Categories
ବିଶେଷ ଖବର ରାଜ୍ୟ ଖବର

ମନମୋହନ ସାମଲଙ୍କ ନୂଆ ଟିମ: ପୃଥୀରାଜ ଓ ଭ୍ରୁଗୁ ଆଉଟ୍ ; ଅପରାଜିତା ଷଡଙ୍ଗୀ ଇନ୍

ଭୁବନେଶ୍ବର: ବହୁ ହସ୍ତସନ୍ତ ପରେ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ବିଜେପିର ଚାଣକ୍ୟ ଅମିତ ସାହା ଓଡିଶା ଆସିବା ପୂର୍ବରୁ ଏହି ନୂଆ ଟିମର ନାମ ଘୋଷଣା କରାଯାଇଛି। ମନମୋହନ ସଭାପତି ଭାବେ ଦାୟିତ୍ବ ନେବାର ବହୁଦିନ ହୋଇଥିଲେ ମଧ୍ୟ ସେ ନୂଆ ଟିମ ଗଠନ କରିବାରେ ସକ୍ଷମ ହୋଇପାରୁ ନ ଥିଲେ। କୁହାଯାଉଥିଲା ଯେ, ଏଥିରେ କୁଆଡେ ପେଞ୍ଚ ପଶିଯାଉଥିଲା।

ତେବେ ବହୁ ସଂଘର୍ଷ ତଥା ହତସନ୍ତ ପରେ ସେ ଟିମ ଗଠନ କରିଛନ୍ତି। ଆଉ ଏହି ଟିମକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। କାରଣ ଏଥିରେ ବିଜେପିର ବହୁ ମଙ୍ଗୁଆଳ ଆଉଟ ହୋଇଯାଇଛନ୍ତି। ପୂର୍ବରୁ ଦଳରେ ସାଧାରଣ ସଂପାଦକ ଥିବା ପୃଥୀରାଜ ହରିଚନ୍ଦନ ଏବଂ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ନୂଆ ଟିମରେ ନିଆଯାଇ ନାହିଁ। ପୃଥୀରାଜ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଦଳର ଭାବମୂର୍ତ୍ତି ଠିକ ରଖୁଥିଲେ ମଧ୍ୟ ତାଙ୍କୁ ନୂଆ ଟିମରେ ଗ୍ରହଣ କରା ନ ଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ନୂଆ ଟିମରେ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗୋଲଖ ମହାପାତ୍ରଙ୍କୁ ନିଆଯିବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହି ଦୁଇ ଜଣ ଧର୍ମେନ୍ଦ୍ରଙ୍କ ଖାସ ସମର୍ଥକ ହୋଇଥିଲେ ମଧ୍ୟ ମନମୋହନ ସାମଲ କିପରି ନେଲେ ସେ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଲେଖାଶ୍ରୀ ଓ ଗୋଲଖଙ୍କୁ ନିଆଗଲା ତେବେ ପୃଥୀରାଜ ଓ ଭ୍ରୁଗୁଙ୍କୁ କାହିଁକି ଟିମରେ ସାମିଲ କରାଗଲା ନାହିଁ ବୋଲି ଦଳ ଭିତରେ ଚାଲିଛି ଚର୍ଚ୍ଚା।

ସେହିପରି ବଡ କଥା ହେଲା ଏହି ନୂଆ ଟିମରେ ପ୍ରବେଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କୁ ଦଳ ଉପସଭାପତି ଭାବେ ନିଯୁକ୍ତି ଦେଇଛି। ସେ ପୂର୍ବରୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅଛନ୍ତି। ଦଳ ପୁଣିଥରେ ତାଙ୍କୁ ଗୁରୁତ୍ବ ଦେଇ ଦ୍ବିତୀୟ ନମ୍ବର ପଦବୀରେ ବସାଇଛି। ହେଲେ ଅନ୍ୟପଟେ ଏହି ଟିମରୁ ବାଦ ପଡିଛନ୍ତି ସାଂସଦ ସଂଗୀତା ସିଂହଦେଓ।ତାଙ୍କୁ ଦଳ କୌଣସି ଗୁରୁତ୍ବ ମନେ କରିଲା ନାହିଁ।

ତେବେ ମନମୋହନଙ୍କ ଏହି ନୂଆ ଟିମରେ ଆଉ କୌଣସି ସାଂସଦକୁ କୌଣସି ପଦପଦବୀ ଦିଆଯାଇ ନ ଥିବା ବେଳେ ଅପରାଜିତାଙ୍କୁ କିନ୍ତୁ ଦୁଇ ଦୁଇଟି ପଦବୀରେ ଦଳ ବସାଇଛି। ଯଦି ଅପରାଜିତାଙ୍କୁ ଉପସଭାପତି କରାଗଲା ତେବେ ଅନ୍ୟ ସାଂସଦଙ୍କୁ କାହିଁକି ବାଦ ଦିଆଗଲା ବୋଲି ଦଳ ଭିତରେ ପ୍ରଶ୍ନ ଉଠିଛି। ସେଥିପାଇଁ ଦଳ ଭିତରେ ବର୍ତ୍ତମାନ ଅପରାଜିତା ଷଡଙ୍ଗୀଙ୍କ ଦବଦବା ପୁରା ପରିଲକ୍ଷିତ ହୋଇଛି।

ମନମୋହନଙ୍କ ଏହି ନୂଆ ଟିମ୍ ଆସନ୍ତା ନିର୍ବାଚନକୁ ସମ୍ମୁଖୀନ ହେବେ। ହେଲେ ଏହି ଟିମରୁ ଟାଣୁଆ ନେତାଙ୍କୁ ବାଦ ଦିଆଯିବାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ନୂଆ ଟିମ୍ ବିଜେଡି ବିରୋଧରେ କେମିତି ଲଢେଇ କରିବ ତାହା ସନ୍ଦେହ ସୃଷ୍ଟି କରିଛି। ଏହି ଟିମ ଗଠନରେ ଯେତେବେଳେ ବିଳମ୍ବ ହେଲା, ସେତେବେଳେ ସମସ୍ତ ଆଶା କରିଥିଲେ ଯେ, ନିର୍ବାଚନ ପାଇଁ ମନମୋହନ ଏକ ବଡ ଟାଣୁଆ ଟିମ ଗଠନ କରିବେ। ହେଲେ ଏହି ତାଲିକାରୁ ସେମିତି କିଛି ସ୍ପଷ୍ଟ ଜଣାପଡୁ ନାହିଁ।

Categories
ବିଶେଷ ଖବର

ଓଡିଶା ବିଜେପି ପାଇଁ ନୂଆ ଟିମ ଗଠନ କଲେ ରାଜ୍ୟ ସଭାପତି: ଅପରାଜିତା ଷଡଙ୍ଗୀଙ୍କୁ ମିଳିଲା ବଡ ଦାୟିତ୍ଵ

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ରାଜ୍ୟ ପଦାଧିକାରୀ ଏବଂ ମୋର୍ଚ୍ଚା ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ମନମୋହନ ସାମଲ ୩୫ ଜଣିଆ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ୧୦ଜଣ ଉପସଭାପତି ଓ ୫ଜଣ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି। ତେବେ ଉପସଭାପତି ଭାବେ ନାଉରୀ ନାୟକ, ଅପରାଜିତା ଷଡଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ସାମିଲ କରାଯାଇଛି।

Image

Image

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି।କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ଏହି ଅବସରରେ ଖୋର୍ଦ୍ଧା ବିଜେପି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ସମାବେଶ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି।

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କଲେଜ ପଡିଆ ଠାରେ ବିଶାଳ ସମାବେଶ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି ସମାବେଶରେ ଯୋଗଦେଇଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କୁ କର୍ମୀମାନେ ସ୍ୱାଗତ କରିବା ପରେ ଟାଙ୍ଗୀ ମଧୁମଙ୍ଗଳ ପଡିଆଠାରୁ ପଦଯାତ୍ରାରେ ଏକ ବିରାଟ ପଟୁଆରରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ସଭା ମଞ୍ଚରେ ଉଭୟ ନେତାଙ୍କ ସହିତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ।

ସାସଂଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଉକ୍ତ ସଭାରେ ବର୍ଷିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ। ସରକାରଙ୍କ ଜଣେ ସଚିବ କିଭଳି ଭାବରେ ସରକାରୀ ଟଙ୍କା ଖର୍ଚ୍ଚ କରି ଦଳୀୟ କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୂବନେଶ୍ୱର ସାସଂଦ। ଚନ୍ଦକା ଅଞ୍ଚଳରେ ଜଣେ ଅଣ ଓଡ଼ିଆ ମହିଳା ଲୋକଙ୍କ ଠାରୁ ଶାଗମାଛ ଦରରେ ଜମି କିଣି ନିଜ ଅକ୍ତିଆରକୁ ନେଉଥିବା ଏକ ଦସ୍ତାବିଜ ଦେଖାଇଛନ୍ତି। ସେ ମହିଳା ଜଣଙ୍କ କିଏ ତାଙ୍କୁ ସରକାରୀ କର୍ମଚାରୀ, ବିଧାୟକ, ମନ୍ତ୍ରୀ ସମସ୍ତେ ସହଯୋଗ କରୁଥିବା କହିଛନ୍ତି।

