ସମୀକ୍ଷା ହେଲା ମନୋଜ ଦାସ ଓ ମନ୍ମଥ ଦାସ ସ୍ମୃତି ସଂଗ୍ରହାଳୟ କାର୍ଯ୍ୟର ଅଗ୍ରଗତି

Published: Jun 8, 2023, 9:43 am IST

ଭୁବନେଶ୍ୱର: ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଗସ୍ତ କରି ମନୋଜ ଦାସ ଓ ମନ୍ମଥ ଦାସ ସ୍ମୃତି ସଂଗ୍ରାହାଳୟର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ସ୍ଥାନ ଶଙ୍ଖାରୀଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତି ସଂଗ୍ରହାଳୟ ନିର୍ମାଣ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱାରନ୍ୱିତ କରି ଆସନ୍ତା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଉଭୟ ଶ୍ରୀ ଦାସ ଓ ଶ୍ରୀ ରାଉତରାଏ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନୋଜ ଦାସଙ୍କ ନିଜସ୍ୱ ବାସ ଭବନ, ରାଧାକୃଷ୍ଣ ମନ୍ଦିର, ପୋଖରୀ ପୁନରୁଦ୍ଧାର, ଓପେନ ଏୟାର ଥିଏଟର, ବାଖ୍ୟାନ ଓ ଧ୍ୟାନ କେନ୍ଦ୍ର, ଗ୍ୟାଲେରୀ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ରାଉତରାଏ ଜଳେଶ୍ୱର ବ୍ଲକର ରାଇବଣିଆ ଦୁର୍ଗ ଗସ୍ତ କରି ସେଠାରେ ଜାରି ଉନ୍ନୟନ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ସୂଚନା ଯୋଗ୍ୟ, ଓଡିଶାର ବରପୁତ୍ରମାନଙ୍କୁ ସମ୍ମାନ ପ୍ରଦର୍ଶନପୂର୍ବକ ଏଭଳି ସ୍ମୃତି ସଂଗ୍ରାହଳୟ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଗୁରୁଦାୟିତ୍ୱ ପ୍ରଦାନ କରୁଛନ୍ତି । ସରକାରଙ୍କ ପରାମର୍ଶ ଅନୁଯାୟୀ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠାରେ ସଫଳତାର ସହ ଏକ ଭବ୍ୟ ସଂଗ୍ରାହଳୟ ନିର୍ମାଣ କରାଯାଇଛି ।

ଏହି ଗସ୍ତ ଅବସରରେ ଇନଟାକ୍‌ ସଂସ୍ଥାର ନିର୍ଦ୍ଦେଶକ ମଲ୍ଲିକା ମିତ୍ର, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବଲାଲ ସାହୁ, ପ୍ରନିତତ୍ତ୍ୱ ସଂସ୍ଥା ଅଧିକ୍ଷକ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts