Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଯାହାକି ଭାରତରେ ପ୍ରଥମ ଓ ବଶ୍ୱରେ ୭ମ ବୋଲି ଅବିହିତ କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲ୍‌ରେ ଡାକ୍ତରମାନେ ଜଟିଳ ବ୍ରେନ୍‌ଷ୍ଟେମ୍‌ କାଭେରନୁମା ଆଣ୍ଡ ମ୍ୟୋକ୍ଲୋନିକ୍  ଏପିଲେପ୍ସି ରୋଗୀର ସଫଳ ଅସ୍ତ୍ରୋପଚାର କରିବା ସହ ରୋଗୀଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ସଫଳ ହୋଇଛନ୍ତି।

ଗତ ୨୨ ବର୍ଷ ଧରି ଝାରସୁଗୁଡା ଅଂଚଳର ୨୮ ବର୍ଷୀୟ ଅନୀଲ ମହାନନ୍ଦିଆ ଏହି ଜଟିଳ ରୋଗରେ ପୀଡ଼ିତ ଥିବାବେଳେ ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶୁକ୍ରବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏହା ଏକ ବିରଳ ବ୍ୟାଧି ଏବଂ ଆମେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସଂପାଦନ କରିପାରୁଛୁ । ଯଦି ଅସ୍ତ୍ରୋପଚାର କରାଯାଇ ନଥାନ୍ତା ତେବେ ମସ୍ତିଷ୍କରେ ରକ୍ତକ୍ଷରଣ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ପ୍ରତ୍ୟେକ ଦିନ ସାଢ଼େ ୩ ହଜାରରୁ ୪ ହାଜର ରୋଗୀ ଆସୁଥିବା ବେଳେ ସେମାନଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଉଛି। ଯେଉଁ ରୋଗୀମାନେ ରୋଗମୁକ୍ତ ହେବାର ଆଶା ହରାଇ ବସୁଛନ୍ତି ସେମାନେ ମଧ୍ୟ ସମ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରୁଛନ୍ତି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରଫେସର ମହାପାତ୍ର କହିଛନ୍ତି ଯେ, ରୋଗୀଟିର ବାରମ୍ବାର ବାତ ମାରିବା ସହ ତା’ର ମୁହଁ, ଜିଭ, ତଳିପେଟ ଏବଂ ଜଙ୍ଘ ସବୁବେଳେ ଥରୁଥିଲା। ଗୋଟିଏ ମିନିଟ୍‌ରେ ତା’ର ୩୦ ଥର ହାକୁଟି ହେଉଥିଲା। ସେ ଖାଦ୍ୟ ଗ୍ରହଣ କରିବା, ଶୋଇବା କିମ୍ବା ଛିଡା ହେବା ପାଇଁ ସକ୍ଷମ ନଥିଲା। ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ତାକୁ ସୁଫଳ ମିଳିପାରି ନଥିଲା।

ସମ୍ ହସ୍ପିଟାଲ୍‌କୁ ଆସିବା ପରେ ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍ ଚୌଧୁରୀ ତାଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ସେ ମ୍ୟୋକ୍ଲୋନିକ୍ ଏପିଲେପ୍ସି ରୋଗରେ ପୀଡ଼ିତ ଥିବାର ଚିହ୍ନଟ କରିଥିଲେ ଏବଂ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଅଧିକ ପରୀକ୍ଷା ନିରୀକ୍ଷା କରିବା ପରେ ଜଣାପଡିଥିଲା ଯେ, ମହାନନ୍ଦିଆଙ୍କର ମସ୍ତିଷ୍କ (ବ୍ରେନ୍‌ଷ୍ଟେମ୍ କାଭେରନୁମା) ରେ ଗଭୀର ଭାବେ ଏକ ଟ୍ୟୁମର ରହିଛି। ଯାହା ଖୁବ୍ ବିରଳ ଏବଂ ଏଥି ନିମନ୍ତେ ଅପରେସନ୍‌ର ଆବଶ୍ୟକତା ରହିଛି ଯାହାକି ଖୁବ୍ ଜଟିଳ ଏବଂ ବିପଦସଙ୍କୁଳ।

ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ନଭେମ୍ବର ୨୬ ତାରିଖ ଦିନ ଦୀର୍ଘ ୭ ଘଂଟା ଧରି ଅସ୍ତ୍ରୋପଚାର କରି ଟ୍ୟୁମରଟିକୁ କାଢ଼ିବାରେ ସଫଳ ହୋଇଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ପ୍ରକାଶିତ ଗବେଷଣା ଅନୁଯାୟୀ ଏହି ସର୍ଜରୀ ବିଶ୍ୱରେ ସପ୍ତମ ଏବଂ ଭାରତରେ ପ୍ରଥମ ଘଟଣା। ଏଭଳି ଅସ୍ତ୍ରୋପଚାର ପୂର୍ବରୁ ଦେଶରେ କେଉଁଠାରେ ମଧ୍ୟ ହୋଇ ନାହିଁ ବୋଲି ଡାକ୍ତର ଦାସ କହିଛନ୍ତି। ଗୋଟିଏ ସର୍ଜନର ଆତ୍ମବିଶ୍ୱାସ ହିଁ ମୋତେ ଏହି ସର୍ଜରୀ କରାଇବା ପାଇଁ ପ୍ରବର୍ତାଇଥିଲା। ଏହା ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ଆମ ଟିମ୍ ଏହି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିଲେ। ଆମେ ବ୍ରେନ୍ ମ୍ୟାପିଙ୍ଗ-ଥ୍ରୀଡି ମଡେଲିଙ୍ଗ୍ ପ୍ରକ୍ର ିୟା ବଳରେ ତଥ୍ୟ ସଂଗ୍ରହ କରି ଏହି ଅସ୍ତ୍ରୋପଚାରରେ କରିପାରିଥିଲୁ।

