Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହଙ୍ଗା ପଡିଲା କିନ୍ନରଙ୍କୁ ବିବାହ କରି ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା: ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ବାଣପୁର (ସୀତାରାମ ଅଗ୍ରୱାଲ): ଅଜାଣତରେ ଜଣେ କିନ୍ନରଙ୍କୁ ପ୍ରେମ ବିବାହ କରି ତାଙ୍କର ଅଶ୍ଳୀଳ ଫୋଟୋ ଓ ଭିଡ଼ିଓ ଭାଇରାଲ କରିବା ଯୁବକଙ୍କୁ ମହଙ୍ଗା ପଡିଛି। ଏହି ମାମଲାରେ ଅଭିଯୁକ୍ତ ଜଣଙ୍କ ଗିରଫ ହୋଇ ଜେଲ ଯାଇଛନ୍ତି। ଉକ୍ତ ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଲୋଚନାର ବିଷୟ ପାଲଟିଛି।

ସୂଚନା ମୁତାବକ ଦୀପକ ମାଝୀ ନାମକ ଯୁବକ ଇନଷ୍ଟାଗ୍ରାମରେ ଯୁବତୀ ଭାବି ଜଗତସିଂହପୁର ଚାରିବାଟିଆ ଅଞ୍ଚଳର କିନ୍ନର ନନ୍ଦିନୀ ନାଥଶର୍ମା ଓରଫ ରାହୁଲ ନାଥଙ୍କୁ ପ୍ରେମ କରି ବିବାହ କରିଥିଲେ। ନନ୍ଦିନୀଙ୍କ ଅଭିଯୋଗ କ୍ରମେ ବିବାହ ପରେ ଅଭିଯୁକ୍ତ ଦୀପକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ନନ୍ଦିନୀଙ୍କ ଅଜାଣତରେ ତାଙ୍କର ଫୋଟୋ ଓ ଭିଡିଓ ମୋବାଇଲରେ ସାଇତି ରଖିଥିଲେ।

ଅଭିଯୁକ୍ତ ଦୀପକ ତାଙ୍କୁ ବ୍ଲାକମେଲ କରି ଉକ୍ତ ଫୋଟୋ ଓ ଭିଡ଼ିଓ ସାର୍ବଜନୀନ କରିବାକୁ ଧମକ ଦେଇ ବାରମ୍ବାର ଟଙ୍କା ଦାବୀ କରୁଥିଲେ। ନନ୍ଦିନୀ ଟଙ୍କା ନ ଦେବାରୁ ଶେଷରେ ଦୀପକ ସାଇତି ରଖିଥିବା ଅଶ୍ଳୀଳ ଫୋଟୋ ଓ ଭିଡିଓକୁ ନନ୍ଦିନୀଙ୍କ ଭାଇ ଓ ସମ୍ପର୍କୀୟଙ୍କ ପାଖକୁ ପଠାଇଥିଲେ।

ଉକ୍ତ ଘଟଣାକୁ ନେଇ ନନ୍ଦିନୀ ବାଣପୁର ଥାନାରେ ଏକ ମୋକଦମା ଦାୟର କରିଥିଲେ। ଆଜି ବାଣପୁର ପୋଲିସ ଅଭିଯୁକ୍ତ ଦୀପକଙ୍କ ବିରୁଦ୍ଧରେ ୩୭୦/୨୩ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଦୀପକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହଙ୍ଗା ପଡିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ଜନ୍ମଦିନ ପାଳିବା: ଗିରଫ ହେଲେ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ: ଜାନୁୟାରୀ ୧୩ ତାରିଖରେ, ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ଜନ୍ମଦିନ ମୁମ୍ବାଇର ତିଲକ ନଗର ଅଞ୍ଚଳରେ କେକ୍ କାଟି ପାଳନ କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ତିଲକ ନଗର ପୋଲିସ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗଟକେ ନଭି ମୁମ୍ବାଇର ଯୋଗାଯୋଗ ମୁଖ୍ୟ ନୀଲେଶ ପରାଡକରଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା।

