Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବାଲେଶ୍ୱରର ମନ୍ମଥ-ମନୋଜ ସ୍ମୃତି ପୀଠ ସହ ୨୨୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ। ଏହି ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ‘ଲାଭ’ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଲେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ସେ କହିଥିଲେ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତିକରି ସେ ଆଜି ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଅଧିକାର ଓ କଲ୍ୟାଣ ପାଇଁ କାମ କରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍‌ ସୁବିଧା, ମହିଳା ଚାଷୀ ଓ ଯୁବକଙ୍କ ପାଇଁ ବିନା ସୁଧରେ ଋଣ ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ବିକାଶର ଭାଗୀଦାର ହୋଇପାରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ଭିତରେ ବିପୁଳ ଉତ୍ସାହ ଓ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି ବୋଲି ସେ କହିଥିଲେ। ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ନୂଆ ଓଡିଶା ଗଢିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ କହିଥିଲେ ଯେ ଆଜି ବାଲେଶ୍ୱରବାସୀଙ୍କ ପାଇଁ ଐତିହାସିକ ଦିନ। ଏ ମାଟିର ଦୁଇ ବରପୁତ୍ରଙ୍କର ସ୍ମୃତି ରକ୍ଷା ପାଇଁ ରାଜ୍ୟସରକାରଙ୍କ ପ୍ରତିବଦ୍ଧାତା ଆଜି ବାଲେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି। ଭୁବନେଶ୍ୱର ଏବଂ ପଣ୍ଡିଚେରିରୁ ସଂଗୃହିତ ହୋଇଛି ଏହି ଦୁଇ ବରପୁତ୍ରଙ୍କ ବ୍ୟବହୃତ ସାମଗ୍ରୀ। ଆଗାମୀ ଦିନରେ ଏହା ବହୁ ସାହିତ୍ୟିକ, ଗବେଷକଙ୍କ ପାଇଁ ଏକ ଆକର୍ଷଣୀୟ ପୀଠ ହେବ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଏବଂ ବିଧାୟକ ଶ୍ରୀ ଅନନ୍ତ ଦାସ କହିଥିଲେ ଯେ ଆମ ମାଟିର ଏହି ଦୁଇ କୃତୀ ସନ୍ତାନଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ପାଇଁ ବାଲେଶ୍ୱରବାସୀ ବହୁତ ଖୁସି ଏବଂ ବାଲେଶ୍ୱର ଜିଲ୍ଲାର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ହାତକୁ ନେଇ ଏକ ବିକାଶଶୀଳ ଜିଲ୍ଲା ଭାବେ ଏହାକୁ ପରିଣତ କରିଛନ୍ତି।

କାର୍ଯ୍ୟକ୍ରମରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସଦସ୍ୟା ଶ୍ରୀମତୀ ରଞ୍ଜିତା ଦାସ କହିଥିଲେ ଯେ ବାଲେଶ୍ୱର ମାଟିର ଏହି ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଆମେ ପରିବାର ସଦସ୍ୟ ତାଙ୍କ ପାଖରେ କୃତଜ୍ଞ। ରାଜ୍ୟ ସରକାରଙ୍କ ୧୬ କୋଟି ଟଙ୍କା ଏଥିରେ ବିନିଯୋଗ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଅଶେଷ ଧନ୍ୟବାଦ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସମୀକ୍ଷା ହେଲା ମନୋଜ ଦାସ ଓ ମନ୍ମଥ ଦାସ ସ୍ମୃତି ସଂଗ୍ରହାଳୟ କାର୍ଯ୍ୟର ଅଗ୍ରଗତି

ଭୁବନେଶ୍ୱର: ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ମନୋଜ ଦାସ ଓ ମନ୍ମଥ ଦାସ ସ୍ମୃତି ସଂଗ୍ରାହାଳୟର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତି ସଂଗ୍ରହାଳୟ ନିର୍ମାଣ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱାରନ୍ୱିତ କରି ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଉଭୟ ଶ୍ରୀ ଦାସ ଓ ଶ୍ରୀ ରାଉତରାଏ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନୋଜ ଦାସଙ୍କ ନିଜସ୍ୱ ବାସ ଭବନ, ରାଧାକୃଷ୍ଣ ମନ୍ଦିର, ପୋଖରୀ ପୁନରୁଦ୍ଧାର, ଓପେନ ଏୟାର ଥିଏଟର, ବାଖ୍ୟାନ ଓ ଧ୍ୟାନ କେନ୍ଦ୍ର, ଗ୍ୟାଲେରୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ରାଉତରାଏ ଜଳେଶ୍ୱର ବ୍ଲକର ରାଇବଣିଆ ଦୁର୍ଗ ଗସ୍ତ କରି ସେଠାରେ ଜାରି ଉନ୍ନୟନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ସୂଚନା ଯୋଗ୍ୟ, ଓଡିଶାର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନପୂର୍ବକ ଏଭଳି ସ୍ମୃତି ସଂଗ୍ରାହଳୟ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଗୁରୁଦାୟିତ୍ୱ ପ୍ରଦାନ କରୁଛନ୍ତି । ସରକାରଙ୍କ ପରାମର୍ଶ ଅନୁଯାୟୀ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠାରେ ସଫଳତାର ସହ ଏକ ଭବ୍ୟ ସଂଗ୍ରାହଳୟ ନିର୍ମାଣ କରାଯାଇଛି ।

ଏହି ଗସ୍ତ ଅବସରରେ ଇନଟାକ୍‌ ସଂସ୍ଥାର ନିର୍ଦ୍ଦେଶକ ମଲ୍ଲିକା ମିତ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବଲାଲ ସାହୁ, ପ୍ରନିତତ୍ତ୍ୱ ସଂସ୍ଥା ଅଧିକ୍ଷକ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।