ରାଜ୍ୟରେ ରାଜ୍ୟ ସରକାର ୨୩ବର୍ଷ ଶାସନ କରିବା ମଧ୍ୟରେ କଣ ବିକାଶ ହୋଇଛି ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବିଜେପି ରାଜ୍ୟ ସଭାପତି ବିଜେଡି ୨୩ ବର୍ଷ ମଧ୍ୟରେ ଯାହା କରିନାହିଁ ବିଜେପି କୁ ୫ବର୍ଷ ସୁଯୋଗ ଦିଅନ୍ତୁ, ବିଜେପି ୫ବର୍ଷ ମଧ୍ୟରେ ତାହା କରି ଦେଖାଇଦେବ ବୋଲି କହିଥିଲେ। ଟାଙ୍ଗୀ ବ୍ଲକକୁ ଏନଏସି ମାନ୍ୟତା ପ୍ରଦାନ କରିବା ସହିତ ଗିରି ଗୋବର୍ଦ୍ଧନ ପର୍ବତକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ, କାଳୁପଡା ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ନେତା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର, ଓଡିଶାରେ ଯୋଗଦେଲେ ମନମୋହନ ସାମଲ

ଭୁବନେଶ୍ୱର / ପିପିଲି:  ଆଜି ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀନାରାୟଣପୁରଠାରେ ରାଜ୍ୟ ସଭାପତି ମନମୋହନ ସାମଲ “ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ)” ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାଷୀଙ୍କୁ ଉତ୍ସାହିତ କରିଥିଲେ।

ରାଜସ୍ଥାନର ଶିକରଠାରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ଦେଶରେ ସମୁଦାୟ ୨.୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଖୋଲାଯିବର ଲକ୍ଷ୍ୟ ରଖାଯାଇଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡିଶାର ପାଖାପାଖି ୫ ହଜାର “କିଷାନ ସମୃଦ୍ଧି କେନ୍ଦ୍ର” ସାମିଲ ଅଛି। ଆଜି କିଷାନ ସମ୍ମାନ ଯୋଜନାର ୧୪ତମ କିସ୍ତି ବାବଦରେ ୮.୫ କୋଟି ଚାଷୀଙ୍କୁ ୨ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଂକ ଖାତାକୁ ମଧ୍ୟ ପଠାଯାଇଛି।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେ ନେଇ ସମୀକ୍ଷା ହୋଇଛି।

ଇତି ମଧ୍ୟରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନ ସହିତ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବଂଶଲ ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି।

କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଆସ୍କା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ନେଇ ସମୀକ୍ଷା ହୋଇଛି।

ଗତଥର ସାରାଦେଶରେ ମୋଦୀ ହାୱା ଯୋଗୁ ବିଜେପି କ୍ଷମତାକୁ ଆସିଥିଲା। ଓଡ଼ିଶାରେ ଗୋଟିଏରୁ ଉଠି ୮ଟି ଆସନ ଜିତିଥିଲା। ୧୩ଟିରେ ହାରିଥିଲେ ମଧ୍ୟ ଅଧିକାଂଶ କମ୍ ବ୍ୟବଧାନରେ ହାରି ସିଟ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲା। କେଉଁ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ବଦଳିବା ଦରକାର ନା ନାହିଁ, କିଏ ସାଂସଦ ପ୍ରାର୍ଥୀ ହେବା ଦରକାର ସେନେଇ ସଂଗଠକମାନଙ୍କର ମତାମତ ମଧ୍ୟ ଦଳୀୟ ସ୍ତରରେ ସଂଗ୍ରହ ହୋଇସାରିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ସମ୍ବଲପୁର, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି ଆସନରେ ବିଜୟୀ ହୋଇଥିବା ସାଂସଦ ଏବେ ଲୋକପ୍ରିୟତା ହରାଇଥିବାରୁ ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବାର ସମ୍ଭାବନା ନାହିଁ। ଏପରିକି ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେବାକୁ ଦଳୀୟ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିବା ଜଣାପଡ଼ିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କ କବଜାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଧିରେଧିରେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କ ରାଜ୍ୟର ଦଳିୟ ବ୍ୟାପାରରେ ହସ୍ତକ୍ଷେପ ଜୋରଦାର ହେବାରେ ଲାଗିଲାଣି। ଏପରିକି ସେ ରାଜ୍ୟ କାର୍ଯ୍ୟାଳୟକୁ ମଧ୍ୟ ନିଜ କବଜାକୁ ନେଇ ସାରିଲେଣି। ପୂର୍ବରୁ ଏହି କାର୍ଯ୍ୟାଳୟର ହର୍ତାକର୍ତ୍ତା ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ସେହିପରି ଅପରାଜିତା ମଧ୍ୟ ବିଜେପି ଅଫିସକୁ ଦଖଲ କରିବାକୁ ବସିଲେଣି।

ଦଳୀୟ କର୍ମିଙ୍କ ଅନୁସାରେ ମନମୋହନ ସାମଲ ସଭାପତି ହେବା ପରେ ଅପରାଜିତାଙ୍କ ଏହି ଦଖଲ ଜୋରଦାର ହୋଇଯାଇଛି। ପୂର୍ବରୁ ସେ ବହୁ ଚେଷ୍ଠା କରି ମଧ୍ୟ ଧର୍ମେନ୍ଦ୍ରଙ୍କ ପତିୟାରାରେ ତାହା କରିପାରୁ ନ ଥିଲେ। ହେଲେ ଏବେ ସେହି ମିଶନ ସଫଳ ହୋଇଯାଇଛି। ଯାହାକୁ ନେଇ ବିଜେପି ନେତା ତଥା କର୍ମିଙ୍କ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି ମୁହଁ ଖୋଲୁ ନ ଥିଲେ ମଧ୍ୟ ଭୁବନେଶ୍ବର କାର୍ଯ୍ୟାଳୟରେ ତାଙ୍କର ଆଧିପତ୍ୟକୁ ସମସ୍ତେ ଅନୁଭବ କରିସାରିଲେଣି।

ଖବର ଅନୁସାରେ ଅପରାଜିତାଙ୍କ ପ୍ରାୟ ପାଞ୍ଚରୁ ସାତ ଜଣ କର୍ମି ପ୍ରତିଦିନ ଭୁବନେଶ୍ବର କାର୍ଯ୍ୟାଳୟରେ ପଇଁତରା ମାରୁଛନ୍ତି। ଗୋଟିଏ ଦଳ ମଧ୍ୟାହ୍ନ ପର୍ଯ୍ୟନ୍ତ ପଇଁତରା ମାରୁଥିବା ବେଳ ଆଉ ଏକ ଦଳ ଅପରାହ୍ନରେ ଆସି ସେଠାରେ ଉପସ୍ଥିତ ହେଉଛନ୍ତି। ଅଫିସକୁ କିଏ ଆସିଲା, କାହା ସହିତ କିଏ କଥା ହେଲା ତାହାର ଟିକିନିଖି ଖବର ସେମାନେ ରଖୁଛନ୍ତି। ଏପରିକି ସେମାନେ ଚାହିଁଲେ କାହାକୁ ଅଫିସ ବାହାରକୁ ମଧ୍ୟ ବାହାର କରିବାର କ୍ଷମତା ରହିଛି।

ସେତିକି ନୁହେଁ ଅପରାଜିତାଙ୍କ କବଜାରେ ମଧ୍ୟ ଅଛନ୍ତି ଖୋଦ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଯାହାର ଗଣ୍ଡାଗଣ୍ଡା ପ୍ରମାଣ ନେତା ଓ କର୍ମିଙ୍କ ପାଖରେ ରହିଛି। ନିକଟରେ ଭି କେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କେନ୍ଦ୍ରକୁ ଚିଠି ଲେଖିଥିଲେ। ଜଣେ ରାଜ୍ୟ ସଭାପତି ଭାବେ ସେ ନିଜେ ଲେଖିବା ଉଚିତ କିମ୍ବା ଅପରାଜିତାଙ୍କ ଦ୍ବାରା ଲେଖାଇବା ଉଚିତ। ହେଲେ ସେହି ଚିଠିରେ ଅପରାଜିତା ଆଗେ ଦସ୍ତଖତ କରିବା ପରେ ତଳେ ସାମଲ ଦସ୍ତଖତ କରିଛନ୍ତି।

ଏହି ଚିଠିକୁ ନେଇ ଦଳୀୟ ନେତାମାନଙ୍କ ଭିତରେ ଭିତରେ ବେଶ ଟୁପୁରୁଟାପର ଚାଲିଛି।  ସଭାପତିଙ୍କ କାନ୍ଧରେ ବନ୍ଧୁକ ରଖି ଅପରାଜିତା ଗୁଳି ଫୁଟାଉଛନ୍ତି ବୋଲି କୁହାଯାଉଛି। କାରଣ ବର୍ତ୍ତମାନ କେନ୍ଦ୍ର ସରକାର ପାଣ୍ଡିଆନଙ୍କ ଉପରେ କୌଣସି ପଦକ୍ଷେପ ନେବ ନାହିଁ। ଫଳରେ ଏକା ଚିଠି ଲେଖି ଅପରାଜିତା ଲୋକହସା ହେବା ଅପେକ୍ଷା ସେ ସଭାପତିଙ୍କ ନାମକୁ ମଧ୍ୟ ସେଥିରେ ଯୋଡିଦେଲେ।

ସେହିପରି ସଭାପତି ଯେତେବେଳେ ରାଜ୍ୟ କାର୍ଯ୍ୟାଳୟରେ ବସୁଛନ୍ତି ତାଙ୍କ ଦ୍ବାର ପାଖରେ ଅପରାଜିତାଙ୍କ ଲୋକ ଜଗି ରହୁଛନ୍ତି। ତାଙ୍କ ପାଖକୁ ଯିଏ ଯାଉଛି ତାଙ୍କର ପରିଚୟ କଣ ଏବଂ କାହିଁକି ଭେଟିବେ ପରି ବିଭିନ୍ନ ପ୍ରଶ୍ନ ପଚାରିବା ପରେ ଭିତରକୁ ଛାଡୁଛନ୍ତି। ବାହାରକୁ ଆସିବା ପରେ ମଧ୍ୟ କଣ କଥା ହେଲେ ବୋଲି ସେମାନେ ଖବର ରଖୁଛନ୍ତି। ଏକଥା ନିଜେ ମନମୋହନ ଜାଣୁଥିଲେ ମଧ୍ୟ କିଛି କହିପାରୁ ନାହାଁନ୍ତି। ସେ କୁଆଡେ ଅପରାଜିତାଙ୍କୁ ଭୟ କରୁଛନ୍ତି ବୋଲି କର୍ମିଙ୍କ ମହଲରେ ଆଲୋଚନା ଚାଲିଛି।

