ଏହି ସମ୍ମିଳନୀ ଅବସରରେ 5ଟି ବୈଷୟିକ ଅଧିବେଶନ, 5ଟି ଶିଳ୍ପ ସଂଯୋଗ ଏବଂ 5ଟି ସରକାରରୁ ସରକାର (G2G) ଏବଂ ସରକାରରୁ ବ୍ୟବସାୟ ବା ଗଭର୍ଣ୍ଣମେଣ୍ଟ-ଟୁ-ବିଜନେସ୍ (G2B) ଏବଂ ବ୍ୟବସାୟରୁ ବ୍ୟବସାୟ ବା ବିଜନେସ୍-ଟୁ-ବିଜନେସ୍ (B2B) ଅଧିବେଶନକୁ ନେଇ ଏକ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

ସେହିପରି ଏହି ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀ, ଖାଦ୍ୟ ଷ୍ଟଲ, ଆକ୍ୱାରିୟମ୍, କୃତ୍ରିମ ରିଫ୍, ସାମୁଦ୍ରିକ ଶୈବାଳ ଚାଷ, ମତ୍ସ୍ୟ ଚାଷ, ସାମୁଦ୍ରିକ କେଜ୍ କଲଚର ବା ପଞ୍ଜୁରୀ ମାଛ ଚାଷ, ବାୟୋଫ୍ଲୋକ୍, ଆରଏଏସ୍, ମାଛ ଖାଦ୍ୟ, ଏଲପିଜି କନଭର୍ଟର କିଟ୍, ମୋତି ଉତ୍ପାଦନ, ଓ ନ୍ୟୁକ୍ଲିୟସ୍ ପ୍ରତିରୋପଣ, ସାଟ୍କମ୍ ଉପଗ୍ରହ ଟର୍ମିନାଲ ଯୋଗାଯୋଗ ବ୍ୟବସ୍ଥାର ମଡେଲ୍, ପରିବେଶ ଅନୁକୂଳ ସ୍ଥାନାନ୍ତର କିଓସ୍କ ଆଦି ପ୍ରଦର୍ଶନ କରାଯାଇଥିଲା। ଗତକାଲି ଏହି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଫିଜିକାଲ ବା ପ୍ରତ୍ୟେକ୍ଷ ଏବଂ ଅନଲାଇନ ମୋଡରେ ଭଲ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଏକ ବଡ ସଫଳତା ଦେଇଥିଲା ।

ଶିଳ୍ପ ସଂଯୋଗ ଅଧିବେଶନ

ଶିଳ୍ପ ସଂଯୋଗ ଅଧିବେଶନରେ ଶ୍ରମିକ ନେତା, ନୀତି ନିର୍ମାତା, ଉଦ୍ୟୋଗୀ ଏବଂ ବିଶେଷଜ୍ଞମାନଙ୍କୁ ଏକାଠି କରାଯାଇଥିଲା ଏବଂ ଏହି କ୍ଷେତ୍ର ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ମତ୍ସ୍ୟ ଶିଳ୍ପରେ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନବାସୃଜନ, ଜ୍ଞାନକୌଶଳ ଗ୍ରହଣ, ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ ।

ଏହି ଅଧିବେଶନରେ ମତ୍ସ୍ୟ ଚାଷ​‌ କ୍ଷେତ୍ରର ବିକଶିତ ଦୃଶ୍ୟପଟ୍ଟ ଉପରେ ଆଲୋକପାତ କରାଯିବା ସହ ଷ୍ଟାର୍ଟଅପ୍ ର ଭୂମିକା, ମତ୍ସ୍ୟ ମୂଲ୍ୟ ଶୃଙ୍ଖଳାରେ ମହିଳାଙ୍କ ଅଂଶଗ୍ରହଣ, ଉତ୍ପାଦନ ପରବର୍ତ୍ତୀ ମତ୍ସ୍ୟ ପରିଚାଳନାରେ ଶୀତଳ ଶୃଙ୍ଖଳାର ଗୁରୁତ୍ୱ ଏବଂ ବୈଷୟିକ ଜ୍ଞାନକୌଶଳର ପରିବର୍ତ୍ତନଶୀଳ ଭୂମିକା ଉପରେ ଆଲୋଚନା କରାଯାଇଥିଲା।

‘ମତ୍ସ୍ୟ ଓ ଜଳ କୃଷିରେ ଷ୍ଟାର୍ଟଅପ୍ ର ଭୂମିକା’ ଶୀର୍ଷକ ଏହି ଅଧିବେଶନରେ ବକ୍ତାମାନେ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ପାଇଁ ସହଜରେ ବ୍ୟବହୃତ ଏବଂ ଅର୍ଥିକ  ଭାବେ ସୁଲଭ ବ୍ୟବହାର ଯୋଗ୍ୟ ଉତ୍ପାଦ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଧୀରେ ଧୀରେ ଟେକ୍ନୋଲୋଜିକୁ ଗ୍ରହଣ କରିବା, ପୁଞ୍ଜିନିବେଶର ଅଭାବ, ପର୍ଯ୍ୟାପ୍ତ ବଜାର ବ୍ୟବସ୍ଥାର ଅଭାବ  ଏବଂ ବୈଷୟିକ ସହାୟତାର ଅଭାବ ଏହି ଶିଳ୍ପ କ୍ଷେତ୍ରରେ ଥିବା ପ୍ରମୁଖ ପ୍ରତିବନ୍ଧକ ବୋଲି ଆଲୋଚନା ହୋଇଥିଲା । ଏହି କ୍ଷେତ୍ରରେ ଦୀର୍ଘକାଳୀନ ସ୍ଥାୟୀତ୍ବ ବା ନିରନ୍ତରତା ପାଇଁ ପରିପୂରକ ସେବା ସହିତ ଷ୍ଟାର୍ଟଅପ୍ ରେ ସହଯୋଗ ଏକ ପ୍ରମୁଖ ରଣନୀତି ଭାବରେ ଚିହ୍ନଟ କରାଯାଇଥିଲା ।

