Categories
ଜାତୀୟ ଖବର ବିଶେଷ ଖବର

ଶିଳ୍ପ, ଷ୍ଟାର୍ଟଅପ୍ସ ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ମହାକାଶ କାର‌୍ୟ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଜାତୀୟ ମହାକାଶ କାର‌୍ୟ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ର (ଆଇଏନ-ଏସପିଏସିଇ)ର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା । ଏହି ପରିପ୍ରେକ୍ଷୀରେ ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ ।

ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର ରାସ୍ତା ଉନ୍ମୋଚିତ ହେବା ଫଳରେ ଏହା ଘରୋଇ ଭାଗିଦାରୀତାର ଏକ ନୂତନ ଦିଗନ୍ତକୁ ଉନ୍ମୋଚନ କରିଛି । ନୀତିଗତ ସ୍ଵଚ୍ଛତା ଓ ପେଷାଦାର ମନୋବୃତ୍ତି ସହ ସରକାରଙ୍କ ନିଷ୍ପତ୍ତି କମ୍ପାନୀଗୁଡ଼ିକୁ ମହାକାଶ କ୍ଷେତ୍ରରେ କାର‌୍ୟ୍ୟ ପାଇଁ ପ୍ରୋତ୍ସାହିତ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।

କମ୍ପାନୀମାନଙ୍କ ଦ୍ଵାରା ରକେଟ ଓ ଉପଗ୍ରହ ନିର୍ମାଣ ଯୋଜନା ଭାରତର ମହାକାଶ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି ସହ ଆଇଆଇଟି, ଏନଆଇଟି ଓ ଅନ୍ୟାନ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ ପାଇଁ ଶିକ୍ଷା ଓ ଗବେଷଣାର ଅନେକ ସମ୍ଭାବନା ସୃଷ୍ଟି କରିବ । ଯେପରି ଭାରତୀୟ ଆଇଟି ବିଶେଷଜ୍ଞମାନେ ବିଶ୍ଵସ୍ତରରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ମହାକାଶ କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟବସାୟରେ ସୁଗମତା ଠାରୁ ଆଗକୁ ବଢ଼ିବା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ କେବଳ ବ୍ୟବସାୟରେ ସୁଗମତା ଆସିବ ନାହିଁ ବରଂ ଏହା ପ୍ରତ୍ୟେକ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବ । ଏଥିରେ ଉତକ୍ଷେପଣସ୍ଥଳୀ ନିର୍ମାଣ ଏବଂ ମହାକାଶ ଯାନ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ । ଏହି ସଂସ୍କାରଗୁଡିକ ଯୋଗୁଁ ଭାରତ କେବଳ ବିଶ୍ଵ ଉପଗ୍ରହ ପ୍ରତିଯୋଗିତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ତା’ନୁହେଁ, ବରଂ ଏହି କାର‌୍ୟ୍ୟକ୍ରମର ସୁବିଧା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀ ମାନଙ୍କୁ ସାହସିକତାର ସହିତ କାର‌୍ୟ୍ୟ କରି ସମାଜ ଓ ଦେଶର ହିତସାଧନ କରିବାକୁ ନିବେଦନ କରିଛନ୍ତି ।

ଦୂରାସଞ୍ଚାର ଓ ଦିଗନିର୍ଣ୍ଣୟ କ୍ଷେତ୍ରରେ ମହାକାଶ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଅଂଶଗ୍ରହଣକାରୀମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହ ସମନ୍ଵୟ ରକ୍ଷା କରି ଖୁବ ଶୀଘ୍ର ଦେଶରେ ମହାକାଶ ସମ୍ପଦର ବିକାଶ ସାଧନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଭୂମିକା

ମହାକାଶ ବିଭାଗ ସଚିବ ତଥା ଇସ୍ରୋର ଅଧ୍ୟକ୍ଷ ଡଃ କେ.ଶିବନ ଶିଳ୍ପ ପ୍ରତିଷ୍ଠାନଗୁଡିକ ପକ୍ଷରୁ କରାଯାଇଥିବା ବିଭିନ୍ନ ସମର୍ଥନ ଓ ଆଇଏନ-ଏସପିଏସିଇର ଅନୁମତି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏପର‌୍ୟ୍ୟନ୍ତ ୨୫ରୁ ଅଧିକ ଶିଳ୍ପ ପ୍ରତିଷ୍ଠାନ ମହାକାଶ କାର‌୍ୟ୍ୟକଳାପ ପାଇଁ ଇଚ୍ଛା ପ୍ରକଟ କରିଥିବା ସେ ସୂଚନା ଦେଇଥିଲେ ।

