Categories
ଆଜିର ଖବର

ବାଣପୁର ବ୍ଲକ ଭୀମପୁର ଗ୍ରାମର ‘ବୃନ୍ଦାବନ ଚନ୍ଦ୍ର ଦେବ’ ମନ୍ଦିରରୁ ଚୋରି: ଜଣେ ଯୁବକ ଗିରଫ

ସମୀକ୍ଷାବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି।

ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ସେ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଏଚ.ଡି.ଏଫ.ସି ବ୍ୟାଙ୍କ ଏ.ଟି.ଏମରୁ ଚୋରି କରିବାକୁ ପ୍ରଚେଷ୍ଟା କରିଥିଲା। ହେଲେ ସେଠାରୁ ସେ ବିଫଳ ହେବା ପରେ ମନ୍ଦିରରୁ ବିଭିନ୍ନ ମୁଲ୍ୟବାନ ମୂର୍ତ୍ତି ଓ ନଗଦ ଟଙ୍କା ଚୋରି କରିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ତାହାର ସମସ୍ତ ଯୋଜନା ବିଫଳ ହୋଇଛି। ସମ୍ପୃକ୍ତ ଆସାମୀ ଜଣଙ୍କ ଓଡି-୦୨ ଏ.ଟି ୫୩୧୬ ନମ୍ବରର ଏକ କଳା ରଙ୍ଗର ମୋଟର ସାଇକେଲ ବ୍ୟବହାର କରୁଥିବାର ପୋଲିସ ପ୍ରକାଶ କରିଛି। ଏବଂ  ପୋଲିସ ତାକୁ ଗିରଫ କରି ତାହା ବିରୋଧରେ ମାମଲା ରୁଜୁ କରିଛି।