ମହଙ୍ଗା ପଡିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ଜନ୍ମଦିନ ପାଳିବା: ଗିରଫ ହେଲେ ଶିବସେନା କାର୍ଯ୍ୟକର୍ତ୍ତା

Published: Jan 16, 2023, 11:41 am IST

ମୁମ୍ବାଇ: ଜାନୁୟାରୀ ୧୩ ତାରିଖରେ, ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ଜନ୍ମଦିନ ମୁମ୍ବାଇର ତିଲକ ନଗର ଅଞ୍ଚଳରେ କେକ୍ କାଟି ପାଳନ କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ତିଲକ ନଗର ପୋଲିସ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗଟକେ ନଭି ମୁମ୍ବାଇର ଯୋଗାଯୋଗ ମୁଖ୍ୟ ନୀଲେଶ ପରାଡକରଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା।

କୋର୍ଟ ୨୫ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ନୀଲେଶଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ମଧ୍ୟ ତାଙ୍କୁ ଏକ ସପ୍ତାହ ପାଇଁ ପ୍ରତିଦିନ ତିଲକ ନଗର ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ମାଲାଡର କୁରାରରେ ଛୋଟା ରାଜନଙ୍କ ବ୍ୟାନର ଲଗାଇଥିବା ୬ ଜଣ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ତୁରନ୍ତ ଉକ୍ତ ବ୍ୟାନରକୁ ହଟାଇ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଇଣ୍ଡୋନେସିଆର ବାଲିରୁ ଗିରଫ ହେବା ପରେ ୨୦୧୫ ମସିହାରେ ଡନ୍ ରାଜନଙ୍କୁ ଭାରତ ଅଣାଯାଇଥିଲା। ସେବେଠାରୁ ଡନ୍ ଦିଲ୍ଲୀର ତିହାର ଜେଲରେ ରହିଆସୁଛନ୍ତି। ୨୦୧୧ ରେ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ରାଜନଙ୍କୁ ୨୦୧୮ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ରାଜନଙ୍କ ବିରୋଧରେ ୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଯେଉଁଥିରେ ଅପହରଣ ଓ ହତ୍ୟା ମାମଲା ମଧ୍ୟ ରହିଛି।

Related posts