ମତ ବିନିମୟ କାଳରେ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶ କ୍ଷେତ୍ରରେ ସଂସ୍କାର ନେଇ ବିଭିନ୍ନ ତଥ୍ୟ ଦେଇଥିଲେ । ଭାରତୀ ଏଣ୍ଟରପ୍ରାଇଜର ଶ୍ରୀ ସୁନୀଲ ଭାରତୀ ମିତ୍ତଲ, ଲାରସନ ଏଣ୍ଡ ଟର୍ବୋ ଲିମିଟେଡର ଶ୍ରୀ ଜୟନ୍ତ ପାଟିଲ, ଅଗ୍ନିକୁଲ କସମସ ପ୍ରାଇଭେଟ ଲିମିଟେଡର ଶ୍ରୀ ଶ୍ରୀନାଥ ରବିଚନ୍ଦ୍ରନ, ସ୍କାଇରୁଟ ଏରୋସ୍ପେସ ଲିମିଟେଡର ଶ୍ରୀ ପବନ କୁମାର ଚନ୍ଦନା, ଆଲ୍ଫା ଡିଜାଇନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର କର୍ଣ୍ଣେଲ ଏଚ ଏସ ଶଙ୍କର, ମାପ୍ମି ଇଣ୍ଡିଆର ଶ୍ରୀ ରାକେଶ ବର୍ମା, ପିଆଇଏକ୍ସଏକ୍ସଇଏଲ ଇଣ୍ଡିଆର ଶ୍ରୀ ଆୱେସ ଅହମଦ ଏବଂ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ କେସନ ଅଧିବେଶନରେ ସେମାନଙ୍କ ମତାମତ ରଖିଥିଲେ ।

ଘରୋଇ ଭାଗିଦାରୀତା ନେଇ ପଦକ୍ଷେପ ନେଇଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ଭାରତକୁ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାଶକ୍ତି ଭାବେ ଗଢି ତୋଳିବ ବୋଲି ମତ ବ୍ୟକ୍ତ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବେ ବୋଲି ନିଜ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ । ଇସ୍ରୋ ଦ୍ଵାରା ସେମାନଙ୍କ ପ୍ରକଳ୍ପ ପାଇଁ ଦିଆଯାଉଥିବା ସାହାଯ୍ୟ ଓ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।

ଘରୋଇ ସଂସ୍ଥାଗୁଡ଼ିକ ସହ ଇସ୍ରୋର ଏଭଳି ସହଯୋଗ ଯୋଗୁଁ ଦେଶରେ ଅଧିକରୁ ଅଧିକ ରକେଟ ଉତକ୍ଷେପଣ ସହ ରକେଟ ଇଞ୍ଜିନ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏକ୍ଷେତ୍ରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ଇସ୍ରୋର ସାହାଯ୍ୟ କରିବାକୁ ସେମାନେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦେଶର ମହାକାଶ ଗବେଷଣାରେ ଓଡ଼ିଶାର ପ୍ରମୁଖ ଭୂମିକା, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମହାକାଶ କ୍ଷେତ୍ରରେ ମୋଦୀ ସରକାରଙ୍କ ସଂସ୍କାର ପ୍ରସଙ୍ଗରେ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ମାର୍ଗରେ ଆଗକୁ ବଢୁଛନ୍ତି । ଭାରତ’ର ମହାକାଶ କ୍ଷେତ୍ରରେ ଉଦାରୀକରଣ ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଦେଶର ବିକାଶରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବଡ଼ ଭୂମିକା ଗ୍ରହଣ କରିବ।

ମନ୍ତ୍ରୀ କହିଛନ୍ତି ନୂଆ ମହାକାଶ ବୋର୍ଡ ଇଣ୍ଡିଆନ ନ୍ୟାସନାଲ ସ୍ପେଶ୍ ପ୍ରମୋଶନ ଆଣ୍ଡ ଅଥୋରାଇଜେସନ(ଆଇଏନ୍-ସ୍ପେଶ)ର ପ୍ରତିଷ୍ଠା ମହାକାଶ ବିଶେଷ ଭାବରେ ମହାକାଶ ପ୍ରଯୁକ୍ତିବିଦ୍ୟାର ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ନବସୃଜନ, ଅଭିବୃଦ୍ଧି ଏବଂ ଭାରତକୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନଏସଆଇଏଲ) ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ ଏବଂ ଆମ ମହାକାଶ ଆସେଟର ସର୍ବୋତ୍ତମ ବ୍ୟବହାରକୁ ସ୍ଥାୟୀ କରିପାରିବ। ଷ୍ଟାଟଅପକୁ ସହଯୋଗ କରାଯିବା ବେସରକାରୀ ଉଦ୍ୟୋଗୀଙ୍କ ପାଇଁ ନୂଆ ସ୍ତର ତିଆରି କରିବ ଏବଂ ଏହା ମହାକାଶ ଆସେଟରେ ସାମାଜିକ-ଅର୍ଥନୈତିକର ବ୍ୟବହାରକୁ ପ୍ରୋତ୍ସାହନ ଦେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘକାଳୀନ ଦୂରଦୃଷ୍ଟି ଭାରତକୁ ମହାକାଶ କାର‌୍ୟ୍ୟକ୍ରମରେ ନୂଆ ପର‌୍ୟ୍ୟାୟରେ ପହଞ୍ଚାଇବ ଓ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ୱ ମହାକାଶ ଅର୍ଥନୀତିରେ ପ୍ରମୁଖ ଭୂମିକାରେ ଛିଡା କରାଇବ ବୋଲି ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।