ଏବେ ମଧ୍ୟ ମହିଳାମାନଙ୍କୁ କମ୍ ଗୁରୁତ୍ୱ ଏବଂ କମ୍ ବେତନ ଦିଆଯାଉଛି

“ମତ୍ସ୍ୟ ଚାଷରେ ମହିଳାଙ୍କ ଅଂଶଗ୍ରହଣ ଓ ମୂଲ୍ୟ ଶୃଙ୍ଖଳା” ଶୀର୍ଷକ ଶିଳ୍ପ ସମ୍ପର୍କୀୟ ଅଧିବେଶନ ଅନୁଯାୟୀ, ମତ୍ସ୍ୟ ଚାଷ କ୍ଷେତ୍ରରେ ଅମଳ ପରବର୍ତ୍ତୀ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଯୋଗଦାନ ସତ୍ତ୍ୱେ ମହିଳାମାନଙ୍କୁ କମ୍ ଗୁରୁତ୍ୱ ଦିଆଯାଉଛି ଏବଂ କମ୍ ମଜୁରି ମଧ୍ୟ ପ୍ରଦାନ କରାଯାଉଛି ।

ଏହି ଅଧିବେଶନରେ ସାମାଜିକ ଭିତ୍ତିଭୂମିର ଅଭାବ, ଲିଙ୍ଗଗତ ସମ୍ବେଦନଶୀଳତାର ଅଭାବ ଏବଂ କମ୍ ସଚେତନତା ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରାଯାଇଥିଲା । ପ୍ରସ୍ତାବିତ ସମାଧାନ ଗୁଡ଼ିକ ମଧ୍ୟରେ ସହାୟତା ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସଚେତନତା ସୃଷ୍ଟି ଅଭିଯାନ ଏବଂ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ । ମହିଳାମାନଙ୍କୁ ମତ୍ସ୍ୟ ମୂଲ୍ୟ ଶୃଙ୍ଖଳା ଏବଂ ଏ କ୍ଷେତ୍ରରେ ବୃହତ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ନମନୀୟତା ଏବଂ ସ୍ଥାୟୀତ୍ବ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

‘ମତ୍ସ୍ୟ ଚାଷ ପରେ ଅମଳ ପରବର୍ତ୍ତୀ ପରିଚାଳନାରେ ଶୀତଳ ଶୃଙ୍ଖଳାର ଗୁରୁତ୍ୱ’ ଶୀର୍ଷକ ଏହି ଅଧିବେଶନରେ ମତ୍ସ୍ୟ ଯୋଗାଣ ଶୃଙ୍ଖଳାରେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଏବଂ ମାଛ ଉତ୍ପାଦର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧିରେ ଶୀତଳ ଶୃଙ୍ଖଳା ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥିଲା।

ହାଇଦ୍ରାବାଦର ଏଆରଏସ, ସିଇ, ଏନଏଫଡିବିର ଡକ୍ଟର ଏଲ. ନରସିଂହ ମୂର୍ତ୍ତି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଏକ ବିଶେଷଜ୍ଞ ଦଳ ସାମିଲ ଥିଲେ । ଶୀତଳ ଶୃଙ୍ଖଳା ଭିତ୍ତିଭୂମିର ଗୁରୁତ୍ୱ, କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ଭିତ୍ତିକ ଅଧ୍ୟୟନ ଓ ନୀତିଗତ ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ।

ପ୍ରମୁଖ୍ୟ ବକ୍ତାମାନେ ଉତ୍ପାଦନ ପରେ ହେଉଥିବା କ୍ଷତିର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆୟ ହ୍ରାସ କରିବା ଏବଂ ପ୍ରୋଟିନ୍ ନଷ୍ଟ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱଚ୍ଛ ରେଫ୍ରିଜରେସନ ଟେକ୍ନୋଲୋଜି ପାଇଁ ଶକ୍ତି ସକ୍ଷମ ସମାଧାନ, ସମାନ ନୀତି ଏବଂ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଉଭୟ ଘରୋଇ ବ୍ୟବହାର ଏବଂ ରପ୍ତାନି ପାଇଁ ମୂଲ୍ୟ ଶୃଙ୍ଖଳାରେ ଗୁଣବତ୍ତା ତଥା ଗୁଣାତ୍ମକ ଭାବେ ମାଛର ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ସକ୍ରିୟ କୁଲିଂ ପ୍ରଣାଳୀରେ ନବସୃଜନକୁ ପ୍ରୋତ୍ସାହିତ କରିବାକୁ ଆଲାଚକମାନେ ଅନୁରୋଧ କରିଥିଲେ ।

ସମଗ୍ରିକ ଭାବେ ମତ୍ସ୍ୟ ଚାଷ କ୍ଷେତ୍ରରେ କ୍ଷତି ହ୍ରାସ କରିବା, ଉତ୍ପାଦର ଗୁଣବତ୍ତା ବୃଦ୍ଧି କରିବା ଏବଂ ସମଗ୍ର ବିଶ୍ୱର ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ଏବଂ ପୁଷ୍ଟିକର ସାମୁଦ୍ରିକ ଖାଦ୍ୟର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ପ୍ରକ୍ରିୟାର ଉନ୍ନତି କରଣ ପାଇଁ ସମନ୍ୱିତ ପ୍ରୟାସ କରିବାକୁ ଅଧିବେଶନରେ ଆହ୍ୱାନ ଦିଆଯାଇଥିଲା।