Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚଦୋଳ ଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଉତ୍ସବ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନୀୟ ଛାୟା ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ବାଣପୁର ତହସିଲଦାର ମନ୍ମଥ ବେହେରା।

ଚଳିତ ବର୍ଷ ପଞ୍ଚଦୋଳ ଉତ୍ସବ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନରେ ଶେଷ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି କିପରି ଉକ୍ତ ଉତ୍ସବ ପାଳନ କରାଯିବ ଏ ନେଇ ପଞ୍ଚୁଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନଙ୍କ ମତାମତ ଲୋଡ଼ିଥିଲେ ତହସିଲଦାର। ତତସହିତ ପଞ୍ଚଦୋଳ ଉତ୍ସବ ସମୟରେ କରୋନା କଟକଣା ଲାଗୁ କରିବା ନେଇ ତହସିଲଦାର ଏବଂ ବାଲୁଗାଁ ଏସଡ଼ିପିଓ ମତାମତ ଲୋଡ଼ିଥିଲେ।

ତେବେ ସର୍ବସମ୍ମତି କ୍ରମେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପଞ୍ଚଦୋଳ ପାଳନ କରିବା ପାଇଁ ନିଷ୍ପତି ହୋଇଛି। କେବଳ ଠାକୁରଙ୍କ ରୀତିନୀତି ହେବା ପାଇଁ ସ୍ଥିର ହୋଇଛି।

କ’ଣ ରହିଛି କଟକଣା?: 

୧- ପ୍ରତ୍ୟେକ ଦୋଳ/ବିମାନ ବାହାନକୁ ଧରି ସୀମିତ ସେବାୟତଙ୍କୁ ନେଇ(କମିଟି ଦ୍ୱାରା ନିର୍ଦ୍ଧାରିତ) ପଡିଆକୁ ଆସିବେ।

୨- ବିମାନଯାତ୍ରା ସହ କୌଣସି ଆତସ ବାଜି, ପଟୁଆର, ରୋଷଣୀ, ଡ଼ିଜେ ଓ ଜେନେରେଟର ଆଣିବାକୁ ବାରଣ କରାଯାଇଛି।

୩- କେବଳ ସୀମିତ ସଂଖ୍ୟାରେ (କମିଟି ଦ୍ୱାରା ନିର୍ଦ୍ଧାରିତ) ଘଣ୍ଟ, କାହାଳି, ଦିହୁଡି, ପୂଜକ ସେବକ ପଡିଆକୁ ଆସିବେ।

୪- ଯାତ୍ରା ଦିନ ପଡିଆର ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ।

୫- ମିନାବଜାର, ଉଠା ଦୋକାନ ଆଦିକୁ ମନା।

୬- ସମସ୍ତଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି।

୭- କୋଭିଡ ଲକ୍ଷଣ ଥିବା ସେବାୟତ ପଡିଆକୁ ଆସିପାରିବେ ନାହିଁ।

୮- ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସମସ୍ତଙ୍କ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।

୯- ସାଧାରଣ ଲୋକଙ୍କୁ ପଡିଆ ମଧ୍ୟକୁ ଯିବା ଅନୁମତି ନାହିଁ।

ଆସନ୍ତାକାଲି ସମ୍ପୂର୍ଣ୍ଣ କଟକଣା ବିବରଣୀ ପଞ୍ଚଦୋଳ କମିଟି ଦ୍ୱାରା ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ସରକାରଙ୍କ ଦ୍ୱାରା ଯଦି କିଛି ନୂତନ ଗାଇଡଲାଇନ ଜାରି ହୁଏ, ତେବେ ସେହି ଗାଇଡଲାଇନ ଆଧାରରେ ଉକ୍ତ ନିୟମର ପରିବର୍ତ୍ତନ କରାଯିବ ବୋଲି କମିଟି ପ୍ରକାଶ କରିଛି।

 

ଉକ୍ତ ବୈଠକରେ ତହସିଲଦାରଙ୍କ ସମେତ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ଧୂର୍ଜଟି ପ୍ରସାଦ ମହାପାତ୍ର, ପଞ୍ଚଦୋଳ କମିଟି ଉପସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ, ବୀରଭଦ୍ର କାଣ୍ଡି, କମିଟି ସମ୍ପାଦକ ମାଧବ ଚନ୍ଦ୍ର ବାରିକ, କୋଷାଧକ୍ଷ ନବ ପ୍ରଧାନ, ସୁବ୍ରତ ଜେନା, ସହ ସମ୍ପାଦକ ମହେଶ୍ୱର ଜେନା, ଶେଖ୍ ମୋଇନିଉଲ୍ ହକ୍, ବାଣପୁର ଏବିଡ଼ିଓ ସୀମାଦ୍ରୀ ପାତ୍ର, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ରାଜ, କେଦାରେଶ୍ୱର ନନ୍ଦ, ଅବସର ପ୍ରାପ୍ତ ଶିକ୍ଷକ ବାଳମୁକୁନ୍ଦ ଦାସଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର ତହସିଲଦାର ଏବଂ ଟିମ ଦ୍ୱାରା କଡ଼ା କୋଭିଡ ପାଟ୍ରୋଲିଂ: ରେକର୍ଡ଼ ପରିମାଣର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ସଂକ୍ରମଣ କିଛି ମାସ ପୂର୍ବେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଧୀରେ ଧୀରେ ଏହା ତଳକୁ ଖସିବାରେ ଲାଗିଛି। ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି ମଧ୍ୟ କରୁଛନ୍ତି। ବାଣପୁରରେ କରୋନାକୁ କମାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ସ୍ଥାନୀୟ ପ୍ରଶାସନ।

ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଯେଉଁଥିରେ ତହସିଲଦାରଙ୍କ ସହ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଣପୁର ପୋଲିସ ପ୍ରମୂଖ ସାମିଲ ଥିଲେ। ଦିନ ୧୧ ଘଟିକା ସମୟରେ ଉକ୍ତ ଟିମ ଦ୍ୱାରା ପ୍ରଥମେ ବାଣପୁର ତହସିଲ ରୋଡ଼ ଏବଂ ଏହାପରେ ବାଣପୁର ସହର ସହ ନାଚୁଣୀ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ମାସ୍କ ଏବଂ ସାମାଜିକ ଦୁରତ୍ଵ ନିୟ କୁ କଡ଼ାକଡ଼ି ଭାବେ ତଦାରଖ କରାଯାଇଥିଲା।

ତହସିଲଦାର ଶ୍ରୀ ବେହେରା ବଜାରର ଗୋଟି ଗୋଟି କରି ସମସ୍ତ ଦୋକାନରେ କୋଭିଡ ନିୟମର ତଦାରଖ କରିଥିଲେ। ସମଗ୍ର ବାଣପୁର ସହରରେ ବିଶାଳ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା ଏବଂ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା। କରୋନାକୁ ହରାଇବାକୁ ହେଲେ ନିୟମକୁ ମାନିବାକୁ ପଡିବ ବୋଲି ତହସିଲଦାର ଶ୍ରୀ ବେହେରା ମତପ୍ରକାଶ କରିବା ସହ ଆଜି କୋଭିଡ କଟକଣା ମାନିନଥିବା ଦୋକାନୀ ଏବଂ ଜନସାଧାରଣଙ୍କ ଠୁ କୋଡିଏ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମଧ୍ୟ ଦେଇଛନ୍ତି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ବାଣପୁର ଅଞ୍ଚଳରେ ଗୋଟିଏ ଦିନର ସର୍ବକାଳୀନ ରେକର୍ଡ ଫାଇନ।

ହେଲେ ସେପଟେ ବାଣପୁର ଏବଂ ବାଲୁଗାଁରେ ଜରିମାନା ଆଦାୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଜନସାଧାରଣଙ୍କୁ କିପରି ବିଶ୍ୱାସକୁ ନେଇ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଭିଡକୁ କମାଯିବ ତାହା ବର୍ତ୍ତମାନ ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।

ଏନେଇ ତହସିଲଦାରଙ୍କୁ ଆମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ ଯ, ଏହି କରୋନା ମହାମାରୀ କବଳରୁ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇବାକୁ ହେଲେ ଆମ ସମସ୍ତଙ୍କୁ କୋଭିଡ଼ ନିୟମକୁ ମାନି ଚାଲିବାକୁ ପଡିବ। ଏହା ସହିତ ଯେ ପର୍ଯ୍ୟନ୍ତ କରୋନା ଟୀକା କିମ୍ବା ଔଷଧ ତିଆରି ହୋଇନି ସେପର୍ଯ୍ୟନ୍ତ ଆମକୁ ଏହି ସବୁ କଟକଣା ତଥା ମାସ୍କ ପରିଧାନ ଏବଂ ସାମାଜିକ ଦୁରତ୍ଵ ସହିତ ଅଭ୍ୟସ୍ତ ହେବାକୁ ପଡିବ ବୋଲି ଶ୍ରୀ ବେହେରା ମତ ରଖିଥିଲେ।

ଅପରପକ୍ଷରେ କଣ୍ଟେନମେଣ୍ଟ ଜୋନ ଗୁଡିକରେ ବ୍ୟାରିକେଡ଼, ସାନିଟାଇଜେସନ, ଏନ୍ଫୋର୍ସମେଣ୍ଟ, ଟ୍ରେସିଙ୍ଗ ଠିକ ଭାବରେ ହେଉନି ଏବଂ ଏହା କେବଳ କାଗଜ କଲମରେ ସୀମିତ ହୋଇ ରହୁଥିବାରୁ ବାଣପୁର(ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ) ରେ କୋଭିଡ ସଂକ୍ରମଣ କମୁନଥିବା ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିବା ସହ ବାଣପୁର ତହସିଲଦାରଙ୍କୁ ଏ ସବୁ ଦିଗ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।