ଅପରାଜିତାଙ୍କ ଏପରି ଅପରେସନ ଦେଖି ବର୍ତ୍ତମାନ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ସେମାନେ ମଧ୍ୟ ସଭାପତିଙ୍କୁ ଦେଖା କରିବାକୁ ଗଲେ ଅପରାଜିତାଙ୍କ ଲୋକଙ୍କର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ସହଜରେ ସେମାନେ ହଜମ କରିପାରୁ ନାହାଁନ୍ତି କି କିଛି ମଧ୍ୟ କହିପାରୁ ନାହାଁନ୍ତି। କେବଳ ଭବିଷ୍ୟତକୁ ଅପେକ୍ଷା କରି ବସି ରହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ଣ୍ଣ ହୋଇଛି। ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି।

ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ପଂଚାୟତ ସ୍ଥିତ ଉତୁକୁଡା ୧୫୪ ଓ ବିଶ୍ୱାଳି ୧୫୫ ନମ୍ବର ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।

ଘର ଘର ଜନସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘରକୁ ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିଛନ୍ତି। ଗତ ୯ ବର୍ଷ ଭିତରେ ଭାରତ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” ସ୍ଲୋଗାନକୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି।

ଓଡିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ବଂଟନ କରୁଛନ୍ତି ମୋଦିଜୀ। ଆବାସ ଯୋଜନାରେ ରାଜ୍ୟ ସରକାର ୨୯ଲକ୍ଷ ଘର ମୋଦି ସରକାରକୁ ମାଗିଥିଲେ ତାହା ଅନୁମୋଦନ କରିଛନ୍ତି ମୋଦିଜୀ। ସ୍ୱଚ୍ଛ ଭାରତ ଯୋଜନାରେ ଓଡିଶାର ୭୭ଲକ୍ଷ ଲୋକଙ୍କୁ ପାଇଖାନା ଯୋଗାଇଛନ୍ତି ବୋଲି ସାମଲ ଲୋକଙ୍କୁ ଅବଗତ କରାଇଥିଲେ।

ଦେଶର କିଷାନ ସମ୍ମାନ ନିଧି ଯୋଜନାରେ ୧୧କୋଟି କୃଷକଙ୍କ ଉନ୍ନତି ପାଇଁ ବର୍ଷକୁ ୬ହଜାର ଟଙ୍କା ଯୋଗାଇବା ସହ ୨ଲକ୍ଷ ୨୫ହଜାର କୋଟି ଟଙ୍କା ଏଯାଏଁ ମୋଦିଜୀ ଦେଇସାରିଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ସେହିପରି ଗତ ୯ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର ବୋଲି ସାମଲ କହିଛନ୍ତି।

ସେହିପରି ଶ୍ରୀ ସାମଲ କହିଛନ୍ତି ଯେ, କୃଷି ବୀମା ଯୋଜନାରେ ଯଦି ୩୩ ପ୍ରତିଶତ ଚାଷୀଙ୍କ କ୍ଷତି ହୁଏ ତାହାଲେ କ୍ଷତିପୁରଣ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦିଜୀ। ଫଳରେ ଚାଷୀ ଆଜି ୯ବର୍ଷ ଧରି ଏହି କ୍ଷତିପୂରଣ ପାଉଛି। ମୋଦିଜୀ ୯କୋଟି ୭୫ ଲକ୍ଷ ମାଆ ଓ ଭଉଣୀମାନଙ୍କୁ ଉଜ୍ଜ୍ୱଳା ଗ୍ୟାସ ଯୋଗାଇଛନ୍ତି ଓ ମୋଦିଜୀଙ୍କ ୩ଶହ ୨୫ଟି ଯୋଜନାରେ ସାଧାରଣ ଲୋକେ ଉପକୃତ ହେଉଛନ୍ତି।

ଭାରତକୁ ୩୩ହଜାର କୋଟି ଟଙ୍କାର କରୋନା ଟୀକା ଦେଇଛନ୍ତି ମୋଦିଜୀ। ମୋଦିଜୀ ୨ହଜାର ଟଙ୍କାର ଔଷଧ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାରେ ମାତ୍ର ୨ଶହ ଟଙ୍କାରେ ଲୋକଙ୍କ ପାଖରେ ପଂଚାଉଛନ୍ତି। ଗରୀବ ଲୋକେ ବଂଚିବା ପାଇଁ ଓ କର୍ମନିଯୁକ୍ତିରେ ଯାହା ଯାହା ଆବଶ୍ୟକ ଅଛି ସେଭଳି ଯୋଜନା ମୋଦିଜୀ କରିଛନ୍ତି ବୋଲି ଲୋକଙ୍କୁ ବୁଝାଇବାକୁ ଶ୍ରୀ ସାମଲ ଚେଷ୍ଠା କରିଛନ୍ତି।

ଓଡ଼ିଶାର ୯୧ପ୍ରତିଶତ ଲୋକ ମୋଦିଜୀଙ୍କୁ ପସନ୍ଦ କରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଦୁଇ ଦିନିଆ ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗତ କାଲି ଭଦ୍ରକ ଜିଲ୍ଲାର ଧାମନଗରଠାରେ ଲାଭାର୍ଥୀ ସମ୍ମିଳନୀରେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ଆରମ୍ଭ ହେଲା ମହା ଜନସଂପର୍କ ଯାତ୍ରା, ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର/ନୂଆଦିଲ୍ଲୀ :  ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ଆରମ୍ଭ କରିଛି ଜନସଂପର୍କ ଯାତ୍ରା। ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର‌୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ। କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ।  ବିଜେପି ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରି ପ୍ରତ୍ୟେକ କ୍ଲଷ୍ଟରରେ ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବାର ପ୍ରସ୍ତାବ କରାଯାଇଛି।

ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ। ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ବରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି। ଓଡିଶାରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି।

୯ ବର୍ଷର ସଫଳତାକୁ ନେଇ ପାର୍ଟୀ ତରଫରୁ ଏକ ୱେବସାଇଟ 9yearsofseva.bjp.org ଲଂଚ୍ କରାଯାଇଛି । ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟି ଏକ ମିସ୍‌ଡ କଲ୍ ନମ୍ବର ୯୦୯୦୯୦୨୦୨୪ ଲଂଚ କରାଯାଇଛି। ଘର ଘର ସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘର ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିବେ।

ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ। ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସଂପର୍କ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଶ୍ରୀ ଶାରଦା ଶତପଥୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଡ୍ଡାଙ୍କୁ ଭେଟିଲେ ମନମୋହନ ସାମଲ, ଘୋଷଣା ହେବ ବିଜେପିର ନୂଆ ଟିମ୍

ନୂଆଦିଲ୍ଲୀ: ଆଜି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ। ଝାରସୁଗୁଡା ଉପନିର୍ବାଚନର ପରାଜୟ ପରେ ମନମୋହନ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ସେ ଏହି ନିର୍ବାଚନରେ ପରାଜୟ କାରଣ ସଂପର୍କରେ ନଡ୍ଡାଙ୍କୁ ଅବଗତ କରାଇଥିବାର ଜଣାପଡିଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁରୀ ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ କରିବେ। ସେ ନେଇ ସେ ଆଲୋଚନା କରିଥିବାର ଜଣାପଡିଛି। ସେହିପରି ଆସନ୍ତା କୋଡିଏ ତାରିଖରେ ଓଡିଶା ରାଜ୍ୟ ବିଜେପିର କାର୍ଯ୍ୟକାରୀଣି ବୈଠକ ହେବାର ଅଛି। ସେ ନେଇ ନଡ୍ଡାଙ୍କ ସହିତ ମନମୋହନ ଆଲୋଚନା କରିଛନ୍ତି।

ଏଥିସହିତ ସେ ଓଡିଶା ବିଜେପିର ନୂଆ ଟିମ ତାଲିକା ସଂପର୍କରେ ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହ ମନମୋହନ ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ବି. ଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦୁଇଟି କମିଟି ଗଠନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ଆସନ୍ତା ମେ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି।

ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ଅଛନ୍ତି।

ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ତଥା ରାଜ୍ୟ ଉପସଭାପତି ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଛନ୍ତି।

ସେହିପରି ବିଧାୟକ ଶଂକର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ ଏବଂ ବରିଷ୍ଠ ନେତା ରଂଜନ କୁମାର ପଟେଲ ସଦସ୍ୟ ଅଛନ୍ତି ।

Categories
ବିଶେଷ ଖବର

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଦୀପ ବେହେରା

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀଙ୍କ ଉପସ୍ଥିତିରେ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଦୀପ ବେହେରା ଆଜି ଆନୁଷ୍ଟାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉତରକୁଳ ଗ୍ରାମପଂଚାୟତର ସରପଂଚ ବିଜେଡି ନେତ୍ରୀ ସୁଭାଷିନୀ ବେହେରା, ସ୍ଥାନୀୟ ବରିଷ୍ଠ ବିଜେଡି ନେତା ବିନୋଦ ଭୁୟାଁ, ନାଏବ ସରପଂଚ ଶକୁନ୍ତଳା ମାଦେଳୀ, ନିର୍ବାଚିତ ଜନପ୍ରତିନିଧି କବିତା ସାହୁ, ଉମାକାନ୍ତ ସାହୁ, ପପୁ ମଲ୍ଲିକ, ପ୍ରଭାତୀ ବେହେରା, ସନ୍ଧ୍ୟାରାଣୀ ସ୍ୱାଇଁ, ସୁବାଷ ମଲ୍ଲିକ, ରଞ୍ଜନ ପରିଡା, ନୃସିଂହ ନାୟକ, ଅନନ୍ତ ମଲ୍ଲିକ, ପ୍ରମୋଦ ସାହୁ, ମାନସ ମହାପାତ୍ର, ବିଜେଡି ନେତା ଭାସ୍କର ଜେନା, ଅକ୍ଷୟ ପରିଡା, କୈଳାସ ଚନ୍ଦ୍ର ମହାପାତ୍ର, ପ୍ରକାଶ ନାୟକ, ବିଧାଂଶୁ ପରିଡା ପ୍ରମୁଖ ବିଜୁ ଜନତା ଦଳ ପରିତ୍ୟାଗ କରି ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଂଗ୍ରେସ ନେତା ଅମୀୟ ସିଂ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଶ୍ରୀ ବେହେରା ବିଜେପିରେ ଯୋଗ ଦେଇ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜଣେ ସାଧାରଣ ଲୋକଙ୍କ ସ୍ୱପ୍ନକୁ ପୁରଣ କରିପାରେ। ଆଗାମୀ ଦିନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ପ୍ରତିଷ୍ଠା କରାଇବା ଆମ ସମସ୍ତଙ୍କ ମୁଳ ଲକ୍ଷ୍ୟ ଏବଂ କଟକ ସଦର ନିର୍ବାଚନମଣ୍ଡଳୀରେ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡିକୁ କ୍ଷମତାଚୁ୍ୟତ କରିବାକୁ ସଂକଳ୍ପବଦ୍ଧ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା।

ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ଦିଲୀପ ମଲ୍ଲିକ, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ବିଧାନସଭା ପ୍ରଭାରୀ ରଶ୍ମୀରେଖା ଦାସ, ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ ବିଜେପିର ନୂଆ ସଭାପତିଙ୍କୁ ଦିଆଯିବ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି।

ଏହି ଅବସରରେ ଆଜି ଅପରାହ୍ନ ୩.୩୦ସମୟରେ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ।

ସେହିପରି ଭଦ୍ରକରେ ମଧ୍ୟ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଆଜି ସକାଳେ ସେଠାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ନୂଆ ସଭାପତିଙ୍କୁ ଆସନ୍ତାକାଲି ଦିଆଯିବ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି।

ଏହି ଅବସରରେ ଆସନ୍ତକାଲି ଅପରାହ୍ନ ୩.୩୦ସମୟରେ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ।

ସେହିପରି ଭଦ୍ରକରେ ମଧ୍ୟ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଆସନ୍ତାକାଲି ସକାଳେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ନୂଆ ସଭାପତିଙ୍କୁ ଶୁଭେଚ୍ଛା ଦେଲେ ବିଦାୟୀ ସଭାପତି

ଭୁବନେଶ୍ୱର : ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି। ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଏଥି ସହ ଶ୍ରୀ ମହାନ୍ତି ବିଜେପିର ସମସ୍ତ କାର୍ଯ୍ୟକର୍ତା, ସହଯୋଗୀ, ଗଣମାଧ୍ୟମ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆଭ୍ୟନ୍ତରୀଣ ଗଣତନ୍ତ୍ର ଆଉ ସମ୍ବିଧାନ ଥିବା ଭାରତୀୟ ଜନତା ପାର୍ଟୀ ହେଉଛି ବିଶ୍ୱର ସର୍ବବୃହତ ଓ ଏକ ନମ୍ବର ରାଜନୈତିକ ପାର୍ଟୀ। ଏହାର ସଦସ୍ୟ ୧୮ କୋଟିରୁ ଉର୍ଦ୍ଧ୍ୱ। ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନରୁ ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ତୁଲାଇ ଆସୁଥିବା ଶ୍ରୀ ମହାନ୍ତିଙ୍କ ଗତ ଜାନୁଆରୀ ମାସରେ କାର୍ଯ୍ୟକାଳ ଅବଧି ପୁରଣ ହୋଇସାରିଥିଲା। ଗତ ୩ବର୍ଷର ଅବଧିରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟୀ କୋଭିଡ ସଂକଟର ମୁକାବିଲା କରିବା ସହିତ ଧାମନଗର ଉପନିର୍ବାଚନରେ ପାର୍ଟୀକୁ ବିଜୟୀ କରାଇଥିଲେ।

ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲୋକଙ୍କ ସ୍ୱରକୁ ଶାଣିତ ଭାବେ ଉପସ୍ଥାପନା କରୁଥିବା ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟି ଅନେକ ଉପନିର୍ବାଚନରେ ପାର୍ଟୀର ସ୍ଥିତିକୁ ସୁଦୃଢ କରିବାରେ ସଫଳ ହୋଇଥିଲେ।
ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଗାମୀ ଦିନରେ ପାର୍ଟୀର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟରେ ଶାସକ ବିଜୁ ଜନତା ଦଳର ବିକଳ୍ପ ହେବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର ଓ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ନୂଆ ସଭାପତି ହେବା ପରେ କଣ କହିଲେ ମନମୋହନ ସାମଲ

ଭୁବନେଶ୍ବର: ଆଜି ଓଡିଶା ବିଜେପିର ସଭାପତି ଭାବେ ନିଯୁକ୍ତ ହେବା ପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ମନମୋହନ ସାମଲ। ସେ ଭଦ୍ରକରେ ଥିବା ବେଳେ ସେ ତାଙ୍କର ଏହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆସନ୍ତା ନିର୍ବାଚନରେ ଓଡିଶାରେ ବିଜେପି ସରକାର କରିବେ। ଲୋକେ ବର୍ତ୍ତମାନ ବିକଳ୍ପ ଖୋଜିଲେଣି, ସେଥିପାଇଁ ବିଜେପି ଏହି ବିକଳ୍ପ ହେବ ବୋଲି ମନମୋହନ କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଛି। ବର୍ତ୍ତମାନ ଭଲ ସ୍ଥିତିରେ ରହିଛି। ଦାୟିତ୍ବ ନେବା ପରେ ସମସ୍ତଙ୍କୁ ନେଇ କାମ କରିବି। ସମସ୍ତଙ୍କ ପରାମର୍ଶରେ ଦଳର ରଣନୀତି ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ଥିବା ବିଜେଡି ସରକାର ପୁରା ଦୁର୍ନିତିରେ ବୁଡି ରହିଛି। ସେଥିପାଇଁ ଲୋକେ ଅସନ୍ତୁଷ୍ଠ ହେଲେଣି। ସେଥିପାଇଁ 2024 ରେ ଓଡିଶାରେ ବିଜେପି ହିଁ ସରକାର କରିବ ବୋଲି ମନମୋହନ କହିଛନ୍ତି।

ତାଙ୍କୁ ସଭାପତି ଭାବେ ରାଷ୍ଟ୍ରୀୟ ବିଜେପି ନିଯୁକ୍ତ କରିଥିବାରୁ ସେ ସଭାପତି ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BIG BREAKING: ବଦଳିଲେ ଓଡିଶା ବିଜେପି ସଭାପତି, ଘୋଷଣା ହେଲା ନୂଆ ନାମ

ଭୁବନେଶ୍ବର: ଶେଷରେ ବଦଳିଲେ ଓଡିଶା ବିଜେପି ସଭାପତି। ନୂଆ ସଭାପତି ଭାବେ ନିଯୁକ୍ତ ହେଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ। ବର୍ତ୍ତମାନ ସଭାପତି ଥିବା ସମୀର ମହାନ୍ତିଙ୍କ ସ୍ଥାନ ନେବେ ମନମୋହନ। ଏ ନେଇ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ମନମୋହନଙ୍କୁ ନିଯୁକ୍ତି ଦେଇଛନ୍ତି।

ନିକଟରେ ଧାମନଗର ଉପନିର୍ବାଚନ ବେଳେ ମନମୋହନ ବିଜେପିର ମଙ୍ଗ ଧରିଥିଲେ। ଫଳରେ ବିଜେପି ସେଠାରେ ବିଜୟ ଲାଭ କଲା। ଏହି ଘଟଣା ରାଷ୍ଟୀୟ ବିଜେପିର ନେତୃବୃନ୍ଦଙ୍କୁ ବେଶ ପ୍ରଭାବିତ କରିଥିଲା। ଏଥିସହିତ ସେ ବିଜେପିର ଜଣେ ଅଭିଜ୍ଞ ନେତା ତଥା ସଂଗଠନ କରିବାର ଦକ୍ଷତା ରହିଛି। ବର୍ତ୍ତମାନ ବିଜେପି ଆଗାମୀ ନିର୍ବାଚନ ମନମୋହନ ସାମଲଙ୍କ ନେତୃତ୍ବରେ ଲଢେଇ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗରମ ହେଲା ଧାମନଗର ରାଜନୀତି, ପ୍ରାର୍ଥୀପତ୍ର ଦାଖଲ କଲେ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଆଜି ଧାମନଗର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ହେଉଛନ୍ତି ପରଲୋକଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର। ଆଜି ସକାଳେ ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଏହି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ।

ତାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟବଂଶୀ ଗତକାଲି ନିଜର ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥୀ ପତ୍ର ଦାଖଲ କରୁଛି ବୋଲି ଘୋଷଣା କରିଥିଲେ। ଏଥିପାଇଁ ଆପଣମାନଙ୍କ ଆର୍ଶିବାଦ ଦରକାର ବୋଲି ନିବେଦନ କରି ଚିଠି ଲେଖିଥିଲେ।