କୋର୍ଟ ୨୫ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ନୀଲେଶଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ମଧ୍ୟ ତାଙ୍କୁ ଏକ ସପ୍ତାହ ପାଇଁ ପ୍ରତିଦିନ ତିଲକ ନଗର ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ମାଲାଡର କୁରାରରେ ଛୋଟା ରାଜନଙ୍କ ବ୍ୟାନର ଲଗାଇଥିବା ୬ ଜଣ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ତୁରନ୍ତ ଉକ୍ତ ବ୍ୟାନରକୁ ହଟାଇ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଇଣ୍ଡୋନେସିଆର ବାଲିରୁ ଗିରଫ ହେବା ପରେ ୨୦୧୫ ମସିହାରେ ଡନ୍ ରାଜନଙ୍କୁ ଭାରତ ଅଣାଯାଇଥିଲା। ସେବେଠାରୁ ଡନ୍ ଦିଲ୍ଲୀର ତିହାର ଜେଲରେ ରହିଆସୁଛନ୍ତି। ୨୦୧୧ ରେ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ରାଜନଙ୍କୁ ୨୦୧୮ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ରାଜନଙ୍କ ବିରୋଧରେ ୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଯେଉଁଥିରେ ଅପହରଣ ଓ ହତ୍ୟା ମାମଲା ମଧ୍ୟ ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲାଞ୍ଚ ନେବା ମହଙ୍ଗା ପଡିଲା: ଦୁଇ ସିଜିଏସଟି ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଗୁଜୁରାଟରେ ଲାଞ୍ଚ ମାଗି କେନ୍ଦ୍ରୀୟ ଦ୍ରବ୍ୟ ଏବଂ ସେବା କରର ୨ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ଗୁଜୁରାଟର ଭରୁଚ ଜିଲ୍ଲାର ଅଙ୍କଲେଶ୍ୱରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସି CGST ର ଜଣେ ଅଧୀକ୍ଷକ ଏବଂ ସହକାରୀ କମିଶନରଙ୍କୁ ଗିରଫ କରିଛି, ଯାହା କୋର୍ଟରେ ହାଜର ହେବା ପରେ ସୋମବାର ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି।

ସୂଚନାନୁସାରେ, ଅଭିଯୋଗକାରୀଙ୍କ ତରଫରୁ ସିବିଆଇ ଦାବି କରିଥିଲା ​​ଯେ, ଅଭିଯୁକ୍ତ ତାଙ୍କ ଅଧୀନରେ ନିୟମିତ ସାମଗ୍ରୀ ଚଳାଇବା ପାଇଁ ମାସିକ ୧.୫ ଲକ୍ଷ ଟଙ୍କା ମାଗିଥିଲେ। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସିବିଆଇ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଜାଲ ବିଛା ଯାଇଥିଲା ​​ଏବଂ ଅଭିଯୋଗକାରୀଙ୍କ ଠାରୁ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଧୀକ୍ଷକ ଧରାପଡିଥିଲେ।

Categories
ଅପରାଧ ଆଜିର ଖବର

ବାଣପୁର: ସାମ୍ବାଦିକଙ୍କୁ ଆକ୍ରମଣ ମହଙ୍ଗା ପଡିଲା, ପାଲୁରୁ ଛକ ନିକଟରୁ ଗିରଫ ହେଲେ ଅଭିଯୁକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପରିସରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ଏ ନେଇ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ଉକ୍ତ ଅଭିଯୁକ୍ତଙ୍କୁ ସ୍ପେଶାଲ ଟିମ ପାଲୁରୁ ଛକ ନିକଟରୁ ଧରି ଥିବାର ଏସପି କହିଛନ୍ତି।

ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ଏବଂ ଖୁବ ଶୀଘ୍ର ସେମାନେ ଗିରଫ ହେବେ ବୋଲି ଏସପି କହିଛନ୍ତି।