ଅପରେସନ୍‌ର ଗୋଟିଏ ଦିନ ପରେ ହିଁ ରୋଗୀଟି ହାକୁଟିରୁ ମୁକ୍ତି ପାଇଥିଲା ଏବଂ ଚାଲିବାକୁ ମଧ୍ୟ ସକ୍ଷମ ହୋଇଥିଲା। ଯାହାକି ଚିକିତ୍ସା ବିଜ୍ଞାନର ଏକ ଚମତ୍କାରିତା ବୋଲି କୁହାଯାଇପାରିବ। ସେ କେବଳ ନୂଆ ଜୀବନ ପାଇଲା ତାହା ନୁହେଁ ବର୍ତମାନ ସେ ଠିକ୍ ଭାବରେ ଖିଆ ପିଆ କରିବା ସହ ଶୋଇପାରୁଛି। ଏପରିକି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ନିଜେ ଚାଲିକି ଯାଇଥିବା ଡାକ୍ତର ଦାସ କହିଛନ୍ତି।

ଏହି ସର୍ଜରୀ ଦର୍ଶାଉଛି ଯେ, ଓଡ଼ିଶା ମଧ୍ୟ ବିଶ୍ୱର ଅନ୍ୟ ସ୍ଥାନ ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସକ୍ଷମ ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆନ୍ତର୍ଜାତିକ ସ୍ତରର ଉନ୍ନତ ଧରଣର ଚିକିତ୍ସା ପ୍ରଣାଳୀ, ସରଞ୍ଜାମ ଏବଂ ଜ୍ଞାନକୌଶଳ ଉପଲବ୍‌ଧ ବୋଲି ଡାକ୍ତର ଚୌଧୁରୀ କହିଛନ୍ତି।

ମହାନନ୍ଦିଆଙ୍କ ପରିବାର ଡାକ୍ତର ଦାସ ଓ ଡାକ୍ତର ଚୌଧୁରୀଙ୍କ ସମେତ ଡାକ୍ତର ଇଶ୍ୱର ବେହେରା, ଡାକ୍ତର ସୁଦୀପ୍ ମହାପାତ୍ର, ଡାକ୍ତର ସୁମିରିନ୍‌, ଡାକ୍ତର ଅଭିଜିତ ଆଚାର୍ଯ୍ୟ, ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ସୁମିତ୍ରା ସ୍ୱାଇଁ, ଡାକ୍ତର ଜୀବନ ପ୍ରତୀକ ଖଟୁଆ, ହସ୍ପିଟାଲ୍‌ର ନର୍ସ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହି ଜଟିଳ ଅସ୍ତ୍ରୋପଚାର ବର୍ତ୍ତମାନ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହେବ। ଏହି ବ୍ୟୟବହୁଳ ଅସ୍ତ୍ରୋପଚାରଟି ବିନା ମୂଲ୍ୟରେ ବିଜୁ
ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ କରାଯାଇଛି।

ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ବୋନ୍ ମ୍ୟାରୋ ପ୍ରତ୍ୟାରେପଣ ଓ ଜୀବନ୍ତ ଯକୃତ ପ୍ରତ୍ୟାରୋପଣ ପରେ ସମ୍ ହସ୍ପିଟାଲ୍‌ରେ ଏହି ଅସ୍ତ୍ରୋପଚାର ଦ୍ୱାରା ଆଉ ଏକ ସଫଳତା
ଯୋଡି ହୋଇଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସହାୟତାରେ ସମ୍ ହସ୍ପିଟାଲ୍‌ରେ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍‌ଟେରିଅର୍‌ ଏନ୍‌ସେଫାଲୋସିଲସ୍‌) ସଫଳତାର ସହ ସଂପାଦନ କରାଯାଇଛି।

ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା।

ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ। ଆନ୍‌ଟେରିଅର୍‌ ଏନ୍‌ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଭୁବନେଶ୍ୱର ପଟିଆ ଅଂଚଳର ୧୪ ମାସର ଶିଶୁ ସାଇ ସତ୍ୟଜିତ ବେହେରାର ଜନ୍ମରୁ ଏଭଳି ତ୍ରୁଟି ରହିଥିବା ବେଳେ ତା’ର ପିତାମାତା ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ସେମାନେ ଜାନୁଆରୀ ୮ ତାରିଖ ଦିନ ସମ୍‌ ହସ୍ପିଟାଲ୍‌କୁ ଆସି ପ୍ରଫେସର ମହାପାତ୍ରଙ୍କ ନିକଟରେ ଶିଶୁର ପରୀକ୍ଷା କରାଇଥିଲେ। ଜାନୁଆରୀ ୧୨ ତାରିଖ ଦିନ ସେ ହସ୍ପିଟାଲ୍‌ରେ ଦାଖଲ ହୋଇଥିବା ବେଳେ ୧୪ ତାରିଖ ଦିନ ପ୍ରଫେସର ମହାପାତ୍ର ତା’ର ଅପରେସନ୍ କରିଥିଲେ। ଗୁରୁବାର ଦିନ ଶିଶୁ ସାଇ ସତ୍ୟଜିତ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଫେସର ମହାପାତ୍ର କହିଛନ୍ତି।

ନୂଆଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ଏଭଳି ପ୍ରାୟ ୧୫୦ଟି ସର୍ଜରୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସେ ଓଡ଼ିଶାରେ ଏହି ବିରଳ ଅସ୍ତ୍ରୋପଚାର
କରିଛନ୍ତି।

ଏହି ବଂଶାନୁକ୍ରମିକ ତ୍ରୁଟିଜନିତ ବ୍ୟାଧି ପ୍ରତ୍ୟେକ ୩ ଲକ୍ଷ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଦେଖାଦେଉଥିବା ବେଳେ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଭଳି ଦକ୍ଷିଣ-ପୂର୍ବ ଏସିଆନ୍ ଦେଶ ଗୁଡ଼ିକରେ ଅଧିକ ମାତ୍ରାରେ ଦେଖାଯାଉଛି। ଯଦିଓ ଭାରତରେ ଏହା ଖୁବ୍ ବିରଳ ତେବେ ଉତରପୂର୍ବାଂଚଳ ରାଜ୍ୟ ଗୁଡ଼ିକରେ କେତେକ ଶିଶୁଙ୍କ କ୍ଷେତ୍ରରେ ଏହି ତ୍ରୁଟି ଦେଖାଯାଉଥିବା ସେ କହିଛନ୍ତି।

ପୂର୍ବରୁ ଏହି ସର୍ଜରୀ ବ୍ରେନ୍ ରିପେୟାର୍‌, ଅର୍ବିଟାଲ୍ ରି-କନ୍‌ଷ୍ଟ୍ରକ୍ସନ୍ ଏବଂ ରାଇନୋପ୍ଲାଷ୍ଟି ଭଳି ତିନୋଟି ସ୍ତର ଦେଇ କରାଯାଉଥିବା ବେଳେ ୧୨ ରୁ ୧୪ ଘଂଟା ସମୟ ଲାଗୁଥିଲା। ତେବେ ବର୍ତମାନ ଶୈଲ୍ୟ ବିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି ଘଟିଥିବାରୁ ଏହା ୩ ରୁ ୪ ଘଂଟା ମଧ୍ୟରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସର୍ଜରୀ ପରେ ଶିଶୁଟି ସୁସ୍ଥ ଥିବା ବେଳେ ପ୍ରଫେସର ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସାଇ ସତ୍ୟଜିତର ପିତାମାତା। ପୁଅ ଭଲ ହେବ ବୋଲି ଆଶା ନଥିଲା। ତାକୁ ନୂଆ ଜୀବନ ପ୍ରଫେସର ମହାପାତ୍ର ଦେଇଛନ୍ତି ବୋଲି କହିଛନ୍ତି ସାଇର ବାପା ପ୍ରକାଶ
ବେହେରା।

କେନ୍ଦ୍ରାପଡା ପାଟକୁରା ଅଂଚଳର ପ୍ରକାଶ ବେହେରା ଭୁବନେଶ୍ୱର ପଟିଆ ଅଂଚଳରେ ରହୁଥିବା ବେଳେ ଖୁବ୍ କଷ୍ଟ କରି ନିଜ ପରିବାରର ଗୁଜୁରାଣ ମେଂଟାଇଥାନ୍ତି। ଏଥିସହିତ ଛୋଟ ପୁଅର ଏଭଳି ଅବସ୍ଥା ତାଙ୍କୁ ଅଧିକ ବ୍ୟଥିତ କରିଥିଲା। ତେଣୁ ପୁଅର ଚିକିତ୍ସା ପାଇଁ ସମାଜସେବା କ୍ଷେତ୍ରରେ ନିଜକୁ ନିବିଡ ଭାବେ ନିୟୋଜିତ କରିଥିବା ବିଶିଷ୍ଟ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ ପ୍ରକାଶ। ସବ୍ୟସାଚୀ ମଧ୍ୟ ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଶିଶୁର ଅପେରସନ୍ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ବୋଲି ପ୍ରକାଶ କହିଛନ୍ତି।