Categories
ଆଞ୍ଚଳିକ

ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଚିତାଲାଗି ଅମାବାସ୍ୟା ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା ଯାହାକି ସାଧାରଣରେ ଚିତାଲାଗି ଅମାବାସ୍ୟା ନାମରେ ଖ୍ୟାତ। ଏହି ପର୍ବ ଓଡିଶାର ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପୀଠରେ ମଧ୍ୟ ଏହା ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ମଧ୍ୟ ଆଜି ଚିତାଲାଗି ଅମାବାସ୍ୟା ପାଳନ କରାଯାଇଛି।

ଭୋର ପାଞ୍ଚ ଘଟିକା ସମୟରେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ସୂର୍ଯ୍ୟପୂଜା ଓ ଗୋପାଳ ବଲ୍ଳଭ ପରେ ୧୨ ଘଟିକାରେ ମଧ୍ୟାହ୍ନ ଧୂପ ହୋଇଥିଲା। ପ୍ରଭୁ ରଙ୍କନାଥଙ୍କ ପୂଜକମାନଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ରଙ୍କନାଥଙ୍କୁ ଲାଗି କରାଯାଇ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ କରାଯାଇଥିଲା। ପ୍ରଭୁଙ୍କୁ ଏହି ଦିନ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ପ୍ରଚଳିତ ଅଛି। ତେଣୁ ପ୍ରଭୁଙ୍କର ଦର୍ଶନ ନିମନ୍ତେ ରଙ୍କନାଥ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାରେ ପୁରୀରେ ହେବନି ବର୍ଷା, ଜୁନ୍ ୨୩ ପରେ ଆସିବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଘୂର୍ଣ୍ଣିଝଡର ‘ବିପର୍ଯ୍ୟୟ’ ଦୁର୍ବଳ ହୋଇଥିବା ବେଳେ ଉତର ପଶ୍ଚିମା ବାୟୁର ବେଗ ଏବଂ ଦିଗରେ ପରିବର୍ତନ ଯୋଗୁଁ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଜୁନ୍ ୨୩ ତାରିଖ ପରେ ସାରା ରାଜ୍ୟରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରୁ କମ୍ ରହିବ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ବାତ୍ୟା ‘ବିପର୍ଯ୍ୟୟ’ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ପରେ ରାଜସ୍ଥାନ ଓ ଏହାର ନିକଟବର୍ତୀ ଅଂଚଳରେ ଏହାର ପ୍ରଭାବ ରହିଥିଲା। ଫଳରେ ଘଂଟା ପ୍ରତି ୪୫ କିମି ବେଗରେ ଉତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତପ୍ତ ପବନ ପାକିସ୍ତାନ ଆଡୁ ବଙ୍ଗୋପସାଗର ଆଡକୁ ପ୍ରବାହିତ ହେଉଥିଲା। ଏଥି ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅତ୍ୟଧିକ ମାତ୍ରାରେ ରୌଦ୍ର ତାପ ଅନୁଭୂତ ହେଲା।

ଯଦିଓ କୌଣସି କୌଣସି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିଥିଲା ତଥାପି ଏହା ରୌଦ୍ର ତାପକୁ ପ୍ରତିହତ କରିପାରିଲା ନାହିଁ ବୋଲି ସେ କହିଛନ୍ତି।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨୩ ତାରିଖରେ ଝାଡଖଣ୍ଡ ତଥା ନିକଟବର୍ତୀ ବିହାର ଏବଂ ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହା ଦକ୍ଷିଣ ମୁହାଁ ହୋଇ ଉତର ଓଡ଼ିଶା ଆଡକୁ ପ୍ରବାହିତ ହେବ। ଏହା ସହ ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଏହାର ପ୍ରଭାବରେ ଜୁନ୍ ୨୩ କିମ୍ବା ତା’ ପରବର୍ତୀ ସମୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ତେବେ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ କାଳବୈଶାଖୀର ପ୍ରଭାବ ଯୋଗୁଁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଜୁନ୍ ୨୯ ତାରିଖରେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ମାତ୍ରା ବଢ଼ିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

ମଙ୍ଗଳବାର ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ସେଦିନ ପୁରୀରେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଡକ୍ଟର ସାହୁ କହିଛନ୍ତି। ଏହି ଦିନ ପୁରୀରେ ଦିନର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ଥିବା ବେଳେ ଗୁଳୁଗୁଳି୬୫ ରୁ ୭୫ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କାର୍ଯ୍ୟସୂଚୀ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ଓ ୧୧ ନଭେମ୍ବର, ୨୦୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ।

୧୦ ନଭେମ୍ବର, ୨୦୨୨ରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ବରରେ ପହଞ୍ଚିବେ ଏବଂ ସେଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ବର ରାଜ ଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ।