ସୂଚନା ଥାଉକି ଗତ ୧୮ ତାରିଖ ରାତିରେ ବାଣପୁର ଥାନା ପରିସରରେ ଏତଲା ଦେବାକୁ ଆସିଥିବା ତିନି ଜଣ ଅଭିଯୋଗକାରୀଙ୍କୁ ରାଜନୈତିକ ଦଳର କର୍ମୀମାନେ ମରଣାନ୍ତକ ଆକ୍ରମଣ କରୁଥିଲେ। ଏହି ସମୟରେ କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତି ଏହାର ଦୃଶ୍ୟ ଉତ୍ତୋଳନ କରୁଥିବା ବେଳେ ସେମାନଙ୍କ ଆକ୍ରମଣର ଶିକାର ହୋଇଥିଲେ।

ତେବେ ଜିଲ୍ଲା ପୋଲିସ ଉକ୍ତ ଘଟଣାକୁ ଗୁରୁତର ଭାବେ ନେଇଥିବା ବେଳେ ଏସପିଙ୍କ ତତ୍ୱାବଧାନରେ ସ୍ପେଶାଲ ଟିମ ଗଠନ କରାଯାଇ ଚଢ଼ାଉ ଜାରିରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରେଳ ଟ୍ରାକ୍ ରେ ଗାଡି ଚଳାଇବା ମହଙ୍ଗା ପଡିଲା: ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ବାଇକକୁ ଦେଲା ଧକ୍କା

ବକ୍ସର: ଆଜିକାଲି ଯୁବକମାନେ ବାଇକ୍ ଷ୍ଟଣ୍ଟ୍ କରିବାକୁ ପସନ୍ଦ କରନ୍ତି। ବେଳେବେଳେ ଏଭଳି ଯୁବକମାନେ ସ୍ଥାନୀୟ ଅଞ୍ଚଳରେ କିମ୍ବା ରାଜପଥରେ ଷ୍ଟଣ୍ଟ କରୁଥିବା ଦେଖାଯାଆନ୍ତି। ସୋମବାର ଦିନ ବିହାରର ବକ୍ସରରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ଏତେ ତତ୍ପର ଥିଲେ ଯେ, ସେମାନେ ରାସ୍ତାରୁ ବାହାରି ବାଇକ୍ ଯୋଗେ ରେଳ ଟ୍ରାକରେ ଦୌଡିଥିଲେ। ଏହି ସମୟରେ ପଛରୁ ଏକ ଟ୍ରେନ୍ ଆସିଥିଥିଲା। ଯେତେବେଳେ ଉଭୟ ଯୁବକ ଏହା ବିଷୟରେ ଜାଣିଲେ, ସେତେବେଳେ ସେମାନଙ୍କର ହୋଶ୍ ଉଡ଼ିଗଲା। ସୌଭାଗ୍ୟ ବଶତଃ ଉଭୟ ଯୁବକଙ୍କ କିଛି କ୍ଷତି ହୋଇ ନଥିଲା, କିନ୍ତୁ ସେମାନଙ୍କ ବାଇକ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ ଟା ସମୟରେ ରେଳ ଫାଟକ ବନ୍ଦ ରହିଥିଲା। ଗେଟ୍ ବନ୍ଦ ଥିବା ଦେଖି ଦୁଇଜଣ ଯୁବକ ନିକଟରେ ଥିବା ସଂକୀର୍ଣ୍ଣ ରାସ୍ତା ଦେଇ ବାଇକ୍ ଅତିକ୍ରମ କରିବା ପରେ ବାଇକକୁ ଟ୍ରାକରେ ଚଲାଇଥିଲେ। ଟ୍ରାକ ଉପରେ ଷ୍ଟେସନ ଆଡକୁ ଉଭୟ ଯୁବକ ଯାଉଥିବା ବେଳେ ପଛରୁ ଏକ ଟ୍ରେନ ଦ୍ରୁତ ଗତିରେ ଆସିଥିଲା। ଟ୍ରେନ୍ ଦେଖି ଲୋକମାନେ ଚିକ୍ତାର କରିବା ଆରମ୍ଭ କଲେ। ଲୋକଙ୍କ ସ୍ୱର ଶୁଣି ଉଭୟ ଯୁବକ ବାଇକ ଛାଡି ଡେଇଁପଡିଥିଲେ। ଟ୍ରାକରେ ପଡ଼ିଥିବା ବାଇକଟି ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଦ୍ୱାରା ଧକ୍କା ହୋଇଥିଲା। ବହୁ ଦୂରପର୍ଯ୍ୟନ୍ତ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇ ରେଳ ଟ୍ରାକ୍ ଚାରିପାଖରେ ବିଛାଡି ହୋଇପଡିଥିଲା।

