Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ବିଜେପିର ମହାଜନସଂପର୍କ ଯାତ୍ରା, ନଡ୍ଡାଙ୍କ ଛଡା ଆଉ ଆସିଲେନି କେହି, ନେତାଙ୍କ ପାଟି ଚୁପ୍

ଭୁବନେଶ୍ବର: ବଡ ତୁମ୍ବି ତୋଫାନ କରାଗଲା। ମୋଦୀ ସରକାରର ନଅ ବର୍ଷ ପୁର୍ତ୍ତି ଉପଲକ୍ଷେ ସାରାଦେଶରେ ଆୟୋଜିତ ହେବ ମହାଜନସଂପର୍କ ଯାତ୍ରା। ଓଡିଶାରେ ମଧ୍ୟ ରାଜ୍ୟ ବିଜେପି ତରଫରୁ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଗଲା। କୁହାଗଲା ଓଡିଶାରେ ମହାଜନସଂପର୍କ ଯାତ୍ରା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଭାପତି ଜେ ପି ନଡ୍ଡା ଯୋଗଦେବେ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି କର୍ମିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ବୃଦ୍ଧି ପାଇଥିଲା। ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଯାତ୍ରା ସଂପର୍କରେ ସୂଚନା ଦେଇ ରଥୀମହାରଥିମାନେ ଆସିବେ ବୋଲି କହିଥିଲେ। ହେଲେ ଦୁଃଖର କଥା ଗତ ମେ 31 ତାରିଖରୁ ଆରମ୍ଭ ହୋଇ ଜୁନ 30 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି  ମାସିକିଆ ମହାଜନସଂପର୍କ ଯାତ୍ରାରେ ଯୋଗଦେବାକୁ ନଡ୍ଡାଙ୍କ ଛଡା ଆଉ କେହି ଆସିଲେ ନାହିଁ।  ଶେଷରେ ସବୁ କିଛି ଫୁସ୍… ହୋଇଗଲା।

ଏହା ଭିତରେ ଆଉ ବଡ ହାସ୍ୟସ୍ପଦ ଘଟଣା ହୋଇଯାଇଛି ଅମିତ ସାହାଙ୍କ ଢେଙ୍କାନାଳ ଗସ୍ତକୁ ନେଇ। ଖୋଦ ବିଜେପି ଚାଣକ୍ୟ ଅମିତ ସାହା ମହାଜନସଂପର୍କ ଯାତ୍ରାରେ ଯୋଗଦେବା ପାଇଁ ଓଡିଶା ଆସିବେ। ସେ ଢେଙ୍କାନାଳରେ ଏକ ଜନସଭା କରିବେ। ଏ ନେଇ ଦଳ ତରଫରୁ ସ୍ବତନ୍ତ୍ର ଭାବେ ସୂଚନା ଦିଆଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ଛିଡା ହେଉ ଥିବାରୁ ଅମିତ ସାହା ସେଠାକୁ ନିଶ୍ଚିତ ଆସିବେ ବୋଲି ଆଶା କରାଗଲା। ହେଲେ ସେ ମଧ୍ୟ ଓଡିଶା ମଇଦାନକୁ ଓହ୍ଲାଇଲେ ନାହିଁ।

ଅମିତ ସାହା ନ ଆସିବାର କାରଣରେ ଦଳ ତରଫରୁ କୁହାଗଲା ଯେ, ଗୁଜୁରାଟ ବାତ୍ୟା ପାଇଁ ତାଙ୍କ କାର୍ଯ୍ୟକ୍ରମ ବାତିଲ କରାଗଲା। ହେଲେ ଆଶ୍ଚର୍ଯ୍ୟର କଥା ବାତ୍ୟା ସରିବା ପରେ ମଧ୍ୟ ଅମିତ ସାହା ଓଡିଶା ଆସିଲେ ନାହିଁ। କେବେଳ ଏହି ଗୋଟିଏ ଥର ନୁହେଁ ଅମିତ ସାହା ଢେଙ୍କାନାଳ ଆସିବେ ବୋଲି ପୂର୍ବରୁ ଦୁଇ ଥର ଘୋଷଣା କରାଯାଇଥିଲା। ହେଲେ ପର ମୁହୁର୍ତ୍ତରେ ସେ ଆସି ନ ଥିଲେ। ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରରେ ହତାସ ଭାବ ପରିଲକ୍ଷିତ ହୋଇଛି।

ଓଡିଶାରେ ବିଜେପିର ଏପରି ଅବସ୍ଥା ଦେଖି ସାଧାରଣ ମହଲରେ ବେଶ୍ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। କାରଣ ଓଡିଶାର ବିଧାନସଭା ତଥା ସାଧାରଣ ନିର୍ବାଚନ ଆଉ ମାସ କେଇଟା ରହିଲା। ଏହା ପୂର୍ବରୁ ଜନସଂପର୍କ ଯାତ୍ରା ମାଧ୍ୟମରେ ବିଜେପି ଏକ ଧମାକା କରିବ ବୋଲି ସମସ୍ତେ ଆଶା କରୁଥିଲେ। କାରଣ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ ମଙ୍ଗୁଆଳମାନେ ଆସୁଥିବାର ଏପରି ଆଶା କରିବା ସ୍ବାଭାବିକ। ହେଲେ ତାହା ନ ହେବା ବିଜେପି ପାଇଁ ଏକ ବଡ ଧକ୍କା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯଦି ନିର୍ବାଚନ ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତାମାନେ ଏପରି ଆଡଛଡା ଦେଲେଣି, ତେବେ ନିର୍ବାଚନ ସମୟରେ ରାଜ୍ୟ ବିଜେପିର ଅବସ୍ଥା କଣ ହେବ ତାହା ଏବେଠାରୁ ଜଳଜଳ ଦେଖାଦେଲାଣି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର ମହା ଜନସମ୍ପର୍କ ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ଣ୍ଣ ହୋଇଛି। ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି।

ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ପଂଚାୟତ ସ୍ଥିତ ଉତୁକୁଡା ୧୫୪ ଓ ବିଶ୍ୱାଳି ୧୫୫ ନମ୍ବର ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।

ଘର ଘର ଜନସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘରକୁ ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିଛନ୍ତି। ଗତ ୯ ବର୍ଷ ଭିତରେ ଭାରତ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦଳର “ଆମ ପରିବାର, ଆମ ବିକାଶ” ସ୍ଲୋଗାନକୁ ପରିତ୍ୟାଗ କରି “ସବକା ସାଥ, ସବକା ବିକାଶ”ର କାହାଣୀ ଲେଖିଛି।

ଓଡିଶାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ବଂଟନ କରୁଛନ୍ତି ମୋଦିଜୀ। ଆବାସ ଯୋଜନାରେ ରାଜ୍ୟ ସରକାର ୨୯ଲକ୍ଷ ଘର ମୋଦି ସରକାରକୁ ମାଗିଥିଲେ ତାହା ଅନୁମୋଦନ କରିଛନ୍ତି ମୋଦିଜୀ। ସ୍ୱଚ୍ଛ ଭାରତ ଯୋଜନାରେ ଓଡିଶାର ୭୭ଲକ୍ଷ ଲୋକଙ୍କୁ ପାଇଖାନା ଯୋଗାଇଛନ୍ତି ବୋଲି ସାମଲ ଲୋକଙ୍କୁ ଅବଗତ କରାଇଥିଲେ।

ଦେଶର କିଷାନ ସମ୍ମାନ ନିଧି ଯୋଜନାରେ ୧୧କୋଟି କୃଷକଙ୍କ ଉନ୍ନତି ପାଇଁ ବର୍ଷକୁ ୬ହଜାର ଟଙ୍କା ଯୋଗାଇବା ସହ ୨ଲକ୍ଷ ୨୫ହଜାର କୋଟି ଟଙ୍କା ଏଯାଏଁ ମୋଦିଜୀ ଦେଇସାରିଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ସେହିପରି ଗତ ୯ ବର୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୨୧୮୩ ଟଙ୍କାକୁ ବୃଦ୍ଧି କରିଛନ୍ତି ମୋଦି ସରକାର ବୋଲି ସାମଲ କହିଛନ୍ତି।

ସେହିପରି ଶ୍ରୀ ସାମଲ କହିଛନ୍ତି ଯେ, କୃଷି ବୀମା ଯୋଜନାରେ ଯଦି ୩୩ ପ୍ରତିଶତ ଚାଷୀଙ୍କ କ୍ଷତି ହୁଏ ତାହାଲେ କ୍ଷତିପୁରଣ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଭଳି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦିଜୀ। ଫଳରେ ଚାଷୀ ଆଜି ୯ବର୍ଷ ଧରି ଏହି କ୍ଷତିପୂରଣ ପାଉଛି। ମୋଦିଜୀ ୯କୋଟି ୭୫ ଲକ୍ଷ ମାଆ ଓ ଭଉଣୀମାନଙ୍କୁ ଉଜ୍ଜ୍ୱଳା ଗ୍ୟାସ ଯୋଗାଇଛନ୍ତି ଓ ମୋଦିଜୀଙ୍କ ୩ଶହ ୨୫ଟି ଯୋଜନାରେ ସାଧାରଣ ଲୋକେ ଉପକୃତ ହେଉଛନ୍ତି।

ଭାରତକୁ ୩୩ହଜାର କୋଟି ଟଙ୍କାର କରୋନା ଟୀକା ଦେଇଛନ୍ତି ମୋଦିଜୀ। ମୋଦିଜୀ ୨ହଜାର ଟଙ୍କାର ଔଷଧ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାରେ ମାତ୍ର ୨ଶହ ଟଙ୍କାରେ ଲୋକଙ୍କ ପାଖରେ ପଂଚାଉଛନ୍ତି। ଗରୀବ ଲୋକେ ବଂଚିବା ପାଇଁ ଓ କର୍ମନିଯୁକ୍ତିରେ ଯାହା ଯାହା ଆବଶ୍ୟକ ଅଛି ସେଭଳି ଯୋଜନା ମୋଦିଜୀ କରିଛନ୍ତି ବୋଲି ଲୋକଙ୍କୁ ବୁଝାଇବାକୁ ଶ୍ରୀ ସାମଲ ଚେଷ୍ଠା କରିଛନ୍ତି।

ଓଡ଼ିଶାର ୯୧ପ୍ରତିଶତ ଲୋକ ମୋଦିଜୀଙ୍କୁ ପସନ୍ଦ କରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଦୁଇ ଦିନିଆ ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗତ କାଲି ଭଦ୍ରକ ଜିଲ୍ଲାର ଧାମନଗରଠାରେ ଲାଭାର୍ଥୀ ସମ୍ମିଳନୀରେ ଯୋଗ ଦେଇଥିଲେ।