୧୧ ନଭେମ୍ବର ୨୦୨୨ରେ ରାଷ୍ଟ୍ରପତି ଭୁବନେଶ୍ବର ଠାରେ ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଲଗାଇ ଗାଡ଼ିରେ ହେଉଥିଲା ଗୋ ଚାଲାଣ, ୬୭ ଗୋରୁ ଉଦ୍ଧାର

ଖୋର୍ଦ୍ଧା: ନିକଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଗୋ ଚାଲାଣ ଯୋଜନାକୁ ପୋଲିସ ପଣ୍ଡ କରି ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ସମାନ ଘଟଣା ଘଟିଛି ବାଘମାରି ଥାନା ଅଞ୍ଚଳରେ। ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଓଆର ୦୧-ଏମ-୪୪୮୮ ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଘମାରି କଲେଜ ସମ୍ମୁଖରେ ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଥିଲା। ଗାଡିକୁ ଅଟକ ରଖି ଯୁବକମାନେ ବାଘମାରୀ ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଗାଡିଟି ଥାନା ପରିସରରେ ଥିବା ବେଳେ ଉକ୍ତ ଗାଡ଼ିରୁ ୬୭ ଗୋଟି ଗୋରୁ ଉଦ୍ଧାର ହେବା ସହ ଗାଡ଼ି ମାଲିକ ଅଟକ ଥିବାର ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି।

ତେବେ ବାରମ୍ବାର ଜିଲ୍ଲାରେ ଏପରି ଘଟଣା ଘଟୁଥୁବା ବେଳେ ଜନସାଧାରଣ ଏଥିରେ ମର୍ମାହତ ହେବା ସହ ପୋଲିସକୁ ଏହା ଉପରେ କଠୋର ଅଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାରେ ଆଉ ଏକ କୁତ୍ସିତ ଦୃଶ୍ୟ ସାମ୍ନାକୁ ଆସିଛି। ମାଫିଆମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥିବା ଗାଡିକୁ ଗୋ ଚାଲାଣ ପାଇଁ ବ୍ୟବହାର କରିଛନ୍ତି, ଯାହାକି ବହୁ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତତସହିତ ଜନସାଧାରଣ ଏ ଦୃଶ୍ୟ ଦେଖି ଆହୁରି ଉତ୍ୟକ୍ତ ହୋଇଛନ୍ତି।

ଉକ୍ତ ଘଟଣାରେ ଗାଡ଼ି ମାଲିକ ଅଟକ ଥିବା ବେଳେ ସଂଶ୍ଲିଷ୍ଟ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଲୁଗାଁ: ପରଟାରେ ମହାପ୍ରଭୁ ଜଗନ୍ନାଥ, ଭାଇରଲ ହେଉଛି ଫୋଟୋ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ। ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏକ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି।  ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଉକ୍ତ ଫୋଟୋଟି ଭାଇରାଲ ହେଉଛି।

ପାଟଣା ସାହି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହୁଥିବା ରବୀନ୍ଦ୍ର ସୁବୁଦ୍ଧିଙ୍କ ପରିବାରବର୍ଗ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା।

ସମ୍ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଜାରି ରହିଥିବା ବେଳେ ଏହି ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିବା ଭକ୍ତମାନଙ୍କ ଆସ୍ଥାକୁ ଆହୁରି ବଢ଼ାଇଦେଇଛି। ଅନେକ ଭକ୍ତ ମାନେ ବର୍ତ୍ତମାନ ଉକ୍ତ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି।

ତେବେ କେହି କେହି ଏହାକୁ ଅନ୍ଧବିଶ୍ୱାସ କହିବା ସହ ଏହା ଏକ ସାଧାରଣ ପରଟା ବୋଲି ବର୍ଣ୍ଣନା କରୁଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଖୁସି ଖବର: ଏଣିକି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ଖୋଲିବ ଶ୍ରୀମନ୍ଦିର

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର ମିଳିଛି। କରୋନା କଟକଣା ହ୍ରାସ ପାଉଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି। ଆସନ୍ତା ମାସ ପହିଲାରୁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଆଜି ଅପରାହ୍ନ ୪ ଟା ୩୦ ରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା କଟକଣା ଭିତରେ ଶ୍ରଦ୍ଧାଳୁମାନେ ଜଗା ଦର୍ଶନ କରିପାରିବେ।

ତେବେ ପୂର୍ବପରି ପଶ୍ଚିମ ଦ୍ଵାରା ଦେଇ ପୁରୀ ସହରବାସୀ କାଳିଆ ଦର୍ଶନ କରିବାକୁ ଅନୁମତି ମିଳୁଥିବା ବେଳେ ବାହାର ଲୋକଙ୍କ ପାଇଁ ପୂର୍ବ ଦ୍ଵାର ଖୋଲା ରହିବ। ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏଭଳି ନିଷ୍ପତ୍ତି ଶୁଣିବା ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।