ଏହି ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ରେଳ ପୋଲିସ ନମ୍ବର ପ୍ଲେଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛି। ଗାଡି ନମ୍ବରରୁ ମାଲିକଙ୍କ ପରିଚୟ ମିଳିଥିବା ବେଳେ ଦୁଇ ଯୁବକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଂଚ ନେବା ମହଙ୍ଗା ପଡିଲା: ଭିଜିଲାନସ୍ ଜାଲରେ ଫସିଗଲେ ନାକଟିଦେଉଳ ବ୍ଲକ୍ ର ଏପିଓ ବାବୁ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ ଅଧିକାରୀ ଭିଜିଲାନସ୍ ଜାଲରେ ଫସିଗଲେ। ଏହାକୁ ନେଇ ଅଂଚଳରେ ବେଶ୍ ଚାଂଚଲ୍ୟ ଖେଳିଯାଇଥିବା ବେଳେ ଏବେ ଜେଲର ଚାରିକାନ୍ଥ ଭିତରେ ସଂପୃକ୍ତ ଅଧିକାରୀ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ୍ ଅଧିକାରୀ ସୁରେନ୍ଦ୍ର ସାହୁ ନାକଟିଦେଉଳର ଜନୈକ ବ୍ୟକ୍ତିଙ୍କର ଏକ ମାଟିକାମର ବିଲ୍ କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୪ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍‌ସ ଜାଲରେ ଫସିଯାଇଥିଲେ। ତାଙ୍କ ଠାରୁ କେମିକାଲ୍ ବୋଳା ୪ ହଜାର ଟଙ୍କା ଭିଜିଲାନସ୍ ଅଧିକାରୀ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।

ନାକଟିଦେଉଳ ବ୍ଲକ୍ ଗଜାବୁରୀ ଠାରେ ଏକ କେନାଲ କାମର ବିଲ୍ କରିବା ପାଇଁ ନାକଟିଦେଉଳ ଗ୍ରାମର ସଲିମ୍ ସାହୁ ଏପିଓଓଙ୍କ ପାଖକୁ ବାରମ୍ବାର ଦଉଡୁଥିଲେ। ହେଲେ ଏପିଓ ମହାଶୟ ଆଜି ବିଲ୍ ହେବ କାଲିକି ହେବ କହି ତାରିଖ ଘୁଂଚାଇ ଚାଲିଥିଲେ। ବିଲ୍ କରିବା ପାଇଁ ସେ କିଛି ଟଙ୍କାର ଆବଶ୍ୟକ ବୋଲି କହିବାରୁ ସଲିମ୍ ସାହୁ ତାଙ୍କ ଜଣେ ସାଙ୍ଗ ସ୍ଥିତପ୍ରଜ୍ଞ ସାହୁଙ୍କ ମାଧ୍ୟମରେ ୪ ହଜାର ଟଙ୍କା ଧରି ନାକଟିଦେଉଳ ବ୍ଲକ୍ ଅଫିସକୁ ସଂଧ୍ୟାରେ ଯାଇ ଦେଖା କରିଥିଲେ। ଭିଜିଲାନସ୍ ଅଧିକାରୀମାନେ ଆଗରୁ ପ୍ରସ୍ତୁତ ହୋଇ ଯାଇଥିଲେ। ସ୍ଥିତପ୍ରଜ୍ଞ ସାହୁ ଟଙ୍କା ଦେବା ମାତ୍ରକେ ଭିଜିଲାନସ୍ ଅଧିକାରୀ ତାଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରି ସମ୍ବଲପୁରୁ ଭିଜିଲାନସ୍ କୋର୍ଟକୁ ନେଇ ଯାଇଥିବା ଜଣା ପଡିଛି।